Unknown

 

 

 

 

 

 

 

 

 

 

ଜୀବନ କାବ୍ୟ

ତପନ ପଟ୍ଟନାୟକ

 

 

 

 

 

 

 

 

 

 

—ବୋଉ ଓ ବାପାଙ୍କ ପଦପ୍ରାନ୍ତେ.......

 

ଏ’ ଆକାଶ ଏ’ ପୃଥିବୀ ଧରି ଚତୁର୍ଦ୍ଦିଗେ କଲେ ବୃଷ୍ଟିପାତ ଦେଖିଥିବି ତା’ପାଇଁ କବିତା ସକଳରୁ ହେଉଛି ସଂଜାତ ଜୀବନର ସମସ୍ତ ପିପାସା ସୀମାହୀନ ପରିତୃପ୍ତି ପାଇ ଗାଉଥିବ ଚିରଦିନ ଗୀତ, ଶେଷ ତା’ର ହେଉଥିବ ନାଇଁ !

 

କୃଷ୍ଣଚନ୍ଦ୍ର ତ୍ରିପାଠୀ

 

 

ଅବିଚ୍ଛିନ୍ନ ଦୃଷ୍ଟିରେଖା ପ୍ରଲମ୍ବିତ ଭାବରେ ଅସୀମ ଆକାଂକ୍ଷାର ସହିତ ଦିଗ୍‌ବଳୟତଳକୁ ଯେଉଁ ଲମ୍ବି ଯାଇଥିଲା ତାହା ଏଇ ଅପ୍ରତ୍ୟାଶିତ ଝଡ଼ର ଆକସ୍ମିକ ଆକ୍ରମଣଫଳରେ ପୁନଶ୍ଚ ଅଧୋଗାମୀ ହୋଇଯିବ ? ମୁଁ ତୁମ ଜୀବନ ଇତିହାସର ଅତୀତ ପୃଷ୍ଠା ଭିତରେ ଗୋଟାଏ ସ୍ମୃତିର ବିନ୍ଦୁ ହୋଇ ରହିଯିବି ? ମୋ’ ଅନନ୍ତ ପ୍ରାଣର ଆକୁଳ ଆଶା ଆକାଂକ୍ଷା ଏମିତି ଅତୃପ୍ତ ନିରାଶାରେ ପରିଣତ ହୋଇଯିବ ? କୁହ, ଦୀପାନ୍ୱିତା ! ତମ ଅନ୍ତରତମ ଅଭିବ୍ୟକ୍ତି ସ୍ପଷ୍ଟ ବ୍ୟକ୍ତ କର !

 

ତମେ କ’ଣ ଚାହଁ ଯେ ମୋ’ ଜୀବନ ଏମିତି ଏମିତି ଜଳିଯାଉ ? ଏମିତି ହା-ହତୋଶ୍ମିର ବିଦଗ୍ଧ ଅନଳ ଭିତରେ ମୁଁ ବିଲୁପ୍ତ ହୋଇଯାଏ ? ତେବେ କାହିଁକି ମୋ’ ଭଳି ଗୋଟାଏ ଅମଣିଷକୁ ମଣିଷ କରିବା ଲାଗି ପ୍ରଚେଷ୍ଟାର ଶେଷ ସୀମା ପର୍ଯ୍ୟନ୍ତ ଆଗେଇ ଆସିଥିଲ ? କାହିଁକି ତମେ ନିଜକୁ ଏକ ଖେଳନା ସଜେଇ ମୋ’ ତାରୁଣ୍ୟରେ ବାଲ୍ୟ ଚପଳତା ଆଣିବାକୁ ପ୍ରୟାସ କରିଥିଲ ?

 

ଏ ସବୁ ଆଜି ସ୍ଵପ୍ନ ଭଳି ମନେ ହେଉଚି ଦୀପା ! ମନ ଭିତରେ କଳ୍ପନାର ମନ୍ଦିର ଗଢ଼ି, ତମକୁ ପ୍ରତି ମୁହୂର୍ତ୍ତରେ ଅପେକ୍ଷା କରିଛି ।

 

ତମର ଏ’ଖବର ପାଇବା ପୂର୍ବରୁ ମୋ’ ଜୀବନର ଦୀପଶିଖା ଯଦି ଲିଭି ଯାଇଥାନ୍ତା, ତେବେ ହୁଏତ ଅନେକ ପରିମାଣରେ ଶାନ୍ତି ଲାଭ କରିଥାଆନ୍ତି । ଆତ୍ମା ଯଦିଓ ତୃପ୍ତି ପାଇ ନଥାନ୍ତା, ତଥାପି ଏତେ ବିଦଗ୍ଧତା, କ୍ଷୁବ୍‌‌ଧତା ଓ ମର୍ମାନ୍ତକତା ଭିତରେ ଜଳି ଜଳି ନିଃଶେଷ ହେବାକୁ ପଡ଼ିନଥାନ୍ତା ।

 

ଚାରିଦିନ ହେଲା ଶେଯରେ ପଡ଼ି ପଡ଼ି ତମ କଥା ଭାବୁଛି କେବଳ । କେମିତି ଥିବ ତୁମେ ! କେମିତି ବା ରହିପାରିଛ ମୋ’ଠାରୁ ଦୂରେଇ ରହି ନିର୍ବିକାର ଭାବରେ । କେମିତି ଭାବରେ ତମେ ମାରି ପାରିଛ ଆମର ବିଗତର ସମସ୍ତ ସୁସ୍ୱପ୍ନକୁ ଅକ୍ଳେଶରେ ।

 

ତମରି ପ୍ରତୀକ୍ଷାର ଆକାଂକ୍ଷାରେ ଆକାଂକ୍ଷିତ ହୋଇ କେତେ ଚାହିଁଛି । ଏମିତି ଚାହିଁଥିବ ଅନନ୍ତ କାଳ ପର୍ଯ୍ୟନ୍ତ ବୋଧହୁଏ !

 

କେମିତି ତମକୁ ବୁଝେଇବି ଯେ ମୁଁ ତମକୁ କେତେ ନିବିଡ଼ ଭାବରେ ଭଲ ପାଇଥିଲି । ମୋ’ ଜୀବନଠୁ ଅଧିକ । ଏମିତି କି ତମ ଆଗରେ ଦୁନିଆ ଖୁବ୍ ମତେ ଛୋଟ ଦଶିଛି । ନିଜର ପ୍ରାଣକୁବି ବହୁତ କ୍ଷୁଦ୍ର ମନେ କରିଛି ତମପାଇଁ ଜଳାଞ୍ଜଳି ଦେବାକୁ । ସଂସାରର ଏଇ ହାଟ ଗହଳି ଭିତରେ ଯିଏ ବା ଦେଖା ହୋଇଛନ୍ତି, ସମସ୍ତେ ପରମନେ ହୋଇଛନ୍ତି । ସମସ୍ତଙ୍କୁ ବେଖାତିର କରି ମୁହଁ ଆଡ଼େଇ ତମପାଖକୁ ଧାଇଁ ଆସିଥିଲି । କାହିଁକି ନା ତମେ ଯେମିତି କେବଳ ଏକାନ୍ତ ଆତ୍ମୀୟ ମୋର । ଏକମାତ୍ର ଏକାନ୍ତ ଆତ୍ମୀୟ । ଜନ୍ମ ଜନ୍ମ, କାଳ କାଳ, ଯୁଗ ଯୁଗାନ୍ତ, ଧରି ତମ ସହିତ ମୋର ଆତ୍ମୀୟତା ରହିଥିଲା, ରହିଛି । ମୁଁ ସୃଷ୍ଟି ହେବା ପରେ ପରେ ଯେମିତି ତମ ସାଥିରେହିଁ ହୋଇଥିଲା ମୋର ପ୍ରଥମ ପରିଚୟ !

 

ଯଦି ମୋ’ ଜୀବନ ବିନିମୟରେ ମୋ’ ଭଲ ପାଇବାକୁ ତମେ ପରୀକ୍ଷା କର, ତେବେବି ମୁଁ ପ୍ରସ୍ତୁତ ଅଛି । ମୋ’ ଦେହର ରକ୍ତ, ମାଂସ, ଅସ୍ଥି, ମଜ୍ଜାକୁ ଟିକିନିଖି ଖଣ୍ଡବିଖଣ୍ଡ କରି ଦେଖି ନିଅ, ତା’ ଭିତରେ କାହାର ସ୍ୱାକ୍ଷର ଅଛି । କାହାର ଛବି ଅଙ୍କା ରହିଛି । ପ୍ରତିରୋଧର ଅନେକ ଧୂଳିଝଡ଼, ବାତ୍ୟା, ପବନକୁ ଠୁକୁରାଇ ସହିଛି ହେଲେ ନିଭିଯାଇନି । ନିଭିବନିବି । ଏ ପ୍ରତ୍ୟୟ ଦୃଢ଼ ଭାବରେ ଅଛି ମୋର ।

 

ତମପାଇଁ ସତରେ ମୁଁ କେତେ ପାଗଳ ! ଏ’ ବିରାଟ ହରରଙ୍ଗୀ ଦୁନିଆ ମୋ’ ଆଖି ଆଗରେ କେମିତି ଆଉ କ’ଣ ଦିଶୁଛି ଆଜି, ମୁଁ ନିଜେବି ବୁଝିପାରୁନି ।

 

ଭଲ ପାଇବାର ଜନ୍ମ ବାଧ୍ୟବାଧକତା ଭିତରୁ ନୁହେଁ । ତା’ ଉପରେ କେହି ଆଦେଶ, ଅନୁରୋଧ ଜାରି କରି ପାରେନି । ମୁଁ ତୁମକୁ କାହିଁକି ଏତେ ଭଲ ପାଇଥିଲି, କେଉଁ ମୁହୂର୍ତ୍ତରେ ତମ ସହିତ ଦେଖା ହୋଇଥିଲା, ସେ ମୁହୂର୍ତ୍ତ ଶୁଭକି ଅଶୁଭ, ଭଗବାନଙ୍କର ଆଶୀର୍ବାଦ କି ଅଭିଶାପ, ମୁଁ ନିଜେ ନିର୍ଣ୍ଣୟ କରି ପାରିନି ।

 

ଅନେକ ଆଗରୁ ଜୀବନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଇଚ୍ଛା ଓ କାମନାର ଶେଷ ଚିଠି ଲେଖି ସାରିଥିଲେ ମଧ୍ୟ ଧୈର୍ଯ୍ୟ ଆଉ ଆଶାର ଶେଷ ଚିଠି ଲେଖି ନଥିଲି । କିନ୍ତୁ ନଲେଖି ଆଉ କେତେ ଦିନ ଅପେକ୍ଷା କରିବି ? କାହିଁକି ବା କରିବି ?

 

ତାରୁଣ୍ୟର ସୀମା ଅତିକ୍ରମ କରିବା ପୂର୍ବରୁ ବହୁତ କଥା ସହିବାକୁ ପଡ଼ିଲା ଜୀବନରେ । ଛାଡ, ବିଶ୍ଳେଷଣ କରି ଲାଭନାହିଁ । କାହିଁକି ସହିଗଲି, ତା’ର ଉତ୍ତର ନିଜକୁ ନିଜେ ପଚାରିବି ପାଇନାହିଁ । କେବଳ ବିଚାରିଛି, ତମକୁ ମନ ପ୍ରାଣ ଦେଇ ମୋର ଭଲ ପାଇବାହିଁ ତା’ର ମୁଖ୍ୟ କାରଣ ହୋଇପାରେ ।

 

ସୃଷ୍ଟିକୁ ଆସିବା ଦିନଠାରୁ ତ କାନ୍ଦି ଆସିଛି ସବୁବେଳେ । ତେବେ ଏତେଟା ମନ ଭରି କାନ୍ଦି ନଥିଲି, ଯାହାକି ଏଇ କେତେ ଦିନ ହେଲା କ୍ରମାଗତ ଭାବରେ କାନ୍ଦୁଛି । ସେ ଲୁହ ବର୍ଷାର ଯେମିତି ବିରାମ ନାହିଁ । ସମାପ୍ତି ନାହିଁ । ଅବିଶ୍ରାନ୍ତ ଭାବରେ ଛୁଟି ଛାଲିଛି ସେ ଅଶ୍ରୁର ଝରଣା । ତମେ ଯଦି ବର୍ତ୍ତମାନ ଆସି ଦେଖି ଯାଆନ୍ତ ଦୀପା, କାରୁଣ୍ୟରେ ଭରା ଆଖିପତା ମୋର ବର୍ଷା ଦିନର ମାଟିପରି କେମିତି ଆର୍ଦ୍ର ରହିଛି । କେମିତି ସକରୁଣ ରହିଛି । ଶୂନ୍ୟତାର ଆକାଶକୁ ସଜଳ ଭାବରେ ଅନେଇ ଯେମିତି ବିଳପି ଉଠୁଛି କାହାର ପ୍ରତୀକ୍ଷାରେ ରହି । ନିର୍ଜନତାକୁ ଭାଙ୍ଗି ସେ ଏମିତି ଚିତ୍କାର କରୁଛି, ସେ ଚିତ୍କାରରେ ଆକାଶ, ପୃଥିବୀ ଯେମିତି ସବୁ ଏକାକାର ହୋଇଯିବ ! ସୃଷ୍ଟିର ବୈଚିତ୍ର୍ୟ କିଛି ରହିବ ନାହିଁ ।

 

ମୋ’ ମନ ପୋଥିକୁ ବେଦନାର କୀଟମାନେ ଟିକିନିଖି କରି କାଟି ଖିନ୍‌ଭିନ୍ କରି ଦେଲେ । ଯେତୋଟି ବର୍ଷ ଏ’ ଦେହରେ ଜଡ଼େଇ ଆସିଥିଲି । ତା’ ଭିତରେ କେତେ ଦୁଃଖ, କେତେ ଆଘାତ କେତେ ଝଡ଼ଝଞ୍ଜା ସହି ନଥିଲି ! । କେତେ ଆତ୍ମଗ୍ଳାନି ଭିତରେ ପରାହତ ହୋଇ ନଥିଲି ! କିନ୍ତୁ ତା’ର ହିସାବ ରଖି ନଥିଲି । କାରଣ କ’ଣ ଜାଣିଛ ? ମୁଁ ଏକ ଯାତ୍ରୀ ଅନନ୍ତ ଯୁଗର । ପଥ ମୋର ଅସୀମ । କିନ୍ତୁ ଆଜି ମନେ ହେଲା ପଥ ମୋର ହଠାତ୍ ସରିଗଲା ! ଜୀବନର ମଧ୍ୟାହ୍ନରେ ଅକସ୍ମାତ୍ ସୂର୍ଯ୍ୟ ବୁଡ଼ି ଗଲେ ବଳୟ ଭିତରକୁ ।

 

ଗୋଟାଏ ସ୍ଥାଣୁ ପଥର ମୂର୍ତ୍ତି ପରି ମୁଁ ଠିଆ ହୋଇଛି କେବଳ ! ଆଗକୁ ଚାଲିବାର ବଳ ଆଉ ନାହିଁ । ସେମିତି ସବୁ ଶକ୍ତି କ୍ଷୟ ହୋଇ ଯାଇଛି ମୋ ଅଜାଣତରେ । ଶୌର୍ଯ୍ୟ ବୀର୍ଯ୍ୟଭରା ହୋଇ ମୁଁ ଯେଉଁ ଆତ୍ମଗର୍ବର ଆତ୍ମପ୍ରସାଦ ଲାଭ କରୁଥିଲି, ବର୍ତ୍ତମାନ ସର୍ବହରା ହୋଇ ଦୁନିଆ ଦାଣ୍ଡରେ ଘୂରି ବୁଲୁଛି ଗୋଟିଏ ଭିକ୍ଷୁକ ପରି । ଏମିତି ଜୀବନସାରା ଘୂରି ଘୂରି ଚଲାପଥର କେଉଁ ଗଛତଳେ କେତେବେଳେ ଶେଷ ନିଃଶ୍ଵାସ ଉଡ଼ିଯିବ, କେହି ଜାଣିବେନି ।

 

ମୁଁ ନିଃସ୍ୱ, ଦରିଦ୍ର ହୋଇପାରେ, ଦୁର୍ବଳ, ଚରିତ୍ରହୀନ ହୋଇପାରେ ମାତ୍ର ଅନ୍ତର ନିଗାଡ଼ି, ବକ୍ଷଚିରି, ହୃଦୟ ଦେଇ ମୁଁ ତମକୁ ଯେତିକି ଭଲ ପାଇଥିଲି, ତମେ ଆଉ କାହାଠାରୁ ପାଇବ ନାହିଁ । ତମକୁ ଏତେ ସ୍ନେହ, ପ୍ରେମ ଆଉ ସତରେ କେହି ଦେଇ ପାରିବେ ନାହିଁ ।

 

ଏଇ ଚାରିଦିନ ହେଲା ତମ ଖବର ପାଇବାଠାରୁ ସତରେ ମୁଁ ମରି ଯାଇଛି ଏବଂ ମୋ’ ଆତ୍ମା ଡହଳବିକଳ ସ୍ଵରରେ ରଡ଼ି ଛାଡ଼ୁଚି ଯେ ଜୀବନରେ ତମକୁ କେତେ ଆଉ କେମିତି ଭଲ ପାଇଥିଲି, ସେ କଥା ତମେ ବୁଝି ପାରିଲନି । ତମକୁ ନେଇ ମୁଁ ବହୁତ ସୁଖସ୍ଵପ୍ନ ଗଢ଼ିଥିଲି । କିନ୍ତୁ ଆଜି ମୋର ସବୁ ଚୂରମାର ହୋଇ କେବଳ ଜଳୁଛି ମାତ୍ର । ଅଗ୍ନି ଭିତରେ ଠିଆ ହେଲେବି ମଣିଷ ଏତେ କଷ୍ଟ ପାଆନ୍ତି ନାହିଁ ।

 

ଏତେ ଦିନ ପରେ ମୁଁ ଆଜି ଭାବିପାରିଛି, ମୁଁ ତମର କିଏ ? କେହି ନୁହେଁ । ଏମିତି କେଉଁ ଏକ ଅଶୁଭ ବେଳାରେ ସାଧାରଣ ମଣିଷଙ୍କପରି ତମ ସହିତ ସାକ୍ଷାତ ହୋଇଥିଲା । କିନ୍ତୁ ତମଠୁ ଏତେ ଅଧିକାର, ଏତେ ଦାବି ମୁଁ ଲୋଡ଼ି ବସିଲି କାହିଁକି । ତାହାହିଁ ମୋର ପ୍ରଥମ ମୂର୍ଖତା ।

 

ତମେ ମତେ କାହିଁକି ଭୁଲ୍ ବୁଝିଲ, ସେ ଭୁଲ୍‌ର ରାସ୍ତା ମୁଁ ଖୋଜି ପାଉନାହିଁ । ଯଦି କିଛି ଭୁଲ୍ କରିଥିଲି, ଏ’ ଭଳି ଶାସ୍ତି ଦେବା କ’ଣ ଉଚିତ ହେଲା ? ଏ' ଭଳି ଶାସ୍ତିରେ ଭୁଲ୍‌ଟା ତ ସୁଧୁରିଲା ନାହିଁ, ବରଂ ଶହେ ଗୁଣ ଆକାରରେ ବଢ଼ି ଜୀବନଟା ନଷ୍ଟ ହୋଇଗଲା । ତଥାପି ସହୁଛି । ସବୁ ତମରି ଖାତିର, ତମରି ସମ୍ମାନ, ତମର ମଙ୍ଗଳପାଇଁ । ଆଉ କାହାପାଇଁ ଆଗରୁ ସହି ନଥିଲି, ସହିନଥାନ୍ତି !

 

ତମେ ସେତିକି ବୁଝି ପାରିଲନି । ତମେ ଯଦି ବୁଝି ପାରିଲ ନାହିଁ, ଏ ସଂସାରରେ ଆଉ କେହି ବୁଝିପାରିବେ ନାହିଁ । କାହିଁକିନା ତମଛଡ଼ା ଏ’ ସଂସାରରେ କେହି ମତେ ବୁଝିବାକୁ ଚେଷ୍ଟା କରି ନାହାଁନ୍ତି । କରିବେ ନାହିଁ । ଦୁନିଆ ଆଖିରେ ମୁଁ ଜଣେ ନିଃସ୍ଵ, ଦରିଦ୍ର, ଲକ୍ଷ୍ୟଚ୍ୟୁତ, କକ୍ଷହରା, ପଥଭ୍ରଷ୍ଟ, ମଣିଷ । ସେଥିଲାଗି ମୋ’ ଜୀବନ, ପ୍ରାଣ ସବୁ ତମକୁ ଉତ୍ସର୍ଗ କରିଥିଲି । ମୋ’ ଆତ୍ମାକୁ ତମ ପାଖରେ ଛାଡ଼ି; ଏ’ ମାଟିର ଶରୀରଟାକୁ ନେଇ ଜୀବନ ଚଳାଉ ଥିଲି ।

 

ତମେ ଦିନେ ପରିହାସରେ କହିଥିଲ ନା–ତମେ ଏମିତି ଦିନେ ବଦଳି ନଯିବ, କିଏ କହିବ ସତରେ ! ବିପରୀତ ଭାବରେ ତମେ ଆଜି ତାହା ପ୍ରମାଣ କରି ଦେଇଛ । ଇଚ୍ଛାଥିଲା, ଜୀବନସାରା ତମକୁ ମୁହୂର୍ତ୍ତେ କେବେ ପାଖରୁ ଅନ୍ତର କରିବି ନାହିଁ । ନିକଟରୁ ନିକଟତର, ନିକଟତମ କରି ରଖିବି । ମୋ’ ପ୍ରାଣର ଏଇ ବିପୁଳ ଇଚ୍ଛା, ବିରାଟ ଆକାଂକ୍ଷା ପୂର୍ଣ୍ଣ ହୋଇ ପାରିଲା ନାହିଁ ! କ୍ଷୁଦ୍ରତମ ହୋଇ ରହିଗଲା ସବୁଦିନ ପାଇଁ । ପ୍ରେମ, ଅନୁରାଗ କ୍ଷଣଭଙ୍ଗୁର ନୁହେଁ ! ! ଯୁଗବ୍ୟାପୀ ଶାଶ୍ୱତ, ଚିରନ୍ତନ । କିନ୍ତୁ ମୁଁ ଜାଣୁଛି, ମୋ’ ପ୍ରେମର କୌଣସି ମୂଲ୍ୟନାହିଁ । ମୋ’ ପ୍ରେମିକା ନିହାତି ବୋଧ ଶୂନ୍ୟା, ସାହସହୀନା ! ପ୍ରେମପାଇଁ ନିତାନ୍ତ ଅଯୋଗ୍ୟ । ଯାହାର କି ସାଧାରଣ ଭାବରେ ବାଟ ଚାଲିବାର, ବୁଝିବାର ବା କିଛି ଗ୍ରହଣ କରିବାର ଶକ୍ତି ନାହିଁ । ଛାଡ଼ ଅତୀତକୁ ଅଭିଶାପ ଦେଇ ମୂଲ୍ୟ କ’ଣ ଅଛି ? ପାହାଡ଼କୁ ଟେକା ଫିଙ୍ଗିଲେ ନିଜର ହାତ ବଥାଇବ ସିନା ପାହାଡ଼ର କିଛି କ୍ଷତି ହେବନି । ମୁଁ ଜୀବନରେ ସର୍ବହରା ହୋଇଯାଏ ପଛେ, ତମେ ସୁଖୀ ହୁଅ । ସର୍ବାନ୍ତଃକରଣରେ ମୁଁ ତମର ମଙ୍ଗଳ କାମନା କରୁଛି । ଅତୃପ୍ତ ଆଶା ଓ କାମନାକୁ ଜଳାଞ୍ଜଳି ଦେଇ ପୁଣି ମୁଁ ସେଇଠିକି ଫେରି ଯାଉଛି, ଯେଉଁଠୁ ଆସିଥିଲି । ଯେଉଁ କର୍ଦ୍ଦମାକ୍ତ ନର୍ଦ୍ଦମାର ପୂତିଗନ୍ଧମୟ ଆବର୍ଜନା ଭିତରୁ ତମେ ମତେ ଆବିଷ୍କାର କରିଥିଲ । ସେଇ ମୋର ପ୍ରାଣର ମନ୍ଦିର, ମସଜିଦ, ଗିର୍ଜା-ଜୀବନର ତୀର୍ଥଭୂମି । ଯେଉଁଠି ମୋ’ ଭଳି ସବୁ ଅପଦାର୍ଥ, ଅମଣିଷ, କ୍ଷୁଦ୍ରକାୟ ମଣିଷମାନେ ବଞ୍ଚି ରହିଛନ୍ତି । ଯେଉଁ ସମାଜ ଆମ ପରି ହୀନ, ଅସଭ୍ୟଙ୍କୁ ଗ୍ରହଣ କରୁନି । ଦୁନିଆର ସ୍ୱଚ୍ଛ, ଶୁଭ୍ର ଆଲୋକଠାରୁ ଆମେମାନେ ବହୁତ ଦୂରରେ । ହୁଏତ ଆହୁରି କେତେ ଜନ୍ମ ଲାଗିବ, ଏ’ ସମାଜ ସାଥିରେ ସମକକ୍ଷ ହୋଇ ଚଳିବାକୁ ଆମକୁ । ଲୁହର ସମ୍ଭାରରେ ମଣ୍ଡିତ କରି ତମଠୁ ବିଦାୟ ନେଉଛି ଶେଷ କାହାଣୀ ଶୁଣେଇ । କାରଣ ନିଭୃତ ମନର ଏ’ ସଂଗୋପନ କାହାଣୀ ଶୁଣିବାକୁ ଆଉ କେହି ଯୋଗ୍ୟ ନୁହଁନ୍ତି । କାହାକୁବି ଶୁଣାଇ ହେବନି । ସତରେ ଏମିତି ହୀନକପାଳ ମଣିଷ ମୁଁ ! ଜୀବନରେ କାହାଠୁ ଟିକିଏ ଶାନ୍ତି ପାଇପାରିଲିନି ଅଥବା କାହାକୁବି ଟିକିଏ ଶାନ୍ତି ଦେଇ ପାରିଲିନି ।

 

ତମେ ମତେ ଯେତେ ଭୁଲ୍ ବୁଝିଲେବି, ଯେତେ ଘୃଣାକଲେବି ମୁଁ ତମକୁ କଦାପି ଭୁଲ୍ ବୁଝିବି ନାହିଁ । ଅନ୍ତର ତଳୁ ଦୂରେଇ ପାରିବି ନାହିଁ । କାରଣ ତମେହିଁ ମୋ’ ଜୀବନର ପ୍ରଥମ ଆଉ ଶେଷ ସ୍ମୃତି, ଯାହାକୁ ସ୍ମରଣ କରି କରି ଏ’ ଜନ୍ମର ବାଟ ଚାଲିବି । ତମ ମନରେ ଆଘାତ ସୃଷ୍ଟି ହେଲେ ମୋ’ ମନର ବହୁରୂପୀ ଦର୍ପଣରେ ବହୁ ବିବର୍ଣ୍ଣ ପ୍ରତିଛବି ପ୍ରତିଫଳିତ ହେବ । ତେଣୁ ଆଘାତର ଚରମ ସୀମାରେ ପହଞ୍ଚିବା ପାଇଁ ଆଉ ଇଚ୍ଛା ନାହିଁ ମୋର ।

 

ହାତ ଥରୁଛି, ଜୀବନ ନାଟକ ଶେଷ ହେବା ପୂର୍ବରୁ ମଞ୍ଚର ଯବନିକା ଆକସ୍ମିକ ପଡ଼ିଗଲା । ଆଉ ମଧ୍ୟ ଲେଖିବାର ଧୈର୍ଯ୍ୟ ନାହିଁ । କ୍ଷମା କରିବ ଦୀପାନ୍ୱିତା ! ମୋ’ ଦୋଷପାଇଁ କ୍ଷମା ବ୍ୟତୀତ ଆଉ କ’ଣ ବା ତମକୁ ମାଗିବି ?

 

ତମ ସାଥିମାନଙ୍କ ଆଗରେ ପ୍ରଚାର କରି ଚାଲିଛ ଯେ ମୁଁ ତମର ଅପବାଦ, ନିନ୍ଦା ଗାଇ ବୁଲୁଚି । ଏଇ କେତେ ଦିନ ହେଲା ତମ ଦୁର୍ନାମ ରଟିବା ଲାଗି ମୁଁ ଖୁବ୍ ଉଦ୍‌ବିଗ୍ନ ହୋଇ ଉଠିଛି । କିନ୍ତୁ ଦୀପାନ୍ୱିତା ! ତମେ କେମିତି ଏ’କଥା ଚିନ୍ତା କରିପାରୁଚ, କଳ୍ପନାରେବି ମୁଁ ଭାବି ପାରୁନି ।

 

ମୁଁ ଏଡ଼େ ଅମଣିଷ ନୁହେଁ ! ମୁଁ ଏତେ ନିମ୍ନଗାମୀ ହୋଇପାରେନା । ଏ’ ଜନ୍ମରେ କ’ଣ ଆଉ କେତେ ଜନ୍ମ ପରେବି ସ୍ୱପ୍ନରେ ସୁଦ୍ଧା କଳ୍ପନା କରି ପାରିବି ନାହିଁ ତମ ଅମଙ୍ଗଳ ଆଉ ଅପବାଦ । ମୁଁ ମୋ’ ପ୍ରେମକୁ ବେଖାତିର ଅସମ୍ମାନିତ କରି ପାରିବି ନାହିଁ । ତମେ ଯାହାଠୁ ଯାହା ଶୁଣୁଛ, ଶୁଣିଛ ସବୁ ବିଭ୍ରାନ୍ତ ମୂଳକ । ମୁଁ ଜାଣେ ତମେ ମୋ’ କଥାକୁ ଆଦୌ ବିଶ୍ଵାସ କରିବ ନାହିଁ, ଗ୍ରହଣ କରିବ ନାହିଁ । ତଥାପି ବାଧ୍ୟ ହେଉଛି ଜଣାଇବାକୁ ତମକୁ । କାହିଁକି ବିଶ୍ୱାସ କରିବ ନାହିଁ, ଗ୍ରହଣ କରିବ ନାହିଁ, ସେ କଥାବି ମୁଁ ଜାଣେ । କାରଣ ତମ ମନ ଭିତରେ ମୋ’ପାଇଁ ବିଗତର ସେ ପ୍ରେମ, ଶ୍ରଦ୍ଧା, ସ୍ନେହ ମମତା ନାହିଁ । ଅନୁରାଗର ସମାଧି ଉପରେ ଗୁଡ଼ିଏ ମଉଳା ଫୁଲ ପଡ଼ିଛି । ଯାହାକି କ୍ରୋଧ, ବିରାଗ ଘୃଣା ଓ ଅଭିଶାପର ସ୍ପଷ୍ଟ ଚିହ୍ନ । ତଥାପି ସେ ମଉଳା ଫୁଲକୁ ସାଉଁଟି ସାଉଁଟି ସଂଗ୍ରହ କରି ରଖିଛି ମୁଁ ଟିକେ ବଞ୍ଚି ରହିବା ଆଶାରେ । ସେ ସ୍ମୃତିର ଫୁଲକୁ ଆଘ୍ରାଣ କରି କରି ମୋ ଅତୀତର ପ୍ରେମକୁ ଅନ୍ତତଃ ସମ୍ମାନ ଦେବି । ଅନୁରାଗ ଆଉ ମମତା ଦେବି ।

 

ଦୀପାନ୍ୱିତା ! ମତେ ଭୁଲ୍ ବୁଝିବ ନାଇଁ । ମୁଁ ତମ ଜୀବନରେ କୌଣସି କ୍ଷତି କରି ନାହିଁ-। କେବେବି କରିବି ନାହିଁ ବଞ୍ଚିଥିବା ଯାଏଁ । ତମେ ମୋର ଜନ୍ମ ଜନ୍ମ ଧରି ମୋର । ଏ କଥା ମୁଁ କେବେ ଅସ୍ୱୀକାର କରିବି ନାହିଁ । ପ୍ରାଣର ସମସ୍ତ ଅନୁରକ୍ତି ଅଜାଡ଼ି ତମକୁ ଅପେକ୍ଷା କରିଛି, କରୁଛି, କରିଥିବି ଅସୀମ କାଳ ପର୍ଯ୍ୟନ୍ତ । ଯୁଗଯୁଗାନ୍ତ ପ୍ରତୀକ୍ଷାହିଁ ହେବ ମୋର ନିଛକ ମାନସ ପ୍ରେମର ସଂକେତ । ମନେ ପଡ଼ୁଛି ଦୀପାନ୍ୱିତା, ମୋ’ ହାତ ଉପରେ ହାତ ରଖି ଯେଉଁ ପଦିଏ ଶପଥ କରିଥିଲ, ଜୀବନରେ କେବେ ଭୁଲିଯିବ ନାହିଁ, ଦୂରେଇ ଯିବ ନାହିଁ; ସେଇ ମଧୁମୟ କଥାପଦକ କୁଳଦୀପ ଜାଳି ରଖିଲା ଭଳି ମୁଁ ଜାଳି ରଖିଛି । ଆଉ ଏମିତି ଜାଳିରଖିଥିବି ପ୍ରାଣ ତଳର ଏ’ ତାତିଲା ନିଃଶ୍ୱାସଟା ଯିବାଆସିବା କରୁଥିବା ପର୍ଯ୍ୟନ୍ତ । କିନ୍ତୁ ତମେ ରଖି ପାରିଲନାହିଁ-। କାହିଁକି ଦୀପାନ୍ୱିତା, ମୁଁ ବୁଝିବି ପାରିଲି ନାହିଁ ନିଜକୁ ବାରମ୍ବାର ପଚାରିବା ସତ୍ତ୍ୱେ । ହୃଦୟ ଭିତରେ ନିଜ ଦୋଷକୁ ତନ୍ନତନ୍ନ ନିରୀକ୍ଷଣ କରିବା ପରେବି ଖୋଜି ପାରିଲି ନାହିଁ ମୋ’ ଅକ୍ଷମଣୀୟ ଅପରାଧ କ’ଣ !

 

ଆଜିର ଶେଷ ମୁହୂର୍ତ୍ତରେ ଗୋଟିଏ ଅନୁରୋଧ ମୋ’ ବ୍ୟାକୁଳ ପ୍ରାଣର, ଏ’ ଚିଠି ପାଇ ମତେ ଟିକିଏ ଶେଷ ଥରପାଇଁ ଦେଖାକର । ଭାବୁଚି, ଦେଖା କଲେ କୌଣସି କ୍ଷତି ହେବ ନାହିଁ । ଅପରାଧ ହେବନାହିଁ । ତମ ଚରିତ୍ରରେ କୌଣସି କଳଙ୍କ ଲାଗିବ ନାହିଁ । ମୁଁ ଶପଥ କରୁଛି, ତମ ସହିତ କେତେ ପଦ କଥାବାର୍ତ୍ତା ଛଡ଼ା ଆଉ ଜୀବନରେ ମୁଁ ତମଠୁ କିଛି ଚାହିଁବି ନାହିଁ । କେବଳ ମୋ’ ଅପରାଧଟି ବୁଝିନେଇ ମୁଁ ତମଠୁ ଦୂରେଇ ଯିବି ସବୁଦିନ ଲାଗି ।

 

ଦୀପାନ୍ୱିତା, ଶେଷ ଇଚ୍ଛାକୁ ମୋର ସମାଧି ଦେବ ନାହିଁ ପ୍ରାଣର ଅନୁରୋଧ । ମତେ ତମେ ସମ୍ମାନ ନ ଦିଅ ପଛେ, ମୋ’ ଆଖିର ବେଦନାକୁ ଅନ୍ତତଃ ଶେଷ ଥରପାଇଁ ଅସମ୍ମାନିତ କରିବ ନାହିଁ ବୋଲି ଆଶା କରୁଛି । ଏଇ ରାସ୍ତାଟା ମୋ ଆଖି ଠାରୁ ଯେଉଁ ଦିଗକୁ ଲମ୍ବି ଯାଇଛି, ସେ ଦିଗକୁ ଚାହିଁ ରହିଲି ତମର ପ୍ରତୀକ୍ଷା ନେଇ ।

 

ସୂର୍ଯ୍ୟର କବର ଉପରେ ଚନ୍ଦ୍ର ଢାଳୁଥିଲା ଅନେକ ରଶ୍ମିର ତାରାଫୁଲ । ନୀଳମେଘୀ ଦିଗନ୍ତ କନ୍ୟା ସଫେଦ୍ ଜ୍ୟୋତ୍ସ୍ନାର ଶାଢ଼ିଟିଏ ପିନ୍ଧି ନମସ୍କାର ଜଣାଉଥିଲା ପୃଥିବୀକୁ । ଏକ ଉଦାସ ଅନାବିଳ ଚାହାଣିରେ ଦୀପାନ୍ୱିତା ଚାହିଁ ଥିଲା ଆକାଶକୁ ପ୍ରାସାଦର ଛାତ ଉପରେ ବସି ।

 

ଏମିତି ଖାମ୍‍ଖିଆଲି ଭାବରେ ବସି ଜହ୍ନକୁ ଅନେକ ସମୟରେ ଚାହିଁ ରହେ ଦୀପାନ୍ୱିତା-। ଖୁବ୍ ଭଲ ଲାଗେ ତାକୁ ଏମିତି ଚାହିଁବାକୁ । ଅନେକ ଦିନ ଧରି ଜହ୍ନକୁ ସେ ଏମିତି ବାରମ୍ବାର ନିରୀକ୍ଷଣ କରିଛି । ଅନୁଧ୍ୟାନ କରିଛି । କିନ୍ତୁ ଜହ୍ନରେ ତ କଳଙ୍କ ଅଛି । ଯୋଉ ଜହ୍ନ ପୃଥିବୀ, ସ୍ଵର୍ଗ ଠାରୁ ସ୍ଵଚ୍ଛ, ଶୁଭ୍ର, ସୁନ୍ଦର ସେଥିରେ ତ କଳଙ୍କ ଅଛି ? ସେଥିରେବି ଅସ୍ପଷ୍ଟତା ଅଛି ? ତଥାପି ସେ ଯେ ପୂଜ୍ୟ ନମସ୍ୟା ଆଦରଣୀୟା । ତେବେ ଦୀପାନ୍ୱିତା ବୃନ୍ତଚ୍ୟୁତା, କଳଙ୍କିତା ହେବ କେମିତି-? ହେବ ବା କାହିଁକି ? ନା, ସେ କଳଙ୍କିତା ନୁହେଁ, ଜହ୍ନପରି ତା’ ଭିତରେବି ସ୍ଵଚ୍ଛତା, ଶୁଦ୍ଧତା ଶୁଭ୍ରତା ଅଛି । କିନ୍ତୁ ଦୋଷଟାକୁ ନିଜ ଉପରେ ଚାପି ରଖିଲେ ଦୁନିଆ କ’ଣ ତାକୁ ଛାଡ଼ିବ-? ସମାଜ କ’ଣ ସ୍ୱୀକାର କରିବ ତା’ର ଦର୍ଶନ, ତା’ର ଉକ୍ତି !

 

ପୁଣି ଚନ୍ତାର ଗତିପଥ ବଦଳାଇ ନେଲା ଦୀପାନ୍ୱିତା ।

 

ସମାଜ ଗ୍ରହଣ ନକରୁ ତା’ର ଦର୍ଶନ, ଉକ୍ତି । ପ୍ରତ୍ୟେକଙ୍କ ଦର୍ଶନ ଉକ୍ତି ଉପରେ ସ୍ଵତନ୍ତ୍ରତା ଅଛି । ସେମିତି ତା’ ଦର୍ଶନ ଉକ୍ତି ଭିତରେ କିଛିଟା ଅଛି । ସମାଜ କ’ଣ ସବୁ ସ୍ଵାତନ୍ତ୍ର୍ୟକୁ ଗ୍ରହଣ କରିବ ? କେହି ତା’ ମତବାଦ ଗ୍ରହଣ ନ କଲେ ବୋଲି ମତବାଦ ଯେ ଉଦ୍ଭଟ ଆଉ ଭ୍ରମ ଏହା ଚିନ୍ତା କରି ସେ ନିଜର ସବଳ ମନକୁ ଦୁର୍ବଳ କରିବା ଉଚିତ ନୁହେଁ ।

 

ଅନ୍ୟର କଟୁଉକ୍ତି ସମାଲୋଚନାକୁ ମୂଲ୍ୟବାନ ଉପଦେଶ ମନେକରି ଗ୍ରହଣ କରିବା ଅନ୍ୟ ପକ୍ଷରେ ସମ୍ଭବ ହେବା ବିଧେୟ କିନ୍ତୁ ଦୀପାନ୍ୱିତା ପକ୍ଷରେ ନୁହେଁ । କାରଣ ଦୀପାନ୍ୱିତାର ଚିନ୍ତାଧାରା ସାଧାରଣ ଚିନ୍ତାଧାରା ଠାରୁ ନିଶ୍ଚିତ ଊର୍ଦ୍ଧ୍ୱରେ । ଅଚିନ୍ତନୀୟ ଶୀର୍ଷରେ ।

 

ଆକାଶର ଶୁଭ୍ର ବାଦଲର ସୂକ୍ଷ୍ମ ପରଦା ଉପରେ ଜହ୍ନଟା ଦୋହଲି ଦୋହଲି ଯାଉ ଯାଉ ଅକସ୍ମାତ୍ ମେଘ ଭିତରେ ପଶିଗଲା । ଗଭୀର ଅନ୍ଧକାରରେ ଛାଇ ଗଲା ପୃଥିବୀ । ସେଇ ଅନ୍ଧକାରର ନିବିଡ଼ତା ମଧ୍ୟରେ ନିଜକୁ ଅନୁଭବ କଲା ଦୀପାନ୍ୱିତା । ନିଠୋଳ ସ୍ଵାସ୍ଥ୍ୟ, ସୁଠାମ ଶରୀରଟି ତା’ର ଯେମିତି ଏଇ କେତେ ଦିନ ଭିତରେ ଭୀଷଣ କ୍ଳାନ୍ତ, ଶ୍ରାନ୍ତ, ଅବସନ୍ନ ଆଉ ଦୁର୍ବଳ ହୋଇ ପଡ଼ିଛି । ଯୌବନତାର ହଜି ଯାଇଛି ବାର୍ଦ୍ଧକ୍ୟ ଆଉ ଜରାଜୀର୍ଣ୍ଣତାର କବର ଭିତରେ । ସ୍ମୃତିର ପାଖୁଡ଼ାତଳୁ ଝରା ସ୍ଵପ୍ନର ସୁରଭି ମହମହ ବାସୁଛି କସ୍ତୁରୀ ଚନ୍ଦନ ଭଳି । ସ୍ମୃତି କ’ଣ ଜୀବନ୍ତ-? ସ୍ଵପ୍ନ କ’ଣ ସତ୍ୟ ? କଳ୍ପନା କ’ଣ ବାସ୍ତବ ହୋଇପାରେ ? କେବେ ନୁହେଁ । ଏଇ ଦିନ କେତେ ଧରି ସେ ଯାହା ଅନୁଭବ କରିଥିଲା, ତା’ କେବଳ ସ୍ଵପ୍ନ ଆଉ କଳ୍ପନା । କାହା କୋମଳ ହାତର ସ୍ପର୍ଶରେ ତା’ ତନୁର ଜଡ଼ତା ଯେଉଁ ଭାଙ୍ଗିଥିଲା ବୋଲି ସେ ଅନୁଭବ କେବଳ ଗଳ୍ପ, ଉପନ୍ୟାସର କପୋଳକଳ୍ପିତ କଥାବସ୍ତୁ । କାହାଣୀ ଭିତରେ ଆଲୁଅ ଥାଏ । ଅନ୍ଧାରବି । ହସ ଥାଏ-। ଲୁହବି-। ସେମିତି ତା’ କାହାଣୀ ଭିତରେ କିଛି ହସ ଥିଲା । କିଛି ଲୁହବି ଥିଲା । ତା’ର ଜୀବନ କାହାଣୀରେ ଉପନ୍ୟାସ ଆଉ ଚଳଚ୍ଚିତ୍ରର ବିଷୟବସ୍ତୁ ପରି କିଛି ସତ ଆଉ କିଛି ଅବାସ୍ତବତାବି ଥିଲା । ସେ କପୋଳକଳ୍ପିତ କଥାବସ୍ତୁ ପାଇଁ ସେ ଏତେ ଉନ୍ମନା ହୋଇ ପଡ଼ିଛି ! କେତେଟା ମନଗଢ଼ା ଚରିତ୍ରର ଦୁଃଖ, ଲୁହପାଇଁ ସେ ଏତେ ଉଦ୍‌‌ବିଗ୍ନ, ପ୍ରାଣହୀନ ହୋଇ ପଡ଼ୁଛି ! କଳ୍ପନାର ମଣିଷ କେତୁଟା-ପାଇଁ ନିଜ ଭିତରେ ସେ ଏପରି ବ୍ୟାକୁଳତାର ଝଡ଼ ମୁଖରିତ କରୁଛି !

 

ଦୀପାନ୍ୱିତାର ଓଠ ହସରେ ଅତି ନୀରବ, ଉଦାସ ଢେଉଟିଏ ଛୋଟ ପବନ ହାବୁକାଏ ପରି କ୍ଷଣକପାଇଁ ଆସି କୁଆଡ଼େ ମିଳାଇଗଲା ।

 

ଦୃଷ୍ଟି ନଦୀରେ ଦୁଶ୍ଚିନ୍ତାର ଅଜସ୍ର ଭଉଁରୀ ଖେଳୁଛି ତା’ର । ଏତେ ଚେଷ୍ଟା କରିବି ନିଜକୁ କ’ଣ ବୁଝିପାରିଛି ଦୀପାନ୍ୱିତା ? ବାରମ୍ବାର କରି ନିଜ ଜୀବନ ପୃଷ୍ଠାକୁ ପଢ଼ିଛି ସେ । କିନ୍ତୁ ବେଳକୁ ବେଳ ଅଧିକ ରହସ୍ୟମୟ, ଅବୋଧ୍ୟ ହୋଇ ଯାଇଛି ତା’ର ଜୀବନ ଉପନ୍ୟାସ । ବେଳକୁ ବେଳ ଭୀଷଣ ଭାରାକ୍ରାନ୍ତ, ଦୁର୍ବିସହ ହୋଇ ଯାଇଛି ତା’ର କଥାବସ୍ତୁର–ପ୍ରତ୍ୟେକ ଅକ୍ଷର । ପ୍ରତ୍ୟେକ ଚରିତ୍ର ଅଶ୍ରୁସିକ୍ତ, ଉତ୍ପୀଡ଼ିତ, ନିର୍ଯାତିତ ହୋଇ ଯାଇଛନ୍ତି !

 

ଦୀପାନ୍ୱିତା ମନେ କଲା, ଅସମୟରେ ସେ ଏ’ କଥାଗୁଡ଼ାକ ଆଉ ଭାବି ବସୁଛି କାହିଁକି-? କି’ଲାଭ ତା’ର ଏ’ ପ୍ରବଣତାରେ ? କି’ ଆବଶ୍ୟକ ତା’ର ଏ’ ଅନାବଶ୍ୟକ ଚିନ୍ତାରେ-? ସେ ଅନେକ ଦିନ ହେଲା ବାସ୍ତବ ସଂସାରକୁ ଫେରି ଆସିଛି । ଫେରି ଆସିଛି’ ଏ’ ଉଦ୍ଭଟ କଳ୍ପନା ଆଉ ପ୍ରବଣତା ଭିତରୁ । ତାକୁ ସଂସାର ଗଢ଼ିବାକୁ ହେବ । ବାସ୍ତବ ଜଗତରେ ତାକୁ ଉପଯୁକ୍ତା ଗୃହିଣୀ ସାଜି ବାଟ ଚାଲିବାକୁ ପଡ଼ିବ । ସେ ତା’ ସ୍ଵପ୍ନ ଭିତରେ ନିଜେ ବଞ୍ଚିବ । ନିଜକୁ ଠିଆକରି ଶିଖେଇବ-। ତା’ ଆଭିଜାତ୍ୟ, ତା’ ବୁନିଆଦର ଜୀର୍ଣ୍ଣ ମଥାକୁ ଉନ୍ନତ କରି ତୋଳିବ, କିନ୍ତୁ କଳାର ପ୍ରାଚୁର୍ଯ୍ୟ ଭିତରେ ଶୋଇ ନିଜକୁ ଦଗ୍ଧୀଭୂତ କରି ଆପଣାର ସ୍ଵପ୍ନକୁ ଅନ୍ୟକୁ ଦାନକରି ସେ ତିଳତିଳ ହୋଇ ମରିବ କାହିଁକି ? କିନ୍ତୁ–

 

ଶଙ୍କିଗଲା ଦୀପାନ୍ୱିତା ଦିନେ ତ ଶପଥ କରିଥିଲା ସେ ବଞ୍ଚିବ ତ କଳାର ପ୍ରାଚୁର୍ଯ୍ୟ ଲାଗି-। ମରିବ ତ ସାଧନାର ବିକାଶଲାଗି ରୁକ୍ଷ ଦୁଇ ହାତର ଉଷ୍ମତା ଭିତରେ ସେ ଦିନ ଦୀପାନ୍ୱିତାର କୋମଳ ପାପୁଲି ଦୁଇଟି ଝାଳେଇ ଆସିଥିଲା କେଉଁ ନବ ଆଗନ୍ତୁକର ପ୍ରଥମ ସ୍ପର୍ଶରେ-। ଓଠ ତଳେ ଅସ୍ତଗାମୀ ଅରୁଣର ରକ୍ତରାଗ । ମୁହଁରେ ପାରିଜାତ ଫୁଲର ବହୁ ହସକଳି-। ବିବିଧ ବର୍ଣ୍ଣାବଳୀର ଶୋଭାରାଶି ସମସ୍ତ ମୁଖମଣ୍ଡଳରେ ବିକିରଣ ହୋଇ ଉଠିଥିଲା ।

 

ଶିଳ୍ପୀ ବିକାଶ କୌତୁହଳତାର ସହିତ ଉଷ୍ମ ଦୁଇହାତରେ ଦୀପାନ୍ୱିତାର ଓଠକୁ ଚାପି ଧରି କହିଥିଲେ, ଦୀପାନ୍ୱିତା, ମରିବାକଥା ମୋ’ ବଞ୍ଚିବା ଭିତରେ ମୋ’ ଆଗରେ ଆଉ କେବେହେଲେ କହିବ ନାହିଁ, ଏତିକି ମୋର ପ୍ରାଣର ଅନୁରୋଧ, ଆଉ ଏ' ଅନୁରୋଧ କେବଳ ଏ’ ଜନ୍ମପାଇଁ ନୁହେଁ, ଜନ୍ମ ଜନ୍ମ ପାଇଁ । ଆଉ ଯଦି କହିବ, ତେବେ ବଞ୍ଚିବା ଲାଗି କହିବ, ଯଦି ବଞ୍ଚିବ, ତେବେ ସାଧନାର ବିକାଶ ଲାଗି ନା ବିକାଶର ସାଧନ ଲାଗି ?

 

ଅପ୍ରତିଭ ହୋଇଥିଲା ଦୀପାନ୍ୱିତା । ଈଷତ୍ ହସର କ୍ଷୁଦ୍ର ଢେଉଟିଏ ଖେଳେଇ ଅତି ନମ୍ର ସ୍ୱରରେ କହିଥିଲା ବିକାଶବାବୁ । ଆପଣଙ୍କ ଭାଷାରେ ମୁଁ ପ୍ରଥମେ ବଞ୍ଚିଛି ବିକାଶର ସାଧନା ଲାଗି ଆଉ ପରେ ସାଧନାର ବିକାଶ ଲାଗି । ମୋ’ ସାଧନାର ବିକାଶ ଓ ଆପଣ ନିଜେ, ଏ କଥା କ’ଣ ଆପଣ ବୁଝି ନାହାଁନ୍ତି ? ପୁଣି ବୁଝାଇବାକୁ ପଡ଼ିବ ଆପଣଙ୍କୁ ?

 

ରୋମାଣ୍ଟିକ୍ ଚାହାଣି ଖେଳାଇ ବିକାଶ ଦୀପାନ୍ୱିତାର କମଳା ରଙ୍ଗର ଗଣ୍ଡ ଦେଶରେ ଆଙ୍କି ଦେଇଥିଲେ ଅଜସ୍ର ଚୁମ୍ବନ । ସେ ଚୁମ୍ବନ ପ୍ରଣୟର ନୁହେଁ, ପ୍ରେମର ନୁହେଁ, ବ୍ୟାକୁଳତାର ନୁହେଁ, ବଦ୍‌ଲିପ୍ସାର ନୁହେଁ, କୌଣସି କାମନା ଚରିତାର୍ଥର ନୁହେଁ । ସେ ଚୁମ୍ବନ ଅନେକ ହତାଶାର, କାରୁଣ୍ୟର, ବିଳାପର, ହୃଦୟ ପ୍ରାଣର ସ୍ଥିତ ଓ ଲୟର । ଆଜି ସେ ଚୁମ୍ବନ ସ୍ମୃତି-କେବଳ ସ୍ମୃତି । ମନେପକାଇ ଶିହରି ଉଠେ ଦୀପାନ୍ୱିତା । କିନ୍ତୁ ଇଚ୍ଛା କଲେ ସେ ଚୁମ୍ବନ ତ ଜନ୍ମ ଜନ୍ମ ପାଇଁ ଧରି ରଖିପାରନ୍ତା ତା’ ପାଖରେ ? ତେବେ ସେ କାହିଁକି ପାରୁନାହିଁ ? କାହିଁକି ସେ ନିଜ ଇଚ୍ଛା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଛି ? ନା, ସେ କରିବ । ତା’ ବ୍ୟତୀତ ସେ ତା’ର ଅନ୍ୟୋପାୟନାହିଁ ।

 

ମଣିଷର ମନ ଆଉ ବିବେକ ଦୁଇଟି ଶକ୍ତି ! ସେ ଶକ୍ତିର ଦୁଇଧାରା ନଦୀର ଉପନଦୀ ଭଳି ଚେତନା, ଅବଚେତନା, ଅନେକ ସମୟରେ ମନ ଯେଉଁ କାର୍ଯ୍ୟ କରେ, ବିବେକ ତାକୁ ବାଧା ଦିଏ । ଆଉ ଅନେକ ସମୟରେ ବିବେକ ଯେଉଁ କାର୍ଯ୍ୟକରେ, ମନ ତା’ର ପ୍ରତିବନ୍ଧକ ହୁଏ; ସେ କାର୍ଯ୍ୟ ଉଚିତ ବା ଅନୁଚିତ ଯାହାହେଉ । ମଣିଷର ମାନବ ଓ ବିବେକ ଚେତନା ସହ ସବୁବେଳେ ସଂଶ୍ଳିଷ୍ଟ ଥାଆନ୍ତି । ଆଉ ଅବଚେତନା ମନ ଓ ହୃଦର ଅଭ୍ୟନ୍ତରରେ ଲୁକ୍କାୟିତ ଥାଏ । ଆବଶ୍ୟକବେଳେ ଅବଚେତନ ଅନେକ ପରିସ୍ଥିତିରେ ନୀରବୋକ୍ତି ସ୍ଵୀକାର କରେ । ଆଉ ଅନେକ ପରିସ୍ଥିତିରେ ମନ ବିବେକ ଚେତନା ସମସ୍ତଙ୍କ ବିରୁଦ୍ଧରେ ତୀବ୍ର ସ୍ୱର ଉତ୍ତୋଳନ କରେ । ଏ’ ପରିସ୍ଥିତିରେ ଦୀପାନ୍ୱିତାର ନୀରବୋକ୍ତି ସ୍ଵୀକାର ଛଡ଼ା କାହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାର ଉପାୟ ନାହିଁ ।

 

ଅଲରା ବାଳକୁ ସଜାଡ଼ି ଦେଉ ଦେଉ ଦି’ ଟୋପା ଲୁହଧାରା ଗଣ୍ଡ ଦେଶର ଅସମତଳ ପ୍ରଦେଶରେ ଏକହୋଇ ମିଶି ଯାଉଥିଲେ ।

 

ବେଦନାନ୍ତ ଅତୀତ ଭିତରୁ ଆପଣାର ସ୍ମୃତିକୁ କାଣିଚାଏ କରଜ ମାଗି ଆଣିଲା ଭଳି ଦୀପାନ୍ୱିତା ଓଟାରି ଆଣୁଥିଲା ତା’ର ସ୍ମୃତିକୁ ବହୁ ବର୍ଷତଳର ନିବିଡ଼ ଅନ୍ଧାର ଭିତରକୁ ପ୍ରବେଶ କରି-। ଆଖିର ସୂକ୍ଷ୍ମ ମାନଚିତ୍ର ଉପରେ କେହି ଯେମିତି ଅନେକ ବର୍ଷ ତଳେ ସ୍ମାରକୀ ସ୍ଥାନର ଚିହ୍ନଗୁଡ଼ିକ ଆଙ୍କି ଦେଇଥିଲା ଆଉ କାଳର କରାଳ ଗତିଚକ୍ର ତଳେ ସେ ଚିହ୍ନଗୁଡ଼ିକ ଲିଭିଯାଇଛି । ଦିଶୁଛି କେବଳ ତା’ର ଅସ୍ପଷ୍ଟତାର ଛାଇ । ଭଲ ଭାବରେ ସ୍ମରଣ କରି ପାରୁନାହିଁ ଦୀପାନ୍ୱିତା-। ପାଠଶାଳାର ସିଲଟରେ ଯେଉଁ ମା’ ଘର ଲେଖିଥିଲା, ସେ ନିଭିଯାଇଛି ସେ ଖଡ଼ି, ସେ ସିଲଟ ନାହିଁ-। ସେ ପାଠଶାଳାବି ନାହିଁ । ସେମିତି ଯୋଉ ମା’ ଘର ଲେଖିଥିଲା, ସେ ମା’ ବି ନାହାଁନ୍ତି-। ଘରବି ନାହିଁ । ପାଠଶାଳା କେବଳ ମନର ଉପକୂଳରେ ସ୍ମୃତି ରୂପରେ ଠିଆ ହୋଇଛି । ଆତ୍ମପ୍ରକାଶ କରାଉଛି ତା’ର ପୂର୍ବ ଚିହ୍ନ, ପୂର୍ବ ସ୍ମୃତି । ସ୍ମୃତି କ’ଣ କେବେ ମରିପାରେ ? ନା ସ୍ମୃତି ସବୁବେଳେ ଅକ୍ଷୟ ଆଉ ଅବିସ୍ମରଣୀ । ବାଲ୍ୟ ଅବସ୍ଥାରେ ସେ ଯେଉଁ ରବର ଓ ମାଟିର କଣ୍ଢେଇ ଧରି ଖେଳୁଥିଲା ମନେକରୁଥିଲା ଏ’ ପୃଥିବୀଟାବି କେବଳ ମାଟିର କଣ୍ଢେଇ ସେଦିନ ତା’ର ହଜିଯାଇଛି-। ତା' ଭିତରୁ ଅନେକ କଣ୍ଢେଇ ଭାଙ୍ଗିରୁଜି ଗଲାଣି । ଆଉ ଯୋଉ କଣ୍ଢେଇଗୁଡ଼ିକ କାନ୍ଥ ଆଲମିରାର କାଚ ଭିତରେ ନିବନ୍ଧ ହୋଇ ରହିଛନ୍ତି । ସେ ସବୁଦିନ ପାଇଁ ନିଶ୍ଚଳ ହୋଇ ପଡ଼ିଛନ୍ତି-। ବର୍ଷ ବର୍ଷ ଧରି ମାଟି, ସିମେଣ୍ଟର ଖେଳ ପଡ଼ିଆ ଉପରେ ଫୁଟବଲ ଭଳି ଗଡ଼ି ଗଡ଼ି କ୍ଳାନ୍ତ ଶ୍ରାନ୍ତ ହୋଇ ସେମାନେ ଲୋଡ଼ିଛନ୍ତି ଆଜି ବିଶ୍ରାମ ।

 

ଜୀବନର ମଧ୍ୟାହ୍ନ ବେଳ ଅତିକ୍ରମ ହୋଇଛି । ଆସିଛି ଅପରାହ୍ନର ବାର୍ଦ୍ଧକ୍ୟ । ଅସ୍ଥିରତା ବୋଧକଲା ଦୀପାନ୍ୱିତା ସତରେ କ’ଣ ତା’ ଜୀବନ ମଧ୍ୟାହ୍ନର ବେଳ ଗଡ଼ିଯାଇଛି ? ଅପରାହ୍ନର ବାର୍ଦ୍ଧକ୍ୟରେ ସେ ପୂରାପୂରି ଉପନୀତା ହେଲାଣି ? ନା ବୟସର ବାର୍ଦ୍ଧକ୍ୟ ଆସିନାହିଁ । ମନର ବାର୍ଦ୍ଧକ୍ୟ ଆସିଯାଇଛି କେବଳ !

 

ଦ୍ୱନ୍ଦ୍ୱର ଜୁଆର ଭଟ୍ଟା ଭିତରେ ଭାସମାନ ଝରା ପତ୍ରଟିଏ ପରି ଏପାଖ ସେପାଖ ହେଉଥିଲା ଦୀପାନ୍ୱିତା । ଭାସି ଭାସି ଅନେକ ଦୁରନ୍ତ ପଥ ଅତିକ୍ରମ କରିଛି ହେଲେ କିନାରା ପାଇନାହିଁ ! ସାରା ଜୀବନ କ’ଣ କିନାରା ପାଇବନି ?

 

ଚଳନ୍ତି ଭାସମାନ ବାଦଲ କେତେ ଖଣ୍ଡ ଆକାଶ ଛାତିରେ ବେଶ୍ ପ୍ରତିଯୋଗିତା କରି ଚାଲି ଯାଇଛନ୍ତି ଜହ୍ନର ସାନ୍ନିଧ୍ୟ ଲାଭ କରିବାକୁ ।

 

ଦୀପାନ୍ୱିତା ମନେ କଲା ଆକାଶର ଟେଲିଭିଜନ ଉପରେ ଚିତ୍ର ଦେଖୁଛି ସେ ।

 

ପୃଥିବୀର ଯେତେ ସ୍ଥିତି, ସ୍ଥାୟୀତ୍ୱ ସବୁ କ’ଣ କେବଳ ଏଇଥିଲାଗି ? ପାର୍ଥିବ ଅଭିଳାଷର ସମସ୍ତ କେନ୍ଦ୍ରସ୍ଥଳରେ କ’ଣ କେବଳ ପ୍ରେମ ପ୍ରଣୟ ଅଭିହିତ ? ଆଉକିଛି ନାହିଁ ? ସୃଷ୍ଟିର ସମସ୍ତ ଅବାସ୍ତବ ଅନୁଚିନ୍ତା ତଟିନୀର ସୁଅ ଭଳି ବହିଆସି ପରେ ଶେଷରେ ଏଇ ଅସଦିଚ୍ଛା, ଅସତ୍ କାମନାର ସାଗରରେ ସମାପ୍ତ ହୋଇଛି ? ଅନ୍ତରର ସମସ୍ତ ଆନ୍ତରିକତା, ହୃଦୟର ସମସ୍ତ ହାର୍ଦ୍ଦିକତା କ’ଣ ଏଇ ଅସତ୍‌ଚିନ୍ତାର ମହାସମୁଦ୍ରରେ ବିଲୁପ୍ତ ହୋଇଛି ? ପ୍ରତି ପୁରୁଷର ପୌରୁଷ, ପ୍ରତି ନାରୀର ନାରୀତ୍ୱ କ’ଣ ଏଥିଲାଗି ସାର୍ଥକ ହୋଇଛି ? ନା, ଦୁନିଆକୁ ସେ ଦେଖାଇ ଦେବ ସେ ବିବାହରେ ନାରୀର ନାରୀତ୍ୱର ସାର୍ଥକ ଲିଭେନି । ସଂସାର ଗଢ଼ିବାରେ ଖାଲି ଆତ୍ମତୃପ୍ତି ଆତ୍ମ ସନ୍ତୋଷ ଛଡ଼ା କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ବିଶେଷତ୍ଵ ନ ଥାଏ । ଯାହାକି ପାର୍ଥିବ ମଣିଷର ଗୁରୁଚିନ୍ତା ଆକାରରେ ଏକ ବଡ଼ ସ୍ଥାନ ଆବୋରି ବସିଛି ।

 

ସଚେତ ହେଲା ଦୀପାନ୍ୱିତା ଘର କାନ୍ଥ ଘଡ଼ିର ସମସ୍ତ ନିର୍ଦ୍ଧାରଣ ସଂକେତରେ । ରାତି ଦୁଇଟା ବାଜିଲା । ଉଠିବାକୁ ଇଚ୍ଛାଥିଲେବି ଭାବିବାର କାହାଣୀ ବାକି ରହିଯାଉଛି ବହୁତ । ଦିନର ଆଲୁଅରେ ବାସ୍ତବତା ଛଡ଼ା କଳ୍ପନା ନଥାଏ । କାର୍ଯ୍ୟବ୍ୟସ୍ତତା, କର୍ମ ମୁଖରତା ଭିତରେ ଦୀପାନ୍ୱିତା ଭୁଲିଯାଏ ତା’ର ବେଦନାସିକ୍ତ ଜୀବନର ମର୍ମନ୍ତୁଦ ଉପନ୍ୟାସ, ସେ ଚିନ୍ତା କରି ପାରେନି, ସେ ନିଜେ କ’ଣ ଏଇ ଦୀପାନ୍ୱିତା, ଯିଏ ରାତିର ଅନ୍ଧାର ଭିତରେ ଏତେ ଅଶ୍ରୁର ଝରଣା ସୃଷ୍ଟିକରେ ? ରାତିରାତି ଉଜାଗର ରହି ରଜନୀ ଓ ଅନ୍ଧକାରକୁ ବିନିଦ୍ର ରଖାଇ ସିକ୍ତ କରି ପଳାଏ ତା’ର ଲୁହର ଜଳରେ ? ପୁଣି ପାହାନ୍ତିର ଅଶ୍ରୁସିକ୍ତ ଶିଶିର ବିନ୍ଦୁ ସୂର୍ଯ୍ୟର ଆଲୋକରେ ଝଲମଲ ହୋଇ ଉଠେ ରାତ୍ରିର ସମସ୍ତ ବେଦନାକୁ ବିସ୍ମରଣ କରି ?

 

ପୃଥିବୀର ଗଛଲତା, ସବୁଜ କ୍ଷେତ, ଶ୍ୟାମଳ କେଦାର, ବନପ୍ରାନ୍ତର ଏଇ ଲୁହରେ ଝଲସି ଉଠନ୍ତି, ଆଗାମୀ ପ୍ରଭାତରେ ସୂର୍ଯ୍ୟକୁ ସ୍ଵାଗତ କରନ୍ତି ଏବଂ ତା’ର ରଶ୍ମିଦାନର ପ୍ରତିଫଳନରେ ପ୍ରତିଫଳିତ ହୋଇ ମୁକ୍ତାର ହସ ପ୍ରତିଦାନ ଦିଅନ୍ତି ସୂର୍ଯ୍ୟକୁ–ଠିକ୍ ଦୀପାନ୍ୱିତା ତା’ ଭଳି ।

 

ଦୀପାନ୍ୱିତା ରାତିରେ କାନ୍ଦେ । ଦିନରେ ହସେ । ଦିନର ହସ ସମସ୍ତେ ଦେଖନ୍ତି । ବହୁ ଅଭିମତ ବାଢ଼ନ୍ତି । ତା’ର ଜୀବନ ଉପନ୍ୟାସର ଅନେକ ମୁଖବନ୍ଧ ଲେଖନ୍ତି । ଦୀପାନ୍ୱିତା ଅସତ୍‍ଚରିତ୍ରା, କଳଙ୍କିତା, ବୃନ୍ତଚ୍ୟୁତା ଏମିତି ଅନେକ ଅନେକ । ଏତେ ବଡ଼ ଆଭିଜାତ୍ୟ ପରିବାର ଭିତରେ ଜନ୍ମ ହୋଇ କେମିତି ଏମିତି ହୋଇ ପାରିଲା ଝିଅଟା ? ବଂଶର ସୁନାମ ପରିବର୍ତ୍ତେ ଦୁର୍ନାମ ବଢ଼େଇ ଦେଲା । ଛି, ଛି କୁଳର କଳଙ୍କଟାଏ ।

 

କଲେଜରେ ଅନେକ ଗୁଜବ ଉଠେ ତା’ର ପରୋକ୍ଷରେ । ଦୀପାନ୍ୱିତା ଗତ ରାତିରେ ଅମୁକ ସ୍ଥାନରେ ଏମିତି ଠିଆ ହୋଇଥିଲା । ସମୁକ ସ୍ଥାନରେ ଅଙ୍ଗଭଙ୍ଗୀ ଚାଳନା କରୁଥିଲା । ଏମିତି କୋଟି ମନ୍ତବ୍ୟ, ଶୁଣି ଶୁଣି ବଧିର ହୋଇଛି । ଜଡ଼ ପାଲଟି ଯାଇଛି । ଗୋଟିଏ ଖାନ୍‍ଦାନୀ ଘରର ଝିଅ; ପୁଣି ଜଣେ ଅଧ୍ୟାପିକା ଏମିତି ବୃତ୍ତି କେବେ କରିପାରେ, କାହାରହିଁ ଧାରଣା ନଥିଲା ।

 

କେତେ ଦିନ ତଳେ ସନ୍ଧ୍ୟାରେ କଲେଜ ପ୍ରାଙ୍ଗଣ ଦେଇ ଦୀପାନ୍ୱିତା ଆସୁଥିବାବେଳେ କେତେକ ସହକର୍ମୀଙ୍କ ଆଲୋଚନା କାନରେ ବାଜିଥିଲା ତା’ର ଦୀପାନ୍ୱିତାକୁ ଦେଖି କିଛିକ୍ଷଣବି ନୀରବ ହୋଇ ଯାଇଥିଲେ ସେମାନେ ।

 

କଥାଗୁଡ଼ାକ ମନତଳେ ତା’ର ବିଦ୍ଧ ହେଲେବି ନୀରବରେ ସହି ଯାଇଥିଲା ସେ । କାରଣ ପ୍ରତିବାଦରେ ସମାଲୋଚକମାନେ ଆହୁରି ଭୀଷଣ ଆଉ ଭୟଙ୍କର ହୋଇ ଉଠିବେ । କାହା ମୁହଁରେ କହିବା ଲାଗିତ ବାଡ଼ବତା ବୁଜି ହେବନି । ତେଣୁ ଆକ୍ଷେପ ଉକ୍ତିକୁ ନୀରବରେ ସହିଯିବା ଛଡ଼ା ପ୍ରତିବାଦ କରି ବଢ଼େଇ ଥାଆନ୍ତା କାହିଁକି ?

 

ମୁହଁ ତଳକୁ କରି କ୍ଷିପ୍ରଗତିରେ ପ୍ରାଙ୍ଗଣ ଅତିକ୍ରମ କରିଥିଲା ସେ ।

 

ଈଶ୍ଵର ସବୁ ମଣିଷକୁ ଜନ୍ମ ଦେଇଛନ୍ତି ଆଉ ପାର୍ଥକ୍ୟବି ଦେଇଛନ୍ତି ଅନେକ ପ୍ରକାରର । ଯୋଉ ପାର୍ଥକ୍ୟ ଅନୁସାରେ କି ସୃଷ୍ଟି ଚଳୁଚି । ବୈଚିତ୍ର୍ୟ, ନୂତନତା ପ୍ରକାଶ ପାଉଛି । ସେ ବୈଚିତ୍ର୍ୟ, ସେ ନୂତନତା ଅନୁଯାୟୀ ସଂସାର କ୍ଷଣକ୍ଷଣକେ ବଦଳି ଯାଉଛି । ଭଲରେ ଆଉ ମନ୍ଦରେ ।

 

ଯେଉଁ ସହକର୍ମିଣୀମାନେ ଗାଁର ପ୍ରାଣରୁ ଅଧିକ କରି ତାକୁ ଦେଖୁଥିଲେ । ସେମାନେ ତାକୁ ଘୃଣା କରୁଛନ୍ତି । ଅବମାନନା କରୁଛନ୍ତି । ଲାଞ୍ଛନା ଦେଉଛନ୍ତି କାହିଁକି ? ତା’ ପ୍ରତ୍ୟୁତ୍ତରବି ସେ ନିଜେ ବୁଝିଛି ଆଉ ଜାଣିଛି । କାହିଁକି କାହାକୁ ଅଯଥାରେ ସେ ଦୋଷ ଦେବ ଏଥିଲାଗି ! ସେ ଅନୁଭବ କରିଛି ଯେ ଏ’ ସଂସାରର ପ୍ରତ୍ୟେକ ପ୍ରତ୍ୟେକର ବାହ୍ୟ ଆବରଣକୁ ଦେଖନ୍ତି; ଅନ୍ତଃଆବରଣକୁ ନୁହେଁ । ଅନ୍ତରର ଅଭିବ୍ୟକ୍ତି, ମନର ଇଚ୍ଛା, ବିବେକକୁ ଅନୁଧ୍ୟାନ କରିବା ମଣିଷ ଏ’ ସଂସାରରେ କ୍ୱଚିତ୍ ।

 

ଏ’ କାମାନ୍ଧ ସଂସାର ଚାହେଁ ଆପଣାର ମୁଖ, ଅଭିଳାଷ, ସ୍ୱାର୍ଥ ଆଉ କାମନାର ପୂର୍ଣ୍ଣାଙ୍ଗ ସିଦ୍ଧି । ଉପଲବ୍ଧି କରେ ବିଳାସ, କାମନା ଓ ସମ୍ଭୋଗ । ଏ’ ସଂସାର ଚାହେଁନି କେହି କାନ୍ଦୁ, ତା’ର ଲୁହ ପୋଛି ଦେବ ! କେହି ବେଦନା ସିକ୍ତ ହେଉ । ସମବେଦନା ଜଣେଇବ ! ଜଗତ ଚାହେଁନି ଲୁହର ସାଗର । ଚାହେଁ ହସର ବେଳାଭୂମି । ସେମିତି ଏ’ ସଂସାର ତା’ ଜୀବନ ହସର ବେଳାଭୂମି ଉପରେ ଗୋଟିଏ କ୍ରୀଡ଼ାପ୍ରାନ୍ତର ତୋଳି ତାକୁ ଗୋଟିଏ କ୍ରୀଡ଼ାପୁତ୍ତଳିକା କରି ଖେଳି ଆସିଛି । ଖେଳିବାକୁ ଚାହୁଁଛିବି ସତରେ କ’ଣ ସେ ଏମିତି ବେଳାଭୂମି ପରି ମୂକ ଆଉ ନୀରବ ରହି କ୍ରୀଡ଼ାପୁତ୍ତଳିକା ଭାବରେ ସମସ୍ତଙ୍କ ହାତର ହୋଇ ଖେଳି ବସିବ ସବୁଦିନ ? ନା, ସେ ନାରୀତ୍ୱ ଚାହେଁନି । ସେ ସୁଖ ସମ୍ଭୋଗ ଚାହେଁନି, ପୂରାପୂରି ମନା କରିଦେବ ସେ ବିବାହ ଲାଗି । ସେ’ ତ ଆଜୀବନ ଦୁଃଖିନୀ, ଦୁଃଖପାଇଁ ତେବେ ତା’ର ଅନୁଶୋଚନା କାହିଁକି ? ସୁଖର ସେ ପୁଣି ଆଶା ଆଉ ସନ୍ଧାନ କରୁଛି କାହିଁକି ?

 

ବିକାଶର ଭାଷା କ’ଣ ଭୁଲିଗଲା, ବିଶ୍ଵକବିଙ୍କ ରୂପାୟିତ ମନର ଅଭିବ୍ୟକ୍ତି ? ଦୁଃଖେ ଯାଦେର୍ ଜୀବନ୍ ଗଢ଼ା, ତାଦେର୍ ଅବାରୁ ଦୁଃଖ୍ କି ?

 

ବିକାଶ ବିଦ୍ୟାଳୟ ବା ବିଶ୍ଵବିଦ୍ୟାଳୟର ପାର୍ଥିବ ଶିକ୍ଷା ହାସଲ କରିପାରି ନାହିଁ, ସତଐଶୀ ଆଶୀର୍ବାଦ ପ୍ରାପ୍ତ ସ୍ୱର୍ଗୀୟ ମହାବିଦ୍ୟାଳୟର ମହଶିକ୍ଷା ସେ ହାସଲ କରିଛି ।

 

ଅତୀତ ସ୍ମୃତି ମୁଖର ହେଲା । ଅଶ୍ରୁ ଛଳଛଳ ପୂର୍ବକ ଠିଆ ହେଲା ବିଗତର କଳ୍ପନା ତା’ର ଆଖି ଆଗରେ । ପ୍ରଥମ ଦିନର ପରିଚୟ ଆଉ ଦ୍ୱିତୀୟ ଦିନର ଆବେଗ ପୂର୍ଣ୍ଣ ପ୍ରଶ୍ନ ବିକାଶର କୋହରୁଦ୍ଧ କଣ୍ଠରେ । ଦୀପା, ତମର ପ୍ରାଣ ଏଡ଼େ ଅଶ୍ରୁଳ, ଯାହା ତମେ ସଙ୍ଗୀତ ଭଳି ଗାଇ ଯାଉଛ ମୋ’ ଆଗରେ ତମ ଜୀବନ କାବ୍ୟ ଭିତରେ ?

 

ଲୁହର ସମୁଦ୍ରରେ ଢେଉର ଝଡ଼ ସୃଷ୍ଟି ହୋଇଥିଲା ଦୀପାନ୍ୱିତାର । ବିକାଶର ପାଦ ଦୁଇଟିକୁ ଦୁଇ ହାତରେ ଜାବୁଡ଼ିଧରି କହିଥିଲା, ଐଶ୍ୱର୍ଯ୍ୟ ଓ ପ୍ରାଚୁର୍ଯ୍ୟ ଭିତରେ ଗଭୀର ଭାବରେ ବୁଡ଼ିରହି ଆତ୍ମତୃପ୍ତି ପାଇଲେ ତାକୁ ଶାନ୍ତି କୁହାଯାଏନି ସୁଖ କୁହାଯାଏନି । ତା’ର ନାମ ସମ୍ଭୋଗ ବୋଲି ବିବେଚିତ ହୁଏନି । ବିପୁଳ ଅର୍ଥ ଆଉ ପ୍ରାଚୁର୍ଯ୍ୟ ଅଛି ମୋର ବିକାଶବାବୁ, କିନ୍ତୁ ସୁଖ ନାହିଁ, ଶାନ୍ତି ନାହିଁ, ପରିତୃପ୍ତି ନାହିଁ । ଜୀବନରେ ପ୍ରଥମଥର କରି ପରିତୃପ୍ତିର ଭିକ ମୁଠାଏ ମାଗୁଛି । ଦେଇ ପାରିବେ ଆପଣ ? ଆଜୀବନ ଦୁଃଖିନୀର ଝୁଲି ଭରି ପାରିବେ କେତେ ମୁଠା ପ୍ରେମର ଚାଉଳରେ-? ମମତା, ସ୍ନେହର କେତେ ମୁଠା ତଣ୍ଡୁ ଦେଇ ଶୁଷ୍କ ଜୀବନକୁ ସିକ୍ତ କରି ପାରିବେ-? ଚମକି ଉଠିଲେ ବିକାଶ ।

 

କ’ଣ କହୁଛ ତମେ ଦୀପାନ୍ୱିତା ? ମୁଁ ସ୍ଵପ୍ନ ଦେଖୁନି ତ ? କଳାର ପ୍ରବଣତା ଭିତରେ ଭାସିଯାଇ ଚିନ୍ତା କରୁନି ତ ?

 

ଅବୁଝା ଅଝଟ ଛୁଆଟିଏ ଅଳି କରିବା କଣ୍ଠରେ ଖୁବ୍ ଅନୁନୟ ହୋଇ ଉତ୍ତର ଦେଲା ଦୀପା, ନା, ବିକାଶବାବୁ, ଆପଣ ସ୍ଵପ୍ନ ଦେଖୁ ନାହାଁନ୍ତି, ଦେଖୁଚି ମୁଁ ।

 

ଏ’ ମୋର ପ୍ରାଣର ସ୍ପଷ୍ଟ ଅଭିବ୍ୟକ୍ତି, ଅନ୍ତରର ନିଭୃତତମ ସଂଗୋପନ ପ୍ରଦେଶର କାଣିଚାଏ ଦରଦଭରା କାହାଣୀ ଇଏ । ଯାହାକି ଅନେକ ବର୍ଷ ହେଲା ଲୁହ, କୋହର ମିଶ୍ରିତ କାଳିରେ ମନର କଲମରେ ଲେଖି ରଖିଥିଲି । ଉପଯୁକ୍ତ ସୁବିଧା, ସୁଯୋଗର ଅଭାବରୁ ପ୍ରକାଶ କରି ପାରି ନଥିଲି । ଆଜି ସୁଯୋଗ ଆସିଛି । ପ୍ରାଣର କଳାକୁ ମୋର ଟିକିଏ ପ୍ରକାଶ କରାଇ ଆପଣାର କରି ଲୋକଚକ୍ଷୁକୁ ଆଣି ପାରିବେନି ବିକାଶବାବୁ ? ପ୍ରକାଶକ ହୋଇ ଲେଖିକାକୁ ଦୁଆରମୁହଁରୁ ଲେଉଟାଇ ଦେବେ ଖାଲି ହାତରେ ? ମନର ବ୍ୟଥାରେ ଆପଣ ଆହତ ହେବେନି ? ବେଦନାର ଆଲୋଡ଼ନ ସୃଷ୍ଟି ହେବନି ଆପଣଙ୍କ ପ୍ରାଣ ତଳେ ?

 

ଦୀପାର ଦୁଇହାତ ଧରି ଉଠେଇ ନେଇଥିଲେ ବିକାଶ । ଡାହାଣ ହାତର ବିଶିଆଙ୍ଗୁଠିରେ ଦୁଇ ଆଖିର ଲୁହଧାରକୁ ନିଭେଇ ଦେଇଥିଲେ ଅତି ସୂକ୍ଷ୍ମ ଭାବରେ । କହିଥିଲେ ଦୀପାନ୍ୱିତା, ଆଜି ରାତିକ ମତେ ଚିନ୍ତା କରିବାକୁ ଦିଅ । ଆଗାମୀ ସୂର୍ଯ୍ୟୋଦର ବର୍ଣ୍ଣ ବିଭବରେ ତମ ସୃଷ୍ଟିକୁ ବର୍ଣ୍ଣମୟ କରିବାକୁ ପ୍ରଚେଷ୍ଟା କରିବି ।

 

ମୁକ୍ତିସ୍ରୋତା ନଦୀକୂଳର ସେ ବାଲିର ପାହାଡ଼ ଏବେବି ସାକ୍ଷୀ ରହିଚି, ଯୋଉଥିରେ କି ତାଙ୍କ ଦୁଇ ଜୀବନର ଅଶ୍ରୁଳ ଇତିହାସ ସ୍ମୃତିର କାହାଣୀରେ ଲିପିବଦ୍ଧ । କିନ୍ତୁ କେତେ ପାର୍ଥକ୍ୟ ? ଆଜି ଆଉ କାଲି ! ଦୀପାନ୍ୱିତା ଗତକାଲି ଆତ୍ମହତ୍ୟା କରିଛି–ନିବିଡ଼ ଅନ୍ଧକାର ଭିତରେ ଜଣେ ପଳାୟନପନ୍ଥୀ ଆସାମୀ ପରି । ଆଉ ଆଜି ? ଆଜିହିଁ କେବଳ ତା’ର ଅନ୍ଧକାରର ସ୍ମୃତି । ଆତ୍ମହତ୍ୟାର ପୀଠରେ ସେ ଦଣ୍ଡାୟମାନ ହୋଇ ପ୍ରକମ୍ପିତ ସ୍ଵରରେ ଧ୍ୱନି ତୋଳୁଛି ହଜି ଯାଇଥିବା ବିଗତର ଅସ୍ପଷ୍ଟ ସ୍ୱର ଲିପିକୁ । ପଚାରୁଛି ଭବିଷ୍ୟତ କ’ଣ ? ଆତ୍ମା କ’ଣ ପୁନର୍ଜନ୍ମ ପାଏ ? ପୁନଶ୍ଚ ବଞ୍ଚିପାରେ ? ମଣିଷ ଜନ୍ମ ପାଇପାରେ ? ନା, କେବଳ ଆଶା ଆଉ ବିଶ୍ଵାସ । ତେବେ ଦୀପାନ୍ୱିତା ଏ’ ଆଶା, ବିଶ୍ଵାସର କେନ୍ଦ୍ରବିନ୍ଦୁ ଉପରେ ଠିଆ ହୋଇ କେତେ ଦିନ ଏମିତି ପ୍ରତୀକ୍ଷମାଣ ହୋଇ ଚାହିଁ ରହିବ ? କେତେ କାଳ ଏମିତି ଆକାଶର ଚନ୍ଦ୍ର, ସୂର୍ଯ୍ୟକୁ ଲକ୍ଷ୍ୟରଖି; ତାରା ଗଣି ଗଣି, ସମୁଦ୍ରର ଜୁଆର ଦେଖି ଦେଖି ଅସୀମ ପଥର ପଥିକାଟିଏ ପରି କେଉଁ ଅଭିପ୍ରାୟରେ ଦିଗ୍‌ବଳୟକୁ ଲକ୍ଷ୍ୟ କରି ଚାଲିବ ?

 

ଆଉ ବିକାଶ ! ଏକ ବିରାଟ ଆକାଂକ୍ଷା ଓ ପ୍ରତୀକ୍ଷାର ବିଦଗ୍ଧ ଅଗ୍ନିରେ ନିଜକୁ ନିଃଶେଷ କରି ଜାଳି ଦେବ ! ସଂସାର ବୁଝିବ ନାହିଁ ତା’ର ଏ’ ତ୍ୟାଗର ମୂଲ୍ୟ । କଳାର ଆଦର୍ଶବାଦ । କେବଳ ମତ ବାଢ଼ିବ, ପ୍ରେମ ବ୍ୟାକୁଳିତ ପ୍ରାଣ ନେଇ କଳାକାର ଜଣେ ଆତ୍ମହତ୍ୟା କଲା !

 

ଆଶା ତେଣୁ ଅବିଲୁପ୍ତପ୍ରାୟ । ଆଉ ବିଶ୍ୱାସ ?

 

ବିଦ୍ରୂପର ହସ ଫୁଟି ଉଠିଲା ଦୀପାର ଶୁଖିଲା ମୁହଁରେ । ଏ’ ସଂସାରରେ ବିଶ୍ୱାସ ବୋଲି କିଛି ଅଛି ? ଏ' ତା’ର ପ୍ରତ୍ୟୟର ବାହାରେ । ଆଗରୁ ହୁଏତ ବିଶ୍ଵାସ ଥିଲା ତା’ର । ସେଇ ବିଶ୍ଵାସର ଅମୃତ ମଧ୍ୟରୁ ଅବିଶ୍ଵାସ ବିଷର ସନ୍ଧାନ ପାଇ ବିଶ୍ଵାସଠାରୁ ଦୂରେଇ ଯାଇଛି ଆଜି । ସେ ନିଜେ ତ ଏକ ଅବିଶ୍ଵାସର ବିଷ ଭାଣ୍ଡ । ନଚେତ କ’ଣ ବିକାଶକୁ ଅବିଶ୍ଵାସର ବିଷ ପିଆଇ ପାରିଥାନ୍ତା ? ତେଣୁ ସେ ବିଶ୍ଵାସ କରିବ କାହାକୁ ବା କେମିତି ?

 

ଆଖିରେ ଲୁହ ଆଉ ଅନ୍ଧକାରର ଛାଇ । ଜହ୍ନଟା ଶୋଇଗଲାଣି ଅନେକ ବେଳୁ ବାଦଲର ପ୍ରଶସ୍ତ ଛାତି ଭିତରେ ମୁହଁ ଗୁଞ୍ଜି । ଅବଚେତନ ମନର ପ୍ରତି ବିନ୍ଦୁରେ ପ୍ରେମ, ପ୍ରଣୟ ସଦାସର୍ବଦା ଲୁକ୍କାୟିତ । ଆଉ ଚେତନଶୀଳ ମନରେ ତାହା ସବୁବେଳେ ଅପ୍ରକାଶ୍ୟ ସଂସାରର ପ୍ରତି ମଣିଷ, ପ୍ରତି ପ୍ରାଣୀ ଚାହେଁ ପ୍ରେମ ଆଉ ପ୍ରଣୟ । ମାତ୍ର ମଣିଷ ଲଜ୍ଜା କରେ । ଅନ୍ତରର ଗୋପନୀୟ ନଗ୍ନପୂର୍ଣ୍ଣ ଅଭିବ୍ୟକ୍ତି ବାଢ଼େ । କାହିଁକି ? ଏହା ଚେତନଶୀଳ ମନର ପ୍ରତିକ୍ରିୟା ବୋଲି । ମାତ୍ର ଏହା ସତ୍ୟ । ପ୍ରତି ପ୍ରାଣର ନିଭୃତତମ ପ୍ରଦେଶରେ ଏହା ଉଜ୍ଜୀବିତ, ଉହ୍ୟ ଥାଏ ।

 

ଦୀପାନ୍ୱିତାର ବାପା, ଭାଇ କ’ଣ ଏ କଥା ଜାଣି ନାହାନ୍ତି ? ପଢ଼ି ନାହାନ୍ତି ଦୀପାନ୍ୱିତା ମନର ସଂଗୁପ୍ତ କାହାଣୀ ? କେମିତି ଏ’ କଥା ସେ ବୁଝାଇବ ତା’ର ବାପା, ଭାଇଙ୍କୁ ? କେମିତି ବୁଝାଇବ ଯେ ଜଣକୁ ମନ, ପ୍ରାଣ ଦେଇ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରି ସାରିବା ପରେ ଅନ୍ୟ ଜଣଙ୍କୁ ସେ ବିବାହ କରିବ ! ବିବାହ କରି ତାଙ୍କୁ ବା କ’ଣ ଦେଇ ପରିତୃପ୍ତ କରାଇବ ?

 

ଶତାବ୍ଦୀର ଗତିମୁଖର ରଥଚକ ତଳେ ବଡ଼ ଦୀର୍ଘୟୀତା ରାଜରାସ୍ତାର ଇତିହାସ ଛପି ଯାଇଛି । ଛପି ଯାଇଛି ବହୁ ଅଲୋଡ଼ା, ଅଖୋଜା ଜୀବନର ଅର୍ଥଭରା ସ୍ମୃତି ।

 

କେହି ଲୋଡ଼ିନି, କେହି ଖୋଜିନି ସେ ଇତିହାସ । ଶତାବ୍ଦୀତାକୁ ପଛରେ ପକାଇ ଚାଲି ଯାଇଛି ବହୁଦୂର, ବହୁ ପଥ ଅତିକ୍ରମ କରି । ସୃଷ୍ଟିର ପ୍ରାରମ୍ଭରୁ ଆଜିଯାଏଁ କେତେ ଦୂର, କେତେ ପଥ ସେ ଅତିକ୍ରମ କଲାଣି, କେହି ହିସାବ ରଖିଛି ? ସମୟର କାଗଜ ଖାତାରେ ସେ ହିସାବର ଅଙ୍କ କେହି କଷିଚି ? ସମାଧାନ କରି ତା’ର ଅତିକ୍ରମ କେତେ କୋଟି, କେତେ ସହସ୍ର ମାଇଲ କେତେ ଲକ୍ଷ ଯୋଜନ ଦୂରତ୍ୱ ତା’ର ପଥ ! କେହି କରିନାହିଁ । କେହିବି କରିବ ନାହିଁ । କାହାର ଧୈର୍ଯ୍ୟ ଅଛି ଏତେ ? କିଏ ବା ସ୍ଥିତିବାନ୍ ଲକ୍ଷ ଯୁଗପାଇଁ ? ମଣିଷର ଜୀବନ ଆକାଶର ତାରା ପରିନୁହେଁ । ଜଳର ବୁଦ୍‌ ବୁଦ୍ ପରି ନୁହେଁ । ତାରା ଫୁଟେ । ନିଭିଯାଏ । ଆଗାମୀ ସନ୍ଧ୍ୟାରେ ପୁଣି ଫୁଟେ । ଜଳର ବୁଦ୍‌ ବୁଦ୍ ଉଠେ । ଫାଟିଯାଏ । ଆଗାମୀ ମୁହୂର୍ତ୍ତରେ ପୁଣି ଉଠେ । ମାତ୍ର ମଣିଷର ଜୀବନ ଥରେ ନିଭିଗଲେ, ଥରେ ଫାଟିଗଲେ ତାରା ଭଳି ଆଉ ଫୁଟେନା କି ବୁଦ୍‌ ବୁଦ୍ ପରି ଆଉ ଉଠେନା । ତଥାପି ମଣିଷ ଜୀବନକୁ, ପ୍ରାଣକୁ, ମୃତ୍ୟୁକୁ ଉପହାସ କରେ । କାହିଁକି ? କେତେ ଜଣ ବିଶ୍ଳେଷଣ କରନ୍ତି ଏ କଥା ? କେତେ ଜଣ ଚିନ୍ତା କରନ୍ତି ଏ’ ସମ୍ପର୍କରେ ?

 

ସେ ଚିନ୍ତା କରିଚି । ବହୁତ ନିଠେଇ ଚାହିଁଚି ଅନ୍ଧକାରକୁ । ତା’ର ସୁପ୍ତ ଅତୀତକୁ । ଅନ୍ଧକାର, ଅନ୍ଧକାର ପରି ରହସ୍ୟମୟ, ଭେଦ ତା’ର ଖୁବ୍ ଜଟିଳ । ଅନୁଧ୍ୟାନ ତା’ର ଭାରି କଷ୍ଟ । ବାଲ୍ୟଜୀବନ ବାପାଙ୍କ କୋଳରେ ବଢ଼ି ବଢ଼ି କଟେଇ ଆସିଲା ତା’ର କୁନି ଭାଇ ଶଶାଙ୍କ ସାଥିରେ । ମାଆ କଥା ମନେ ପଡ଼େନା । ବହୁ ବାଲ୍ୟ ଅବସ୍ଥାରୁ ଛାଡ଼ି ଦେଇ ଯାଇଥିଲେ ଶଶାଙ୍କର ଜନ୍ମ ପରେ ପରେ ।

 

ସେଇ ବାପା ଆଉ ଭାଇଙ୍କର ନିବିଡ଼ ସ୍ନେହ, ମମତାର ରଜ୍ଜୁ ଭିତରେ ବାନ୍ଧି ହୋଇ ନିଜର ଦୁଃଖମୟ ଅତୀତକୁ ପାସୋରି ଆସିଲା । ସମସ୍ତଙ୍କୁ ସ୍ନେହଦେଇ, ମମତା ଦେଇ କାଟି ଆସିଲା ତା’ର ବିଗତର ଅଶ୍ରୁଳ ମୁହୂର୍ତ୍ତଗୁଡ଼ିକୁ । କାହାକୁ ତ କେବେ ହତାଦର କରି ନଥିଲା । ଅସମ୍ମାନ କରି ନଥିଲା ? ବରଂ ଦୁଃଖରେ ଜଳିଜଳି ବେଦନାର ଅଗ୍ନିରେ ନିଜକୁ ଦଗ୍ଧୀଭୂତ କରାଇ ଥିଲା ଅନେକ ଭାବରେ । କିନ୍ତୁ ତାକୁ ତ କେହି ବୁଝି ନଥିଲେ ? ବୁଝିଲେବି ନାହିଁ । ତା’ର ମୂଲ୍ୟାୟନ କେହି କଲେ ନାହିଁ । ବରଂ ଅନାଦର, ଅସମ୍ମାନ ତା’ର ପଥର ପାଥେୟ ହେଲା ।

 

ବାପା ତା’ର ଜମିଦାର । ଉଚ୍ଚ ବଂଶୀୟ ଖାନ୍‍ଦାନୀ ଘରର ମଣିଷ, କିନ୍ତୁ ମଦ୍ୟପ । କୌଣସି କଥାରେ ସେ ମନ ଦିଅନ୍ତିନି । ଭାଇ ଶଶାଙ୍କ । ପରିଣତ ବୟସରେ ଉପନୀତ ହୋଇଥିଲେବି ପ୍ରଗଳ୍‍ଭରା ଯେମିତି ତା’ ଜୀବନର ପରମ ବନ୍ଧୁ ! ଖୁବ୍ ଏକଜିଦିଆ ଆଉ ରାଗି । ସବୁବେଳେ ଗାଳି ବେଜିତ କରେ ତାକୁ । ବାଲ୍ୟ ବୟସରେ ବାପା, ଭାଇଙ୍କର ଯେତିକି ସ୍ନେହ ମମତା ପାଇଥିଲା, ଆଜି ପରିଣତ ବୟସରେ ସେ ସେତିକି ଲାଞ୍ଛନା, ଅପମାନ ପାଇଲା । ଭାଇଠାରୁ ସ୍ନେହ, ବାପାଙ୍କ ଠାରୁ ଆଦର ଭାଇ, ବାପା ଥାଇବି ଆଜି ପାଇ ପାରିଲାନି ଦୀପା । ବଞ୍ଚିତ ହେଲା ସେଥିରୁ ।

 

ଶତାବ୍ଦୀର ଗତି ମୁଖର ରଥଚକ ଏମିତି ଦୀର୍ଘାୟୀତ ରାଜରାସ୍ତାକୁ ‘ଅତିକ୍ରମ କରି ଗଡ଼ି ଚାଲିଛି । ମୁହୂର୍ତ୍ତର ନଦୀରେ ଖାଲି ବେଦନାର ଭଟ୍ଟା ଉଠିଛି, ଆଉ ସ୍ଥିର ହୋଇଛି ତା’ପାଇଁ । ଆନନ୍ଦର ଜୁଆର ଉଠିନି ।

 

ମନେମନେ ହାତ ଯୋଡ଼ିଲା ଦୀପା । ତଥାପି ଭାଇ ଆଉ ବାପାଙ୍କର ଅନୁରୋଧ, ଆଦେଶକୁ ଅମାନ୍ୟ କରିବନି । ସ୍ନେହ ମମତାକୁ ଜାଣି ଜାଣି ହତ୍ୟା କରିବନି ।

 

ବିକାଶ, ତମେ ମତେ କ୍ଷମାକର ! ଗାଳି ଦିଅ ! ଅଭିଶାପ ଦିଅ ମୋର ଅତୀତର ଏ’ ବିଭ୍ରମତା ପାଇଁ । ମୁଁ ତମକୁ ଅନୁନୟ କରୁଚି, ତମେ ମୋ’ ଜୀବନ ଠାରୁ ସମ୍ପୂର୍ଣ୍ଣ ଦୂରେଇ ଯାଅ ଆଉ ଚିନ୍ତା କରି ନିଅ, ତମ ଜୀବନ ରାସ୍ତାରେ ମୁଁ କେବେ ମାଇଲଖୁଣ୍ଟ ସାଜି ନଥିଲି । ତମ ପ୍ରାଣର ଉଦ୍ୟାନରେ ମୁଁ କେବେ ଫୁଲ ହୋଇ ଫୁଟି ନଥିଲି । ମୋର ତମକୁ କଥା ଦେବା ତମ ଜୀବନସାଥୀ ହେବା ତମ ସିତାରର ସ୍ୱରର ରାଗିଣୀ ଭଳି ଗୋଟାଏ ପ୍ରବଣତା କେବଳ ।

 

ନିବିଡ଼ ଅନ୍ଧକାର ପାଂଶୁଳ ହୋଇ ଆସୁଥିଲା । ପ୍ରଭାତ ହେବାକୁ ଅନେକ ବେଳ ବାକି ।

 

ନାରୀ !!!

 

ଏକ ଅବାସ୍ତବ ପ୍ରତିମୂର୍ତ୍ତି । ନିବିଡ଼ ଅନ୍ଧକାର ଭଳି ରହସ୍ୟମୟୀ । ପ୍ରହେଳିକା ଭିତରେ ତା’ର ସ୍ଥିତି ଓ ସ୍ଥାୟୀତ୍ୱ । ପ୍ରଭାତର ଘନ କୁଜ୍‌ଝଟିକା ପରି ବାହ୍ୟ ଆବରଣ ତା’ର ସଫେଦ୍ ଧୂମ୍ରିଳ ।

 

ମନେମନେ କହି ଉଠିଲେ ବିକାଶ ।

 

ରାତିରେ ମଣିଷ ବହୁ କଳ୍ପନା କରେ । ସ୍ଵପ୍ନ ଦେଖେ । କିନ୍ତୁ ସେ ଯେ ଦିନରେ ସ୍ଵପ୍ନ ଦେଖୁଛନ୍ତି !

 

ଦୀପାନ୍ୱିତା ଅନେକ ଥର କହିଛି, ଦିବାସ୍ଵପ୍ନ କୁଆଡ଼େ ସତ ହୁଏ । ସତରେ କ’ଣ ଦିବାସ୍ଵପ୍ନ ସତ ହୁଏ ? କାଇଁ ତାଙ୍କର ଦିବାସ୍ଵପ୍ନ ତ ସତ ହେଲାନି ? ସ୍ଵପ୍ନରେ ରହିଗଲା । ନା, ସ୍ଵପ୍ନ କେବେ ବାସ୍ତବ ହୋଇ ପାରେନା । ତା’ ଛଡ଼ା ଶିଳ୍ପୀ ଜୀବନର ବାସ୍ତବତା ସ୍ଵପ୍ନ ଅପେକ୍ଷା କମ୍ । କାରଣ ସ୍ଵପ୍ନ ଭିତରେ କଳ୍ପନା, ଅବାନ୍ତରତା, ବେଶି ପରିମାଣରେ ଥାଏ ।

 

ଦୁନିଆ ବାସ୍ତବ । ବାସ୍ତବତା ଭିତରେ ସ୍ଵପ୍ନ ଆଉ କଳ୍ପନା ଆସିବ କୁଆଡ଼ୁ ?

 

ସେମିତି ଦୀପାନ୍ୱିତା ସହିତ ତାଙ୍କର ସମ୍ପର୍କ ଥିଲା କେବଳ ଗୋଟାଏ ସ୍ଵପ୍ନ, କଳ୍ପନା ଅବାନ୍ତରତା । ତେଣୁ ପୂର୍ଣ୍ଣ ହୋଇ ପାରିଲା ନାହିଁ ସେ ଏକାନ୍ତ ଇଚ୍ଛା, ଆଦିମ ଲକ୍ଷ୍ୟ !

 

ଶଯ୍ୟାଶାୟୀ ବିକାଶ ଉଠି ବସିବାକୁ ଇଚ୍ଛାକଲେ କେଉଁ ଏକ ଲକ୍ଷ୍ୟରେ । ଯେଉଁ ଦେହ ମନ ଦିନ କେତେ ଧରି ଅତୀବ ପୁଲକରେ ରୋମାଞ୍ଚିତ ଓ ସତେଜ ହୋଇ ଉଠିଥିଲା, କେଉଁ ଅଶେଷ ଯନ୍ତ୍ରଣାରେ ଆଜି ତାହା ନିସ୍ତେଜ ହୋଇ ପଡ଼ିଛି । ଯେଉଁ ଶରୀର ଦୁର୍ବଳତାକୁ ପ୍ରତିରୋଧ କରି ଉତ୍‌ଫୁଲ୍ଲତାର ସବଳତା ଆଣିଥିଲା, କେଉଁ ଅସୀମ ଦୁଶ୍ଚିନ୍ତା, ଦୁର୍ଭାବନା ନେଇ ପୁଣି ସିଏ ଦୁର୍ବଳ ଭାରାକ୍ରାନ୍ତ ହୋଇ ପଡ଼ିଛି । ଆନନ୍ଦ ଆବେଗର ଯେଉଁ ଉଚ୍ଛଳସ୍ରୋତ କଳନାଦିନୀ, ଲାସ୍ୟ ତଟିନୀଟିଏ ପରି ପ୍ରତିବନ୍ଧକ ନମାନି ଦୁରାନ୍ତ ସାଗରର ଅନନ୍ତ ବକ୍ଷ ଭିତରେ ନିଜକୁ ହଜାଇ ଦେବାପାଇଁ ଧାଇଁ ଚାଲିଥିଲା, ତାହା ଆଜି ଅଚାନକ ମରୁପ୍ରାନ୍ତର ମଧ୍ୟରେ ପଡ଼ି ସ୍ଥିତି ହରାଇଚି ?

 

ସିତାରଟିକୁ ଟାଣି ଆଣି ସ୍ଵର ତୋଳିଲେ ବିକାଶ । କେତେ ବୁନ୍ଦା ଲୁହରେ ନିଜକୁ ସିକ୍ତ କରାଇ ଉତ୍ତାପ ଅନୁଭବ କଲେ । କି’ ଉଷ୍ମ ସେ ଅଶ୍ରୁ ! କି’ ମର୍ମଦାହୀ ସେ ବେଦନା ! ଅନୁଭବୀ ବିନା କିଏ କରିବ ତା’ର ମୂଲ୍ୟାୟନ ? ବିଶେଷତଃ ଶିଳ୍ପୀ ଛଡ଼ା କେହି ତା’ର ଉପଯୁକ୍ତ ମୂଲ୍ୟାୟନ କରିବା ସମ୍ଭବ ହୁଏନି । ଶିଳ୍ପୀ ଏକ ଅନୁଭୂତିରେ ସ୍ତମ୍ଭ କି’ନା; ସେଥିଲାଗି !

 

ବିକାଶ ଶିଳ୍ପୀ । ତେଣୁ ଅନୁଭବ କରୁଥିଲେ ତା’ର ଯନ୍ତ୍ରଣା । ଅସହ୍ୟ ବ୍ୟଥା ଓ ବେଦନାରେ ଜର୍ଜରିତ ହୋଇ ଉଠୁଥିଲା ତାଙ୍କର ସମଗ୍ର ଅବୟବ ପ୍ରକମ୍ପିତ ହେଉଥିଲା ଶରୀରର ପ୍ରତ୍ୟେକ ଶିରା ଉପଶିରା । ବାତାୟନ ପଥ ଦେଇ ବାହାରକୁ ଦୃଷ୍ଟିନିକ୍ଷେପ କଲେ ।

 

ସୁନେଲି ସକାଳର ସୂର୍ଯ୍ୟୋଦୟର ପ୍ରତିଛବିରେ ମୁକ୍ତିସ୍ରୋତାର ଜଳରାଶି ଗୋଟିଏ ହୀରାର ଦର୍ପଣ ପରି ଝଲସି ଉଠୁଛି । ନଦୀ ତୀରସ୍ଥ ପର୍ବତଟି ନିଦ ଭାଙ୍ଗି ମୁହଁ ଧୋଉଛି କାଚର ଜଳରେ । ପକ୍ଷୀର କାକଳୀରେ ମୁଖରିତ ବନଭୂମି ଆଳସ୍ୟ ତ୍ୟାଗ କରୁଛନ୍ତି ।

 

କି’ ସୁନ୍ଦର ପରିବେଶ ! ଏକ ଦିଗରେ ପୂର୍ଣ୍ଣଗର୍ଭା ମୁକ୍ତିସ୍ରୋତା, ଅପର ଦିଗରେ ଉତ୍ତୁଙ୍ଗ ପର୍ବତମାଳା । ନଦୀର ଗୋଟାଏ ପାର୍ଶ୍ୱରେ ଶ୍ମଶାନ ଅପର ପାର୍ଶ୍ଵରେ ମସଜିଦ–ମୁସଲମାନମାନଙ୍କ କବର ସ୍ଥାନ । ବାସ୍ତବିକ ଦୀପାନ୍ୱିତାର ସ୍ଥାନ ନିରୂପଣ ଯେ ଅତ୍ୟନ୍ତ ପ୍ରଶଂସନୀୟ ମନେମନେ ବହୁଥର ଚିନ୍ତା କରିଛନ୍ତି ବିକାଶ । ଶିଳ୍ପୀର ସାଧନା ଲାଗି ଯେ ପ୍ରକୃଷ୍ଟ ସ୍ଥାନ ନିର୍ଣ୍ଣୟ କରିଥିଲା ଦୀପାନ୍ୱିତା, ମନେମନେ ଭାବି ଗର୍ବ ଆଉ ଗୌରବରେ ଫୁଲି ଉଠନ୍ତି ବିକାଶ । ବହୁ ସ୍ଵର୍ଣ୍ଣାୟୀତ ସକାଳ, ବର୍ଣ୍ଣାୟୀତ ସନ୍ଧ୍ୟାରେ ଜୀବନର ସୁଖ ସ୍ଵପ୍ନ ଦେଖିଥିଲା ଦୀପାନ୍ୱିତା, ହେଲେ ସ୍ଵପ୍ନ ସମ୍ଭବ ହେଲାନି । ଚିନ୍ତାରେ ରହିଗଲା ।

 

ପ୍ରବଣତାର ସ୍ରୋତ ଉପରେ ବିକାଶ ମିଶି ଯାଉଥିଲେ କ୍ରମଶଃ । ହାତର ଅଙ୍ଗୁଳି ଆହୁରି ଦ୍ରୁତଗତିରେ କ୍ଷିପ୍ର ହୋଇ ଉଠିଲା । ନଦୀ ଗର୍ଭରୁ କେହି ଜଣେ ଗାଉଥିଲା, ସେଇ ମର୍ମସ୍ପର୍ଶୀ କରୁଣ ଗୀତ ପଦକ–

 

‘‘ଗଲାଣି ତ ଗଲା କଥାରେ ସଙ୍ଗୀତ

ଗଲାଣି ତ ଗଲା କଥା"

 

ସିତାର ବଜେଇବା ବନ୍ଦ କରି ସଙ୍ଗୀତ ଆସୁଥିବା ଦିଗକୁ ମନୋନିବେଶ କଲେ ବିକାଶ ଏବଂ ହସି ଉଠିଲେ ପାଗଳଙ୍କପରି । ଅତିଶୟମାତ୍ରାରେ ନିଜକୁ ନିମଜ୍ଜିତ କରାଇ କହିଲେ; କବିସୂର୍ଯ୍ୟ ! ପାଗଳର ପ୍ରଳାପ ଭଳି କି’ ଅଭିବ୍ୟକ୍ତି ତମର ! କି’ ଭୁଲ୍ ମତବ୍ୟକ୍ତ କରିଛ ? କଥା କ’ଣ କେବେ ଯାଇପାରେ ? କଥା ଯାଇ ପାରେନି କବିସୂର୍ଯ୍ୟ, କଥା ଯୁଗଯୁଗାନ୍ତ ଧରି ଆଦର, ଅକ୍ଷୟ, ଅବିନାଶ । ଏ’ କେବଳ ତମ କବିମନର ଉଚ୍ଚ ପରିକଳ୍ପନା । କବିତାର ସୂକ୍ଷ୍ମ ଚିନ୍ତାପାଇଁ ଏ’ କେବଳ ଉପାଦାନ ତମର !

 

ପୁଣି ଦି’ ହାତରେ ସିତାର ତୋଳି ଧରିଲେ ବିକାଶ । ଆହୁରି ଜୋରରେ ସ୍ଵର ଉତ୍ତୋଳନ ହୋଇ ଉଠିଲା ଦୂରର ଭାସମାନ ସଙ୍ଗୀତର ରାଗିଣୀ ସହିତ ସମତାଳ ଦେଇ । ପ୍ରାଣ ଝଙ୍କୃତ ହୋଇଯିବ ସେ ସ୍ୱରରେ । କି’ ମର୍ମସ୍ପର୍ଶୀ ସେ ରାଗିଣୀ ! କି’ କରୁଣ ସେ ସ୍ୱର ଉତ୍ତୋଳନ ! ଜୀବନର ସଂଜ୍ଞା ଯିଏ ବୁଝେ, ସେ ଦହନର ଜ୍ୱାଳା ସେ ଏକା ବୁଝିପାରିବ ସିନା, ଅନ୍ୟ କେହି ପାରିବେ ନାହିଁ ।

 

ଦୀପାନ୍ୱିତା ସେ ! ଯିଏ ଜୀବନ ସମ୍ପର୍କରେ ଏତେ ଗମ୍ଭୀର ବିଶ୍ଳେଷଣ କରୁଥିଲା; ସେ ବୁଝି ପାରିଲା ନାହିଁ ଏ’ ଜ୍ୱଳନ, ଏ ଦହନର ଅର୍ଥ ? ବାସ୍ତବିକ ଗଭୀର ଅନୁଶୋଚନା ଜନ୍ମ ନିଏ, ଚିନ୍ତା କଲେ !

 

ବିଭୋର ହୋଇ ଉଠିଲେ ବିକାଶ ଆତ୍ମସତ୍ତା ହରାଇ । ସଙ୍ଗୀତ ଅସ୍ପଷ୍ଟ ହୋଇ ଉଠିଲା କ୍ରମଶଃ । ଶିଥିଳ ହୋଇ ଆସିଲା ହାତ, ଅବଶ ଶରୀରଟାକୁ ଲୋଟେଇ ଦେଇ ପଡ଼ିଗଲେ ବିଛଣା ଉପରେ । ଦିନର ଆଲୁଅରେ ସ୍ମୃତି ସବୁ ଝାପ୍‌ସା ଦିଶିଲା । ପ୍ରତ୍ୟାବର୍ତ୍ତନ କଲେ ବିକାଶ ସେଇ ଔଜଲ୍ୟ ଅତୀତର ସ୍ୱର୍ଣ୍ଣିମ ସନ୍ଧ୍ୟା ଭିତରକୁ । କି’ ମନୋମୁଗ୍ଧକର ସନ୍ଧ୍ୟା ସିଏ ! ତା’ର ସ୍ମୃତିକୁ ଓଟାରି ଆଣିଲେ ଦୁଃଖରେ ରୋମାଞ୍ଚିତ ହୋଇଯାଏ ତାଙ୍କର ଶରୀରର ପ୍ରତ୍ୟେକ ଲୋମକଣା । ଯନ୍ତ୍ରଣାର ଆତିଶଯ୍ୟରେ ବିଭୋର ହୋଇ ଶିଶୁଙ୍କ ପରି କାନ୍ଦି ଉଠନ୍ତ ସେ ।

 

ସେଇ ସନ୍ଧ୍ୟାର ଅବିସ୍ମରଣୀୟ ମୁହୂର୍ତ୍ତ । ରାସ୍ତାର ନିଃସ୍ୱ ପଥିକଟିଏ ପରି ଜନଗହଳି ସହରର କେଉଁ ଅଜଣା ସ୍ରୋତ ଭିତରେ ଚାଲିଥିଲେ ବିକାଶ ।

 

ବାଆଁ ହାତରେ ଧରିଥିଲେ ପ୍ରିୟ ସିତାର ଖଣ୍ଡିକ । ବୋଧହୁଏ ସାନ୍ଧ୍ୟ ଭ୍ରମଣ ସାରି ନଦୀତଟରୁ ଫେରୁଥିଲେ ସେଇ ଜନାକୀର୍ଣ୍ଣ, ଅପରିଷ୍କାର, ଅପରିଚ୍ଛନ୍ନ ଗଳିର ମଦ୍ୟ ଦୋକାନକୁ ତାଙ୍କର ବଞ୍ଚିବାର କେନ୍ଦ୍ରସ୍ଥଳକୁ । ଜୀବନର ମୂଳଭିତ୍ତି ଯେଉଁଠାରେ ପଡ଼ିଛି । ଶୈଶବାବସ୍ଥାରୁ ତାରୁଣ୍ୟର ପାହାଚ ପର୍ଯ୍ୟନ୍ତ ଯୋଉଠି ସେ ସମୟର ମୁହୂର୍ତ୍ତ ବିତେଇ ଆସିଥିଲେ । ସେଇ ସେଠ୍ ଜଗୁରାମର ମଦ୍ୟ ଦୋକାନ-ତାଙ୍କ ଜୀବନର ସର୍ବଦେବ ସମାରୋହର ତୀର୍ଥ ଭୂମି । ରାତି ହେଲେ ଯେଉଁଠି ଶହ ଶହ ବ୍ୟଭିଚାର ଜନ୍ମ ନିଏ । ମଦ ନିଶାରେ ମାତାଲ ହୋଇ ଉଚ୍ଚପଦସ୍ଥ ଅଫିସରଙ୍କଠୁ ଆରମ୍ଭ କରି ଛୋଟ ଶ୍ରେଣୀର ଚାକିରିଆ ପର୍ଯ୍ୟନ୍ତ ଯେଉଁଠି ଏକତ୍ରିତ ହୁଅନ୍ତି, ସେଇଠାରୁ ବିକାଶ ଭଳି ଶିଳ୍ପୀର ଉତ୍ପତ୍ତି । ପଙ୍କ ଭିତରେ ପଙ୍କଜର ଆବିର୍ଭାବ । ସେଇ ମଦ ଦୋକାନର ମାଲିକ ଜଗୁରାମ୍ ଆଉ ମ୍ୟାନେଜର ବିକାଶ ମାତାଲ ଅବସ୍ଥାରେ ବହୁ ଆଭିଜାତ୍ୟ ପୂର୍ଣ୍ଣ ଘରର ଯୁବକ ନିଜ ଖାନ୍‍ଦାନ୍‍ର ଦ୍ୱାହି ଦେଇ ଆପଣା ପତ୍ନୀର କୁଳବଧୂର ସିନ୍ଦୂର ନିଭେଇ ଲକ୍ଷ ଲକ୍ଷ, କୋଟି କୋଟି ଟଙ୍କାର ସୁନାଗହଣା ଅଜାଡ଼ି ଦିଅନ୍ତି । ଏଇ ଭଙ୍ଗା ଅପରିଷ୍କାର ଅପରିଚ୍ଛିନ୍ନ କୁଟୀର ଭିତରେ । ବିକାଶଙ୍କ ପ୍ରାଣ କାନ୍ଦି ଉଠେ । ସେ ମନର ଚକ୍ଷୁରେ ଦେଖି ଯାଆନ୍ତି, ବହୁ କୁଳରମଣୀ ରୂପସୀଙ୍କ ଆଖି ଲୁହରେ ଏ’ ବ୍ୟବସାୟର ଦୋକାନ ଯେମିତି ଭାସି ଯାଉଚି ! ଆଉ ତାଙ୍କର ଗ୍ରାହକମାନେ ପିଉ ନାହାଁନ୍ତି ଏଠି ମଦ, ପିଉଚନ୍ତି ଆଖିର ଲୁହ । ସେ ଲୁହ ତାଙ୍କ ଦୋକାନର ମଦଠାରୁ ଆହୁରି ଉତ୍କଟ ବହୁ ସଦ୍ୟ ବିବାହିତ ବଧୂ ହାତ ଓ କବରୀରେ ଫୁଲର ବତାରଣ ବାନ୍ଧି ଅପେକ୍ଷା କରି ରହନ୍ତି ବାସର ରାତି ଉଦ୍‌ଯାପନ କରିବାକୁ । ରାତି ବିତି ଯାଏଁ । ବାସର ରାତି କଟେ ଯୁବକମାନଙ୍କର ଏଇ ମଦ୍ୟ ଦୋକାନରେ । ସୁନା, ରୁପା, ଟଙ୍କାର ବିନିମୟରେ ସେ ଯେତେବେଳେ ଏଇ ଉଚ୍ଛୃଙ୍ଖଳ ଯୁବକମାନଙ୍କୁ ମଦ୍ୟ ପ୍ରଦାନ କରନ୍ତି, ସେତେବେଳେ ସେ ମନେ କରନ୍ତି ଆଉ କହିବାକୁ ଚିନ୍ତା କରନ୍ତି । ହେ ପ୍ରଗଳ୍‌ଭ ପଥଭ୍ରଷ୍ଟ ମଣିଷମାନେ ! ନିଜ ପ୍ରାସାଦ ଓ କୁଟୀରକୁ ଶ୍ରୀହୀନ ଓ ଶୂନ୍ୟ କରି ବସେ, ଆଉ ଏ’ କୁଟୀରକୁ ସମ୍ମାନ ଦିଅ ନାହିଁ । ଯେତେ ଇଚ୍ଛା ପାରୁଚ ଏ’ ଅନୁଷ୍ଠାନ ଶୂନ୍ୟ କରି ପିଇଯାଅ ଏବଂ ତମର ଆଶା ପରିତୃପ୍ତି କର, ପିପାସା ପୂର୍ଣ୍ଣକର । ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରି ସବୁ ଐଶ୍ୱର୍ଯ୍ୟମାନ ଫେରାଇ ନିଅ । କିନ୍ତୁ !

 

କିନ୍ତୁରେ ଅଟକି ଯାଆନ୍ତି ବିକାଶ ।

 

ସଂଯତ ଅବସ୍ଥାକୁ ଫେରି ଆସନ୍ତି । ସେ ପାଖରୁ ଶୁଭେ ଜଗୁରାମର କର୍କଶ ଡାକରା । ଚାକର ହରି ଆସି ନେଇଯାଏ ଦୈନନ୍ଦିନ ବିକ୍ରିର ଟିପା ଓ ଟିପ୍ପଣୀ । ପଇସାଟିଏ ଏପାଖ ସେପାଖ ହେଲେ କଡ଼ା, ଗଣ୍ଡା, କ୍ରାନ୍ତି ଭାବରେ ମୂଳରୁ ପୁଣିଥରେ ହିସାବ ଦେଖିବାକୁ ପଡ଼େ ବିକାଶକୁ । ଜଗୁରାମ ଚବିଶିଘଣ୍ଟା ମଦ୍ୟପ ଅବସ୍ଥାରେ ଥାଏ । ହେଲେ ବିକାଶ । ସେ ସତରେ କେତେ ବ୍ୟତିକ୍ରମ ! ଦିନେହେଲେବି ସ୍ପର୍ଶ କରନ୍ତି ନାହିଁ ସେ କଳଙ୍କ କାଳିମାମୟ ପଦାର୍ଥକୁ ।

 

ବିକାଶଙ୍କ ଜୀବନରେ ସତରେ ଏଇ ଟିକକ ସ୍ୱତନ୍ତ୍ରତା । ସମସ୍ତଙ୍କୁ ମଦ୍ୟ ବଣ୍ଟନ କରି ସେ ନିଜେ ପିଅନ୍ତି ନାହିଁ । ପାନଶାଳାରେ ମାତାଲ ଅବସ୍ଥାରେ ଅସଂଯତ ଅବସ୍ଥାରେ ଥିଲାବେଳେ ଅନେକ ବନ୍ଧୁ ଅନେକ ବାର ଅନୁରୋଧ କରିଛନ୍ତି ତାଙ୍କୁ–ସାମାନ୍ୟ ଟୋପାଏ ଏଇ ଅମୃତରୁ ପାନ କରିବାକୁ ହେଲେ ସବୁ ଆଦେଶ, ଅନୁରୋଧକୁ ଉପେକ୍ଷା କରି ପଛରେ ଛାଡ଼ି ଆସିଛନ୍ତି ସେ । ପୃଥିବୀରେ ଜନ୍ମଗ୍ରହଣ କରିବି ନିର୍ଲୋଭ ମଣିଷଟିଏ ପରି ସବୁ କଥାକୁ ଯେମିତି ସେ ପ୍ରତ୍ୟାଖ୍ୟାନ କରି ଆସିଛନ୍ତି !

 

ମଦ ଶବ୍ଦଟିକୁ ଉଚ୍ଚାରଣ କରି କରି ପୂର୍ଣ୍ଣ ଅଭ୍ୟସ୍ତ ହୋଇ ପଡ଼ିଛନ୍ତି ବିକାଶ । ସେଥିରେ କୌଣସି ନୂତନତା ଥିବାର ସେ ଆଉ ଲକ୍ଷ୍ୟ କରି ପାରୁ ନାହାଁନ୍ତି । ତା’ର କାରଣ ଏ ପଦାର୍ଥଟି ସହିତ ସେ ତାଙ୍କ ବାଲ୍ୟ ଅବସ୍ଥାରୁ ଏତେ ସଂଶ୍ଳିଷ୍ଟ ଆଉ ଜଡ଼ିତ ହୋଇ ଯାଇଛନ୍ତି ଯେ ତା’ ପ୍ରତି ମମତା କିମ୍ବା ଘୃଣା, ଦୁଇଟିଯାକରୁ କୌଣସି ଗୋଟିଏବି ଜାତ ହେଉ ନାହିଁ ତାଙ୍କର । କିନ୍ତୁ ସେ ଅଙ୍ଗେ ନିଭେଇଛନ୍ତି ଯେ ଏହାର ଫଳାଫଳ କ’ଣ ହୋଇଛି ପରିଶେଷରେ !

 

ବିକାଶ ଚାହିଁଛନ୍ତି । ଅନେକ ଜୀବନ ନାଟକ ତାଙ୍କ ମଦ ଦୋକାନର ରଙ୍ଗମଞ୍ଚ ଉପରେ ଆରମ୍ଭ ହୋଇ ଶେଷ ହୋଇଛି । କିଏ କାନ୍ଦିଛି ତ କିଏ ଲୁହ ପୋଛି ପୋଛି ପଳାଇ ଯାଇଛି । କିଏ କାନ୍ଦିବାକୁ ଇଚ୍ଛା କରି କାନ୍ଦି ପାରିନାହିଁ । ଛାତିକୁ ପଥର କରି ଦୁନିଆ ରାସ୍ତାରେ ବାଟ କାଟିଛି ।

 

ଅସମ୍ଭବ ରୋମାଞ୍ଚ । କାହା ଜୀବନ କେମିତି ଧ୍ୱସ୍ତବିଧ୍ୱସ୍ତ ହୋଇଛି । କୋଉ ମଣିଷ ତା’ର ସତ୍ତା ଓ ଇୟତ୍ତା ସମ୍ପୂର୍ଣ୍ଣ ହଜାଇ ବସିଛି । କିଏ ତା’ର ଜୀବନ ମଞ୍ଚ ଉପରୁ ଫେରାର ହୋଇ କେଉଁଠି କିପରି ନିଃସ୍ୱ ଭାବରେ ଆତ୍ମଗୋପନ କରିଛି । କାହାର ଅମୃତମୟ ପ୍ରାଣ ବିଷମୟ ହୋଇ ମରୁଭୂମିରେ ପରିଣତ ହୋଇଛି । ଏମିତି ଅନେକ ତିକ୍ତ ଅନୁଭୂତି । ତୀବ୍ର ଯନ୍ତ୍ରଣା ଘେନି ପଥ ବିଚ୍ୟୁତ ମଣିଷ ପଥ ଉପରକୁ ଫେରି ଆସିଲା ବେଳକୁ ସବୁ କିଛି ତା’ର ହରାଇ ବସିଛି । ପାର୍ଥିବ ସଂସାରରେ ତା’ର ଆଉ କିଛି ନାହିଁ । ସେ ସଂବଳହୀନ ପଥୁକି !

 

ଏ ସବୁ ଦେଖି ଦେଖି ବିକାଶଙ୍କ ପ୍ରାଣ ବିଷଦଗ୍ଧ ହୋଇଛି । କିନ୍ତୁ ଉପାୟ କିଛି ନାହିଁ । ସେ କାହାପାଇଁ କିଛି କରି ପାରୁ ନାହାନ୍ତି । ହୃଦୟ ଯାହାର ସମସ୍ତଙ୍କ ପାଇଁ କାନ୍ଦେ ହାତରେ ତା’ର କରିବାପାଇଁ କିଛି ହୁଏତ ନଥାଏ । ଈଶ୍ୱରଙ୍କ କଠୋର ନିୟମାବଳୀରେ ଈଶ୍ଵର ହୁଏତ ପ୍ରଥମେ ଏଇ କେତେ ପଦକୁ ରଚନା କରିଛନ୍ତି !

 

ମଦ ବିରୁଦ୍ଧରେ ତାଙ୍କ ମନର ଆନ୍ଦୋଳନ । ହୁଏତ ସେ ସେଥିରୁ ଜୀବିକା ନିର୍ବାହ କରୁଛନ୍ତି । ସାରା ଦିନରାତିର ଗଭୀର ପରିଶ୍ରମରେ ସେ ମଜୁରୀ ପାଉଛନ୍ତି ମାତ୍ର ତିନିଟଙ୍କା । ସେ ତାଙ୍କର ପରିଶ୍ରମର ମୂଲ୍ୟ କ’ଣ ବୁହାଇ ଦିଅନ୍ତେ ଏମିତି ଭାବରେ ? ଏପରି ଝାଳ, ରକ୍ତ ବୁହା ଖଟଣିକୁ ସେ ମଦପିଆରେ ଭସାଇ ଦିଅନ୍ତେ !

 

ଏମିତି କେତେକଅଣ ଭାବି ଭାବି ସହରର ରାଜପଥ ଉପରେ ଚାଲିଥିଲେ ବିକାଶ !

 

ସନ୍ଧ୍ୟାର ଆଲୁଅ ଝଲସି ଉଠିଲାଣି ସହରରେ । ହରରଙ୍ଗୀ ସାଜସଜ୍ଜା ଭିତରେ ଜୀବନ ସ୍ଵପ୍ନ ଦେଖୁଛି ଶତ ସହସ୍ର ମଣିଷ । ଦେଖୁଛି ଅର୍ଥର ବର୍ଣ୍ଣ ବିଭବ । ପ୍ରାଚୁର୍ଯ୍ୟ ଥିଲେ ମଣିଷ ସବୁ କିଛି କରିପାରେ !

 

କିନ୍ତୁ ସେ ଯେ ସବୁବେଳେ ଅନ୍ଧକାରରେ !

 

ସନ୍ଧ୍ୟା ଆଉ ରାତିସାରା ଏ ସହରର ଆଲୋକ ଜଳି ଜଳି ଯେତେବେଳେ ନିଷ୍ପ୍ରଭ ହୋଇ ପଡ଼େ, ସେତେବେଳେ ସେଇ ଅପରିଚ୍ଛନ୍ନ, ଅପରିଷ୍କାର ଗଳିର ଡିବିରି, ଲଣ୍ଠନ ଆଲୁଅ ଏ ସହରକୁ ଦିଏ ନୂତନ ଆଲୋକ ! ସେ କ୍ଷୀଣ ଆଲୋକର ଉଦ୍ଭାସିତ କିରଣରେ ଏ’ ସହରର ପ୍ରତ୍ୟେକ ଗଳିକନ୍ଦି ହୋଇ ଉଠେ ସଜୀବ ସରସ । ସେଇ ଆଲୋକରେ ସେ ଦେଖନ୍ତି ଜୀବନ ସ୍ଵପ୍ନ–ବର୍ଣ୍ଣ ବିଭବ !

 

ଅଟକି ଗଲେ ବିକାଶ ।

 

ପଛରୁ ଯେମିତି କେହି ତାଙ୍କ ନାମ ଉଚ୍ଚାରଣ କରି ଡାକୁଛି !

 

ଯୁବକ ଜଣକ ପାଖେଇ ଆସିଲେ କିନ୍ତୁ ବିକାଶ ରହି ପାରିଲେ ନାହିଁ । ମନେପକାଇବାକୁ ଚେଷ୍ଟାକଲେ ମାତ୍ର ପାରିଲେ ନାହିଁ ।

 

ମୁଁ ଆପଣଙ୍କ ପାଖକୁ ଯାଉଥିଲି ।

ଯୁବକଙ୍କ କଣ୍ଠରେ ଈଷତ୍ ହାସ୍ୟରେଖା । ଅନେକ ଆତ୍ମୀୟତାର ଭାବ । କାରଣ ?

ପ୍ରଶ୍ନ କଲେ ବିକାଶ ।

ମୋର ଗୋଟିଏ ଅନୁରୋଧ ରକ୍ଷା କରିବେ ?

କୁହନ୍ତୁ, ଯଦି ପାରିବି, ରକ୍ଷା କରିବି ।

ଆଜି ଆମ କଲେଜର ଫଙ୍କସନ୍ । ଆପଣ ଆମ ସହିତ ସହଯୋଗ କଲେ କେମିତି ହୁଅନ୍ତା ?

ହୁଏତ ଖୁବ୍ ଭଲ ହୁଅନ୍ତା କିନ୍ତୁ ଏପରି ବେଳରେ ଆପଣ ସହଯୋଗ କରିବାକୁ କହିଲେ, ମୁଁ ପାରିବି ନାହିଁ । ମୋ’ କର୍ତ୍ତବ୍ୟର ବେଳ ଆସି ଉପସ୍ଥିତ ହେଲାଣି । ଏତେବେଳେ ଆଉ କେମିତି ଯାଇ ହେବ ? ତା’ ଛଡ଼ା ମୁଁ କଳାକୁ ବ୍ୟବସାୟୀକ ଦୃଷ୍ଟିକୋଣରୁ ଗ୍ରହଣ କରୁନାହିଁ । ଆପଣ କେବଳ ବନ୍ଧୁ ଭାବରେ କହିଲେ ବୋଲି ହୁଏତ ଯାଇ ଥାଆନ୍ତି । କିନ୍ତୁ ସମୟ ନାହିଁ ହାତରେ-। କ’ଣ କରିବି ଆପଣ ଚିନ୍ତା କରି ନିଜେ କୁହନ୍ତୁ ।

ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ଯାହାପାଇଁ ଆପଣ ଦ୍ୱିଧା କରୁଛନ୍ତି ତା’ର ବନ୍ଦୋବସ୍ତ ଆମେ କରିଛୁ । କଲେଜରୁ କେତେ ଜଣ ଯାଇଛନ୍ତି ଜଗୁରାମଙ୍କୁ ଓ ଆପଣଙ୍କୁ ନିମନ୍ତ୍ରଣ କରି ଆଣିବା ଲାଗି । କେବଳ ନିଜ ସ୍ୱୀକୃତି ଆପଣ ଦେଲେ ହେଲା !

 

ଏତେ ବେଳକୁ ସ୍ମରଣ ହେଲା ବିକାଶଙ୍କର ।

 

ଯୁବକ ଜଣକ ତାଙ୍କ ଅନୁଷ୍ଠାନର ଜଣେ ନୂତନ ଗ୍ରାହକ । ଏବେ ନୂଆ ହୋଇ କିଛିଦିନ ହେଲା ଆସୁଛନ୍ତି ତାଙ୍କ ଦୋକାନକୁ ।

 

ବିକାଶ ଲକ୍ଷ୍ୟ କଲେ ଯୁବକଙ୍କ ହସୋତ୍‍ଫୁଲ୍ଲ ମୁଖମଣ୍ଡଳକୁ । ହସହସ ମୁହଁରେ ଆଶାୟୀ ହୋଇ ସେ ଆହୁରି ଅପେକ୍ଷା କରିଛନ୍ତି ତାଙ୍କର ସ୍ଵୀକୃତିଭରା ଉତ୍ତରକୁ । କ’ଣ କହିବେ ବିକାଶ ? ଅସମ୍ମତି ପ୍ରକାଶ କରିବେ ? କ’ଣ ବିଚାରିବେ ଭଦ୍ରଲୋକ ?

 

ମନେମନେ ହସିଲେ ବିକାଶ

 

ଏମାନେ ପୁଣି ଭଦ୍ରଲୋକ ! ଦିନର ଆଲୁଅରେ ଏମାନେ କେତେ ନିରୀହ, ସରଳ ! ଆଉ ରାତିର ଅନ୍ଧାରରେ କେତେ କର୍କଶ ଆଉ ଜଟିଳ ! ତଥାପି ଏମାନେ ସଂସାରର ଜଣେ ଜଣେ ବିବେକବାନ, ଜ୍ଞାନୀ, ଗୁଣୀ ମଣିଷ ! ସଂସାର ଏମାନଙ୍କୁ ସମ୍ମାନ ପ୍ରଦର୍ଶନ କରେ । ବ୍ୟକ୍ତିତ୍ଵବାନ ବୋଲି କହେ ।

 

କିନ୍ତୁ ବିକାଶ ଭଳି ମଣିଷଙ୍କୁ ! ଆଖ୍ୟାଦିଏ କେଉଁ ନାମହୀନ ଗଳିର ମଦ୍ୟ ଦୋକାନର ମଦ୍ୟପ, ଚରିତ୍ରହୀନ, ପଥଭ୍ରଷ୍ଟ ମଣିଷ । ଦୁନିଆ ସେମାନଙ୍କୁ ସମ୍ମାନ ଦେଖାଏ ନାହିଁ । ଭଦ୍ର ବୋଲି ବିବେଚନା କରେ ନାହିଁ । ମଣିଷ ବୋଲି ଗଣିତା କରେ ନାହିଁ ।

 

ଯୁବକ ପୁନରାବୃତ୍ତି କଲେ ।

 

କିଛି କହିଲେ ନାହିଁ ଯେ ବିକାଶବାବୁ !

 

ମୁଁ ଜାଣେ ଆପଣଙ୍କ ଅସୁବିଧା ହେଉଛି । ହଉ, କିଛି ଦୁଃଖ ନାହିଁ । ମୁଁ ଆସୁଛି ।

 

ହାତ ଯୋଡ଼ିଲେ ଯୁବକ ।

 

ଚିନ୍ତାର ସମୁଦ୍ରରୁ କାହାଣୀର ଜୁଆର, ଭଟ୍ଟା କେତେଟା ମନର ବେଳାଭୂମି ପାଇଁ ସଂଗ୍ରହ କରି ବାସ୍ତବ ସଂସାରକୁ ଲେଉଟିଲେ ବିକାଶ । ଭଦ୍ରଲୋକ ହାତ ଯୋଡ଼ୁଛନ୍ତି । କ’ଣ ଉତ୍ତର ଦେବେ ସେ ? ନିରାଶ କରି ଫେରାଇ ଦେବେ ?

 

ନା ସେ ତାଙ୍କ ସହିତ ଯିବେ । ସେ ଯେତେ ଖରାପ ହେଲେବି ତାଙ୍କ ଦୋକାନର ଜଣେ ଗ୍ରାହକ । ଆତ୍ମୀୟ ସମାନ ।

 

ମୁଁ ଆପଣଙ୍କ ସହିତ ଯିବି । ଆପଣଙ୍କ ନିମନ୍ତ୍ରଣ ରକ୍ଷା କରିବି । ଚାଲନ୍ତୁ । ଆପଣଙ୍କ ନିମନ୍ତ୍ରଣକୁ ଉପେକ୍ଷା କଲେ ଆପଣଙ୍କ ପ୍ରାଣରେ ଆଘାତ ଲାଗିବା ସଙ୍ଗେ ସଙ୍ଗେ ମୋ ପ୍ରାଣରେବି ଆଘାତ ଲାଗିବ ତାହା ମୁଁ ଭାବି ଚିନ୍ତି ଶେଷରେ ସ୍ଥିର କଲି ।

 

ମୋ’ କାମ ଜଞ୍ଜାଳରେ ବାଧା ଆସିଲେବି ମୁଁ ଆପଣଙ୍କ କଥା ରକ୍ଷା କରିବି । ଚାଲନ୍ତୁ ।

 

ଦିହେଁ ଉଠିଲେ ଗୋଟିଏ ରିକ୍‌ସା ଉପରକୁ ।

 

ରିକ୍‌ସା ଗଡ଼ି ଚାଲିଲା ରାସ୍ତା ଉପରେ । ବିକାଶ ଚିନ୍ତା କଲେ ଦୁଇଟି ମଣିଷକୁ ବୋହି ନେଉଥିବା ରିକ୍‍ସାବାଲା କେତେ କଷ୍ଟ ପାଉଛି । ଅଥଚ ବିକାଶଙ୍କ ମନ ରିକ୍‌ସାରେ ଶତାଧିକ ଲୋକ ବସିଛନ୍ତି ଆଉ ବିକାଶ ଟାଣୁଛନ୍ତି । ଟାଣି ଟାଣି କ୍ଳାନ୍ତ ହୋଇଗଲେବି, ବିରକ୍ତି ଅନୁଭବ କଲେବି ସେ କ୍ଳାନ୍ତି, ବିରକ୍ତିର ଅସହ୍ୟ ଯନ୍ତ୍ରଣାକୁ ଅନୁଭବ କରୁଛି କିଏ ? କେହି ନାହିଁ । ତା’ର ଉତ୍ତର ନିଜ ଭିତରେ ଏତେ ଦିନ ଧରି ପରାରିବି ପାଇ ନାହାଁନ୍ତି ବିକାଶ । ପାଇବେ ନାହିଁବି । ତା’ର କାରଣ ଏ’ ପ୍ରକାର ପ୍ରଶ୍ନର ଉତ୍ତର ତାଙ୍କୁ ଏ’ ସଂସାର ଦେବନାହିଁ । ପରର ଦୁଃଖ କଥା ଏ’ ପୃଥିବୀରେ କେତେ ଜଣ ଚିନ୍ତା କରନ୍ତି ? ଅନ୍ୟ ଲାଗି କେତେ ଜଣଙ୍କ ଆଖିରୁ ଲୁହ ବହେ ?

 

ଶିଳ୍ପୀ ପ୍ରାଣରେ ବ୍ୟଥା ଜାଗ୍ରତ ହେଲେ ସେ ଯେତେ ପ୍ରାଞ୍ଜଳ ବୁଝିପାରେ ଆଉ ଲୁହ ଝରାଇପାରେ; ସାଧାରଣ ମଣିଷ ସେତିକି ପାରେନା ।

 

ଯୁବକଙ୍କ ଅନୁରୋଧ ରକ୍ଷାକରି ଆଜି କଲେଜ ଯାଉଛନ୍ତି ବିକାଶ । ଶିଳ୍ପୀ ନ ହୋଇଥିଲେ କ’ଣ ତାଙ୍କ ହୃଦୟ କଥା ଏତେ ସହଜରେ ବୁଝି ପାରି ଥାଆନ୍ତେ ସେ ? ଅତି ସରଳ ଭାବରେ ମନା କରି ଦେଇ ଥାଆନ୍ତେ ତାଙ୍କ ନିମନ୍ତ୍ରଣକୁ ଉପେକ୍ଷା କରି । ମାତ୍ର ପାରିଲେ ନାହିଁ । କାରଣ ସେ ଶିଳ୍ପୀ ।

 

ଶିଳ୍ପୀ ବହୁ ଆଘାତର ନିଷ୍ପେଷଣରେ ନିଜକୁ ତିଳତିଳ କରି ହତ୍ୟା କରେ ସିନା, ସାମାନ୍ୟ ଆଘାତର ପ୍ରତିଛବି କାହା ମନରେ ଆଙ୍କିବାକୁ ଚେଷ୍ଟା କରେନା । ଭୁଲ୍‍ବଶତଃ ଆଙ୍କି ବସିଲେ ଆଖିରୁ ଲୁହ ବହେ । ଛାତିରୁ କୋହ ଉଠେ । ରକ୍ତମାଂସର ଶରୀର ଆଘାତ କଟୁରିରେ ହାଣି ହୋଇ କ୍ଷତବିକ୍ଷତ ରକ୍ତାକ୍ତ ହୋଇଯାଏ ।

 

କଲେଜର ଶତ ସହସ୍ର ଶିକ୍ଷିତ ଯୁବକ ଯୁବତୀଙ୍କ ଅପୂର୍ବ ସମାବେଶରେ ଆଜି କଳାଚର୍ଚ୍ଚା କରିବେ ବିକାଶ । ନିଜର ପ୍ରତିଭା ପରଦାକୁ ଜୀବନରେ ପ୍ରଥମ ଥରପାଇଁ ଏତେ ଲୋକଙ୍କ ଆଗରେ ଉନ୍ମୋଚିତ କରାଇବେ ।

 

କେତେ ଆନନ୍ଦ, କେତେ ଗୌରବ ! ଶିଳ୍ପୀ ପ୍ରାଣର ଏଇ ଗୌରବ ଟିକକ ପାଖରେ ପୃଥିବୀର ସବୁ କଥା ତୁଚ୍ଛ !

 

ପୁଣି ଭାବିଲେ ଏତେ ଆନନ୍ଦ ଅନୁଭବ କରିବାରେ କ’ଣ ଅଛି ତାଙ୍କର ? ଜନ୍ମ ତାଙ୍କର କୋଉଠି, ଜନ୍ମଦାତା କିଏ, ତାଙ୍କ ଜୀବନ ଇତିହାସ ସମ୍ପର୍କରେ ସେ ବିନ୍ଦୁବିସର୍ଗ କିଛି ଜାଣନ୍ତି ନାହିଁ । ସିତାରର କଳା ତାଙ୍କର ଶିକ୍ଷା । ମଦ ଦୋକାନର ମଦ ବୋତଲ ତାଙ୍କର ସଭ୍ୟତା, ସଂସ୍କୃତି । ଆଉ କଳାଗୁରୁ ତାଙ୍କର ରାମୁକାକା । ଏତେ ବଡ଼ ଦୁନିଆରେ ନିଜର ସ୍ଥିତି ସ୍ଥାୟୀତ୍ୱ ସମ୍ପର୍କରେ ସେ ସମ୍ପୂର୍ଣ୍ଣ ଅଜ୍ଞ । ତେଣୁ ଏ’ ଗୌରବ, ଗର୍ବ ତାଙ୍କର ପୂରାପୂରି ମୂଲ୍ୟହୀନ । କାହିଁକି ସେ ଆଜି ଯାଉଛନ୍ତି କଲେଜ ? କ’ଣ ବୋଲି ସେ ନିଜର ପରିଚୟ ଦେବେ ସେଠି ? କ’ଣପାଇଁ ସେ ଏତେ ସମ୍ମାନ ଓ ଗୌରବର ଅଧିକାର ହେବାକୁ ଚାହୁଁଛନ୍ତି ?

 

ବହୁ ପ୍ରଶ୍ନର ବୁମେରାଂରେ ନିଜକୁ ଆହତ କରିବାକୁ ଚେଷ୍ଟା କଲେ ବିକାଶ ।

 

ମନର ଲକ୍ଷ୍ୟସ୍ଥଳରେ ବୁମେରାଂ ବିଦ୍ଧ ହେଲା ନାହିଁ । ସାନ୍ତ୍ୱନାର ଉତ୍ତର ନେଇ ପୁଣି ଫେରି ଆସିଲା ଯାଇଥିବା ସ୍ଥଳରୁ ।

 

ବିକାଶ ଆଶ୍ଵସ୍ତ ହେଲେ କିଛି ନଥାଉ ତାଙ୍କର । ସେ’ ତ ଜଣେ ଶିଳ୍ପୀ ! ଶିଳ୍ପହିଁ ତାଙ୍କର ସବୁ କିଛି । ମାନବିକତାହିଁ ଶିଳ୍ପୀ ପ୍ରାଣର ଶିକ୍ଷା, ଦୀକ୍ଷା, ସଭ୍ୟତା, ସଂସ୍କୃତି । ତାକୁ’ଇ ନେଇ ତାଙ୍କର ଏତେ ଗୌରବ । ସେଇହିଁ ତାଙ୍କର ମାନସ ଚେତନା ।

 

କଲେଜ ଫାଟକ ପାଖରେ ରିକ୍‌‌ସା ଅଟକିଲା ଆସି । ଅବତରଣ କଲେ ଦିହେଁ । ଏଥିମଧ୍ୟରେ ବିକାଶ ନିଜର ପିନ୍ଧା ବେଶପୋଷାକକୁ ସଜାଡ଼ି ଦେଇ ଦେଖି ନେଲେ ଥରେ । କୋଚଟ ମଇଳା ଧୋତି ଓ ଅଠର ସିଆଁ ପଞ୍ଜାବି ଖଣ୍ଡିକ ବିଜୁଳି ଆଲୁଅରେ ତାଙ୍କୁ ଯେମିତି ଘର ସଫେଦ୍ ଦିଶୁଥିଲା ! ଏପରିକି ବିଜୁଳି ଆଲୁଅର ଶକ୍ତିଠୁବି ଅଧିକ ।

 

ସିତାରଟା କାନ୍ଧରେ ଝୁଲୁଛି ।

 

ରାସ୍ତା ଦେଖାଇ ନେଉଛନ୍ତି ଯୁବକ ଜଣକ ।

 

କଲେଜ ପ୍ରାଙ୍ଗଣ ଭିତରେ ତିଆରି ହୋଇଥିବା ମଞ୍ଚଟି ଦୂରରୁ ଦିଶୁଛି । ବେଶ୍ ଆଧୁନିତାରେ ସାଜସଜ୍ଜା ସୁସଜ୍ଜିତ କଳାମଞ୍ଚ ତାଙ୍କ ପ୍ରାଣରେ ବିଜୁଳିର ଶିହରଣ ଖେଳାଇ ଦେଲା । ସେ ମନେକଲେ ଏଇ ବୋଧହୁଏ ତାଙ୍କ ଜୀବନର ରଙ୍ଗମଞ୍ଚ ! ଏଠି ତାଙ୍କୁ ପ୍ରଥମ କରି ଅଭିନୟ କରିବାକୁ ପଡ଼ିବ । ଏତେ ଦିନ ଧରି ସେ ଜୀର୍ଣ୍ଣ ଗଳିର ଭଙ୍ଗା ଚାଳିଆ ଘରେ ଯେଉଁ ଅଭିନୟ କରି ଆସିଥିଲେ । ସେ ଅଭିନୟ ଥିଲା ଏକରୂପୀ । ଆଜି ସେ ସର୍ବପ୍ରଥମ ବହୁରୂପୀର ଅଭିନୟ କରିବେ-!

 

ଗ୍ରୀନ୍ ରୁମ୍ ଭିତରକୁ ଗଲେ ଉଭୟେ । ଯୁବକ ଜଣକ ବିକାଶଙ୍କୁ ପରିଚୟ କରାଇ ଦେଲେ; ଏ ମିସ୍ ଦୀପାନ୍ୱିତା । କଲେଜର ଦର୍ଶନତତ୍ତ୍ୱ ଅଧ୍ୟାପିକା । ମଞ୍ଚସ୍ଥ ହେଉଥିବା ନାଟକର ପରିଚାଳିକା ଓ ଦିଗ୍‌ଦର୍ଶିକା । ଅଭିନୟ ଓ ଗାଇବା କ୍ଷେତ୍ରରେ ବଡ଼ ସୁନାମ ରହିଛି । ଆପଣଙ୍କ ପରି କଳାପାଇଁ ନିଜକୁ ଉତ୍ସର୍ଗ କରିଛନ୍ତି ଇଏ ।

 

ଦୀପାନ୍ୱିତାର ହସନ୍ତ କୋମଳ ଓଠରେ କଇଁଫୁଲର ଶୋଭା ରାଶି ପ୍ରସ୍ଫୁଟିତ ହୋଇ ଉଠିଲା । ସେ ନମସ୍କାର ଜଣାଇ କହିଲା, ମୁଁ ଆପଣଙ୍କ ପ୍ରତିଭାର ପରିଚୟ ବହୁ ଆଗରୁ ପାଇଥିଲି-। ଖାଲି ପ୍ରତ୍ୟକ୍ଷରେ ଦେଖା ହେବାର କେବେ ସୁଯୋଗ ମିଳି ନଥିଲା ଯାହା । ଆଜି ମୋର ସୌଭଗ୍ୟ । ମୁଁ ଆଶା କରି ନଥିଲି, ଆପଣ ଆମ ସହିତ ଆସି ସତରେ ସହଯୋଗ କରିବେ-!

 

ଲଜ୍ଜାନମ୍ର ଚାହାଣିରେ ମୁହଁ ତଳକୁ କରି ବିକାଶ କହିଲେ ଆପଣମାନଙ୍କ ଦର୍ଶନ ଲାଭକରି ମୋ’ ଭଳି ଜଣେ ନ୍ୟୁନ ଲୋକର ସବୁ ଦିଗରୁ ବିକାଶ ହେଲା ବୋଲି ମୋର ବରଂ ଅଧିକ ସୌଭାଗ୍ୟ ମନେକରିବା କଥା ସିନା, ଆପଣଙ୍କର ସୌଭାଗ୍ୟ ମନେକରିବାର କ’ଣ ଅଛି ? କଳାକାର କେତୋଟି ସମ୍ମିଳିତ କଳାରେଖାର ବିନ୍ଦୁ । ଗୋଟିଏ ନଦୀର ସମ୍ମିଳିତ କେତୋଟି ଧାର । ଯିଏ କି ଗୋଟିଏ ବିନ୍ଦୁ ଠାରୁ ଗୋଟିଏ ନଦୀଠାରୁ ନିଜର ଗତିରେଖା ଆରମ୍ଭ କରି ପୁଣି ଆଉ ଗୋଟିଏ ନଦୀର କେନ୍ଦ୍ରସ୍ଥଳରେ ନିଜକୁ ଉତ୍ସର୍ଗ କରିଛି । କଳାଲାଗି କଳାକାରକୁ ଆପଣ ଯେଉଁଠିକି ଟାଣିବେ, ସେଠିକି ଟାଣି ହୋଇ ଚାଲିଯିବେ ।

 

ଏଇ ଦେଖନ୍ତୁ, ମୁଁ ଯେମିତି ଏଠିକି ଟାଣି ହୋଇ ଆସିଲି ! ଦୀପାନ୍ୱିତାର ପ୍ରାଣରେ ଆନନ୍ଦର ଅଜସ୍ର ଢେଉ ଅତଡ଼ା ମାରୁଛି । ମନେ କରୁଛି, ବିକାଶଙ୍କ ଚରିତ୍ରର ରହସ୍ୟ ଭିତରେ ସେ ନିଜକୁ ହଜାଇ ଦେଇଛି । ସତରେ ବିକାଶ କ’ଣ ? ପାଗଳ ନା ମହାନ୍ ।

 

ଅନେକ ଅବାନ୍ତର ଚିନ୍ତା । ଗୋଟିକ ପରେ ଗୋଟିଏ ପହଁରି ବୁଲୁଛନ୍ତି ଦୀପାନ୍ୱିତାର ପ୍ରାଣ ପୋଖରୀରେ ।

 

କ’ଣ ଦେଖୁଛନ୍ତି ?

 

ପ୍ରଶ୍ନ କଲେ ବିକାଶ ।

 

ଅପ୍ରତିଭ ହେଲା ଦୀପାନ୍ୱିତା । କହିଲା, ନା, କିଛି ନୁହେଁ । ଶୁଣୁଛି କେବଳ ଆପଣଙ୍କ କଥାକୁ । ଦେଖୁଛି ଆମର କଳାକୁ । ଦେଶ, ଜାତିର ସଭ୍ୟତା, ସଂସ୍କୃତିକୁ ।

 

ବିକାଶ କହିଲେ କିଛି ନୂତନ ତଥ୍ୟ ନାହିଁ । ସବୁ ସେଇ ପୁରୁଣା କାହାଣୀ । କଳା ଠିକ୍ ଏଇଆ । ଆଉ ଦେଶ, ଜାତିର ସଭ୍ୟତା, ସଂସ୍କୃତି ଠିକ୍ କଳାକାରର ଜୀବନ ପରି । ଭାରି କରୁଣ । ଅତିଶୟ ବେଦନା ସିକ୍ତ ।

 

ଦୀପାନ୍ୱିତା ମୁହଁର ଟିପାଖାତାରେ ବିକାଶଙ୍କ ଏଇ କଥା କେତେ ପଦ ଯେମିତି ଲେଖି ହୋଇ ଯାଉଛି ! ବିଷଣ୍ଣତାର ଛୋଟ ବାଦଲ ଖଣ୍ଡଟିଏ ଯେପରିକି ଦେହସାରା ଘୋଡ଼ାଇ ହୋଇ ଆସୁଛି ଦୀପାନ୍ୱିତାର ।

 

ସବୁ କଳାକାରର ଜୀବନରେ କ’ଣ ଏମିତି କିଛି କିଛି ଥାଏ ? ନିର୍ଯାତନା ବିନା କଳାର ସୃଷ୍ଟି, ସ୍ଥିତି କ’ଣ ଅସମ୍ଭବ ? ଦୁଃଖ, ଲୁହର ମୂର୍ତ୍ତିମନ୍ତ ଅବତାର ଗୋଟିଏ ହୋଇ କଳାକାରକୁ ଏ’ ପୃଥିବୀରେ ଜନ୍ମ ନେବାକୁ ପଡ଼େ ? କାହିଁକି ବିକାଶବାବୁ ? ଅଭିଶପ୍ତ । କାହିଁକି କଳାକାରର ଜୀବନ ?

 

ଆପଣଙ୍କ ଉତ୍ତର ଆପଣ ନିଜେ ଦେଇଛନ୍ତି ଦୀପାଦେବୀ । ବିନା ନିର୍ଯାତନାରେ କଳା ଯେମିତି ପୂର୍ଣ୍ଣତା ତା’ର ପାଏ ନାହିଁ । ଆପଣ ଶିଳ୍ପୀ ବିକାଶବାବୁ । ଆପଣଙ୍କ ଜୀବନ ଅନୁଭୂତିରେ ସେମିତି ଅନେକ କିଛି ଥିବ । ଏ’ ନିର୍ଜନ କୋଠରୀ, ଶୂନ୍ୟ ମୁହୂର୍ତ୍ତକୁ ନିଜର ଜୀବନ କଥାରେ ପୂର୍ଣ୍ଣ କରନ୍ତୁ ! ମୁଁ କଳାର ପୂଜାରିଣୀଟିଏ । ମୋ’ ଆଗରେ କହିଲେ ଆପଣଙ୍କର କ’ଣ କ୍ଷତି ହେବ ?

 

କ’ଣ କହିବେ ବିକାଶ ? କିଛି କ’ଣ ଅଛି ତାଙ୍କ ଜୀବନରେ ଦୀପାନ୍ୱିତାର ନିର୍ଜନ କୋଠରୀ, ଶୂନ୍ୟ ମୁହୂର୍ତ୍ତକୁ ପୂର୍ଣ୍ଣ କରି ପାରିଲା ଭଳି ?

 

ଓଠ ତାଙ୍କର ବେଦନା ଓ କାରୁଣ୍ୟର ସଂମିଶ୍ରଣରେ ଥରି ଉଠିଲା ।

 

ଦୀପାନ୍ୱିତା ବୁଝି ପାରିଲା ବିକାଶଙ୍କର ଏ’ ଅପ୍ରତିଭତାକୁ । ଭାରି ବିବ୍ରତ କଣ୍ଠରେ ସେ କହିଲା, କ୍ଷମା କରନ୍ତୁ ମୁଁ ଆପଣଙ୍କ ସମ୍ପର୍କରେ ତ ବିଶେଷ କିଛି ଜାଣି ନଥିଲି । ତେଣୁ ଗୋଟିଏ ଅଲକ୍ଷ୍ୟରେ ଏମିତି ପଚାରି ପକାଇଲି । ମୋ’ କଥାକୁ ଆପଣ ଧରିବେ ନାହିଁ ।

 

ଦୀପାନ୍ୱିତାର କଥାରେ ବିକାଶଙ୍କ ଆଖିରେ ଲୁହ ଭରି ଆସିଲା । ବିକାଶଙ୍କ ଦି’ ହାତକୁ ଜାବୁଡ଼ିଧରି ଭଙ୍ଗା ସ୍ୱରରେ ପୁଣି ଦୀପାନ୍ୱିତା କହିଲା, ଏମିତି ପରିସ୍ଥିତି ସୃଷ୍ଟି ହେବାର ଜାଣିଥିଲେ ମୁଁ ଆଦୌ ଏ ପ୍ରକାର ପ୍ରଶ୍ନ କରି ନ ଥାନ୍ତି । ଏଥିପାଇଁ ମୁଁ ନିଜେ ଅନୁତପ୍ତ ।

 

ବିକାଶ ଦୀପାନ୍ୱିତାର କଥା ଯେମିତି ଶୁଣି ପାରୁନାହାଁନ୍ତି ! ସେ ଅନୁଭବ କରୁଛନ୍ତି, ତାଙ୍କର ସମଗ୍ର ଶରୀରରେ ଗୋଟାଏ କମ୍ପନ ଖେଳି ଯାଉଛି ! ସେ ନୂଆ କରି କିଛି ଅନୁଭବ କରୁଛନ୍ତି ! ପ୍ରଥମ କରି ନାରୀର ସ୍ପର୍ଶ ପାଉଛନ୍ତି !

 

ଅସଂଗତ ମନେ କଲେ ବିକାଶ । ଏ’ କ’ଣ ସତରେ ଦୀପାନ୍ୱିତାଙ୍କ ଆଭ୍ୟନ୍ତରିଣ ସ୍ୱର-? ଅଧ୍ୟାପିକା ଦୀପାନ୍ୱିତା ଏ’ ସବୁ କହୁଛନ୍ତି ?

 

ବିଶ୍ଵାସ କରିପାରୁ ନଥିଲେ ସେ ।

 

ଟିକିଏ ଆଗରେ ସେ ଭଦ୍ରଲୋକ ଠିଆ ହୋଇଛନ୍ତି । ଅନ୍ୟମାନେ ନିଜ ନିଜ କାମରେ ଲାଗି ପଡ଼ିଛନ୍ତି । ହୁଏତ କାର୍ଯ୍ୟବ୍ୟସ୍ତ ରହି କେହି ଦେଖି ପାରି ନାହାଁନ୍ତି ଏତାଦୃଶ ଅଭିନୟକୁ ତାଙ୍କର । ନଚେତ୍ କ’ଣ ମନେ କରନ୍ତେ ସେମାନେ ? ଏ’ ଭଦ୍ରମହିଳା କ’ଣ ଏତେ ଉଚ୍ଛୃଙ୍ଖଳ ? ଜଣେ ଅଧ୍ୟାପିକା ହୋଇ-ବି ଏତେ ଟିକିଏ ସାଧାରଣଜ୍ଞାନ ନାହିଁ ? ଆତ୍ମସମ୍ମାନ ନାହିଁ ?

 

ମନେମନେ ବିଚାରି ଯାଉଥିଲେ ବିକାଶ ।

 

ନାଟକ ଆରମ୍ଭର ପ୍ରଥମ ଘଣ୍ଟା ବାଜିଲା ।

 

ଦୀପାନ୍ୱିତା ହାତଛଡ଼ାଇ ନେଲା ବିକାଶଙ୍କ ହାତରୁ ।

 

ଆପଣଙ୍କ ମନରେ ବହୁତ କଷ୍ଟ ଦେଲି ଆଜି । ସେଥିପାଇଁ ମୁଁ ନିଜେବି ଭାରି ଅନୁତପ୍ତ । କ’ଣ କହି ଆପଣଙ୍କ ମନରେ ସାନ୍ତ୍ୱନା ଦେବି, ବୁଝି ପାରୁନି ।

 

ମନର କଥା ମନରେ ଚାପି ରଖି ବିକାଶ କହିଲେ, ଆପଣ ଏଥିଲାଗି ବ୍ୟସ୍ତ ହେଉଛନ୍ତି କାହିଁକି ? ଆଘାତ ପ୍ରାପ୍ତ ମଣିଷ ଟିକିଏ ସମ୍ବେଦନା ପାଇଲେ ଏମିତି କାନ୍ଧି ପକାଏ । ଲୋତକ ଗ୍ରନ୍ଥି ତା’ର ବିନା ଦ୍ଵିଧାରେ ଏପରି ଉଚ୍ଛୁଳି ଉଠେ । ମୁଁ ନିଜେବି ଜାଣି ପାରୁନି, କେଜାଣି କାହିଁକି ମୋ’ ଆଖିକୁ ଆପେଆପେ ଲୁହ ଆସିଗଲା ଆପଣଙ୍କ କଥାରେ । ଏ’ ସିନା ମୋର ନିଜର ଭୁଲ୍ । ଆପଣଙ୍କର କ’ଣ ଅଛି ? ଚାଲନ୍ତୁ, ନାଟକ ଆରମ୍ଭ ସମୟ ହୋଇ ଗଲାଣି । ସେଠି ଆପଣଙ୍କୁ କେହି କେହି ଅପେକ୍ଷା କରିଥିବେ !

 

କିଛି ଉତ୍ତର ନଦେଇ ଦୀପାନ୍ୱିତା ଚାଲିଲା ମଞ୍ଚ ଆଡ଼କୁ । ଦ୍ଵିତୀୟ ଘଣ୍ଟାର ସଂକେତ ପରେ ସଙ୍ଗୀତ ଆସର ଜମି ଉଠିଲା । ବିକାଶ ସ୍ୱର ଉତ୍ତୋଳନ କଲେ ସିତାରରେ । ଦୀପାନ୍ୱିତା କଣ୍ଠ ସଙ୍ଗୀତ ପରିବେଷଣ କଲା ସିତାର ସହିତ ସ୍ୱର ମିଶାଇ ।

 

ସ୍ତବ୍ଧ ହୋଇଗଲା ମଞ୍ଚ । ବାହାରୁ ଦର୍ଶକଙ୍କର କୋଳାହଳ କମି ଆସିଲା । ଅଭିନୟକାରୀମାନେ ରଙ୍ଗ ବୋଳା ଛାଡ଼ି ଧାଇଁ ଆସିଲେ ତାଙ୍କ ପାଖକୁ । କି’ ଶ୍ରୁତିବ୍ୟଞ୍ଜକ ସେ ସ୍ଵର-! କି’ କରୁଣ ଓ ମଧୁର ବୋଳା ରାଗିଣୀ !

 

ବିଭୋର ହୋଇ ଯାଇଥିଲା ଦୀପାନ୍ୱିତା । ବିଭୋର ହୋଇ ଯାଇଥିଲେ ବିକାଶ । ଦୀର୍ଘ ତିନି ଘଣ୍ଟା ସିତାର ବଜାଇବା ପରେ କ୍ଳାନ୍ତଶ୍ରାନ୍ତ ବିକାଶ ଆତିଥ୍ୟ ଘେନିଥିଲେ ନିମନ୍ତ୍ରଣ ରକ୍ଷାକରି । ଫେରିବାକୁ ଯେତେବେଳେ ସେ ପ୍ରସ୍ତୁତ ହେଲେ, ତାଙ୍କ ପାଦକୁ ଯେପରି କେହି ଟାଣି ଧରିଲା ! ସେ ମନେକଲେ, ବହୁ ବର୍ଷଧରି କାହା ଅନୁରୋଧରେ ସିତାର ବଜାଇ ବଜାଇ କ୍ଳାନ୍ତ ହୋଇ ପଡ଼ିଛନ୍ତି ଶିଳ୍ପୀ । ସେ ଅନୁରୋଧକାରିଣୀ କିଏ ? ଅଧ୍ୟାପିକା ଦୀପାନ୍ୱିତା ?

 

ଦୀପାନ୍ୱିତା କ’ଣ ତାଙ୍କ ପାଦକୁ ଟାଣି ଧରିଛନ୍ତି ସତରେ ? ତାଙ୍କ ମନତଳେ ଏତେ ସ୍ଥାନ ଆବୋରି ବସିଛନ୍ତି ଏଇ ଅଳ୍ପ ସମୟ ଭିତରେ ? କିନ୍ତୁ ସେ’ତ ଦିପାନ୍ୱିତାଙ୍କ ମନତଳେ ସ୍ଥାନ ଆବୋରି ବସି ନାହାନ୍ତି ?

 

ଆନ୍ଦୋଳନ ସୃଷ୍ଟି ହେଲା ହୃଦୟ ଭିତରେ । ମିଛ କହୁଛନ୍ତି ବିକାଶ ? ସେ ଦୀପାନ୍ୱିତାର ମନ ଭିତରେ ସ୍ଥାନ ଆବୋରି ବସି ନାହାଁନ୍ତି ? ସେ ବସିଛନ୍ତି । ଏକାନ୍ତ ନିବିଡ଼ ଭାବରେ ବସିଛନ୍ତି । ସେ ନିବିଡ଼ତା ଏତେ ଦୃଢ଼ ଯେ ସେ କଥା କାହା ଆଗରେ ପ୍ରକାଶ କରିବା ସମ୍ଭବ ହୋଇ ପାରେନା ତାଙ୍କର । ଏଇ କିଛିକ୍ଷଣ ପୂର୍ବେ ଦୀପାନ୍ୱିତା ସମ୍ପର୍କରେ ସେ ଯାହା ଚିନ୍ତା କରିଥିଲେ, ମନେମନେ ବିଚାରି ଯାଉଥିଲେ, ସବୁଥିଲା ମିଥ୍ୟା, ଛଳନା, ପ୍ରବଞ୍ଚନା ।

 

ଶିଳ୍ପୀ ବିକାଶଙ୍କ ପ୍ରାଣରେ ଭଲ ପାଇବାର ଆଲୋଡ଼ନ ସୃଷ୍ଟି କରିଛି ଦୀପାନ୍ୱିତା । ପ୍ରେମର ଉପନ୍ୟାସ ସର୍ଜନା କରିଛି । ତାଙ୍କ ଜୀବନ କାବ୍ୟର ମୁଖବନ୍ଧ ଲେଖିବାପାଇଁ କେବଳ ଏକମାତ୍ର ଯୋଗ୍ୟ ଦୀପାନ୍ୱିତା । ଦୀପାନ୍ୱିତା ଛଡ଼ା ସେ ଆଉ କାହାକୁ ଚାହାଁନ୍ତି ନାହିଁ । ଦୀପାନ୍ୱିତା ବିନା ତାଙ୍କର ବଞ୍ଚିବାବି ଅସମ୍ଭବ ହୋଇ ପଡ଼ିବ ଏଥର ।

 

ଦୀର୍ଘ ଏତେ ଦିନ ପରେ ବିକାଶଙ୍କ ହୃଦୟ ଉଦ୍ୟାନରେ ପ୍ରେମର କେତୋଟି କ୍ଷୁଦ୍ର ଚାରାଗଛ ଲଗାଇଛି ଦୀପାନ୍ୱିତା । ସେ କ’ଣ ବଞ୍ଚିବ ? ନିତି ପ୍ରତି ସକାଳ ସନ୍ଧ୍ୟାରେ ନିୟମିତ ଭାବରେ ପାଣି ଢାଳିଲେ ସେ କ’ଣ ବଢ଼ି ବଢ଼ି ମହାଦ୍ରୁମରେ ପରିଣତ ହୋଇପାରିବ ?

ବହୁ ଅବ୍ୟକ୍ତ, ଅସମ୍ଭବ ପ୍ରଶ୍ନ ଉଙ୍କି ମାରୁଛି ବିକାଶଙ୍କ ମନରେ ।

ପ୍ରେମ !

କ’ଣ ସୃଷ୍ଟି କରାଯାଏ ? ବଳେ ବଳେ ସୃଷ୍ଟି ହୁଏ । ତା’ର ସର୍ଜନା ଲାଗି ବର୍ଷ ବର୍ଷ, କାଳ କାଳ, ଜନ୍ମ ସମୟ ଲାଗେନି । ମୁହୂର୍ତ୍ତକର ପ୍ରାଣ ଦିଆନିଆରେ, ଆଖି ଆଖି ମିଳନରେ ସୃଷ୍ଟି ହୁଏ । ଯେମିତିକି ସୃଷ୍ଟି ହୋଇଛି ବିକାଶଙ୍କ ମନରେ ।

ଆଉ ଦୀପାନ୍ୱିତା !

ତା’ ମନରେ କ’ଣ କିଛି ସୃଷ୍ଟି ହୋଇ ନାହିଁ ? ତା’ର ହୃଦୟ କ’ଣ ଆଲୋଡ଼ିତ, ଆନ୍ଦୋଳିତ ହୋଇ ନାହିଁ ? ସେ କିଛି ଅନୁଭବ କରିନାହିଁ ? କେବଳ ଅନୁଭବ କରିଛନ୍ତି ବିକାଶ ?

କି’ ଅବାନ୍ତର, ଅସଂଗତ ପରିକଳ୍ପନା ଜନ୍ମ ନେଇଛି ତାଙ୍କ ମନରେ ! କାହିଁ ଆକାଶ ! କାହିଁ ପୃଥିବୀ ! ମିଳନ କେବେ ସମ୍ଭବ ହେଲାଣି ? ବ୍ୟବଧାନ କ’ଣ ଦୂରେଇ ଗଲାଣି ? ଯାଇ ନାହିଁ । କେବେବି ଯିବ ନାହିଁ । କଦାପି ତାଙ୍କର ମିଳନ ସମ୍ଭବ ହେବ ନାହିଁ । ଏମିତି ଖାଲି ପ୍ରତୀକ୍ଷା-। ହା-ହୁତାଶଭରା ପ୍ରତୀକ୍ଷା । ବିକାଶ କ’ଣ ଏମିତି ପ୍ରତୀକ୍ଷାରେ ରହିଯିବେ ତାହାହେଲେ-?

 

କି' ନୀଚ ମନୋବୃତ୍ତିର ବିକାଶ ! ଏମିତି ତ କେବେ ଅନୁଭବ କରି ନଥିଲେ ସେ । ଆଜି କାହିଁକି କରୁଛନ୍ତି ? କ’ଣ ହୋଇଛି ତାଙ୍କର ଆଜି ? ଆମନ୍ତ୍ରଣ ରକ୍ଷା କରି ସେ ଯେମିତି ଭଦ୍ରୋଚିତ ଭାବରେ ଏଠିକି ଆସିଛନ୍ତି, ତା’ର କ’ଣ ମୂଲ୍ୟ ଦେଉଛନ୍ତି ଏମିତି ଭାବରେ ? କୁତ୍ସିତ, କଦାକାର ପରିକଳ୍ପନା ଭିତରେ ?

 

ଦୀପାନ୍ୱିତା ! କାହିଁକି ତମେ ମୋ’ ମନର ଶୁଷ୍କ ମରୁପ୍ରାନ୍ତର ଭିତରେ ସ୍ରୋତସ୍ୱିନୀ ଜନ୍ମ କଲ ? କାହିଁକି ତମେ ମୋ’ ପ୍ରାଣର ମରୁଉଦ୍ୟାନରେ ପୃଥିବୀରୁ ସମସ୍ତ ଚାରାଗଛ ଉପାଡ଼ି ନେଇ ରୋପଣ କରାଇଲ ? କାହିଁକି ଏ ସବୁ କଲ ଦୀପାନ୍ୱିତା ! କିଏ ଏଥିପାଇଁ ଦାୟୀ ? କିନ୍ତୁ ତମେ କ’ଣ ନିଜକୁ ଦୋଷୀ ସାବ୍ୟସ୍ତ କରିବ ? ତମେ କ’ଣ ସ୍ଵୀକାର କରିବ ଯେ, ପ୍ରେମଉତ୍ସର ସରୁ ଧାରାଟିଏ ତମେହିଁ ମୋ’ ଭିତରେ ପ୍ରବାହିତ କରିଛ ! ତମେ ଅଧ୍ୟାପିକା । କିନ୍ତୁ ମୁଁ ଗୋଟିଏ ମୂର୍ଖ, ଅଶିକ୍ଷିତ, ଅର୍ବାଚୀନ । ମୋର ଶିକ୍ଷାଗତ ଯୋଗ୍ୟତାର ଛକ ଘରେ ଶୂନ ପଡ଼ିଛି । ତଥାପି ମୁଁ ଏ’ ସବୁ ଅନୁଭବ କରୁଛି । ବୟସ ଆସିଲେ ସମସ୍ତେ ଏ କଥାଟି ଅନୁଭବ କରନ୍ତି । କିନ୍ତୁ ଦୀପାନ୍ୱିତା ! ତମର କ’ଣ ବୟସ ଆସିନି ? ତମ ମନର ରଙ୍ଗୀନ ପ୍ରଜାପତିର ଡେଣାରେ କ’ଣ ମଧୁର ସ୍ପର୍ଶ ଲାଗି ଲାଗି ନାହିଁ ? ତମ ଆଖିର ଆକାଶରେ ଥରେ ହେଲେ ଇନ୍ଦ୍ରଧନୁର ଫୁଲ ଫୁଟିନାହିଁ ?

 

ଦୀପାନ୍ୱିତା... । ଦୀପା... ନ୍ୱିତା ! ଦୀ... ପା ... ନ୍ୱି....ତା ? କୁହ ଦୀପାନ୍ୱିତା ! ତମେ ଜୀବନରେ ଅନେକ ଜଟିଳ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛ । ଅଥଚ ମୋର ଏଇ ସାମାନ୍ୟ ସରଳ ପ୍ରଶ୍ନରେ ଆଜି ତମେ ହାରିଯିବ ?

 

ଅନ୍ତରର ପ୍ରତିଧ୍ୱନି କେବଳ ଏଇ ପ୍ରଶ୍ନର ଉତ୍ତର ବାରମ୍ବାର ମାଗୁଥିଲା ।

 

ପ୍ରକୃତିସ୍ଥ ହେଲେ ବିକାଶ । ଦୀପାନ୍ୱିତା କହୁଛି, ଚାଲନ୍ତୁ, ଆଜି ଆମ ଘରେ ରହିଯିବେ । ଅନେକ ରାତି ହେଲାଣି । ସକାଳେ ଆପଣଙ୍କୁ ଯଥା ଯଥାସମୟରେ ପହଞ୍ଚାଇ ଦିଆଯିବ ।

 

ବିକାଶ ମନା କଲେ । କହିଲେ, ଅନେକ କଷ୍ଟ ପାଇଲେଣି ଆପଣ ଆଜି ମୋ’ ଲାଗି । ଆପଣଙ୍କ ଅନୁରୋଧ ରଖି ଏଣେ ଚାଲି ଆସିଥିବାରୁ ସେ ପାଖର କାମ ମୋର ଅନେକ ବାକି ପଡ଼ିଛି । ମୋ’ ଅନୁପସ୍ଥିତିରେ ଅନେକବି ବ୍ୟସ୍ତ ହେଉଥିବେ । ମତେ ଆଉ ବାଧା ଦିଅନ୍ତୁ ନାହିଁ । ଆବଶ୍ୟକବେଳେ ପୁଣି ଆପଣଙ୍କ କାମରେ ଆସି ଲାଗିବି ଯେ !

 

ହାତ ଯୋଡ଼ିଲେ ବିକାଶ । ତଳୁ ଉଠାଇ ନେଇ ସିତାରଟିକୁ ଝୁଲାଇ ଦେଲେ କାନ୍ଧରେ ।

 

ଗ୍ରୀନ୍ ରୁମ୍ ନିର୍ଜନ । ନାଟକ ଶେଷ ପରେ ରଙ୍ଗ, କଳା ଛଡ଼ାଇ ଯିଏ ଯାହା ବାଟରେ ଚାଲିଗଲେଣି । ବାହାରେ ବସିଛନ୍ତି କେବଳ କେତେଜଣ ଛାତ୍ରୀ ଦୀପାନ୍ୱିତାର ଅପେକ୍ଷାରେ । କଲେଜ ଗ୍ରାଉଣ୍ଡ୍‍ରେ ଡ୍ରାଇଭର ଅପେକ୍ଷା କରିଥିବ ଦୀପାନ୍ୱିତାକୁ ନେବାପାଇଁ । ବିକାଶ ତରତର ହେଉଛନ୍ତି ଯିବାକୁ ।

 

ଦୀପାନ୍ୱିତାର ଓଠ ଥରି ଉଠିଲା । ଆଖି ଛଳଛଳ ହୋଇ ଆସିଲା । ଥରିଲା ଓଠରେ ଲୁହ ଗଡ଼ାଇ ଗଡ଼ାଇ କହିଲା, ବିକାଶବାବୁ, ମୁଁ ଆପଣଙ୍କ କଥାର ହଁ ପୁନରାବୃତ୍ତି କରୁଛି । କାହିଁକି କେଜାଣି ଏଇ କେତୋଟି ମୁହୂର୍ତ୍ତ ଭିତରେ ଆପଣଙ୍କ ପାଇଁ ମୋ’ ମନରେ ଅଜସ୍ର ସହାନୁଭୂତି, ସ୍ନେହ, ମାୟା-ମମତା ଆଉ–ଅଟକି ଗଲା ଦୀପାନ୍ୱିତା । କହିପାରିଲା ନାହିଁ ପ୍ରେମ ଶବ୍ଦ ଉଚ୍ଚାରଣ କରି । କାଳେ ବିକାଶବାବୁ କ’ଣ ମନେକରିବେ !

 

ନା, ସେ ପଦକ କହି ପାରିବ ନାହିଁ । ମନ ଭିତରେ ଶବ୍ଦଟିକୁ ଲୁଚାଇବାକୁ ଯାଇ ସେ ଲଜ୍ଜା, ସଙ୍କୋଚରେ କାନ୍ଦି ପକାଇଲା । ଯେପରି ସେ ଶବ୍ଦଟି ତା’ ମନ ଭିତରର ପ୍ରତ୍ୟେକ ସ୍ତରକୁ ଖୋଳି ବିଦାରି ପକାଉଛି !

 

ଆରେ ଆପଣ କାନ୍ଦୁଛନ୍ତି ? ମୁଁ କ’ଣ ଆଉ ଦେଖା ହେବି ନାହିଁ ? ଏତିକିରେ ଆମର ଦେଖା, ସାକ୍ଷାତ ସ୍ନେହ, ସମ୍ପର୍କ ହୋଇଗଲା ? ଆହୁରି ଅନେକଥର ଦେଖା ହେବ । ଆଜି ପରିଚୟର ଭିତ୍ତି ପଡ଼ିଲା । ପୁଣି ସମ୍ପର୍କର କୋଠା ତିଆରି ହେବ ଯେ ! ମୁଁ ଯାଉଛି କୁଆଡ଼େ ? ଆପଣଙ୍କ ପାଖେପାଖେ ଅଛି ପରା !

 

ବୁଝାଇବା କଣ୍ଠରେ ଆଶ୍ୱାସନା ଭାବ ଫୁଟାଇ କହିଲେ ବିକାଶ ।

 

ପଣତ କାନିରେ ଲୁହ ପୋଛି ଦୀପାନ୍ୱିତା କହିଲା, ସତରେ ଆପଣ ବୁଝି ପାରିବେନି, ମୋ’ ମନରେ ଆପଣଙ୍କ ପାଇଁ ଏଇ କେତେ ମୁହୂର୍ତ୍ତ ଭିତରେ ଯାହା ସୃଷ୍ଟି ହୋଇଛି, କେମିତି କହିବି-? କେମିତି ବୁଝାଇବି ଆପଣଙ୍କୁ ?

 

ଲଜ୍ଜାରେ କଥା ଏଡ଼ାଇବାକୁ ଚେଷ୍ଟା କରି ବିକାଶ କହିଲେ, ଏତିକି ଯଥେଷ୍ଟ ମୋ’ପାଇଁ-। ଏଇ ସମ୍ପର୍କ ମୋ’ପାଇଁ ସବୁଦିନ ସାଇତା ଥାଉ ଆପଣଙ୍କ ଭିତରେ ।

 

ବିକାଶ ସିନା ମୁହଁର ଭାଷାରେ ଏତିକି କହିଲେ, ମନତଳେ କୋହର ଯେଉଁ ଅମାନିଆ ଢେଉ ଚିନ୍ତାର ବେଳାଭୂମି ଅତିକ୍ରମ କରି ଘର୍ଘର ଶବ୍ଦରେ ଉଛୁଳି ଉଠୁଥିଲା, ସେଥିରେ ସେ ଉପାୟର ନୌକା ଓ କାତଶୂନ୍ୟ ହୋଇ ପଡ଼ୁଥିଲେ ।

 

ଦୀପାନ୍ୱିତା କହିଲା, ଆମ ଗାଡ଼ି ଆପଣଙ୍କୁ ନେଇ ଆପଣଙ୍କ ବସାରେ ଛାଡ଼ି ଆସିବ । ଆପଣ ରହନ୍ତି କେଉଠି ? ରାତି ଅନେକ ହେଲାଣି । ଏ’ ସହରରେ ମାତାଲମାନଙ୍କ ସଂଖ୍ୟା ଟିକିଏ ଅଧିକ ନା । ସେଥିଲାଗି ରାସ୍ତାରେ କିଛି ଅସୁବିଧା ହୋଇପାରେ !

 

ମୁହଁରେ ହସର କଳି ନ ଫୁଟାଇଲେ ମଧ୍ୟ ଅନ୍ତରତଳେ ଖୁବ୍ ଜୋରରେ ହସି ଉଠୁଥିଲେ ବିକାଶ । ସେ ମନେ କରୁଥିଲେ, ସେ ଯେମିତି ଏଇ ନାଟକରୁ କେଉଁ ଅଭିନେତାର ହସଟିକକ ଛଡ଼ାଇ ଆଣିଛନ୍ତି ! ପ୍ରଥମେ ରିହର୍ସାଲ । ତା’ପରେ ମଞ୍ଚରେ ଅଭିନୟ । ପୁଣି ଆଗାମୀ ପ୍ରସ୍ତୁତିପାଇଁ ପୁର୍ନଅଭିନୟ କରୁଛନ୍ତି ସେ ।

 

ଦୀପାନ୍ୱିତା କହୁଛନ୍ତି, ଏ' ସହରରେ ମାତାଲମାନଙ୍କ ସଂଖ୍ୟା ବେଶି । କିନ୍ତୁ ମାତାଲମାନଙ୍କ ସମାରୋହରେ ପ୍ରତ୍ୟହ ଯେ ସେ ତାଙ୍କର ଜୀବିକା ସମ୍ମିଳନୀ ବସାନ୍ତି; ଦୀପାନ୍ୱିତା ଜାଣିବେ କେମିତି ? ଆଉ ତା’ ବ୍ୟତୀତ ବିକାଶ କି’ ଠିକଣା ଦେବେ ତାଙ୍କର ? କେଉଁଠି ରହନ୍ତି ବୋଲି କହିବେ ? ସେଇ କୁଖ୍ୟାତ ଅନାମଧେୟ ଜୀର୍ଣ୍ଣ ଗଳିର ମଦ୍ୟ ଦୋକାନର ବିକ୍ରେତା ବୋଲି ପରିଚୟ ଦେବେ ସେ ନିଜକୁ ? କହିବେ ଯେ ମାତାଲମାନଙ୍କ ଆଡ଼ାସ୍ଥଳୀ ତାଙ୍କ ବାସସ୍ଥଳୀ ବୋଲି-? ନା, କହିବେ ନାହିଁ ସେ । ଯେଉଁମାନେ ଏତେ ଶୀର୍ଷରେ ତାଙ୍କୁ ତୋଳି ଧରିଛନ୍ତି, ସେମାନଙ୍କ ଆଗରେ ସେ ନ୍ୟୁନତା ପ୍ରକାଶ କରିବେ ନାହିଁ ।

 

ବିକାଶଙ୍କ ଅନ୍ୟମନସ୍କତା ଲକ୍ଷ୍ୟ କରି ଦୀପାନ୍ୱିତା କହିଲା, ଆପଣ ଯାହା କହନ୍ତୁ, କଳାକାରମାନେହିଁ ଖୁବ୍ ଭାବପ୍ରବଣ । ଛୋଟ ଛୋଟ କଥାରେ ଏତେ ତାଙ୍କର ପ୍ରବଣତା ଆସିଯାଏ, ସାଧାରଣ ମଣିଷ ସେ କଥା ବୁଝିବା ବା ଅନୁଭବ କରିବା କଷ୍ଟକର ହୋଇ ପଡ଼େ ।

 

ବିକାଶ ନିଜର ଦୁର୍ବଳତାକୁ ଲୁଚାଇବାକୁ ଯାଇ କହିଲେ, ନା, ଏ’ ଆଦୌ ଭାବପ୍ରବଣତା ନୁହେଁ । ପ୍ରତି କଥାକୁ ଯଦି ଆପଣ ଏମିତି ଭାବପ୍ରବଣତା ବିଚାରିବେ, ତେବେ ଶିଳ୍ପୀ ଆଉ କୌଣସି କଥା ଚିନ୍ତା କରିପାରିବ ନାହିଁ । ସବୁକୁ ବାଦ୍ ଦେଇ ଖାମ୍‍ଖିଆଲି ଭାବରେ ଚାଲିଗଲେ ଏ’ ଜନ୍ମରେ ତା’ର ଅନେକ କଥା ବାକି ରହିଯିବ ।

 

ହଁ, ଅନେକ ଅନୁଭୂତିରେ ଏମିତି ତ୍ରୁଟି ରହିଯାଏ ବେଳେବେଳେ । ଆପଣ କିଛି ମନେ କଲେ ନାହିଁ ତ ?

 

ଏଥିରେ ମନେକରିବାର କ’ଣ ଅଛି ? ବରଂ ମୁଁ ଏତିକି ଭାବି ମୁଗ୍ଧ ହେଲି ଯେ ଆପଣ ମୋ’ପାଇଁ କେତେ ତତ୍ପର ଆଉ ବ୍ୟାକୁଳ !

 

ଦୀପାନ୍ୱିତା ପ୍ରତିବାଦ କଲେ ।

 

ଆପଣ ଭୁଲ୍ ବୁଝିଛନ୍ତି । ଦେଶର ସଭ୍ୟତା, ସଂସ୍କୃତି ଆମର ଯେଉଁ ସ୍ତରରେ ଅଛି ବର୍ତ୍ତମାନ, ସେ ସ୍ତରରେ କଳାକାର ଶିଳ୍ପୀ ଏ’ ଜାତିଠାରୁ କି ସମ୍ମାନ, ପାଉଛି କହିଲେ ? କିଛି ପାଉନି-। ଆଉ ଆପଣ ଏ’ ସ୍ନେହ ଟୋପାକୁ ତତ୍ପରତା ବୋଲି କହୁଛନ୍ତି ?

 

ଏହା କିଛି ନୁହେଁ ସତରେ । କେବଳ ନିଜ ବେକରେ ନିଜେ ଫୁଲମାଳ ଚଢ଼ାଇବା କଥା-। ଶିଳ୍ପୀର ମନକଥା ଜଣେ ଶିଳ୍ପୀ ନ ବୁଝିଲେ ଆଉ ବୁଝିବ କିଏ ? ଶିଳ୍ପ ବଞ୍ଚିବ କେମିତି-? କାହାର ପ୍ରଚୋଦନାରେ ସେ ନୂତନ ଶିଳ୍ପକୁ, ନୂତନ ସୃଷ୍ଟିକୁ ଜନ୍ମ ଦେବ ? ବିକାଶବାବୁ, ଆପଣ ମୋ’ ଚରିତ୍ରକୁ ଏଯାଏଁ ଭଲ ଭାବରେ ବୁଝି ନାହାଁନ୍ତି । ସମୟ ଆସିଲେ ବଳେ ବଳେ ବୁଝିଯିବେ-। ମୁଁ ତ ଆପଣଙ୍କ ପାଇଁ କାର୍ଯ୍ୟରେ କିଛି କରିନାହିଁ । କାର୍ଯ୍ୟ କ୍ଷେତ୍ରରେ କିଛି କରିବାପାଇଁ ମତେ ସୁଯୋଗ ମିଳୁ । ସେତେବେଳେ ଅନ୍ତତଃ ବୁଝାଇ ଦେଇ ପାରିବି, ଜଣେ ଶିଳ୍ପୀ ଅନ୍ୟ ଜଣେ ଶିଳ୍ପୀପାଇଁ କ’ଣ କରିପାରେ । କ’ଣ କରିବାବି ଉଚିତ । ବର୍ତ୍ତମାନ ତ ଏ’ ଆମର ପ୍ରଥମ ସାକ୍ଷାତ ଆଉ ପରିଚୟ-!

 

ଫୁଟନ୍ତା ଫୁଲର ଚାହାଣି ଫୁଟାଇ ନିଜର କହିବା ଶେଷ କଲା ଦୀପାନ୍ୱିତା ।

 

ବିକାଶ କହିଲେ, ଏପରି ତାତ୍ତ୍ୱିକ ଆଲୋଚନା ଭିତରେ ମୁଁ ଥରେ ହଜିଗଲେ ନିଜର ସ୍ଥିତି ଅନୁଭବ କରିବାକୁ ମତେ ଟିକିଏ ସମୟ ଲାଗେ । ଏ’ ସବୁ ଭିତରେ ମୁଁ ମୂଳକଥା କହିବାକୁ ଭୁଲି ଯାଇଛି । ଏପରି ଅନ୍ଧାର ରାତିରେ ଏକାକୀ ଫେରିବା ମୋର ଦେହଗତ ଅଭ୍ୟାସ ହୋଇଯାଇଛି । ତେଣୁ କିଛି ଅସୁବିଧା ହେବ ନାହିଁ । ମୁଁ ଚାଲିଯାଇ ପାରିବି । ଗାଡ଼ି ପଠାଇବା କୌଣସି ଆବଶ୍ୟକ ନାହିଁ ।

 

ଗ୍ରୀନ୍ ରୁମ୍‌ର ଗ୍ରୀନ୍ ଆଲୁଅ ସାରା ମୁଖମଣ୍ଡଳକୁ ସବୁଜାୟୀତ କରି ତୋଳୁଥିଲା ଉଭୟଙ୍କର । ପ୍ରଗାଢ଼ ଅନ୍ଧକାର ରାତିବି ତାଙ୍କୁ ଗୋଟିଏ ସବୁଜ ରାତି ଭଳି ଅନୁଭୂତ ହେଉଥିଲା । ବୟସ, ମନ, ହୃଦୟ, ପ୍ରାଣ, ଆଲୁଅ, ଅନ୍ଧାର, ପୃଥିବୀ ସବୁ ଯେମିତି ସବୁଜ ରଙ୍ଗରେ ରୂପାୟିତ ହୋଇ ଯାଇଛି ଏଇ ଅଳ୍ପ କେତେ ମୁହୂର୍ତ୍ତ ଭିତରେ ।

 

ବସିବା ସ୍ଥାନରୁ ଉଠିଲେ ଦିହେଁ । ଗ୍ରୀନ୍ ରୁମ୍ ଆହୁରି ନିର୍ଜନ ହୋଇ ଉଠିଲା । କଲେଜ ଫାଟକ ପାଖରେ ପହଞ୍ଚି ବିକାଶ ପୁଣି ହାତ ଯୋଡ଼ିଲେ ଦୀପାନ୍ୱିତା ଉଦ୍ଦେଶ୍ୟରେ । ଦୀପାନ୍ୱିତା ଖାଲି ଚାହିଁଥିଲା ବିକାଶଙ୍କୁ । ହାତ ଦୁଇଟି ତା’ର ଆପେଆପେ ଯୋଡ଼ି ହୋଇ ଆସୁଥିଲା । ବିଜୁଳି ଆଲୁଅରେ ପୁଣି ଟୋପା ଟୋପା ଲୁହ କେତୋଟି ମୁକ୍ତାବିନ୍ଦୁ ପରି ଖସି ଆସୁଥିବାର ଲକ୍ଷ୍ୟ କଲେ ବିକାଶ ।

 

ଦୀପାନ୍ୱିତା ଚାହିଁଛି । ବିକାଶ ଗୋଟିକ ପରେ ଗୋଟିଏ ଲାଇଟ୍‌ପୋଷ୍ଟ୍ ଅତିକ୍ରମ କରି ମିଶି ଯାଉଛନ୍ତି ଅନ୍ଧକାର ଭିତରେ । ଦୀପାନ୍ୱିତାର ଛାତିରେ ବିଜୁଳି ଚମକ ଖେଳିଗଲା । ତାଙ୍କ ଠିକଣା ତ ଦେଇଗଲେନି ସେ ! କହି ଯାଇଛନ୍ତି, ପୁଣି ସାକ୍ଷାତ ହେବ ନିଶ୍ଚୟ ।

 

ସତରେ କ’ଣ ଆଉ ସାକ୍ଷାତ ହେବ ? ସାକ୍ଷାତ ହେଲେ ଦୀପାନ୍ୱିତାକୁ ସେ ଚିହ୍ନି ପାରିବେ ତ ?

 

ଅଳ୍ପ ଦୂରରୁ ତାଙ୍କ ପ୍ରତୀକ୍ଷିତା ଛାତ୍ରୀମାନଙ୍କ କୋଳାହଳ ଶୁଭିଲା, ସଜାଗ ହେଲା ଦୀପା-। ଘରକୁ ଫେରିବାକୁ ହେବ ।

 

ରାତିର ବୟସ ବଢ଼ୁଛି । ସହରର ନଗ୍ନ ବକ୍ଷ ଉପରେ ଅନ୍ଧକାର ଦେଉଛି ଗଭୀର ଆଶ୍ଳେଷ ଓ ଚୁମ୍ବନ । ଦୀପାନ୍ୱିତା ଖାଲି ଭାବୁଛି ବିକାଶଙ୍କ କଥା । ବିକାଶ କ’ଣ ତାଙ୍କ କଥା ଭାବୁଥିବେ ନା ଭୁଲି ଯାଇଥିବେ ?

 

ପ୍ରଶାନ୍ତ ମୁକ୍ତିସ୍ରୋତା ଝଡ଼ ବିକ୍ଷୁବ୍ଧ ହୋଇ ଉଠିଛି । ଅମାନିଆ ଜୁଆରର ପ୍ରତି ସ୍ତରେ ସ୍ତରେ ଜାଗ୍ରତ ହେଉଛି ଉଚ୍ଛୃଙ୍ଖଳତାର ଭାବ । ଅଦୂର ଝାଉଁ ବଣ ବିକଟ ଗର୍ଜନ କରି ମନରେ ଭୟ ସୃଷ୍ଟି କରୁଛି ।

 

ଶେଯରୁ ଉଠି କୁଟୀର ବାହାରକୁ ଗଲେ ବିକାଶ ।

 

ଦିନର ବୟସ ଅଧା ହେବାକୁ ବସିଲାଣି । ସୂର୍ଯ୍ୟ ମଥାନ ଉପରକୁ ଉଠିଲେଣି । କିଶୋର ଖରାର କୋମଳତା ତାରୁଣ୍ୟର କର୍କଶତାରେ ପହଞ୍ଚିବାକୁ ନିକଟ ହେଲାଣି । ଅତୀତର ଦୁର୍ବଳତା କଥା ମନେ ପଡ଼ି ଦେହ ଖାଲି ନିସ୍ତେଜ ଲାଗୁଛି ତାଙ୍କର ମନରେ ପ୍ରତିଫଳିତ ହେଉଛି ଅନେକ ବିବର୍ଣ୍ଣ ପ୍ରତିଛବି । ଅତୀତକୁ ବିଶ୍ଳେଷଣ କଲେ ମନେମନେ !

 

ଅତୀତ ! ଅତୀତ !

 

ଯାହାର କି କୌଣସି ଅସ୍ତିତ୍ୱ ନାହିଁ । ଦିଗ୍‌ବଳୟ ବ୍ୟାପୀ ସୀମାହୀନ ଧୂ ଧୂ ଉଷର ମରୁପ୍ରାନ୍ତରର ବାଲିପରି ଧୂସର ଆଉ ସନ୍ଧ୍ୟାର ମୃତ୍ୟୁ ପରେ ତା’ର ଜଳନ୍ତା ଅଙ୍ଗାରର ଶେଷ ଚିତା ପରି ଭୀଷଣ ଅନ୍ଧାର । ଜଳନ୍ତା କାହାଣୀ ଜଳି ଜଳି ନିଭିଗଲା ପରେ ଯାହାକିଛି ଅବଶେଷ ରହେ ସେଇ କେତେ ମୁଠା ପୋଡ଼ା ପାଉଁଶ, ଯିଏ କି ଅତୀତ । ଯାହାର ଅନ୍ୟ ନାମ ଅତୀତ ବୋଲି ମଣିଷ ବିଷାକ୍ତ ବିରହ ଆଉ ମଧୁର ମିଳନର କେନ୍ଦ୍ରବିନ୍ଦୁରେ ଠିଆ ହୋଇ ଯନ୍ତ୍ରଣା ଆଉ ଆନନ୍ଦରେ କାନ୍ଦେ, ହସେ । ସେଇ ଅତୀତର ବାଲିସ୍ତୂପ ଉପରେ ଠିଆ ହୋଇ ଅବ୍ୟକ୍ତ ବେଦନା ଓ ଯନ୍ତ୍ରଣାରେ ନାଚୁଛନ୍ତି ବିକାଶ ।

 

ସାମନାରେ ଅସୀମା ବେଗବତୀ ସ୍ରୋତସ୍ୱିନୀର ନୀଳ ଜଳବେଣୀ ପବନର ସହଯୋଗରେ ଉଚ୍ଛୃଙ୍ଖଳ ହୋଇ ଟାଣି ଧରୁଛି ଦ୍ୱିତୀୟ ନାୟକ ବେଳାଭୂମି । କିନ୍ତୁ ଅନନ୍ତ ଇଚ୍ଛା ବ୍ୟାପୀ ଅସୀମା ସ୍ରୋତସ୍ୱିନୀର ଅଜସ୍ର କାମନା କ’ଣ ଏତେ ଶୀଘ୍ର ସମାପ୍ତ ହୋଇପାରେ ? ଏତେ ଶୀଘ୍ର କ’ଣ ଘଟିପାରେ ତା’ର ଯୁଗାନ୍ତବ୍ୟାପୀ ପ୍ରେମର ବିଲୟ ? ଆକୁଳିତ ବ୍ୟାକୁଳିତ ଅପିପାଶିତ ହୃଦୟର ପରିତୃପ୍ତିର ଯବନିକା କ’ଣ ଏତେ ଶୀଘ୍ର ଘଟିପାରେ ?

 

ନା, ଜନ୍ମାନ୍ତର ବ୍ୟାପୀ ସ୍ରୋତସ୍ୱିନୀ ଧାଇଁଛି ସେଇ ଅନନ୍ତ ସମୁଦ୍ରର ଅପରିବ୍ୟାପ୍ତ ଶରୀରରେ ନିଜକୁ ଲିପ୍ତକରି ହଜାଇ ଦେବାପାଇଁ । ଆକୁଳ ପ୍ରାର୍ଥନା କରି ବେଳାଭୂମିକୁ ଅନୁନୟ କରିଛି; ବେଳାଭୂମି, ତମେ ମୋର ପ୍ରତିବନ୍ଧକ ହୁଅ ନାହିଁ । ମୁଁ ଅନେକ ଯୁଗ ହେଲା ନିଜକୁ ଅନ୍ୟ ହାତରେ ସମର୍ପଣ କରି ଦେଇଛି । ମତେ ତମେ ସ୍ପର୍ଶ କରନାହିଁ । କଲେ ମୁଁ ଯଦି ଭୟଙ୍କର ହୁଏ ତେବେ ତମେ କ’ଣ ମୋର ବିରୂପକୁ ରୋକି ପାରିବ ? ତୁମ ଧୈର୍ଯ୍ୟର ବାଲିବନ୍ଧଟା ଭୁଶୁଡ଼ି ପଡ଼ିବନି ? ମୁଁ ଅନ୍ୟର ସ୍ତ୍ରୀ । ଅନ୍ୟର ପ୍ରେମିକା । ଅନ୍ୟର ନାୟିକା ପ୍ରତି ଅନ୍ୟାୟ ଆଚରଣ କରିବା ଲମ୍ପଟତା ଛଡ଼ା କିଛି ନୁହେଁ ବେଳାଭୂମି !

 

ମାତ୍ର ବେଳାଭୂମି କି ଶୁଣିଲା ତା’ର ପ୍ରାଣସ୍ପର୍ଶୀ ମିନତି ବିନତି ? ସାଧାରଣ ଭାବରେ କର୍ଣ୍ଣପାତ କଲା ତା’ର ଆକୁଳ ଆବେଦନ ନିବେଦନ ପ୍ରତି ? ସେ ଗତିରୋଧ କଲା– ସ୍ରୋତସ୍ୱିନୀର-। କାପୁରୁଷ, ଭୀରୁ, ନାୟକ ଶ୍ରେଷ୍ଠ ସମୁଦ୍ର କିଛି କରି ପାରିଲା ନାହିଁ । ଯେମିତି କି ବିକାଶ କିଛି କରି ନପାରି ନୀରବ ରହିଗଲେ !

 

ସମୁଦ୍ରଠାରୁ ତା’ର ଅସୀମା ବେଗବତୀ ପ୍ରେମିକା ସ୍ରୋତସ୍ୱିନୀ ଥିଲା ଅନେକ ଦୂରରେ । ସମୁଦ୍ରର ହାତ ପାଉ ନଥିଲା । ଦେଖି ପାରୁ ନଥିଲା ସେ । ଶୁଣି ପାରୁ ନଥିଲା ତା’ର ପ୍ରଣୟିନୀର କରୁଣ ଓ ଆକୁଳଭରା କ୍ରନ୍ଦନ ।

 

ଠିକ୍ ସେମିତି ଶୁଣି ପାରିଲେ ନାହିଁ ବିକାଶ ! ଦୀପାନ୍ୱିତା କ’ଣ ତେବେ ଏମିତି ଚିତ୍କାର କରୁଥିଲା ? ନିଜର ପ୍ରତିରୋଧ ପଥରୁ ଆଡ଼େଇ ଯିବାପାଇଁ ସେ ପ୍ରାଣପାତ୍ର ପୂର୍ଣ୍ଣ କରି କାହାକୁ କରୁଥିଲା ବିନମ୍ର ଅନୁରୋଧ ?

 

ନା, ଏ’ ସବୁ ମିଥ୍ୟା, କଳ୍ପନା । ଚିନ୍ତାର ଉଦ୍ଭଟତା । ଦୀପାନ୍ୱିତା ତାଙ୍କଠାରୁ ଦୂରେଇ ଯିବାପାଇଁ ସ୍ୱେଚ୍ଛାକୃତ ଭାବରେ ଚିନ୍ତା କରିଥିଲା । ସ୍ରୋତସ୍ୱିନୀ ଆଉ ଦୀପାନ୍ୱିତା ! କେତେ ବ୍ୟବଧାନ !

 

ପୃଥିବୀ ଆଉ ଆକାଶ ।

 

ଆକାଶ ଆଉ ପୃଥିବୀ ।

 

ମିଶିବା ସମ୍ଭବ ନୁହେଁ ।

 

କେବଳ ମଣିଷ ଆତ୍ମସନ୍ତୋଷ ପାଇଁ ସ୍ଵପ୍ନରେ ହଜେ । କଳ୍ପନାରେ ଭାସେ । ସ୍ଵପ୍ନର ସ୍ଥାୟୀତ୍ୱ, କଳ୍ପନାର ବୟସ ବେଶି ନୁହେଁ । ହଠାତ୍ କେତେବେଳେ ସ୍ଵପ୍ନ, କଳ୍ପନାର ସୂତା ଖିଅଟା ଛିଣ୍ଡି ପଡ଼େ, କେହି ଜାଣି ପାରନ୍ତି ନାହିଁ । ଯେମିତି ବିକାଶ ଜାଣି ପାରିଲେ ନାହିଁ । ଜାଣିଥିଲେ ହୁଏତ ଉପାୟର ଲଟେଇରେ କଳ୍ପନାର ସୂତାଖିଅଟାକୁ ଆଶାରଖି ପୁଣି ଥରେ ଗୁଡ଼ାଇ ଥାଆନ୍ତେ ।

 

ଚାଲି ଚାଲି ଝାଉଁ ବଣ ଭିତରକୁ ପଳାଇ ଯାଇଥିଲେ ବିକାଶ । ଝାଉଁ ଗଛର ଛାଇରେ ଥକ୍କା ମାରି ବସିବାକୁ ଟିକିଏ ଇଚ୍ଛା ହେଲା ତାଙ୍କର । କି’ ପବନ ! ଆଖିରୁ ଲୁହ ବାହାରି ପଡ଼ୁଛି । ପବନ ହସୁଛି ଅତି ମନଖୋଲା ହସ । ମନେ ହେଉଛି, ସେ ଯେମିତି କାହାକୁ ବିଦ୍ରୂପ କରୁଛି ! କାହାକୁ ? କ’ଣ ବିକାଶଙ୍କୁ ? ହୋଇପାରେ ।

 

ଏମିତି ହସ ଦିନେ କିଏ ହସିଥିଲା ତାଙ୍କ ଆଗରେ ।

 

ବାଲି ଉପରେ ଝାଉଁ ଫଳରେ ଗାର କାଟୁ କାଟୁ ସ୍ମରଣ ହେଲା ତାଙ୍କର । ଏଇ ହସ ଦିନେ ହସିଥିଲା ରାମୁକାକା । ଠିକ୍ ଏମିତି ଅବିକଳ ହସ ଅବିକଳ ଶବ୍ଦ ।

 

ନରମ ସକାଳର କଅଁଳ ଖରା ଦୋକାନ ଦରଜାର ଛାତିଚିରି ବିକାଶଙ୍କ ଶେଯ ସ୍ପର୍ଶକରି ମୁହଁ ଉପରେ ଝଟକି ଉଠୁଥିଲା ସେଦିନ । ଗତ ରାତିର କ୍ଳାନ୍ତି ଯୋଗୁଁ ସବୁଦିନ ପରି ଚଞ୍ଚଳ ଭାବରେ ଶେଯ ଛାଡ଼ି ନଥିଲେ ବିକାଶ । ଖରାର ଉଷ୍ମ ସ୍ପର୍ଶରେ ନିଦଟା ହଠାତ୍ ଭାଙ୍ଗିଗଲା । ଆଖି ମଳି ମଳି ଶେଯ ଗୋଟାଉ ଗୋଟାଉ ଦେଖିଲେ ରାମୁକାକା ତାଙ୍କ ମୁଣ୍ଡ ଆଡ଼କୁ ବସି କିଛି କାମରେ ବ୍ୟସ୍ତ ଅଛି । ବିକାଶ ଉଠିବାର ଦେଖି ମୁରୁକି ହସି ରାମୁକାକା କହିଲା, ଆଉ କିଛି ସମୟ ଶୋଇ ଯା’ ପୁଅ । କାଲି ବହୁତ ତକଲିଫ କରି ଆସିଛୁ । ବାବୁମାନେ ବହୁତ ପ୍ରଶଂସା କରିଥିବେ । ଶୋଇ ଶୋଇ ମନେମନେ ଶୋଚ୍ । ସପନ ଦେଖ । ଭାରି ମିଠା ଲାଗିବରେ ! ଏତେ ଜଲଦି ଉଠୁଛୁ କାହିଁକି ?

 

ମନେମନେ ଲଜ୍ଜିତ ହେଲେ ବିକାଶ । ରାମୁକାକା ପରିହାସ କରୁଚି ତାଙ୍କୁ । ଉପଯୁକ୍ତ ଉତ୍ତର ନଦେଲେ ରାମୁକାକା ଅସନ୍ତୁଷ୍ଟ ହେବ । ମୁଣ୍ଡ ଆଉଁଶି ଗଳା ଖଙ୍କାର ମାରି ଗୁରୁଙ୍କ ବାଧ୍ୟ ଛାତ୍ରଟିଏ ପରି ସେ କହିଲେ, ମତେ ଭୁଲ୍ ବୁଝନାହିଁ ରାମୁକାକା । ଏଠିକି ଆସି ତମକୁ ଆଉ କହି ଯିବାକୁ ସମୟ ପାଇଲିନି କାଲି । ବଡ଼ ବାଧ୍ୟବାଧକତାରେ ଗଲି । ଗଲାବେଳେ ମନେମନେ ଭାବୁଥିଲି, ତମକୁ ନକହି ଗଲେ ତମେ ନିଶ୍ଚୟ ଖରାପ ଭାବିବ । କିନ୍ତୁ କ’ଣ କରିବି ! ସେ ସହରୀବାବୁଟି ତ ମତେ ହଇରାଣ କଲା । ମୋ’ ହାତଧରି ବାରମ୍ବାର ଟାଣିଲା । ମତେ ଆଦୌ ଛାଡ଼ିଲାନି । କ’ଣ କରିଥାଆନ୍ତି କହିଲ ? ସେ ପୁଣି ଆମ ଦୋକାନର ଜଣେ ନୂଆ ଗ୍ରାହକ । ତାଙ୍କ ମନ ଭାଙ୍ଗି ଦେଇ ଥିଲେ କ’ଣ ଭଲ ହୋଇ ଥାଆନ୍ତା ?

 

ରାମୁକାକା ମୁହଁର ଦି’ ପାଖ ନିଶକୁ ସାମାନ୍ୟ ସ୍ପର୍ଶକରି କହିଲା, ବେଟା, ତୁ’ କାଲିକାର ଛୋକ୍‍ରା । କାଲି ରାତିରେ ଜନମ ହୋଇଚୁ ତୁ’ । କେମିତି ଏ’ ଦୁନିଆକୁ ଚିହ୍ନିବୁ’ କି’ରେ ? ଏତେ ବର୍ଷର ପୋଖତ ଅଭିଜ୍ଞତା ପରେ ଏ’ ଦୁନିଆକୁ ଚିହ୍ନିବାକୁ ମତେ ଯାହା କଷ୍ଟ ହେଲା, ମୁଁ ଜାଣେ । ବୟାଶୀ ସାଲ୍, ପୂରିଲା ଆସି । ଏଇ ଦିହରେ କେତେ ଖରା, କେତେ ଶୀତ ମିଶିଗଲା !

 

ବର୍ମା, ଇଣ୍ଡୋଚାଇନା, ନେପାଳ, ରସିଆ, ଚାଇନା, ଜାପାନ କେତେ ଦେଶ ନ ବୁଲିଲି ! କୋଉ ଦେଶର କଥା ପଚାରିବୁ ପଚାର । ସବୁ ଜିଭ ଅଗରେ ସାଇତି ରଖିଛି । ଅନେକ ବିଦେଶୀ ସାଇବଙ୍କର ତାକତ ଦିମାକ ପରଖି ଦେଖିଲି ତଥାପି ମୁଁ ହାରି ଗଲି ବିକାଶ, ଜିଣି ପାରିଲିନାହିଁ । କ’ଣ ବୁଝୁଚୁ ?

 

ଫେରାର ଆସାମୀଟିଏ ପରି ବିକାଶ, ହାତ ଯୋଡ଼ି ଠିଆ ହୋଇଥିଲା । ରାମୁକାକାର ପ୍ରଶ୍ନରେ ସେ କେବଳ ମୁଣ୍ଡ ହଲାଇ ନୀରବ ସମ୍ମତିଟିଏ ବାଢ଼ିଲା ।

 

ରାମୁକାକା ପୁଣି ପାଚିଲା ଓଠରେ ସାମାନ୍ୟ ହସଫୁଟାଇ କହିଲା, ତୁ କ’ଣ ମତେ ନ କହି ଚାଲିଗଲୁ ବୋଲି ମୁଁ ଖରାପ ବିଚାରିଛି, ଭାବୁଛୁ ? ନା,ରେ ଓଲୁ, ସେଥିଲାଗି ନୁହେଁ । ତତେ ଖାଲ ଏ’ ଦୁନିଆ ସମ୍ପର୍କରେ ବୁଝାଇ ଦେବା ଲାଗି କହୁଛି । ଏ ମଣିଷଗୁଡ଼ାକ ସତରେ ମଣିଷ ନୁହଁନ୍ତି । ଆଉ ଏମାନେ ନିଜେ-ତ ମଣିଷ ନୁହଁନ୍ତି ଅନ୍ୟମାନଙ୍କୁବି ମଣିଷ ବୋଲି ବିଚାରନ୍ତି ନାହିଁ । ବିଚାରନ୍ତି ଜଙ୍ଗଲୀ ଜାନବର୍ ବୋଲି । ସେମାନେ ଯେମିତି ଆମକୁ ଛୋଟ ନଜରରେ ଦେଖନ୍ତି, ଆମେବି ତାଙ୍କୁ ଠିକ୍ ଯେମିତି ଦେଖିଲେ ସେମାନେ ବୁଝି ପାରିବେ, ସତରେ ଦୋଷଟା କେଉଁଠି ଅଛି !

 

ମାନୁଚି କାକା, ତମକଥା ଠିକ୍ । ହେଲେ ସେମାନଙ୍କ ସାଙ୍ଗରେ ଦୋସ୍ତି କରି ସେମାନଙ୍କୁ ବୁଝାଇ ଦେଲେ କ’ଣ ବୁଝି ପାରନ୍ତେ ନାହିଁ ? ଶତ୍ରୁତା କରି ସେମାନଙ୍କୁ ବୁଝାଇବା ଅପେକ୍ଷା ମିତ୍ରତାରେ ବୁଝାଇବା ଭଲ ନୁହେଁ ?

 

ପୁଣି ହସିଲା ରାମୁକାକା ପାକୁଆ ଓଠରେ ମୁରୁକି ମୁରୁକି । କହିଲା, ସେଥିପାଇଁ ପରା ବଡ଼ଲୋକ ଥାଆନ୍ତିରେ ଗୁରୁଜନ ଥାଆନ୍ତି ! ତୋର ପିଲା ମାଇଣ୍ଡ୍ । ତୁ’ କେମିତି ଏତେ ସବୁ ସମଜି ପାରିବୁ ? ଜାନବର୍ କେବେ ମଣିଷ ହୋଇ ପାରେନାରେ ମଣିଷ ସାଥିରେ ସମାନ ହୋଇ ପାରେନା ।

 

ରାମୁକାକାର କଥାରେ ବିକାଶ ଟିକିଏ ଚିନ୍ତାମଗ୍ନ ହେଲେ । ଘରର ଚାରିଆଡ଼କୁ ଆଖି ବୁଲାଉ ବୁଲାଉ ନଜର ପକାଇଲେ । ଅନେକ ଦିନ ହେଲା ଘରଟା ଝଡ଼ା ହୋଇନି । ଅଳନ୍ଧୁ ଜମି ଆସିଲାଣି ପ୍ରାୟ ପ୍ରତ୍ୟେକ ଜାଗାରେ । ଏଇ ଘରର ଅଳନ୍ଧୁ ଝାଡ଼ି ଝାଡ଼ି ତାଙ୍କୁ ସତାଇଶିବର୍ଷ ହୋଇଗଲା । ପ୍ରତିବର୍ଷ ସେ ଅଳନ୍ଧୁ ଝାଡ଼ି ଚାଲିଛନ୍ତି ଆଉ ରାମୁକାକାର କହରା ବାଳର ବୟସଠୁ ଧଳା ବାଳର ବୟସ ଯାଏଁ ଦେଖି ଆସିଛନ୍ତି । ଚାରିଅଣା ପଇସା ମଜୁରୀରୁ ତିନି ଟଙ୍କା ମଜୁରୀରେ ସେ ପହଞ୍ଚିଛନ୍ତି । ସୁଉକିଟିର ମଦଟିଣ ବୁହା ଚାକିରିରୁ ତିନିଟଙ୍କାର ମ୍ୟାନେଜର୍ ପଦବୀକୁ ସେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେତେବେଳେ ସେ ଅଳନ୍ଧୁ ଝାଡ଼ୁଥିଲେ । ଆଜିବି ଝାଡ଼ୁଛନ୍ତି । ସେତେବେଳେ ରାମୁକାକାକୁ ଦେଖିଥିଲେ ଆଜିବି ଦେଖୁଚନ୍ତି । କ’ଣ ତଫାତ୍ ? କ’ଣ ବ୍ୟବଧାନ ? ସେ ଦିନ ଆଉ ଆଜି ଭିତରେ । କିଛି ବଦଳି ଯାଇଛି ରାମୁକାକା ? କିଛି ପରିବର୍ତ୍ତନ ଘଟିଚି ତା’ର ? ମନେ ହେଉନିତ ! ସେଦିନ ରାମୁକାକା ଏମିତି ଉପଦେଶ ଦେଉଥିଲା । ଆଜିବି ଦେଉଚି ।

 

ରାମୁକାକା ମଦୁଆ ହୋଇପାରେ । କିନ୍ତୁ ତା’ ମଦ ପିଇବା ସହିତ ଅନେକ ଭଲ ଗୁଣବି ରହିଛି । ସଚ୍ଚୋଟତା, ନିର୍ଭୀକତା, ସତ୍ୟତାରେ ପରିପୂର୍ଣ୍ଣ ରାମୁକାକାର ଜୀବନ ।

 

ଏଇ ସଭ୍ୟତା ବଳରେ ରାମୁକାକା କୋଡ଼ିଏଟି ଟଙ୍କାରୁ ଦୋକାନ ଆରମ୍ଭ କରି ବର୍ତ୍ତମାନ ହୋଇଛି ଶହ ଶହ, ହଜାର ହଜାର ଟଙ୍କାର ମାଲିକ ସରକାରଙ୍କ ଠାରୁ ଲାଇସେନ୍‍ସ୍ ଆଣି ମଦ ବିକ୍ରିର ସ୍ଵାଧୀନ ଯୋଗ୍ୟତା ହାସଲ କରିଛି । ରାମୁକାକାକୁ ସେ ଭଲକରି ଚିହ୍ନିଛନ୍ତି । ପିଲାଟି ବେଳୁ ରାମୁକାକା ପାଖରେ ବଢ଼ି ବଢ଼ି ମଣିଷ ହୋଇଛନ୍ତି ସେ । ରାମୁକାକା ତାଙ୍କର ବାପା, ମାଆ, ଭାଇ, ବନ୍ଧୁ ଆତ୍ମୀୟ ସବୁ କିଛି । ସେହିଁ ତାଙ୍କର ଜନ୍ମଦାତା, ପାଳନ କର୍ତ୍ତା ।

 

ରାମୁକାକାର କିଛି କ’ଣ ସ୍ଵାର୍ଥ ନାଇଁ ତେବେ ? ସ୍ଵାର୍ଥ ଯଦି ନାଇଁ ତେବେ ଦିନିକିଆ ମଜୁରୀ ଦେଇ ବିକାଶକୁ ରଖିଚି କାହିଁକି ? କାହିଁକି ତାଙ୍କୁ ମ୍ୟାନେଜର ପଦବୀରେ ବାନ୍ଧି ରଖିଚି ସେ-?

 

ଅଳ୍ପ ସମୟ ତଳେ ରମୁକାକା ମନେମନେ ବିରକ୍ତ ହେଉଥିଲା ତାଙ୍କ ଉପରେ । ଗତକାଲି ତାଙ୍କ ଅନୁପସ୍ଥିତିରେ ବହୁତ ନୁକ୍‌ସାନ୍ ହୋଇଛି ତା’ର; ବହୁତ ହଇରାଣ ହୋଇଛି ସେ । ନା, ରାମୁକାକାରବି ସ୍ଵାର୍ଥ ଅଛି । କେତେ ଦିନ ଏମିତି ସେ ଅଳନ୍ଧୁ ଝାଡ଼ି ଝାଡ଼ି ରାମୁକାକାର ଉପଦେଶ ଶୁଣି ଶୁଣି ଚାଲିଥିବ ?

 

ତାକୁ କିଛି କରିବାକୁ ପଡ଼ିବ ନିଶ୍ଚୟ ।

 

କର୍କଶ ଆଉ ଗମ୍ଭୀର କଣ୍ଠରେ ରାମୁକାକା ପଦେ କଥା କହିଦେଇ ଟଳି ଟଳି ବାହାରକୁ ଚାଲିଗଲା । କ’ଣ ଏତେ ଭାବୁଛୁ ? ମୁଁ ସତ-କି ମିଛ କହୁଛି, ଦିନେ ହେଜିବୁ ଯେ । ଏ' ବୁଢ଼ାଟା କଥାର ଓଜନ ଅଛି କି ନାଇଁ ବୁଝିବୁ ।

 

ବିକାଶ ରାମୁକାକାର କଥା ଶୁଣିଛନ୍ତି । ଶୁଣି ନାହାଁନ୍ତି । ସେ ଅତୀତ ବର୍ତ୍ତମାନ, ଭବିଷ୍ୟତକୁ ଚାହୁଁଛନ୍ତି ଗୋଟିଏ ନିଶ୍ଚଳ, ନିସ୍ପନ୍ଦ ଲୌହସ୍ତମ୍ଭ ପରି । ମହାଜନସମୁଦ୍ରର ଏଇ ବିରାଟ ସହର ରାତିର ବୁକୁରେ ମୁହଁ ଗୁଞ୍ଜି ଛୋଟ ଶିଶୁଟିଏ ପରି ଚୁପ୍‍ଚାପ୍‌ ଶୋଇ ଯାଇଛି । କୋଳାହଳ ପୂର୍ଣ୍ଣ ଏତେ ବଡ଼ ସହର କେଉଁ ଶାନ୍ତ, ଶୀତଳ ମନେ ହେଉଛି ! ଦିନର ଆଲୁଅରେ ଏଇ ସହର ଯେତେ କର୍ମମୁଖର ଆଉ ଚଞ୍ଚଳ, ରାତିର ଅନ୍ଧାରରେ ଠିକ୍ ତା’ର ବିପରୀତମୁଖୀ ହୋଇଯାଏ । ସାରା ଦିନଯାକର ବ୍ୟସ୍ତତା, କର୍ମ ମୁଖରତା ପରେ ସହର ଶୋଇଯାଏ ଠିକ୍ ଏକ ଛୋଟ ଶିଶୁପରି କ୍ଳାନ୍ତ, ଶ୍ରାନ୍ତ, ଗମ୍ଭୀର ହୋଇ ।

 

ଦୀପାନ୍ୱିତା ଚାଲିଥିଲା ଠିକ୍ ଏମିତି ଏକ ଅମାବାସ୍ୟାର ଅନ୍ଧକାର ରାତିରେ କେଉଁ ଏକ ଛାୟାମୂର୍ତ୍ତିକୁ ଅନୁସରଣ କରି କରି । ସାଙ୍ଗରେ ଥିଲା ଘରର ବିଶ୍ୱସ୍ତ ଚାକର ରଘୁ ।

 

ଅନେକ ରାସ୍ତା ଅତିକ୍ରମ କରି ଦୀପାନ୍ୱିତା ପହଞ୍ଚିଥିଲା ମାତାଲମାନଙ୍କର ଗୋଟିଏ ଆଡ଼ାସ୍ଥଳୀରେ । ଆଉ ସେଇ ଛାୟାମୂର୍ତ୍ତି ଅନ୍ୟ କେହି ନଥିଲେ, ଥିଲେ ତା’ର ନିଜର ବାପା । ଜନ୍ମଦାତା । ଏଇ ସହରର ଜଣେ ଖ୍ୟାତନାମା ଜମିଦାର । ବିଶିଷ୍ଟ ଲୋକପ୍ରିୟ ମଣିଷ ।

 

ବିସ୍ମୟରେ ଅଭିଭୂତ ହୋଇପିଡ଼ିଥିଲା ଦୀପା । ପ୍ରଥମ ଆବିଷ୍କାରରେ ସେ ଚିନ୍ତା କରିପାରି ନଥିଲା ତା’ ବାପାଙ୍କର ଏଠି ଆବଶ୍ୟକତା କ’ଣ !

 

ରାତିର ଅନ୍ଧକାରରେ ବାପାଙ୍କୁ ସେ ଏମିତି ଅନେକ ବାର ଦେଖିଛି । କିନ୍ତୁ କେବେ ଅବିଶ୍ଵାସ କରିନାହିଁ । ସନ୍ଦେହ ଆଖିରେ ଦିନେହେଲେ ଦେଖି ନାହିଁ । ପ୍ରଥମ ଥରପାଇଁ ଆଜି ସେ ଯେତେବେଳେ ଜାଣିଲା ତା’ର ବାପାଙ୍କର ଏ’ ହେଉଛି ନିତିଦିନିଆ ସ୍ଥଳୀ; ଅବ୍ୟକ୍ତ ଯନ୍ତ୍ରଣାରେ ଆହତ ହୋଇ ପଡ଼ିଲା ସେ ।

 

ବାପା ତା’ର ତାହାହେଲେ ମଦ୍ୟପ ! କିନ୍ତୁ କେହି ଜାଣନ୍ତି ନାହିଁ । ରାତିର ନିର୍ଜନ ପ୍ରହରରେ ଲୁଚିଛପି ଆସି ସକାଳ ପାହିଲା ବେଳକୁ ପୁଣି ଫେରି ଯାଆନ୍ତି ଘରକୁ । କିଏ କାହିଁକି ଏ କଥା ଜାଣନ୍ତା ଅବା !

 

ମର୍ମନ୍ତୁଦ ବେଦନାରେ ବେଳକୁ ବେଳ ଅସ୍ଥିର ହୋଇ ପଡ଼ୁଥିଲା ଦୀପା ।

 

କୁଟୀର ସାମନା ଦରଜା ପାଖକୁ ଯାଇ ସେ ଠିଆ ହେଲା । ଦେଖିଲା, ଭିତରେ ଲଣ୍ଠନର ନିଷ୍ପ୍ରଭ ଆଲୁଅଟିଏ ଦିକି ଦିକି ହୋଇ ଜଳୁଛି । ଆଉ କେହି ଜଣେ ଲୋକ ବସି ପୁଳାଏ ଟଙ୍କା ଗଣିବାରେ ବ୍ୟସ୍ତ ଅଛି ।

 

ଦୀପାନ୍ୱିତା ଚମକି ଉଠିଲା । ଏ’ ଲୋକକୁ କେଉଁଠି ସେ ଦେଖିଛି !

 

ମନେପକାଇବାକୁ ଚେଷ୍ଟା କଲା । ଏ’ ଯେ ଶିଳ୍ପୀ ବିକାଶ ! ବିସ୍ମୟର ମେଘ ମନ ଆକାଶକୁ ତା’ର ଆହୁରି ନିଘଞ୍ଚ କରି ପକାଇଲା ।

 

ଶିଳ୍ପୀ ବିକାଶ ଏଠି ? କାହିଁକି ? ସେ ପୁଣି କ’ଣ କରନ୍ତି ଏଠାରେ ? ସେ ବି କ’ଣ ତା’ ବାପାଙ୍କ ପରି ମଦ୍ୟପ ? ଏ’ ସ୍ଥାନ ତାଙ୍କରବି କ’ଣ ନିତିଦିନିଆ ସ୍ଥଳୀ ?

 

ବହୁ ପ୍ରଶ୍ନ, ବହୁ ସନ୍ଦେହର ବୁଢ଼ିଆଣୀ ଜାଲ ମନର ବିଭିନ୍ନ ସ୍ଥାନରେ ଘୋରା ବାନ୍ଧି ପକାଇଲା ।

 

ଦୂର କାରଖାନାର ସମୟ ନିର୍ଦ୍ଧାରଣ ଯନ୍ତ୍ର ସଂକେତ ଦେଲା ରାତି ଦୁଇ । ରଘୁ ତାଗିଦ୍ କଲା ଫେରିବାକୁ କିନ୍ତୁ ଦୀପାନ୍ୱିତା ପ୍ରସ୍ତୁତ ନୁହେଁ । ସେ କ’ଣ ଏମିତି ଖାଲିରେ ଖାଲିରେ ଫେରିଯିବ ? କିଛି ବୁଝିବ ନାହିଁ ? ବିକାଶଙ୍କୁ ସାକ୍ଷାତ କରିବ ନାହିଁ ?

 

ନା ସେ ସାକ୍ଷାତ କରିବ । ବିକାଶ ତା’ର ଅଳ୍ପ ପରିଚିତ ହେଲେବି ଜଣେ ଶିଳ୍ପୀ । ଜଣେ ଆତ୍ମୀୟ–ମନର ମଣିଷ । ବିକାଶଙ୍କ ପାଇଁ ସେଦିନ ତା’ର ପ୍ରାଣ କେତେ ବ୍ୟାକୁଳ ଆଉ ସ୍ରୋତ ଛଳଛଳ ହୋଇ ନଥିଲା ! ସେ କଥା ଭୁଲିନି ଦୀପାନ୍ୱିତା ।

 

ସାଧାରଣ ମଣିଷର ଜୀବନରେ ଯାହା ଆସେ, ତାହା ଚଞ୍ଚଳ ଭୁଲି ହୋଇଯାଏ କିନ୍ତୁ ଗୋଟିଏ ଶିଳ୍ପୀ ଜୀବନରେ ଯାହା ଆସେ, ତାହା ସହଜରେ ଭୁଲି ହୁଏନି ।

 

ଦୀପାନ୍ୱିତା ସେମିତି ସହଜରେ ଭୁଲି ପାରିନି ବିକାଶଙ୍କୁ । ବିକାଶ ତା’ ଜୀବନ ଉପରେ, ମନ ଭିତରେ ଗଭୀର ଆଲୋକ ସଂପାତ କରିଛନ୍ତି । ଯାହା ହେଲେବି ବିକାଶ ନିଜର । ସେ ତାଙ୍କୁ ପଚାରି ବୁଝିବ, ସେ କାହିଁକି ଏଠି ଉପସ୍ଥିତ ଅଛନ୍ତି !

 

ମନର ଆବେଗ ଚଳଚଞ୍ଚଳ ହେଲା । ଗତି ମୁଖର ହେଲା କୁନିକୁନି ପାଦ ଦୁଇଟି ତା’ର-। ରଘୁ ମନା କରୁଛି, ଦେଈ, ଆପଣ ସେ ଭିତରକୁ ଯାଆନ୍ତୁ ନାହିଁ । କିନ୍ତୁ ଦୀପାନ୍ୱିତା ମାନିଲା ନାହିଁ-। ପଶିଗଲା ଘର ଭିତରକୁ । ଦେଖିଲା, ଅସଂଯତ ଭାବରେ ମାତାଲ ହୋଇ ଅନେକ ଲୋକ ସେ ଘରେ ପଡ଼ିଛନ୍ତି-। ଯୋଉମାନେ କି ଏଇ ସହରର ଜଣେ ଜଣେ ପ୍ରଖ୍ୟାତନାମା ଲୋକ-

 

ବିକାଶ ତଟସ୍ଥ ହୋଇଗଲେ ଦୀପାନ୍ୱିତାର ଅପ୍ରତ୍ୟାଶିତ ଆବିର୍ଭାବରେ ବିସ୍ମିତ ହୋଇ, ପଚାରିଲେ ଆପଣ ଏଠି ? ଏତେ ରାତିରେ ?

 

ଦୀପାନ୍ୱିତା ତାଙ୍କ କଥା ନଶୁଣିଲା ପରି ତାଙ୍କୁ ପ୍ରଶ୍ନକଲା । ମୁଁ ପ୍ରଥମେ ଜାଣିପାରେ କି ଆପଣ ଏଠି ଏତେ ରାତିରେ କାହିଁକି ?

 

ଏଥିରେ ବିସ୍ମିତ ହେବାର କ’ଣ ଅଛି ?

 

ଅଛି ବିକାଶବାବୁ । ନଥିଲେ କ’ଣ ମୁଁ ଆପଣଙ୍କୁ ଏପରି ପ୍ରଶ୍ନ ପଚାରି ଥାଆନ୍ତି ? ଆପଣଙ୍କ ଭଳି ଜଣେ ପ୍ରତିଭାବାନ ଶିଳ୍ପୀର ଆବିର୍ଭାବ ଗୋଟିଏ କୁଖ୍ୟାତ ଜୀର୍ଣ୍ଣ ଗଳିର ମଦ ଦୋକାନରେ ବୋଲି ଜାଣିଲେ ମୁଁ ଏକା ନୁହେଁ, ଯେ କେହି ମଣିଷ ବିସ୍ମୟରେ ବିଭୋର ହୋଇ ପଡ଼ିବ ।

 

ବିକାଶ ହସିଲେ । ସେ ହସ ରାତିର ଅନ୍ଧାର ପରି ଗାଢ଼ କୃଷ୍ଣବର୍ଣ୍ଣ ଆଉ ମଳିଚିଆ । ବଡ଼ କୋମଳ ଆଉ ଉଦାର ଆଖିରେ ଦୀପାନ୍ୱିତାଙ୍କୁ ସେ ଚାହିଁଲେ । ଭାବିଲେ ଦୀପାନ୍ୱିତା କେତେ ସରଳ ଅଉ କୋମଳ ସତରେ ! ବାଲ୍ୟ ଚପଳତା ତାଙ୍କ କଥାର, ଚାଲିଚଳନର ଓ ଢଙ୍ଗଢାଙ୍ଗର ପ୍ରତି ସ୍ତରେ ସ୍ତରେ ଫୁଟି ଉଠୁଛି ! ସେ କହୁଛନ୍ତି, ତାଙ୍କଭଳି ପ୍ରତିଭାବାନ ଶିଳ୍ପୀର ଆବିର୍ଭାବ ଏଇ କୁଖ୍ୟାତ ଗଳିର ମଦ ଦୋକାନରେ ବୋଲି ଜାଣିଲେ ଯେ କେହି ବିସ୍ମିତ ବିଭୋର ହୋଇ ପଡ଼ିବ । କିନ୍ତୁ ଏତେ ଦିନ ଯାଏଁ କେହି ଜଣେ ତ ବିସ୍ମିତ ହୋଇ ନଥିଲେ ! ଏପରି ପ୍ରଶ୍ନତ ଆଜି ପର୍ଯ୍ୟନ୍ତ କେହି କରି ନଥିଲେ ! ଦୀପାନ୍ୱିତା ଆଜି କେମିତି ବ୍ୟତିକ୍ରମ ହେଲା ଏତେ ବର୍ଷ ପରେ ?

 

ହସୁଛନ୍ତି ଯେ ।

 

ଦୀପାନ୍ୱିତା ତା’ ପ୍ରଶ୍ନର ଉତ୍ତର ନ ପାଇ ପ୍ରଶ୍ନ ପଚାରିଲା ।

 

ହସିବା କଥା । ଆପଣଙ୍କ ସରଳତା, ଚପଳତା ଦେଖି ଯେତେ ଜୋରରେ ହସିବା କଥା, ହସି ପାରୁନି । ଆସନ୍ତୁ ବାହାରକୁ । ଏମାନଙ୍କ ନିଶା ଛାଡ଼ି ଗଲେ ହୁଏତ ଆପଣଙ୍କ ପରି ଜଣେ ତରୁଣୀଙ୍କୁ ପାଖରେ ଦେଖିଲେ ବାଚାଳତାରେ ରାମ୍ପି ପକାଇବେ ଏମାନେ । ଚୋର, ଡକାୟତ, ହତ୍ୟାକାରୀଙ୍କ ଠାରୁ ଏମାନେ ଅଧିକ ନୃଶଂସ, ଦୁର୍ଦ୍ଧର୍ଷ । ଆପଣଙ୍କ କଲେଜର ପାଠ୍ୟକ୍ରମରେ ସିନା ଏ ସବୁ ନଥିବ ଆମ କଲେଜ ପାଠ୍ୟକ୍ରମରେ କିନ୍ତୁ ଏ ସବୁ ଅଛି ।

 

ବିକାଶଙ୍କ କଥାରେ ଦୀପାନ୍ୱିତାର ଓଠରେ ଓଠେ ହସ ଚହଲି ଆସୁଥିଲା କିନ୍ତୁ କ’ଣ ଭାବି ହସକୁ ପୁଣି ଚାପିନେଲା ସେ ।

 

ରାତିର ନିଥର ଶାନ୍ତ ବୁକୁରେ ସହରର ଜନାକୀର୍ଣ୍ଣ ଗଳି ଖୁବ୍ ନିର୍ଜନ ହୋଇ ଉଠିଥିଲା । ବାହାରକୁ ବାହାରି ଆସି ବିକାଶ ଆଉ ଦୀପାନ୍ୱିତା ଚାଲିଲେ । ସେ ଗଳିର ରାସ୍ତାରେ ରାସ୍ତାରେ । ଗଳିର ଉପାନ୍ତରେ ଗୋଟିଏ ଜାଗାରେ ଅଟକି ଯାଇ ବିକାଶ କହିଲେ ଆଉ ଆଗକୁ ନ ବଢ଼ି ଏଇଠି କଥା ହେବା । କ’ଣ ପଚାରିବେ ପଚାରନ୍ତୁ ।

 

ବିକାଶଙ୍କ କଥାରେ ଶିଶୁଟିଏ ପରି ଠିଆ ହୋଇଗଲା ଦୀପା । ନୀରବ, ନିସ୍ପନ୍ଦ ଭାବରେ ଦୀପାନ୍ୱିତା ଚାହିଁଛି ତାଙ୍କ ମୁହଁକୁ ।

 

ବିକାଶ ଆରମ୍ଭ କଲେ । ମୋ’ କଥା ଶୁଣିବା ପରେ ଆପଣ କ’ଣ ମନେକରିବେ, ତାହା ମୁଁ ବିଚାର କରିନାହିଁ ଅଥବା ସେ ସମ୍ପର୍କରେ କେବେ ଚିନ୍ତାବି କରିନାହିଁ । କାରଣ କାହାର କୌଣସି ଚିନ୍ତା ଅନୁଚିନ୍ତା ଉପରେ ମୋର ଏ’ କାହାଣୀ ନିର୍ଭର କରିନାହିଁ । ଏ’ କାହାଣୀ ମୋର ନିଜର ଅଙ୍ଗେ ଲିଭା । ଏହାର ପୃଷ୍ଠା ଭିତରେ ଅଛି କେବଳ ଲୁହ ଆଉ ଅନ୍ଧକାରର ଛାଇ । ଏଥିରେ ହସ, ଆଲୁଅର ପ୍ରତିଭା ନାହିଁ । କଳା ନାହିଁ ।

 

ଦୂର ରାସ୍ତାର ବିଜୁଳି ଆଲୁଅ ତିମିରର ଛାଇକୁ ଠେଲି ଉଭୟଙ୍କ ମୁହଁ ଉପରେ ପଡ଼ୁଥିଲା-। ସେଇ ଝାପ୍‌ସା ଆଲୁଅର କିରଣତଳେ ବିକାଶ ପଢ଼ିଲେ ତାଙ୍କ ଜୀବନକାବ୍ୟର ପ୍ରଥମ କଥାବସ୍ତୁ-

 

ଏ’ ପୃଥିବୀର ପ୍ରଥମ ସକାଳର ସୂର୍ଯ୍ୟ, ଅପରାହ୍ନର ନିଭିଲା ରକ୍ତିମଛାଇ, ଗୋଧୂଳି ସନ୍ଧ୍ୟାର ରଙ୍ଗୀନ ପରିବେଶ, ଅମାବାସ୍ୟାର ନିବିଡ଼ ଅନ୍ଧାର, ପୂର୍ଣ୍ଣିମାର ସଫେଦ ଆଲୋକ କେଉଁ ଉପାନ୍ତରେ କେମିତି ଭାବରେ କେଉଁଠି ଦେଖିଲ, ସେ କଥା ଜାଣିନାହିଁ ବା ଜାଣିବାକୁ ପାଇନାହିଁ । ଜାଣିବାକୁ ଏକାନ୍ତ ଇଚ୍ଛା ଥିଲେବି ତା’ର ଆଦି ଇତିହାସ ଏ’ ଚଳନ୍ତି ସଂସାରର ଟିପାଖାତାରେ ମୋ’ପାଇଁ କେହି ଲେଖି ରଖିନାହିଁ । ସେ ତ ଆଦି ଇତିହାସ ! କେମିତି ତାକୁ ପଢ଼ନ୍ତି କେଉଁଠୁ ? ଇତିହାସକୁ ଯିଏ ସୃଷ୍ଟି କରିଛି ତାକୁବି ପଢ଼ିନି । ସେ ହେଲା ଆଦି ଭୂଗୋଳ । ପ୍ରଥମେ ଭୂଗୋଳ । ପରେ ଇତିହାସ । ମୋଟାମୋଟି କହିବାକୁ ଗଲେ କିଛି ଗୋଟାଏ ପଢ଼ିବାବି ସମ୍ଭବ ହୋଇନି ମୋ’ ନିକଟରେ । ମୋ’ ନିଜ ସମ୍ପର୍କରେ ଜାଣିବା ସତରେ ମୋ’ ପକ୍ଷରେ ଦୁର୍ବୋଧ୍ୟ ହୋଇ ପଡ଼ିଛି !

 

ବୟସର ସାମାନ୍ୟ ପରିବୃଦ୍ଧି ପରେ ମୁଁ ଯେତେବେଳେ ଏ ସଂସାରକୁ ଦେଖିଲି ଆଉ ପଢ଼ିଲି ତା’ର ଶ୍ରୀଅଙ୍ଗ ବର୍ଦ୍ଧିତ କରୁଥିବା ପ୍ରାକୃତିକ ବନ, ବିଲ, ନଦୀପ୍ରାନ୍ତର, ପାହାଡ଼ ପର୍ବତ ସବୁଜ, ତଟିନୀ ମନୋମୁଗ୍ଧକାରିଣୀ ଝରଣାର କାବ୍ୟ ସଙ୍ଗୀତ, ସେତେବେଳେ ମୋର ମନେ ହେଲା, ଏ’ ପୃଥିବୀର ସମସ୍ତ ଜୀବନ ଗୋଟିଏ ଜୀବନ ! ଆଉ ଜୀବନ କାବ୍ୟ ରଚନା କରୁଚି ମୁଁ । ମୋର କାବ୍ୟଗୁରୁ ଜଗୁରାମ କାକା–ଏ ମଦ ଦୋକାନର ମାଲିକ ।

 

ସାତବର୍ଷ ବୟସରୁ ଚାଲିଶିଖିଛି ।

 

ଏଇ ସହରର ରାସ୍ତା ସେତେବେଳେ ଅଣଓସାରିଆ, ଆବଡ଼ାଖାବଡ଼ା ଆଉ କିରାସିନି, ଚିମିଣି ଆଲୁଅର ଅନ୍ଧାର ଭିତରେ ଶୋଇଥିଲା, ସେତେବେଳେ ଅତି ନିର୍ଜନ ଅନ୍ଧାରରେବି ମଦଟିଣ ମୁଣ୍ଡାଇ ରାତିକେ ଚାରି ଚାରି କୋଶ ଅତିକ୍ରମ କରୁଥିଲି । ସେତେବେଳର ମଜୁରୀ ମୋର କେତେଥିଲା ଜାଣନ୍ତି ?

 

ଅତି କରୁଣ ଭାବରେ ଦୀପା ଚାହିଁଲା ବିକାଶଙ୍କୁ ।

 

ସୁଉକିଟିଏ ।

 

ରାମୁକାକା ଭଲ ସିତାର ବଜାଇ ଜାଣେ । ଲକ୍ଷ୍ନୌରେ କୋଉ ସଙ୍ଗୀତ ବିଦ୍ୟାଳୟରେ ମାଷ୍ଟର ଥିଲା ସେ । ତା’ରିଦ୍ଵାରା ଜନ୍ମରୁ ପ୍ରଭାବିତ ହେଲି ମୁଁ । କାନ୍ଧରେ ମୋର ସିତାରଟିଏ ଝୁଲାଇ ଆଠବର୍ଷ ବୟସରେ ମତେ ଆଶୀର୍ବାଦ କରିଥିଲେ ସେ ।

 

ବିକାଶ, ମୋର ସିନା ଏ’ ଅଭାବୀ ଜୀବନରେ କଳାର ବିକାଶ ହୋଇ ପାରିଲାନି । ତୋର କିନ୍ତୁ ନିଶ୍ଚୟ ହେବ । ତତେ ଜଣେ ପ୍ରତିଷ୍ଠାବାନ ଶିଳ୍ପୀ କରି ଗଢ଼ିବାପାଇଁ ଯାହା ଆବଶ୍ୟକ ପଡ଼ିବ, ମୁଁ କରିବି । ତୁ’ ସାଧନା କର । ମତେ ଜଳଜଳ ଦିଶୁଛି ତୁ’ ଜଣେ ପ୍ରତିଷ୍ଠାବାନ କଳାକାର ହେବୁ । ତୋର କଳା ଅନେକ ଜୀବନରେ ନୂତନ ଚିନ୍ତା, ଉନ୍ମାଦନା ଭରିଦେବ । ମୋ’ ନିରୁତ୍ସାହର ରୂପାନ୍ତର ହେବ ତୋର ସଫଳତାର ଉତ୍ସାହରେ । ତୁ’ କେବଳ ଚାଲିଥା’ । ତୋର ଏକନିଷ୍ଠତା ଜୀବନରେ ତତେ ସାଫଲ୍ୟର ଉପାୟନ ପ୍ରଦାନ କରୁ ।

 

ସେ ଦିନ ସଙ୍ଗୀତ ସାଧନା ମୁଁ ଆରମ୍ଭ କଲି । କଳାର ଉନ୍ନତି ଲାଗି କି’ ସ୍ଵପ୍ନ, କି ଉତ୍ସାହ ମୋ’ ଭିତରେ ଉଜ୍ଜୀବିତ ହେଲା ! କି’ ବଳବତ୍ତର ପ୍ରଚେଷ୍ଟାରେ ମୁଁ ବ୍ରତୀ ହେଲି ! ଜଣେ ନୀରବ ସାଧକ ଭାବରେ ମୁଁ ଯେମିତି ଜନ୍ମ ନେଇଛି କେତେ ଜନ୍ମ ହେଲା ଏମିତି !

 

କଳାପାଇଁ ନିଜକୁ ଉତ୍ସର୍ଗ କଲି । ଶିଳ୍ପୀ ହେଲି ।

 

ସମୟ ସୁଅର ମୁହଁରେ ଆମେ ସମସ୍ତେ ଗୋଟିଏ ଗୋଟିଏ ଝରାପତ୍ର । ଭାସି ଭାସି ଚାଲିଚେ । ଆମର ଜନ୍ମ ମୃତ୍ୟୁ ସମ୍ପର୍କରେ ଆମେ ଅନଭିଜ୍ଞ । ସତାଇଶିଟି ପାହାଚ ଡେଇଁ ସମସ୍ତ ପକ୍ଷୀଟି ଉଡ଼ି ଉଡ଼ି କୁଆଡ଼େ କେତେବେଳେ ଚାଲିଗଲା ମୁଁ ଜାଣି ପାରିଲି ନାହିଁ । ମଦ ଦୋକାନର ଜୀର୍ଣ୍ଣଗଳିରେ ସମୟର ସତ୍ତା ବାରି ହେଉନାହିଁ ଯେମିତି ! ସମୟର ପ୍ରଭାବଠାରୁ ଏ’ ଗଳି ଯେମିତି ଅନେକ ଦୂରରେ !

 

ଏଇ ମଦ ଦୋକାନରୁ ମୋର ଜନ୍ମ । ଏଇ ନର୍ଦ୍ଦମା ଭିତରୁ ମୋର ସୃଷ୍ଟି ।

 

ଆପଣଙ୍କ ଚିନ୍ତାଧାରା ଅନୁସାରେ ଆପଣ ମତେ ଯାହା ଭାବୁଥିଲେ ପ୍ରକୃତରେ ମୁଁ ତାହା ନୁହେଁ ! ସମସ୍ତଙ୍କ ଚିନ୍ତାର ମୁଁ ଜଣେ ବିପରୀତମୁଖୀ ପଥିକ । ମୁଁ ସେମିତି ଜଣେ ବିଶିଷ୍ଟ କଳାକାର ନୁହେଁ ଅଥକା ନୁହେଁ ଜଣେ କଳାର ପ୍ରଖ୍ୟାତ ସାଧକ । ଗୋଟିଏ କୁତ୍ସିତ କଦାକାର ନାମହୀନ ଗଳିରେ ଥିବା ଏକ ମଦ ଦୋକାନର ପରିଚୟହୀନ ଜଣେ ବିକ୍ରେତା ମାତ୍ର । ଜଣେ ଶିଳ୍ପୀ ଯେ ନିଜର ଭରଣପୋଷଣ ପାଇଁ ଗୋଟିଏ ମଦ ଦୋକାନର ଖଟିଖିଆ ଚାକର ହୋଇପାରେ, ଏ କଥା ନଜାଣି ଆପଣ କେବଳ ବିସ୍ମିତ ହୋଇଥିଲେ । ବର୍ତ୍ତମାନ ଏହା ଜାଣିବାପରେ ସେ ସନ୍ଦେହ ଦୂରୀଭୂତ ହୋଇଯିବ ନିଶ୍ଚୟ ।

ଲୁହ ଦି’ ଟୋପା ଦୀପାନ୍ୱିତାର ପାଦ ସ୍ପର୍ଶକଲା । ବିକାଶ କାନ୍ଦୁଛନ୍ତି ।

ଦୀପାନ୍ୱିତାର ଆଖି ଆକାଶରେବି ଲୁହର ମେଘ ଖଣ୍ଡେ ଟଳମଳ ହେଉଥିଲା । ଟିକିଏ ପରେ ଯେମିତି ଖୁବ୍ ଜୋରରେ ଅସରାଏ ବର୍ଷା ହୋଇଯିବ ! ସତରେ ବର୍ଷି ଗଲା !

ବିକାଶଙ୍କ ପାଦ ଦୁଇଟିକୁ ଧରି କଇଁକଇଁ କାନ୍ଦି ଉଠିଲା ସେ ।

ଭାରି ହତାଶ ବୋଧ କଲେ ବିକାଶ । ଦୀପାନ୍ୱିତାର ଦୁଇ ହାତଧରି ଉଠାଇ ଆଣିଲେ ତାକୁ । ପଚାରିଲେ ଆପଣ କାନ୍ଦୁଛନ୍ତି ? କିନ୍ତୁ କାହିଁକି ?

ଏମିତି ପୃଥିବୀର ପ୍ରତ୍ୟେକ ଚରିତ୍ରରେ ଦୁଃଖ ଅଛି । ଏ’ ସଂସାରରେ କିଏ ଦୁଃଖୀ ନୁହେଁ ତାହା ଆପଣ କହି ପାରିବେ ? ଚଲା ରାସ୍ତାରେ ଆପଣ କିଛି ବାଟ ଯାଇ ଆଖି ବୁଲେଇଲେ ଏମିତି ଅସଂଖ୍ୟ କାହାଣୀ ଦୃଷ୍ଟିକୁ ଆସିବ । ସବୁ କାହାଣୀ ଶୁଣି କ’ଣ ଆପଣ ଏମିତି କାନ୍ଦିବେ ? ଦୁଃଖ କରିବେ ? ମୁଁ ଆପଣଙ୍କର କିଛି ନୁହେଁ ଦୀପାଦେବୀ ! ଆପଣଙ୍କର ଶିଳ୍ପୀତ୍ୱର ଭାବପ୍ରବଣତା ଆପଣଙ୍କ ଆଖିକୁ ଲୁହର ସ୍ପର୍ଶ ଦେଉଛି । ଆପଣ ଏଇ କିଛିଦିନ ଭିତରେ ମୋ’ ପ୍ରତି ଅତ୍ୟନ୍ତ ମୋହଗ୍ରସ୍ତ ହୋଇ ପଡ଼ିଛନ୍ତି । ଆପଣ ଟିକିଏ ବାସ୍ତବତାକୁ ଫେରି ଚିନ୍ତା କରନ୍ତୁ ମୁଁ ଆପଣଙ୍କର କୌଣସି ସମ୍ପର୍କୀୟ ନୁହେଁ ।

ଦୀପାନ୍ୱିତା ସଙ୍ଗେସଙ୍ଗେ ଲୁହ ପୋଛି ନିଶ୍ଚଳ ହୋଇଗଲା । ବିକାଶ ତା’ର ମନୋଭବ ବୁଝିପାରି ଅନୁରାଗଭରା ସ୍ୱରରେ ପଚାରିଲେ କ’ଣ ମୋ’ କଥାରେ ଭାଙ୍ଗି ପଡ଼ିଲେ ଦୀପା ଦେବୀ-? ଆହତ ହେଲେ ମୋ’ ପ୍ରଶ୍ନରେ ?

 

ଦୀପାନ୍ୱିତା ଶୁଣି ନଶୁଣିଲା ପରି ବିକାଶଙ୍କ ପ୍ରଶ୍ନକୁ ଏଡ଼ି ଦେଇ ପଚାରିଲା, କାହାକୁ ଭଲ ପାଇବା କ’ଣ ଅପରାଧ ? କାହାପ୍ରତି ମୋହଗ୍ରସ୍ତ ହେବା କ’ଣ ଦୋଷାବହ ?

 

କିନ୍ତୁ ଆପଣ ଜାଣନ୍ତି ଦୀପାଦେବୀ ଏମିତି ମୋହଗ୍ରସ୍ତ ହେଲେ ସଂସାର କ’ଣ ମତ ପ୍ରକାଶ କରିବ ? ଆପଣଙ୍କୁ ପାଗଳୀର ଆଖ୍ୟା ଦେବ । ଆପଣଙ୍କ ଚରିତ୍ରକୁ କଦାକାର କରି ଅଶ୍ଳୀଳ ରୂପରେଖା ଆଙ୍କିବ । ରକ୍ତଗତ ସମ୍ପର୍କ ନଥାଇ କାହାପ୍ରତି ମୋହଗ୍ରସ୍ତ ହେଲେ କୁଫଳ ମିଳେ ।

 

ଦୀପାନ୍ୱିତାର ଲୁହ ବହି ଚାଲିଥିଲା । ଦୁଇ ହାତରେ ମୁହଁକୁ ଘୋଡ଼ାଇ ସେମିତି ବାଷ୍ପାକୁଳ କଣ୍ଠରେ ସେ କହିଲା, ବିକାଶବାବୁ, ଦୁନିଆ ଏଇ ପ୍ରକାରର । ସମସ୍ତଙ୍କ ଜୀବନକାବ୍ୟର ମୁଖବନ୍ଧ ସେ ଲେଖେ । ଭଲରେ ଆଉ ମନ୍ଦରେବି । ଦୁନିଆ ଏମିତି ଅନେକ ଅଶ୍ଳୀଳ ମନ୍ତବ୍ୟ ଶୁଣାଇବ କିନ୍ତୁ ପ୍ରକୃତ ମଣିଷ ଯିଏ, ସେ କ’ଣ କାହା କଥାକୁ କାନଦେବ ? ନା, ଚାଲିବା ତା’ର ଧର୍ମ । ସେ ଚାଲିବ ଆଉ ଚାଲିବ !

 

ବିକାଶ କହିଲେ ତାହା ସତ କିନ୍ତୁ ସମାଜ ବୋଲି ତ କିଛିଗୋଟାଏ ଅଛି । ତା’ର ଆଦର୍ଶ ଓ ଶୃଙ୍ଖଳାରେ ଅନୁଗତ ହୋଇ ନିୟମ କାନୁନ୍‌‌ର ବେଡ଼ି ପିନ୍ଧିଛି ମଣିଷ । ତାକୁ ଖିଲାଫ୍ କଲେ ଦଣ୍ଡ ଗ୍ରହଣ କରିବାକୁ ପଡ଼ୁଛି । ଦୋଷୀ ସାବ୍ୟସ୍ତ ହେବାକୁ ପଡ଼ୁଛି ତାକୁ । ଆମେ ତ ସେଇ ସମାଜର ବନ୍ଧାଜୀବ । ଗୋଟିଏ ଗୋଟିଏ । ନିୟମ କାନୁନ୍ ଓ ଶୃଙ୍ଖଳାକୁ ଖିଲାଫ୍ କରି କ’ଣ ଚଳି ପାରିବା ?

 

ଆପଣ ଭୁଲ୍ କହୁଛନ୍ତି ।

 

ଦୀପାନ୍ୱିତା ତା’ର ପ୍ରତ୍ୟୁତ୍ତରରେ କହିଲା ।

 

ଏ’ ସମାଜ ଯଦି ଆଇନଗତ ଶୃଙ୍ଖଳାକୁ ପାଥେୟ କରି ଚାଲିଥାଆନ୍ତା, ତାହାହେଲେ ଏତେଟା ନିମ୍ନମୁଖୀ ହୋଇ ନଥାନ୍ତା । ଏତେଟା ଅଧଃପତନ ଘଟି ନଥାନ୍ତା ତା’ର । ଭଦ୍ରତାର ଆବରଣ ଭିତରେ ଅଭଦ୍ରତାର ଖୋଳ ପିନ୍ଧି ମଣିଷ ଆଜି ଚାଲି ନଥାନ୍ତା । ଆପଣଙ୍କ ମଦ ଦୋକାନର ପ୍ରଖ୍ୟାତ ଭଦ୍ର ବ୍ୟକ୍ତିମାନେ ତା’ର ଜ୍ୱଳନ୍ତ ନମୁନା । ପ୍ରକୃତ ଉଦାହରଣ । ଏ ସବୁ ଆଲୋଚନା କଲେ ମନରେ କେବଳ କ୍ଷୋଭ ଆସିବ । ଛାଡ଼ନ୍ତୁ ସେ ସବୁ । ସ୍ଵାଧୀନ ଚେତା ମଣିଷର କେବଳ କ୍ଷୋଭରେ ବଞ୍ଚିବା ଛଡ଼ା ଆଉ କୌଣସି ଉପାୟ ନାହିଁ । ବିକାଶବାବୁ, ମୁଁ ସେଇ ଦିନଠାରୁ ଆପଣଙ୍କୁ ଅପେକ୍ଷା କରିଛି ମୋ’ ନିଭୃତ ମନର ସଂଗୋପନ ଏଇ କଥା କେତେ ପଦ କହିବି ବୋଲି । କହିବାର ସୁଯୋଗ ଦେବେନି ? ବ୍ୟକ୍ତିଗତ ଜୀବନରେ କ’ଣ ନିଜର କିଛି ସଉଦାର କାରବାର ନାହିଁ ?

 

ହସର ମଉଳାଫୁଲଟିଏ ଝରି ଆସିଲା ବିକାଶଙ୍କ ମୁହଁରୁ ।

 

ଆପଣ ମୋ’ ଜୀବନକୁ ବୁଝି ପାରିଲେ ନାହିଁ ଦୀପାଦେବୀ । ମଦ ଦୋକାନରେ ରହିବି ମଦର ସଉଦା କରି ଜାଣିଲିନି । ଆଉ କି ସଉଦା କରିବି ? ସଉଦା କରିବାପାଇଁ ପାରଗତା ଯେ ମୋର ଆଦୌ ନାହିଁ । ବୈଷୟିକ କ୍ଷେତ୍ରରେ ମୁଁ ଜଣେ ନିହାତି ଅପାରଗ ମଣିଷ । କଳାକାର କ’ଣ କେବେ ପାର୍ଥିବ ବିଷୟ ବସ୍ତୁ ପ୍ରତି ଲୋଭାସକ୍ତ ହୁଏ ? ସେ ଅତି ସରଳ ବିଷୟ ବସ୍ତୁରେ ଲିପ୍ତ ରହେନା । ଦୁନିଆଟା ହାଟ ତାକୁ ଠକି ଦିଏ । ତା’ର ସରଳତା, ନିରୀହତାର ସୁଯୋଗରେ ତାକୁ ପଥଭ୍ରାନ୍ତ କରାଏ । କୋଉ ସଉଦାର କାରବାର କଥା ଆପଣ କହୁଛନ୍ତି ?

 

ଦୀପାନ୍ୱିତା କହିଲା ମୁଁ ଆମର ଜୀବନ ସଉଦା କଥା କହୁଛି ବିକାଶବାବୁ ! କଲେ କେମିତି ହୁଅନ୍ତା ?

 

ଚମକି ଉଠିଲେ ବିକାଶ । ସତରେ କ’ଣ ଦୀପାନ୍ୱିତା ତାଙ୍କ ସହିତ ଜୀବନ ସଉଦାର କାରବାର କରିବାକୁ ଚାହେଁ ? ବିକାଶଙ୍କ କଳ୍ପନା ସ୍ଵପ୍ନକୁ ବାସ୍ତବରେ ପରିଣତ କରାଇବାକୁ ଇଚ୍ଛା କରେ ?

 

ବିଶ୍ୱାସ କରି ପାରୁ ନାହାଁନ୍ତି ବିକାଶ ।

 

ମୋ’ କଥାରେ ପୂରାପୂରି ନୀରବ ରହିଲେ ଯେ ଆପଣ !

 

ଛଳନା କଲେ ବିକାଶ ।

 

ମୁଁ ଆପଣଙ୍କ କଥା ବୁଝି ପାରିଲି ନାହିଁ ।

 

ସବୁଦିନ ପାଇଁ ଆପଣ ଏ’ ଜୀର୍ଣ୍ଣ ଗଳି ପରିତ୍ୟାଗ କରି ମୋ’ ସହିତ ଚାଲି ଆସି ପାରିବେ ? ମୋ’ ପାଦ ସାଥିରେ ପାଦ ମିଳାଇ ମୋର ସହଯାତ୍ରୀ ହୋଇ ପାରିବେ ? ମୁଁ ଆପଣଙ୍କୁ ଭଲପାଏ ବିକାଶବାବୁ । ନିଷ୍କାମ ଭାବରେ ମୁଁ ଆପଣଙ୍କୁ ପ୍ରେମ କରେ । ପ୍ରଥମ ସାକ୍ଷାତ ଦିନ ଆପଣଙ୍କର ନିଷ୍କପଟ ସରଳ ବ୍ୟବହାର ମୋ’ ହୃଦୟରେ ଯେଉଁ ଗଭୀର ଆଲୋଡ଼ନର ରୂପରେଖା ଆଙ୍କି ଦେଇଛି ସେଥିରେ ମୁଁ ନିଜକୁ ମନେମନେ ଆପଣଙ୍କ ହୃଦୟ ଭିତରେ ହଜାଇ ଦେଇଛି । ଅତି ନିଃସଙ୍କୋଚରେ ଅଭଦ୍ରାମିର ସୀମା ଟପି ଗଭୀର ଆବେଗର ସହିତ ସେଦିନ ମୁଁ ଆପଣଙ୍କୁ ସ୍ପର୍ଶ କରିଥିଲି । ଭାବିଥିଲି ଆପଣ ମୋର ସଂକେତକୁ ନିଶ୍ଚୟ ବୁଝି ପାରିବେ । କିନ୍ତୁ ଆପଣ ବୁଝିଲେ କି ନାହିଁ ତାହା ମୋର ଅବୁଝା ରହିଗଲା । ବିକାଶବାବୁ, ଅତୀତକୁ ଭୁଲି ଯାଆନ୍ତୁ ! ସେ ଅଶ୍ରୁଳ ଆଉ ଅଜ୍ଞାତ । ମଧ୍ୟାହ୍ନର ରୌଦ୍ରତାପ ପରି କେବଳ ଜଳୁଚିହିଁ ଜଳୁଛି । ଆଉ ବର୍ତ୍ତମାନ-! ଅଦିନିଆ ଝଞ୍ଜାପରି ଉତ୍ତାପ ତା’ର ଅସହ୍ୟରୁ ଅସହ୍ୟ ହେଉଛି ମାତ୍ର ଭବିଷ୍ୟତ ! ଜହ୍ନର ସ୍ନିଗ୍ଧ କିରଣରେ ହସୁଛି । ତାକୁ କ’ଣ ଉପଭୋଗ କରିବାକୁ ଚାହାଁନ୍ତି ନାହିଁ ଆପଣ ? ସେଇ ବିଦଗ୍ଧ ଅତୀତ ଭିତରେ ପୋତି ହୋଇ ସବୁଦିନ ପାଇଁ ନିଜ ସତ୍ତାକୁ ଭୁଲି ଯିବାକୁ ଚାହାଁନ୍ତି ?

 

ବିକାଶ ନିରୁତ୍ତର ରହିଲେ ।

 

ଦୀପାନ୍ୱିତା ପୁଣି ପ୍ରଶ୍ନ କଲା ।

 

ଆପଣଙ୍କ ଜୀବନ ସିତାରରେ ରାଗିଣୀ ତୋଳିବାପାଇଁ ମୁଁ କ’ଣ ଉପଯୁକ୍ତା ନୁହେଁ ? ଆପଣ ମତେ ନିରାଶ କରୁଛନ୍ତି ଯେ !

 

ବିକାଶଙ୍କ ଛାତି ଭିତରଟା କେଜାଣି କେମିତି ଏକ ରିମ୍ ଝିମ୍ ହୋଇଗଲା । ମନତଳେ ଆକାଶକୁସୁମ ତୋଳିବାର ପ୍ରୟାସ ଯଦିଓ ଅତିଶୟ ଭାବରେ ଥିଲା, ନନ୍ଦନକାନନର ପାରିଜାତ ଲାଭ କରିବା ଯଦିଓ ଏକାନ୍ତ ଇଚ୍ଛାଥିଲା, ତେବେ ସେ ଆଶା କରି ନଥିଲେ ସେ ଆକାଶର କୁସୁମ ଆଉ ନନ୍ଦନକାନନର ପାରିଜାତ ତାଙ୍କ ହାତରେ ଆସି ବଳେ ବଳେ ପଡ଼ି ଯିବେ !

 

ବିକାଶଙ୍କ ଦୁଇ ପାଦକୁ ଜାବୁଡ଼ି ଧରିଲା ଦିପାନ୍ୱିତା ।

 

ମୁଁ ଜାଣେ ଆପଣ ପାରିବେ ନାହିଁ । ଜୀବନରେ ବିପୁଳ ଅର୍ଥର ପ୍ରାଚୁର୍ଯ୍ୟ ଭିତରେ ବଞ୍ଚିଛି-। ଦାରିଦ୍ର୍ୟ, ଅନାଟନ କ’ଣ ଆଦୌ ଜାଣେ ନାହିଁ । କିନ୍ତୁ ଶାନ୍ତିର ପ୍ରାଚୁର୍ଯ୍ୟ କ’ଣ, ଏତେ ଦିନ ଧରି ଖୋଜି ଖୋଜିବି ମୁଁ ପାଇ ନାହିଁ । ଆଉ ଏତେ ବଡ଼ ଶାନ୍ତିର ପ୍ରାଚୁର୍ଯ୍ୟ କ’ଣ ମୁଁ ଆଶା କରି ପାଇ ଥାଆନ୍ତି ?

 

ଅନ୍ଧକାରରେ ଅସ୍ପଷ୍ଟ ହେଲେବି ବିକାଶ ଅନୁଭବ କରୁଛନ୍ତି ଦୀପାନ୍ୱିତାର ଆଖି ଦୁଇଟା ଲୁହରେ ବୁଡ଼ି ଯାଇଛି ! ସେ ନିଜକୁ ଆଉ ସ୍ଥିର ରଖି ପାରିଲେ ନାହିଁ । ଯନ୍ତ୍ରଣା ଜର୍ଜରିତ ହୋଇ ଉଠିଲା ତାଙ୍କ ମନ ପ୍ରାଣ । ଅନ୍ଧକାରର ଆକାଶକୁ ଦୃଷ୍ଟି ତୋଳିଲେ ବିକାଶ । ମନେ ହେଲା ଦୂରରେ ଅନାଇଥିବା ତାରାଗୁଡ଼ିକ ମୁଟୁ ମୁଟୁ କରି ତାଙ୍କୁ ଚାହିଁଛନ୍ତି ! ସମସ୍ତେ ତାଙ୍କୁ ଆଜିର ଏଇ ମହା ପରୀକ୍ଷାର ପରୀକ୍ଷାର୍ଥୀ ବୋଲି ଘୋଷଣା କରୁଛନ୍ତି । ସେ କ’ଣ ହାରିଯିବେ ଆଜି ?

 

ସ୍ଵପ୍ନଭଳି ଲାଗୁଛି ସବୁ । ନିଜକୁ ଆଜି କଳ୍ପନାର ଚରିତ୍ର ଭଳି ମନେ କରୁଛନ୍ତି !

 

ରାଶି ରାଶି ଦୁର୍ବଳତା ଆଉ ଅପାରଗତାରେ କ’ଣ ବିକାଶଙ୍କ ଶରୀର ଆଜି ଗଠିତ ? ଅସ୍ଥି, ମଜ୍ଜା, ରକ୍ତ, ମାଂସରେ ସାମାନ୍ୟ ଟିକିଏ ଦୃଢ଼ତା, ସବଳତା ନାହିଁ ତାଙ୍କର ? ଏତେ ଦୁର୍ବଳ ବିକାଶ ?

 

ଗୋଟିଏ ନାରୀ ପ୍ରେମ ନିବେଦନ କରୁଛି ଗୋଟିଏ ପୁରୁଷ ନିକଟରେ । ଜଣେ ଶିଳ୍ପୀ ପ୍ରାଣର ବିନିମୟ ଚାହୁଁଛି ଜଣେ ଶିଳ୍ପୀ ପାଖରେ । ଶୂନ୍ୟ ହାତରେ ରିକ୍ତ ହୃଦୟ ନେଇ ଲେଉଟି ଯିବ ସେ ? ଲେଉଟାଇ ଦେବେ ତାକୁ ବିକାଶ ? ଏତିକି ସେ ପାରିବେ ନାହିଁ ? ଗୋଟିଏ ଦୁଃଖିନୀ ଭିକ୍ଷାର୍ଥିନୀର ଝୁଲିକୁ ପୂର୍ଣ୍ଣକରି ପାରିବେ ନାହିଁ କେତେ ମୁଠା ତଣ୍ଡୁଳ କଣାରେ ?

 

ଆକାଶରୁ ପାତାଳ ପର୍ଯ୍ୟନ୍ତ ଚିନ୍ତା କରିଗଲେ ସେ ।

 

ମତେ ଆଜି ରାତିକ ସମୟ ଦିଅନ୍ତୁ ଦୀପାନ୍ୱିତା ଦେବୀ ! ଆଗାମୀ ସୂର୍ଯ୍ୟୋଦୟ, ଅଥବା ଚନ୍ଦ୍ରୋଦୟରେ ସୂର୍ଯ୍ୟ, ଚନ୍ଦ୍ରଙ୍କ ଆଗରେ ଆପଣଙ୍କ ପ୍ରଶ୍ନର ଉତ୍ତର ଦେବି । କିନ୍ତୁ ମୁଁ ବୁଝିପାରୁନି, ଆପଣ ମୋ’ ଭଳି ଜଣେ ଦରିଦ୍ର, ନିଃସହାୟକୁ ଏତେ ବଡ଼ ଅଧିକାରର ଅଧିକାରୀ କରି ନେଉଛନ୍ତି କାହିଁକି ? ମୁଁ ଆପଣଙ୍କୁ ମୋର ହୃଦୟର ସମସ୍ତ କଥା ସ୍ପଷ୍ଟ କରି ଦେବାପରେବି ଆପଣଙ୍କ ଚିନ୍ତାର ଗତିରେଖା ପରିବର୍ତ୍ତନ ହେଉନାହିଁ କେମିତି ? କେମିତି ମୋ’ ପ୍ରତି ଆପଣଙ୍କର ବିତୃଷ୍ଣା ଜନ୍ମ ନେଉନାହିଁ ?

 

ସେ ଅନ୍ଧାରରେ ଦୀପାନ୍ୱିତା ସାମାନ୍ୟ ହସିଲା ବୋଧହୁଏ ! କାରଣ ଓଠ ଦି’ଫାଳ ତା’ର ସମ୍ପ୍ରସାରିତ ହେବାର ଅସ୍ପଷ୍ଟ ଭାବରେ ଦେଖିଲେ ବିକାଶ !

 

ଆପଣଙ୍କର କ୍ଷୁଦ୍ର ଦରିଦ୍ରତା ମୋ’ ମମତାର ବିରାଟ ପଥରେ କୌଣସି ବ୍ୟାଘାତ ସୃଷ୍ଟି କରି ପାରିବ ନାହିଁ । ଅଯଥା କଥା କହି ମୋ’ଠାରୁ ଦୂରେଇ ଯିବାକୁ ଚେଷ୍ଟା କରନ୍ତୁ ନାହିଁ । ସମସ୍ତଙ୍କଠାରୁ ଜୀବନରେ ମୁଁ ଦୁଃଖ ପାଇଛି । ଆଘାତ ପ୍ରାପ୍ତ ହୋଇଛି । ପାଇବାହିଁ ସ୍ଵାଭାବିକ । କାରଣ ସେମାନେ ସମସ୍ତେ ବସ୍ତୁବାଦୀ । ବସ୍ତୁବାଦ ଭିତରେ ଇଟା, ପଥରର ଘର ତିଆରି କରି ହୁଏ ହେଲେ ଜୀବନକୁ ସୂକ୍ଷ୍ମ ଓ ପ୍ରାଞ୍ଜଳ ଭାବରେ ବୁଝି ହୁଏ ନାହିଁ । ଆପଣ ଶିଳ୍ପୀ ହୋଇ ଯଦି ତାହା ଅସ୍ଵୀକାର କରନ୍ତି, ତେବେ ମୁଁ କହବି ଏ’ ସଂସାର ସଂସାର ନୁହେଁ ଏକ ଅବୁଝାମଣାର ମହାନର୍କ ।

 

ବିକାଶବାବୁ, ଏଇ ଅଶ୍ରୁସିକ୍ତ ପ୍ରାଣତଳେ ଗୁଡ଼ାଏ ନିନ୍ଦା, ଗାଳି, ଲାଞ୍ଛନା, ଭର୍ତ୍ସନା ସାଇତା ଅଛି । ଆଶୀର୍ବାଦ, ମମତା, ସ୍ନେହ ମୋ’ ପ୍ରତି ଏ ଜନ୍ମର ଅଭିଶାପ ଯେମିତି ! ତେଣୁ ଆପଣ ମୋର ଅଶ୍ରୁସିକ୍ତ ଜୀବନକୁ ଆଉ ଅଧିକ ଅଶ୍ରୁସିକ୍ତ କରନ୍ତୁ ନାହିଁ !

 

ଦୀପାନ୍ୱିତାର କଣ୍ଠ ଥରି ଉଠିଲା ଆକୁଳ ଆବେଗରେ । ଆଉ କିଛି କହି ପାରିଲାନି ସେ-

 

ଏଥର ଦିହେଁ ଚାଲିଲେ । ସେମିତି ଚାଲିଥିଲେ ଅନ୍ଧକାରର ନାସାରନ୍ଧ୍ର ଭେଦ କରି । ସକାଳ ହେବାକୁ ଆହୁରି ଅନେକ ସମୟ ବାକି ।

 

ଆଗାମୀ ପ୍ରଭାତ ହେବ ତାଙ୍କପାଇଁ ଉତ୍ତୀର୍ଣ୍ଣ ମୁହୂର୍ତ୍ତ ଜୀବନ ପରୀକ୍ଷାର । ଆଉ ସେଇ ମୁହୂର୍ତ୍ତଗୁଡ଼ିକୁ ମିନିଟ୍, ସେକେଣ୍ଡ କରି ଗଣି ବସିଥିଲା ଦୀପାନ୍ୱିତା ।

 

ମୁକ୍ତି ସ୍ରୋତାରେ ଜୁଆର ଫୁଲୁଚି । ପର୍ବତ ସମାନ ଜୁଆର । ବାଲି ଢିପଟାକୁ ଚାଟି ଚାଟି ଖାଇ ଗଲାଣି । କିଛିଦିନ ତଳେ ଏ ବାଲି ଢିପ ଆଗକୁ ଆହୁରି ଥିଲା । ଆହୁରି ଦଶହାତ ଦୂରରେ ଥିଲା । ଏଇ ଜୁଆର ତାକୁ ଖାଇଗଲା । ତା’ର ମୋଟା ଦେହଟାକୁ ଚାଟି ଚାଟି ପତଳା କରିଦେଲା । ପୁଣି ଆଉ ଦିନ କେତେଟା ପରେ ତାକୁ ପୂରାପୂରି ଚାଟି ଦେବ । ତା’ପରେ ? ତା’ପରେ ଏଇ ବାଲି ଢିପର ଚିହ୍ନବର୍ଣ୍ଣ କୁଆଡ଼େ ଜୁଆରର ଫେଣ ପରି ପାଣିରେ ମିଳାଇଯିବ । ଲୋପ ହୋଇଯିବ । ସବୁଦିନିଆ ଲୋକ ବିଚାରିବ, ଅନେକ ବର୍ଷ ତଳେ ଏଠି ଗୋଟେ ମସ୍ତବଡ଼ ବାଲି ଢିପ ଥିଲା । ଏଇ ବାଲି ଢିପର ପଠା ଉପରେ ବସି ମଣିଷ ନଦୀଗର୍ଭକୁ ଚାହୁଁଥିଲା । ତା’ର ସୌନ୍ଦର୍ଯ୍ୟ ଉପଭୋଗ କରୁଥିଲା । ଖୁବ୍ ସୁନ୍ଦର ଥିଲା ଏ ଢିପ । ଆଉ ଅଦିନିଆ ମଣିଷ ବିଚାରିବ ଏଠି ଢିପ ନାହିଁ କି ନଥିଲା । ଖାଲି ପାଣି ଆଉ ପାଣି ।

 

ଏଇ ପାଣିତଳେ ବିକାଶଙ୍କ ଛୋଟ କୁଡ଼ିଆ ଘରଟି କୁଆଡ଼େ ବୁଡ଼ି ଯାଇଛି । ଶିପ, ଶାମୁକା, ପ୍ରବାଳ, ଶଙ୍ଖ, ମୋତିର ଦେହ ଭିତରେ ତା’ର କଳାର କୁଟୀରଟି କୁଆଡ଼େ ଲୁଚି ଯାଇଛି । ବାଲି ମୁଠାକୁ ମୁଠା ଦରାଣ୍ଡି ଖୋଜି ହେଉଛନ୍ତି ବିକାଶ । କାହିଁ ତାଙ୍କର ସେଇ କଳାର କୁଟୀର ? କାହିଁ ତାଙ୍କର ସେଇ ଜୀର୍ଣ୍ଣଶୀର୍ଣ୍ଣ ନୁଆଁଣିଆ ନଡ଼ା ଛପର ଚାଳଘର ଖଣ୍ଡି ? ଝାଳନାଳ ଢାଳି ଶରୀରର ରକ୍ତକୁ ତେଲ ଭଳି ଜାଳି ଦିନ ଦିନର ପରିଶ୍ରମରେ ଯାହାକୁ ଠିଆ କରାଇଥିଲେ କୁଆଡ଼େ ଗଲା ସେ ? କିଏ ତାକୁ ଭାଙ୍ଗି ଦେଲା ? କିଏ ତାଙ୍କର ଏତେ ବଡ଼ ଶ୍ରମକୁ ତିଳତିଳ କରି ହତ୍ୟା କରି ପକାଇଲା ?

 

କାହିଁ ତାଙ୍କର ସେଇ ଅତି ଆଦରର ବାଲିମୃଗ, ଯାହାକୁ କି ଏତେ ଯତ୍ନରେ ଏତେ ଶ୍ରଦ୍ଧାରେ ପାଳି ପୋଷି ରଖିଥିଲେ ? ସେ କ’ଣ ଏଇ ନଦୀ ଭିତରେ ଶୋଇଛି ? ଜୁଳୁଜୁଳୁ ଆଖି କରି ଅନାଇ କହୁଛି, ମୁଁ ଏଇ ପାଣି ଭିତରେ ବେଶ୍ ଭଲରେ ଅଛି । ଏଇ ଶିପ, ଶାମୁକା, ପ୍ରବାଳ, ମୋତି, ଶଙ୍ଖମାନଙ୍କୁ ମୋର ସାଙ୍ଗ ରୂପରେ ପାଇଛି । ଏମାନେ ମତେ ଏତେ ଭଲ ପାଇ ଯାଇଛନ୍ତି ଯେ ଆଦୌ ଛାଡ଼ିବାକୁ ପ୍ରସ୍ତୁତ ନୁହଁନ୍ତି । ଏମାନଙ୍କ ଶ୍ରଦ୍ଧା ଦୀପାନ୍ୱିତାଠୁବି ଅଧିକ । ନିଜର ସ୍ୱାର୍ଥପାଇଁ ମଣିଷ ତ ଅନ୍ୟକୁ ଠକେ । ଏମାନେ କିନ୍ତୁ କାହାକୁ ଠକନ୍ତି ନାହିଁ । ଦୀପାନ୍ୱିତା ଯେମିତି ଠକି ଦେଇଗଲା ତମକୁ ତା’ର ସ୍ୱାର୍ଥପାଇଁ । ତମେ କାହିଁକି ଜାଣି ଜାଣି ନିଜ ସ୍ଵାର୍ଥକୁ ତ୍ୟାଗକରି ମିଛରେ ନିଜକୁ ଦିଗ୍ଧୀଭୂତ କରାଉଛ ? ସେ ବିଦଗ୍ଧତାର ମୂଲ୍ୟ କ’ଣ କେହି ଦେବ ? ତମେ ସ୍ଵାର୍ଥପର ହୁଅ-? ଦେଖିବ, ଜୀବନ କେଡ଼େ ସୁନ୍ଦର ! କେଡ଼େ ଅମୃତମୟ ! ସ୍ଵାର୍ଥପର ହେବେ ବିକାଶ-? ବିନା ସ୍ୱାର୍ଥରେ ଜୀବନ କ’ଣ ସୁଖବୋଧ୍ୟ, ଉପଭୋଗ୍ୟ ହୋଇପାରେ ନାହିଁ ? ସ୍ୱାର୍ଥକୁ ଛାଡ଼ି ଏ’ ସଂସାରରେ କ’ଣ କେହି ଚାଲିପାରନ୍ତି ନାହିଁ ?

 

ବିକାଶ ଉଠିଲେ ଢିପ ଉପରକୁ । ନଦୀ ଗର୍ଜୁଛି କ୍ରୋଧଜର୍ଜର ହୋଇ ଗୋଟିଏ ଭୋକିଲା କୁକୁର ପରି । ସତେ ଯେପରି ସେ ପାତାଳ ଭିତରୁ ପୃଥିବୀ ଉପରକୁ ଆସିବାପାଇଁ ପାତାଳକୁ ରାମ୍ପି ବିଦାରି ପକାଉଛି । ଛାରଖାର କରି ପକାଉଛି ତା’ ଆଖପାଖରେ ଶାନ୍ତ, ସୁନ୍ଦର ପରିବେଶକୁ । ପୃଥିବୀକୁ ଆସିବା ପରେ ପ୍ରତ୍ୟେକ ମଣିଷକୁ ସେ ତା’ର ମୁନିଆ ଦାନ୍ତରେ କାଟି କାଟି ଆହତ କରି ପକାଇବ !

 

ଏଇ ବାଲି ଢିପଟା ଡେଇଁବା ପରେ ନଦୀରେ ଆସିବ ପ୍ରଳୟଙ୍କରୀ–ମହାପ୍ରଳୟଙ୍କରୀ ବନ୍ୟା । ପୃଥିବୀ ଜଳମଗ୍ନ ହେବ । ପୃଥିବୀର ପ୍ରତ୍ୟେକ ବସ୍ତୁବାଦୀ ପଦାର୍ଥ ଲୀନ ହୋଇଯିବେ ଜଳରେ ।

 

ପୁଣି କିଛିଦିନ ପରେ । ବନ୍ୟା ଛାଡ଼ିବ । ଭୋକିଲା କୁକୁର ଶାନ୍ତ ହେବ । କିଛି ଖାଦ୍ୟ ଖାଇ ସାରିବା ପରେ କ୍ଷୁଧା ନିବାରଣ କରି ଶୋଇଯିବ ନିର୍ଦ୍ଦିଷ୍ଟ ଗଛର ଛାଇରେ । ନଦୀରୁ ବନ୍ୟା କମିବ । ସ୍ଥିରତା ଆସିବ ନଦୀର ପୁଣି ସୀମିତ ଆବେଷ୍ଟନୀ ଭିତରେ ଶୋଇ ରହିବ ନଦୀ । ହେଲେ ବିକାଶ ! ସେ କ’ଣ ଆଉ ସ୍ଥିର ରହିପାରିବେ ? ସୀମିତ ଆବେଷ୍ଟନୀ ଭିତରେ ଶୋଇ ରହି ପାରିବେ ? ନା, ସେ ପାରିବେ ନାହିଁ । ପାଗଳା କୁକୁର ପରି ଚିତ୍କାର କରି ପୃଥିବୀର ପ୍ରତି କୋଣ, ଅନୁକୋଣ ଘୂରି ବୁଲିବେ !

 

ଯେମିତି ଅସହ୍ୟ ଗର୍ଜନରେ ଚିତ୍କାର କରି ରାମୁକାକା ସେଦିନ ତା’ର କୁଡ଼ିଆ ଘରର ଏ’ କୋଣରୁ ସେ କୋଣ ଯାଏଁ ପଇଁତରା ମାରି ବୁଲୁଥିଲା । କହିଥିଲା ବିକାଶ, ଏ’ ମଣିଷଗୁଡ଼ାଙ୍କୁ ମୁଁ ଭଲଭାବରେ ଚିହ୍ନିଚିରେ ! ମାୟାର ହରିଣ ଏମାନେ । ଏମାନଙ୍କୁ ଦେଖି ଦେଖି ମୋର ବାଳ ପାଚି ଗଲାଣି । ମାୟା ହରିଣର ଇତିହାସ ପଛରେ କେତେ ଯନ୍ତ୍ରଣା ଥିଲା ଶୁଣିଚୁଟି ! ତୋର ଇଚ୍ଛାରେ ମୁଁ ବାଧା ଦେଉନାହିଁ । ତୁ' ଯାଉଛୁ ଯା ! କିନ୍ତୁ ମନେରଖିଥା’ ! କହି ରଖୁଛି ପୁଣି ତୁ’ ଆସିବୁ ଏଠିକି । ଏ ଦୋକାନର ଏକ ବିଶେଷତ୍ଵ ଯେ, ଏଠିକି ଯିଏ ଆସେ ସେ କେବେ ଫେରିଯାଏନା ! ମୋ’ ଘର ଯିଏ ଭାଙ୍ଗି ଦେଇଯାଏ, ତା’ଘର ଆପେଆପେ ଭାଙ୍ଗି ପଡ଼େ । ମୋ’ ଘର ଏମିତି କେତେ ଥର ଭାଙ୍ଗି କେତେ ଥର ଠିଆ ହେଲାଣି । କିନ୍ତୁ ଯାହାର ଘର ମୋ’ ନିଃଶ୍ୱାସରେ ଥରେ ଭାଙ୍ଗିଯାଇଛି, ସେ ଆଉ ଦ୍ଵିତୀୟ ବାର ଗଢ଼ା ହୋଇ ନାହିଁ । ତୁ ଜାଣୁ ବିକାଶ, ମମତାରେ କାଙ୍ଗାଳ ହୋଇ ଯିଏ ଆତ୍ମୀୟତାରେ ଅନ୍ଧ ହୋଇଛି ସେ ତା’ର ଐଶ୍ୱର୍ଯ୍ୟର ପ୍ରାଚୁର୍ଯ୍ୟରେ କେବେ ବଳିଷ୍ଠ ହୋଇ ନାହିଁ । ଏ ଦୋକାନକୁ ଦୋକାନ ପରି ଠିଆ କରାଇବାକୁ ପଡ଼ିବ । ତା’ ସହିତ ନିଜକୁବି । ବସ୍ତୁତ୍ୱରେ ପରିପୁଷ୍ଟ ହେବାକୁ ହେଲେ ମମତାକୁ ତୁଚ୍ଛ ବିଚାର କରିବାକୁ ପଡ଼ିବ । ପଇସା କରିବା ଓ ଭଲ ପାଇବା ଦୁଇଟି ବିପରୀତମୁଖୀ ଦିଗର ଚିନ୍ତା । ଭଲ ପାଇବାରେ ଅନ୍ଧ ହୋଇ ଲକ୍ଷ୍ମୀଙ୍କୁ ଗୋଡ଼ରେ ଠେଲିବା ଆଦୌ ବିବେକୀର ପରିଚୟ ନୁହେଁ ।

 

ସେଦିନର ଅପ୍ରିୟ ସତ୍ୟକୁ ଗୋଡ଼ରେ ଆଡ଼େଇ ଘୃଣାରେ ମୁହଁ ମୋଡ଼ିଥିଲେ ବିକାଶ । ମନେମନେ କହିଥିଲେ ରାମୁକାକା ସ୍ୱାର୍ଥପର । ରାମୁକାକା ଆତ୍ମ ପ୍ରତିଷ୍ଠା କଥା କେବଳ ଚିନ୍ତା କରୁଛି । ନୋହିଲେ ସେ କ’ଣ ତାଙ୍କୁ ଚାକିରିଆ ଭାବରେ ରଖି ମାସିକିଆ ଦରମା ଦେଉଥାଆନ୍ତା ? କଳାର ବିଦ୍ୟାଗୁରୁ ଭାବରେ ଶିକ୍ଷାଦାନ କରି କଳାର ସାଧନାରୁ ତାକୁ ନିବୃତ୍ତ କରାଇ ଥାଆନ୍ତା ? ଉଚିତ ହୋଇଛି ଦୀପାନ୍ୱିତା ତାଙ୍କ ଜୀବନ ପଥରେ ତେଜସ୍କ୍ରିୟ ପ୍ରଦୀପ ଧରି ତାଙ୍କୁ ବାଟ ଦେଖାଇଛି-। ତାଙ୍କ ଚଲା ପଥରେ ଦିଗ୍‌ଦର୍ଶିକା ଭାବରେ ତାଙ୍କୁ ଦେଖା ଦେଇଛି । ଦୀପାନ୍ୱିତା ଭଳି ଝିଅ ତପସ୍ୟା କଲେବି ତାଙ୍କୁ ମିଳି ନଥାନ୍ତା । କେଉଁ ଜନ୍ମର ପୁଣ୍ୟ ବଳରୁ ତାଙ୍କ ହାତରେ ଆସି ଆପେଆପେ ଧରା ଦେଇଛି । ବିକାଶ ଜାଣି ଜାଣି ଏ ସୁଯୋଗକୁ ହାତଛଡ଼ା କରିବେ କାହିଁକି-?

 

ଜୀବନ ରାସ୍ତାରେ ଚାଲୁ ଚାଲୁ ଏମିତି ଅନେକ ରାମୁକାକାଙ୍କୁ ଭେଟିବେ ଏମିତି ଛଳନାର ଅନେକ ଉପଦେଶ ଶୁଣିବେ କିନ୍ତୁ ଏମିତି ଅନେକ ଦୀପାନ୍ୱିତାଙ୍କୁ ଭେଟିବେ ନାଇଁ ତ !

 

ଦୀପାନ୍ୱିତା !!

 

କେତେ ସତରେ ଭଲ ! ଏତେ ବଡ଼ଘରର ଝିଅ ହୋଇ ଟିକିଏ ବୋଲି ଗର୍ବ ନାହିଁ । ଅମାପ ଐଶ୍ୱର୍ଯ୍ୟରେ ବୁଡ଼ି ରହିଥିଲେ ମଧ୍ୟ ଗରିବର ମନ ଚିହ୍ନିବାରେ କି ଦକ୍ଷା ଥିଲା । ବାସ୍ତବରେ ତା’ର କି ପଟୁତା ଥିଲା ମନ ଅନ୍ତର ବୁଝିବାରେ । ବିକାଶ ଠାରୁ ଅନେକ ଗୁଣବାନ୍, ରୂପବାନ୍ ବ୍ୟକ୍ତି ତ ତାକୁ ମିଳି ଥାଆନ୍ତେ ତା’ର ଜୀବନସାଥୀ ହେବାପାଇଁ । ଅନେକ ସ୍ଥଳପଦ୍ମ ତା’ ଭଳି ଜଳ କଇଁକୁ ତୋଳି ନେବାପାଇଁ ପ୍ରତିଯୋଗିତା କରି ଥାଆନ୍ତେ !

 

କିନ୍ତୁ କାହିଁକି ଦୀପାନ୍ୱିତା ତାଙ୍କଭଳି ଏକ ସ୍ଥିତି ସ୍ଥାୟୀତ୍ୱହୀନ ନିଃସ୍ୱ ଦରିଦ୍ର ଶିଳ୍ପୀକୁ ଜୀବନସାଥୀ ରୂପରେ ବରଣ କରିବାପାଇଁ ଆଗେଇ ଆସିଲା, ସେଦିନ ବିକାଶ ନିର୍ଣ୍ଣୟ କରି ପାରିଲେ ନାହିଁ । କେଉଁ ଜନ୍ମରେ ଦୀପାନ୍ୱିତା ସହିତ କେଉଁ ସମ୍ପର୍କ ଥିଲା କେଜାଣି, ସେଇ ସମ୍ପର୍କର କରଜ ଆଜି ଶୁଝିବାକୁ ଯାଉଚି ଦୀପାନ୍ୱିତା । ସେ ଯାହାହେଉ ଦୀପାନ୍ୱିତା ତାଙ୍କର ଅତି ନିକଟର । ବିକାଶଙ୍କ ଦେହ, ମନ, ପ୍ରାଣ ସବୁ ଆଜି ଦୀପାନ୍ୱିତା ପାଇଁ । ସାରା ଅବୟବ ତାଙ୍କର ଦୀପାନ୍ୱିତା ଉଦ୍ଦେଶ୍ୟରେ ଯେ ଉତ୍ସର୍ଗୀକୃତ ଏ କଥା ବାରମ୍ବାର ଉଚ୍ଚାରଣ କରି କହିବାରେ ସେ ଆଦୌ ଦ୍ୱିଧାବୋଧ କରି ନଥିଲେ ।

 

ଏଇ ସମୁଦ୍ରର ବାଲି ଢିପତଳେ ଖାଲୁଆ ଭୂଇଁରେ ମାଟି ପକାଇ ଅସମତଳ ସ୍ଥାନକୁ ସମତଳ କରି ଝାଉଁ କାଠରେ କୁଟୀର ତିଆରି କରିଥିଲା ଦୀପାନ୍ୱିତା । ଖାଲି ବାକି ରଖିଥିଲା ଚାଳର ଛପର ବିକାଶଙ୍କ ପାଇଁ ।

 

ସେ ନମନୀୟ ସନ୍ଧ୍ୟାର ପରିବେଶ କେତେ କମ୍ର ଆଉ ନମ୍ରଥିଲା ସତେ ! ସୃଷ୍ଟିର ସମସ୍ତ ବିଭବ, ରାଶି ରାଶି ସୌନ୍ଦର୍ଯ୍ୟ ଯେମିତି ସେଇ ନଦୀ ପ୍ରାନ୍ତରେ ଏକତ୍ର ଠୁଳ ହୋଇଥିଲା ସେଦିନ !

 

ଏଇ ବାଲି ଢିପ ଉପରେ ଦୀପାନ୍ୱିତା ଅନ୍ତରର ସମସ୍ତ ପ୍ରେମ ବିକାଶଙ୍କ ପାଦତଳେ ଅଜାଡ଼ି ଦେଇ ମନର କାହାଣୀ କାବ୍ୟ ଆକାରରେ ଲେଖିଥିଲା ଯାହା କି ଆଜି ସ୍ଵପ୍ନ କଳ୍ପନା ଆଉ ପ୍ରବଣତା । ବେଖିଆଲି ଭାବରେ ଦୁଇଟି ପ୍ରାଣର ପୂର୍ଣ୍ଣତା ଆକସ୍ମିକ ଭୁଲ୍ ବୁଝାମଣାରେ ଶୂନ୍ୟତାରେ ପରିଣତ ହୋଇ ମୁକ୍ତି ସ୍ରୋତାର ଅନନ୍ତ ସ୍ରୋତତଳେ ଆତ୍ମହତ୍ୟା କରିଛି ।

 

ଏମିତି ସେଦିନ ସୂର୍ଯ୍ୟର ଲୋହିତ ଛବି ନଦୀଗର୍ଭରେ ବୁଡ଼ି ଯାଉଥିଲା । ଅନ୍ଧକାରରେ କଳା ଗାର ଟାଣି ବସା ବାହୁଡ଼ା ପକ୍ଷୀମାନେ ଆପଣାର ଜୀବନ ସମ୍ପର୍କରେ କଥାବାର୍ତ୍ତା ହୋଇ ଫେରୁଥିଲେ ନୀଡ଼ ଅଭିମୁଖେ । ଏଇ ବାଲି ଢିପ ଉପରେ ବସି ଅତି ଭାବପ୍ରବଣା ହୋଇ ଗୁଣୁଗୁଣୁ ଗୀତ ଗାଉଥିଲା ଦୀପାନ୍ୱିତା । ଧୀର ମନ୍ଥରଗତିରେ ବିକାଶ ପାଦ ଚାପି ଚାପି ଛପି ଛପି ଆସି ଦୁଇ ହାତରେ ଚାପି ଧରିଲେ ଦୀପାନ୍ୱିତାର ଦୁଇଆଖିକୁ ।

 

ଏକ ଆବେଗ ଉଦ୍‌ବେଳିତ ପ୍ରାଣ ନେଇ ବିକାଶ ତା’ ଆଖି ଦୁଇଟିକୁ ଚାପି ଧରିଲେ ସିନା ତାଙ୍କ ଛାତିର ନଦୀରେ ଜୁଆରର ସ୍ପନ୍ଦନ ସୃଷ୍ଟି ହେଲା । ସେ ଚିନ୍ତା କଲେ, ଆଜିର ଏ’ ପ୍ରଥମ ଦେଖାରେ ସେ ଯେପରି ଉଚ୍ଛୃଙ୍ଖଳ ହୋଇ ଉଠିଲେ, ଦୀପାନ୍ୱିତା ଯଦି କିଛି ମନେ କରିଥିବ ସେଥିଲାଗି !

 

ପୁଣି ମନ ଭିତରେ ନିଜକୁ ପ୍ରବୋଧନା ଦେଲେ । ନା, ଦୀପାନ୍ୱିତା କିଛି ମନେକରିବ ନାହିଁ । ଦୀପାନ୍ୱିତା ପାଇଁ ସେ ସାରା ସଂସାର ପରିତ୍ୟାଗ କରିଚନ୍ତି । ଆବଶ୍ୟକ ପଡ଼ିଲେ ନିଜ ଜୀବନବି ପରିତ୍ୟାଗ କରିଦେବେ । ଦୀପାନ୍ୱିତା ଆଜି କ’ଣ କେତେ ଜନ୍ମ ପରେବି ଭୁଲ୍ ବୁଝିବ ନାହିଁ ତାଙ୍କୁ ।

 

ମନତଳେ ଦୃଢ଼ ଆତ୍ମପ୍ରତ୍ୟୟ ସୃଷ୍ଟିକରି ମନେମନେ ସ୍ଥିର କରି ନେଲେ ବିକାଶ । କିନ୍ତୁ ମାସ କେତେଟାର ବ୍ୟବଧାନ । ସେ ପ୍ରତ୍ୟୟତା ଅତୀତର ନଦୀଗର୍ଭରେ ଡୁବିଯାଇ ସ୍ଥିତି ହରାଇଲା-

 

ଗୋଲାପୀ ସନ୍ଧ୍ୟାକୁ ଆହୁରି ଗୋଲାପୀ କରିବାକୁ ଚେଷ୍ଟା କରି ଦୀପାନ୍ୱିତା ନିଜକୁ ଖୁବ୍ ସଜାଇଥିଲା ସେଦିନ । ଆଧୁନିକତାର ପରିପାଟୀରେ ନୁହେଁ । ଅତ୍ୟାଧୁନିକତାର ନଗ୍ନ ବେଶଭୂଷାରେ ନୁହେଁ, କେବଳ ଶାଢ଼ି ଆଉ ଫୁଲରେ ।

 

ସାଧାରଣ ଗୋଟିଏ ନରମ ପାପୁଲିର କୋମଳ ସ୍ପର୍ଶ ବିକାଶଙ୍କ ଏତେ ବଡ଼ ଟାଣ ହାତ ମୁଠାକୁ ଗୋଟିଏ ଯନ୍ତ୍ରଚାଳିତ ଶକ୍ତିପରି ଦୀପାନ୍ୱିତାର ଆଖି ଦୁଇ ଉପରୁ ଉଠାଇ ଆଣିଥିଲା । ସେଦିନ ସେ ମୁହୂର୍ତ୍ତରେବି ଦୁର୍ବଳତା ଅନୁଭବ କରି ନଥିଲେ ବିକାଶ । ସେ ବିଶ୍ଵାସ କରିପାରୁ ନଥିଲେ । ଦୀପାନ୍ୱିତା ଭଳି ଜଣେ ଶିକ୍ଷିତା ରୂପସୀ ତରୁଣୀକୁ ନିକଟରେ ଅତି ନିକଟରେ ପାଇଚନ୍ତି ବୋଲି । ଦୀପାନ୍ୱିତାକୁ ସତେ କ’ଣ ଏତେ ନିକଟରେ ପାଇଚନ୍ତି ସେ ?

 

ମନଭିତରେ ନିଜକୁ ନିଜେ ବହୁ ପ୍ରଶ୍ନ କରିଥିଲେ ସେ ।

 

କ’ଣ ଏତେ ଭାବୁଚନ୍ତି ? ଆପଣଙ୍କ ପୁରୁଣା ଜାଗା ମନେ ପଡ଼ୁଛି ? ତାକୁ ଛାଡ଼ି ଆସିଲେ ବୋଲି ଦୁଃଖ କରୁଛନ୍ତି ?

 

ଦୀପାନ୍ୱିତା ପଚାରିଲା ବିକାଶଙ୍କୁ ।

 

ନା, ତାହା ଭାବୁନାହିଁ ଦୀପାଦେବୀ, ଭାବୁଛି, ଏ’ ହତଭାଗ୍ୟର କପାଳରେ କ’ଣ ଏତେ ସୁଖଥିଲା, ଯାହାକି ଅଯାଚିତ ଭାବରେ ମୁଁ ଆଜି ପାଉଚି ! କାହିଁକି, କାହିଁକି ଆପଣ ମୋ’ ଭଳି ଜଣେ ଦରିଦ୍ର, ନିଃସ୍ୱ, ଭାଗ୍ୟହୀନ ଶିଳ୍ପୀକୁ ଏ ବାଟକୁ ଟାଣି ଆଣିଲେ ? ମତେ ସ୍ୱପ୍ନ ଭଳି ମନେ ହେଉଚି ଦୀପାଦେବୀ, କଳ୍ପନାପରି–ପ୍ରତ୍ୟୟ ହେଉଛି । ମୁଁ ଏତେ ଶୀଘ୍ର ବିଶ୍ଵାସ କରି ପାରୁନାହିଁ ଯେ ଆପଣ ମୋର ନିକଟରେ–ଏତେ ନିକଟରେ । ସତରେ କ’ଣ ମୁଁ ଏତେ କମ୍ ସମୟ ଭିତରେ ଭାଗ୍ୟବାନ ପାଲଟି ଯାଇଚି ?

 

ପ୍ରଶ୍ନକୁ ପ୍ରଶ୍ନରେ କାଟିଲା ଦୀପା ।

 

ଭାଗ୍ୟ ମାନେ ଆପଣ କ’ଣ ବୁଝୁଛନ୍ତି ? ଭାଗ୍ୟହୀନ ଯେ ସବୁଦିନ ଭାଗ୍ୟହୀନ ହୋଇ ସଂସାରରେ ଥିବ, ଆପଣଙ୍କର କେଉଁ ଶାସ୍ତ୍ରରେ ଲେଖାଅଛି ? କେଉଁ ଶିଳ୍ପର ପୃଷ୍ଠା ଭିତରେ ଲେଖାଅଛି ଯେ ଶିଳ୍ପୀ ସବୁଦିନ ନିଃସ୍ୱ, ଦରିଦ୍ର, ହୋଇ କାଳାତିପାତ କରିବ ? ଶିଳ୍ପୀ କାହିଁକି ଧନବାନ୍ ହେବ ନାହିଁ ? ଏପରି ପ୍ରତିକୂଳ ମନ୍ତବ୍ୟର ଧାରଣ ଆପଣଙ୍କୁ ଦେଲା କିଏ ?

 

ବିକାଶବାକୁ, ଆଜିକାଲିର ସଂସାରରେ ଭାଗ୍ୟ ବୋଲି ଗୋଟାଏ ନିର୍ଦ୍ଧାରିତ ସୀମାରେଖା କିଛି ନାହିଁ । ଆଜିକାଲିର ଭାଗ୍ୟମାନେ ସଂସାର ବୁଝୁଚି ଅର୍ଥ । ଐଶ୍ୱର୍ଯ୍ୟ । ସମ୍ପଦ । ଏ’ସବୁ ଥିଲେ ମଣିଷର ଭାଗ୍ୟ କିଛି ଆବଶ୍ୟକ ନାହିଁ । ଐଶ୍ୱର୍ଯ୍ୟ ଓ ଅର୍ଥର ସୁନାଇଟା ଉପରେ କୋଟି କୋଟି ଭାଗ୍ୟରେଖା ନିର୍ମାଣ କରାଯାଇପାରେ । ସେ କଥା ନାହିଁ ବୋଲି ଆପଣ ପଛେଇ ଯାଇଛନ୍ତି ଆଉ ମୁଁ ଆଗେଇ ଯାଇଚି । ଅର୍ଥର ପ୍ରାପ୍ତି ଯେଉଁଠି ଅଧିକ ଥାଏ ସେଠି ପ୍ରାଣର ପ୍ରାପ୍ତି ନଥାଏ । ପ୍ରାଣର ପ୍ରାପ୍ତି ଭିତରେ ଯେତେ ମହାସ୍ୱର୍ଗର ସନ୍ତୋଷ ରହିଥାଏ, ଅର୍ଥର ପ୍ରାପ୍ତି ଭିତରେ ତତୋଽଧିକ ମହାନର୍କର ଅସନ୍ତୋଷ ରହିଥାଏ । ଯେଉଁ ମହାନର୍କର ଅସନ୍ତୋଷ ଭିତରୁ କି ମୁଁ ଆସିଛି ଏଇ ମହାସ୍ଵର୍ଗର ସନ୍ତୋଷ ଭିତରକୁ । ଆପଣଙ୍କ ଏଇ ପାଦତଳେ ମୋର ସ୍ୱର୍ଗ । ଆପଣଙ୍କ ଧୂଳିର ନନ୍ଦନ କାନନରେ ବହୁ ସୁଖର ପାରିଜାତ ଫୁଲ ଫୁଟିବାର ମୁଁ ଦେଖିଚି । ସେଇ ସୁଖର ପାରିଜାତ ଫୁଲ ଏଇ କବରୀରେ ମୋର ସବୁଦିନ ପାଇଁ ଗୁନ୍ଥି ଶାନ୍ତିର ତାରା ବସି ଗଣୁଥିବି । ବାରମ୍ବାର ଆପଣଙ୍କ ନିଃସ୍ୱତା, ଦାରିଦ୍ର୍ୟ ସମ୍ପର୍କରେ କହି ମତେ ଅଯଥା ସେ ଅଶାନ୍ତିର ନର୍କ ଭିତରକୁ ପୁଣି ଠେଲି ଦେବାକୁ ଚେଷ୍ଟା କରନ୍ତୁ ନାହିଁ ।

 

ମନେ କରି ନିଅନ୍ତୁ ଜୀବନ ରଙ୍ଗମଞ୍ଚର କୌଣସି ନାଟକରେ ଅବତୀର୍ଣ୍ଣ ହୋଇ ଆପଣ ସେ ଭୂମିକାରେ କିଛି ମୁହୂର୍ତ୍ତପାଇଁ ଅଭିନୟ କରିଥିଲେ । ସେ ନାଟକର ଯବନିକା ପାତ ହୋଇଛି । ସେ କଳା, ଧଳାର ରଙ୍ଗଛଡ଼ାଇ ଆପଣ ବାସ୍ତବତାକୁ ଫେରି ଆସିଚନ୍ତି । ଏଣିକି ଆପଣଙ୍କୁ ନୂତନ ନାଟକରେ ଅଭିନୟ କରିବାକୁ ପଡ଼ିବ ।

 

ଆଉ ଏ’ ନାଟକ କ’ଣ ଶେଷ ହେବ ନାହିଁ ? ଏମିତି କ୍ରମାଗତ ଚାଲିବ ?

 

ବିକାଶ ପଚାରିଲେ ।

 

ଏ’ ନାଟକ ସରିବ ପୁଣି ଥରେ ଆମକୁ ଆଗାମୀ ଚିନ୍ତା, ପରିକଳ୍ପନା, ଯୋଜନା ଭିତରେ ନିୟୋଜିତ କରିବାକୁ ପଡ଼ିବ ତା’ ଆଗରୁ । ଆଉ ପଛକୁ ଫେରିବା ନାହିଁ । ଅତୀତର ଭୂମିକାରେ ନିଃସ୍ଵତା, ଦରିଦ୍ରତା ଥିଲା । ବର୍ତ୍ତମାନର ଭୂମିକାରେ ସେ ଅବସ୍ଥା ସାମାନ୍ୟ ସୁଧୁରି ଯାଇଚି । ଆଗାମୀ ଭବିଷ୍ୟତର ଭୂମିକାରେ ତାହା ସମ୍ପୂର୍ଣ୍ଣ ସୁଧୁରିଯିବ ବୋଲି ଆମେ ଆଶା କରିବା ନାହିଁ କାହିଁକି ?

 

ମଣିଷ ତ ସବୁ ଆଶା କରେ । ସବୁ କ’ଣ ଫଳ ପ୍ରାପ୍ତି ହୁଏ ? ଆମର ଯଦି ଆଶା ଆଶା ଭିତରେ ରହିଯାଏ ତେବେ ?

 

କଦାପି ନୁହେଁ । ମଣିଷର ପ୍ରଚେଷ୍ଟା, ସାଧନା ଭିତରେ ସିଦ୍ଧି ନିଶ୍ଚୟ ଥାଏ । ଉନ୍ନତିରୁ ଅଧିକ ଉନ୍ନତି ଚାହେଁ ମଣିଷ । ଦୁଃସ୍ଥତାରୁ ଆମେ ସାମାନ୍ୟ ସୁସ୍ଥତା ଭିତରକୁ ଆସିଛେ । ଆପଣ ଆର୍ଥିକ କ୍ଷେତ୍ରରେ । ମୁଁ ମାନସିକ କ୍ଷେତ୍ରରେ । ଆମେ ସୁସ୍ଥତାରୁ ଅଧିକ ସୁସ୍ଥତା ଭିତରକୁ ନିଶ୍ଚିତ ଯାଇପାରିବା, ଏ’ ବିଶ୍ଵାସ ମୋର ସମ୍ପୂର୍ଣ୍ଣ ଭାବରେ ଅଛି । ସାଧନା ଆଉ ପ୍ରଚେଷ୍ଟା ଅଛି ମଧ୍ୟ । ସୁଖ ଦୁଃଖରେ ଭାଗୀ ହୋଇ ଆମେ ଆମ ଜୀବନ ରାସ୍ତାର ମାଇଲ, ଯୋଜନ ଖୁଣ୍ଟ ଅତିକ୍ରମ କରିବା । ପ୍ରତି ମୁହୂର୍ତ୍ତର ସୁଖ, ଦୁଃଖ, ଆମେ ଆମ ଭିତରେ ବାଣ୍ଟି ସମଭାଗୀ ହେବା । ଆମେ ଉଭୟେ ହେବା ଉଭୟର ପରିପୂରକ । ଗୋଟିଏ ସରଳରେଖାର ଦୁଇପାଖର ପ୍ରାନ୍ତବିନ୍ଦୁ ହେବା ଆମେ । ସରଳ-ରେଖା ଭିତରେ ରହିବ ଆମର ଜୀବନ ଇତିହାସ । ସେ ଇତିହାସକୁ ସାରା ଦୁନିଆ ପଢ଼ିବ । ସଂସାର ଦେଖିବ, ଅତୀତରେ ଦୁଇଟି ଜୀବନ ପ୍ରେମର ବୀଜ ବପନ କରି ଏ ବାଲି ସ୍ତୂପ ଉପରେ ଲେଖି ଯାଇଥିଲେ ସେମାନଙ୍କ ପ୍ରାଣରେ କାହାଣୀ । ଯେଉଁ କାହାଣୀ ପାଠକରି ସଂସାର ତାଙ୍କୁ ସେଦିନ ଭୁଲ୍ ବୁଝିଥିଲା, ଅନ୍ୟଥା ମନେ କରିଥିଲା । ଆଜି କିନ୍ତୁ ସେମାନେ ନାହାଁନ୍ତ । ସଂସାର ତାଙ୍କୁ ଠିକ୍ ବୁଝିଚି ।

 

ପୃଥିବୀ ତା’ର ଦୋଷାଦୋଷ ଗ୍ରହଣ କରିଚି । ନିଜର ଭ୍ରମ ଧାରଣାକୁ ସ୍ୱୀକାର କରିଚି । ଆଜି ସେମାନେ ନାହାନ୍ତି । ଆଦୌ ନାହାନ୍ତି । ତ୍ୟାଗ, ଆଶାବାଦର କୋଟି ଢେଉ ସୃଷ୍ଟି କରି ସେମାନେ ହଜି ଯାଇଛନ୍ତି ଶୂନ୍ୟରେ । ମହାଶୂନ୍ୟରେ । ରାଶି ରାଶି ନିର୍ଜନତାତଳେ ।

 

ବିକାଶ ମନେ କରୁଥିଲେ ଏଇ ବେଳାଭୂମିର କଲେଜରେ ବାଲିପୂର୍ଣ୍ଣ କୋଠରୀ ଭିତରେ ଦୀପାନ୍ୱିତା ତାଙ୍କର ଅଧ୍ୟାପିକା ଆଉ ବିକାଶ ଦୀପାନ୍ୱିତାର ଛାତ୍ର ।

 

ଭାବବିହ୍ୱଳତାରେ ଅତିମାତ୍ରାରେ ମଜି ଯାଇଥିଲେ ବିକାଶ ।

 

ଦୀପାନ୍ୱିତା ସାମାନ୍ୟ ହସିଲା । କହିଲା ବିକାଶବାବୁ ଯିଏ ଯୋଉକଥାକୁ, ଯେତେ ଲୁଚାଇବାକୁ ଇଚ୍ଛା କରେ ସେ ସେତେ ଚଞ୍ଚଳ ଧରାପଡ଼ିଯାଏ । ମୁଁ ଆପଣଙ୍କର ପ୍ରବଣତା ସମ୍ପର୍କରେ ରେଖାପାତ କରିଥିଲି ନା ! ଆପଣ ସେଦିନ କିନ୍ତୁ ଲୁଚାଇବାକୁ ଚେଷ୍ଟା କରିଥିଲେ । ଆଜି ବଳେ ବଳେ ଧରାପଡ଼ି ଯାଇଚନ୍ତି ।

 

ଆପଣ ଜାଣନ୍ତି, କଲେଜରେ ମୁଁ ଜଣେ ଅଧ୍ୟାପିକା । ଦର୍ଶନତତ୍ତ୍ୱର । ମୋ’ ଶ୍ରେଣୀରେ ଦର୍ଶନତତ୍ତ୍ୱ ଗ୍ରହଣ କଲାଭଳି ବହୁ କୃତୀ ଛାତ୍ରଛାତ୍ରୀ ଅଛନ୍ତି । ହେଲେ ଆପଣଙ୍କ ଭଳି ଜଣେ ଏତେ ଭାବପ୍ରବଣ ମଣିଷ ମୋ’ ଶ୍ରେଣୀରେ କେହି ନାହାଁନ୍ତି । ଏତେ ଭାବପ୍ରବଣ ହେଲେ ମଣିଷ କ’ଣ ବାସ୍ତବ ଜଗତରେ ଚଳିବାକୁ ସକ୍ଷମ ହେବ ? ମୋର ଅବଶ୍ୟ ପ୍ରବଣତା ଅଛି କିନ୍ତୁ ଏତେ ପରିମାଣରେ ନୁହେଁ । କାରଣ ବୈଷୟିକ କ୍ଷେତ୍ରରେ ମତେ ଅନେକ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ପଡ଼ୁଚି । ତା’ ଛଡ଼ା ବିକାଶବାରୁ, ବୈଷୟିକ କ୍ଷେତ୍ର ଭିତରକୁ ଆପଣ ନ ପଶିଲେ ଜୀବନର ଅନେକ କଥା ବୁଝି ପାରିବେ ନାହିଁ ।

 

ଜୀବନ ତ କେବଳ ପ୍ରବଣତାର ନୁହେଁ । ବିଷୟବସ୍ତୁବି ଏହାର ଏକ ମୁଖ୍ୟ ଅଂଶ । ତେଣୁ ବୈଷୟିକ କ୍ଷେତ୍ର ସମ୍ପର୍କରେ ଅଭିଜ୍ଞତା ବିନା ଜାଣିବାର ଗୋଟାଏ ଅଂଶ ଶୂନ୍ୟ ରହିଯିବ । ଅପୂର୍ଣ୍ଣ ରହିଯିବ ଆପଣଙ୍କ ବୁଝିବାର ଗୋଟାଏ ଭାଗ । ହୀନମ୍ମନ୍ୟତା, ନ୍ୟୁନ ମନୋଭାବ ନୈରାଶ୍ୟବାଦ ପରିପ୍ରକାଶ କରି କରି ସାରା ଜୀବନ କଟିଯିବ ।

 

ବିକାଶ କହିଲେ, ମୁଁ ଆପଣଙ୍କ କଥାକୁ ସମର୍ଥନ କରୁଚି ଦୀପାଦେବୀ, କିନ୍ତୁ ଜଣେ ଶିଳ୍ପୀ ବୈଷୟିକ କ୍ଷେତ୍ର ଭିତରକୁ ପଶି ପାରଗତା ହାସଲ କରି ପାରେ ନାହିଁ, ମୁଁ ବହୁବାର ଅଙ୍ଗେ ନିଭେଇଚି । କାରଣ କଳା ଆଉ ବିଷୟବସ୍ତୁ ମଧ୍ୟରେ ଆକାଶ, ପାତାଳ ପ୍ରଭେଦ ରହିଚି ।

 

ଦୀପାନ୍ୱିତା କହିଲା ନା, ତା’ ନୁହେଁ । ଆପଣଙ୍କ ବୁଝିବାରେ କିଛି କିଛି ଭୁଲ୍ ରହି ଯାଉଚି ମଧ୍ୟ । ଜଣେ ଶିଳ୍ପୀ ଯେ ବୈଷୟିକ କ୍ଷେତ୍ରରେ ଅପାରଗତା ହାସଲ କରିବ, ଏ’ ପ୍ରକାର ଭ୍ରମଚିନ୍ତା ଆପଣଙ୍କ ଭିତରେ କେହି ଜାଗ୍ରତ କରି ଦେଇଚି । ଶିଳ୍ପୀ ବୈଷୟିକ କ୍ଷେତ୍ର ଭିତରେ ପାରିବ, ନିଶ୍ଚୟ ପାରିବ । ହୁଏତ ବିଜୟର ପରିମାଣ ଅନ୍ୟମାନଙ୍କ ଅପେକ୍ଷା କମ୍ ହୋଇପାରେ । କିନ୍ତୁ ଆଦୌ ପାରିବ ନାହିଁ ଏ’ ଧାରଣା ଆପଣଙ୍କୁ କିଏ ଦେଲା ?

 

ଜଣେ ଖେଳାଳି ପକ୍ଷରେ ଜିଣିବା, ହାରିବା ଉଭୟ ସମାନ । ତେଣୁ ଆପଣଙ୍କୁ ସାହସ ଓ ଧୈର୍ଯ୍ୟ ରଖି ବୈଷୟିକ କ୍ଷେତ୍ର ଭିତରକୁ ପଶିବାକୁ ପଡ଼ିବ । ଜଣେ ନାରୀ ହୋଇ ମୋର ଯେତିକି ସତ୍‌ସାହସ ଅଛି, ଜଣେ ପୁରୁଷ ହୋଇ ତା’ ଠାରୁ ଅଧିକ ରହିବା ଦରକାର । ଆସନ୍ତୁ, ଦେଖାଇ ଦେବି ତା’ର ନମୁନା ।

 

ହାତଧରି ଉଠାଇ ନେଲେ ଦୀପା ବିକାଶଙ୍କୁ ।

 

ବାଲୁକା ସ୍ତୂପ ଉପରୁ ନିମ୍ନକୁ ଗଡ଼ି ଆସି ଦୀପାନ୍ୱିତା ଅଙ୍ଗୁଳି ନିର୍ଦ୍ଦେଶ କରି କହିଲା, ଦେଖୁଚନ୍ତି, ଆଜି ଦିନକର ଅକ୍ଳାନ୍ତ ପରିଶ୍ରମରେ ଏ’ କୁଟୀର ଖଣ୍ଡିକ ମୁଁ ନିର୍ମାଣ କରିଚି । ଦିନ ଦିନ ବର୍ଷ ବର୍ଷ ଧରି ସ୍ଵପ୍ନ ଦେଖିବା ପରେ ସେ ସ୍ୱପ୍ନକୁ ଆଜି ବାସ୍ତବରେ ରୂପାୟିତ କରିଚି ! ସେଥିଲାଗି ମନରେ କେତେ ଉତ୍ସାହ, କେତେ କେତେ ଉଦ୍ଦୀପନା ଜନ୍ମ ନେଇଚି ବିକାଶବାବୁ, ଅନୁଭବୀ ବିନା କେହି ବୁଝି ପାରିବେନି । ଏ’ କୁଟୀର ଖଣ୍ଡିକୁ ଦେଖି ଆପଣ କ’ଣ ବିଚାର ଆଉ ଅନୁମାନ କରୁଛନ୍ତି କହିଲେ ?

 

ପ୍ରଶ୍ନର ଉତ୍ତର ଦେବାକୁ ଯାଇ ନିଜେ ପୁଣି କହିଲା, ସନ୍ତସନ୍ତିଆ ଅସମତଳ ଭୂଇଁକୁ ସମତଳ ପ୍ରାନ୍ତରରେ ପରିଣତ କରିବାକୁ ଯାଇ ମୁଁ ଆଙ୍କି ଦେଇଚି ଏଇ କ୍ଷୁଦ୍ର କୁଟୀରଟିର ଏକ ରେଖାଙ୍କିତ ଚିତ୍ର । ଆଉ ଏ’ ଚିତ୍ର ଉପରେ ଆପଣ ଆପଣଙ୍କର ମନର ରଙ୍ଗ ବୋଳି ଏହାକୁ ଜୀବନ୍ୟାସ ଦେବେ । କାନ୍ଥରେ ମାଟି ଝାଟି ବୋଳି କାନ୍ଥକୁ ସରସ, ସୁନ୍ଦର, ମଜଭୁତ୍ କରିବି ମୁଁ ଆଉ ଝାଉଁ ପତ୍ର, ନଡ଼ାରେ ଚାଳ ଛପର କରି ଆପଣ କୁଟୀରଟିର ମଥାନ ଉନ୍ନତ କରିବାରେ ବ୍ରତୀ ହେବେ । ଏ’ କୁଟୀର ହେବ ଶିଳ୍ପୀ । ଆଉ କୁଟୀର ଅଭ୍ୟନ୍ତରର କଳା ହେବ ତା’ର ଶିଳ୍ପ ! ଏହାର ନାମକରଣ ହେବ କାବ୍ୟକଳା ଭବନ । ଏ’ କାବ୍ୟକଳା ଭବନର ପରିଚାଳକ ହେବେ ଆପଣ, ସହାୟିକା ହେବି ମୁଁ । ଏ’ କୁଟୀରର କଳା ଯେମିତି ଏ’ କୁଟୀରକୁ ସବୁଦିନ ତା’ ପାଦତଳେ ଆଶ୍ରୟ ମାଗିବ, ମୁଁ ସେମିତି ଆପଣଙ୍କୁ ଆପଣଙ୍କ ପାଦତଳେ ସବୁଦିନ ଆଶ୍ରୟ ମାଗିବି ।

 

ଆତ୍ମବିସ୍ମୃତ ହେଲେ ବିକାଶ । କେଉଁ ଶିଳ୍ପପତିର କନ୍ୟା ଦୀପାନ୍ୱିତା କ’ଣ ଦରିଦ୍ର ଶିଳ୍ପୀ ଆଗରେ ଦେଖାଉଚି ତା’ର ନାଟ୍ୟକଳାର ସୂକ୍ଷ୍ମ ଅଭିନୟ ? ଏ ସତ୍ୟ ନା ସ୍ଵପ୍ନ ? ଏ ସ୍ଵପ୍ନ ନା ସତ୍ୟ-?

 

କାହିଁ ଦୀପାନ୍ୱିତା, କାହିଁ ବିକାଶ ? କାହିଁ ଆକାଶରେ କଇଁଆ, କାହିଁ ଚିଲିକାର ମାଛ ! ଆଜି କୁଆଡ଼େ ସେ ସବୁ ଯାଇଚି ? କୁଆଡ଼େ ହଜି ଯାଇଛି ଗତ କାଲିର ଏତେ ବଡ଼ ବିରାଟ ପରିକଳ୍ପନା ? ଧୂଳିଝଡ଼ରେ ଉଡ଼ି ଯାଇଚି ?

Unknown

 

ନଦୀଗର୍ଭରେ ବୁଡ଼ି ଯାଇଚି ? ବାତ୍ୟାର ପ୍ରକୋପରେ ମରିଯାଇଛି ? ଏତେ ବଡ଼ ମରୀଚିକା ଆଦର୍ଶର ଛଳନା ଦେଖାଇ କେତେ ବାଟ ଟାଣି ନ ନେଲା ତାଙ୍କୁ ! କେମିତି ସେ ଏତେ ବାଟ ଆଗେଇ ଆସି ପାରିଲେ ? ଦିଗନ୍ତ ବିସ୍ତୃତ ସୀମାହୀନ ମରୁପ୍ରାନ୍ତରରେ ଠିଆ ହୋଇ ସେ କେମିତି ଦେଖି ପାରିଲେ ସନ୍ନିକଟ ଦିଗ୍‌ବଳୟର ସ୍ଵପ୍ନ ? ଯେଉଁଠି ଖାଲି ହତାଶ ଆଉ ଅନ୍ଧକାରର ଛାଇ, ସେଠି ସେ କେମିତି ଦେଖି ପାରିଲେ ସଫଳ ଆଉ ଆଲୋକର ତୀର୍ଯ୍ୟକ କିରଣ ?

 

ଜୀବନ ରାସ୍ତା ସଳଖ ନୁହେଁ । ବକ୍ର । ବହୁ ବକ୍ର । ଏ’ ଜୀବନ ରାସ୍ତାରେ ଏମିତି ଚାଲୁ ଚାଲୁ ମଣିଷ ଅଜାଣତ ଖାଲଖମାରେ ଖସି ପଡ଼େ । ଝୁଣ୍ଟି ପଡ଼େ । ପୁଣି ଉଠେ । ଝାଡ଼ିଝୁଡ଼ି ହୁଏ । ଆହତ ହୋଇ ଥିଲେ ବିଶ୍ରାମ ନିଏ । ଚାଲିବାକୁ ପୁଣି କିଛିଦିନ ଧୈର୍ଯ୍ୟ ସଞ୍ଚୟ କରେ । ଶକ୍ତି ସଂଗ୍ରହ କରେ । ପୁଣି ଚାଲେ । କିନ୍ତୁ ପ୍ରେମ ପିଚ୍ଛିଳ ରାସ୍ତାର ଖାଲଖମାରେ ଯେଉଁ ମଣିଷ ଥରେ ଖସି ପଡ଼େ, ସେ ଆଉ ଜୀବନସାରା, ଜନ୍ମସାରା କେବେ ଉଠି ପାରେନା । ଉଠିବାକୁ ବହୁ ଚେଷ୍ଟା କରେ । ମାତ୍ର ଆଉ ଶକ୍ତି ନଥାଏ । ଧୈର୍ଯ୍ୟ ନଥାଏ । ସାହସ ନଥାଏ । ଚିରଦିନ ସେ ଖାଲଖମା ଭିତରେ ପଙ୍ଗୁ ଆଉ ନିର୍ଜୀବ ହୋଇ ପଡ଼ି ରହେ ସେ । ପଡ଼ି ପଡ଼ି ଜରାଜୀର୍ଣ୍ଣତା ଆସିଯାଏ । ବୟସର ଦୁର୍ଗ ଭୁଶୁଡ଼ି ପଡ଼େ । ଜିଅନ୍ତା ସମାଧି ଲାଭ କରେ ସେ ସେଇଠି ।

 

ବିକାଶ ପଡ଼ିଗଲେ ସେ ରାସ୍ତାରେ । ସେ ଗମ୍ଭୀର ଖାଲଖମା ଭିତରେ । ଉଠିବାକୁ ଚେଷ୍ଟା କରୁଚନ୍ତି । ପାରୁ ନାହାଁନ୍ତି । ଆଉ କ’ଣ ପାରିବେ ନାହିଁ ? ଏମିତି ପଡ଼ି ପଡ଼ି ଜରାଜୀର୍ଣ୍ଣତା ଆସିଯିବ ? ଏ’ ଜନ୍ମପାଇଁ ପଙ୍ଗୁ ହୋଇ ସେ ରହିଯିବେ ?

 

କଳା କଜ୍ଜ୍ୱଳ ଘନ ଘୁମନ୍ତ କବରୀରେ ଦୀପାନ୍ୱିତା କିଆ ଫୁଲ ଖୋସି ଥିଲା । ସେକଥା ବହୁତ ଦିନର ନୁହେଁ । କାଲିର । ଗତ କାଲିର । ବିକାଶଙ୍କ ପ୍ରାଣତଳେ ତୁହାଇ ତୁହାଇ ଖାଲି ନାଚୁଚି ସେଇ କଥା ବିକ୍ଷୁବ୍ଧ ତଟିନୀର ଉଚ୍ଛୃଙ୍ଖଳ ଢେଉ ଭଳି । ବଡ଼ ସ୍ଵପ୍ନର ଛାଇ ହୃଦୟ ଦର୍ପଣରେ ପ୍ରତିବିମ୍ବିତ ହେଉଚି ! କେତେ ସ୍ଵପ୍ନକୁ ସେ ସ୍ମରଣ କରିବେ ? କେତେ କଳ୍ପନାକୁ ସେ ରୂପ ଦେବେ-? ଜୀବନର କୋଟି ସୁରଭିତ କଳ୍ପନା ବିଦଗ୍ଧ ପ୍ରାଣତଳେ ଉଜ୍ଜୀବିତ ହୋଇ ଉଠୁଚି ।

 

ହେଲେ ଦ୍ୱିପାନୀତା ତ ତାଙ୍କର ସ୍ଵପ୍ନ ନୁହେଁ, କଳ୍ପନା ନୁହେଁ । ବାସ୍ତବ । ନିହାତି ବାସ୍ତବ । ଦୀପାନ୍ୱିତା ତାଙ୍କ ଦୁଇଆଖି ଡୋଳାର ଦୁଇଟି ସୁବର୍ଣ୍ଣ ଝଲକ; ବିକାଶ ଚିନ୍ତା କରିଥିଲେ ଅତୀତରେ । କରୁଛନ୍ତି ବର୍ତ୍ତମାନ ଆଉ ଭବିଷ୍ୟତରେବି କରୁଥିବେ !

 

ପ୍ରେମ କଲେ କ’ଣ ଅନୁଭୂତିର ଶୀର୍ଷ ସ୍ଥରରେ ମଣିଷ ପହଞ୍ଚି ଯାଏଁ ? ବିକାଶ ଆଜି ଦୀପାନ୍ୱିତାର ପ୍ରତ୍ୟାଖ୍ୟାନ ପରେ କାହିଁକି ଗଭୀର ଭାବରେ ଏ’ କଥା ଅନୁଭବ କରୁଛନ୍ତି । କିନ୍ତୁ ଦୀପାନ୍ୱିତା ପାଇଁ କାହିଁକି ସେ ଏତେ ଭାବୁଛନ୍ତି ? ଦୀପାନ୍ୱିତା ଛଡ଼ା ଆଉ କ’ଣ କିଛି ନାହିଁ ଏ’ ସଂସାରରେ ଯାହାକି ତାଙ୍କ ଭାବିବାର ବିଷୟବସ୍ତୁ ? ଦୀପାନ୍ୱିତା କ’ଣ ତାଙ୍କ ଜୀବନ କାବ୍ୟର ଏକମାତ୍ର ନାୟିକା, ଯାହାର ଅନୁପସ୍ଥିତିରେ କି କୌଣସି ଉପନାୟିକା ତାଙ୍କ ଜୀବନ କାବ୍ୟରେ ରୂପାୟିତ ହେବା ସମ୍ଭବ ହେବନାହିଁ ? ଦୀପାନ୍ୱିତା ହଜିଗଲା ମରୁଭୂମିର ମରୀଚିକା ଭଳି । ହଜିଯାଉ । କାହିଁକି ସେ ଆଉ ଖୋଜିବେ ତାକୁ ଏତେ ? ମରୁଭୂମିର ମରୀଚିକା ପଛରେ ଧାଇଁ ଧାଇଁ ଜୀବନ ସାରି ଦେଲେବି ଆଉ କ’ଣ ପାଇବା ସମ୍ଭବ ?

 

ଦୀପାନ୍ୱିତା ! ତାଙ୍କ ଜୀବନ ପଥରେ ଠିକ୍ ମରୀଚିକା ଭଳି । ପ୍ରାଣର ଆକାଶରେ ଗୋଟାଏ ଅସମୟ ମୁହୂର୍ତ୍ତର ଅଶୁଭ ଧୂମକେତୁ ଉଲ୍କା ଭଳି ଦେଖା ଦେଇ ପୁଣି ନିଭିଯାଇଚି । ସେ ତାକୁ ପୁଣି କାହିଁକି ଏତେ ଭାଳି ହେଉଛନ୍ତି । ଖୋଜି ହେଉଚନ୍ତି ?

 

ଚମକି ପଡ଼ିଲେ ବିକାଶ । ପ୍ରବଣତାରେ ଭାସିଯାଇ କ’ଣ ଏମିତି ଚିନ୍ତା କରୁଚନ୍ତି ସେ ? ଦୀପାନ୍ୱିତା ତାଙ୍କ ପ୍ରାଣର ଆକାଶରେ ଅଶୁଭ ଧୂମକେତୁ, ଉଲ୍କା ?

 

ନା, କେବେ ନୁହେଁ । କଦାପି ହୋଇ ପାରେନା । ଦୀପାନ୍ୱିତା ଯେ ତାଙ୍କର ଐଶ୍ୱର୍ଯ୍ୟର ଲକ୍ଷ୍ମୀ । ସାଧନାର ସରସ୍ଵତୀ । କଳା, ବିଭବର ମୂର୍ତ୍ତିମତୀ ପ୍ରତିମାଟିଏ ।

 

ଉଚ୍ଚ ବାଲିବନ୍ତର ଶିଖର ଦେଶରେ ଠିଆ ହୋଇ ଗହଳ ଝାଉଁ ବଣ ଭିତରରୁ ଉହୁଁକି ଚାହିଁଲେ ବିକାଶ । ପ୍ରାଣ ତାଙ୍କର ବିଳାପ କରି ଉଠିଲା । ରକ୍ତର ଜୁଆର ହୃଦୟ ଭିତରେ ଟକମକ ହୋଇ ଫୁଟି ଉଠିଲା ସ୍ରୋତସ୍ୱିନୀର ଅମାନିଆ ଇଚ୍ଛାପରି । ଉଷ୍ମ ଅଶ୍ରୁର ତପ୍ତଧାର ପ୍ରସ୍ରବଣ ସୃଷ୍ଟି କରି ବହି ଯାଉଚି ଆଖିରୁ । ଏତେ ବଡ଼ ପୃଥିବୀ ! ନିଜର ବୋଲି କେହି ଜଣେ ନାଇଁ । ସଂସାରରେ ସେ ସେମିତି ଏକାକୀ ଜନ୍ମ ନେଇଚନ୍ତି ! ସୃଷ୍ଟିର ସମସ୍ତ ଦୁଃଖ, ଯାତନା, ହତାଶା, ନିରାଶାର ଯନ୍ତ୍ରଣାକୁ ମୁଣ୍ଡେଇ ତାଙ୍କୁହିଁ ଏକାକୀ ଚାଲିବାପାଇଁ ସ୍ରଷ୍ଟାର ନିର୍ଦ୍ଦେଶ । ସେ କ’ଣ ସତରେ ଆଉ ଚାଲିପାରିବେ ? କ୍ଷତବିକ୍ଷତ, ଆହତ ଆଉ ରକ୍ତାକ୍ତ ହୋଇଗଲା ପରେବି ସୁସ୍ଥ, ସବଳ ମନର ଧୈର୍ଯ୍ୟ ନେଇ ଜୀବନ ରାସ୍ତାରେ ସେ କ’ଣ ଆଉ ଆଗେଇ ପାରିବେ ?

 

ମଣିଷର ବଡ଼ ଶକ୍ତି ହେଲା ସବୁଠାରୁ ମନ । ମନଠାରୁ ଶକ୍ତିଶାଳୀ ସଂସାରରେ ଆଉ କେହି ନାହିଁ, ଯିଏ କି ତାକୁ ପରିଚାଳିତ କରିବ । ମନଥିଲେ ସାଧନାରେ ବେଦନାର ହିମାଳୟକୁ ଅକ୍ଳେଶରେ ଟାଳି ଦିଆଯାଇପାରେ । ମନଥିଲେ ଯନ୍ତ୍ରଣାର କୁମେରୁ, ସୁମେରୁକୁ ଚହଲେଇ ଦିଆଯାଇପାରେ । କିନ୍ତୁ ମନ ଯୋଉଠି ହାରି ଯାଇଚି, ମରିଯାଇଚି, ଭାଙ୍ଗି ଯାଇଚି, ହଜିଯାଇଚି, ସେଠି ଆଉ କେହି ନାହିଁ, ଯିଏ କି ମନ ଉପରେ ପ୍ରଭାବ ପକାଇ ପାରିବ !

 

ବାଲିବନ୍ଧ ଉପରୁ ତଳକୁ ଗଡ଼ି ଆସିଲେ ବିକାଶ । ଏଇ ତାଙ୍କର କୁଟୀର । ଜୀବନ ନାଟକର ରଙ୍ଗମଞ୍ଚ । ଯୋଉଠି କି ଦିନାକେତେ ଧରି ବହୁ ଅଭିନୟ କରିଥିଲେ ସେ । ସେ କ’ଣ ଜାଣିଥିଲେ ଯେ ଜୀବନ ନାଟକ ତାଙ୍କର ଏମିତି ସୃଷ୍ଟି ହୋଇଚି, ନାଟକର ନାୟିକା ଅର୍ଦ୍ଧାଂଶରୁ ନାୟକକୁ ପ୍ରତ୍ୟାଖ୍ୟାନ କରି ଦୂରେଇଯିବ ବୋଲି ? ସେ କ’ଣ ବୁଝି ଥିଲେ ଜୀବନ ନାଟକ ଶେଷ ହେବା ପୂବରୁ ଅଚାନକ ଭାବରେ ନାଟକର ଯବନିକା ପଡ଼ିଯିବ ବୋଲି ?

 

ସେ ଯଦି ଏ’ ସବୁ ଜାଣିଥାଆନ୍ତେ, ତେବେ ଜୀବନ ନାଟକର ନାୟକ ଭୂମିକାରେ ସେ ଆଦୌ ଅବତୀର୍ଣ୍ଣ ହୋଇ ନଥାନ୍ତେ ।

 

ଜୁଆର ବେଳକୁ ବେଳ ପ୍ରଖର ହୋଇ ଉଠୁଚି । ଅତୀବ ପ୍ରଖର । ମନର ଜୁଆରବି ତା’ଠାରୁ ଅଧିକ ଗତି ମୁଖର ହୋଇ ଉଠିଲାଣି । ବହୁଆଡ଼େ ଘୂରି ବୁଲିଲାଣି ଅମାନିଆ ମନଟା । ବାଲି ଢିପଟା ଉପରେ ବହୁ ନାଚିକୁଦି ଖେଳିଲାଣି । ଝାଉଁ ବଣରୁ ଝାଉଁ ଫଳ ଗୋଟାଇ ବାଲିରେ ଗାର କାଟିଲାଣି ।

 

ମଶାଣିପଦାରେ ଜୁଇ ଜଳିବାବି ଦେଖୁଛି । ହାଡ଼ମାଳ, ନିଭିଲା ଜୁଇର କାଠ ଅଙ୍ଗାର ଭିତରେ ଖୋଜି ବୁଲୁଚି କାହାକୁ । ଗହଳ ଝାଉଁ ବଣ ଭିତରେ ଥକ୍କା ମାରି ବସି ପଡ଼ି କାହାର ଆଶ୍ରା ଚାହୁଁଚି ? କାହାର ସ୍ପର୍ଶ ଚାହୁଁଚି ? ପାଉନି ! ଗିର୍ଜାର କବର ସ୍ଥାନରେ ନଇଁପଡ଼ି କାହାକୁ ନିରେଖି ଦେଖୁଚି ? କାହାକୁ ?

 

କିଏ ଦେବ ତା’ର ଉତ୍ତର ? କିଏ ବୁଝିବ ତା’ର ଅନ୍ତରର ଅଭିବ୍ୟକ୍ତି ? କିଏ ଜାଣିବ ତା’ର ଆକୁଳମନର ବ୍ୟାକୁଳ କାହାଣୀ ? ସିଏ ତା’ର ଖୋଜି ବୁଲୁଚି ସେଇ ପ୍ରାଣର ମଣିଷଟିକୁ । ସ୍ନେହ, ପ୍ରେମର ସଜୀବ ପ୍ରତୀକଟିକୁ । ଯିଏ ତା’ ଦୁଃଖରେ କାନ୍ଦି କାନ୍ଦି ଭାଙ୍ଗି ପଡ଼ୁଥିଲା । ନିଜକୁ ଜାଳି ଜାଳି ବେଦନାରେ ତା’ର ସମବେଦନା ଜଣାଉଥିଲା । ଯିଏ ତା’ ସାଥିରେ ହସି ହସି ଅତିଶୟ ପୁଲକରେ ଛାତିରେ ଲୋଟି ପଡ଼ୁଥିଲା । ବକ୍ଷର ଦରଦଭରା ଭାଷାକୁ ରୂପାନ୍ତରିତ କରୁଥିଲା ଆଖିର-ଲୁହରେ । ମନର କୋହରେ । ପ୍ରାଣ ଝଙ୍କୃତଭରା ସଙ୍ଗୀତ ରାଗିଣୀରେ । ସିତାରର ସ୍ଵରଲିପିତଳେ । ସେଇ-ସେଇ ପ୍ରାଣର ଦୀପାନ୍ୱିତା । ତା’ର ପ୍ରିୟା, ପ୍ରେମିକା, ପ୍ରଣୟିନୀ । ସେଇ ଦୀପାନ୍ୱିତା ତାକୁ ସେ ଖୋଜୁଚି । ପାଗଳ ହୋଇ ସେ ଖୋଜୁଚି । କୋହଭରା ହୃଦୟରୁ ବିଦଗ୍ଧତାର କିଛି କାହାଣୀ ନିଃଶେଷ କରି ସାମାନ୍ୟ ଶାନ୍ତି ପାଇବ ବୋଲି । ଆଖିତଳୁ ଯେଉଁ ତାତିଲା ଲୁହ ଧାରଟା ଆବେଗ ମୁଖର ହୋଇ ବହି ଆସୁଚି, ତାକୁ ଗୋଟାଏ ବାଲିବନ୍ଧ ଭିତରେ ଚଉବାଡ଼ କରି ବାନ୍ଧି ରଖିବ ବୋଲି । କିନ୍ତୁ ସେ ପାରୁନି । ପାରିବ ନାହିଁ ଆଉ । ଦୀପାନ୍ୱିତା ତା’ଠାରୁ ଅନେକ ଦୂରରେ । ଯୋଜନ ଯୋଜନ ଦୂରରେ । ଦୀପାନ୍ୱିତାକୁ ଏ ଜନ୍ମରେ ସେ ହୁଏତ ଆଉ ପାଇବ ନାହିଁ-। ଆଉ ପାଇବାର ଆଶା ଭିତରେ ନିଜକୁ ନିମଜ୍ଜିତ କରି ଆଗାମୀ ଜନ୍ମପାଇଁ ସୂକ୍ଷ୍ମ ପରିକଳ୍ପନାର ସ୍ମାରକ ମନ୍ଦିର ଗଢ଼ି ତାକୁ ଆଉ ଅପେକ୍ଷା କରି ପାରିବ ନାହିଁ-। ନା, ସେ ପାରିବ ନାହିଁ-। କ’ଣ କରିବ ସେ ?

 

ସେ କ’ଣ ପୁଣି ଫେରିଯିବ ଆଉଥରେ ରାମୁକାକା ପାଖକୁ ? ଯେଉଁ ଜୀର୍ଣ୍ଣ ଗଳିର ମଦ୍ୟ ଦୋକାନକୁ ଅତୀରର କବର ଭିତରେ ପୋତି ଦେଇ ଆସିଥିଲା ତା’ର ପୁନରୁତ୍‌ଥାନ କରି ସେ ଲେଉଟିଯିବ ପୁଣି ସେ ଭିତରକୁ ? ରାମୁକାକା ବିଦ୍ରୂପ କରିବ । କହିବ, ମୁଁ କ’ଣ କହୁଥିଲି ବିକାଶ, ମାୟାର ହରିଣ ପଛରେ ଧାଇଁ ଧାଇଁ ପୁଣି ଫେରି ଆସିଲୁ ନା ? ଏଠିକି ଯିଏ ଆସେ, ସେ ଆଉ ଲେଉଟି ଯାଏନାରେ ଲେଉଟି ଯାଏନା । ଆଉ ଯିଏ ୟା’କୁ ପଛରେ ପକାଇ ଚାଲିଯାଇଥାଏ, ସେ ପୁଣି ବଳେ ବଳେ ଆଉଥରେ ଲେଉଟି ସେ । ଏମିତି ଅନେକ ଅନେକ ବିବୃତି ।

 

ବିକାଶକୁ ସବୁ ମଥାପାତି ସହିବାକୁ ପଡ଼ିବ । ନିଜକୁ କାଠ ପଥରରେ ନିର୍ଜୀବ ସ୍ତମ୍ଭଟିଏ କରି ସବୁ ଲାଞ୍ଛନା, ଗାଳି ବରଦାସ୍ତ କରିବାକୁ ପଡ଼ିବ । ଆଉ କହିବ ରାମୁକାକା, ତମକଥା ନମାନି ତମକୁ ଛାଡ଼ି ଚାଲିଯାଇଥିବାରୁ ଶେଷରେ ମତେ ଏଇ ଫଳ ଭୋଗିବାକୁ ପଡ଼ିଲା । ମତେ କ୍ଷମାକର-। ମତେ ଯେଉଁ ଦଣ୍ଡ ଦେଉଚ, ଦିଅ ସହିବି ହେଲେ ମତେ ଆଉ ତମେ ଦୂରେଇ ଦିଅନା-। ମତେ ଆଉ ତଡ଼ି ଦିଅନା । ଜୀବନରେ ଠୋକର ନଖାଇଲେ, ଠିକି ନଶିଖିଲେ ବାଟ ଚାଲିବ କେମିତି ମଣିଷ ? ମୋ’ ପ୍ରତି ଇଏ ଉଚିତ ଶିକ୍ଷା ରାମୁକାକା, ମୁଁ ତମକୁ ଅଯଥାରେ ଭୁଲ୍ ବୁଝିଥିଲି-

 

କେତେ ଗେଲେଇ, ଭୁଲେଇ ପୁଣି ମନେଇବାକୁ ପଡ଼ିବ ରାମୁକାକାକୁ । ବହୁ ସ୍ନେହ, ପ୍ରେମରେ ମଜେଇ, ହଜେଇ ଗୁଡ଼ାଏ ଗପିବାକୁ ପଡ଼ିବ ରାମୁକାକା ସାଥିରେ । ବିକାଶ କ’ଣ ପାରିବେ ଏତେ କଥାକରି ? ଭଙ୍ଗା ସିତାରକୁ ପୁଣି ସଜାଡ଼ି ସ୍ୱର ତୋଳି ପାରିବେ ସେ ?

 

ମନରେ ଅସୁମାରି ଦ୍ଵନ୍ଦ୍ୱ, ଆଉ ଚିନ୍ତାଧାରା ଦୋଳି ଖେଳୁଚି । କ’ଣ କରିବେ ଏଥିପାଇଁ ବିକାଶ ? କ’ଣ କରିବେ ?

 

ନା, ସେ ଆଉ ଫେରିଯିବେ ନାହିଁ ରାମୁକାକା ପାଖକୁ । ରାମୁକାକା ତାଙ୍କର କିଏ ? ରାମୁକାକା ସହିତ ତାଙ୍କର ସମ୍ପର୍କ କ’ଣ ? ଢୋକିଲା ଛେପକୁ ଗଳା ଭିତରକୁ ନେଇ ପୁଣି ଫେରାଇ ଆଣିବା ଆବଶ୍ୟକତା କ’ଣ ତାଙ୍କର ?

 

ରାମୁକାକା ବିଦ୍ରୂପ କରିବ । ଅସହନୀୟ ବିଦ୍ରୂପ । ସେ ସବୁ ସହିପାରିବେ ତ ବିକାଶ ?

 

ଆହତ ଅବସ୍ଥାରେ ପଡ଼ିଥିବାବେଳେ ଯଦି ଆହୁରି-ଆହୁରି ଆଘାତ ସୃଷ୍ଟି ହୁଏ ଏବଂ ତା’ର ଜ୍ୱଳନର ନିପୀଡ଼ନ ମଣିଷକୁ ଯେଉଁ ଅଧିକ ରକ୍ତାକ୍ତ କ୍ଷତବିକ୍ଷତ କରିଦିଏ, ତାକୁ ସହ୍ୟ କରିବା ବିକାଶ ଭଳି ଜଣେ ନିତାନ୍ତ ଆହତ ବ୍ୟକ୍ତି ପାଖରେ ସମ୍ଭବ ନୁହେଁ କଦାପି । ସେ ରାମୁକାକାକୁ ଆଉ ତୋଷାମଦ କରି ପାରିବେ ନାହିଁ । ଭଙ୍ଗାମନରେ, ଭଙ୍ଗାଗଳାରେ ସେ ଆଉ ଦୋଷ ସ୍ଵୀକାର କରି ଦୁର୍ବଳତା ପ୍ରକାଶ କରି ପାରିବେ ନାହିଁ ।

 

କିନ୍ତୁ ସେ ରାମୁକାକା ପାଖକୁ ନଯାଇ ବଞ୍ଚି ପାରିବେ ତ ? ଚାଲି ପାରିବେ ତ ? ଦିନକର ଆହାରପାଇଁ, ଖାଦ୍ୟପାଇଁ ଯାହାର ସମ୍ବଳ ନାହିଁ, ସେ ଦିନ ଦିନ ଧରି ବଞ୍ଚିବେ କେମିତି ? କାହାର ମୂଲ ଲାଗିବେ ? ଶ୍ରମ କରିବେ ? କାହା ଆଗରେ ମଥା ନୁଆଁଇ ହାତ ପାତିବେ ? କ’ଣ କରିବେ ସେ ? ଏ’ ସବୁ ତ ସେ ପାରିବେ ନାହିଁ । ବିନା ଖାଦ୍ୟରେ କେତେ ଦିନ ବଞ୍ଚିବେ ସେ ? କଲବଲ ହୋଇ ମରିବା ଆଗରୁ ଯଦି ନଦୀଗର୍ଭରେ ନିଜକୁ ଆଶ୍ରୟ ଦିଅନ୍ତି ତେବେ ?

 

ଛାତିରେ ଅଜସ୍ର କମ୍ପନ ସୃଷ୍ଟି ହେଲା । ସୃଷ୍ଟି ହେଲା ଅଜଣା ଭୟର ଶିହରଣ । ସେ ଆତ୍ମହତ୍ୟା କରିବେ ? ଆତ୍ମହତ୍ୟା ! ! ଜଣେ ଶିଳ୍ପୀ ଏ’ କଥା ଚିନ୍ତା କରି ପାରୁଚି ? ପୁଣି ବିକାଶ ଭଳି ଜଣେ ଶିଳ୍ପୀ !

 

ଶିଳ୍ପୀ ମରିଯାଏ ସତ ଶିଳ୍ପ ମରେନି । ଶିଳ୍ପୀତ୍ୱ ଲୋପ ହୁଏନି । ଦାରିଦ୍ର୍ୟ ସର୍ପ ଶିଳ୍ପୀ ବିକାଶକୁ ଦଂଶନ କରି ମାରିପକାଇବ, କିନ୍ତୁ ତା’ର ଶିଳ୍ପକୁ ନୁହେଁ । ଶିଳ୍ପୀତ୍ୱକୁ ନୁହେଁ । ଶିଳ୍ପ, ଶିଳ୍ପୀତ୍ୱ ଜନ୍ମ ଜନ୍ମ ଧରି ଅକ୍ଷୟ ଅଜୟୀ, ଅବିନଶ୍ଵର !!!

 

ସେ ରାମୁକାକା ନିକଟକୁ ଫେରିଯିବେ । ରାମୁକାକା ତାଙ୍କର ନିଜର । ଏକାନ୍ତ ନିଜର । ଏକାନ୍ତ ଆପଣାର ମଣିଷ ପ୍ରତି ସାମୟିକ ଅଭିମାନ ଏମିତି ଆସେ । କ୍ରୋଧ ଜନ୍ମ ନିଏ । ପୁଣି ପରମୁହୂର୍ତ୍ତରେ ସେ ଅଭିମାନ, କ୍ରୋଧ ମୁହୂର୍ତ୍ତର ସୁଅରେ କୁଆଡ଼େ ଭାସିଯାଏ । ବୁଡ଼ିଯାଏ । ଠିକ୍ ସେମିତି ବିକାଶଙ୍କ ଅଭିମାନ ଉଠୁଚି । ଜନ୍ମ ନେଉଚି । ପୁଣି ଭାସିଯିବ । ବୁଡ଼ିଯିବ । ବିକାଶ ଖୋଜିଲେବି ଆଉ ପାଇବେନି । ଖୋଜି ଖୋଜି ନିଜକୁ ହଜାଇ ଦେଲେବି ସେ ଆଉ ଜାଣିବେନି, କୋଉଠି ହଜିଗଲା, କୋଉଠି ବୁଡ଼ିଗଲା ସେ ଅଭିମାନ, କ୍ରୋଧର ଡଙ୍ଗା !!

 

ପ୍ରତି ମଣିଷ ସ୍ୱାର୍ଥପର । ସେ ଭଳି ରାମୁକାକା ତା’ ସ୍ଵାର୍ଥରେ ଲାଗିଚି । ସେ ସ୍ୱାର୍ଥ ଭିତରେ ବିକାଶପାଇଁ ଯେ ତା’ର କିଛି ଆତ୍ମବିଳ, ଆତ୍ମଦାନର ଅମୃତ ନାହିଁ; କେବଳ ଘୃଣା, ସ୍ୱାର୍ଥପରତାର ହଳାହଳ ଅଛି, ତା’ ପକ୍ଷରେ ଚିନ୍ତା କରିବା ସମ୍ପୂର୍ଣ୍ଣ ଅନ୍ୟାୟ ।

 

ରାମୁକାକା ତାକୁ ମଣିଷ କରିଛି । ପିଲାଟିବେଳୁ କାଖେଇ କୋଳେଇ ଦୁନିଆ ଆଗରେ ଠିଆ କରେଇଚି । ବାଟ ଚାଲିବା ଶିଖେଇଚି । ଶକ୍ତି ହାସଲ କରେଇଚି । ରାମୁକାକାକୁ ସ୍ୱାର୍ଥପର କୁହା ନଯାଇ ପାରେ । କୁହା ନଯାଇ ପାରେ ରାମୁକାକା କେବଳ ଆପଣାର କାର୍ଯ୍ୟ ସମ୍ପୂର୍ଣ୍ଣପାଇଁ ଲାଗି ପଡ଼ିଚି !

 

ଗହଳ ଝାଉଁ ପତ୍ର ଶେଯ ଉପରେ ସୂର୍ଯ୍ୟ ଶୋଇ ଯାଉଚି । ତା’ ସହିତ ଶୋଇ ଯାଉଚି ବିକାଶଙ୍କ ମନ ଆଉ ଜୀବନର ଅସୁମାରି କାମନା, କଳ୍ପନା । ସୂର୍ଯ୍ୟ ଯେପରି ତାଙ୍କ କାନରେ କହି ଯାଉଚି, ଅନେକ କ୍ଳାନ୍ତି ପରେ ସାଧାରଣ ବିଶ୍ରାମ ଟିକିଏ ନେଉଚି କିଛି ସମୟପାଇଁ । ଉଠିଲେ ପୁଣି କଥାବାର୍ତ୍ତା । ପୁଣି କର୍ତ୍ତବ୍ୟ ଚାଲିବ । କର୍ତ୍ତବ୍ୟ, କର୍ମପାଇଁ ତ ସୃଷ୍ଟି ଜନ୍ମ ନେଇଛି । ସୃଷ୍ଟିର ପ୍ରତି ଶିଳା ସୋପାନରେ କାର୍ଯ୍ୟ ଆଉ ସାଧନାର ଲିପି ସ୍ୱାକ୍ଷରିତ । ଅଙ୍କିତ ।

 

ତେଣୁ କାର୍ଯ୍ୟ ସାଧନାରେ ଲାଗିବାକୁ ପଡ଼ିବ । ପ୍ରତ୍ୟେକ ବସ୍ତୁବାଦୀ ପଦାର୍ଥର ଆଭିମୁଖ୍ୟ କର୍ମପାଇଁ, ଧ୍ୱଂସପାଇଁ ନୁହେଁ । ବିକାଶ ତ ମଣିଷ ! ପଦାର୍ଥଠୁ କ’ଣ ସେ ନ୍ୟୁନ ?

 

ତେବେ ସେ ମରିବାକୁ ଚାହୁଁଛନ୍ତି କାହିଁକି ? ଅକାଳରେ ମରିଯିବା ପାଇଁ କ’ଣ ମଣିଷର ଜନ୍ମ ? ମଣିଷ ଯିଏ ମରିଯାଏ, ସେ ଜୀବନର ମୂଲ୍ୟ ବୁଝେନି । ଜୀବନ କାହିଁକି, କିଏ ଦେଇଥିଲା, କ’ଣପାଇଁ ଦେଇଥିଲା, ସେ କଥା ସେ ଜାଣେନି । ଅକାରଣରେ ପ୍ରବଣତାରେ ଭାସିଯାଇ କେବଳ ନଷ୍ଟକରି ବସେ ଜୀବନକୁ । ନିଜ ଉପରେ ନିଜତ୍ୱ ଆଉ ପ୍ରଭୁତ୍ଵ ବିସ୍ତାର କରି ସେ ଯେମିତି ମନଇଚ୍ଛା ନିଜକୁ ଅତ୍ୟାଚାର କରି ଚାଲିବ ! ଏ’ ଜୀବନ ଯେମିତି ତା’ର । ଏକାନ୍ତ ତା’ର । ୟା’ ଉପରେ କାହାର ଆଉ ଅଧିକାର ନାହିଁ । ଦାବି ନାହିଁ !

 

ଦୀପାନ୍ୱିତା କହୁଥିଲା, କେଉଁ ଜ୍ୟୋତିର୍ବିଦ୍ କେଉଁଠି ପ୍ରକାଶ କରିଛନ୍ତି ଯେ, ଏ’ ଶତାବ୍ଦୀରେ ଅନେକ ଯୁବକ, ଯୁବତୀ ଏମିତି ପ୍ରେମ କରିବେ ଏବଂ ବିଫଳ, ହତାଶାର ଚିହ୍ନ ନେଇ ଆତ୍ମହତ୍ୟା କରିବେ ।

 

ଗୁଡ଼ାଏ ଅର୍ଥହୀନ, ଅବାନ୍ତର ଭାଷାର ସମୀକରଣରେ ଯେଉଁ ବାକ୍ୟ ଗଢ଼ି ଉଠିଥିଲା, ତାକୁ କଥୋପକଥନର କେନ୍ଦ୍ର କରି ବିକାଶ ସେଦିନ ଖୁବ୍ ହସିଥିଲେ ହେଲେ ଆଜି ସେ ଜ୍ୟୋତିର୍ବିଦ୍ ଯେମିତି ତାଙ୍କରିପାଇଁ କେବଳ ତାଙ୍କରିପାଇଁ ଏ’ ବାକ୍ୟଗୁଡ଼ା ଲେଖିଥିଲେ ଆଉ ପରୋକ୍ଷରେ ସୂଚେଇ ଦେଇ ଯାଇଥିଲା ଦୀପାନ୍ୱିତା, ଏକଥା ମନେ କରୁଚନ୍ତି ବିକାଶ ।

 

ଲତିକା ଭାଉଜ ଯେଉଁ ଦିନ ମଳିନ ଅପରାହ୍ନରେ ବ୍ୟଥା ବିସମ୍ୱାଦ ନେଇ ଆସିଥିଲେ ଯେ ଦୀପାନ୍ୱିତା ବିବାହ କରୁଚି, ସେଦିନ ସେ କହିଥିଲେ ବିକାଶବାବୁ, ପ୍ରେମ କରିବା ମଣିଷର ଅପରାଧ ନୁହେଁ । ପ୍ରେମ ହେଉଚି ଏକାନ୍ତ ସ୍ୱର୍ଗୀୟ । ଐଶୀ ଆଶୀର୍ବାଦ । ସମସ୍ତଙ୍କ ଜୀବନରେ ଏହା ଘଟେନି । ତେଣୁ ସାଧାରଣ ମଣିଷ ଏହାକୁ ଅନୁଭବ କରି ପାରେନି । ଏହାର ମୂଲ୍ୟ ବୁଝି ପାରେନି । ପ୍ରେମ କରି ଯେ ଆପଣ କୁମାର୍ଗରେ ଚାଲିଗଲେ, ଚରିତ୍ରହୀନ ହୋଇଗଲେ, ଆପଣଙ୍କ ଜୀବନ କଳଙ୍କ କାଳିମାରେ ନେସି ହୋଇଗଲା ଆଦୌ ନୁହେଁ । ଆପଣଙ୍କ ଜୀବନରେ ଏହି ଘଟିବାହିଁ ଆଶା କରାଯାଉଥିଲା । କାରଣ ଆପଣ ଶିଳ୍ପୀ । ଶିଳ୍ପୀର ଜୀବନ ପ୍ରେମର କେବଳହିଁ ପ୍ରେମର ଛଳଛଳ ବାରିରାଶିରେ ସିକ୍ତ ହୋଇଥାଏ । ତା’ ବୋଲି ପ୍ରେମରେ ବିଫଳ ହୋଇ ଗୋଟାଏ ଜୀବନକୁ ଧ୍ୱସ୍ତବିଧ୍ୱସ୍ତ କରିଦେବା ଅକାରଣରେ ନଷ୍ଟ କରିଦେବା ଆଦୌ ଯୁକ୍ତିଯୁକ୍ତ ନୁହେଁ-। ଶୋଭନୀୟ ନୁହେଁ ।

 

ପ୍ରତି ମଣିଷର ଦର୍ଶନ ଥାଏ । ଆଉ ସେ ଦର୍ଶନର ଜନ୍ମ ଏଇ ସ୍ନେହ, ପ୍ରେମ, ଅନୁରାଗ, କରୁଣା ଭିତରୁ ! ଦୀପାନ୍ୱିତା ଯାହା କହିଥିଲା ବୋଲି ଆପଣ କହୁଛନ୍ତି, ସେ ଥିଲା କେବଳ ତା’ ଜୀବନର ଦର୍ଶନ ଆଉ ମନ୍ତବ୍ୟ । ଅବଶ୍ୟ ମୁଁ ସ୍ୱୀକାର କରୁଚି, ପ୍ରେମରେ ହତାଶ ହେବାପରେ ମଥିତ ବ୍ୟଥିତ ପ୍ରାଣରେ ଯେଉଁ ଦହନ ସୃଷ୍ଟି ହେବ, ସେ ଦହନ ପୃଥିବୀର କୋଣ ଅନୁକୋଣ ଘୂରି ଘୂରି ଯେତେ ସୁଶୀତଳ ଜଳରାଶି ଯେଉଁଠୁ ଆଣି ସିଞ୍ଚିଲେବି ସେ କଦାପି ଶାନ୍ତ ହେବ ନାହିଁ । ସେ ଅନିର୍ବାପିତ ବେଦନାଗ୍ନି ନିର୍ବାପିତ ହେବ ନାହିଁ ।

 

ଏଗୁଡ଼ା ମୋ’ ଅଙ୍ଗେ ଲିଭା । ଏଇ ଅନୁଭୂତି ମୋର ପ୍ରତ୍ୟେକ ଶିରା, ପ୍ରଶିରାରେ ଆଜିବି ରୋମାଞ୍ଚ ସୃଷ୍ଟି କରେ । ଆଜିବି ପ୍ରାଣତଳେ ଜାଗ୍ରତ କରେ କୋଟିଏ ବେପଥୁର କମ୍ପନ । ବହୁ ବସନ୍ତ ଶୀତର ଲୋମଥରା ଉଲ୍ଲାସ, ଅତୀରର ହା-ହୁତାଶଭରା ଦୀର୍ଘଶ୍ଵାସ, ସବୁ ଆଜି ମନେ ପଡ଼େ । ବକ୍ଷକୁ ଦୋହଲାଇ ଦିଏ । ରକ୍ତକୁ ଚହଲାଇ ଦିଏ ।

 

ତମ ଭାଇ ଆଉ ମୋ’ ଭିତରେ ଯେଉଁ ଦିନ ସ୍ନେହ, ସମ୍ପର୍କ ଗଭୀର ଭାବରେ ଉଜ୍ଜୀବିତ ହୋଇ ଉଠିଥିଲା, ସେଦିନ ତମରି ପରି ଆମ ନାଆଁରେ ମଧ୍ୟ ଦୁନିଆ ବାଢ଼ିଥିଲା ବହୁ ଅଶ୍ଳୀଳ ମନ୍ତବ୍ୟ । ବହୁ କଟୁତିକ୍ତ, ଅଯୌକ୍ତିକ ବାକ୍ୟ । କିନ୍ତୁ ତମ ଭାଇ ବହୁତ ଦୃଢ଼ ଥିଲେ । ବହୁ ବାଧା ବନ୍ଧନ ପରେ ପ୍ରତିବନ୍ଧକର ପ୍ରାଚୀର ଡେଇଁ ଆମେ ଦିହେଁ ଦିହିଁଙ୍କୁ ପାଇଥିଲୁ । ପ୍ରେମରେ କିଛିଦିନ ହତାଶ ହେବାପରେ ଆମ ଉଭୟଙ୍କରବି ମନେ ହୋଇଥିଲା । ଆମ ଦୁଇ ଜୀବନର ଯେମିତି ବିଲୟ ଘଟିବ ଏଇଠି । ସମାପ୍ତି ଘଟିବ ଏଇଠି । ଆମେ କେହି କାହା ବିନା ବଞ୍ଚି ପାରିବୁ ନାହିଁ । ଜଣଙ୍କ ବିନା ଜଣଙ୍କର ବଞ୍ଚିବା ନିରର୍ଥକ । ଜନ୍ମ ଅସମ୍ପୂର୍ଣ୍ଣ ଆଉ ନିରସ । ତାରୁଣ୍ୟର ଚଳଚଞ୍ଚଳତାରେ ଆମେବି ଏମିତି ନିଜକୁ ନିଃଶେଷ କରିଦେବାକୁ ଦିନେ ଦୃଢ଼ ପରିକର ହୋଇଥିଲୁ-। କାହା ଉପଦେଶ, ଅନୁରୋଧ ସେ ସମୟରେ ଆମର ଶତ୍ରୁ ଗୋଚର ବା ମୂଲ୍ୟବାନ ମନେ ହୋଇ ନଥିଲା । ଆଜି ଠିକ୍ ଆପଣଙ୍କର ମନେ ହେଉଥିବ, ମୁଁ ବୁଝୁଚି । କିନ୍ତୁ ଆମେ ସିନା ଦିହେଁ ଦିହିଁଙ୍କ ଉପରେ ଦୃଢ଼ ଆସ୍ଥା ରଖିଥିଲୁ ବୋଲି ସଫଳ ହେଲୁ । ଆପଣଙ୍କର ଦୀପାନ୍ୱିତା ତ ଆପଣଙ୍କୁ ବୁଝିଲା ନାହିଁ । ଆପଣ ତାକୁ ଏତେ ଭାବି ହେବାବି କ’ଣ ଦରକାର ? ଆପଣ ଭୁଲି ଯାଆନ୍ତୁ-। ଆପଣ ସମ୍ପୂର୍ଣ୍ଣ ଭାବରେ ବିସ୍ମରି ଯାଆନ୍ତୁ ତାକୁ । ଭାବି ନିଅନ୍ତୁ ଦୀପାନ୍ୱିତା ବୋଲି କୌଣସି ଝିଅ ଆପଣଙ୍କ ଜୀବନ କାଳ ଭିତରେ କେବେ ଦେଖା ହୋଇ ନଥିଲା ଆପଣଙ୍କ ସହିତ । କଥା ଛଳରେ ମୁଁ ଏମିତି ଆପଣଙ୍କୁ କହୁଛି ଅବଶ୍ୟ କିନ୍ତୁ ଅନୁଭବ କରୁଚି, ସତରେ ଏତେ ଶୀଘ୍ର ଭୁଲି ହେବ ନାହିଁ ଦୀପାନ୍ୱିତାକୁ । ମଣିଷ ଯାହାକୁ ଯେତିକି ଭୁଲିବାକୁ ଚେଷ୍ଟା କରେ, ସେ ସେତିକି ସେତିକି ନିବିଡ଼ ଭାବରେ ମନେ ପଡ଼େ । ଅନ୍ତର ଭିତରେ ଜବରଦସ୍ତି ଜାଗା ଆବୋରି ବସେ । ଅଧିକ ଭାବରେ ଦାବି କରେ । ଆପଣାର ପ୍ରାପ୍ୟ ।

 

ବିକାଶବାବୁ, ପ୍ରେମରେ ହତାଶ ହେବାପରେ ଏତେ ଦୁଃଖ କରିବା ଉଚିତ ନୁହେଁ, ବିଶେଷତଃ ଜଣେ ଶିଳ୍ପୀ ନିକଟରେ । ଶିଳ୍ପୀର ଶିଳ୍ପ ହେଲା ନିଜସ୍ଵ । ଶିଳ୍ପ ଶିଳ୍ପୀକୁ ଯେତେ ଯନ୍ତ୍ରଣା ଦେଇପାରେ, ବେଦନା ଦେଇପାରେ, ସେଇ ଶିଳ୍ପ ସେତିକି ଭାବରେ ବେଦନାକୁ ପିଇଦେଇ ପାରେ, ଶୋଷି ନେଇ ପାରେ !

 

ଆପଣଙ୍କୁ ବଞ୍ଚିବାକୁ ହେବ ଆପଣଙ୍କ ସାଧନା ଲାଗି । ଆପଣଙ୍କ ଐଶୀଶକ୍ତିଲାଗି । ଆପଣଙ୍କୁ ଭୁଲିବାକୁ ହେବ ଆପଣଙ୍କ ପ୍ରତିଭା ଲାଗି । ଏତେ ଉନ୍ମନା ହେଲେ ଜୀବନ ରାସ୍ତାରେ ଚାଲିପାରିବେ ଆପଣ ? ଆପଣଙ୍କ ଶିଳ୍ପୀ ପ୍ରାଣକୁ ଆପଣଙ୍କ ପ୍ରେମ ରକ୍ତାକ୍ତ କରି ତୋଳିନି ବିକାଶବାବୁ; ବରଂ ଅଧିକ ଅମୃତମୟ କରି ତୋଳିଚି । ଏ’ ପ୍ରେମର ହତାଶାରେ ଆପଣଙ୍କ ସଙ୍ଗୀତମୟ ପ୍ରାଣ ଅଧିକ ଝଙ୍କୃତ ହୋଇ ଉଠିବ । ଅଶ୍ରୁ ଛଳଛଳ ଭାବରେ କାନ୍ଦି ଉଠିବ । ସଙ୍ଗୀତ ପରା କାନ୍ଦେ ! ଶିଳ୍ପ ପରା ଅଶ୍ରୁ ଢାଳେ ! ଶିଳ୍ପୀ ହୋଇ ଆପଣ ଏତିକି ବୁଝି ନାହାଁନ୍ତି ?

 

ନଦୀ ପଠାର ଜଳଘାସଗୁଡ଼ାକୁ ଦେଖାଇ କହିଲେ, ଏ’ ଘାସଗୁଡ଼ିକୁ ଦେଖୁଛନ୍ତି ? ଏ’ ସରୁ, ଦୁର୍ବଳ ଘାସଗୁଡ଼ା କେଡ଼େ ଜୀର୍ଣ୍ଣଶୀର୍ଣ୍ଣ ! ଏମାନଙ୍କର କି ଅସ୍ତିତ୍ୱ ଅଛି ଦୁନିଆରେ କହିଲେ ? ମାତ୍ର ଏମାନେ କେଡ଼େ ସଂଗ୍ରାମୀ ! କୋଟି କୋଟି ଢେଉର ବଜ୍ରମାଡ଼ରେ ଆଘାତପ୍ରାପ୍ତ ହୋଇବି ଏମାନେ ବଞ୍ଚିବାପାଇଁ, ମଥା ଟେକି ଠିଆ ରହିବାପାଇଁ କି’ ଉଦ୍ୟମ ଚଳାଇଚନ୍ତି ! କି’ ଆପ୍ରାଣ ଚେଷ୍ଟା ଚଳାଇଚନ୍ତି ! ଆମେ କ’ଣ ଏମାନଙ୍କଠାରୁ ନ୍ୟୁନ ?

 

ସଂଗ୍ରାମୀ ଦୁନିଆରେ ବିଜୟ ହାସଲ କରିବାକୁ ସମସ୍ତେ ଇଚ୍ଛୁକ ହେଲେ ପରାଜୟ ଗ୍ରହଣ କରିବାକୁ କେତେ ଜଣ ଇଚ୍ଛା କରନ୍ତି କହି ପାରିବେ ? ଯୋଉମାନେ ଜୀବନକୁ ବୁଝନ୍ତି, ସେଇମାନେ କେବଳ । କଳାପ୍ରାଣ ମଣିଷମାନେ କେବଳ । ଆପଣ ଶିଳ୍ପୀ ହୋଇ ଯଦି ସାଧାରଣଙ୍କ ସାଙ୍ଗରେ ସମକକ୍ଷ ହେବାକୁ ଚାହିଁବେ, ତେବେ ଆପଣଙ୍କ ଶିଳ୍ପୀ ପ୍ରାଣର ମୂଲ୍ୟ ରହିବ କ’ଣ ? ଆପଣ ଶିଳ୍ପୀ । ଶିଳ୍ପୀ ଅର୍ଥହିଁ କେବଳ ଲୁହ ।

 

ଅଶ୍ରୁର ସାଧନାରେ ଜର୍ଜରିତ, ମର୍ମରିତ ହୋଇ କଳାର ଯେଉଁ ସୂକ୍ଷ୍ମ ପୁଷ୍ପ ମନ ଉଦ୍ୟାନରେ ବିକଶିତ ହୁଏ, ସେ ପୁଷ୍ପ ସଂସାରର କୋଉ ଉଦ୍ୟାନରେ ମିଳେନି । ତା’ର ସୁବାସ୍ନା, ସୁଗନ୍ଧ ସାରା ଦୁନିଆକୁ ମହକାଇ ଦିଏ । ଚହଟାଇ ଦିଏ । ଆପଣ ଆପଣଙ୍କ ସାଧନାକୁ ନିଜର ଅଶ୍ରୁରେ ସିକ୍ତ କରାଇ ସେଇ କଳାର ସୂକ୍ଷ୍ମ ପୁଷ୍ପ ବିକଶିତ କରାନ୍ତୁ । ସେଥିରୁ ଆପଣ ପାଇବେ କି’ ଗୌରବ, କି ପରିତୃପ୍ତି, କି ଅସୀମ ପ୍ରଶାନ୍ତି ! ତା’ ଭିତରୁ କୋଟି ଦୀପାନ୍ୱିତାର ରୂପ ପ୍ରକାଶ ପାଇବ-। ସେତେବେଳେ ଆଉ ଆପଣ ଏ’ ଦୀପାନ୍ୱିତାକୁ ଚାହିଁବେ ନାହିଁ । ମନେପକାଇବେ ନାହିଁ-

 

ତାହା କେବେ ହୋଇ ପାରେନା ଭାଉଜ, ଏମିତି କେବେ ହୋଇ ପାରେନା । ଦୀପାନ୍ୱିତାକୁ ମୁଁ ଚାହେଁ । ଖାଲି ଦୀପାନ୍ୱିତାକୁ । ଦୀପାନ୍ୱିତା ମୋର । ଜନ୍ମଜନ୍ମାନ୍ତର ଧରି ମୋର । ତାକୁ ମୁଁ କେବେ ପ୍ରତ୍ୟାଖ୍ୟାନ କରି ପାରିବି ନାହିଁ । ତା’ର ପ୍ରତ୍ୟାଖ୍ୟାନ ପରେବି ବିଗତର ସେଇ ଅମୃତ ଦୃଷ୍ଟି ନେଇ ଆଜି ଅପେକ୍ଷା କରିଚି ତାକୁ । ଗତକାଲି କରିଥିଲି । ଆଗାମୀ କେତେ ଜନ୍ମ ପରେବି ଏ’ ଅସ୍ତିତ୍ୱ, ଏ ଦେହର ପ୍ରତି ଶିରା, ଉପଶିର ମାଟି, ବାଲିର ଧୂଳିକଣା ଭିତରେ ମିଶିଗଲା ପରେବି ତାକୁ ଅପେକ୍ଷା କରିଥିବି । ଆଗାମୀ କେତେ ବର୍ଷ ପରେ ଭାଉଜ, ତମେ ଯଦି ଏଇ ଜାଗାରେ, ଏଇ ସ୍ଥାନରେ ମାଟି, ବାଲି ଖୋଳି, ବାହାର କରି କାନ ଡେରିବ, ମୋ’ରି ସଙ୍ଗୀତ ଶୁଣିପାରିବ । ଯଦି ଏ’ ସ୍ଥାନକୁ ଆଘ୍ରାଣ କରିବ, ତେବେ ମୋ’ରି ଦେହର ଉଷ୍ମଗନ୍ଧ ଆଉ ପ୍ରାଣର ଆକୁଳ ବାସ୍ନା ବାରିପାରିବ, ସେତେବେଳେ ବୁଝିପାରିବ, ମୁଁ ବଞ୍ଚିଛି । ଆଜିବି ବଞ୍ଚିଛି । କେବଳ ତା’ରିପାଇଁ । ସେଇ ଦୀପାନ୍ୱିତା ପାଇଁ । ଦୀପାନ୍ୱିତା ସିନା ମତେ ବୁଝି ପାରିଲାନି, ମୁଁ ତାକୁ ଠିକ୍ ଭାବରେ ବୁଝୁଚି । ପ୍ରତିମାଂସ, ପ୍ରତି ରକ୍ତ ବିନ୍ଦୁତଳେ ମୋର ମୁଁ ତାକୁ ଅନୁଭବ କରିଚି । କେବଳ ଦେଖା ହେଲେ ଏତିକି ତାକୁ ବୁଝାଇ ଦେବ ଭାଉଜ, ମୁଁ ତା’ପାଇଁ କେତେ ଆଉ କ’ଣ ତ୍ୟାଗ କରିଥିଲି । କେତେ ନିବିଡ଼ ଭାବରେ ଭଲ ପାଇଥିଲି ଆଉ ଅନାବିଳତାର ସହିତ ପ୍ରେମ କରିଥିଲି !

 

ଦୀପାନ୍ୱିତା, ଲତିକା ଭାଉଜ ଅନେକ ପଛରେ ରହିଗଲେଣି । କେବଳ ଭାବୁଚି ବିକାଶ-। କାଇଁକି ନା ଏମାନେ ତା’ ଜୀବନ ନାଟକର ଗୋଟିଏ ଗୋଟିଏ ମୁଖ୍ୟ ଚରିତ୍ର !

 

ବହୁ ବେଳୁ ଅନ୍ଧାର ହୋଇଗଲାଣି । ବିକାଶ ଲକ୍ଷ୍ୟ କରିବି କରିପାରି ନାହାଁନ୍ତି । ସେ କ’ଣ ପାଗଳ ହୋଇ ଯାଇଚନ୍ତି ? ହଁ, ହଁ, ପ୍ରେମରେ ପାଗଳ ହୋଇ ଯାଇଚନ୍ତି ସେ । ସେ ପାଗଳାମି ତାଙ୍କର ଆଉ ଭଲ ହେବ ନାହିଁ । କେଉଁ ପାଗଳଖାନାର ଗେରଦ ଭିତରେ ବନ୍ଦିରହି ସେ ଆଉ ଆରୋଗ୍ୟ ହୋଇ ପାରିବେ ନାହିଁ ।

 

ଦୀପାନ୍ୱିତା ! ତମ କଥା ଭାବି ଭାବି ମୁଁ ସତରେ ପାଗଳ ହୋଇଯାଏ । ତମେ ମତେ ଆଶୀର୍ବାଦ ଦିଅ ! ପ୍ରେମିକ ଭାବରେ, ଭାବୀସ୍ଵାମୀ ଭାବରେ ତମେ ମୋ’ଠୁ ଅନେକଥର ଆଶୀର୍ବାଦ ଚାହିଁଥିଲ । ଚାହୁଁଥିଲ । ମୁଁ ତୁମଠୁ ମୋର ପ୍ରେମିକା ଭାବରେ ଆଜି ଏ ଆଶୀର୍ବାଦ ଟିକକ ଚାହୁଁଚି । ଦେବନି ? ପରିତୃପ୍ତ କରାଇବନି ?

 

ସେଦିନ ପ୍ରଥମ ସମ୍ବୋଧନ କରି ପଚାରିଥିଲା ଦୀପାନ୍ୱିତା-ବିକାଶ, ପ୍ରେମର ଅର୍ଥ କ’ଣ ବୁଝ ତମେ ?

 

କୌତୁହଳତା ପ୍ରକାଶ କରି ବିକାଶ କହିଥିଲେ, ଦୀପା, ପ୍ରେମ ଅର୍ଥ ମୁଁ ମୋଟେ କିଛି ବୁଝି ପାରିନି । କ’ଣ ଟିକେ ଭଲ ଭାବରେ ବୁଝେଇ ଦିଅନା !

 

ବିକାଶ ତାକୁ ପରିହାସ କରୁଥିଲା । ଦୀପାନ୍ୱିତା ସରଳତାରେ ବିକାଶର ପରିହାସକୁ ପରିହାସରେ ନ ନେଇ ଭିନ୍ନ ଅର୍ଥରେ ନେଇଥିଲା । ନଦୀକୁ ଅନେଇ, ଆକାଶକୁ ଅନେଇ, ନିଜକୁ ଟିକିଏ ଅନେଇଲା ଦୀପାନ୍ୱିତା । କହିଲା ବିକାଶ, ପ୍ରେମ ଅର୍ଥ କ’ଣ ତମେ, ବୁଝିନ ? ଆଶ୍ଚର୍ଯ୍ୟ ଲାଗୁଚି । ହୁଏତ ବୁଝିଥିବ କିନ୍ତୁ ଭିନ୍ନ ଅର୍ଥରେ । ମୁଁ କ’ଣ ବୁଝିଚି ଜାଣିଚ ? ମୁଁ ବୁଝିଚି, ପ୍ରେମ-ଗୋଟାଏ ଭାବତନ୍ମୟ କବି କଣ୍ଠର କବିତା, ଗୀତିକାର ରଚନା କରିଥିବା କୌଣସି ଗାୟକ କଣ୍ଠର ସଙ୍ଗୀତ । ସ୍ରଷ୍ଟାର ଆଦି ସୃଷ୍ଟିଜଳ ଆଉ ସୀମାହୀନ ପ୍ରଶାନ୍ତ ଆକାଶର ପ୍ରଶାନ୍ତି ନୀଳିମା । ଜାଣିଚ କାହିଁକି ? ଏସବୁ ଭିତରେ ଲୁହ ଅଛି । ଆଉ ଏ’ ଲୁହ ଜଳରୁ ତିଆରି । ଏ ଜଳ କେବେ ନିଃସୃତ ହୁଏ ଜାଣ ? କବି ଯେତେବେଳେ ମାନସ ଚେତନାରେ ଉର୍ବର ହୋଇ ଉଠେ, ସେତେବେଳେ ଭାବ ଛଳଛଳ ଭାବରେ ଢାଳିଦିଏ କବିତା । ଗାୟକ ଯେତେବେଳେ ପ୍ରାଣତଳେ ନୂତନ ଚେତନା, ଉନ୍ମାଦନା ଅନୁଭବ କରେ, ସେତେବେଳେ ସେ ଢାଳିଯାଏଁ ସଙ୍ଗୀତର ରାଶି ରାଶି ମୂର୍ଚ୍ଛନା । ସ୍ରଷ୍ଟାର ପ୍ରଥମ ସୃଷ୍ଟିଜଳ ଯେତେବେଳେ ପବନର ହିଲ୍ଲୋଳରେ ଥରି ଉଠେ, ପୁଲକିତ ହୁଏ, ନିମ୍ନଗାମୀ ହୋଇ ବହି ଆସେ । ଆକାଶ ଯେତେବେଳେ ଖୁବ୍ ଗମ୍ଭୀର ହୋଇ ଉଠେ, ସେତେବେଳେ ସେ ଝରାଇ ଦିଏ ବକ୍ଷତଳୁ ତା’ର ଅସରନ୍ତି ବାରିଦର ଧାର । ଯାହାର କି ସମାପ୍ତି ନାହିଁ । ବିୟୋଗ ନାହିଁ-। ଯିଏ କି ଯୁଗଯୁଗାନ୍ତ ଧରି ନିଃଶେଷ ହେବନି–ସେଇ ହେଉଚି ପ୍ରେମ ।

 

ବିକାଶ ହତବାକ୍‍ ହେଲା ଆଉ ମନେମନେ ହସିଲା । ଦର୍ଶନ ଅଧ୍ୟାପିକା ଦୀପାନ୍ୱିତା ତାକୁବି ଦର୍ଶନ ପଢ଼ାଉଚି । ଦୀପା ତାଙ୍କର କାହିଁକି ଆଉ କେମିତି ଯେ ଏତେ ଭାବପ୍ରବଣତାରେ ଛଳଛଳ ବିକାଶ ବୁଝିପାରୁ ନାହାଁନ୍ତି ।

 

ବିକାଶ ପଚାରିଲେ ଦୀପା, ମତେ ଦର୍ଶନ ପଢ଼ାଉଚ ? ମୁଁ ତ ମୂର୍ଖ, ମତେ ପଢ଼େଇ ବା ଲାଭ କ’ଣ ? ମୁଁ କ’ଣ ତମ ଦର୍ଶନର ମୂଲ୍ୟ ବୁଝି ପାରିବି ?

 

ଦୀପାନ୍ୱିତା ହସିଲା । ସେ ହସରେ ଅୟୁତ ଯୁଗର ନିୟୁତେ ବେଦନା ରାଶି କେରିକେରି ହୋଇ ଫିଟି ପଡ଼ିଚି । ଆଉ ସେ ଫିଟା ବେଦନା ରାଶିକୁ ଗୋଟି ଗୋଟି କରି ସଜାଡ଼ି ଦେବାକୁ ଦୀପାନ୍ୱିତା କହୁଚି ବିକାଶଙ୍କୁ ।

 

ବିକାଶ ଦୀପାର ମୁହଁକୁ ନିରେଖି ଚାହିଁଲେ । ବହୁ ଯନ୍ତ୍ରଣାର ଧୂଳିମଳିରେ ଧୂସରିତ ହୋଇ ଉଠିଚି ମୁହଁଟି । ତଥାପି ସେ ଧୂସରିତ ମୁହଁରେ ଅପୂର୍ବ ରାଶି ଝଟକି ଉଠୁଚି । ଦୀପାନ୍ୱିତା ଗୋରା ତକତକ ପୂରିଲା ଗାଲରେ ଆଜି ଆଉ ହେଜେଲିନ୍, ହିମାଳୟ ସ୍ନୋ ମାଖିନି । ସରୁ ଭ୍ରୂଲତାକୁ ପ୍ରସାରିତ କରି ଆଜି ସେ ଆଇବ୍ରୋ ଲଗାଇନି । ନାଲି ଓଠରେ ସେ ଆଜି ଆଉ ଲିପ୍‌ଷ୍ଟିକ୍ ମାରିନି । ପାଦରେ ଲଗାଇନି ଦାମିକା ହାଇହିଲ୍ ବା ଚପଲ । ଗାଡ଼ିଚଢ଼ି ଆଉ ଦୀପାନ୍ୱିତା ଆଜି ଆସିନି ବିକାଶ ପାଖକୁ ।

 

ଆସିଛି ଅତି ନିରାଡ଼ମ୍ବର ସାଜସଜ୍ଜାରେ ଠିକ୍ ସନ୍ନ୍ୟାସିନୀଟିଏ ଭଳି ।

 

ପିନ୍ଧିଚି ଏକ ଧଳାଶାଢ଼ି । ତା’ ସାଙ୍ଗକୁ ସୁନ୍ଦର ଧଳା ବ୍ଲାଉଜ୍‌ଟାଏ । ଗହଳ କେଶରାଶିକୁ ଗୁଡ଼ାଇ ତୁଡ଼ାଇ ମନ୍ତ୍ର ବଶ କରିଥିବା ଗୋଖର ସାପଟିଏ ପରି କବରୀ ବାନ୍ଧିଚି । ଆଉ କବରୀରେ ବାନ୍ଧିଛି କିଆ କେତକୀର ଫୁଲ-କେବଳ ଫୁଲ । ଅପୂର୍ବ ସୁନ୍ଦର ଦିଶୁଛି ଦୀପାନ୍ୱିତା ।

 

ଦୀପାନ୍ୱିତାର ପାଖକୁ ଲାଗି ଆସିଲେ ବିକାଶ । ଚୂର୍ଣ୍ଣକୁନ୍ତଳ ଉପରକୁ ଝୁଲି ଆସି ପବନରେ ଫୁରୁଫୁରୁ ଉଡ଼ୁଥିବା କେତେ ଗୋଟି ଅସଜଡ଼ା ବାଳକୁ ସଜାଡ଼ି ଦେଇ କହିଲେ, ଦୀପା, ତମେ ଯେଉଁ ଏଇ ପଦକ୍ଷେପ ନେଲ, ଦୁନିଆ ଆଗରେ ମଥା ଉନ୍ନତ କରି ଚାଲିପାରିବ ତ ?

 

ଦୀପା କହିଲା-ବିକାଶ, ପ୍ରେମ ଯିଏ କରେ ତା’ ଦେହରେ ଅସମ୍ଭବ ଶକ୍ତି କେଉଁ ଅଜଣା ମହାଶକ୍ତି ଅଯାଚିତ ଭାବରେ ଅଜାଡ଼ି ଦେଇଥାଏ । ଆଉ ସେ ଅଯାଚିତ ଶକ୍ତିକୁ ମୁଁ ମୋ’ ଦେହରେ ଅଜସ୍ର ଭାବରେ ସଂଚୟ କରି ରଖିଚି, ସାଇତି ରଖିଚି । ମୁଁ ତ କାହାର କିଛି ପାପ କରିନାହିଁ । ଭୁଲ୍ କରି ନାହିଁ । ଦୁନିଆ ଆଗରେ ନତଜାନୁ ହେଇ କ୍ଷମା ମାଗିଲାଭଳି ଅପରାଧ କରି ନାହିଁ । ମୋର ଚାଲିବା ଶକ୍ତି ଅଯଥାରେ କିଏ କାହିଁକି କ୍ଷୟକରି ନେବ ? ମୋ’

 

ରାସ୍ତାରେ କିଏ କାହିଁକି ପ୍ରତିବନ୍ଧକ ହୋଇ ଠିଆ ହେବ ?

 

ବିକାଶ କହିଲା-କି’ ଅବୋଧ୍ୟ ପିଲାଙ୍କ ଭଳି କଥା କହୁଚ ଦୀପା ? ଏ’ ଦୁନିଆ ଅନ୍ୟ ପ୍ରକାରର । ଏ’ ଦୁନିଆ ତମ ଦର୍ଶନର ଦୁନିଆ ନୁହେଁ କି ଭାବପ୍ରବଣତାର ଦୁନିଆ ନୁହେଁ । ଦୁନିଆର ତମେ ସିନା କିଛି କ୍ଷତି କରିବ ନାହିଁ, ଦୁନିଆ ତମର କ୍ଷତି କରିବ । କ୍ଷତି କରିବା ଯେମିତି ତା’ର ଧର୍ମ-! ଆଉ ସେ କ୍ଷତି ତମେ ସହିପାରିବ ତ ? ତମ ନାଆଁରେ ଯେଉଁ କଳଙ୍କ ଆଉ ଦୁର୍ନାମର ଝଡ଼ ଉଠିବ, ସେ ଝଡ଼କୁ ତମେ ଆୟତ୍ତ କରି ପାରିବ ତ ?

 

ଦୀପାନ୍ୱିତା କହିଲା, ବିକାଶ, ତମକୁ ମୁଁ ଭଲ ପାଇଚି । ଆଉ ଏ’ ଭଲ ପାଇବା ମାଧ୍ୟମରେ ଏମିତି ସ୍ଵର୍ଗୀୟ ଶକ୍ତିଅଛି; ଯେଉଁ ଶକ୍ତି କି କେଉଁ ଉଦ୍ଦାମ ଝଡ଼, ଉନ୍ମତ୍ତ ଜଳରାଶି, ଉଦ୍ଧତ ବାଦଲର ଆକ୍ରମଣକୁ ଭୟ କରେ ନାହିଁ । ପ୍ରେମ ସମସ୍ତଙ୍କୁ ସମ୍ମାନ ଦିଏ, କାହାରିକୁ ଖାତିର କରେନା । ମୋ’ ପ୍ରେମପାଇଁ ଦୁନିଆରେ ଯାହା ପରିତ୍ୟାଗ କରିବାକୁ ପଡ଼ିବ, ମୁଁ କରିବି । ମୁଁ ଚାକିରି କରିଚି । ରୋଜଗାର କରିବାର ସମ୍ବଳ ଧରିଚି । କାହାର ଆଶ୍ରିତା ହୋଇ ନାହିଁ ମୁଁ । କାହା ଉପରେ ନିର୍ଭର କରିନାହିଁ ମୁଁ । ମୋ’ ପାଦରେ ମୁଁ ଠିଆ ହୋଇ ଆସିଚି । ମୁଁ ମଣିଷ ହୋଇଚି ।

 

ମୁଁ ଗୋଟିଏ ଝିଅ । ମୋର ଖାନ୍‌ଦାନ୍ ଅଛି । ଏତେ ବଡ଼, ବୁନିଆଦି ଆଭିଜାତ୍ୟ ଘେରା ମହଲା ଉପରୁ ତଳକୁ ଓହ୍ଲାଇ ଆସିଚି ମୁଁ । କାହିଁକି ? ଟିକିଏ ସ୍ନେହପାଇଁ । ଟିକିଏ ପ୍ରେମପାଇଁ । ନଡ଼ା ଚାଳର କ୍ଷୁଦ୍ର କୁଡ଼ିଆଘରେ ଯେଉଁ ସ୍ନେହ, ଯେଉଁ ପ୍ରେମ, ଯେଉଁ କଳ୍ପନା ଥାଏ, ସେଇ ସ୍ନେହ, ସେଇ ପ୍ରେମ, ସେଇ କଳ୍ପନା ବାଦଶାହୀ ମହଲର ଉଆସ ଭିତରେ ନଥାଏ ବିକାଶ ! ସେଇ ସ୍ନେହ ପ୍ରେମ ଟିକକପାଇଁ ମୁଁ ଏଇ ନଦୀ ପଠାକୁ ଧାଇଁ ଆସିଚି । ସେଇ ଟିକକ ମୋ’ ଜୀବନରେ ପ୍ରାପ୍ତିର ଚରମ ଲକ୍ଷ୍ୟ । ତମେ ସେ ଟିକକ ମୋର ପୂରଣ କରି ପାରିବ ନାଇଁ ? ତମେ ନିଜକୁ ଭାରି ନ୍ୟୁନ ମନେ କରୁଚ, ମୁଁ ଜାଣୁଚି । ତମେ ଦରିଦ୍ର, ତମେ ନିଃସ୍ଵ, ତମେ ପରିଚୟହୀନ, ତମେ ଅଶିକ୍ଷିତ କିନ୍ତୁ ତମେ ଶିଳ୍ପୀ । ଶିଳ୍ପୀର ଏ’ ସବୁ କିଛି ନଥାଏ ବିକାଶ । ନଥିବାବି ଉଚିତ । ଶିଳ୍ପୀର ପୌରୁଷ, ପ୍ରତିଭା ଓ କଳା ନିକଟରେ ଏ’ ସବୁ ମୂଲ୍ୟହୀନ । ତୈଳହୀନ ଦୀପଶିଖା ପରି ନିଷ୍ପ୍ରଭ । ମୁଁ ଯଦି ଏ’ କଳାକୁ ଚାହିଁ ନଥାନ୍ତି ବିକାଶ, ତେବେ ଉଚ୍ଚଶିକ୍ଷିତ ଇଞ୍ଜିନିୟର୍, ବିଦେଶ ଫେରନ୍ତା ଡାକ୍ତର, ବିପୁଳ ପ୍ରାଚୁର୍ଯ୍ୟ ଭରା କୌଣସି ଧନବାନ୍ ବ୍ୟକ୍ତିକୁ ମୁଁ ମୋର ସାଥୀ ରୂପରେ ଗ୍ରହଣ କରି ଥାଆନ୍ତି ।

 

ବରଣ କରି ଥାଆନ୍ତି । କିନ୍ତୁ କାହିଁକି ମୁଁ ୟା’ର ବିପକ୍ଷରେ ଗଲି ଜାଣିଚ ? ଗଲି କେବଳ ମୋର କଳାଲାଗି । ସଙ୍ଗୀତ ଲାଗି । ଐଶ୍ୱର୍ଯ୍ୟ ଭିତରେ ଅଶାନ୍ତିର ନର୍କ ଅଛି । ଅମଣିଷପଣିଆ ଅଛି-। ଶାନ୍ତିର ସ୍ଵର୍ଗ ନାହିଁ । ମଣିଷପଣିଆ ନାହିଁ । ମୁଁ ନିଜ ଆଖିରେ ଦେଖିଚି ବିକାଶ; ମୋର ଅନେକ ସହପାଠିନୀ ଅନେକ ସହକର୍ମିଣୀ, ଅନେକ ବାନ୍ଧବୀ ଆଖିର ଲୁହରେ ଝରଣା ସୃଷ୍ଟି କରି ବଞ୍ଚିଛନ୍ତି-। ତାଙ୍କ ଶିକ୍ଷିତ ସ୍ୱାମୀମାନେ ସେମାନଙ୍କୁ ଛାଡ଼ି ବହୁ ବ୍ୟଭିଚାର ଭିତରେ ଲିପ୍ତରହି ସ୍ଵପ୍ନ ଦେଖୁଛନ୍ତି-। ଆନନ୍ଦ ଉପଭୋଗ କରୁଛନ୍ତି । ସେମାନଙ୍କ ଭିତରୁ ବହୁ ସ୍ଵାମୀମାନେ ବିଦେଶ ଫେରନ୍ତା ଡାକ୍ତର ଆଉ ଇଞ୍ଜିନିୟର୍ । ସେମାନଙ୍କ ପାଶ୍ଚାତ୍ୟ ସଭ୍ୟତାରେ କି’ ଶିକ୍ଷା, କି’ ସଂସ୍କୃତି, କି’ ଗୌରବ ଅଛି କହିଲ ? ପାଶ୍ଚାତ୍ୟ ଶିକ୍ଷା କ’ଣ କହିଛି, ନିଜର ସ୍ତ୍ରୀକୁ କନ୍ଦେଇ ପରସ୍ତ୍ରୀ ସାଙ୍ଗରେ ପ୍ରୀତିକାବ୍ୟ ରଚନା କରିବ ବୋଲି ? ପାଶ୍ଚାତ୍ୟ ସଂସ୍କୃତି କ’ଣ କହିଛି ଗୋଟାଏ ସ୍ତ୍ରୀର ହାତଧରି ଅଗ୍ନି ଦେବତାଙ୍କୁ ସାକ୍ଷୀ ରଖି ବିବାହ କରି କିଛିଦିନ ପରେ ତାକୁ ଯନ୍ତ୍ରଣାର ଅଗ୍ନିକୁଣ୍ଡକୁ ଠେଲିଦେଇ ଅନ୍ୟ ସ୍ତ୍ରୀ ସାଙ୍ଗରେ ଜୀବନ କାଟିବ ବୋଲି ? ୟା’କୁ ଶିକ୍ଷା କୁହା ଯାଇନପାରେ ବିକାଶ, ଏ ସବୁ କୁଶିକ୍ଷା । ଏ ଶିକ୍ଷା ଆମମାନଙ୍କ ଭଳି କଳା ପ୍ରାଣ ମଣିଷମାନଙ୍କ ଜୀବନରେ କୌଣସି ପ୍ରଭାବ ପକାଇ ପାରିବ ନାହିଁ ।

 

ଅନେକ କଥା ମୁଁ ଅଙ୍ଗେ ଲିଭେଇଛି । ଯେଉଁ ସବୁ ଚିନ୍ତା କଲେ କି ମନ ସମୟ ସମୟରେ ଭାରି କଦାକାର ହୋଇ ଉଠେ । କୁତ୍ସିତ ଧାରଣା ମନର ସ୍ଵର୍ଗକୁ ଆବିଳତାରେ ପୂର୍ଣ୍ଣ କରିଦିଏ । ଛାତ୍ରୀ ଜୀବନରୁ ଆରମ୍ଭ କରି ଏ’ ପର୍ଯ୍ୟନ୍ତ ଯେତେ ପାହାଚ ଅତିକ୍ରମ କରି ଆସିଚି, ସେ ସମସ୍ତ ପାହାଚରେ ଆବିଳତାର କାହାଣୀ ଭରି ରହିଚି । ସେ କାହାଣୀକୁ ରୂପଦେଲେ ଗୋଟାଏ ଗୋଟାଏ ଉପନ୍ୟାସ ହେବ । କାବ୍ୟ ହେବ । ସେଇ ଉପନ୍ୟାସ, କାବ୍ୟକୁ ରୂପ ଦେଇ ପାରିବ ତମେ । ସେଇ କାହାଣୀକୁ ସର୍ଜନା କରି ପାରିବ ତମଭଳି ନିଃସ୍ୱ, ଦରିଦ୍ର, ପରିଚୟହୀନ ଅଥଚ ପୌରୁଷବାନ, ନିରୀହ, ସରଳ କଳାର ପୂଜାରୀ ଜଣେ । ତମେ ହେବ ମୋର ସ୍ରଷ୍ଟା । ମୁଁ ହେବି ତମ ସୃଷ୍ଟି । ତମେ ହେବ ମୋର ଦ୍ରଷ୍ଟା । ମୁଁ ହେବି ତମ ଦୃଷ୍ଟି ।

 

ବିକାଶ, ସତରେ ମୁଁ ଜୀବନରେ ଏଇଆ ଚାହିଁଥିଲି । ଏଇଆ ସ୍ଵପ୍ନ ଦେଖିଥିଲି । ମୋ’ ରୂପର ଗୌରବରେ ଯିଏ ବିଭୋର ନ ହୋଇ ମୋ’ କଳାର ଗୌରବରେ ଯିଏ ବିଭୋର ହେବ, ମୁଁ ତାକୁହିଁ ବିବାହ କରିବି । ମୁଁ ବିବାହ କରିବି, ଗୋଟିଏ ଛୋଟ ଦୀପଶିଖାକୁ । ଯାହାର କି ତୈଳ ନଥାଉ । ମୁଁ ତାକୁ ତୈଳ ଦେବି । ଯାହାର କି ଆଲୋକ ନଥାଉ ମୁଁ ତାକୁ ଆଲୋକ ଦେବି । ମୋ’ ଶକ୍ତିର ତୈଳ ଆଉ ଆଲୋକରେ ତା’ର ଛୋଟ ଦୀପଶିଖାଟି ଜଳି ଉଠିବ । ସେଇ ଛୋଟ ଦୀପର କ୍ଷୀଣାଲୋକ ଦୁନିଆ ଯେତେବେଳେ ମହାନ୍ଧକାର ମଧ୍ୟରେ ଡୁବିଯାଉଥିବ, ସେ ସେତେବେଳେ ସପ୍ରଭ ହୋଇ ଦୁନିଆକୁ ଆଲୋକିତ କରିବ । ସେଇ ମହାନ୍ଧକାର ଭିତରେ ଆଲୋକ ଦେଖାଇବ । ସେଇଥିରେ ମୁଁ ପାଇବି ମହାପ୍ରଶାନ୍ତି । ଆତ୍ମଶାନ୍ତି ।

 

ଏମିତି ନଦୀକୂଳରେ ଛୋଟ କୁଡ଼ିଆ ଘରଟିଏ କରି ସେଇଠି ଦୀପଶିଖାକୁ ଜାଳିବି । ପବନ ଖୁବ୍ ଜୋରରେ ବହୁଥିବ । ନଦୀର ଲହଡ଼ା ବେଳାଭୂମି ସ୍ପର୍ଶ କରି ପୁଣି ଫେରି ଯାଉଥିବ । ଆଉ ସେ ପବନରେ, ସେଇ ସୁଉ ସୁଉ ଗର୍ଜନ ଭିତରେ ଦୁନିଆ ଯେତେବେଳେ ଥରି ଉଠୁଥିବ; ଦୁନିଆର ସମସ୍ତ ଆଲୋକ ନିଭିଯାଉଥିବ, ମୁଁ ସେତେବେଳେ ଦୁନିଆକୁ ଦେଖାଇ ଦେବି । ଦୁନିଆ, ଦେଖ, ଏତେ ବଡ଼ ସୁଉ ସୁଉ ଗର୍ଜନ ଭିତରେ ମୁଁ ଆଉ ମୋ’ ଦୀପଶିଖା କେମିତି ତତେ ଉପହାସ କରି ଠିଆ ହୋଇଚୁ ! ପୃଥିବୀର ସମସ୍ତ ଆଲୋକ ନିର୍ବାପିତ ହେବାପରେ ମୋର ଏଇ କ୍ଷୀଣ ଦୀପାଲୋକଟି କେମିତି ସପ୍ରଭତାର ସହିତ ତୋ ସହିତ ସଂଗ୍ରାମ କରି ତତେ ପରିହାସ କରି ବିଜୟୋଲ୍ଲାସରେ ଜଳି ଉଠୁଛି ! ତୁ’ ଆମକୁ ଦିନେ ପରିହାସ କରୁଥିଲୁ ନା ? ଆଜି ଦେଖ, ସେ ପରିହାସକୁ ତୋର ଆମେ ଦଳିଚକଟି ଚାପି ରଖିଚୁ ଆମ ହାତରେ । ତୁ’ ଆଉ କ’ଣ ଆଜି ଆମକୁ ପରାଜୟ କରି ପାରିବୁ ? କହି ପାରିବୁ, ଆମେ ତୋ’ ଠାରୁ ନିମ୍ନରେ ? ଆମେ ଆଜି ନିମ୍ନରେ ନାହୁଁ-

 

ସେ ଦିନ ଚାଲି ଯାଇଚି । ଆଉ ସେଦିନ ଫେରିବନି । ମୋଟେ ଫେରିବନି ।

 

ସତରେ ଆଉ ସେ ଦିନ ଫେରିବନି । ସେଦିନ ତ କିନ୍ତୁ ତା’ପାଇଁ ଚାଲିଯିବାକୁ କହି ନଥିଲା ଦୀପାନ୍ୱିତା । କହି ନଥିଲା, ନଦୀର ସୁଉ ସୁଉ ଗର୍ଜନରେ ସେ ନିଜେ ପୁଣି ଭୟଭୀତ ହୋଇ ଉଠିବ ବୋଲି । କହି ନଥିଲା ସେ ନିଜେ ଯେଉଁ ଆଲୋକ ଦେଖାଉଥିଲା, ସେ ଦୀପଶିଖାରୁ ଏମିତି ଅଚାନକ ତୈଳ ସରିଯାଇ ନିର୍ବାପିତ ହେବ ବୋଲି । କିନ୍ତୁ କେମିତି ଅକସ୍ମାତ୍ ସରିଗଲା ଆଉ ନିଭିଗଲା ? ସେ’ ତ ଦୁନିଆପାଇଁ କହିଥିଲା ଉଦାହରଣ ଦେଖାଇ । ପ୍ରକାରାନ୍ତରେ ତା’ ଜୀବନରେ କେମିତି ଏହା ପ୍ରତିଫଳିତ ହେଲା ? ସେ ବୁଝି ପାରୁନି । ଆଦୌ ବୁଝି ପାରୁନି ।

 

ମନର ହରିଣୀ ଆଜି ଥକି ପଡ଼ିଚି । ଥକି ପଡ଼ିଚି ସବୁଦିନ ପାଇଁ । ଦୌଡ଼ି ଦୌଡ଼ି ଅତି କ୍ଳାନ୍ତ ହୋଇ ମନର ନିଭୃତ କୋଣରେ ଶୋଇ ଯାଇଚି । ବିକାଶ ଧାଇଁ ଧଇଁ କ୍ଳାନ୍ତ ହୋଇଗଲେ । ସେ କୋଉଠି ଠିଆ ହେଉଛନ୍ତି, କୋଉଠି ବସୁଚନ୍ତି, କୋଉଠି ପୁଣି ଶୋଇ ଯାଉଛନ୍ତି, ସେ ବୁଝି ପାରୁନାହାଁନ୍ତି । ତାହା ତାଙ୍କର ଅଜ୍ଞାତସାର ବିଷୟବସ୍ତୁ ହୋଇ ପଡ଼ିଚି । ହୁଏତ ଅଜ୍ଞାତସାର ବିଷୟବସ୍ତୁ ହୋଇ ସେ ରହିଯିବ ସବୁଦିନ ପାଇଁ । ସେ ଆଉ ବୁଝି ପାରିବେନି ସେ ସବୁ । ବୁଝିବାର ଶକ୍ତି ତାଙ୍କଠାରୁ କେହି ଯେମିତି ଛଡ଼େଇ ନେଇଚି ! ଯିଏ ଛଡ଼େଇ ନେଲା, ସେ କ’ଣ ବଳେ ଆସି ଆଉ ଫେରାଇ ଦେବ ? କହିବ ବିକାଶ, ଭୁଲ୍‌ବଶତଃ ମୁଁ ତମଠୁ ତମ ନିଜସ୍ୱ ସମ୍ପତ୍ତି ଛଡ଼େଇ ନେଇଥିଲି । ସେଥିଲାଗି ମୁଁ ଜୀବନରେ ବହୁ କଷ୍ଟ ପାଇଚି । ତମେ ମତେ କ୍ଷମାକର । ଗାଳିକର ହେଲେ ତମ ସମ୍ପତ୍ତି ତମେ ଗ୍ରହଣ କର । ଶତ୍ରୁକୁ ଶତ୍ରୁ କ୍ଷମାଦିଏ । ଶତ୍ରୁ ଯଦି ଶତ୍ରୁର କ୍ଷମଣୀୟ, ପ୍ରେମିକା କ୍ଷମଣୀୟ ନୁହେଁ ପ୍ରେମିକର ? ଯିଏ କି ପ୍ରାଚୁର୍ଯ୍ୟ, ଐଶ୍ୱର୍ଯ୍ୟ, ସ୍ଵର୍ଗଠାରୁବି ମହାନ୍ ଆଉ ବିରାଟ । ତମେ କ’ଣ କ୍ଷମା କରିବନି ବିକାଶ ? ସେ ଏମିତି ଏମିତି ଫେରିଯିବ ? ତମଠାରୁ ଅଲଗା ହୋଇ ରହିବ ?

 

ଫେରିଯିବ ? ନା, ନା, ମୁଁ ତାକୁ ଫେରିବାକୁ ଦେଇନି । ସେ ଯେ ମୋର । ଜନ୍ମଜନ୍ମାନ୍ତର ଧରି ସେ ମୋ’ ମନର ସିଂହାସନରେ ବସିଛି । ପ୍ରାଣର ମନ୍ଦିରରେ ଦେବୀ ରୂପରେ ପୂଜା ପାଉଛି । କିଏ ତାକୁ ଅପହରଣ କରି ନେଇ ଯାଇଥିଲା । ପୁଣି ସେ ଫେରି ଆସିଛି । ମୁଁ ତାକୁ ଫେରାଇ ଦେବି ? ନା, ନା, କେବେ ନୁହେଁ ଦୀପାନ୍ୱିତା ! ମୁଁ ତମକୁ ଟିକିଏ ପାଖକୁ ନେଇ ଆସି ଦେଖେ, ତମେ ସେମିତି ଶୁଦ୍ଧ, ପୂତ ଆଉ ପବିତ୍ର ଅଛ ନା ? ହଁ, ଅଛି । ଠିକ୍ ସେମିତି ଅଛି ।

 

ବିକାଶ ସଚେତ୍ ହେଲେ । କାହିଁ ଦୀପାନ୍ୱିତା ? କିଏ କାହିଁ ? ଦୀପାନ୍ୱିତାର ଛାଇବି ଆଉ ଦେଖୁ ନାହାଁନ୍ତି ବିକାଶ । କେବଳ ସ୍ଵପ୍ନ-ଅବାନ୍ତର ସ୍ଵପ୍ନ l କଳ୍ପନା-ଉଦ୍ଭଟ କଳ୍ପନା । ମରୀଚିକା-ଉଦ୍‌ଭ୍ରାନ୍ତ ମରୀଚିକା । ଧାଇଁଛନ୍ତି ବିକାଶ । କେବଳହିଁ ଧାଇଁଚନ୍ତି ।

 

କେତେ ଦୂର ଆଉ ଏମିତି ଧାଇଁବେ ସେ ? କେତେ ଦୂର ତାଙ୍କର ପଥ ? କେତେ ଦୂର–କେତେ ଦୂର ? କିଏ କହିବ ?

 

ଏଇ ପାହାଡ଼ ? ଏଇ ନଦୀ ? ଏଇ ଶ୍ମଶାନ ? ଏଇ ମସଜିଦ ? ଏଇ ଝାଉଁ ବଣ ? ଏଇ ପବନ ? ଏଇ ଅନ୍ଧାର ? ଏଇ ଆଲୋକ ?

 

ଆଖିର ସୂକ୍ଷ୍ମ ଭ୍ରୂଲତାର ଦୁଇ ଧାରରେ କଜ୍ଜ୍ୱଳର ଦୁଇଟି ମସୀ ରେଖା ଟାଣି ବିରାଟ କାଚ ଅଇନାର ସମ୍ମୁଖରେ ନିଜର ପ୍ରତିବିମ୍ବକୁ ପ୍ରତିଫଳିତ କରି ନିରୀକ୍ଷଣ କରୁଥିଲା ଦୀପାନ୍ୱିତା । କାଚ ଅଇନା ଭିତରେ ନିଜକୁ ସେ ଦେଖୁଚି । ମନେ କରୁଚି, ଏ’ ବିରାଟ କାଚ ଅଇନା ଭିତରେ ସେ ଯେମିତି ଗୋଟାଏ କ୍ଷୁଦ୍ର ମହମବତୀ ! ଆଉ ସେ ମହମବତୀ କେବଳ ଜଳି ଜଳି ଯାଉଚି । ଜଳିବାପାଇଁହିଁ ତା’ର ଜନ୍ମ । ଅନିଶ୍ଚିତତାର ପ୍ରମାଣପାଇଁ ତା’ର ସୃଷ୍ଟି । ସେ ଜଳି ଜଳି ଯିବ । ଦୁନିଆକୁ କହିଯିବ, ଏ’ ଦୁନିଆର କୌଣସି ସ୍ତରରେ, କାହା ଅଭ୍ୟନ୍ତରରେ ନିଶ୍ଚିତତା ନାହିଁ । ଏଇ ପୃଥିବୀ ସବୁ ଅନିଶ୍ଚିତତା ଆଉ ବିଲୟର କେନ୍ଦ୍ରବିନ୍ଦୁ ଉପରେ ପ୍ରତିଷ୍ଠିତ । ଯେମିତି ଏଇ ଅନିଶ୍ଚିତତା ଆଉ ବିଲୟର ଦୟା ଉପରେ ନିଶ୍ଚିତତା ଆଉ ଲୟ ଆଣ୍ଠୁମାଡ଼ି ନଇଁ ବସିଚି !

 

ଠିକ୍ ଯେମିତି ତା’ ଜୀବନ ନିଶ୍ଚିତତାର ଗୋଟାଏ ସରଳରେଖା ଉପରେ ଧାଇଁ ଯାଉ ଯାଉ ଅନିଶ୍ଚିତତାର ବକ୍ରରେଖା ଆଡ଼କୁ ଗତିକରି ଗଲା । ବକ୍ରରେଖା ଟାଣି ନେଇଗଲା ତାକୁ ପଥରୁ-ଅପଥକୁ । ସେ ଏବେ କଣ୍ଟା ଝଣ୍ଟା, ବିଲ ବଣ ଦୁର୍ଗମ ପାହାଡ଼କାନ୍ତାର ଅତିକ୍ରମ କରି ଘୂରି ବୁଲୁଛି । ଘୂରି ବୁଲିବ ଅନିଶ୍ଚିତ ଭବିଷ୍ୟତ ପାଇଁ ।

 

ସେ ଘୂରି ବୁଲିବ ଅନିଶ୍ଚିତ ଭବିଷ୍ୟତ ପାଇଁ ? କାହିଁକି ? କାହିଁକି ସେ ପଥରୁ ଅପଥକୁ ଯିବ ? ସେ ଅପଥକୁ ଯାଇଥିଲା । ପଥକୁ ଫେରି ଆସିଚି । ସେ’ ତ ପୁଣି ବିବାହ କରିବ । କୁଳୀନବଂଶର କୁଳବଧୂ ହେବ । ସୀମନ୍ତର ସିନ୍ଦୂର ତାକୁ ସମ୍ମାନ ଜଣାଇବ । ଆଭିଜାତ୍ୟର ଗୌରବ ରଖି ସେ ପୁଣି ଉତ୍ପନ୍ନ କରିବ ନୂତନ ସୃଷ୍ଟି । ସେ ହେବ ସନ୍ତାନର ଜନନୀ । ପତିର ପତ୍ନୀ-। ଶାଶୁ ଶ୍ୱଶୁରଙ୍କ କୁଳବଧୂ । ନଣନ୍ଦଙ୍କ ଭାଉଜ । ଏମିତି ଅନେକ ଅନେକ ସମ୍ପର୍କ । କିନ୍ତୁ ତା’ ଜୀବନ ଯେଉଁଥିପାଇଁ ଜଳିଗଲା, ନଷ୍ଟଭ୍ରଷ୍ଟ ହୋଇଗଲା, ସେ ସମ୍ପର୍କକୁ ତ ସେ ଯୋଡ଼ି ପାରିଲାନି ଆଉ । ସେ’ ତ ଆଉ ହୋଇ ପାରିଲାନି ପ୍ରେମିକର ପ୍ରେମିକା, ପ୍ରିୟର ପ୍ରିୟା, ପ୍ରଣୟୀର ପ୍ରଣୟିନୀ-। ଜୀବନ ନାଟକର ପ୍ରଥମ ଅଙ୍କରେ ବିକାଶ ସହିତ ତା’ର ସମ୍ପର୍କଟା ସବୁଦିନ, ସବୁଦିନ ପାଇଁ ତୁଟିଗଲା । କାମନା ଡଙ୍ଗାର ମଙ୍ଗ ବୁଲିଯାଇ ଘାଟରେ ନଲାଗି ଲାଗିଲା ଅଘାଟରେ । ବିକାଶ ଆଉ ତା’ର କିଛି ନୁହେଁ । ଆଦୌ କିଛି ନୁହେଁ । ସେ ଆଉ ବିକାଶର ହାତକୁ ତୋଳି ଧରି ସିତାରରେ ସ୍ଵର ସଂଯୋଜନା କରିବନି । ସୁଖ ଦୁଃଖରେ ଭାଗୀଦାର ହୋଇ ବିକାଶର ଲୁହ ପୋଛିବନି-। ହସି ହସି ଛାତିରେ ତା’ର ଲୋଟି ପଡ଼ିବନି । ଚିରା ଜାମାକୁ ତା’ର ସିଲେଇ କରିବନି । ସିତାର ବାଜି ହାତ ରକ୍ତାକ୍ତ ହେଲେ ପଣତ କାନିରେ ଗୁଡ଼ାଇ ହାତକୁ ତା’ର ଚାପି ରଖିବନି ବକ୍ଷତଳେ । ସେ ଏଣିକି ହୋଇଯିବ ଅନ୍ୟର । ପୂରାପୂରି ଅନ୍ୟର ।

 

ସେ ଅନ୍ୟର ହୋଇଯାଉ । କିଛିଟା ଜ୍ୱଳନରୁ ମୁକ୍ତି ପାଇବ ତ । ନାରୀ ନିଜକୁ ଅନ୍ୟ ହାତରେ ସମର୍ପଣ ନକଲେ ତା’ ଜୀବନର ସାର୍ଥକତା ଆସେନି । ସଫଳ ହୁଏନି ସେ । ପରିତୃପ୍ତ ହୋଇ ପାରେନି ତା’ର ନାରୀତ୍ୱ । ଦୀପାନ୍ୱିତା ଆଗରୁ ବିଚାରୁ ଥିଲା, ବିବାହ ମଣିଷ ମନର ତିଆରି ଗୋଟାଏ ସ୍ଥୂଳ ପରିକଳ୍ପନା । ଏ’ ସ୍ରଷ୍ଟାର ନିର୍ଦ୍ଦେଶ ନୁହେଁ । ଉପଦେଶ ନୁହେଁ । କିନ୍ତୁ ଆଜି ବିଚାରୁଛି । ବିବାହ ସ୍ରଷ୍ଟାର ପ୍ରଥମ ପରିକଳ୍ପନାର ନିର୍ଦ୍ଦେଶ । ଏହା ସତ୍ୟ-ନିରାଟ ସତ୍ୟ ।

 

ଦୀପାନ୍ୱିତା ସିନା ଆତ୍ମସମର୍ପଣ କରି ଜ୍ୱଳନରୁ ମୁକ୍ତି ପାଇଯିବ ହେଲେ ବିକାଶ ! ସେ କେଉଁଠି ନିଜକୁ ସମର୍ପଣ କରିବ ? ଦୀପାନ୍ୱିତା ବିଚାରି ପାରିଲାନି । ବିଚାରି ଥିଲେ କ’ଣ ସେ ତାକୁ ପଛରେ ପକାଇ ଆସି ଥାଆନ୍ତା ? ଅତୀତର ସେଇ ବାଲିସ୍ତୂପତଳେ ବାଟର ବାଟୋଇ ଭାବି ଛାଡ଼ି ଦେଇ ଆସି ଥାଆନ୍ତା ? ତା’ର ମିନତିଭରା ନିବେଦନକୁ କ’ଣ ବିଫଳ କରି ଥାଆନ୍ତା ? ନିଜକୁ ଅନ୍ୟ ହାତରେ ସମର୍ପି ଦେବାପାଇଁ ଧାଇଁ ଯାଉଥାଆନ୍ତା ସେ ?

 

ବିକାଶର ଜୀବନପାଇଁ ଦୀପାନ୍ୱିତାହିଁ ପୂରାପୂରି ଦୋଷୀ । ପୂରାପୂରି ଦାୟୀ ।

 

କେତେ ବଡ଼ ଅପୂର୍ବ ଆକାଂକ୍ଷାରେ ଆକାଂକ୍ଷିତ ହୋଇ ଅନେକ ଥର ବିକାଶ କହିଥିଲେ, ଦୀପାନ୍ୱିତା, ସାରା ଜୀବନ କ’ଣ ଏମିତି ସୂର୍ଯ୍ୟୋଦୟ ଆଉ ସୂର୍ଯ୍ୟାସ୍ତର ବର୍ଣ୍ଣ ବିଭବ ଦେଖି ଉଭୟ ପରସ୍ପରକୁ ଚୁମ୍ବନଟିଏ ଲେଖାଏଁ ଦେଇ ଜୀବନ କାଟି ନେବା ? ଅବଚେତନ ମନତଳେ ଆମର ଯେଉଁ ଅପିପାସିତ ଆଗ୍ରହ, ଆକାଂକ୍ଷା ଅଛି ଏମିତି ଚିରଦିନ ପାଇଁ ସେ ଅପେକ୍ଷା କରି କରି ଶୋଇଯିବ ? କେଉଁ ଜନକ ଜନନୀର କୁଆଁ କୁଆଁ ଡାକ ଶୁଭିଲେ ତମ ଛାତିତଳେ ପୁଲକ ଆଉ ରୋମାଞ୍ଚ ସୃଷ୍ଟି ହେବନି ? ତମେ କ’ଣ ଚାହଁନି ଦୀପାନ୍ୱିତା, ଆମ ଉଭୟଙ୍କ ରକ୍ତମାଂସର ବିନିମୟ ଆଉ ସଂମିଶ୍ରଣରେ ଗୋଟାଏ ଏମିତି ସନ୍ତାନ ଗଢ଼ି ଉଠୁ, ଯିଏ କି ଦୁନିଆର ପ୍ରତି କୋଣରେ ଦିବ୍ୟ ଚେତନା ଭରି ଦେବ । ତମେ କ’ଣ ଚାହଁନି ସେଇ ମାତୃତ୍ଵର ଗୌରବ ? ତମେ କ’ଣ ଚାହଁନି ସେଇ ନାରୀତ୍ୱର ଗର୍ବ ?

 

ଦୀପାନ୍ୱିତା ଶୁଣିଚି ଆଉ ବିକାଶକୁ ସମୟ ଦେଇଚି ଅନେକ ଥର ସମାଧାନ ପାଇଁ । କହିଛି ବ୍ୟସ୍ତ ହୁଅନି । ସବୁ ସମାଧାନ ହୋଇଯିବ । କିନ୍ତୁ କ’ଣ ହୋଇଛି ?

 

ସମୟ ସୁଅରେ ବିକାଶ ଆଉ ଦୀପାନ୍ୱିତାର ଜୀବନ ସମାଧାନ ଓଲଟପାଲଟ ହୋଇ ଯାଇଚି । ଅନେକ ଓଲଟପାଲଟ କି ଜନ୍ମ ଜନ୍ମ ଧରି ଆଉ ସଜାଡ଼ି ହେବ ନାହିଁ ।

 

ଦୀପାନ୍ୱିତା ବହୁ ଚେଷ୍ଟା କରିଚି ବାପାଙ୍କୁ ତା’ର ବୁଝାଇବାକୁ । ହେଲେ ଅବୁଝା ମଣିଷକୁ କ’ଣ ବୁଝେଇ ହୁଏ ? ଯିଏ ଅବୁଝା, ସବୁଦିନ ଅବୁଝା । ଟିକିଏ ଅବୁଝାରୁ ବର୍ଷ ବର୍ଷ, ଯୁଗଯୁଗ, ଜନ୍ମ ଜନ୍ମ ପାଇଁ ଅମୀମାଂସିତ, ଅମିଶ୍ରିତ ରହିଗଲା ଦୁଇଟି ଜୀବନ । ଦୀପାନ୍ୱିତା ପାରିଲାନି । କାହାକୁ ବୁଝେଇ ପାରିଲାନି । ଜଣେ ଜନ୍ମଦାତା-ପିତା । ଅନ୍ୟଟି ପ୍ରେମିକ । ମନର ଈପ୍‌ସିତ ମଣିଷ ।

 

କାହାକଥା ସେ ରଖିବ ? କାହାର ଆଦେଶକୁ ସେ ପାଳନ କରିବ ? କାହାକୁ ଅବଜ୍ଞା କରିବ ? କାହାର ଅନୁରୋଧକୁ ଗ୍ରହଣ କରିବ ? କାହାକୁ ପ୍ରତ୍ୟାଖ୍ୟାନ କରିବ ? କାହାର ମମତାକୁ ଗୋଡ଼ରେ ଆଡ଼େଇ ଦେବ ? କାହାକୁ ମଥାପାତି ଉଠେଇ ନେବ ?

 

ସଙ୍କଟରେ ପଡ଼ିଲା ଦୀପା । ଏକ ଦିଗରେ କୁଳର ମର୍ଯ୍ୟାଦା–ବଂଶ ଓ ଖାନ୍‍ଦାନ୍ । ଅନ୍ୟ ଦିଗରେ ଆପଣାର କାର୍ଯ୍ୟସିଦ୍ଧି–ଆପଣାର ସ୍ୱାର୍ଥ । କିଏ ବିରାଟ ? କିଏ ମହାନ୍ ତା’ ନିକଟରେ ?

 

ଏଇ ବିରାଟ ଅଇନାର ସମ୍ମୁଖରେ ତା’ର ବାପାଙ୍କ ଛାଇଟା ପ୍ରତିଫଳିତ ହୋଇ ଉଠିଥିଲା ସେ ଦିନ । ଉଚ୍ଚକିତ ହେଲା ଦୀପାନ୍ୱିତା । ବାପା ତ ତା’ର କୋଠରୀକୁ କେବେ ଆସନ୍ତି ନାହିଁ । ତା’ର ସୁଖ, ଦୁଃଖ, ଭଲମନ୍ଦ ପଚାରିବାକୁ ଇଚ୍ଛା କରନ୍ତି ନାହିଁ । କେତେବେଳେ କୁଆଡ଼େ ଯାଇଛି ନଯାଇଛି ଜାଣିବାକୁ ବୁଝନ୍ତି ନାହିଁ । କିନ୍ତୁ ଆଜି କାହିଁକି ? କାହିଁକି ବାପା ତା’ର ଆଜି ଅପ୍ରତ୍ୟାଶିତ, ଅନାହୂତ ଭାବରେ ଆସିଚନ୍ତି କୋଠରୀକୁ ?

 

ଦୀପାନ୍ୱିତା ବାପାଙ୍କୁ ଦେଖିଲେ ପିଲାଦିନୁ ଭାରି ଡରେ । ସେ ଏଥିମଧ୍ୟରେ ପରିଣୀତା ବୟସରେ ପହଞ୍ଚି ସାରିଥିଲେବି, ବୟସର ପରିପକ୍ଵ ସୀମାରେ ଉପନୀତା ହୋଇଥିଲେବି ସେ ଭୟଟା ସେଇପରି ମନରେ ରହିଯାଇଚି ।

 

ଦୀପା !

 

ବାପାଙ୍କ ଡାକରେ ପାଦତଳର ଭୂମି କମ୍ପି ଉଠିଲା ଦୀପାନ୍ୱିତାର । ବିସ୍ଫାରିତ ଚାହାଣିରେ ଅନାଇ ବାପା ଖାଲି ଥରି ଉଠୁଛନ୍ତି କ୍ରୋଧଜର୍ଜର ହୋଇ । କ’ଣ ବାପା ତାକୁ ପଚାରିବେ ? କାହିଁକି ଏମିତି କ୍ରୋଧାନ୍ୱିତ ସେ ଆଜି ?

 

ତୋର ତ ଆଜିକାଲି ଘରେ କୁଆଡ଼େ ଦେଖାଦର୍ଶନ ମିଳୁନି ଦୀପା ! କଲେଜ ପରେ ଏତେ ଡେରିରେ ପହଞ୍ଚିବାର କାରଣ କ’ଣ ? କିଛି ଆଉ କାମ ରହୁଚି ବାହାରେ ?

 

ବାପା ନା, ତ । ମୁଁ ଠିକ୍ ସମୟରେ ଘରକୁ ଫେରୁଚି ।

 

ମୋ’ ଆଗରେ ମିଛ କହିବାକୁ ତୋର ସାହସ ହେଉଛି କେମିତି ? କିଏ ତତେ ଏତେଦୂର ଆଗେଇ ନେଇଛି ? କ’ଣ ନିଜକୁ ମନେମନେ ବଡ଼ ବିଚାରୁଛୁ ?

 

ବାପା !

 

କଲେଜର ଅଧ୍ୟାପିକା ହେଲୁ ବୋଲି ତୋ’ ବାପାକୁ ତୁ’ ଶିକ୍ଷା ଦେବୁ ନା କ’ଣ ?

 

ମୁଁ ମିଛ କହୁନି ବାପା, ଅଯଥାରେ ଆପଣ କାହିଁକି ଭୁଲ୍ ବୁଝୁଛନ୍ତି ?

 

ମୁଁ ଭୁଲ୍ ବୁଝୁଚି ? ତେବେ ଏ ଦୁନିଆର ଲୋକେ ରାସ୍ତାଘାଟରେ ତୋ’ ନାଆଁରେ କି’ କଥାବାର୍ତ୍ତା ହେଉଛନ୍ତି, ତୁ’ ନିଜେ ଯାଇ ଶୁଣ । ନିଜେ ଯଦି ନଯାଇ ପାରୁଚୁ, ତୋ’ ଭାଇକୁ ପଚାର । ସେ କହିବ ।

 

ଶଶାଙ୍କ ପଶି ଆସୁଥିଲା ଘର ଭିତରକୁ । ବାପା, କାହାକଥା ଆପଣ କହୁଛନ୍ତି ? ଅପା କଥା ତ ? ହଁ, ଏଇ କେତେ ଦିନତଳେ ମୁଁ କଲେଜରୁ ଫେରିଲାବେଳେ ମୋ’ ବନ୍ଧୁମାନଙ୍କ ଗହଣରେ ଏଇ ବେପରୁଆ କଥାଗୁଡ଼ାଏ ପଡ଼ିଥିଲା । ସେମାନେ ମତେ ଦେଖି ନୀରବ ହୋଇ ଯାଉଥିଲେ । ମୁଁ କିନ୍ତୁ ସେମାନଙ୍କୁ ଛାଡ଼ନ୍ତି କାହିଁକି ? ରୋକ୍‌ଠୋକ୍ ପଚାରି ଦେଲି । ତା’ ଭିତରୁ ଗୋଟାଏ ବଦମାସ ଟୋକା ବାହାରିପଡ଼ି ମତେ ଯାହା କହିଲା ନକହିଲେ ଭଲ ।

 

କ’ଣ କହିଲା ଶୁଣେ !

 

କହିଲା ସତ କହିଲେ ବ୍ରହ୍ମା ଚିଡ଼ନ୍ତି । ତୁ’ କିଆଁ ନ ଚିଡ଼ିବୁ ? ଚାଲ ତତେ ଦେଖେଇ ଦେବି, ଯାହା କହୁଚୁ ଆମେ ସତ କି ମିଛ । ଯଦି ନଯାଇ ପାରୁଚୁ, ତୋ’ ଘରଲୋକକୁ ପଚାର ।

 

ମୁଁ କହିଲି, ଆମ କଲେଜର ଜଣେ ଅଧ୍ୟାପିକା ଭାବରେ ତା’ର କ’ଣ ଏତେ ଟିକେ ସମ୍ମାନ ନାହିଁ ଯେ ତମେମାନେ ବାଟରେ ଘାଟରେ ସବୁଠି ତା’ ନାଆଁରେ ଏମିତି କଥାବାର୍ତ୍ତା ହେବ-? ଆଜି ଯଦି ତମର ସେ ଭଉଣୀ ହୋଇ ଥାଆନ୍ତା, ତେବେ !

 

ତେବେ ଆମେ ତା’ର ତଣ୍ଟିଟାକୁ ଚିପି ଫୋପାଡ଼ି ଦେଇ ସାରନ୍ତୁଣି । ଏମିତି ଝିଅ ଆମ ଘରେ କେବେ ଜନ୍ମ ହେବେନି, ବୁଝିଲୁ ? ଯା’ ଯଦି ପାରୁଚୁ, ସେତିକି କରି ଦେଇ ଆ’; ଆମେ ଜାଣିବୁ ତୋର ବାହାଦୁରି ଅଛି । ସାହସ ଅଛି । ତା’ପରେ ବାପା ମୋ’ ତଣ୍ଟି ଯେମିତି ଶୁଖିଗଲା । ମୁଁ ଆଉ କିଛି କହି ପାରିଲିନି । ନୀରବରେ ମୁହଁ ପୋତି ଚାଲି ଆସିଲି ସେଠୁ । ପରେ ସେମାନେ ମତେ ପଛରୁ ପରିହାସ କରୁଥିବାର, ଉପହାସ କରୁଥିବାର କ୍ଷୀଣସ୍ୱର ଶୁଣାଯାଉଥିଲା ।

 

ଏଇ କିଛିଦିନ ଭିତରେ ଏ’ ସହରସାରା ହଇଚଇ ଖେଳି ଗଲାଣି, ଅପା ଆମର କେଉଁ ଶିଳ୍ପୀ ସାଥିରେ ବାହା ହେଉଚି । ପ୍ରତି ସକାଳ ସଞ୍ଜରେ ନଈକୂଳେ, ଝାଉଁ ବଣେ, ପାହାଡ଼ତଳେ, ମଶାଣି ହୁଡ଼ାରେ, ମସଜି‌ଦ ପାଖରେ କେବଳ ବୁଲା ଚାଲିଚି ଦିହିଁଙ୍କର । ଯୋଉଠି ଦେଖିବ, ସେ ଶିଳ୍ପୀ ଆଉ ଅପା । କଲେଜ ପରେ ରାତିଅଧକୁ ଫେରୁଚି । ଲୋକେ କାହିଁକି କହିବେ ନାହିଁ । ଲୋକଙ୍କ କହିବା କ’ଣ ଦୋଷ ବାପା ? ଏ’ ମଉନମୁହୀଁ ଅପାକୁ ମୋର ଭଲ ଭାବରେ ପଚାରନ୍ତୁ, ଏସବୁ ସତ କି ମିଛ ! ଯଦି ସତ, ତେବେ ସେ ନଈକୂଳକୁ ସବୁଦିନ ସବୁଦିନ ପାଇଁ ଚାଲିଯାଉ । ଏ’ ଘରର ମାନ ଇଜ୍ଜତ ଅଛି । ଆଉ ଏ’ ମାନ ଇଜ୍ଜତ ସବୁଦିନ ପାଇଁ ଥିବ । ଏମିତି ନାଟତାମସା ଯଦି ଏ’ ଘରେ ସବୁଦିନ ଚାଲେ ବାପା, ମୁଁ ଏ’ ଘର ସବୁଦିନ ପାଇଁ ଛାଡ଼ିଦେବି । ମଉନମୁହୀଁକୁ ଟିକିଏ ଭଲ ଭାବରେ ପଚାରନ୍ତୁ ।

 

ଶଶୀ ! ଥରା ଗଳାରେ ଡାକିଲା ଦୀପାନ୍ୱିତା ।

 

ସେ ଧମକ ଆଉ କାହାକୁ ଦେଖାଇବୁ ଅପା । ମୋ’ ଆଗରେ ଦେଖାଇବୁ ନାହିଁ ।

 

କହି କହି ବାହାରକୁ ଚାଲିଗଲା ଶଶାଙ୍କ ।

 

ଦୀପାନ୍ୱିତା ନିର୍ବୋଧ ପାଲଟି ଯାଇଚି । ତା’ର ସମସ୍ତ ଧୈର୍ଯ୍ୟ, ସାହସ ସେ ନଦୀ ପାଣିରେ ଭାସି ଯାଇଚି । ବିକାଶ ହାତରେ ସିତାର ଧରାଇ ସେ ଯେଉଁ ଅଦମ୍ୟ ସାହସ, ଦମ୍ଭର ଅସ୍ତ୍ର ପ୍ରୟୋଗ କରୁଥିଲା, ସେ ଅସ୍ତ୍ର କେଉଁ ଶିକାରୀର ଶିକାର ମାଡ଼ରେ ସବୁଦିନ ପାଇଁ ଚୂରମାର ହୋଇ ଯାଇଚି ।

 

କିଛି କହି ପାରୁନି ଦୀପାନ୍ୱିତା । କିଛି କହିବାକୁ ସାହସ କରିପାରୁନି ସେ । ପାଟି ତା’ର ପଡ଼ି ଯାଇଚି । କାନ ତା’ର ସ୍ତବ୍ଧ ହୋଇ ଯାଇଚି । କିଛିବି ଶୁଣି ପାରୁନି ସେ । ସବୁଦିନ ପାଇଁ ସେ ମୂକ, ବଧିର ହୋଇ ଯାଇଚି । ତା’ର ପାଟି ଆଉ ଫିଟିବ ନାହିଁ । କାନ ଆଉ ଶୁଭିବ ନାହିଁ । ଏଇ ଘରର କାନ୍ଥ ଉପରେ ନିର୍ଜୀବ କଣ୍ଢେଇଟିଏ ପରି ବସି ରହିବହିଁ ବସି ରହିବ ।

 

ଦୀପାନ୍ୱିତା !

 

ପୁଣି ବାପାଙ୍କ ତୀବ୍ର କଣ୍ଠସ୍ୱର । ସେ କଣ୍ଠସ୍ୱର ଏ’ତିନି ମହଲା କୋଠାର ଛାତକୁ ଫଟାଇ ଅନନ୍ତ ଶୂନ୍ୟରେ ମିଶି ଯାଉଚି । ମହାଶୂନ୍ୟର ଅନ୍ତରାଳରେ କେବଳ ପ୍ରତିଧ୍ୱନି ଉଠୁଛିହିଁ ଉଠୁଛି ।

 

ଶଶୀ ଯାହା କହିଲା କ’ଣ ମିଛ ଦୀପା ? ଲୋକେ ଯାହା କହୁଛନ୍ତି କ’ଣ ଗୁଜବ ? ମନରେ ଯଦି ସେତିକି ଦମ୍ଭ; ସାହାସ ଅଛି, ଉତ୍ତରଦେ । କହିଦେ’ ୟ’ ମିଛି ବୋଲି । ମୁଁ ଲୋକଙ୍କୁ ସାବଧାନ କରିଦେବି । ପାଟି ତାଙ୍କର ବନ୍ଦ କରି ଦେବି । ଗୋଟି ଗୋଟି ନେଇ ପୋଲିସ୍‌ରେ ଭର୍ତ୍ତି କରାଇଦେବି ।

 

ବାପା !

 

କହ, ୟା’ ମିଛ । ଏକବାରକେ ମିଛ ବୋଲି ! କହି ପାରିବୁ ?

 

ବାପା ପଚାରୁଛନ୍ତି ।

 

ଏହା କ’ଣ ମିଛ ? ବାପାଙ୍କୁ ସେ କହିବ ଏହା ମିଛ ବୋଲି ? ମିଥ୍ୟାର ଆଶ୍ରୟ ନେଇ, ପ୍ରବଞ୍ଚନାର ଦ୍ୱାହି ଦେଇ ବାପାଙ୍କୁ ପ୍ରତାରିତ କରିବ ସେ ? କିନ୍ତୁ ସତ୍ୟର ପ୍ରଘଟିତ ହେବାପରେ ? ଆଲୋକର ପ୍ରକଟିତ ହେବାପରେ ? ବାପା କ’ଣ ବିଚାରିବେ ତାକୁ ? କ’ଣ ବିଚାରିବେ ? କହିବେ, ରକ୍ତମାଂସ ଦେଇ ଯାହାକୁ ଏତେ କଷ୍ଟରେ ଜନ୍ମ ଦେଇଥିଲି, ମାତୃହୀନା ବୋଲି ମାଆ, ବାପାର ସବୁ ସ୍ନେହ ଦେଇଥିଲି, ସେ ନଜାଣୁ ତା’ ମାଆ କୁଆଡ଼େ ତାକୁ ଛାଡ଼ି ଚାଲିଯାଇଛି ବୋଲି, ଶେଷରେ ସେଇ ମତେ ପ୍ରତାରିତ କଲା ? ଯାହାକୁ କାଖେଇ କୋଳେଇ କାନ୍ଧ ପିଠିରେ ଝୁଲେଇ ଝୁଲେଇ ଏତେ ବଡ଼ କରିଥିଲି, ସେ ମତେ ପ୍ରବଞ୍ଚନାର କାହାଣୀ ଶୁଣାଇଗଲା ?

 

ବାପା ତା’ର ମଦ୍ୟପ । କିନ୍ତୁ ସରଳ । ବାପା ମଦ୍ୟପ ବୋଲି କ’ଣ ତାଙ୍କ ଅନ୍ତରତଳେ ଦୀପାନ୍ୱିତା ପାଇଁ କାଣିଚାଏ ସ୍ନେହ ନାହିଁ ? ଟୋପାଏ ମମତା ନାଇଁ ? ହୁଏତ ଏଇ କିଛି ବର୍ଷ ହେଲା କିଛିଟା ପରିବର୍ତ୍ତନ ହୋଇ ଯାଇଛନ୍ତି ବାପା । ଆଗରୁତ ସେ ମଦ୍ୟପ ନଥିଲେ । ଆଗରୁ ତ ସେ କ୍ରୋଧୀ ନଥିଲେ । ବୟସ ବଢ଼ିଲେ ମଣିଷର ଏ’ ପ୍ରକାର ଭାବ ସବୁ ଜନ୍ମନିଏ । ବାପାଙ୍କର ଠିକ୍ ତାହାହିଁ ହୋଇଚି । ଏଥିପାଇଁ ବାପାଙ୍କୁ ଦୋଷ ଦେବା ତା’ର ଉଚିତ ନୁହେଁ । ସଂଗତ ନୁହେଁ । ବାପା ତ ତା’ର ସେମାନଙ୍କ ଅଜଣାରେ ମଦ ପଅନ୍ତି । ସେମାନଙ୍କୁ ଜଣାଇ ତ ନୁହେଁ । କାଳେ ପିଲାଙ୍କ ଉପରେ ତାଙ୍କର କୁପ୍ରଭାବ ପଡ଼ିବ, ଏଇ ଭୟରେ । ବାପା ତା’ର ସତେ କେତେ ମହାନ୍ ! କେତେ ଉଦାର ! ସେ ମିଛ କହିବ କାହିଁକି ? ବାପା କ’ଣ ତା’ର ତା’ ମନକଥା ବୁଝିବେ ନାହିଁ ? ପ୍ରେମ କରିବା କ’ଣ ଦୋଷ ହେବ ? ଭଲ ପାଇବା କ’ଣ ତା’ର ପାପ ହେବ ? ସେ ତ ଭୁଲ୍ କରିନାହିଁ କିଛି । ସେ ମିଛ କହିବ କାହିଁକି ? ସେ ଭୟ କରିବ କାହିଁକି ? ସେ ବାପାଙ୍କ ଆଗରେ ଖୋଲି କହିବ ତା’ର ମନକଥା । ତା’ର ନିଭୃତ ଅନ୍ତରର କଥା ।

 

ବାପା, ମୁଁ ଶିଳ୍ପୀ ବିକାଶଙ୍କୁ ଭଲପାଏ । ମୁଁ ତାଙ୍କୁ ବିବାହ କରିବି ।

 

ଦୀପାନ୍ୱିତାର ଅପ୍ରତ୍ୟାଶିତ କଥାରେ ବାପା ଆହୁରି କ୍ରୋଧାନ୍ୱିତ ହୋଇ ପଡ଼ିଲେ । ଦୀପାନ୍ୱିତା, ମନେରଖ, ତୁ’ ତୋର ବାପାଙ୍କ ସାମ୍ନାରେ କଥାବାର୍ତ୍ତା କରୁଚୁ ବୋଲି । କାହାକୁ କିପରି କଥାବାର୍ତ୍ତା କରାଯାଏ, ଏଯାଏଁ ବୁଝିପାରିଲୁନି ଗୋଟାଏ ଶିକ୍ଷାନୁଷ୍ଠାନର ଶିକ୍ଷାଦାତ୍ରୀ ହୋଇବି ? କଲେଜରେ କି’ ଶିକ୍ଷା ଦେଉଛୁ ପିଲାମାନଙ୍କୁ ତାହାହେଲେ ?

 

ଗୋଟିଏ ଜୋର୍ ଚାପୁଡ଼ା ମାଡ଼ରେ ଦୀପାନ୍ୱିତାର ଗାଲଟା ରକ୍ତରଞ୍ଜିତ ହୋଇ ଉଠିଲା । ଦର୍ପଣରେ ପ୍ରତିବିମ୍ୱିତ ହୋଇ ଉଠୁଥିଲା ସେଇ ବର୍ଣ୍ଣୋତ୍ସବର ଛଇଛଟା । ଯେପରି କି ସକାଳର ସୂର୍ଯ୍ୟ ଉଦୟ ହେଉଛି, ଅଥବା ସନ୍ଧ୍ୟାର ସୂର୍ଯ୍ୟ ଅସ୍ତ ଯାଉଚି ଦୀପାନ୍ୱିତାର ଗଣ୍ଡ ଦେଶରେ !

 

ଦୀପାନ୍ୱିତା କାନ୍ଦୁ ନଥିଲା । ଆଖିରେ ତା’ର ବିନ୍ଦୁଏ ହେଲେ ଜଳ ନଥିଲା । ବିକାଶପାଇଁ ତାକୁ ଯାହା କରିବାକୁ ପଡ଼ିବ ସେ କରିବ । ଯାହା ସହିବାକୁ ପଡ଼ିବ, ସେ ସହିବ । ଯେତେ ମାଡ଼, ଗାଳି, ନିନ୍ଦା, ଅପବାଦ, ଗ୍ଳାନିର ବୋଝ ମୁଣ୍ଡେଇ ଚାଲିବାକୁ ପଡ଼େ, ସେ ଚାଲିବହିଁ ଚାଲିବ । ଯେତେ ବାଟ ହେଉ ସେ ପଥ । ଯେତେ କଣ୍ଟା ଝଣ୍ଟା, ଯେତେ କଙ୍କରିଳ, ଦୁର୍ଗମ ହେଉ ସେ ରାସ୍ତା । ସେ ବିକାଶର ଜୀବନ ଅନ୍ଧାରରେ ସଫେଦ୍ ଆଲୁଅଟିଏ ହୋଇ ଜଳିବ ।

 

ଏମିତି ବହୁ ପ୍ରତିଜ୍ଞା, ଶପଥରେ ହୃଦୟକୁ ଦୃଢ଼ୀଭୂତ କରି ବାପାଙ୍କୁ ସେ ଉତ୍ତର ଦେଇଥିଲା, ବିକାଶଙ୍କୁହିଁ ବିବାହ କରିବ ।

 

ବାପା ତା’ର ବଜ୍ରପରି ଗମ୍ଭୀର ଥିଲେ । ଝଡ଼ପରି ଗତିମୁଖର ଥିଲେ । ସେ ଦୀପାନ୍ୱିତାକୁ ପଚାରିଥିଲେ କେତେ ଗୋଟି ପ୍ରଶ୍ନ । ଯେଉଁ କେତୋଟି ପ୍ରଶ୍ନରେ କି ଦୀପାନ୍ୱିତା ହାରିଗଲା । ଜୀବନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ତ ଦୂରର କଥା, ଅବତୀର୍ଣ୍ଣ ହୋଇ ପାରିଲା ନାହିଁ-। ସାରା ଜନ୍ମପାଇଁ ପରାଜୟର କୁଙ୍କୁମ ପିନ୍ଧି ବିକାଶର ଜୀବନପଥରୁ ଫେରି ଆସିଲା-। ସର୍ବଜନ ଉପସ୍ଥିତିରେ ବିକାଶ ହାତର ସିନ୍ଦୂର ତା’ ସୀମନ୍ତରେ ବାଜି ପାରିଲା ନାହିଁ । ବିପଦର ସଙ୍କେତ ଦେଖାଇ ଦାଉଦାଉ ହୋଇ ଜଳି ପାରିଲା ନାହିଁ । .

 

ରାୟ ସାହେବ ଶାରଦା ପ୍ରସନ୍ନଙ୍କ ମୁହଁରେ ଅସମ୍ଭବ ଦୃଢ଼ ପ୍ରତ୍ୟୟର ଚିହ୍ନ । ବ୍ୟଙ୍ଗ ଆଉ ବିଦ୍ରୂପର ବହୁ ପ୍ରଶ୍ନ ବାଣ ଫୁଟି ଉଠୁଥିଲା । ଦୀପାନ୍ୱିତାକୁ ଉପହାସର ଶରରେ ବିଦ୍ଧକରି ସେ କହିଲେ ଦୀପାନ୍ୱିତା, ଥରେ ଭାବିଚୁ ଦେଖି, ତୋର ଜୀବନ ଯାତ୍ରା ପଥରେ ଯେଉଁ ପ୍ରତିକୂଳ ସୃଷ୍ଟି ହେବ, ସେ ସବୁର ସମ୍ମୁଖୀନ ବିକାଶ ଭଳି ଜଣେ ଦରିଦ୍ର ଶିଳ୍ପୀ, ଯିଏ କି ଓଳିକରେ ମୁଠାଏ ପେଟ ଭରି ଖାଇବାକୁ ପାଉ ନଥିବ, ସେ ତୋର ଜୀବନସାଥୀ ହୋଇ, ପ୍ରତିକୂଳ ପରିସ୍ଥିତିକୁ ଅନୁକୂଳ ପରିସ୍ଥିତିରେ ପରିଣତ କରି ସଜାଡ଼ି ନେଇ ପାରିବ ? ଯାହାର ନିଜର ବଞ୍ଚିବାର ସମ୍ବଳ ନାହିଁ, ଯୋଗ୍ୟତା ନାହିଁ, ଯିଏ ଅନ୍ୟର ସାହାଯ୍ୟରେ ବଞ୍ଚିବାକୁ ଚେଷ୍ଟା କରେ, ସେ ତୋର ସ୍ଵାମୀ ଭାବରେ ଉପଯୁକ୍ତ ବୋଲି ତୁ’ ବିଚାରି ନେବା ତୋ’ ପିଲା ମସ୍ତିଷ୍କର ଚଳଚଞ୍ଚଳତାର ବାଲ୍ୟ ଚପଳତାର କେତେଟା ଦୁର୍ବଳ ଚିନ୍ତା ନୁହେଁ ? ସେ ସବୁକୁ ତେଣୁ ସ୍ଵପ୍ନ ଭଳି ଭୁଲିଯା’ ମାଆ । ଅବାସ୍ତବତା ସୁଅରେ ଭସାଇଦେ’ ତାକୁ ।

 

ବୁଝାଇବା କଣ୍ଠରେ କହିଲେ ଶାରଦା ପ୍ରସନ୍ନ ।

 

ବାପା, ସେ ପ୍ରତିକୂଳ ପରିସ୍ଥିତିକୁ ସଜାଡ଼ି ନେବାପାଇଁ ମୁଁ ଉପାୟ ଚିନ୍ତା କରିଚି । ସେ ସମ୍ପର୍କରେ ବହୁ ଅନୁଧ୍ୟାନ, ଆଲୋଚନା ସରିଛି । ସେଥିପାଇଁ ଆପଣ ମତେ ବାରଣ କରି ମୋ’ ସୁଖ ସ୍ଵପ୍ନର ଜୀବନରୁ ବିରତ କରାନ୍ତୁ ନାହିଁ । ବଞ୍ଚିତ କରାନ୍ତୁ ନାହିଁ ।

 

ମୁଁ ତାଙ୍କୁ ମନ, ପ୍ରାଣ ଉତ୍ସର୍ଗ କରି ଭଲ ପାଇଚି ବାପା, ମୁଁ ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇଚି ।

 

ଦୀପାନ୍ୱିତା, ତତେ ଏ’ଗୁଡ଼ା କହିବାକୁ ଅନ୍ତତଃ ସଂକୋଚ ଲାଗିବା ଦରକାର । କାରଣ ତୁ’ ଭୁଲି ଯାଉଚୁ, ତୋ’ ବାପାଙ୍କ ସାମ୍ନାରେ ତୁ ଠିଆ ହୋଇଚୁ ବୋଲି । ମୁଁ ତତେ ବାରବାର ସ୍ମରଣ କରାଇ ଦେଉଚି । ତୁ’ କିନ୍ତୁ ବାରମ୍ବାର ଏ କଥା ଭୁଲିଯାଇ ତୋ’ ବାପାକୁ ତୁ’ ଅସମ୍ମାନ କରୁଚୁ । ଅପଦସ୍ଥ କରୁଚୁ ।

 

ନା ବାପା, ଆପଣ ଭୁଲ୍ ବୁଝନ୍ତୁ ନାହିଁ । ଆପଣ ବୁଝିବାକୁ ଚେଷ୍ଟା କରନ୍ତୁ । ମୁଁ ଆପଣଙ୍କୁ ଅସମ୍ମାନ ଅପଦସ୍ଥ କରୁନାହିଁ । ଆପଣ ମତେ ଜନ୍ମ ଦେଇଛନ୍ତି । ଜନ୍ମଦାତା ଭାବରେ ମୁଁ ଆପଣଙ୍କୁ ମୋ’ ମନର କଥା ଖୋଲି ଜଣାଉଚି । ଅନ୍ତରର ଅଭିବ୍ୟକ୍ତିକୁ ସ୍ପଷ୍ଟ ଭାବରେ ପ୍ରକାଶ କରୁଛି । ତା’ ବୋଲି ମୁଁ ଆପଣଙ୍କୁ ଅପମାନିତ କରୁଛି ଏଇଆ ବୁଝନ୍ତୁ ନାହିଁ ।

 

ବାପା ଟିକିଏ ବଦଳି ଗଲେ । ପ୍ରବଣତାରେ ତରଳି ଗଲେ ।

 

ଦୀପାନ୍ୱିତା, ମୁଁ ତୋର ହାତଗୋଡ଼ ଧରି ଅନୁନୟ କରୁଚି ମାଆ । ତୋ’ ବାପାର ଅନୁରୋଧ ଏତିକି କେବଳ ରଖ । ତୋ’ ବାପା ତତେ ଜୀବନରେ କିଛି ମାଗିନାହିଁ । ଆଜି ଏତିକି ମାଗୁଚି । ଏଇ ସାମାନ୍ୟ ଇଜ୍ଜତ ଟିକକ ସେ ତା’ ନିଜପାଇଁ ମାଗୁଛି ।

 

ବାପା ! ମୋର ହାତଗୋଡ଼ ଧରିବେ ? ମତେ ଅନୁନୟ ବିନିନୟ ହେବେ ? ଏ କଥା କ’ଣ ଭଲ ବାପା ? ଏ’ କ’ଣ ମୋର ମଙ୍ଗଳ ଆଉ ଶୁଭର ସଂକେତ ? ଏହା କ’ଣ ଆପଣଙ୍କର କାମନା ଆଉ ଆଶୀର୍ବାଦ ମୋ’ ପ୍ରତି ? ମୋ’ ଜୀବନର ସୁଖ, ଶାନ୍ତି ଚିନ୍ତାକରି ଆପଣ କ’ଣ ଏ’ସବୁ କହୁଛନ୍ତି ?

 

ଦୀପାନ୍ୱିତା !

 

ତତେ ଏତେ ବୁଝେଇବି ତୁ’ ଯଦି ବୁଝି ନପାରିଲୁ, ତେବେ ମତେ ଆଉ ଏ’ ସମ୍ପର୍କରେ କହିବା କ’ଣ ଦରକାର ? ତୋ ଇଚ୍ଛା ଯାହା ପାରୁଚୁ କର ।

 

ବାପା, ମାଆଙ୍କ ନିର୍ବାଚନରେ ପୁତ୍ର କନ୍ୟାଙ୍କ ବିବାହ ହୁଏ । ତମେମାନେ ଯଦି ତମପାଇଁ ବର କନ୍ୟା ନିଜେ ନିଜେ ବାଛି ନେବ, ମୋର ଅସମ୍ମତି ପ୍ରକାଶ କରିବାର କିଛି ନାହିଁ । କିନ୍ତୁ କୌଣସି ଗୋଟିଏ ଅଯୋଗ୍ୟକୁ, ଅମଣିଷକୁ ସାଥୀ ଭାବରେ ଗ୍ରହଣ କଲେ ବାପ ମାଆଙ୍କର ଆତ୍ମସମ୍ମାନ ଯେ କେଉଁଠି ରହିବ, ଏ’ କଥା ଯିଏ ନବୁଝେ ତାକୁ ଆଉ କ’ଣ କହିବ ? ତୁ’ ଜାଣୁ ଦୀପା, ବିକାଶ ଗୋଟାଏ ମଦ ଦୋକାନର ଖଟିଖିଆ ଚାକର । ହୁଏତ ତୁ ଜାଣୁନା ମୁଁ କିନ୍ତୁ ଜାଣେ । ତୋ’ ଅପେକ୍ଷା ବିକାଶକୁ ମୁଁ ଅଧିକ ଭଲ‍ଭାବରେ ଚିହ୍ନେ । ସେ ତୋର ଜୀବନସାଥୀ ପାଇଁ ଉପଯୁକ୍ତ–ଆଦୌ ଉପଯୁକ୍ତ ନୁହେଁ ।

 

ଦୀପାନ୍ୱିତାକୁ ଭାରି ବାଧିଲା ବାପାଙ୍କ ଆଗରେ କହି ନପାରିଲେବି ମନେମନେ କହୁଥିଲା, ବାପା, ଯାହା କହିବା କଥା ଆପଣ ମତେ କହନ୍ତୁ, ମତେ ଗାଳି କରନ୍ତୁ । ନିନ୍ଦା, ଅପମାନ, ଯାହା ଦେବେ, ମୁଁ ସବୁ ନୀରବରେ ସହିବି । ମୋ’ ଜୀବନ ପରା ହୀନିମାନରେ ବିତିବାପାଇଁ ଜନ୍ମ । ମତେ କଷ୍ଟ ହେବନି । ହେଲେ ବିକାଶକୁ କଷ୍ଟ ହେବ । ଆପଣ ତାକୁ କିଛି କହନ୍ତୁ ନାହିଁ । ଅସମ୍ମାନ କରନ୍ତୁ ନାହିଁ । ମୋ’ ରକ୍ତରେ କ୍ଷୋଭ ଉଠୁଛି । ବିକ୍ଷୁବ୍ଧ ହେଉଛି ମୋର ପ୍ରାଣ ଓ ହୃଦୟ । ସେ ନିର୍ଦ୍ଦୋଷ । ତାଙ୍କର ଆଦୌ ଦୋଷ ନାହିଁ । ମୁଁ ତାଙ୍କୁ ବଳେ ବରଣ କରି ଆଣିଛି ।

 

କିନ୍ତୁ କିଛି କହି ପାରିଲା ନାହିଁ । ନୀରବରେ ଅତି ନୀରବରେ ଶୁଣିଗଲା ବାପାଙ୍କ ଅଶ୍ରାବ୍ୟ କଟୁକ୍ତିକୁ । ଆଖି ଛଳଛଳ ହୋଇ ଆସୁଚି । ସେ କିଛି କହିବାକୁ ଯାଉଥିଲା କିନ୍ତୁ ବାପାଙ୍କ ମୁହଁରୁ କଥା ବାହାରିବା ଶୁଣି ପୁଣି ନୀରବ ହେଲା ।

 

ବାପା କହୁଛନ୍ତି ଦୀପାନ୍ୱିତା ତୁ’ ଯଦି ଏ’ ବିବାହ କରୁ, ଶଶାଙ୍କ ଘର ଛାଡ଼ି ଚାଲିଯିବ ସବୁଦିନ ପାଇଁ । ଆଉ ମୁଁ’ ଚିରଦିନ ପାଇଁ ସଂସାର ଛାଡ଼ି ଚାଲିଯିବି । ଆତ୍ମହତ୍ୟା ଛଡ଼ା ମୋର ଆଉ ଅନ୍ୟ ଉପାୟ ନାହିଁ’ । କୁଳର ଖାନ୍‌ଦାନ୍‌ରେ ଯେଉଁ ସମ୍ମାନର ଜୁଆର ଫୁଲି ଉଠୁଚି, ଅସମ୍ମାନର ଭଟ୍ଟା ପକାଇ ସେ ବିରାଟ ବଂଶର ମର୍ଯ୍ୟାଦାରେ ମୁଁ ପରିସମାପ୍ତି ଆଣି ପାରିବି ନାହିଁ । କଳଙ୍କ ଲଗାଇ ପାରିବି ନାହିଁ । ମୁଁ ବଞ୍ଚିଥିଲେ ସିନା ଲୋକଙ୍କ ମୁହଁରୁ ବାରକଥା ଶୁଣିବାକୁ ପଡ଼ିବ । ବାର କଥା ନୀରବରେ ମଥାପାତି ସହିବାକୁ ପଡ଼ିବ । ମୁଁ ଆଖିବୁଜି ଦେଲା ପରେ ତମେମାନେ ଯାହା କରି ବସୁଛ କର । ଶଶାଙ୍କ ତୋର ସାନଭାଇ । ସେ ଭାରି ପ୍ରଗଳ୍‌ଭ । ତାକୁ ଅବାଟରୁ ବାଟକୁ ଆଣିବା ତୋର କର୍ତ୍ତବ୍ୟ । କିନ୍ତୁ ତୁ’ ଯଦି ଏଇଆ କରୁ, ସେ ଆଉ ତୋ’ଠାରୁ ଶିଖିବ କ’ଣ ? ତାକୁ ଅମଣିଷରୁ ମଣିଷ କରିବ କିଏ ? ଅବାଟରୁ ବାଟକୁ ଫେରାଇ ଆଣିବ କିଏ ? ମୁଁ ବିଚାରି ଥିଲି, ଶଶାଙ୍କ ଏବଂ ତୋର ଉଭୟଙ୍କ ବାହାଘର ଏଥିମଧ୍ୟରେ କରାଇ ନେବି । ମୋ’ ଆଖି ଆଗରେ ବର କନ୍ୟା ଅଛନ୍ତି । ଯିଏ ତୋର ଶଶୁର ହୋଇ ଥାଆନ୍ତେ, ସେ ମୋର ଜଣେ ଅନ୍ତରଙ୍ଗ ବନ୍ଧୁ ଥିଲେ । ସେ ହେଉଛନ୍ତି ପର୍ଶୁରାମବାବୁ । ଅନେକ ଦିନ ହେଲା ସେ ସ୍ଵର୍ଗବାସ ଗଲେଣି । ତାଙ୍କ ସ୍ତ୍ରୀ ରମା ଦେବୀ ଆମଘରକୁ ଏବେ କେତେ ଦିନ ତଳେ ଆସିଥିଲେ । ତାଙ୍କ ସହିତ ସମସ୍ତ କଥାବାର୍ତ୍ତା ତୁଟି ଯାଇଛି ମୋର । ସେ ଆମ ପ୍ରସ୍ତାବରେ ରାଜି ଅଛନ୍ତି । ତାଙ୍କର ବଡ଼ ଝିଅ ଅନୁପମା ସହିତ ଆମ ଶଶାଙ୍କପାଇଁ ଏବଂ ତାଙ୍କ ବଡ଼ପୁଅ ସତ୍ୟବ୍ରତ ପାଇଁ ତତେ ବୋହୂ କରି ନେବେ ବୋଲି ସେ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି ଆଉ କହିଛନ୍ତି ସେ ତ ତତେ ଦେଖିଛନ୍ତି ଆଉ ତୋ’ ସମ୍ପର୍କରେ ସବୁ ଜାଣିଛନ୍ତି-। ତେଣୁ ବିବାହ ଯେତେ ଚଞ୍ଚଳ ପାରିବି, ସେତେ ଶୀଘ୍ର ତୁଟେଇ ଦେବାପାଇଁ ମତେ ଅନୁରୋଧ କରିଛନ୍ତି । କେବଳ ତମମାନଙ୍କ ଇଚ୍ଛା ଉପରେ ନିର୍ଭର କରି ମୁଁ ତାଙ୍କୁ ପୂର୍ଣ୍ଣ ସମ୍ମତି ଦେଇ ନଥିଲି-। ବର୍ତ୍ତମାନ ତମଠୁ କେବଳ ସାମାନ୍ୟ ସ୍ଵୀକୃତି ପାଇଲେ ମୁଁ ତାଙ୍କୁ ପୂର୍ଣ୍ଣ ସମ୍ମତି ଦେଇ ଜଣାଇ ଦେବି-

 

ସତ୍ୟବ୍ରତ ଇଞ୍ଜିନିୟର୍ ମା’ । ଏବେ ନିକଟରେ ବିଦେଶରୁ ଫେରିଛି । ସେ ଦିନବି ତାଙ୍କ ସାଥିରେ ସେ ଆସିଥିଲା । ଭାରି ଭଲ ପିଲା । ରୂପରେ ଯେମିତି । ବିଦ୍ୟା ବୃଦ୍ଧିରେ ତତୋଽଧିକ । ସେମିତି ପ୍ରସ୍ତାବ ଆମକୁ ଆଉ ମିଳିବନି ଦୀପା । ମନାକର ନାହିଁ । ବାରଣ କରନାହିଁ । ମୋ’ ନିବେଦନ ରଖ । ଏ ବୁଢ଼ା ବାପାଟାର କଥାକୁ ଟିକିଏ ଭଲ ଭାବରେ ଚିନ୍ତାକର ।

 

ଅତି ବ୍ୟସ୍ତ ବ୍ୟାକୁଳତାରେ ଦୀପାନ୍ୱିତାର ପାଦକୁ ଜୋରରେ ଜାବୁଡ଼ି ଧରିଲେ ଶାରଦା ପ୍ରସନ୍ନ ।

 

ବାପା ଏ କ’ଣ କରୁଚନ୍ତି ? ମୁଁ ଆପଣଙ୍କର ଝିଅ ଯେ ! ମୁଁ ଆପଣଙ୍କ ରକ୍ତରୁ ଜନ୍ମ ବାପା । ମୁଁ ଆପଣଙ୍କ ଦେହରୁ ସୃଷ୍ଟି । ଆପଣ ମୋ’ ପାଦ ସ୍ପର୍ଶ କଲେ ମୋର ଆୟୁଷ ହାନି ହେବ ନାହିଁ ।

 

ତୁ’ କଥାଦେ’ ମା’ । ନଚେତ୍ ମୁଁ ଛାଡ଼ିବି ନାହିଁ ।

 

ଦୀପାର ପାଦକୁ ଜାବୁଡ଼ି ଧଇଲେ ଶାରଦା ପ୍ରସନ୍ନ ।

 

ଆଖିରୁ ଲୁହ ଛଳଛଳ ହୋଇ ବହିଯାଉଚି ବାପାଙ୍କର । ଦୀପାନ୍ୱିତା କୋମଳ ପାଦ ଉପରେ ଟୋପା ଟୋପା ନିଗିଡ଼ିଯାଇ ଉଷ୍ମତା ସୃଷ୍ଟି କରୁଛି । ସତେ ଯେପରି ଦୀପାନ୍ୱିତାର ଅନ୍ତରକୁ ଭେଦକରି ତା’ ନିଭୃତ ମନର କଥା ବାରିପାରି ଫେରିଆସି କହୁଛି, ମା’ ଦୀପା, ତତେ ଏଇ କେତେ ବର୍ଷ ହେଲା ପାଖକୁ ଡାକି ପାରିନାହିଁ । ତୋ’ ମନର କଥା ବୁଝି ପାରିନାହିଁ ବୋଲି ତୁ ମୋ’ କଥା ରଖିବୁ ନାହିଁ ? ମତେ ଠୁକୁରାଇ ଦେଇ ନିଜ ରାସ୍ତାରେ ଚାଲିଯିବୁ ? ତୋ’ ବୁଢ଼ା ବାପା ଗୋଟାଏ ରକ୍ତଚାପ ରୋଗୀ । କିଛି ସମୟ ପରେ ପାଚିଲା ପତ୍ର ପରି ଅକାଳରେ ଝରିପଡ଼ିବ । ମୁଁ’ ଏଇ ସମୟରେ ଏମିତି ସମସ୍ୟା ଉପରେ ପ୍ରତିଶୋଧର ପ୍ରତିଛବି ପୁଣି ଆଙ୍କିଯିବୁ ଝିଅ ହୋଇ ? ଜନ୍ମିତ ବାପା ପ୍ରତି ତୋର ସାଧାରଣ ଲୋଭ ଟିକିଏ ରହିବ ନାହିଁ ? ତୋର ରକ୍ତ କାନ୍ଦି ଉଠିବ ନାହିଁ ? ତୋର ଲୁହ ଝରିବ ନାହିଁ ? ଦୀପାନ୍ୱିତା ! କହ, ଦୀପାନ୍ୱିତା, ମୋ’ ଉତ୍ତରଦେ’ !

 

ବାପା ଖାଲି ଦୀପାନ୍ୱିତାର ଗୋଡ଼ ଦୁଇଟାକୁ ଧରି ଝାଙ୍କି ଚାଲିଛନ୍ତି ଉତ୍ତରର ପ୍ରତ୍ୟାଶାରେ ।

 

ଦୀପାନ୍ୱିତା ଥରୁଚି । କେବଳ ଥରୁଚି । ଭୟରେ ସଂକୋଚରେ । ନୀରବ ମନର ବ୍ୟାକୁଳତାରେ ।

 

କି’ ଉତ୍ତର ଦେବ ସେ ? କ’ଣ କହି ବାପାଙ୍କୁ କେମିତି ସନ୍ତୁଷ୍ଟ କରିବ ? ଗୋଟାଏ ଦିଗରେ ବାପା ଆଉ ଭାଇଙ୍କ ଜୀବନ କାନ୍ଦୁଚି । ଅନ୍ୟ ଦିଗରେ ବିକାଶର ହା-ହୁତାଶମୟ ପ୍ରାଣ ତୁହାଇ ତୁହାଇ ନାଚୁଚି । ପଚାରୁଛି, ଦୀପାନ୍ୱିତା, ତମେ କ’ଣ ସେଇ ମାତୃତ୍ୱର ଗୌରବ ଚାହଁନି ? ତମେ କ’ଣ ସେଇ ନାରୀର ଗର୍ବ ଇଚ୍ଛା କରନି ?

 

ଆଉ ତା’ର ପ୍ରତ୍ୟୁତ୍ତର ଦେଇ ଦୀପାନ୍ୱିତା ଥରି ଥରି କହୁଚି, ତମକଥା ଅନୁଯାୟୀ ମୁଁ ଆଜି ମାତୃତ୍ୱର ଗୌରବ, ନାରୀର ଗର୍ବ ଚାହୁଁଛି ବିକାଶ । କିନ୍ତୁ ତମଠାରୁ ନୁହେଁ । ତମରକ୍ତ, ମାଂସର ବିନିମୟରୁ ନୁହେଁ । ତମରି ଔରସରୁ ନୁହେଁ । ତମର ସନ୍ତାନ ମୋ’ ଗର୍ଭରେ ଧରିବାର ମୁଁ ସୁଯୋଗ ପାଇପାରୁନି । ସୌଭାଗ୍ୟ ପାଇ ପାରୁନି ।

 

ମତେ ଅଭିଶାପ ଦିଅ ବିକାଶ । ମତେ ତମେ ଗାଳି ନିନ୍ଦାର ମହାସମୁଦ୍ର ମଧ୍ୟରେ ଆଶ୍ରାହୀନ ଭାବରେ ଭସାଇ ଦିଅ । ଡୁବାଇ ଦିଅ । ସେଥିପାଇଁ ମୋର ଦୁଃଖ ନାହିଁ । ଆପତ୍ତି ନାହିଁ-। ଅଭିଯୋଗ ନାହିଁ । କ’ଣ କରିବି ବିକାଶ ? ମୁଁ ନିରୁପାୟ । ମୁଁ ଉପାୟ ଶୂନ୍ୟ ଭାବରେ ଥଳକୂଳ ହୀନ ହୋଇ ତମଠାରୁ ଦୂରେଇ ଯାଉଚି ।

 

ତମେ ମତେ ଯେତେ ଯାହା ଭାବିଲେ କି ମୁଁ କିଂକର୍ତ୍ତବ୍ୟବିମୂଢ଼ ବିକାଶ । ମୁଁ ସମ୍ପୂର୍ଣ୍ଣ କିଂକର୍ତ୍ତବ୍ୟବିମୂଢ଼ । ଭାବି ନେବ, ମୁଁ ତମ ଜୀବନରେ ଗୋଟାଏ ଅପ୍ରତ୍ୟାଶିତ ଝଡ଼ ହୋଇ ଆସିଥିଲି-। ଘୂର୍ଣ୍ଣିବାତ୍ୟାର ମହାତୋଫାନ ଭଳି ମୁଁ ତମକୁ ଦେଖା ଦେଇଥିଲି । ସେ ତୋଫାନ ସରିଯାଇଛି-। ସେ ଘୂର୍ଣ୍ଣିବାୟୁ ଫେରି ଯାଇଛି । ସେ ମହାକାଳର ପ୍ରଳୟଙ୍କରୀ ବାତ୍ୟା କାଳର ସମୟ ତଳେ ମୁହଁ ମାଡ଼ି ଶୋଇ ଯାଇଛି । କେବଳ ତା’ର କାହାଣୀ ଲେଖା ରହିଚି ଶତାବ୍ଦୀର ସିଲଟ ଉପରେ-। ସମୟର ଇତିହାସ ପୃଷ୍ଠାରେ ।

 

ଭୋ ଭୋ ହୋଇ କାନ୍ଦି ଉଠିଲା ଦୀପାନ୍ୱିତା । ମତେ ଛାଡ଼ନ୍ତୁ ବାପା । ଆପଣଙ୍କ କଥାରେ ମୁଁ ସମ୍ମତି ଦେଉଛି । ସ୍ଵୀକୃତି ଦେଉଛି । ସମସ୍ତଙ୍କର ମୁଁ ଗୋଟିଏ ଅଶାନ୍ତିର ଶକୁନ ପକ୍ଷୀ । ସମସ୍ତଙ୍କ ପାଇଁ ମୁଁ ଗୋଟାଏ ଗଳଗ୍ରହ ଅଶୁଭ ପେଚକ । କଣ୍ଟାର ପାହାଡ଼ ହୋଇ ଠିଆ ହୋଇଚି ମୁଁ ସମସ୍ତଙ୍କ ଆଗରେ ।

 

କାନ୍ଦି କାନ୍ଦି ଦୀପାନ୍ୱିତା ଦୌଡ଼ି ଚାଲିଗଲା କୋଠରୀ ଭିତରୁ ବାହାରକୁ ।

 

ବାପା ଧୀରେ ଧୀରେ ବାହାରି ଯାଇଥିଲେ ଲୁହ ପୋଛି ପୋଛି । ସେଇଠୁ ପଟ୍ଟପରିବର୍ତ୍ତନ ହୋଇଗଲା ଦୀପାନ୍ୱିତା ଜୀବନର ।

 

ଗୋଟାଏ ଅଙ୍କ ସରିଗଲା । ସରିଗଲା ଦୀପାନ୍ୱିତା ଜୀବନର ଗୋଟାଏ ବିରାଟ ଅଧ୍ୟାୟ-। ତା’ ଜୀବନ ନାଟକର ଗୋଟାଏ ପର୍ଯ୍ୟାୟ ଉପରେ ସୀମାରେଖା ଟାଣିଲା ଅନ୍ତରାଳର ପରିଦା ।

 

ଦୀପାନ୍ୱିତା ମଥା ବାନ୍ଧି ସାରିଲାଣି । ଓଠରେ ଲିପ୍‍ଷ୍ଟିକ୍ ଲଗାଇ ଆଇବ୍ରୋ ମାଖି ସାରିଲାଣି । ଆଉ କ’ଣ ବାକି ଅଛି ? ବାକି ଅଛି ସିନ୍ଦୂର ଟୋପାଟା ।

 

ଚମକି ଉଠିଲା ଦୀପା । ଆରେ ନା ନା କୁଙ୍କୁମ ବିନ୍ଦୁଏ । ସେ କେତେ ଭୁଲ୍ କରି ବସୁଚି-! ସେ’ତ ବିବାହିତା ନୁହେଁ ? ପତିର ପତ୍ନୀ ନୁହେଁ । ସେ କେମିତି ସିନ୍ଦୂର ପିନ୍ଧିବ ? ସେ କେମିତି ପତିବ୍ରତା ନାରୀ ବୋଲି ନିଜକୁ ପ୍ରମାଣିତ କରିବ ?

 

ପାଗଳୀଙ୍କ ଭଳି ମନେମନେ ହସିଲା ସେ । ପତିବ୍ରତା ନାରୀ ଜୀବନରେ ଥରେ ବିବାହ କରେ । ଅନେକ ଥର ନୁହେଁ । କିନ୍ତୁ ସେ ? ସେ କ’ଣ ପତିବ୍ରତା ନୁହେଁ ? ସେ କ’ଣ ସ୍ଵାମୀ ସୁହାଗିନୀ ନୁହେଁ ? ସେ’ତ ଦୁଇଥର ବିବାହ କଲା ଜୀବନରେ ? ସେ ତେବେ କ’ଣ ? କ’ଣ ସେ-?

 

ଜଣଙ୍କୁ ମନ, ପ୍ରାଣ ସର୍ବସ୍ୱ ଅର୍ପଣ କରି ଅନ୍ତର ଭିତରେ ସ୍ଵାମୀତ୍ୱ ସ୍ୱୀକାର କରି ସାରିବା ପରେ ପୁଣି ସେ ଅନ୍ୟ ଜଣଙ୍କୁ ବିବାହ କରିବାକୁ ଯାଉଛି । ଯୌବନର ଅର୍ଘ୍ୟ ଗୋଟାଏ ଦେବତାର ଉପଚାର ପରେ ସେଇ ଅର୍ଘ୍ୟ ପୁନଶ୍ଚ ମହାର୍ଘ ରୂପରେ ଆଉ ଗୋଟାଏ ଦେବତାର ପୂଜା ଉଦ୍ଦେଶ୍ୟରେ ଯାଉଚି । ସେଇ ଯେଉଁ ଅର୍ଘ୍ୟ ଦେବତାର ପୂଜା ଉଦ୍ଦେଶ୍ୟରେ ଯାଇଥିଲା, ସେ କ’ଣ ପ୍ରକୃତ ଉପଚାର ହୋଇ ନଥିଲା ? ତାକୁ କ’ଣ ବିବାହ କୁହାଯାଇ ନପାରେ ?

 

ପ୍ରତ୍ୟେକ ପିତା, ମାତା ଚାହାଁନ୍ତି ପ୍ରତ୍ୟେକ ପୁତ୍ର କନ୍ୟାଙ୍କ ମଙ୍ଗଳା ସୁଖ, ଶାନ୍ତି । ତା’ ବାପାଙ୍କର କ’ଣ ତାହା ଇଚ୍ଛା ନୁହେଁ ? କାମନା ନୁହେଁ ? ତା’ ବାପା କ’ଣ ଚାହାଁନ୍ତି ନାହିଁ ସେ ଦୀପା ତାଙ୍କର ସୁଖ ଶାନ୍ତିରେ ଘରସଂସାର କରୁ । ସ୍ଵଚ୍ଛନ୍ଦରେ ଜୀବନ କାଟୁ । ତା’ ବାପା କ’ଣ ବୁଝି ପାରି ନାହାଁନ୍ତି ଯେ ଜଣଙ୍କୁ ମନ, ପ୍ରାଣ ସବୁ ସମର୍ପଣ କରି ସାରିବା ପରେ ଦୀପା ତାଙ୍କର ତା’ ସ୍ୱାମୀଙ୍କୁ କ’ଣ ଦେଇ ପରିତୃପ୍ତ କରାଇବ ? କ’ଣ ଦେଇ ସନ୍ତୁଷ୍ଟ କରାଇବ ? ତା’ର ପ୍ରାଣର ଦେବତାକୁ ମଉଳା ଫୁଲରେ ଉପଚାର କରିବା ବିଧିବଦ୍ଧ ହେବ କି ନାହିଁ !

 

ଆଖି ନଈରେ ଲୁହର ଢେଉ ଅତଡ଼ା ପିଟୁଚି । ନିଶ୍ଚଳ ସ୍ତମ୍ଭଟିଏ ପରି ସାମନାରେ ଠିଆ ହୋଇଚି । ଏଇ ଅଇନା ତା’ର ଅତୀତ ବର୍ତ୍ତମାନର ନୀରବ ପ୍ରତୀକ । ଏଇ ଅଇନା ତା’ର ମୃତ ହଜିଲା ଦିନର ଜ୍ୱଳନ୍ତ ପ୍ରମାଣ । ଏଇ ଅଇନା ସବୁ ଦେଖିଚି । ତା’ ଛାତିର ନିବିଡ଼ ଗହ୍ୱର ଭିତରେ ଉଜୁଡ଼ା ଦିନର ଛାଇକୁ ବାନ୍ଧି ରଖିଚି । ଜାବୁଡ଼ି ଧରିଚି । ସେଇ ସ୍ମୃତିର ଛାଇ ବାରମ୍ବାର ପ୍ରତିଫଳିତ ହେଉଚି ଦୀପାର ମନ ଦର୍ପଣରେ ।

 

ଦୀପାନ୍ୱିତା ବର୍ତ୍ତମାନକୁ ଫେରିଲା । ମୃତ ଅତୀତ ସ୍ମୃତିର କବର ଭିତରେ ଶୋଇ ଥାଉ । ନୀରବରେ ଚୁପ୍‍ଚାପ୍‌ରେ ଶୋଇଥାଉ । ଟିକିଏ କୋଳାହଳ ଜମି ଉଠିବା ପରେ ଗହମ ନିଦଟା ତା’ର ଭାଜି ଯିବ । ତା’ପରେ ତିନି ଚାରିବର୍ଷର କାନ୍ଦୁରା ପିଲାଟାଏ ଅଳିକରି ରାହାଧରି କାନ୍ଦି ଉଠିବା ପରି କାନ୍ଦି ଉଠିବ ସେ । ଦୁଷ୍ଟାମି ଅତୀବ ପ୍ରଖର ହୋଇ ଉଠିବ । ପ୍ରଗଳ୍ପତା ସୀମା ଅତିକ୍ରମ କରିଯିବ ।

 

ବିକାଶ ଚିଠି ଲେଖିଚି ଦୀପା ପାଖକୁ । ବିକାଶ ଖବର ପଠାଇଚି ତା’ର ପ୍ରାଣର ଦୀପାନ୍ୱିତା ପାଖକୁ । ଟିକିଏ ଦେଖା କରିବାପାଇଁ । ଶେଷଥର ସାକ୍ଷାତ କରିବାପାଇଁ । କିନ୍ତୁ କ’ଣ କରିବ ଦୀପାନ୍ୱିତା ! ସେ ଯେ ନିରୁପାୟ । ସମ୍ପୂର୍ଣ୍ଣ ନିରୁପାୟ । ସେ ବର୍ତ୍ତମାନ ନିଜର ଆୟତ୍ତାଧିନା ନୁହେଁ । ସ୍ଵାଧୀନ ନୁହେଁ ।

 

କେମିତି ତମକୁ ବୁଝାଇବି ବିକାଶ, ତମକୁ ପାଇବାପାଇଁ ସମୟର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସଂଗ୍ରାମ ଚଳାଇଥିଲି । ବିଜୟିନୀର ସିନ୍ଦୂର ତମେ ଯେଉଁ କପାଳରେ ମୋର ମାଖି ଦେଇଥିଲ ତାକୁ ଅକ୍ଷତ ରଖିବାପାଇଁ ବହୁ ଚେଷ୍ଟା କରିଥିଲି ହେଲେ ଜୀବନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପାରିଲି ନାହିଁ । ତମେ କହିପାରିବ ବିକାଶ, ସବୁ ପରୀକ୍ଷାରେ କ’ଣ ସମସ୍ତେ ଉତ୍ତୀର୍ଣ୍ଣ ହୁଅନ୍ତି-? ସମସ୍ତେ କୃତକାର୍ଯ୍ୟ ହୁଅନ୍ତି ? ନିରୁତୀର୍ଣ୍ଣତା ଆଉ ଅସଫଳତାର ସଂକେତ ସୃଷ୍ଟିର ପ୍ରାରମ୍ଭରୁ କ’ଣ ମୋ’ରି କପାଳରେ ଆଜି ପ୍ରଥମ କରି ଲିପିବଦ୍ଧ ହେଲା ? ନା ବିକାଶ, ଅନେକ ମଣିଷଙ୍କ କପାଳରେ ବହୁ ଆଗରୁ ଲିପିବଦ୍ଧ ହୋଇ ସାରିଛି ଆମ ଭଳି ।

 

ଆମକୁ ସହିବାକୁ ପଡ଼ିବ । ପଥର ଭଳି ନୀରବରେ ସହିବାକୁ ପଡ଼ିବ । ବିକାଶ, ମୁଁ ସିନା ବିବାହ କରୁଚି ଅନ୍ୟ ଜଣେ ପୁରୁଷ ସାଥିରେ କିନ୍ତୁ ମୋର ଆତ୍ମାର ବିବାହ ତ ତମ ସାଥିରେ ବହୁ ପୂର୍ବରୁ ସମାପିତ ହୋଇ ସାରିଚି । ଏ’ ରକ୍ତମାଂସର ଦେହଟାରେ କିଛି ନଥାଏ ବିକାଶ ! ଗୁଡ଼ାଏ ସ୍ଵାର୍ଥ, ଗୁଡ଼ାଏ କାମୁକତା, ଗୁଡ଼ାଏ କଦର୍ଯ୍ୟ ଲାଳସା । ତମେ ତ ମତେ ନିଃସ୍ୱାର୍ଥପର ଭାବରେ ଭଲ ପାଇଛ ନା ! ବିଚାରି ନିଅ, ବେଗମ୍‌ ମମତାଜ ମହଲ ପରି ମୋର ମୃତ୍ୟୁ ହୋଇଛି ଆଉ ତମେ ମୋର ବାଦ୍‌ଶାହ ସାହାଜାହାନ ସ୍ମୃତିର ମଣ୍ଡପ ଉପରେ ବସି ଜୀବନ କାବ୍ୟର ତାଜମହଲ ନିର୍ମାଣ କରୁଛ । ମୁଁ ତମର ମନ ଜୀବନ କାବ୍ୟର ତାଜମହଲରେ ବସିଚିହିଁ ବସିଚି । ସବୁଦିନ ପାଇଁ ବସିଚି । ସେଠୁ କେହି ମତେ ଛିନ୍ନ କରି ନେଇ ପାରୁ ନାହାଁନ୍ତି । ନେଇ ପାରିବେ ନାହିଁବି । ତମ ଆଖିର ଯମୁନାରେ ମୁଁ ମୋର ପ୍ରତିଛବି ଦେଖୁଚି ।

 

ଦେହଟା ମାଟିରେ ମିଶିଯାଏ ବିକାଶ । ମନଟା ନୁହେଁ । ଏ ବୈଷୟିକ ସଂସାରରେ ସବୁକୁ ଅର୍ଥ ଦେଇ କିଣି ହୁଏ । ହେଲେ ମନକୁ ନୁହେଁ । ହୃଦୟକୁ ନୁହେଁ । ଆତ୍ମାକୁ ନୁହେଁ । କାରଣ ବୈଷୟିକ ସଂସାରରେ ସବୁ କଳୁଷିତ । ମନ କଳୁଷିତ ନୁହେଁ । ମନ ଅପବିତ୍ର ନୁହେଁ । ସେ ଜଳ ପରି ପବିତ୍ର । ପୁଷ୍ପପରି କୋମଳ ଆଉ ଆକାଶ ପରି ଉଦାର । ସେଇ ଶାନ୍ତ, ସ୍ନିଗ୍ଧ ଜଳ ଛଳଛଳ ପବିତ୍ର ମନକୁ ତମ ହାତରେ ଟେକି ଦେଇଚି ବିକାଶ । ଆଉ ତମେ କାହିଁକି ବ୍ୟାକୁଳ ହେଉଚ ? ତମେ ତାକୁହିଁ ନେଇ ବଞ୍ଚିବ । ସେଇହିଁ ତମର ସ୍ମୃତି । ସେହିଁ ତମର ସବୁ । ତମେ ତା’ରି ଲାଗି ବଞ୍ଚିବ । ହଁ ହଁ ନିଶ୍ଚୟ ବଞ୍ଚିବ !!

 

ଦୃଷ୍ଟିର ସୀମାରେଖା ସଂକୁଚିତ ହୋଇ ଆସୁଛି କ୍ରମଶଃ । ମନେ ହେଉଛି, ପୃଥିବୀଟାବି ତା’ ସହିତ ସଂକୁଚିତ ହୋଇ ଆସୁଛି । କ୍ଷୁଦ୍ର ହୋଇ ଆସୁଛି ତା’ର ଆକୃତି । କ୍ଷୁଦ୍ରତାର ଶେଷ ସୀମାରେ ଯେତେବେଳେ ସେ ପହଞ୍ଚିବ, କ୍ଷୁଦ୍ରକାୟ ମଣିଷମାନେ ସେତେବେଳେ ଏହି ସଂକୁଚିତର ପ୍ରଭାବରେ ଚାପି ହୋଇ ନିଃଶେଷ ହୋଇଯିବେ ଆଉ ପ୍ରଥମ କରି ପାଳି ପଡ଼ିବ ବିକାଶଙ୍କର ।

 

ଯନ୍ତ୍ରଣାର ସ୍ଵପ୍ନରେ ଶିହରି ଉଠି ମନେମନେ ଭାବି ନେଲେ ବିକାଶ ।

 

ସେ ନିଃଶେଷ ହୋଇଯିବେ ସବୁଦିନ-ସବୁଦିନ ପାଇଁ । ଆଃ ! କି’ ମର୍ମାନ୍ତିକ ବିୟୋଗ ସତରେ ! ଦୀପାନ୍ୱିତା ଯଦି ତାଙ୍କ ପାଖରେ ଥାଆନ୍ତା ସେତେବେଳେ ସେ ମୁହୂର୍ତ୍ତରେ; ସେ ମର୍ମାନ୍ତିକ ବିୟୋଗ ସିନା ବାଧନ୍ତା ନାହିଁ ତାଙ୍କୁ । କିନ୍ତୁ ବର୍ତ୍ତମାନ ସେ କି’ ଯନ୍ତ୍ରଣାର ଆତିଶଯ୍ୟରେ ପ୍ରାଣ ହରାଇବେ ନାହିଁ ।

 

ଦୀପାନ୍ୱିତା ତାଙ୍କଠାରୁ ଦୂରରେ । ହାତପାଆନ୍ତାରେ ଆଉ ନାହିଁ ତାଙ୍କର । ନିଜ ହାତରେ ତା’ର ଯେଉଁ ହସିଲା ପୂରିଲା ସଂସାରଟା ଗଢ଼ିଥିଲା ଦୀପାନ୍ୱିତା, ତାକୁ ନିଜେ ଖିନ୍‌ଭିନ୍‌ କରି ଚାଲି ଯାଇଛି ସେ । ନିଃସଙ୍ଗ ଜୀବନର ଶୂନ୍ୟ ବୋଝରେ ପ୍ରାଣର ପୂର୍ଣ୍ଣତା ଢାଳି ଦୀପାନ୍ୱିତା ତାକୁ ସେ ଦିନ ଯେତିକି ଅମୃତ ଚଖାଇଥିଲା, ତା’ ଠାରୁ ଅଧିକି ପରିମାଣରେ ଶୂନ୍ୟତାର ବିଷ ପିଆଇ ଦେଇ ପକାଇଛନ୍ତି ଆଜି । ବିକାଶ ଧାଇଁଛନ୍ତି ତା’ ପଛରେ ମରୀଚିକାକୁ ପାଥେୟ କରି । ସ୍ଵପ୍ନକୁ ସମ୍ବଳ କରି । ହତାଶାକୁ ଆପଣାର କରି ।

 

ଠିକ୍ ଯେମିତି ସେଦିନ ଧାଇଁଥିଲେ ବିକାଶ ସେ ବାଲିମୃଗ ପଛରେ ଦୀପାନ୍ୱିତାର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିନପାରି । ମନେ ହୋଇଥିଲା, ସେଇ ତ୍ରେତୟା ଯୁଗର ପ୍ରଭୁ ରାମଚନ୍ଦ୍ର ସୀତାଦେବୀଙ୍କ ଅନୁରୋଧକୁ ଏଡ଼ି ନପାରି ଧାଇଁଛନ୍ତି ।

 

ପ୍ରେମ ପାଗଳ ମଣିଷ ସବୁବେଳେ ଅନ୍ଧ । ଯେମିତି ସେଦିନ ଅନ୍ଧ ହୋଇଥିଲେ ବିକାଶ-। କି’ କଷ୍ଟ ସ୍ୱୀକାର କରି ନଥିଲେ ସେ ସେଦିନ ! କି’ ଅକୁଣ୍ଠ ଚିତ୍ତରେ, ଅଜସ୍ର ପ୍ରେରଣାରେ ଶ୍ରମ ସଫଳପାଇଁ ଧାଇଁ ନଥିଲେ ସେ ! କେତେ ଲଟା, ବୁଦା ମୂଳରେ ଛପି ଛପି, କେତେ କଣ୍ଟା ଝଣ୍ଟା ଅରମା ବଣ ଉପରେ ଆଣ୍ଠୁ ମାଡ଼ି ମୃଗକୁ ଧରିବାପାଇଁ ପ୍ରଚେଷ୍ଟା କରି ନଥିଲେ ସେ ।

 

ଆଣ୍ଠୁ କହୁଣୀ ହାତଗୋଡ଼ କଣ୍ଟା ଝଣ୍ଟା, ଝାଉଁ ଫଳର ମୁନିଆଁ କଣ୍ଟାରେ କ୍ଷତବିକ୍ଷତ ହୋଇ ରକ୍ତର ଧାର ଧାର ଝରଣା ସୃଷ୍ଟି କରିଥିଲା । ସାରା ଶରୀରରେ ତୀବ୍ର ଜ୍ୱଳନ ସୃଷ୍ଟି ହୋଇଥିଲେ ମଧ୍ୟ ଶ୍ରମ ସଫଳତାରେ ସେ ସେଦିନ ପାଇ ନଥିଲେ କେତେ ପ୍ରଶାନ୍ତି, କେତେ ପୁଲକତା !

 

ବାଲି ମୃଗକୁ ବାନ୍ଧିଆଣି ଦୀପାନ୍ୱିତାର ପାଦତଳେ ଥୋଇ ଶ୍ରମ ସଫଳତାର ନିଃଶ୍ୱାସ ମାରିଥିଲେ । କିନ୍ତୁ ସେ କ’ଣ ସବୁଦିନ ରହି ପାରିଲା ? କିଛିଦିନ ତାକୁ ପୋଷା ମନେଇବା ପରେ ଆଉ ବାନ୍ଧିବା ଆବଶ୍ୟକ ପଡ଼ି ନଥିଲା । ସେ ସବୁବେଳେ ଦୀପାନ୍ୱିତା ପାଖେପାଖେ ରହୁଥିଲା ହେଲେ ଦୀପା ଯୋଉଦିନ ଏ’ ନଦୀତଟ ଛାଡ଼ି ଅନ୍ୟତ୍ର ଫେରିଗଲା । ସେବି ସେ ଦିନ ଏ କୁଟୀର ଛାଡ଼ି ଫେରିଗଲା ତା’ର କେଉଁ ଅଜଣା ରାଜ୍ୟକୁ ।

 

ବିକାଶ ଖୋଜିଛନ୍ତି । ଅନେକ ଖୋଜିଛନ୍ତି ମାତ୍ର ପାଇନାହାଁନ୍ତି । ଯେପରି ଖୋଜୁଛନ୍ତି ସେ ଦୀପାନ୍ୱିତାକୁ । ଦୀପାନ୍ୱିତା କ’ଣ ଆଉ ଫେରିବ ? ନା, ଆଉ ଫେରିବନାହିଁ ।

 

ଦୀପାନ୍ୱିତା ମୁଖମଣ୍ଡଳର ତେଜୋଦ୍ଦୀପ୍ତ ଆଲୋକ ଆଜିବି ଦୀପର ପ୍ରତ୍ୟାଖ୍ୟାନ ପରେ ବିକାଶଙ୍କ ଆଖିରେ ଛାଇବାନ୍ଧି ରହିଛି । କେମିତି ସତରେ ଭୁଲିପାରନ୍ତେ ବିକାଶ ? କେମିତି ଖୋଜନ୍ତେ ନାହିଁ ତାକୁ ? ଗୋଟିଗୋଟି ତ ବହୁ ସ୍ମୃତି ଛାଡ଼ି ଯାଇଚି ଦୀପା ତାଙ୍କର ଭାବିବାପାଇଁ ! ସେଇ ସ୍ମୃତି ପୃଷ୍ଠାକୁ ଏପଟ ସେପଟ କରି ଦେଖୁଛନ୍ତି ସେ । ଅନେକ ଦେଖୁଛନ୍ତି ତଥାପି ମନ ଶାନ୍ତି ହୋଇନାହିଁ ।

 

କୁଟୀରର ଚତୁର୍ଦ୍ଦିଗରେ ଦୃଷ୍ଟି ଖେଳେଇ ଆଣିଲେ ଶେଷଥର ପାଇଁ । ଆଉ କ୍ଷଣକ ପରେ ଏ’ସବୁ ପଦାର୍ଥକୁ ପଛରେ ପକାଇ ସେ ଚାଲିଯିବେ । ଏ' ଘରର ମାୟା, ମମତା, ଏ’ ପଦାର୍ଥର ଆଶା, ଅନୁରାଗ ମୋହ କିଛି ବାନ୍ଧିରଖି ପାରିବ ନାହିଁ ତାଙ୍କୁ । ଅତୀତର ବାଲି ସ୍ତୂପ ଉପରେ ତାକୁ ପୋତି ପକାଇ ତା’ ଉପରେ ସାମାନ୍ୟ କେଇ ବୁନ୍ଦା ଲୁହର ଜଳ ସିଞ୍ଚି ସାନ୍ତ୍ୱତା ଦେଇ ଚାଲିଯିବେହିଁ ଚାଲିଯିବେ । ଦୀପାନ୍ୱିତା ତ ତାଙ୍କୁ ଛାଡ଼ି ଦେଇ ଚାଲିଯାଇ ପାରିଲା । ଆଉ ଏ’ ପଦାର୍ଥ ଏ’ କୁଟୀର କ’ଣ ଦୀପାନ୍ୱିତା ଠାରୁ ଅଧିକ ବଡ଼, ଅଧିକ ଆପଣାର ଯେ ବିକାଶ ଅଟକି ରହିବେ ?

 

ଆଖିରୁ ଥପ୍ ଥପ୍ ଲୁହ ଗଡ଼ୁଚି । କୋହର ଭାରାରେ ଛାତିରେ ସୃଷ୍ଟି ହେଉଚି ଅଜସ୍ର କମ୍ପନ । ଶରୀରର ସବୁରକ୍ତ କ୍ଷରଣରେବି ଏତେ ଦୁର୍ବଳତା ଅନୁଭବ କରନ୍ତେ ନାହିଁ ବିକାଶ । ପ୍ରେମ କ’ଣ ମଣିଷକୁ ଏତେ ଦୁର୍ବଳ କରିଦିଏ ? ପଙ୍ଗୁ ନିର୍ଜୀବ କରିଦିଏ ? ଆଶାର ଆଲୋକ ପଥରେ ଚଲାଇ ଚଲାଇ ନିରାଶାର ମହାନ୍ଧକାର ଭିତରେ ବୁଡ଼ାଇ ଦିଏ ? ମନର କ୍ଷଣିକ ଉତ୍ତେଜନାରେ ଦୁର୍ବଳତାର ମହାରୋଗ ଆକ୍ରମଣ କରିପକାଏ ତାକୁ ? ମଣିଷ ତା’ ଭିତରେ ହଜାଇଦିଏ ନିଜକୁ ? ନିଜର ସତ୍ତା ଲୋପ କରାଇଦିଏ ?

 

କାହାକୁ ପଚାରିବେ ବିକାଶ ? କିଏ ଦେଇ ପାରିବ ତାଙ୍କ ପ୍ରଶ୍ନର ଉତ୍ତର ? ସେ ନିଜେହିଁ ତାଙ୍କ ଅନୁଭୂତିର ରୋଗୀ !

 

କାନ୍ଥର ମହାଶୂନ୍ୟରେ ସିତାର ଖଣ୍ଡିକ ଝୁଲୁଚି । ତାକୁ ଲାଗି ଝୁଲୁଚି ତାଙ୍କର କେତେ ଖଣ୍ଡି ପଞ୍ଜାବି ଓ ଧୋତି । ଖୁବ୍ ମଇଳା ହୋଇ ଗଲାଣି । କୋଚଟ ମଇଳାରେ ପୋଷାକଗୁଡ଼ାକ ନିହାତି କଳା ଦିଶୁଛି ଠିକ୍ ଅନ୍ଧକାର ଭଳି । ତାଙ୍କ ଜୀବନର ପର୍ଯ୍ୟାୟରେ ଶୂନ୍ୟତାର ଅନ୍ଧକାର ଏକ ସମାବେଶ ହୋଇ ବିଛେଇ ପଡ଼ିଚି ଯେମିତି ।

 

ଏ’ ସବୁଗୁଡ଼ା ଦୀପାନ୍ୱିତାର ସଙ୍କେତ ସ୍ମୃତି ସନ୍ତକ । କେମିତି ବିସ୍ମରି ଦେବେ ବିକାଶ ଯେ ଦିପାନ୍ୱିତା ତାଙ୍କ ଜୀବନ ଆକାଶରେ ଝଡ଼ ହୋଇ ଆସି ନଥିଲା ! କେମିତି ପାସୋରି ପାରିବେ, ତାଙ୍କ ପ୍ରାଣର ଅନ୍ଧକାର ଭିତରେ ଉଲ୍କା ଧୂମକେତୁ ରୂପରେ ଦୀପାନ୍ୱିତା ତାଙ୍କୁ ଦେଖା ଦେଇ ନଥିଲା । କେମିତି କେମିତି ପାରିବେ ସେ ? ସେ ପାରିବେ ନାହିଁ । ଆଦୌ ପାରିବେ ନାହିଁ । ହୁଏତ ଏମିତି ହୋଇପାରେ; ଦୀପାନ୍ୱିତାର ବିବାହ ପରେ ତା’ର ନାରୀତ୍ୱକୁ ସମ୍ମାନ ଦେଇ ଆଉ ତା’ କଥା ମନରେ ଆଣି ନପାରନ୍ତି ଚିନ୍ତା କରି ନ ପାରନ୍ତି । କିନ୍ତୁ ଦୀପାନ୍ୱିତାକୁ ସମ୍ପୂର୍ଣ୍ଣ ବିସ୍ମରି ଯିବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ ।

 

ଏକଦା ଅତୀତରେ ଦୀପାନ୍ୱିତାକୁ ସେ ଗଳାର ମାଳି କରି ଝୁଲେଇ ଥିଲେ । ଜୀବନର ଗୀତା, ବେଦ, ସ୍ତୁତି, ମନ୍ତ୍ରମନେ କରି ତାକୁ ସବୁ ସମୟରେ ପଢ଼ିଥିଲେ । ତାଙ୍କ ଜୀବନର ସଙ୍ଗୀତ, ତାଙ୍କ କଳାର ତାଙ୍କ ପ୍ରତିଭାର ଉତ୍ସ, ତାଙ୍କ ଐଶୀ ଶକ୍ତିର ଏକ ବିରାଟ ପ୍ରେରଣା ବୋଲି ଧରି ନେଇଥିଲେ । ଆଜି ସେ ମାଳିକୁ ଜାଣିଶୁଣି ଛିଣ୍ଡାଇ ଦେବେ କେମିତି ? ସେଇ ଗୀତା, ବେଦ, ସ୍ତୁତି ମନ୍ତ୍ରକୁ ଜାଣି ଜାଣି ଚିରିଦେବେ କେମିତି ? ସେଇ ସଙ୍ଗୀତକୁ ନିଜକଣ୍ଠ ଭିତରୁ ଦୂରେଇ ଦେବେ କେମିତି ଆଉ କେମିତି ଅବା ତାଙ୍କ ପ୍ରତିଭାର ଉତ୍ସକୁ ଜାଣି ଜାଣି ବାଲିର ବନ୍ଧ ପକାଇ ତାକୁ ସାହାରାର ମରୁବାଲି ଭିତରେ ଭିଜାଇ ଦେବେ ?

 

ଗୋଟିଏ ମୁହୂର୍ତ୍ତରେ ଦୀପାନ୍ୱିତା ତାଙ୍କ ଜୀବନ ଆକାଶରେ ନକ୍ଷତ୍ରଟିଏ ହୋଇ ଜଳୁଥିଲା-। ଗୋଟିଏ ସମୟରେ ତାଙ୍କ ପ୍ରାଣ କୁଟୀରର ଗୋଟାଏ ଅନ୍ଧକାର କଣରେ ପ୍ରଦୀପଟିଏ ଭାବରେ କ୍ଷୀଣାଲୋକ ପ୍ରଦାନ କରୁଥିଲା, ଏକଥା ବିକାଶଙ୍କ ପକ୍ଷରେ ବିସ୍ମରଣ ହେବାର ନୁହେଁ, ବିସ୍ମୃତ ହେବାର ନୁହେଁ ।

 

ଦୀପାନ୍ୱିତା ଆଜି ତାଙ୍କ ଅତୀତ ପୃଷ୍ଠା ଭିତରେ କାହାଣୀର ନାୟିକା, ସଙ୍ଗୀତର ରାଗିଣୀ ରୂପରେ ତାଙ୍କ ଆଡ଼କୁ ମୁହଁକରି ଠିଆ ହୋଇଚି ନିଶ୍ଚଳ ଭାବରେ । ତାଙ୍କ ସହିତ ଆଉ କଥାବାର୍ତ୍ତା ହେଉ ନାହିଁ । ତାଙ୍କୁ ଦେଖି ହସହସ ମୁହଁରେ ଧାଇଁ ଆସି ବେକଧରି ଲୋଟି ପଡ଼ୁ ନାହିଁ । ତାଙ୍କୁ ଆଉ ସହାନୁଭୂତିର ମୂଲ୍ୟବାନ ସମ୍ପଦ ଭିତରେ ପୋତି ପକାଉ ନାହିଁ । ସେ ଆଜି ବହୁ ଅତୀତର ପୁରୁଣା ଇତିହାସ ଭିତରକୁ ଚାଲିଯାଇ ପାଷାଣୀ ଅହଲ୍ୟା ଭାବରେ କେଉଁ ଦେବୋପମ ରାମଚନ୍ଦ୍ରଙ୍କ ଆଗମନରେ ପ୍ରତୀକ୍ଷମାଣ ହୋଇ ଉତ୍କଣ୍ଠାର ସହିତ ଚାହିଁ ରହିଚି । ଆଉ ଅତୀତର ପ୍ରେମିକ ବିକାଶ ! ତାକୁ ଅଭିଶାପ ଦେଇଛି । ବିକାଶ ଆଜି ତା’ ନିକଟରେ କେଉଁ ଦୁର୍ବାସା ବଶିଷ୍ଠର କ୍ରୋଧ ମୂର୍ତ୍ତି ଧାରଣ କରି ଠିଆ ହୋଇଚି । ଆଜି ବିକାଶ ତା’ର ଦେବୋପମ ରାମ ନୁହଁନ୍ତି । ଦାନବରୂପୀ ଦୁର୍ବାସା !

 

ଦୁର୍ଯୋଗର ଗୃଧ୍ରପକ୍ଷୀ ଯେଉଁ ସମୟରେ ଯାହା ମଥା ଉପରେ ଡେଣା ପିଟି ପିଟି ଉଡ଼ିଯାଏ, ସେ ସମୟରେ ଯେତେ ବଡ଼ ଯାହାର ସୁଖର ସଂସାର ହେଉପଛେ, ବେଦନାର ମହାସମୁଦ୍ର ଭିତରେ, ଆଶ୍ରାହୀନ ଭାବରେ ନିଶ୍ଚିତ ଡୁବିଯାଏ, ଏକଥା ଦୃଢ଼ତାର ସହିତ ଭାବିନେଇ ଥିଲେ ବିକାଶ । ଆଜି ସେ ସମୟର ମହାପରୀକ୍ଷାରେ ସେ ନିଜେ ଅବତୀର୍ଣ୍ଣ ହୋଇଛନ୍ତି ।

 

ଜୀବନର ବହୁ ସମୟ ଆସେ, ଯେଉଁ ସମୟରେ କି ମଣିଷ ବହୁତ ହସେ । ଆଉ ମଧ୍ୟ ସମୟ ଆସେ, ଯେଉଁ ସମୟରେ କି ମଣିଷ ବହୁତ କାନ୍ଦେ । ହେଲେ ହସର ସମୟଟା ପାଣିର ଜୁଆରପରି ଗଡ଼ିଯାଏ ଆଉ ଲୁହର ସମୟଟା ପାଣିର ଭଟ୍ଟାପରି ପଡ଼ି ରହେ ।

 

ହସର ସମୟ କ୍ଷଣିକ । ଲୁହର ସମୟ ଅନେକ । ହସି ହସି ମଣିଷ ସମୟଟାକୁ ଯେ କେତେବେଳେ କୋଉଠି ଛାଡ଼ି ଦେଇ ଆସେ, ସେ କଥା ସେ ମନେରଖି ପାରେ ନାହିଁ । କିନ୍ତୁ ଲୁହର ସମୟଟା ତା’ର ହୃଦୟ ଚିତ୍ରପଟରେ ଏମିତି ଅଲିଭା ଚିତ୍ରଆଙ୍କି ଦେଇଯାଏ, ମଣିଷ ତାକୁ ଭୁଲି ପାରେନା । ଯେଉଁଠି ଇଚ୍ଛା ସେଠି ଛାଡ଼ିଦେଇ ଆସିପାରେନା । ଲୁହପାଇଁ ମଣିଷ କେତେ ଭାବି ବସେ ନାଇଁ ! କେତେ ଚିନ୍ତା କରେ ନାଇଁ ! ଠିକ୍ ସେମିତି ବିକାଶ ଭାବୁଚନ୍ତି । ଚିନ୍ତା କରୁଚନ୍ତି-। ଏଇ ଚିନ୍ତାର ଦହନାଗ୍ନି ଭିତରେ ଜାଳି ଜାଳି ନିଜକୁ ନିଃଶେଷ କରି ଦେଉଚନ୍ତି !

 

ଆଖିର ଅଶ୍ରୁ ଏତେ ଉଷ୍ମ, ଏତେ ତପ୍ତ ! ଆଗରୁ ଯେମିତି ଅନୁଭବ କରି ନଥିଲେ ବିକାଶ ଯଦିଓ ସେ ଜାଣିଥିଲେ ସେ ସମ୍ପର୍କରେ । ଦୀପାନ୍ୱିତା ତ ଆଗରୁ ଅନେକ ସମ୍ପର୍କରେ ଧାରଣା ଦେଇଥିଲା ତାଙ୍କୁ କିନ୍ତୁ ଅଶ୍ରୁ ସମ୍ପର୍କରେ କୌଣସି ଧାରଣା ଦେଇ ନଥିଲା । କାରଣ ? ଦୀପାନ୍ୱିତା ଜାଣିଥିଲା ଯେ; ସେ ତାଙ୍କୁ ଏଇ ଅଶ୍ରୁର ଅଗ୍ନିକଣା ଭିତରେ ସବୁଦିନ–ସବୁଦିନ ପାଇଁ ସମାଧି ଦେଇ ଚାଲିଯିବ । ସେ ଅଶ୍ରୁର ଅଗ୍ନିକଣା ଏତେ ଉତ୍ତପ୍ତ, ଏତେ ମର୍ମଦାହ ବୋଲି ଯଦି ଆଗରୁ ଜାଣି ନେବେ ବିକାଶ ତେବେ ଦୀପାନ୍ୱିତାର ଯିବା ବାଟରେ ସେ ନିଶ୍ଚୟ ପ୍ରତିବନ୍ଧକ ହେବେ-। ବାଧାବିଘ୍ନର ପର୍ବତ, ସାଗର ଠିଆ କରି ରୋକି ବସିବେ ନିଶ୍ଚୟ । ସରଳତାର ହସ ମାଧ୍ୟମରେ ଜଟିଳତାର ବିଷ ଏମିତି ପରଷା ଯାଇପାରେ !

 

ବିବେଚନା କରି ନଥିଲେ ବିକାଶ ।

 

ଆଜି ବିବେଚନା କଲା ବେଳକୁ ବେଳ ଗଡ଼ିଯାଇଛି । ମୁହୂର୍ତ୍ତର ସୁଅ ବହି ଯାଇଚି ଦୂରରୁ ଦୂରକୁ । ଅନେକ ଦୂରକୁ । ବିଛେଇ ପଡ଼ିଥିବା ଗୀତିକବିତାଗୁଡ଼ିକୁ ସଜେଇ ରଖି କାବ୍ୟରଚନା କରି ସ୍ମୃତିର ବଇଁଶୀ କାଠିରେ ସ୍ଵର ସଂଯୋଜନା କରିବାକୁ ଚେଷ୍ଟା କରୁଛନ୍ତି ବିକାଶ । ଫଟା ବଇଁଶୀରେ କ’ଣ ଆଉ ସ୍ୱର ତୋଳି ହୁଏ ? ସ୍ଵର ତୋଳି ହେଲେବି ସେ ସୁର ସିନା ବେସୁରା ହେବ, ତା’ର ଧର୍ମ ଓ ସମତା ରକ୍ଷା କରି ବହୁସ୍ଵର ବିଶିଷ୍ଟ ସଙ୍ଗୀତର ମୃଦୁଧ୍ୱନି ଜଗତକୁ ଦେଇ ପାରିବନି । ସଂସାରକୁ ଶୁଣେଇ ପାରିବନି । ସେ ସ୍ଵର କୌଣସି ଶ୍ରୋତାକୁ ମୁଗ୍ଧ କରିବନି । କାହାରି ମନକୁ ଆକର୍ଷିତ କରି ପୁଲକିତ କରିବନି ।

 

ଝରଝର ଲୁହଝରି ପଡ଼ୁଚି ଆଖିରୁ । ଆଖିର ବନ୍ଧ ଅତିକ୍ରମ କରି ଉଛୁଳି ପଡ଼ୁଛି ଅଶ୍ରୁର ମହାସାଗର । ଆଜି ସେ ମହାସାଗରର ଅତଳ ଗର୍ଭରେ ଡୁବି ଡୁବି ଯାଉଛନ୍ତି ବିକାଶ । କ୍ରମଶଃ ହଜି ହଜି ଯାଉଛି ତାଙ୍କର ସତ୍ତା । କ୍ଷଣକ ଭିତରେ ସେ ସତ୍ତାର ଇୟତ୍ତା ଆଉ ରହିବ ନାହିଁ । ଏଇ ସମୁଦ୍ରର ବାଲି ବେଳାରେ ପୋତି ହୋଇ, ଅତଳ ଜଳରେ ବୁଡ଼ିଯାଇ ଅନନ୍ତ କାଳପାଇଁ ବିଲୀନ ହୋଇଯିବ ।

 

ସିତାରଟାକୁ କାନ୍ଥରୁ ଟାଣି ଆଣି ବାଆଁ କାନ୍ଧରେ ଝୁଲାଇ ଦେଲେ ବିକାଶ । କେତେ ଖଣ୍ଡି ଲୁଗାପଟା, ଯାବତୀୟ ଦରକାର ଉପକରଣକୁ ଏକାଠି କରି ବ୍ୟାଗ୍ ଭିତରେ ରଖିନେଲେ । କାନ୍ଥର ଚତୁର୍ଦ୍ଦିଗକୁ ଘରର ଚତୁର୍କୋଣକୁ ଦୃଷ୍ଟିନିକ୍ଷେପ କରି ଚକ୍ଷୁଡୋଳାକୁ ବୁଲେଇ ଆଣି ଗୋଟିଏ ସ୍ଥାନରେ କିଛି ସମୟପାଇଁ ଦୃଷ୍ଟିକୁ ଆବଦ୍ଧ କରି ରଖିଲେ । ସେ ହେଲା ଦୀପାନ୍ୱିତା ଓ ବିକାଶ ଜୀବନର ଗୋଟାଏ ସ୍ମୃତି । ଯାହାକୁ ନେଇ ବିକାଶ ବଞ୍ଚିବେ ଶେଷ ଜୀବନ ପର୍ଯ୍ୟନ୍ତ । ସେ ହେଲା ବିକାଶ ଆଉ ଦୀପାନ୍ୱିତାଙ୍କ ଫଟୋ । କେଉଁ ଏକ ସ୍ଵପ୍ନିଳ ମୁହୂର୍ତ୍ତରେ ଉଭୟେ ମିଶି ଏଇ ଫଟୋ ନେଇଥିଲେ ।

 

କାନ୍ଥ ପାଖକୁ ନିବିଡ଼ ଭାବରେ ଲାଗିଗଲେ ବିକାଶ । ଆହୁରି ନିବିଡ଼ ଭାବରେ ଲାଗିଯିବାକୁ ଇଚ୍ଛା ହେଉଛି ତାଙ୍କର । ସେ ଫଟୋର କାଚ ଫଟାଇ ଦୀପାନ୍ୱିତା ସହିତ ମିଶିଯିବାକୁ ଇଚ୍ଛା ହେଉଛି !

 

ଫଟୋଟା ସତରେ କେଡ଼େ ରୋମାଣ୍ଟିକ୍ ହୋଇଚି ! ବିକାଶ ସିତାର ଚାଳନ ଭଙ୍ଗୀରେ ସିତାରକୁ ଧରି ଦୀପାନ୍ୱିତାକୁ ଚାହିଁଛନ୍ତି ଆଉ ଦୀପାନ୍ୱିତା ବିକାଶ କୋଳରେ ମଥାରଖି ବିକାଶଙ୍କୁ ପ୍ରଣୟ ମୁଗ୍ଧ ଚାହାଣିରେ ଅନାଇ ରହିଚି । ଫଟୋ ଉଠାଇଛନ୍ତି ଲତିକା ଭାଉଜ ।

 

ନେଗେଟିଭ୍‍କୁ ଧୋଇ ଆଣି ଲତିକା ଭାଉଜ ଯେଉଁ ଦିନ ଏ’ ଫଟୋକୁ ବିକାଶ ଆଉ ଦୀପାନ୍ୱିତାଙ୍କୁ ଉପହାର ଦେଇଥିଲେ ସେ ଦିନ କୌତୁହଳରେ ଗୋଟିଏ ପ୍ରଶ୍ନ ପଚିରି ଥିଲେ ସେ । କହିଥିଲେ ବିକାଶ ଆଉ ଦୀପା, ଉଭୟ ତମର ମତବ୍ୟକ୍ତ କରିବ କୌଣସି ଲଜ୍ଜା, ସଂକୋଚକୁ ମନରେ ସ୍ଥାନ ନଦେଇ । ଉତ୍ତରରେ ପରିପ୍ରକାଶରେ କୌଣସି ଦ୍ୱିଧାବୋଧ କରିବ ନାହିଁ । କେବଳ କହିବ, ଏ’ ଫଟୋକୁ ଦେଖି ତମ ମନରେ କି’ ପ୍ରକାର ଧାରଣା ବୋଧ ହେଉଛି ? ଉଭୟେ ସ୍ୱତନ୍ତ୍ର ଭାବରେ ମତବ୍ୟକ୍ତ କର ।

 

ଈଷତ୍ ହାସ୍ୟ ରୋଳରେ ନିର୍ଜନ ବେଳାଭୂମିକୁ ମୁଖରିତ କରି ପ୍ରଥମେ ଦୀପା କହିଥିଲା, ଭାଉଜ, ତମ ମନରେ କ’ଣ ସୃଷ୍ଟି ହେଉଚି, ତମେ ପ୍ରଥମେ ପ୍ରକାଶ କର । ପରେ ଆମଠୁ ଶୁଣିବ । ତମେ ତ ଏହାକୁ ନିଜେ ସୃଷ୍ଟି କରିଚ ନା !

 

ଲତିକା ସାଧାରଣ ହସ ଫୁଟାଇ କହିଲେ, ମୁଁ ଏହାକୁ ସୃଷ୍ଟି କରି ଥିଲେବି ମୁଖ୍ୟତଃ ଭୂମିକାରେ ଅଭିନୟ କରିଛ ତମେ ଆଉ ବିକାଶ । ତମ ନିଜ ଅଭିନୟରେ ତମେ କେମିତି ମୁଗ୍ଧ ହେଉଛ, କ’ଣ ଅନୁଭବ କରୁଛ, ତା’ର ସୂକ୍ଷ୍ମାନୁଭୂତି ମୁଁ ଚାହୁଁଛି । ତମେ ଅନ୍ୟଥା ନ ବିଚାରି ପରିପ୍ରକାଶ କର ।

 

ଦୀପାନ୍ୱିତା କହିଥିଲା, ଭାଉଜ, ମୋର ମନେ ହେଉଛି, ଏ’ ଛବି ଦୁଇଟି ମୋର ଆଉ ବିକାଶଙ୍କର ନୁହେଁ । ଇଏ ହେଉଛି ଅତୀତ ପୃଷ୍ଠା ଭିତରେ ଶୁଆଇ ଦେଇ ଆସିଥିବା ସେଇ କୋଣାର୍କ କିମ୍ବା ଅଜନ୍ତା ଶିଳ୍ପକଳାର ଦୁଇଟି ଲାସ୍ୟ ଜୀବନ୍ତ ଛବି, ଯେଉଁଟାକୁ କି କୌଣସି ଶିଳ୍ପୀ ଚୌର୍ଯ୍ୟବୃତ୍ତି କରି ଏଠିକି ନେଇ ଆସିଛି ।

 

ଲତିକା ହସିଥିଲେ । କହିଥିଲେ, ତମର ମନ୍ତବ୍ୟ ଅତି ଚମତ୍କାର ଦୀପା । ସେଇ କୋଣାର୍କ ଆଉ ଅଜନ୍ତାର ଚାରୁକଳା ପରି ତମର ମନ୍ତବ୍ୟ ଏହିପରି ଦୀର୍ଘଜୀବୀ ଆଉ ଚିରସ୍ଥାୟୀ ହେଉ । ଶହ ଶହ ବର୍ଷ ବିତି ଯାଇଥିଲେବି ଆଜି କୋଣାର୍କ ଆଉ ଅଜନ୍ତାର କାବ୍ୟକଳା ସେମିତି ଶାଶ୍ୱତ, ଅକ୍ଷୁଣ୍ଣ ରହିଛି ।

 

ଚିରୋନ୍ନତ ରହିଚି ତା’ର ପ୍ରତି ଶିଳାଖଣ୍ଡର ପ୍ରସ୍ତର ପ୍ରତିମା । ସେଇ ନିହଣ, ମୁଗୁରର ଅକ୍ଷତ ଖୋଦେଇ ହସ୍ତଲିପି ଆକାରରେ ଯେମିତି ଅନାହତ, ପରାହତ ରହିଛି ! ତମ ଉଭୟଙ୍କ ଅନୁରାଗର ଅନାବିଳତା ଏଇଭଳି ସ୍ଵଚ୍ଛ ଶୁଦ୍ଧ ହୋଇ ରହିବ ତ ଚିରକାଳ ?

Unknown

 

କି' ଆତ୍ମପ୍ରତ୍ୟୟତାର ଦୃଢ଼ୀଭୂତ ସ୍ୱର ସମ୍ମିଳିତ ଭାବରେ ଦୀପାନ୍ୱିତାର କଣ୍ଠରେ ଦେଖା ଦେଇଥିଲା ସେଦିନ !

 

ନିଶ୍ଚୟ ଭାଉଜ ! ଆମ ସ୍ନେହ ପ୍ରେମର ଅନାବିଳତା ଯୁଗଯୁଗାନ୍ତର ପାଇଁ । ତାକୁ କେବେ ଜାଣିଶୁଣି ଆମେ ହତ୍ୟା କରିବୁ ନାହିଁ । ସବୁ ଦୁର୍ଯୋଗ ଓ ଦୁର୍ଦ୍ଦିନର ହିଂସ୍ର ପଶୁକୁ ହତ୍ୟା କରି କଣ୍ଟକିତ ଜଙ୍ଗଲକୁ ପରିଷ୍କାର କରି କରି ଆମେ ଚାଲିବୁହିଁ ଚାଲିବୁ । ସେଥିରେ କେହି ଆମକୁ ପ୍ରତିରୋଧ କରି ପାରିବେ ନାହିଁ । କେହି ଆମ ବାଧାବିଘ୍ନର ଶତ୍ରୁ ହୋଇ ଠିଆ ହୋଇ ପାରିବେ ନାହିଁ । ଗୋଟାଏ ବାକ୍ୟକୁ ଏକନିଃଶ୍ଵାସରେ ଶେଷ କରି କିଛି ସମୟପାଇଁ ନୀରବୋକ୍ତି ସ୍ଵୀକାର କଲା ଦୀପାନ୍ୱିତା ।

 

ବଡ଼ ଉତ୍କଣ୍ଠାର ସହିତ ଉଭୟଙ୍କ କଥାଗୁଡ଼ାକୁ ପିଇ ଯାଉଥିଲେ ବିକାଶ । ଜମାଣିଆ ଆଳାପରେ ସରୁ ସୂତା ଖିଅଟା ଅକସ୍ମାତ୍ ଛିଣ୍ଡି ଗଲା ଯେପରି କି ଆଧୁନିକ ଯୁଗର ସିଲାଇ ମେସିନ୍‌ରୁ ସୂତାଗୁଡ଼ାକ ଛିଣ୍ଡିଯାଏ !

 

ଲତିକା ଏଥର ବିକାଶଙ୍କ ଉଦ୍ଦେଶ୍ୟରେ ମୁହାଁଇଲେ । କହିଲେ ବିକାଶବାବୁ, ତମେ ତମର କଥାକହ । ତମକୁ କେମିତି ମନେ ହେଉଛି, ଏ’ ଫଟୋ ଖଣ୍ଡିକ ?

 

ବିକାଶ ହସିଲେ । ଖୁବ୍ ଭାବଗର୍ଭକ ହସ । ସାରଗର୍ଭକ ବହୁ ଗୁରୁତ୍ୱପୂର୍ଣ୍ଣ ବିଶ୍ଳେଷଣମାନ ସେ ହସ ଉପରେ ଯେମିତି ମିଶି ରହିଛି !

 

ଜୀବନ ସମ୍ପର୍କରେ ବିଶ୍ଳେଷଣ କରୁଥିବା ବହୁ ତତ୍ତ୍ୱବିତ୍‍ମାନେ ସେକଥା ବୁଝିଲେ ବୁଝି ପାରିବେ ! ଦର୍ଶନ ଅଧ୍ୟାପିକା ଦୀପାନ୍ୱିତା ଏ’ ସମ୍ପର୍କରେ ବେଶ୍ ଠଉରେଇ ବୁଝି ନେଇଥିଲା । ଯେପରିକି ଦର୍ଶନଶାସ୍ତ୍ର ଭିତରେ ଏ’ ସାରା ପୃଥିବୀଟା ଲୁଚି ରହିଛି । ସମଗ୍ର ସଂସାର ଦର୍ଶନର ଇଙ୍ଗିତ ଅନୁସାରେ ପରିଚାଳିତ ହେଉଚି !

 

ଦୀପାର ଏ’ ଅନୁମାନକୁ ହୃଦୟଙ୍ଗମ କରି ହସକୁ ସାମାନ୍ୟ ଅସ୍ପଷ୍ଟ କରି ବିକାଶ କହିଲେ, ଏ’ ଫଟୋକୁ ଦେଖି ମୋର ଅନେକ କିଛି ମନେ ହେଉଚି ! ଭାଉଜ ! କିନ୍ତୁ ସବୁ ଯେ କଳ୍ପନା, ଉଦ୍ଭଟ ଚିନ୍ତା ଆଉ ଭାବପ୍ରବଣତା । ମୋର ମନେ ହେଉଚି, ଏ’ କିଛି ନୁହେଁ; କେବଳ କେଉଁ ଚିତ୍ରନାଟ୍ୟ ଜଗତର ଦୁଇଟି ଅଭିନୟକାରୀଙ୍କ ଚିତ୍ତ ଆକର୍ଷଣକାରୀ, ମନୋହରଣକାରୀ ସୂକ୍ଷ୍ମ ଅଭିନୟ ।

 

ଲତିକା କହିଲେ ବିକାଶବାବୁ, ପ୍ରତ୍ୟେକ ମଣିଷର ଜନ୍ମ ତ ଅଭିନୟ ପାଇଁ । କିନ୍ତୁ ଯିଏ ଅଭିନୟ ମାଧ୍ୟମରେ ବାସ୍ତବ କଳାକୁ ପରଷି ଦିଏ, ସେ ହେଉଚି ପ୍ରକୃତ କଳାକାର । କଳାର ବାସ୍ତବ ସାଧକ ସାଧିକା ହେଉଚନ୍ତି ସେଇମାନେ; ଯେଉଁମାନେ କି କଳ୍ପନା, ଉଦ୍ଭଟ ଚିନ୍ତା, ଭାବପ୍ରବଣତା ଭିତରୁ ବାସ୍ତବ ସତ୍ୟକୁ ଜନ୍ମ ଦିଅନ୍ତି ।

 

ଦିଅନ୍ତି ଏ' ପୃଥିବୀକୁ ନୂତନ ଆଲୋକ । ସେଇ ସତ୍ୟକୁ ପ୍ରକଟିତ କରିଚ ତମେ । ବାସ୍ତବ ରୂପରେ ରୂପ ଦେବବି ତମେ । ବର୍ଷିୟାନ ଚିନ୍ତାଧାରାର ମନୋବୃତ୍ତିରେ ଜନ୍ମଜନ୍ତାନ୍ତର ପାଇଁ ତମ ପ୍ରେମକୁ ଶାଶ୍ଵତ ଚିରନ୍ତନ କରି ଉଦ୍ଭାସିତ କରିବ ସମାଜକୁ । ଯେଉଁ ସମାଜ ଆଜି ତମକୁ ପରିହାସ କରୁଚି । ଉପହାସର ତୀକ୍ଷ୍ଣ ଶାଣିତ ଛୁରିକାରେ ତମର ଉକ୍ତିକୁ ଖଣ୍ଡବିଖଣ୍ଡିତ କରି କାଟି ପକାଉଛି । ତାକୁ ତମେ ଜଣାଇ ଦେବ, ଦେଖାଇଦେବ, ଶିଖାଇ ଦେବ ଯେ, ତମମାନଙ୍କ ରକ୍ତାକ୍ତ ଶରୀରବି କେମିତି ଅନାବିଳ, ଶୁଦ୍ଧ ପୂତ ଭାବରେ ସମାଜକୁ ଆତ୍ମୀୟତା ଅନୁରାଗ ଆଉ ପ୍ରେମ ଦୁଗ୍ଧର ଫେନିଳ ମହାସମୁଦ୍ର ମଧ୍ୟରେ ଭସାଇ ନେଇପାରେ !

 

ବିକାଶ ଛଳନାର ପ୍ରତିବାଦ କରି କହିଲେ, ଯଦି ଆମେ ନିଜେ ସେ ଫେନିଳ ମହାସମୁଦ୍ର ମଧ୍ୟରେ ଭାସିଯାଉ !

 

ନା ବିକାଶବାବୁ, ଦୃଢ଼ ଆତ୍ମପ୍ରତ୍ୟୟତା ଥିଲେ ମଣିଷ କେବେହେଲେ ଭାସି ଯିବନି । କେବେହେଲେ ପଥଭ୍ରଷ୍ଟ, ଲକ୍ଷ୍ୟଚ୍ୟୁତ ହେବନି ।

 

ବିକାଶ ସମ୍ମତ ହେଲେ ନାହିଁ । କହିଲେ ଭାଉଜ, ଏ ତମର ଅଧ୍ୟାପିକା ଜୀବନର ପାଠ୍ୟକ୍ରମର ବିଷୟବସ୍ତୁ ହୋଇପାରେ । ଏ ବାସ୍ତବ ଜୀବନ ପ୍ରତି ପ୍ରଜୁଯ୍ୟ ନୁହେଁ ଟିକିଏ ହେଲେ ।

 

ଲତିକା ବିକାଶଙ୍କ କଥାରେ ସେଦିନ ସନ୍ତୁଷ୍ଟ ହୋଇ ନଥିଲେ । ଆଜି କିନ୍ତୁ ସେ ସମ୍ପୂର୍ଣ୍ଣ ମାନି ନେଇଛନ୍ତି । ପୂରାପୂରି ବଦଳି ଯାଇଛନ୍ତି । ଦୃଢ଼ ପ୍ରତ୍ୟୟତା ଥାଇ ମଧ୍ୟ ମଣିଷ ଅନେକ ସମୟରେ ପଥଭ୍ରଷ୍ଟ, ଲକ୍ଷ୍ୟଚ୍ୟୁତ ହୋଇଯାଏ । ଆଜି ଲତିକା ବିକାଶକୁ ବୁଝାଉଛନ୍ତି, ଦୀପାର ପ୍ରତ୍ୟାଖ୍ୟାନ ପରେବି ପୁନର୍ବିବାହ କରିବାକୁ ।

 

ଏଇ କିଛିଦିନ ତଳେ ଲତିକା ଆସିଥିଲେ ବିକାଶ ପାଖକୁ । କହିଲେ ବିକାଶ, ମଣିଷ ତା’ର ଜୀବନରେ ବହୁ ସୁସମୟ ଆଉ ଦୁଃସମୟକୁ ଅତିକ୍ରମ କରି ଚାଲେ । ଚାଲିବାକୁ ପଡ଼େ ତାକୁ-। ମୁଁ ତମ ଜୀବନର ସୁସମୟ ଭିତରେ ଦେଖା ହୋଇଥିଲି ଏବଂ ସୁଯୋଗ ଭିତରେ ତମର ସହଯାତ୍ରୀ ହୋଇଥିଲି ।

 

ମାତ୍ର ଦୀପାନ୍ୱିତାର କେବଳ ସୁସମୟ, ସୁଯୋଗ ଭିତରେ ସାଥୀ ହୋଇ ନଥିଲି । ତା’ର ବହୁ ଦୁର୍ଯୋଗ, ଦୁଃସମୟ ଭିତରେବି ମୁଁ ଜଣେ ସହକର୍ମିଣୀ, ସହପାଠିନୀ ଭାବରେ ଏକାନ୍ତ ଅନୁରକ୍ତି ସହିତ ଚାଲିଥିଲି । ଯଦିଓ ଦୀପାନ୍ୱିତା ଓ ମୋ’ ମଧ୍ୟରେ ବୟସର ବହୁ ତାରତମ୍ୟ ଥିଲା । ବହୁ ବ୍ୟବଧାନ ଥିଲା !

 

ଦୀପାନ୍ୱିତା ଯଦିଓ ଥିଲା ମୋ’ ଠାରୁ ବୟସରେ ବହୁ ସାନ । ତଥାପି ସେ ତା’ର ଏକାନ୍ତ ଗୋପନ କଥା ମୋ’ ଆଗରେହିଁ ବ୍ୟକ୍ତ କରୁଥିଲା କେବଳ । ମୋ’ ବିବାହ ପୂର୍ବରୁ ଏଇ ଉଚ୍ଛଳ ତଟିନୀର, ନିର୍ଜନ ବେଳାଭୂମିର ସିକତା ଶଯ୍ୟାରେ ବହୁ ସକାଳ, ସନ୍ଧ୍ୟା ଆମେ କାଟିଥିଲୁ । ଯେତେବେଳେ ସେ ତମ ସଂସ୍ପର୍ଶରେ ଆସିଲା, ଯେଉଁଦିନ ତମ ଲୁହର ଅଗ୍ନିକଣାରେ ନିଜକୁ ଉତ୍ତପ୍ତ କରାଇ ଏଇ ବାଲି ଉପରେ ଏକାନ୍ତ ଅନୁରକ୍ତିର ସହିତ ବିଶ୍ରାମ ଚାହିଁଲା, ସେଦିନ ସେ ମୁହୂର୍ତ୍ତରେ ମୋ’ ମନର ବେଳାଭୂମି ଉପରେ କେତେ ଆତ୍ମ ସନ୍ତୋଷ, ଆତ୍ମତୃପ୍ତିର ଲହରୀ ଉତ୍‌ଥିତ ହୋଇ ଏଇ ବାଲିରେ ଭିଜି ଯାଇଥିଲା, ସେ କଥା ଏଇ ବାଲିହିଁ ଜାଣେ !

 

ସେ ତମରିପାଇଁ କେବଳ କାନ୍ଦିଲାହିଁ କାନ୍ଦିଲା । ଆଖିର ଲୁହ ଥପ୍ ଥପ୍ କରି ପକାଇ ଏ’ ନଦୀ ଭିତରେ ସମୁଦ୍ର ସୃଷ୍ଟିକଲା । ସୃଷ୍ଟିକଲା ବହୁଆବେଗ, ଭାବପ୍ରବଣତା । ସୃଷ୍ଟିକଲା ବହୁ ଉତ୍‌କ୍ଷିପ୍ତତା, ଉନ୍ମାଦନା । ଯୋଉ ସମାଜ ତମ ଭଳି ଶିଳ୍ପୀକୁ ସମ୍ମାନ ଦେଇ ଜାଣେନା, ସେ ସମାଜରେ ତା’ ଭଳି ଶିଳ୍ପୀ ପ୍ରାଣା ମଣିଷ ରହିବାହିଁ ଉଚିତ ନୁହେଁ । ସେଇଥିଲାଗି ସେ ପରିତ୍ୟାଗ କରିଦେଲା ତା’ର ବସବାସ, ଆତ୍ମୀୟସ୍ଵଜନ, ପରିବାରବର୍ଗ, ପରିସର, ପରିବେଷ୍ଟନୀ, ପରିବେଶ ।

 

ହେଲେ ସେଦିନ ଆଜି ଆଉ ନାହିଁ ବିକାଶବାବୁ । ଅତୀରର ଛାତି ଭିତରେ ସେ ସମ୍ପୂର୍ଣ୍ଣ ନଷ୍ଟ ବିନଷ୍ଟ ହୋଇ ଯାଇଛି । କିନ୍ତୁ ଜଳି ଯାଇନାହିଁ । କୁହୁଳି କୁହୁଳି ଖାଲି ଧୂମକୁଣ୍ଡଳୀ ସୃଷ୍ଟି କରୁଛି-। ଯେଉଁ ଧୂମକୁଣ୍ଡଳୀରେ ଆଜି ଆମେମାନେ ସମସ୍ତେ ଶ୍ୱାସରୁଦ୍ଧ ହୋଇ ଚିତ୍କାର କରୁଛେ-। ସେ ଚିତ୍କାର ଯାହା ପାଖରେ ପହଞ୍ଚିବା କଥା ପହଞ୍ଚି ପାରୁନାହିଁ । ପହଞ୍ଚୁଥିଲେବି ସେ ଆଦୌ କାନ ପାତି ଶୁଣୁ ନାହିଁ । ଦୀପାନ୍ୱିତାକୁ ମୁଁ ଏ’ ସମ୍ପର୍କରେ ବହୁତ ବୁଝେଇଚି । ମୋ ମନର ସମସ୍ତ ପ୍ରଚେଷ୍ଟାର ଶ୍ରମ ନିୟୋଗ କରି ମୁଁ ତାକୁ ବାଟକୁ ଫେରାଇବାକୁ ବହୁ ଅନୁରୋଧ କରିଛି କିନ୍ତୁ ପାରିନାହିଁ ବିକାଶବାବୁ । ଆଉବି ପାରିବି ନାହିଁ । ଭାବୁଚି, ତମକୁ ଏ ସମ୍ପର୍କରେ ଗୋଟିଏ ମନ୍ତବ୍ୟ ଦେବି କିଛି ମନେ ନକରି ତମେ ଯଦି କାର୍ଯ୍ୟକାରୀ କରନ୍ତ, ତମ ଜୀବନରେ ଶାନ୍ତିର ବାୟୁ ପ୍ରବାହିତ ହେବ-। ସଙ୍ଗେସଙ୍ଗେ ମୁଁ ବି ଖୁସିର ନିଃଶ୍ୱାସ ମାରିପାରନ୍ତି । ମୁଁ ତମଲାଗି କେତେ ଅଶାନ୍ତିରେ ସମୟ କାଟୁଛି, ତମେ ବୁଝି ପାରିବନାହିଁ । କାହିଁକି କାଟୁଚି, ତା’ ନିଜେବି ମୁଁ ଜାଣେ ନାହିଁ ।

 

ମୁହଁରେ ଶୁଖିଲା ହସର କ୍ଷୀଣ ଧାରାଟିଏ ଖେଳାଇ ଲତିକା ପୁଣି କହିଲେ ବିକାଶବାବୁ, ପ୍ରତି ମୁହୂର୍ତ୍ତରେ ଏଇ ସମୁଦ୍ରରେ ଏକ ସମୟରେ କୋଟିଏ ଲହରୀ ଉଠେ । ସେ ଲହରୀ ଗୋଟି ଗୋଟି ହୋଇ ବେଳାଭୂମିର ବାଲିଦେହରେ ଭିଜି ଲୀନ ହୋଇଯାଏ । ଗଛର ଅନ୍ଧକାରରେ ଆକାଶରେ ଅନେକ ନକ୍ଷତ୍ର ଜନ୍ମ ନିଏ । ଅକସ୍ମାତ୍ ମେଘ ଘୋଟେଇ ଆସିଲେ ସେ ନକ୍ଷତ୍ର ସବୁ ମଉଳି ଯାଏଁ ଆରୋଗ୍ୟ ଲାଭ କରୁଥିବା ବସନ୍ତ ରୋଗର ମଉଳା ଘା' ଚିହ୍ନପରି । ଧରିନିଅ, ତମ ଜୀବନ ସମୁଦ୍ରର ଗୋଟିଏ ମାତ୍ର ଢେଉ ଅତୀତର ବେଳାଭୂମିରେ ଭିଜି ଲୀନ ହୋଇଗଲା । ମନେକର ତମ ଜୀବନ ଆକାଶର ଗୋଟିଏ ମାତ୍ର ନକ୍ଷତ୍ର କେଉଁ ଦୁର୍ଦ୍ଧର୍ଷ ଗ୍ରହର ଆକ୍ରମଣରେ ଖସିପଡ଼ି ଶୂନ୍ୟରେ ନିଭିଗଲା । ମାତ୍ର ତମ ଜୀବନ ସମୁଦ୍ରରେ ଆହୁରି ଅନେକ ଢେଉ ଉଠୁଚି । ସେମାନଙ୍କୁ ଠୁକୁରାଇ ବାଟଭାଙ୍ଗି ଚାଲିଯିବ କାହିଁକି ? ଢେଉର ଧର୍ମ ଉତ୍‌ଥିତ ହୋଇ ମାଟିରେ ଭିଜିଯିବା । ନକ୍ଷତ୍ରର ଧର୍ମ ବିକଶିତ ହୋଇ ଶୂନ୍ୟରେ ହଜିଯିବା । ସେ ଭିଜିଯିବା ହଜିଯିବାର ସ୍ଵପ୍ନକୁ ଯଦି ତମେ ବାସ୍ତବ ବୋଲି ମନେ କରି ସବୁଦିନ ଭାବପ୍ରବଣ ହୋଇ ବସିରହ, ତେବେ ମୁଁ କହିବି ବିକାଶବାବୁ, ତମେ ଭୁଲ୍ କରୁଛ । ମସ୍ତବଡ଼ ଭୁଲ୍‍ କରୁଛ । ସେ ପ୍ରବଣତାର ଜୁଆର ତୁମକୁ ଏମିତି ଭାବରେ ଭସାଇ ନେଉଛି ବାସ୍ତବତାର ଯେତେ ଭଟ୍ଟା ଆସୁଛି, ତମ ଜୀବନ ପ୍ରତି କିଛି ରେଖାପାତ କରିପାରୁ ନାହିଁ । ଆଉ ତମେ ସେମିତି ଭାସି ଭାସି ଚାଲି ଯାଉଛ । ଚାଲିଯିବବି ।

 

ସାମାନ୍ୟ ହସିଲେ ବିକାଶ । କହିଲେ ଭାଉଜ, ତମେ ଜଣେ କଳାପ୍ରାଣ ମଣିଷ ଭାବରେ ମୋ’ ଜୀବନ ପ୍ରତି ଏମିତି ଯଦି ସ୍ଥୂଳ ଚିନ୍ତାରେଖା ଟାଣିବ, ତେବେ କଳାକୁ କିଏ ସମ୍ମାନିତ କରିବ ଏ' ଦୁନିଆରେ ? କିଏ ବୁଝିବ ତେବେ କଳାର ମୂଲ୍ୟ ? ବିଶେଷତଃ କଳାକାରହିଁ କଳାର ମୂଲ୍ୟ ବୁଝେ । କଳାପାଇଁ କଳାକାରର ଜୀବନ । ଆଉ କଳାକାରର ଜୀବନଟା କୋଉଥିରୁ ସୃଷ୍ଟି କହିଲ ? ଏଇ ପ୍ରବଣତାରୁ, ସ୍ଵପ୍ନରୁ, ଅବାସ୍ତବତାରୁ । ମଦଭାଟି ଭିତରର କୁଶିକ୍ଷା ତମ ଜୀବନରେ କ’ଣ ଅବା ପ୍ରତିଫଳିତ କରି ପାରିବ ? ମୋର ମୂଲ୍ୟହୀନ କୁଶିକ୍ଷା ତମ ମୂଲ୍ୟବାନ ଜୀବନପାଇଁ କି’ ଶିକ୍ଷା ଦେଇପାରିବ ?

 

ଲତିକା ଅସ୍ଵୀକାର କଲେ । ସେ କଥା କହନି ବିକାଶବାବୁ, ଅନ୍ଧକାରହିଁ ଆଲୋକର ଜନ୍ମଦାତା । ଆବର୍ଜନା ନଥିଲେ ଯେ ପରିଚ୍ଛନ୍ନତା ଜନ୍ମ; ନିଅନ୍ତାନି; କାହିଁକି ବିଚାରୁନାହଁ । ସମସ୍ତେ ସେଇ ଅନ୍ଧକାର ଭିତରୁ ସୃଷ୍ଟି ହୋଇ ଦୁନିଆପାଇଁ ଆଲୋକ ଜଳାଇ ଚାଲନ୍ତି । ରାତିର ଅନ୍ଧକାର ଭିତରୁ ଧ୍ରୁବତାରାର ଜନ୍ମ ଆଉ ଅନ୍ଧକାରକୁହିଁ ଦୂରେଇ ରଖିବାପାଇଁ ସେ ଅହରହ ସଂଗ୍ରାମ କରି ଚାଲେ । ମୁଁ ମାନୁଚି, କଳାକାରର ସୃଷ୍ଟି ଓ ଜନ୍ମ କଳ୍ପନା ସ୍ଵପ୍ନ ଆଉ କଳା ମାଧ୍ୟମରୁ । ତଥାପି ଶହେ ଭାଗରୁ ଭାଗେ ବାସ୍ତବତା ନଥିଲେ ସେ ବଞ୍ଚିବ କେମିତି ? ଏ’ ପାର୍ଥିବ ସଂସାର ଭିତରେ ଚାଲିବାକୁ ସକ୍ଷମ ହେବ କେମିତି ? ବାସ୍ତବତା ପାର୍ଥିବ ସଂସାରର ଆଶାବାଡ଼ି ସମାନ ପରା !

 

ତମର ଯଦି ଏ’ ବାସ୍ତବତା ଟିକକ ନଥିଲା ତେବେ ତମେ କାହିଁକି ପ୍ରେମ କରୁଥିଲ ? ଆଜି ପ୍ରେମରେ ବିଫଳ ହେବାପରେ ନିଜକୁ ସମ୍ପୂର୍ଣ୍ଣ ଦୋଷମୁକ୍ତ କରି ଅନ୍ୟକୁ ଦୋଷଯୁକ୍ତ କରାଉଚ-? ତମ ପ୍ରେମପାଇଁ ଦୀପାନ୍ୱିତାହିଁ କ’ଣ କେବଳ ଏକା ଦାୟୀ ହୋଇପାରେ ? ଦୋଷୀ ହୋଇପାରେ ? ତମେ କିଛିମାତ୍ରାରେବି ଦୋଷୀ ନୁହ ? ତମେ ପୂରାପୂରି ନିର୍ଦ୍ଦୋଷ ? ବେଶ୍ ତ ସୂକ୍ଷ୍ମ ଅଭିନୟ କରି ପାରୁଛ ।

 

ବ୍ୟଙ୍ଗୋକ୍ତିର ସାମାନ୍ୟ ସ୍ଥୂଳ ହସ ଫୁଟାଇ କହିଲେ ଲତିକା ।

 

ଦୀପାନ୍ୱିତା ଯେତେବେଳେ ପ୍ରଥମ ପ୍ରେମ ନିବେଦନ କଲା ତମ ନିକଟରେ ତା’ ତରଫରୁ, ସେତେବେଳେ ତମେ ତ ବେଶ୍ ସୁନ୍ଦର ଭାବରେ ଠୁକୁରାଇ ପାରିଥାଆନ୍ତ ବିକାଶବାବୁ ? କାହିଁକି ପାରିଲ ନାହିଁ ?

 

ଓଃ, ବୁଝିଲି । ସେତେବେଳେ ତମେ ପ୍ରେମକୁ ତମର ଗଭୀର ସମ୍ମାନ ଦେଉଥିଲା ପରା-! ଦୀପାନ୍ୱିତା ପାଇଁ ସେତେବେଳେ ଭରି ରହିଥିଲା ତମ ମନରେ ଅଜସ୍ର ଦରଦ । ସ୍ୱେଦ, ଲୁହ, ରକ୍ତ ଏକତ୍ର ମିଶ୍ରିତ ହୋଇ ପ୍ରାଣତଳେ ସର୍ଜନା କରିଥିଲେ ତ୍ରିବେଣୀ ସଙ୍ଗମ । ସେ ତ୍ରିବେଣୀ ସଙ୍ଗମ ତମର କେତୋଟି ଆଶା, ଆକାଂକ୍ଷା, ଅଭୀପ୍ସାର ଧାର ସୃଷ୍ଟି କରିଥିଲେ । ସେ ଦରଦ, ଆଶା, ଆକାଂକ୍ଷା ମରିଯାଇଛି । ସେ ଅଭୀପ୍ସା, କାମନା ହଜି ଯାଇଛି ।

 

ଦୀପାନ୍ୱିତା ଆଜି ତମ ଜୀବନରେ ସ୍ଵପ୍ନ ଆଉ ସ୍ମୃତିର ଆଲେଖ୍ୟ ଭାବରେ ଠିଆ ହୋଇଚି । ତମର ପରିଚିତା ହୋଇବି ଅପରିଚିତା ଭଳି ଦୁନିଆ ଦାଣ୍ଡରେ ତମକୁ ମୁହଁ ଆଡ଼େଇ ଚାଲି ଯାଉଚି । ତମେ ଏ’ ସବୁ ସହିପାରୁନାହଁ-। ତା’ର ବଦନାମ କରିବାକୁ ଚେଷ୍ଟା କରୁଛ । ତା’ର ସ୍ୱର୍ଗମୁଖୀ ଜୀବନକୁ ଯନ୍ତ୍ରଣାମୁଖୀ ନର୍କ ଭିତରକୁ ଠେଲିବାକୁ ଚେଷ୍ଟା କରୁଛ । ଗତକାଲିର ଅନାବିଳ ପ୍ରେମକୁ ଆଜି ଆବିଳ ଲାଳସାରେ ପରିବର୍ତ୍ତନ କରିବାକୁ ଇଚ୍ଛା କରୁଛ । ସତ କହିବ ବିକାଶବାବୁ, ତମର ସମସ୍ତ ସ୍ଵପ୍ନ ଆଉ ଭାବପ୍ରବଣତା ଭିତରେ କ’ଣ ଟିକିଏ ହେଲେ ବାସ୍ତବତା ନଥିଲା ? ସବୁ ସୁଚିନ୍ତା ମାଧ୍ୟମରେ ସାମାନ୍ୟ ଅନୁଚିନ୍ତା କେବେ ଦିନେ ଫୁଟି ଉଠି ନଥିଲା ? ତମେ ଭାବପ୍ରବଣତା ଭିତରେ ବଞ୍ଚିବି ସଂସାର ଗଢ଼ିବାକୁ କେବେ ଇଚ୍ଛା କରି ନଥିଲ ?

 

ସଂସାର ଗଢ଼ିବା ପ୍ରତ୍ୟେକ ଗାର୍ହସ୍ଥ୍ୟ ମଣିଷର ଧର୍ମ । ଗାର୍ହସ୍ଥ୍ୟ ଧର୍ମ ଭିତରେ ଭାବପ୍ରବଣତା ନଥାଏ । ପୂର୍ଣ୍ଣ ବାସ୍ତବତାହିଁ ଥାଏ । ତମେ ସେ ବାସ୍ତବତା ଭିତରକୁ କ’ଣ କେବେ ପଶିବାପାଇଁ ଇଚ୍ଛା କରି ନଥିଲ ? ଯଦି ଇଚ୍ଛା କରି ନଥିଲ ଆଜି କାହିଁକି ଇଚ୍ଛା କରୁଛ ?

 

ଆଜି କାହିଁକି ସଂସାର ଗଢ଼ିବାର ଏତେ ପ୍ରବଳ ଆକାଂକ୍ଷା ଜନ୍ମ ନେଇଚି ତମ ମନରେ-? ଆଜି କାହିଁକି ତମ ମାନସ ପ୍ରୀତି ରୂପ ବଦଳାଇ ଦେହଜପ୍ରୀତି ଆକାରରେ ଆତ୍ମପ୍ରକାଶ କରିଛି-? କହି ପାରିବ ? ଉତ୍ତର ଦେଇ ପାରିବ ?

 

ତମେ ପାରିବ ନାହିଁ ବିକାଶ । ତମେ କାମୁକ, ଲମ୍ପଟ, ଚରିତ୍ରହୀନ ଗୋଟାଏ ଝିଅର ଦେହକୁ କେମିତି ଖେଳନା ଭାବରେ ଖେଳି ହୁଏ, ସେ କଥା ତମ କଳାକାର ଗୋଷ୍ଠୀହିଁ ଭଲ ଜାଣେ-। କଳାର ନାଆଁରେ ବ୍ୟଭିଚାର ସୃଷ୍ଟି କରିବାକୁ ତମମାନଙ୍କୁ ଖୁବ୍ କମ୍ ସମୟ ଲାଗେ-

 

ନାହିଁ ବିକାଶବାବୁ, ଝିଅର ଦେହଟା ସତରେ ଗୋଟାଏ ଖେଳିବାର ଖେଳନା ବୋଲି, ମନେକରନାହିଁ । ରକ୍ତମାଂସର ଶରୀର ସୃଷ୍ଟ ନାରୀ ଗୋଟିଏ ଉପନ୍ୟାସର କପୋଳକଳ୍ପିତ ଚରିତ୍ର ବୋଲି ବିଚାର ନାହିଁ, ତମ ଯନ୍ତ୍ରଚାଳିତ ସିତାରର ସେ ଏକ ସୂକ୍ଷ୍ମ ତାର । ଯିଏ କି ଅଙ୍ଗୁଳି ଚାଳନାରେ ରାଗିଣୀ ସୃଷ୍ଟି କରି ବାଜି ଉଠିବ ! ନାଚି ଉଠିବ ! ବିକାଶ ଉତ୍ତେଜିତ ହୋଇ ଉଠିଲେ ।

 

ଅନେକ ଅଯଥା କଥା କହିଲଣି ଭାଉଜ, । ସଂଯମର ସୀମା ଅତିକ୍ରମ କରି ଅନେକ ଦୂରକୁ ଚାଲିଗଲଣି । ତମେବି ଭାବନାହିଁ, ବିକାଶର ଜୀବନ ଏ’ ସୃଷ୍ଟିର ଧୂଳିକଣାଠାରୁ ମୂଲ୍ୟହୀନ । ଗଣିକା ହାରର ଶସ୍ତା ପ୍ରେମ ସଙ୍ଗେ ମୋ’ ପ୍ରେମକୁ ତୁଳନା କରି ମୋ’ ଶୁଦ୍ଧ, ପୂତ ଚିନ୍ତାର ଅବସାନ ଘଟାଅ ନାହିଁ ।

 

ତମେ ମିଛରେ କେବଳ ଉତ୍ତେଜିତ ହେଉଚ ବିକାଶବାବୁ । ମୁଁ ବି ଦିନେ ପ୍ରେମ କରିଥିଲି । ପ୍ରେମର ଯନ୍ତ୍ରଣା ମୁଁ ବି ଏକଦା ଅନୁଭବ କରିଥିଲି, ତାହା କେତେ ମର୍ମାନ୍ତିକ ଆଉ ଦୁଃଖଦ ! ତା’ ବୋଲି ପ୍ରେମରେ କାତର ହୋଇ, ଭାବବିହ୍ୱଳ ହୋଇ, ସାରା ଜୀବନକୁ ନଷ୍ଟ କରିଦେବା ସାର୍ଥକ ପ୍ରେମିକର ପରିଚୟ ନୁହେଁ । ଯିଏ ପ୍ରେମ କରେ, ସେ ପ୍ରେମର ମାଧୁର୍ଯ୍ୟକୁ ଯେମିତି ଆନନ୍ଦରେ ଉପଭୋଗ କରିନିଏ, ସେମିତି ପ୍ରେମର ବିଚ୍ଛେଦକୁବି ଧୈର୍ଯ୍ୟର ସହିତ ଗ୍ରହଣ କରିଯିବା ଦରକାର । ତମେ ମୋ’ କଥାକୁ ଗ୍ରହଣ କର । ଦୀପାନ୍ୱିତା ଅତୀରର କୋଣ, ଅନୁକୋଣ ଭିତରେ ତମ ଦେହ, ମନର ପ୍ରତ୍ୟେକ ସ୍ତର ମଧ୍ୟରେ ପ୍ରେମିକା ଭାବରେ ଠିଆ ରହି ତମ ପ୍ରେମର ସ୍ମୃତି ଓ ସ୍ମୃତିକୁ ଉଜ୍ଜୀବିତ କରୁଥାଉ । ତମେ କିନ୍ତୁ ଭାଙ୍ଗି ନଯାଇ ଆଗର ଦେହ, ମନ ବଳ, ଦମ୍ଭ ନେଇ ଆଗେଇ ଯାଅ । ଭାଙ୍ଗି ପଡ଼ିଲେ ତମେ ଆଉ ଚାଲି ପାରିବ ନାହିଁ । ଏ’ ଦୁନିଆର ପ୍ରତ୍ୟେକ ପରୀକ୍ଷାରେ ଅସଫଳ ହୋଇ ପଡ଼ିବ ତମେ । ଅବନତ ହୋଇଯିବ ତମ ଉନ୍ନତ ଚିନ୍ତାଧାରା । ପ୍ରତ୍ୟେକ କ୍ଷେତ୍ରରେ ତମେ ହାରିଯିବ । ଦୁଶ୍ଚିନ୍ତାର କୀଟଦ୍ରଷ୍ଟ ଜୀବାଣୁମାନେ ଟିକିନିଖି କରି ତମ ଦେହ ମନକୁ କାଟି କାଟି କ୍ଷତବିକ୍ଷତ କରି ଖାଇଯିବେ । ସେତେବେଳକୁ ତମେ ହୁଏତ ଆରୋଗ୍ୟ ହେବାକୁ ଇଚ୍ଛା କରିବ । ଦୀପାନ୍ୱିତାର ଛାଇ, ଅତୀତ ପ୍ରଣୟର ଭୂତ ତମ ମନରୁ ବାହାରି ଅନ୍ୟତ୍ର ବସାବାନ୍ଧିବା ପାଇଁ ଚାଲି ଯାଇଥିବ । ସେତେବେଳେ ତମେ କିନ୍ତୁ ଆଉ ପାରିବ ନାହିଁ ବିକାଶବାବୁ, ସେତେବେଳେ ସେ କ୍ଷତବିକ୍ଷତ ଦେହ, ପ୍ରାଣ ନେଇ ତମେ ବଞ୍ଚିବାର ଆଶ୍ରାପାଇଁ ଇତଃସ୍ତତଃ ଭାବରେ ଘୂରି ବୁଲିବ କେବଳ । କୁହ, ସେତେବେଳେ ତମେ ବଞ୍ଚି ପାରିବ ତ ? ବଞ୍ଚି ପାରିବନି ବିକାଶବାବୁ । ସବୁକଥା ଛାଡ଼ି ଥରେ ଭାବିଲ ଦେଖି, ଦୀପାନ୍ୱିତା ଯିଏ ତମକୁ ତା’ ପ୍ରାଣଠାରୁବଳି ଅଧିକ ଭଲ ପାଉଥିଲା, ତା’ ପ୍ରେମର ଜଳଧିରେ, ଦେହର ଡଙ୍ଗାରେ ବସାଇ ସାରା ପୃଥିବୀର ଜଳରାଶି ଅତିକ୍ରାନ୍ତ କରାଇଥିଲା, ସେ’ତ ବାଟ ଭାଙ୍ଗି ଚାଲିଯାଇ ପାରିଲା । ତମେ କାହିଁକି ପାରିବ ନାହିଁ ?

 

ବିକାଶବାବୁ, ତମେ ଭୁଲିଯାଉଚ ଭାବପ୍ରବଣତାରେ, ତମେ ପୁରୁଷ ବୋଲି । ପୁରୁଷୋଚିତ ଧୈର୍ଯ୍ୟ ତମ ଶରୀରର ରକ୍ତ, ମାଂସ ଲୋମକୂପର ପ୍ରତି ଅଣୁ ପରମାଣୁରେ ଭରି ରହିଚି । ପୁରୁଷୋଚିତ ସାହସ ତମ ବାହୁର ବଳରେ ଆଖିର ଜ୍ୟୋତି, ଦୀପ୍ତିରେ ପୂରି ରହିଚି । ତମେ ନାରୀଠାରୁ ଯଥେଷ୍ଟ ଯଥେଷ୍ଟ ଗୁଣରେ ଧୈର୍ଯ୍ୟବାନ, ସ୍ଥିତିବାନ୍ ଆଉ ଶକ୍ତିବାନ ।

 

ତମ ଲୋମର ଲଟାରେ, ବାହୁର ଡାଳରେ ଲଟେଇ, ଗୁଡ଼େଇ ହୋଇ ନାରୀ ଯେ ସାହସ, ଧୈର୍ଯ୍ୟ ଆଉ ଆଶ୍ରାପାଏ ତମ ଅଙ୍ଗୁଳିର ଟିପରେ ନାରୀର ଆଖି ଲୁହ ପୋଛି ତାକୁ ସାନ୍ତ୍ୱନା ଦେଲା ଭଳି ଅମାପଶକ୍ତି ଭରି ରହିଛି, ତମେ ଥରେ ପରୀକ୍ଷା କରି ଦେଖ । ତମେ ଯଦି ଗୋଟାଏ ନାରୀ ଭଳି ଅଜସ୍ର ଲୁହ ଖର୍ଚ୍ଚ କରି ସବୁବେଳେ କେବଳ କାନ୍ଦିବହିଁ କାନ୍ଦିବ, ତେବେ ତମର ଲୁହ ପୋଛି ଦେବାକୁ କେହି ଆଗେଇ ଆସିବେ ନାହିଁ । ବରଂ ଉପହାସ, ପରିହାସର ଅଗ୍ନି ଝୁଲ ତମ ଉପରକୁ ଫିଙ୍ଗିବାକୁ ଚେଷ୍ଟା କରିବେ ସମସ୍ତେ । ତମକୁ କହିବେ ଭୀରୁ, ଦୁର୍ବଳ, କାପୁରୁଷ-। କାରଣ ତମେ ପୁରୁଷ ହୋଇବି ପୁରୁଷ ମନର କାଣିଚାଏ ସବଳତା ତୁମଠାରେ ନାହିଁ ।

 

ତମେ ପୁରୁଷ ବିକାଶବାବୁ ! ନାରୀ ମନର ଦୁର୍ବଳତା ତୁମ ମନରେ ନାହିଁ । ନାରୀମନର ଦୁର୍ବଳତାକୁ, କାପୁରୁଷତାକୁ ସ୍ଵୀକାର କରିବା ଉଚିତ ନୁହେଁ । କିନ୍ତୁ ତମେ ଯେ ପାରିବ ନାହିଁ, ମୁଁ ଭଲଭାବରେ ଜାଣେ । ଗୋଟାଏ ନାରୀମନର ଦୁର୍ବଳତା ନୁହେଁ କୋଟିଏ ନାରୀମନର ଅଜସ୍ର ଦୁର୍ବଳତା ତମ ପ୍ରତ୍ୟେକ ଅସ୍ଥି, ମଜ୍ଜାର ପ୍ରତ୍ୟେକ ସ୍ତରରେ ମିଶି ରହଛି ।

 

ବିକାଶ ଅସ୍ତବ୍ୟସ୍ତ ହୋଇ ବିରକ୍ତିକର କଣ୍ଠରେ କହିଲେ ଭାଉଜ, ତମର ସମସ୍ତ ଯୁକ୍ତି, ତମର ସମସ୍ତ ଆଦେଶ, ଅନୁରୋଧ ଆଜି ମୂଲ୍ୟହୀନ । ମୁଁ ତମର କୌଣସି ଆଦେଶ ଆଜି ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ । ଗ୍ରହଣ କରିବାର ଅବସ୍ଥାଠାରୁ ମୁଁ ଆଜି ବହୁତ ଦୂରକୁ ଚାଲିଯାଇଛି । ତେଣୁ ମତେ ତମେ ଆଉ ବାରମ୍ବାର ବୁଝାଇ ବ୍ୟତିବ୍ୟସ୍ତ କରାଅ ନାହିଁ ।

 

ଲତିକା ଅକସ୍ମାତ୍ ନିଶ୍ଚୁପ୍ ହୋଇଗଲେ । ବୋଧହୁଏ ବିକାଶଙ୍କ କଥାରେ ଆଘାତ ପାଇଲେ ସେ । କହିଲେ ବିକାଶବାବୁ, ମୁଁ ତେବେ ଆସେ । ଯେତେବେଳେ କିଛି ଆବଶ୍ୟକ ପଡ଼ୁଥିବ, ସେତେବେଳେ ମୋ ଘରକୁ ଚାଲିଯାଉଥିବ । ମୋ’ ଘର ତମପାଇଁ ସବୁଦିନ ଖୋଲା । ମତେ ଅକାରଣରେ ଭୁଲ୍ ବୁଝିବ ନାହିଁ ।

ଲତିକା ଉଠିବାକୁ ଆରମ୍ଭ କଲେ ।

ବିକାଶବି ମ୍ରିୟମାଣ ବୋଧ କଲେ ସେ ଉତ୍ତେଜନାରେ କହି ଦେଇଥିବା କଥା କେତେ ପଦ ଲାଗି । କହିଲେ ଭାଉଜ, ମନଦୁଃଖ କଲ ? ମୋ’ ଉପରେ ରାଗିଲ ? ମୁଁ ବୁଝୁଚି ତମର ଯୁକ୍ତିକୁ । ମୁଁ ମାନୁଚି ତମର ଅପ୍ରିୟ ସତ୍ୟକୁ ହେଲେ କ’ଣ କରିବି କହିଲ, ମୋ’ ମନ ଯେ ସେ କଥା ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ । ଦୀପାନ୍ୱିତା ଯେମିତି ଭାବରେ ମତେ ବେଦନା ଜର୍ଜରିତ କରିଯାଇଛି, ତାହା ଆଦୌ ସହଣୀୟ ନୁହେଁ । ମୁଁ ବର୍ତ୍ତମାନ ପଙ୍ଗୁ, ନିର୍ଜୀବ ଭାବରେ, ରାସ୍ତାର ଭିକ୍ଷୁକ ସମାନ ବୁଲୁଚି । କେହି ନ ଜାଣିଲେବି ତମେ ଆଉ ଦୀପାନ୍ୱିତା ଭଲ ଭାବରେ ଜାଣ, ମୋର ପରିଚୟ, ସ୍ଥିତି ସ୍ଥାୟୀତ୍ଵ ଏ ଦୁନିଆରେ କେତେ ! ମୋର ମୂଳଦୁଆ କେମିତି ଭାବରେ ପଡ଼ିଥିଲା, ସେ ସମ୍ପର୍କରେବି ତମେମାନେ ଅନଭିଜ୍ଞା ନୁହ । ୟା’ ସତ୍ତ୍ୱେବି ଦୀପାନ୍ୱିତା ଯେମିତି ମୋ’ ସାଙ୍ଗରେ ଖେଳି ଖେଳି ଚାଲିଗଲା, ସେଥିପାଇଁ ସେ ଦାୟୀ ନୁହ ବୋଲି ତମେ ଯେତେବେଳେ ମତ ପ୍ରକାଶ କରୁଛ, ସେତେବେଳେ ମୁଁ ଆଉ କିଛି କହିବାପାଇଁ ନାଚାର ।

ଲତିକା ଆଉ କିଛି କହିଲେ ନାହିଁ । ବୋଧହୁଏ ବିକାଶଙ୍କ କଥାର ମର୍ମାନୁବାଦ ବୁଝିବାକୁ ମନେମନେ ଚେଷ୍ଟା କରୁଥିଲେ ! ବିକାଶ କହିଲେ ଭାଉଜ, ଦୁନିଆଟାଯାକର ରାଗ ତ ମୋ’ ଉପରେ ଠୁଳ ହୋଇ ପଡ଼ିଚି । ତମ ରାଗ ସେଥିରୁ ବାଦ୍‌ଯାଆନ୍ତା କେମିତି ?

 

ଲତିକା ସ୍ନେହସିକ୍ତ ଗଳାରେ ଉତ୍ତର ଦେଲେ, ତମେ ତ ଆଜି ଯାଏଁ ମତେ ବୁଝି ପାରିଲନି ବିକାଶ, ଆଉ କାହାକୁ କହିବି ? ମୁଁ ଶୁଣୁଥିଲି, ଲୋକଚରିତ ବୁଝିବାରେ ତମେ କୁଆଡ଼େ ଖୁବ୍ ଧୁରନ୍ଧର ବୋଲି । କାଇଁ, ତା’ର ସୂଚନା ତ କିଛି ମୁଁ ପାଇଲିନି ତମଠାରୁ ?

 

ବିକାଶ କହିଲେ ଭାଉଜ, ମୁଁ ତମକୁ ବେଶ୍ ଜାଣିଛି । ଲୋକଚରିତ ବୁଝିବାରେ ମୁଁ ଯଦିଓ ଏତେଟା ଦକ୍ଷନୁହେଁ, ତେବେ ସବୁବେଳେ ବୁଝିବାକୁ ଚେଷ୍ଟା କରି ଆସିଛି ।

 

ଲତିକା କହିଲେ, ମତେ ବୁଝିବାରେ ଆହୁରି ତମର କିଛି କିଛି ତ୍ରୁଟି ରହିଯାଉଛି । ତେଣୁ ପ୍ରଥମେ ଭଲଭାବରେ ମତେ ବୁଝ । ପରେ ମୋ’ କଥାକୁ ବୁଝିବାକୁ ଚେଷ୍ଟା କରିବ । ଆଉ ଚାରିଦିନ ରହିଲା ଦୀପାର ବାହାଘର । ନିମନ୍ତ୍ରଣ ପାଇଚ । ରକ୍ଷା କରିବ ତ ?

 

ବିକାଶଙ୍କ ସଜଳ ଆଖି ଅଶ୍ରୁ ଛଳଛଳ ହୋଇ ଉଠିଲା । ଶ୍ରାବଣୀ ବନ୍ୟା ସଦୃଶ ଚିତ୍କାର କରି ଅଶ୍ରୁ ରାଶି ଦୁଇ ଗଣ୍ଡ ଦେଶର କୂଳ ଲଙ୍ଘନ କରି ଓଷ୍ଠ ତୀରକୁ ସ୍ପର୍ଶ କଲା । ଅଶ୍ରୁ ବନ୍ୟାର ଆତଙ୍କରେ ଔଷ୍ଠ୍ୟତୀର ପ୍ରକମ୍ପିତ ହୋଇ ଉଠିଲା । ବାଲ୍ୟ ଚପଳ କଣ୍ଠରେ ଆତ୍ମୀୟତା ଫୁଟାଇ କୋହ ବିଜଡ଼ିତ ଗଳାରେ ସେ କହିଲେ, ଭାଉଜ, ମୋ’ ଦୀପାର ବିବାହ ଉତ୍ସବରେ ମୁଁ ଯୋଗ ଦେବି ନାହିଁ ତ ଦେବ କିଏ ?

 

ଲତିକା ହସିଲେ । ଥତି ବେଦନାବୋଧ ହସ । ସେ ହସରେ ବିକାଶଙ୍କ ପ୍ରତି ପରୋକ୍ଷରେ କେତେକଅଣ ନିର୍ଦ୍ଦେଶ ଆଉ ଉପଦେଶ ଅଜାଡ଼ି ଦେଇ ଯାଉଥିଲେ । ସେ ଯିବାବେଳେ ବିକାଶ ଅନୁରୋଧ କରିଥିଲେ ଭାଉଜ, ମୋର ଗୋଟିଏ ଅନୁରୋଧ ରଖି ପାରିବ ?

ଲତିକା କହିଲେ ବିକାଶ, ଅନୁରୋଧ କାହିଁକି, ଦ୍ୱିଧାହୀନ ଭାବରେ ଆଦେଶ କରିପାର-। ମୁଁ ତମର ଭାଉଜ ବିକାଶ । ମୁଁ ତମର ଭାଉଜ !

ବିକାଶ କହିଲେ, ସେ ଅନୁରୋଧ ମୁଁ ତମ ନିକଟକୁ ଯାଇ କରିବି । ଆଗରୁ କେବଳ ସମ୍ମତିଟା ମାଗି ରଖୁଛି ।

ଲତିକା ଚାଲି ଯାଇଥିଲେ । ସେ ଦିନଠୁ ସେ ଆଉ ଆସି ନାହାଁନ୍ତି । ତିନିଦିନ ଏ’ ଭିତରେ ବିତିଗଲାଣି । ଆଜି ନିର୍ଜନତାର ଶେଷ ଦିନ ବିତେଇ ସେ ବି ଚିରଦିନ ଲାଗି ଚାଲିଯିବେ ଏଠୁ ।

ଆଗାମୀ କାଲି ଦୀପାର ବାହାଘର । ଲତିକା ଭାଉଜ ନିମନ୍ତ୍ରଣ କରି ଯାଇଛନ୍ତି । କଥା ଦେଇଛନ୍ତି ସିଏ, ତାଙ୍କୁ ଯିବାକୁ ହେବ । ସତରେ କ’ଣ ସେ ଯାଇ ପାରିବେ ? ବିବାହୋତ୍ସବରେ ଯୋଗ ଦେଇ ପାରିବେ ? ଛାତିକୁ ପଥର କରି, ନିଜକୁ ମୂକ, ପାଷାଣ, ବଧିର କରି, ଆପଣା ପ୍ରେମିକାର ଉତ୍ସର୍ଗ ଦିବସ ପାଳନ କରି ପାରିବେ ? ଯୋଉ ପ୍ରଶସ୍ତ ଛାତି ଉପରେ ଦୀପାନ୍ୱିତାକୁ ଜାବୁଡ଼ି ଧରି ଦିନେ କୋଟି ଇନ୍ଦ୍ରଧନୁର ସ୍ଵପ୍ନ ଆଙ୍କି ଥିଲେ, ସେ ଇନ୍ଦ୍ରଧନୁକୁ ମନର ଆକାଶରୁ ସାରା ଦିନପାଇଁ ପୋଛି ଦେଇ ପାରିବେ ?

ଏକଥା ଚିନ୍ତାକରି ବେଳକୁ ବେଳ ଅବୁଝା ହୋଇ ଉଠିଲେ ବିକାଶ ।

ଛାଇ ନେଉଟି ଆସୁଛି । ଖରାର ତେଜ କମୁଛି କ୍ରମେ କ୍ରମେ । ଝାଉଁ ବଣ ସୁଉ ସୁଉ ଗର୍ଜୁଛି । ଉତ୍ତାଳ ତରଙ୍ଗ ଉଦ୍ଦାମ ସଙ୍ଗୀତ ଗାଇ ଗାଇ ଉତ୍‌ଫୁଲ୍ଲତାର ହସ ହସୁଛି ।

 

ଓଠକୁ ଓଠରେ ଚାପି ଧରି ଲୁହ ନିଗାଡ଼ି ଉଠିଲେ ବିକାଶ । ଏମିତି ଅନେକ ଅତୀତ କାହାଣୀ ଜୀବନ କାବ୍ୟର ପୃଷ୍ଠା ଭିତରେ ସ୍ମୃତିର କଥା ହୋଇ ଲେଖା ରହିଯାଏ । ଅଙ୍ଗେ ନିଭେଇ ନଥିଲେ ବୁଝି ହୁଏ ନାହିଁ । ବୁଝିହୁଏ ନାହିଁ ସେ ଜ୍ୱଳନର ମର୍ମଦାହୀ ଯନ୍ତ୍ରଣା । ଏ’ ସଂସାରର କେହି ବୁଝିପାରନ୍ତି ନାହିଁ ସେ କଥା । କେହି ବିଶ୍ଳେଷଣ କରି ପାରନ୍ତିନାହିଁ ସେ ଅବୋଧ୍ୟ ଚରିତ୍ର ଓ ଇତିହାସ । ସମୟ ଅନ୍ଧକାରର କାନ୍ଥ ଉପରେ ସ୍ମୃତିର ମାଟି ରୂପରେ ବୋଳା ହୋଇ ସେ ସବୁଦିନ ରହିଯାଏ !

 

ଆଗକୁ ବଢ଼ିଲେ ବିକାଶ । ସମୁଦ୍ର, ଝାଉଁ ବଣ, ବାଲିବନ୍ଧ ସବୁ ପଛରେ ରହିଯାଉଛନ୍ତି । ଦିନାକେତେଟାର ଅସଫଳ ସ୍ଵପ୍ନଗୁଡ଼ାକବି ସମୁଦ୍ରର ଜୁଆର ଝାଉଁ ବଣର ପତ୍ର ଓ ଫଳ, ବାଲିବନ୍ଧ ବେଳାଭୂମିର ବାଲି ଭିତରେ ଶୋଇ ରହି ଚିତ୍କାର କରୁଛନ୍ତି ! କହୁଛନ୍ତି ବିକାଶ, ତମେ ଆମକୁ ଛାଡ଼ି ଯାଅନାହିଁ ସାଙ୍ଗରେ ଆମକୁ ନେଇଯାଅ । ତମ ବିନା ଆମେ ନିଃସଙ୍ଗ, ନିଃସହାୟ ହୋଇଯିବୁ । ଆମକଥା କେହି ବୁଝିବେ ନାହିଁ ।

 

କିନ୍ତୁ ବିକାଶ ସେମାନଙ୍କ କଥା ଶୁଣି ନାହାଁନ୍ତି । ସେମାନେ ଏମିତି ଚିତ୍କାର କରି କରି ଶେଷରେ ନିକଟ ଶ୍ମଶାନ ଓ ଗିର୍ଜା ଭିତରେ ଆତ୍ମହତ୍ୟା କରିବେ ।

 

ଭାବପ୍ରବଣତା ଓ ଅନ୍ୟମନସ୍କତାରେ ବିଭୋର ହୋଇ କିଛି ମୁହୂର୍ତ୍ତ ଠିଆ ରହି ପଛକୁ ଫେରି ଚାହିଁଲେ ବିକାଶ । ଅସଂଖ୍ୟ ତାରାର ଜୁଳୁଜୁଳିଆ ପୋକ ଅନ୍ଧକାରର ଆକାଶରେ ଉଡ଼ି ବୁଲୁଥିଲେ ।

 

ରାତ୍ରି ଠିକ୍ ଗୋଟାଏ ବହୁଦୂରର ବୃଦ୍ଧ ନିଃସହାୟ ବାଟୋଇ ପରି ମାଡ଼ି ଆସୁଥିଲା ।

 

ଶିଳ୍ପୀ ପ୍ରାଣର ସୂକ୍ଷ୍ମ ତନ୍ତ୍ରୀରେ ଯେଉଁ ଆବେଗ ଓ ଭାବପ୍ରବଣତା ସୃଷ୍ଟି ହୁଏ, ତାହା ଶିଳ୍ପୀ ବ୍ୟତୀତ ଅନ୍ୟ କେହି ବୁଝି ପାରନ୍ତି ନାହିଁ । ସେଇ ଭାବପ୍ରବଣତା, ଆବେଗ ଦୀପାନ୍ୱିତା ବୁଝିପାରିଲା ନାହିଁ ବୋଲିହିଁ ବିକାଶଙ୍କୁ ପ୍ରତ୍ୟାଖ୍ୟାନ କରି ଚାଲିଗଲା !

 

ବିକାଶ ଏକଥା ଭାବି ଭାବି ସହର ରାସ୍ତାରେ ଚାଲିଥିଲେ । ଅକସ୍ମାତ୍ କ’ଣ ମନେ କରି ଅଟକି ଗଲେ ଗୋଟିଏ ଜାଗାରେ । ନଜର ପଡ଼ିଲା ଠିଆ ହୋଇଥିବା ଜାଗାର ସାମନା ଦୋକାନ ଆଡ଼କୁ । ଏ ତାଙ୍କର ବହୁ ଦିନର ପରିଚିତ ଦୋକାନ । ମାସ ମାସ, ବର୍ଷ ବର୍ଷ ଧରି ଏଇ ଦୋକାନରୁ ସେ ଦୀପାପାଇଁ ଶଙ୍ଖା, ସିନ୍ଦୂର, କଜ୍ଜଳ ଫରୁଆ, ମଲ୍ଲୀ, ମାଳତିଫୁଲର ହାର କିଣିଛନ୍ତି । କିଣିଛନ୍ତି ଅନେକ ଛୋଟ, ବଡ଼ ଜିନିଷ ଏଇ ହରିଶଙ୍କର ଦୋକାନରୁ ।

 

ସେଇ ହରିଶଙ୍କର ଚାହିଁଛି । କ’ଣ ବିଚାରି ମୁରୁକି ହସୁଛିବି । କାମିଜ ପକେଟ୍‌ରେ ହାତମାରି ବିକାଶ ଦେଖିଲେ ଗୋଟିଏ ପଇସାବି ନାହିଁ । ସବୁ ସରି ଯାଇଛି । କ’ଣ କରିବେ ତେବେ ? ଦୀପାନ୍ୱିତା ପାଇଁ ଶଙ୍ଖା, ସିନ୍ଦୂର କିଣା ବନ୍ଦ ହେବ ଆଜି ? ହରିଶଙ୍କର ସହିତ ବହୁଦିନର ସମ୍ପର୍କଟାବି ସବୁ ସମ୍ପର୍କ ଭଳି ଆଜି ତୁଟିଯିବ ?

 

ହରିଶଙ୍କର ଉଦ୍‌ବେଳିତ ନୟନରେ ଚାହିଁଛି । ସେଥିଲାଗି ବିକାଶ ଅଟକି ଯାଇଛନ୍ତି । ସବୁ ପାସୋରି ଯାଇଛନ୍ତି ବିକାଶ, ଶଙ୍ଖା, ସିନ୍ଦୂର କିଣା ହରିଶଙ୍କରର ଛୋଟିଆ ଦୋକାନକୁ ପାସୋରି ପାରି ନାହାଁନ୍ତି । ଏତେ ନିର୍ଯାତନା, ଏତେ ଦୁଃଖ, ଯନ୍ତ୍ରଣା ପରେବି ହରିଶଙ୍କରର ଛୋଟିଆ ଦୋକାନ ତାଙ୍କୁ ଟାଣି ଆଣିଛି ପୁଣି । ଦୀପାନ୍ୱିତାର ରାଶି ରାଶି ନିଃଶ୍ଵାସ, ପ୍ରଶ୍ଵାସ ଏଇ ଦୋକାନର ପ୍ରତି ଶଙ୍ଖା ସିନ୍ଦୂରର ରୁଣୁଝୁଣୁ ଶବ୍ଦ ଓ ବାସ୍ନାତଳେ ଯେମିତି ଭରି ରହିଛି ମନେ କରୁଛନ୍ତି ବିକାଶ ।

 

ଯେତେ ଚେଷ୍ଟା କଲେବି ପାସୋରି ପାରୁନାହାଁନ୍ତି । ଅତୀରର ଲୌହ ସିନ୍ଦୁକ ଭିତରେ ମନର ତାଲାକୁ ଖୁବ୍ ଶକ୍ତଭାବରେ ପକାଇ ସଯତ୍ନରେ ଅତି ଗୁପ୍ତ ଭାବରେ ସାଇତି ରଖିଚନ୍ତି ସେ । ଆଜି ସେଇ ସ୍ମୃତିଗୁଡ଼ାକ ସିନ୍ଦୁକକୁ ଧକ୍କା ମାରି ମନର ତାଲାକୁ ଫିଟାଇ ବାହାରକୁ ବାହାରି ଆସିବାକୁ ବାରମ୍ବାର ଚେଷ୍ଟା କରୁଛି । କହୁଛି ବିକାଶ, ଆମମାନଙ୍କର ସ୍ୱାଧିନତା ଦିଅ । କାହିଁକି ଆମକୁ ପରାଧୀନତାର ବିଶୃଙ୍ଖଳ ବେଡ଼ି ପିନ୍ଧାଇ ରଖିଛ ? କାହିଁକି ଆମକୁ ନିବିଡ଼ ଅନ୍ଧକାରାଚ୍ଛନ୍ନ କାରାଗାର ଭିତରେ ବନ୍ଦକରି ରଖିଛ ? ଆମକୁ ଆଲୋକ ଦିଅ ! ଆମକୁ ସ୍ଵାଧୀନତା ଦିଅ ! ଆମକୁ ମୁକ୍ତି ଦିଅ !

 

ମନର ଆବେଗ କିଛି ପରିମାଣରେ ପୁଣି କମି ଆସିଲା ଅଭିମାନର ମେଘଟା ଘୁମେଇଁ ଉଠିବାରୁ । ଦୀପାନ୍ୱିତା ପାଇଁ ସେ ଆଉ କାହିଁକି ଶଙ୍ଖା, ସିନ୍ଦୂର କିଣିବେ ? ଦୀପାନ୍ୱିତା ଯେ ଅନେକ ଦିନ ହେଲା ଆଉ ତାଙ୍କର ହୋଇ ନାହିଁ । ସେ ପୂରାପୂରି ଅନ୍ୟର ହୋଇ ଯାଇଛି, ନିହାତି ଅନ୍ୟର । ଯେତେବେଳେ ସେ ତାଙ୍କର ହୋଇଥିଲା, ସେ ହୁଏତ ସେତେବେଳେ ତା’ପାଇଁ କିଣୁଥିଲେ । ସେ କିଣିବାରେ ତାଙ୍କର ଥିଲା ଯଥେଷ୍ଟ ଉତ୍ସାହ, ଉଦ୍ଦୀପନା, ଆଗ୍ରହ । ଆଜି ସେ ଉତ୍ସାହ, ଉଦ୍ଦୀପନା, ଆକସ୍ମିକ ଭାବରେ ଆତ୍ମହତ୍ୟା କରିଛି । ସେ ଆଗ୍ରହ ବାଲିର ସେତୁବନ୍ଧ ଭିତରେ ବାନ୍ଧି ହୋଇ ଶୋଇ ଯାଇଛି । ସେ ମୃତ, ଉତ୍ସାହ, ଉଦ୍ଦୀପନାକୁ ପୁଣିଥରେ ଜନ୍ମ ଦେବାକୁ ବିକାଶ କାହିଁକି ଚେଷ୍ଟା କରୁଛନ୍ତି ? ସମାଧିସ୍ଥ ଆଗ୍ରହଗୁଡ଼ିକୁ ଏକତ୍ର ସମାବେଶ କରି ପୁଣି ନୂତନ ରୂପ ଦେବାକୁ କାହିଁକି ଇଚ୍ଛା କରୁଛନ୍ତି ? କାହିଁକି ଏଥିପାଇଁ ତାଙ୍କର ପ୍ରବଳ ଆକାଂକ୍ଷା ? ସେ ନିଜେବି ବୁଝିପାରୁ ନାହାଁନ୍ତି । କାହିଁକି ? କୋଉଥିପାଇଁ ?

 

ବିସ୍ମରି ଯାଇଛନ୍ତି ବିକାଶ ? କ’ଣ କହିଥିଲେ ଦୀପାନ୍ୱିତାକୁ ସେ ? ଦୀପାନ୍ୱିତାକୁ ସେ କଥା ଦେଇଥିଲେ । ଶପଥ କରିଥିଲେ । ଦୀପାନ୍ୱିତା ତାଙ୍କୁ ପଛେ ପ୍ରତ୍ୟାଖ୍ୟାନ କରି ଚାଲିଯାଉ, ସମସ୍ତ, ମୋହ, ମମତା, ତ୍ୟାଗ ତୁଟେଇ ଅତୀତର ସମସ୍ତ ସ୍ନେହ, ପ୍ରେମକୁ ପ୍ରବଞ୍ଚନାର ଅଗ୍ନିରେ ଜଳେଇ ଦେଇ, ଦୀପାନ୍ୱିତାକୁ ସେ କେବେ ପରିବର୍ତ୍ତିତ ଚକ୍ଷୁରେ ଦେଖିବେ ନାହିଁ । ପରିତ୍ୟାଗ କରିବେ ନାହିଁ । ପ୍ରତ୍ୟାଖ୍ୟାନ କରିବେ ନାହିଁ । ଦୀପାନ୍ୱିତା ସବୁଦିନ ପାଇଁ ଅନ୍ୟର ହୋଇ ଚାଲିଗଲା ପରେବି ସେ ତାକୁ ଜନ୍ମ ଜନ୍ମ ଧରି ଅପେକ୍ଷା କରିବେହିଁ କରିବେ । ଦୀପାନ୍ୱିତାର ଦେହ, ମନ ଜନ୍ମ ଜନ୍ମପାଇଁ ଯେ ତାଙ୍କର । ତାଙ୍କରହିଁ ହୋଇ ରହିବ ।

 

ପୁଣି ବିଚାରିଲେ ସେ ଯାହା ଭାବୁଛନ୍ତି, ମୋହଗ୍ରସ୍ତତା ନୁହେଁ ତ ? ଯାହାକି ସବୁଦିନ ପାଇଁ ରହେ ନାହିଁ । ନିଜର ଉତ୍ତରରେ ନିଜେ ସାନ୍ତ୍ୱନା ପାଇଲେ–ନା, ଏ’ ମୋହଗ୍ରସ୍ତତା ନୁହେଁ । ସତ୍ୟ । ନିହାତି ସତ୍ୟ ।

 

ତେବେ ଦୀପାନ୍ୱିତା ପାଇଁ ସେ ଶଙ୍ଖା, ସିନ୍ଦୂର କିଣିବେ ? କିଣିବେ ତାଙ୍କର ଅପିପାସିତ ଆତ୍ମାର ଦୁଇଟି ସ୍ମୃତି ପଦାର୍ଥକୁ ? ଖରିଦ କରି ନେବେ ତାଙ୍କ ଅତୀତ ନୀରବ ସାକ୍ଷୀ ଦୁଇଙ୍କୁ, ଯିଏ କି ତାଙ୍କ ଜୀବନ ଦରଜାର ବାଟ ଫିଟାଇ ଥିଲେ ଅନାହୂତ ଭାବରେ । ଆଜି ବିପରୀତମୁଖୀ ହୋଇ ଆପଣାର ଧର୍ମ ରକ୍ଷାକରି ସେ ତାଙ୍କର କରଜ ଶୁଝୁଛନ୍ତି । ଆପଣାର ଋଣକୁ ପ୍ରତ୍ୟାବର୍ତ୍ତନ କରାଉଛନ୍ତି ।

 

ବିକାଶ ଆଗେଇଲେ ହରିଶଙ୍କର ଆଡ଼କୁ । କାନ୍ଧରେ ଝୁଲୁଚି କନାମୁଣା ଆଉ ସିତାରଟି-! ଟିକିଏ ଚିନ୍ତା କରି ଭାବିଲେ ପାଖରେ ତ କୌଣସି ମୂଲ୍ୟବାନ ଜିନିଷ ନାହିଁ, ଯାହାର ପ୍ରତି ବଦଳରେ କି ଶଙ୍ଖା, ସିନ୍ଦୂର କିଣି ପାରିବେ ସେ ! ତେବେ କେମିତି କିଣିବେ ? ବିକାଶଙ୍କ ଅନ୍ୟମନସ୍କତା ଭିତରେ ହରିଶଙ୍କର ଦି’ଥର ପଚାରି ସାରିଲାଣି, ବାବୁ କ’ଣ ଦେବି ?

 

ଶୁଣି ପାରିନାହାଁନ୍ତି ବିକାଶ । ହରିଶଙ୍କର ସାମାନ୍ୟ ଅପ୍ରତିଭ କଣ୍ଠରେ ଏକଦୀର୍ଘ ବାକ୍ୟ ଉଚ୍ଚାରଣ କରି କହିଲା, ବାବୁ, ଆଜି ତ ଦୋକାନରେ ସେମିତି କିଛି ଆକର୍ଷଣୀୟ ବସ୍ତୁନାହିଁ । ଏମିତି ହଜି ଯାଇଛନ୍ତି କାହିଁକି ? କ’ଣ ବହୁ ଦିନ ପରେ ଆସିଲେ ବୋଲି ନା କ’ଣ ? କ’ଣ ଦେବି କହୁ ନାହାଁନ୍ତି ?

 

ଏତେଗୁଡ଼ିଏ ପ୍ରଶ୍ନର ଉତ୍ତର ବିକାଶ ଗୋଟିଏ ଛୋଟିଆ ବାକ୍ୟରେ ସମାପ୍ତି ଟାଣି କହିଲେ, ହଁ ।

 

କ’ଣ ହଁ, ବାବୁ, କିଛି ଦେବି ?

 

ହଁ ଦେବ ଯେ !

 

କ’ଣ ହେଲା ତେବେ ?

 

କିଛି ନାହିଁ । ତେବେ ଆଜି ଏ ସିତାରଟା ରଖି ମତେ କିଛି ଜିନିଷ ଦେବ ?

 

ହରିଶଙ୍କର ମୁରୁକି ହସିଲା । କହିଲା, କ’ଣ ଅଚିହ୍ନା ଲୋକ ହୋଇଛନ୍ତି ଏଇ କିଛିଟା ଟଙ୍କାପାଇଁ ବନ୍ଧାରଖି ଜିନିଷ ଦେବି ? ଆଜି କାହିଁକି ଏମିତି କହିଲେ ? କୋଉଦିନ ଆପଣଙ୍କୁ ମନା କରିଛି କୋଉ ଜିନିଷ ଦେବାପାଇଁ ?

 

ନା, ସେ କଥା ମୁଁ କହୁନାହିଁ । ମତେ ଭୁଲ୍ ବୁଝନାହିଁ । ତମେ ତ ଜାଣ, ମୁଁ କେବେ କରଜ କରେ ନାହିଁ । କରଜ କରିବାର ପକ୍ଷପାତୀ ମୁଁ ନୁହେଁ । ସେଥିଲାଗି ତମେ ମୋ’ ସିତାର ବଦଳରେ ମତେ କିଛିଟା ଜିନିଷ ଦିଅ !

 

ହରିଶଙ୍କର କହିଲା, ଏମିତି ଖାଲିରେ ନେଇ ପରେ ପଇସା ଦେଲେ ଚଳିବ ନାହିଁ ?

 

ବିକାଶ କହିଲେ, ସେ କ’ଣ କରଜ ହେଲାନି ହରିଶଙ୍କର, ମୁଁ ପରା ମନା କଲି ଥରେ, କରଜ ନାମା ଉଠାଇବ ନାହିଁ ବୋଲି ! ସେମିତି ଭଲ ଲାଗିବ ନାହିଁ ମତେ । ତମେ ସିତାରଟା ରଖ-। କିଛି ଜିନିଷ ଦିଅ ।

 

ହରିଶଙ୍କର ଆହୁରି ବିସ୍ମିତ ହୋଇଉଠିଲା । ଅନେକ ମଣିଷ ଦେଖିଛି ଆଜ୍ଞା ହେଲେ ଆପଣଙ୍କ ପରି ମଣିଷ ଦେଖିନାହିଁ । ବହୁଆଡ଼ୁ ବୁଲିବୁଲି ଆସି ଶେଷରେ କିଛିବର୍ଷ ହେଲା ଏଇଠି ବସାବାନ୍ଧିଛି ହେଲେ ଏତେ ଅଭିଜ୍ଞତା ଭିତରେ ଏ’ ଅଭିଜ୍ଞତାଟି ମୋର କମ୍‌ଥିଲା । ଆପଣ ଯାହା ବୁଝିଥିବେ ସେଇଆ କାହିଁକି କହୁଚି କି ବାବୁ, ଏମିତି ବ୍ୟବସାୟ କରିକରି ବହୁ ସ୍ଥାନରେ କ୍ଷତିଗ୍ରସ୍ତ ହୋଇ ଫେରିଲି । ଯୋଉ ବାବୁମାନେ ମୋ’ଠୁ କରଜ ନେଇଥିଲେ, ସେମାନେ ଏମିତି ଯଦି ଖଣ୍ଡିଏ ଖଣ୍ଡିଏ ଜିନିଷ ଦେଇ ଯାଇ ଥାଆନ୍ତେ ନା, ମୁଁ ସେ ଜିନିଷଗୁଡ଼ାକୁ ନେଇ ଗୋଟାଏ ବଡ଼ ଦୋକାନ ବସେଇ ସାରନ୍ତିଣି । ହେଲେ ଆପଣଙ୍କ ଭଳି ସେମାନେ ନିର୍ବୁଦ୍ଧିଆ ନଥିଲେ ବାବୁ, ସେମାନେ ଥିଲେ ଭାରି ଚାଲାକ । ସେଇ ଚାଲାଇ ଓଷଦ ସେମାନେ ମତେ ଖୁଆଇ ଖୁଆଇ ନିପଟ ଓଲୁ ମତେ ବନାଇ ଦେଲେ । ଶେଷରେ ନିପଟ ଓଲୁହୋଇ ଏଠିକି ଆସୁ ଆସୁ ଆପଣଙ୍କ ପରି ନିର୍ବୁଦ୍ଧିଆ ଲୋକଟାଏବି ସାଙ୍ଗ ହେବାକୁ ମତେ ମିଳିଗଲା । ଆଉ ମୋର ଦୁଃଖ ଚିନ୍ତା କ’ଣ ? ଏମିତି ଆଉ କେତେ ଜଣ ଓଲୁ ମିଶିଗଲେ ନା ଆମେ ପୁଣି ସେ ଚାଲାକ ଲୋକଗୁଡ଼ାଙ୍କୁ ଓଲଟି ଆମ ଓଲୁ ଓଷଦ କେତେ ପାନ ଚଢ଼େଇ ଦେବାନି ? ସେମାନେ ଯିବେ କୁଆଡ଼େ ଆମ କବଳରୁ ?

 

ବିକାଶ ଜୋରରେ ହସି ଉଠିଲେ ହରିଶଙ୍କର କଥାରେ । ସେ ହସର ଉଚ୍ଛ୍ୱାସ ଉପରେ ଯେମିତି ଗୁଡ଼ାଏ ଜମାଟ ବନ୍ଧା ବେଦନା ଯକ୍ଷ୍ମା ରୋଗର ରକ୍ତ ଆଉ କଫ ସଦୃଶ ଟେଳାବାନ୍ଧି ନିଗିଡ଼ି ପଡ଼ିଲା !

 

ହରିଶଙ୍କରବି ତାଳ ମିଳେଇଲା ସେ ହସରେ । ହସୁ ହସୁ କହିଲା ବାବୁ, ଏକଦମ୍ ବଢ଼ିଆ ଧଳା ଶଙ୍ଖା ଆସିଛି, ଦେବି ?

 

ଅନ୍ଧକାର ଆକାଶର ଉଜ୍ଜ୍ୱଳ ସ୍ଵାତୀଟିଏ ପରି ବିକାଶଙ୍କ ଆଖିଦିଟା କେଉଁ ଏକ ଦିବ୍ୟଜ୍ୟୋତି ନେଇ ଝଲସି ଉଠିଲା । ଅତୀତର ସ୍ମୃତିଗୁଡ଼ାକୁ ପାଖରେ ଆସି ଛାଇ ରୂପରେ ଠିଆ ହେଲା । କହିଲା, ଆଲୁଅ, ମୁଁ ତମ ବର୍ଣ୍ଣ ଭବକୁ ପସନ୍ଦ କରେ । ସମ୍ମାନ ଦିଏ । ସଫେଦ ରଙ୍ଗହିଁ ମୋ ଜୀବନର ପାଥେୟ । ମୁଁ ସଫେଦକୁହିଁ ବେଶି ଗ୍ରହଣ କରେ । ମୋ’ ଦେହରେ ସଜେଇବାକୁ ମୁଁ ପ୍ରଥମ ଅଧିକାର ଦିଏ । ମୋ’ପାଇଁ ସଫେଦ୍, ଚୁଡ଼ି ଆଉ ଶାଢ଼ି ଦରକାର ।

 

ବିକାଶ ଚିନ୍ତାରେ ଚିନ୍ତାରେ ଗଭୀର ତୀବ୍ର ହୋଇ ଉଠିଲେ । ନା, ସେ ଆଜି ସଫେଦକୁ ଅଗ୍ରାଧିକାର ଦେବେନାହିଁ । ସେ ସଫେଦକୁ ପସନ୍ଦ କରନ୍ତି ନାହିଁ । ସଫେଦହିଁ ତାଙ୍କ ଜୀବନରେ ତିମିରର ଛାଇ ଭରି ଦେଲା । ଉଜ୍ଜ୍ୱଳହିଁ ତାଙ୍କ ପ୍ରାଣରେ ଭରିଦେଲା ହା-ହୁତାଶ, ଦୁଃଖ ବେଦନା, ଗ୍ଳାନି ପୂର୍ଣ୍ଣ କାଳିମାମୟ ଅନ୍ଧକାର । ସଫେଦ ତାଙ୍କପାଇଁ ହେଲା କୃଷ୍ଣବର୍ଣ୍ଣ ଆବର୍ଜନା ପୂର୍ଣ୍ଣ ପୂତିଗନ୍ଧମୟ ନର୍କ ।

 

ନା, ସଫେଦ୍‌ ଚୁଡ଼ି ଥାଉ । ସଫେଦ୍‌ ଚୁଡ଼ି ଆବଶ୍ୟକ ନାଇଁ ଆଜି ।

 

ବିକାଶ କହିଲେ ଆବଶ୍ୟକ ନାଇଁ ? ମାନେ ? ଧଳାଚୁଡ଼ି ନେବେ ନାହିଁ ! ସବୁଦିନେ ତ ନିଅନ୍ତି ! ଧଳାଚୁଡ଼ି ତ ଆପଣଙ୍କର ଅତିପ୍ରିୟ । ଆଜି କାହିଁକି କ’ଣ ହେଲା ?

 

ହରିଶଙ୍କର କଣ୍ଠରେ ଆଶ୍ଚର୍ଯ୍ୟର ଚିହ୍ନ ।

 

ବିକାଶଙ୍କ କ୍ଷୁଦ୍ର ମୁହଁଟା ସେ ପଦିକ ପ୍ରଶ୍ନରେ ଯେମିତି ଫୁଲିଉଠୁ ଥିଲା କେଉଁ ଏକ ଆକସ୍ମିକ ଘୂର୍ଣ୍ଣିବାତ୍ୟା ଜନ୍ମର ସମ୍ଭାବନା ନେଇ । ଭାବବିହ୍ୱଳ ହୋଇ ସେ କହି ଉଠିଲେ, ସେ ଦିନ ଭିନ୍ନ ଥିଲା ହରିଶଙ୍କର । ସେଦିନ ଆଉ ଆଜି ବଦଳି ଯାଇଛି । ସେଦିନ ଦିନ ଥିଲା । ଆଜି ରାତି ହୋଇ ଯାଇଛି ।

 

ହରିଶଙ୍କର ବିକାଶଙ୍କ କଥାକୁ ବୁଝିବାକୁ ଚେଷ୍ଟା କରୁଥିଲେବି ପାରୁ ନଥିଲା । କହିଲା ସେ ସବୁ ଛାଡ଼ନ୍ତୁ ବାବୁ, କହନ୍ତୁ କି’ ଶଙ୍ଖାଦେବି ?

 

କୋହ ଜଡ଼ିତ କଣ୍ଠରେ ବିକାଶ କହିଲେ, ଆଜି ମତେ ନାଲିଶଙ୍ଖା, ନାଲି ସିନ୍ଦୂର ଦରକାର । ହଉ । ଦେଉଛି ।

 

ସିତାରଟିକୁ କାନ୍ଧରୁ ବାହାର କରି ବିକାଶ ବଢ଼େଇ ଦେଲେ ହରିଶଙ୍କର ହାତକୁ । ହରିଶଙ୍କର ସିତାରକୁ ଗୋଟାଏ କଣ୍ଟାରେ ଝୁଲାଉ ଝୁଲାଉ କହିଲା, ବାବୁ, ଏ’ ଜିନିଷ ଏମିତି ଥୁଆ ହୋଇଚି ଏଠି । ଯେତେବେଳେ ଇଚ୍ଛା କରିବେ ଆସି ନେଇଯିବେ ।

 

ବିକାଶ ପୁଣି ହସିଲେ । କହିଲେ ଆଉ ନେବାକୁ ପଡ଼ିବ ନାହିଁରେ ହରିଶଙ୍କର; ଏଠି ଏ ଏମିତି ରହିଲା ।

 

ମାନେ କ’ଣ ସବୁଦିନ ପାଇଁ ?

 

ହଁ ।

 

ନା ବାବୁ ନା । କାଳେ କୋଉ ନାଲି ପଗଡ଼ିଆ ପୁଲିସ ମତେ ଆସି ଧରିବ !

 

କେହି ଧରିବେ ନାହିଁ । ଏ’ ଜିନିଷ ତ ମୋର । ମତେ ପଚରା ହେଲେ ମୁଁ କହିବିନି, ୟା’ର ଆବଶ୍ୟକତା ମୋର ସରିଯିବାରୁ ମୁଁ ୟା’କୁ ଏଠି ବିକ୍ରି କରି ଦେଇଛି ।

 

ନା ବାଭା ନା । ଆଉ ଯଦି କିଛି ହେବ ।

 

ନା, କିଛି ହେବ ନାହିଁ । ନିର୍ଭୟରେ ରହ ତମେ ।

 

ହଉ, କହୁଛନ୍ତି ତ ରଖୁଚି । କିଛି ଯଦି ହେବ, ତାହାହେଲେ ଆପଣ ବୁଝିବେ ।

 

ହରିଶଙ୍କର ଜିନିଷତକ ବିକାଶଙ୍କୁ ଦେଉ ଦେଉ କହିଲା । ବିକାଶ କହିଲେ ହରିଶଙ୍କର, ତମେପରା ବ୍ୟବସାୟୀ ମଣିଷ । ବ୍ୟବସାୟ କରିବାକୁ ଏଠିକି ଆସିଛ । ତମେ ଏତେ ଭାବପ୍ରବଣ ହୋଇ ଦୁନିଆଟାକୁ ଯଦି ଏତେ ସରଳ ଆଖିରେ ଦେଖିବ, ତମେ ପ୍ରକୃତ ବ୍ୟବସାୟୀ ହୋଇପାରିବ ? ହୋଇ ପାରିବ ନାହିଁ ! ଆଉ ସେଇଥିପାଇଁ ତମକୁ ଏ’ ମଣିଷମାନେ ଠକି ଠକି ଚାଲିଛନ୍ତି । ଏ’ ଦୁନିଆ ବହୁ ଆଗକୁ ଗଲାଣି ହରିଶଙ୍କର, ତମେ ବହୁ ପଛରେ ପଡ଼ି ଯାଇଛ । ତମକୁ ଅନେକ ବାଟ ଯିବାକୁ ପଡ଼ିବ । ନହେଲେ ତମେ ପଛରେ ପଡ଼ିଯିବ ।

 

ଏ’ ଦୁନିଆ ଯାଦୁକରର ଦୁନିଆ । ଏ’ ଦୁନିଆ ବାସ୍ତବତାର ଦୁନିଆ ଆମେମାନେ ତ ପ୍ରବଣତାରେ ଭାସି ଯାଇ ଆମ ଜୀବନକୁ ନଷ୍ଟକରି ଦେଇଛୁ । ତମେ ପୁଣି ସେ ପ୍ରବଣତାକୁ ବ୍ୟବସାୟୀ ହୋଇ ଗ୍ରହଣ କଲେ, ତମେ ପ୍ରତିଷ୍ଠିତ ହେବ କିପରି ?

 

କିଛି ସମୟ ରହି ସେ ପୁଣି କହିଲେ; ବ୍ୟବସାୟୀ ଲାଭପାଇଁ ବ୍ୟବସାୟ କରେ । କ୍ଷତିପାଇଁ ନୁହେଁ । ପ୍ରତିଷ୍ଠାନକୁ ବଞ୍ଚେଇବା ଲାଗି, ଆତ୍ମ ପ୍ରତିଷ୍ଠାଲାଗି, ବ୍ୟବସାୟ ଦିଗରେ ତାକୁ ବହୁ ଲାଞ୍ଚ, ମିଛ ପ୍ରବଞ୍ଚନା, ପ୍ରତାରଣା, ଜଟିଳତା, କୁଟିଳତାର ଆଶ୍ରୟ ନେବାକୁ ପଡ଼େ । ତମେ ସେତିକି ଯଦି ନପାରିବ, ତମେ ପ୍ରତିଷ୍ଠା ନାହିଁ । ତେଣୁ ପ୍ରତିଷ୍ଠା ପାଇବାକୁ ହେଲେ ଯାଦୁକର ସାଜିବାକୁ ପଡ଼ିବ ତମକୁ । ମିଥ୍ୟାକୁ ସତ୍ୟ ରୂପରେ ପ୍ରମାଣିତ କରିବାକୁ ପଡ଼ିବ ତମକୁ । ସ୍ଵପ୍ନକୁ ବାସ୍ତବ ବୋଲି ପ୍ରକଟିତ କରିବାକୁ ପଡ଼ିବ ତମକୁ । ଦେଖିବ ହରିଶଙ୍କର, ଜୀବନରେ ବହୁ ତିକ୍ତ ଅନୁଭୂତି ତ ପାଇଚ । ଏ ସ୍ଥୂଳ ମସ୍ତିଷ୍କର କ୍ଷୁଦ୍ର ଅନୁଭୂତିକୁବି ଟିକିଏ ଅନୁଭବ କରିବାକୁ ଚେଷ୍ଟା କରିବ !

 

ଚାଲିଗଲେ ବିକାଶ । ହରିଶଙ୍କର ଦୋକାନର ଶୂନ୍ୟଛାତ ଉପରକୁ ଚାହିଁଛିହିଁ ଚାହିଁଛି ! ମୁଣ୍ଡ ଉପରେ ପଙ୍ଖାଟା ଫୁଲ୍ ସ୍ପିଡ଼୍‍ରେ ଘୂରୁଥିଲେବି ଟୋପି ଟୋପି ଝାଳବିନ୍ଦୁ ହରିଶଙ୍କର ମୁହଁରୁ ନିଗିଡ଼ି ପଡ଼ୁଛି । କ’ଣ କହିଗଲେ ବିକାଶବାବୁ ! କେତେ କଥା, ବିଶ୍ଳେଷଣ କରିଗଲେ ତା’ ସମ୍ପର୍କରେ । ସାରା ଜୀବନ ବ୍ୟବସାୟ କରି କରି ସେ ବୁଢ଼ା ହୋଇଗଲା । କ’ଣ ସତରେ ପାଇଲା ସେ ? ପାଇଲା ଗୁଡ଼ାଏ କ୍ଷତି, ନିଃସ୍ଵତା, କରଜ ଆଉ ବୋହିଲା ଅନେକ ହତାଶାର ବୋଝ ।

 

ହରିଶଙ୍କର ! କ’ଣ ଏମିତି ଚାହିଁଛ କାହାକୁ ? କୋଉଠି କିଛି ବେଶି ଲାଭ ହୋଇଗଲା କି ଆଜି ?

 

ଦୋକାନକୁ ପଶି ଆସୁ ଆସୁ ପଚାରିଲେ ଲତିକା ।

 

ହରିଶଙ୍କର ମୁହଁତଳକୁ କଲା । କହିଲା, ହଁ ଗୁଡ଼ାଏ ଆଜି ଲାଭ ହୋଇ ଯାଇଛି । ଯୋଉ ଲାଭକୁ ହରିଶଙ୍କର ସମ୍ଭାଳି ପାରୁନି ମା’ । ଅନ୍ୟର ସାହାଯ୍ୟ ନେବାପାଇଁ ବ୍ୟସ୍ତ ହେଉଚି ।

 

ଲତିକା ହସିଲେ । କହିଲେ ହରିଶଙ୍କର ତମେ ଏମିତି କେବେ ଲାଭବାନ ହୋଇ ପାରିବ ନାହିଁ, ମୁଁ ଜାଣେ । ତେବେ ବ୍ୟବସାୟ ତ ଜୁଆଖେଳ । କେତେବେଳେ ଯଦି ବାଜୁ ବାଜୁ ବାଜିଯାଏ । ଉଠିଯାଇ ପାରେ ମଣିଷ । କାଳେ ହରିଶଙ୍କର କପାଳରେ ସେତିକି ବାଜିଥିବ ପରା !

 

ହରିଶଙ୍କର କପାଳରେ ସେତିକି ବାଜି ପାରିଲା ନାହିଁ ବୋଲି ପରି ଜୁଆଖେଳରେ ହାରି ରାଜ୍ୟ, ସ୍ତ୍ରୀ, ପ୍ରାଚୁର୍ଯ୍ୟ ସବୁ ଆଜି ହରାଇ ବସିଛି ! ହରିଶଙ୍କର ଆଜି ବାନପ୍ରସ୍ଥ ଗ୍ରହଣ କରି ନିର୍ବାସନ ଦଣ୍ଡ ଭୋଗୁଛି ମା’ । ଏତେ ବାଟର ସ୍ଵପ୍ନ କାହିଁକି ତା’ପାଇଁ ଆଶା କରୁଛନ୍ତି ? ତା’ ଆଖିରୁ ନିଦ ତ ଉଭେଇ ଯାଇଛି । ସ୍ଵପ୍ନ ଆସିବ କୁଆଡ଼ୁ ? ତା’ କପାଳରେ ଶାଗୁଣା ପକ୍ଷୀ ଡେଣା ମେଲି ବସିଚି ମା’ ଶଙ୍ଖଚିଲ ନୁହେଁ ।

 

ଚାରିଆଡ଼କୁ ଆଖି ବୁଲଉ ବୁଲଉ ଲତିକା ଦେଖିଲେ ସିତାରଟିଏ ଝୁଲା ହୋଇଚି ଦୋକାନ କାନ୍ଥରେ । ଆଶ୍ଚର୍ଯ୍ୟ ହେଲେ ସେ । ଏ’ ଯେ ବିକାଶର ସିତାର ! ଏ ପୁଣି ଏଠି ! ବିକାଶ ଆଜି ଆସିବାର ଥିଲା । ସେ କ’ଣ ଆସିଚି ? ଗଲା ତେବେ କୁଆଡ଼େ ? ତାଙ୍କ ବସା ଆଡ଼େ ନିଶ୍ଚୟ ଯାଇଥିବ ।

 

ହରିଶଙ୍କର ପଚାରିଲା କ’ଣ କିଛି ନେବେ ମା’ ? ନା, ହରିଶଙ୍କର ନେବାର ପ୍ରାୟ କିଛି ନାହିଁ । ତମର ଅନ୍ୟମନସ୍କତା ଦେଖି ଟିକିଏ ଏଣିକି ପଳେଇ ଆସିଲି । ବିଚାରୁଥିଲି, ହରିଶଙ୍କର ଆଜି ପୁଳାଏ କୁଆଡ଼େ କିଛି ପାଇ ଯାଇଛି । କାଳେ କିଛି ଉଧାର ଦେବ । କିନ୍ତୁ ଧାରଣା ମୋର ଠିକ୍ ହେଲା ନାହିଁ । ଆଚ୍ଛା ହରିଶଙ୍କର, ତମର ଏ’ ମନୋହରୀ ପଦାର୍ଥ ସହିତ ଏ’ ସଙ୍ଗୀତ ଯନ୍ତ୍ର ସିତାର, ଗିଟାର୍‍ବି ବିକାକିଣା କଲଣି ନା କ’ଣ ଏଥର ?

 

ହରିଶଙ୍କର ଥଟ୍ଟାଳିଆ ସ୍ୱରରେ କହିଲା, ମା’ ମୁଁ ଆଉ କେଉଁ ଜିନିଷ ବିକ୍ରି କରୁନାଇଁ ଯେ, ଏ’ ଜିନିଷଟା ବିକି ଥାଆନ୍ତା ?

 

ନାଇଁ ହରିଶଙ୍କର ସତରେ ବିକ୍ରି କରୁଛ ଏ’ ସିତାର ? କେତେ ୟା’ର ଦାମ୍ କୁହ । ମୁଁ ନେବି ।

 

ଉତ୍କଣ୍ଠିତ ଭାବରେ ପଚାରିଲେ ଲତିକା ।

 

ୟା’ର ଦାମ୍ ବହୁତ ବେଶି ମା’ । ଦେଇ ପାରିବେ ?

 

କେତେ କୁହ ।

 

ପ୍ରାୟ ଦୁଇଟଙ୍କା ।

 

ଥଟ୍ଟା କରୁଚ ହରିଶଙ୍କର ?

 

ଏତେ ବଡ଼ ସାହସ କେମିତି କରି ପାରିବି ମା’ ? ହରିଶଙ୍କର ଭଳି ଜଣେ ଛୋଟକାଟିଆ ଜୀବ, ଆପଣଙ୍କ ପରି ଜଣେ ମାଆ ସମାନ ଲୋକକୁ ଥଟ୍ଟା କରିବାର ଅଧିକାର କୋଉଠୁ ପାଇଲା-?

 

ନା ହରିଶଙ୍କର, ତମେ ଯଦି ପରିହାସ କରିପାରିବ, ମୁଁ ଜାଣିବି ଯେ ତମେ ମତେ ବହୁତ ଆପଣାର କରି ନେଇଛ । ମଣିଷ ଯଦି ମଣିଷ ପ୍ରତି ଏତିକି ଅଧିକାର ପାଇ ନପାରିଲା, ତେବେ ଆପଣାର ଦାବିକରି ଶିଖିବ କେମିତି ?

 

ମା’ ଆପଣ ସବୁ ଅଯୌକ୍ତିକ କଥା ବାଢ଼ୁଛନ୍ତି । ସତରେ ମୁଁ ଆପଣଙ୍କୁ ପରିହାସ କରିନାହିଁ । ଏକଥା ନିହାତି ସତ ମା’ । ଏ ସିତାରର ମୂଲ୍ୟ ମାତ୍ର ଦୁଇଟଙ୍କା । ଏଇ ଯେଉଁ ଶିଳ୍ପୀ ଆମର ବିକାଶବାବୁ ନୁହଁନ୍ତି; ଏ’ ସିତାରଟି ମତେ ଦେଇ କିଛି ଜିନିଷ ଏହା ବଦଳରେ ନେଇଛନ୍ତି । ଯୋଉ ଜିନିଷର ମୂଲ୍ୟ କି ମାତ୍ର ଦୁଇଟଙ୍କା ।

 

ଲତିକା ଆଶ୍ଚର୍ଯ୍ୟ ହେଲେ । କ’ଣ ନେଇଚନ୍ତି ବିକାଶ ? ଦୀପାନ୍ୱିତା ପାଇଁ କିଛି ଉପହାର କିଣି ନେଇଚନ୍ତି ବୋଧହୁଏ ! ଦୀପାନ୍ୱିତା ପାଇଁ କିଛି ଉପହାର କିଣି ନେଇଛନ୍ତି ବୋଧହୁଏ !

 

ହରିଶଙ୍କର ! ବିକାଶ କ’ଣ ନେଇଚନ୍ତି ୟା’ ବଦଳରେ ?

 

କିଛି ଶଙ୍ଖା ଆଉ ସିନ୍ଦୂର ମା’ । ଯାହା ତାଙ୍କ ସବୁଦିନିଆ ଖରିଦ ପଦାର୍ଥ ।

 

ସବୁଦିନ କ’ଣ ଏମିତି ଶଙ୍ଖା, ସିନ୍ଦୂର କିଣି ନିଅନ୍ତି ସେ ? ସବୁ ଦିନେ ଯଦିଓ ନୁହେଁ ମା’ ତେବେ ପ୍ରାୟ ଅନେକ ଥର ଏମିତି କିଣି ନେଇଚନ୍ତି । କିଣିଲାବେଳେ ସିନା ତାଙ୍କର କିଛି ପଇସା ଦୋକାନୀ ପାଖରେ ରହିଯିବ, ଦୋକାନୀର କୌଣସି ପଇସା ତାଙ୍କ ପାଖରେ ରହିବା ମୁଁ ଜାଣି ନାହିଁ । ଭାରି ଅଜବ ଲୋକ ସିଏ । ମୁଁ ତାଙ୍କୁ ବହୁତ ବୁଝେଇଲି ଏ ସମ୍ପର୍କରେ । ସେ ଆଦୌ ମାନିଲେ ନାହିଁ । ମତେ ବାଧ୍ୟ କରି ଏ’ ସିତାରଟି ବଢ଼େଇ ଦେଇ ମାତ୍ର ଦୁଇଟି ଟଙ୍କାର ଜିନିଷ ନେଇ ଚାଲିଗଲେ ।

 

ଲତିକା ଲକ୍ଷ୍ୟହୀନ ଭାବରେ ସହରର କୋଳାହଳ ଭିତରକୁ ସାମାନ୍ୟ ଦୃଷ୍ଟି ବୁଲେଇ ଆଣି କହିଲେ, ହରିଶଙ୍କର, ମୋ’ଠୁ ସେ ପଇସାଟା ରଖି ନିଅ । ସେ ସିତାରଟା ପ୍ୟାକ୍ କରି ମତେ ଦିଅ । ମୁଁ ନେଇ ବିକାଶଙ୍କୁ ଫେରସ୍ତ କରି ଆସେ । ସେ ମୋ’ କଥା ନିଶ୍ଚୟ ରଖିବେ । ଶିଳ୍ପୀ ଲୋକନା ଖୁବ୍ ଭାବପ୍ରବଣ ସିଏ । ଅଭାବରେ ଥିଲେ ତ ! କରଜ କାହିଁକି ନେବେ, ଏହା ଭାବି ଏଇଟିକୁ ଦେଇ ତମଠୁ ଜିନିଷ ନେଇଗଲେ ।

 

ବଡ଼ ଆଗ୍ରହର ସହିତ ହରିଶଙ୍କର କହିଲା, ମୁଁ ସାଙ୍ଗେ ସାଙ୍ଗେ ପ୍ୟାକ୍ କରି ଦେଉଚି ମା’-। ଆପଣ ତାଙ୍କୁ ବୁଝାଇ ଶୁଝାଇ ଫେରସ୍ତ କରିଦିଅନ୍ତୁ ।

 

ସିତାରଖଣ୍ଡି ନେଇ ବିଦାୟ ମାଗି ଲେଉଟିଲେ ଲତିକା । ରାସ୍ତାରେ ଚାଲିଚନ୍ତି ଆଉ ବିଶ୍ଳେଷଣ କରୁଚନ୍ତି ସ୍ଵର୍ଗଠାରୁ ପାତାଳ ପର୍ଯ୍ୟନ୍ତ କେତେକେତେ ନିଗୂଢ଼ କାହାଣୀ । ବିକାଶ ତେବେ ଦୀପାନ୍ୱିତା ପାଇଁ ଆଗରୁ ଏମିତି ଶଙ୍ଖା, ସିନ୍ଦୂର କିଣି ନେଉଥିଲେ ସବୁବେଳେ ? ସତରେ କି ବଳିଷ୍ଠ ଆନ୍ତରିକତା, ହାର୍ଦ୍ଦିକତା, ମମତା ଥିଲା ବିକାଶ ଭିତରେ । କାଇଁ ଦୀପାନ୍ୱିତା ତାଙ୍କୁ ଏକଥା କହିନାହିଁ କେବେ ?

 

ଦୀପାନ୍ୱିତା ଠୁକୁରାଇ ଦେଇ ଚାଲିଗଲା ବିକାଶଙ୍କୁ । ସ୍ୱାର୍ଥନ୍ଧ ହେଲେ ମଣିଷ ବ୍ୟକ୍ତିତ୍ୱ, ପୌରୁଷ, ଜୀବନ ପ୍ରାଣର ମୂଲ୍ୟ ବୁଝେ ନାହିଁ । ସେ ଚାହେଁ ସ୍ଵାର୍ଥ । କେବଳ ସ୍ଵାର୍ଥ । ବାସ୍ତବିକ ସ୍ୱାର୍ଥପର । କିନ୍ତୁ ବିକାଶ ! ଶେଷରେ ନିଜକୁବି ବିକ୍ରି କରି ଦୀପାନ୍ୱିତା ପାଇଁ ଶଙ୍ଖା, ସିନ୍ଦୂର କିଣି ନେଇ ଗଲେ । ଏ’ ସବୁ ଦୀପାନ୍ୱିତା ଥରେ ଆସି ଦେଖି ଯାଆନ୍ତାନି । ଦେଖି ଯାଆନ୍ତାନି, ବିକାଶଙ୍କର ତା’ପାଇଁ ଶ୍ରଦ୍ଧା କେତେ । ତ୍ୟାଗ କେତେ !

 

ଶିଳ୍ପୀର ଜୀବନ ସତରେ କ’ଣ ! କେବଳ ପ୍ରବଣତା ଆଉ ସତ୍ୟ ଦର୍ଶନ ଭରା । ଯେଉଁ ବାସ୍ତବ ସତ୍ୟ, ଦିନ ସଂର୍ଶସାର ବୁଝି ପାରେ ନାହିଁ । ବୁଝିବାକୁ ବହୁ କଷ୍ଟହୁଏ ତାକୁ । ଜଟିଳତାର ମହାପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼େ । ସେଇ ଜଟିଳତାର ମହାପରୀକ୍ଷାରେ ଦୀପାନ୍ୱିତା କୃତକାର୍ଯ୍ୟ ହୋଇ ପାରିଲା ନାହିଁ । ହାରିଗଲା । ଅସ୍ତବ୍ୟସ୍ତ ହୋଇ ହାରିଗଲା ।

 

ଆରାମ ଚେୟାର୍ ଉପରେ ନିଜକୁ ସମ୍ପୂର୍ଣ୍ଣ ଢାଳିଦେଇ ଲତିକାଙ୍କ ଡ୍ରଇଂରୁମ୍‌ରେ ଗଭୀର ଦୁଃଖଦ ଚିନ୍ତାରେ ନିମଗ୍ନ ଥିଲେ ବିକାଶ । ଦୀପାନ୍ୱିତା ସମ୍ପର୍କରେ ଚିନ୍ତା କରି କରି ତାଙ୍କ ଅନ୍ତରାତ୍ମା ଖାଲି ଅସହ୍ୟ ବେଦନାରେ ଥରି ଉଠୁଥିଲା । ପଞ୍ଜରାହାଡ଼ ଦୋହଲାଇ ବାହାରି ଆସୁଥିଲା ଗୋଟାକ ପରେ ଗୋଟାଏ ହତାଶାର ଦୀର୍ଘଶ୍ୱାସ ।

 

ତାଙ୍କ ପ୍ରାଣର ଦୀପାନ୍ୱିତାର ଆଜି ବିବାହୋତ୍ସବ । ଶୁଭଲଗ୍ନରୁ ଶୁଭମୁହୂର୍ତ୍ତରେ ସେ ପୁଣି ଦୀର୍ଘଶ୍ୱାସ ଟାଣୁଛନ୍ତି ? ନିଜର ସ୍ଵାର୍ଥ ହାସଲ ହୋଇ ପାରିଲା ନାହିଁ ବୋଲି ଦୀପାନ୍ୱିତା ଉପରେ ସେ ଅଭିଶାପ ଢାଳୁଛନ୍ତି ? ଦୀପାନ୍ୱିତାକୁ ପରା ସେ ତାଙ୍କ ଜୀବନ ଠାରୁ ବଳି ଭଲପାଉଥିଲେ ! ଏଇ କ’ଣ ତେବେ ତାଙ୍କର ମଙ୍ଗଳ କାମନା ଦୀପାନ୍ୱିତା ପାଇଁ ? ଏଇ କ’ଣ ତାଙ୍କର ଅନ୍ତରୋଚ୍ଛ୍ୱାସ ଆଶୀର୍ବାଦ ଦୀପାନ୍ୱିତା ସମୟର ଅବଶିଷ୍ଟ ମୁହୂର୍ତ୍ତପାଇଁ ?

 

ଦ୍ୱନ୍ଦ୍ୱର ନିପୀଡ଼ନରେ ଅସ୍ଥିର ହୋଇ ଉଠିଲେ-ବିକାଶ ।

 

ବିଗତ କେତେ ସ୍ମୃତିର ଜଳନ୍ତା ଛାଇ ଜଳୁଚି ଆଖିରେ, ଯାହାକି ଦୀପାନ୍ୱିତା ସବୁଦିନ ପାଇଁ ଜାଳିଦେଇ ଯାଇଛି । ସେ ଜ୍ୱଳନ୍ତ ସ୍ମୃତିର ବିଦଗ୍ଧତାରେ ଜଳି ଜଳି ନିଃଶେଷ ହେବେ ବିକାଶ । ଦୀପାନ୍ୱିତା ତାଙ୍କ ଜୀବନ ପଥରେ ଏକ ସୁଦୀର୍ଘ ଚିନ୍ତାରେଖା ଟାଣି ଦେଇ ଚାଲି ଯାଉଛି । ବିକାଶ ଚାହିଁଛନ୍ତି । ଦୀପାନ୍ୱିତା ଚାଲି ଯାଉଛି । ବିକାଶ ଚିତ୍କାର କରୁଛନ୍ତି । ଦୀପାନ୍ୱିତା, ଅପେକ୍ଷା କର ଦୀପାନ୍ୱିତା, ଏତେ ନିଷ୍ଠୁର ହୁଅନି । ମୁଁ ତମ ବିନା କେମିତି ବଞ୍ଚିବି ଭାବି ପାରୁଚ ?

 

କିନ୍ତୁ ନା, ସବୁ ବିଫଳ । ସବୁ ନିଷ୍ଫଳ ।

 

ସେ ଚିତ୍କାର ଶୂନ୍ୟତାର । ସେ ଆହ୍ଵାନ ନିର୍ଜନତାର । ସେ ଚିନ୍ତା ଉଦ୍ଭଟତାର । ସେ କଳ୍ପନା ନିଃସଙ୍ଗତାର ।

 

ଦୀପାନ୍ୱିତା ବହୁଦୂରରେ । ଛାଇ ଅସ୍ପଷ୍ଟ ଦିଶୁଚି ତା’ର । ଖୁବ୍ ଅସ୍ପଷ୍ଟ । ଶୂନ୍ୟତାରେ ମିଳେଇ ଯାଉଚି ଦୀପାନ୍ୱିତା । ସବୁଦିନ ଲାଗି ଫେରି ଯାଉଚି ସେ । ଲେଉଟି ଯାଉଚି ସେ ।

 

ଚିନ୍ତାର ଗତିରେଖା ପରିବର୍ତ୍ତନ ହେଲା । ଦୀପାନ୍ୱିତା ତାଙ୍କ ଜୀବନପାଇଁ ଯଦି ସ୍ଥୂଳରେଖା ଟାଣି ଦେଇପାରିଲା, ସେ କାହିଁକି ନ ପାରିବେ ? ସେ କାହିଁକି ଦୀପାନ୍ୱିତା ମଙ୍ଗଳ କାମନା କରି ତ୍ୟାଗୀ ହରିଶ୍ଚନ୍ଦ୍ର ସାଜି ଦାସତ୍ଵ ସ୍ଵୀକାର କରି ଘୂରି ବୁଲିବେ ଶ୍ମଶାନରେ ? ତା’ର ଶୁଭଚିନ୍ତକ ନିରୀହ ପ୍ରେମିକ ଭାବରେ ଠିଆ ରହି ସବୁ ନୀରବରେ ବୁକୁ ପାତି ସହିବେ । କାହିଁକି ? କୋଉଥିପାଇଁ ? ଇଚ୍ଛାକଲେ ଦୀପାନ୍ୱିତା ବିରୁଦ୍ଧରେ ସ୍ଵର ଉତ୍ତୋଳନ କରି ଏ’ ବିବାହର ପତନ ଘଟାଇ ପାରିବେ ତ ସେ ! ଚିନ୍ତା କଲେ ଦୀପାନ୍ୱିତାର ସୁଖସ୍ୱପ୍ନ ମଧୁମୟ ଜୀବନରେ ତିକ୍ତତା ଭରି ଦେଇ ପାରିବେ ତ ସେ !

 

କିନ୍ତୁ ସେ କ’ଣ ପାରିବେ ? ସତରେ ସେ ପରିବର୍ତ୍ତନ ଆଣି ପାରିବେ ? ନିଜକୁ ନିଷ୍ଠୁର, ନିର୍ଦ୍ଦୟ କରି ଦୀପାନ୍ୱିତାର ସୁଖସ୍ଵପ୍ନକୁ ଜାଳିବା ଭଳି ସେ କ’ଣ ଶକ୍ତି ସଞ୍ଚୟ କରିପାରିବେ ନିଜ ଭିତରେ ? ଯାହାର ସମସ୍ତ ଶାନ୍ତିପାଇଁ ଦିନେ ନିଜକୁ ତିଳତିଳ କରି ଉତ୍ସର୍ଗ କରିଥିଲେ । ତା’ ବିରୁଦ୍ଧରେ ଅଶାନ୍ତିର ବହ୍ନି ଜାଳି ସେ ଶାନ୍ତିରେ ରହି ପାରିବେ ତ ! ଯାହାର ସୁଗୋଲ ମୁଖମଣ୍ଡଳ, ସୁଠାମ ଚେହେରା ଉପରେ ବାରମ୍ବାର ସେ ପ୍ରୀତିର ଚୁମ୍ବନ ଦେଇ ଆସୁଥିଲେ, ତା’ରି ଉପରେ ସେ କର୍କଶ ଆଘାତ କରି ପାରିବେ ପୁଣି ନିଜ ହାତରେ ! କେବେ ସମ୍ଭବ ନୁହେଁ । ଏ’ କେବଳ ଆଘାତ ପାଇଥିବା ମନର ଅନୁଚିନ୍ତା ମାତ୍ର । ଏ’ ଅନୁଚିନ୍ତା କେତେକ ସମୟର । କେତେକ ଦୁର୍ବଳ ମୁହୂର୍ତ୍ତର-। କେତେବେଳେ ଯେ ଏ ଅନୁଚିନ୍ତା ଆକସ୍ମିକ ଭାବରେ ମରି ଯାଇଥିବ, ମନ ଆଉ ହୃଦୟବି ଜାଣିବାର ସୁଯୋଗ ପାଇବେନି । ଅତୀରର ଅନ୍ଧକାର, ଭବିଷ୍ୟତର ଆଲୁଅ ଭିତରେ ଲୁଚିରହି ପଛକୁ ଚାହୁଁଥିବ । ଦେଖୁଥିବ ତା’ର ଅତୀରର ରୂପ, ବର୍ଣ୍ଣ କେମିତି ଆଉ କ’ଣ ଥିଲା-। ଅନୁଚିନ୍ତାମାନେ ସୁଚିନ୍ତାରେ ବିଭୋର ହୋଇ ଅତୀତକୁ ଭୁଲି ଯାଇଥିବେ । ଠିକ୍ ସେଇଭଳି ଭୁଲିଯାଇଥିବେ ବିକାଶ ଯେ ଦିନେ ସେ ଦୀପାନ୍ୱିତାର ଅମଙ୍ଗଳ ଚିନ୍ତା କରୁଥିଲେ ! ସେ ପୂରାପୂରି ପାସୋରି ଯାଉଥିବ ଯେ ଦୀପାନ୍ୱିତା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବେ ବୋଲି ଦିନେ ଚିନ୍ତା କରୁଥିଲେ !

 

କିନ୍ତୁ ସେ କାହିଁକି ବିସ୍ମରି ଯିବେ ! କାହିଁକି ଦୀପାନ୍ୱିତା ବିରୁଦ୍ଧରେ ସେ ସ୍ଵର ଉତ୍ତୋଳନ କରି ପାରିବେ ନାହିଁ ? ଦୀପାନ୍ୱିତା ତା’ ଜୀବନକୁ ଛାରଖାର କରି ଜାଳିପୋଡ଼ି ଦେଇ ଯିବାପରେବି ତାଙ୍କ ପ୍ରେମର ମହତ୍ତ୍ୱକୁ ଶୀର୍ଷରେ ତୋଳି ଧରି ତାକୁ ଦୟା ଦେଖେଇବେ ? କାହିଁକି ପ୍ରମାଣିତ କରିବେ ଯେ ଦୀପାନ୍ୱିତାକୁ ସେ ଦେହଜ ଲାଳସା ନେଇ ଭଲ ପାଉ ନଥିଲେ; ପାଉଥିଲେ ମନ, ଅନ୍ତର ଓ ବାସ୍ତବ ପ୍ରେମର ସମସ୍ତ ଅର୍ଘ୍ୟ ଦେଇ । ସମସ୍ତ ସ୍ଵୀକୃତି ଦେଇ । ସମସ୍ତ ସମ୍ମତି ଦେଇ ।

 

କାହିଁକି ? କ’ଣପାଇଁ ?

 

ନିଃଶବ୍ଦରେ ମୁଖରେ ତାଙ୍କର ଉଚ୍ଚାରିତ ହୋଇ ଉଠିଥିଲା ଏଇ ଶବ୍ଦ କେତୋଟି ଲକ୍ଷ୍ୟହୀନ ଭାବରେ ।

 

ସବୁ କାହିଁକିର ଉତ୍ତର ପାଇ ହୁଏ ନାହିଁ ବିକାଶ । ସବୁ କାହିଁକିର ଉତ୍ତର ଯଦି ପାଇ ହେଉଥାଆନ୍ତା । ତେବେ ବିସ୍ମୟ ବୋଲି ଗୋଟିଏ ଶବ୍ଦ କିଛି ନଥାନ୍ତା ଦୁନିଆରେ । ତେଣୁ ସବୁ କାହିଁକିର ଉତ୍ତର ଉତ୍ତରରେ ନପାଇ ଏମିତି ଅନେକ ପ୍ରଶ୍ନରେହିଁ ମଣିଷ ପାଇଥାଏ । ସେମିତି ତମ କାହିଁକିର ଉତ୍ତର ହୁଏତ କାହିଁକିର ପ୍ରଶ୍ନ ମାଧ୍ୟମରେ ଆତ୍ମଗୋପନ କରି ଥାଇପାରେ । ତାକୁ ସମାଧାନ ହୋଇନପାରେ । ତା’ର ଉତ୍ତର ମିଳି ନପାରେ ।

 

ଘର ଭିତରକୁ ପଶି ଆସୁ ଆସୁ କହିଲେ ଲତିକା ।

 

ନମସ୍କାର ଭାଉଜ । ବହୁ ବେଳରୁ ତମକୁ ମୁଁ ଅପେକ୍ଷା କଲିଣି ।

 

ମୁଁ ହୁଏତ ଏକଥା ଅନେକ ଆଗରୁ ଜାଣିଛି । ନକହି ଥିଲେ ରହିଥାଆନ୍ତା । କେମିତି ?

 

ଯେହେତୁ ଦୀପାର ଆଜି ବାହାଘର । ତମେ ନିଶ୍ଚୟ ଆସିବ ମୁଁ ଜାଣିଥିଲି ।

 

: ଦୀପାର ବାହାଘର ସହିତ ମୋ’ ଆସିବାର ସମ୍ପର୍କ କ’ଣ ?

 

: ବୁଝି ନାହଁ ?

 

: ନା ।

 

: ବୁଝେଇ ଦେବି ?

 

: ହଁ ।

 

: ବର୍ତ୍ତମାନ ପ୍ରାଞ୍ଜଳ ଭାବରେ ବୁଝି ପାରିବ !

 

ଲତିକା ବଢ଼େଇ ଦେଲେ ପ୍ୟାକେ‌ଟ୍‌ଟିକୁ ବିକାଶଙ୍କ ହାତକୁ ।

 

: କ’ଣ ଇଏ ?

 

:ଖୋଲି ଦେଖ ।

 

ଉପରେ ଗୁଡ଼ା ହୋଇଥିବା କାଗଜଟିକୁ ଫିଟେଇ ଦେଲେ ବିକାଶ । ଦେଖିଲେ, ତାଙ୍କ ସିତାର । ବିକ୍ରି ସିତାରଟାକୁ ସେ ପୁଣି ଫେରସ୍ତ ଆଣି ଲତିକା ପ୍ରମାଣ କରିଦେବାକୁ ଚାହାଁନ୍ତି ପରୋକ୍ଷରେ, ବିକାଶଙ୍କ ଆସିବା ସହିତ ଦୀପାନ୍ୱିତା ବାହାଘରର ଯେ କି’ ସମ୍ପର୍କ ଅଛି ! ସହଜରେ ବେଶ୍ ବୁଝିନେଲେ ସେ ।

 

ଲତିକାଙ୍କୁ କ’ଣ କହିବେ, ନକହିବେ ସେ ଚିନ୍ତା କରିପାରିଲେ ନାହିଁ । ଓଠ ତାଙ୍କର ନିଭିଲା ପ୍ରଦୀପଟିଏ ପରି ଥରି ଉଠୁଥିଲା । ସେ ମନେ କରୁଥିଲେ ଲତିକା ଭାରି ଚାଲାକ । ଦୀପାନ୍ୱିତାର ବିବାହ ଉତ୍ସବ ସହିତ ତାଙ୍କ ଆସିବାର ସମ୍ପର୍କ କେତେ ଘନିଷ୍ଠ ଆଉ ନିବିଡ଼, ଖୁବ୍ ଚତୁରତାର ସହିତ ଭାଷାରେ ନକହି ଇଙ୍ଗିତରେ କହିଦେଲେ ।

 

ଏତେ ବଡ଼ ମୂଲ୍ୟବାନ ପଦାର୍ଥ ବଦଳରେ ତମେ ଏତେ ଟିକେ ଜିନିଷ ଆଣି ତାକୁ ଛାଡ଼ି ଆସିଥିଲ ? ମୁଁ ତା’ର ପଇସା ଦେଇ ପୁଣି ଫେରସ୍ତ ଘେନି ଆଣିଛି ବିକାଶ !

 

ବିକାଶଙ୍କ ନିମଗ୍ନ ଚିନ୍ତାରେ ସାମାନ୍ୟ ଆଘାତ ଦେଇ କହିଲେ ଲତିକା । ଲତିକାଙ୍କ କଥାଶୁଣି ଲଜ୍ଜା ସଂକୋଚରେ ଭାଙ୍ଗି ପଡ଼ିଲା ଭଳି ବିକାଶ କହିଲେ, କ’ଣ କରିବି ଭାଉଜ, ଆଜି ଦୀପାର ବାହାଘର କି'ନା ! ଦୀପାର ସ୍ଵତନ୍ତ୍ର ନିମନ୍ତ୍ରଣର ମୂଲ୍ୟ ତ କିଛି ସ୍ୱତନ୍ତ୍ର ମୂଲ୍ୟବାନ ପଦାର୍ଥ ଜରିଆରେ ପଠାଇବାର ଥିଲା । କ’ଣ କରିଥାନ୍ତି ଆଉ ? ଉପାୟହୀନ ହୋଇ ଶେଷରେ ସେଇଆ କରିବାକୁ ବାଧ୍ୟ ହେଲି । ବିକାଶ ତ ଆଉ ସେଦିନର ପ୍ରାଚୁର୍ଯ୍ୟର ବାସ୍ତବ ଭିତରେ ବଞ୍ଚିଥିବା ଶିଳ୍ପୀ ନୁହେଁ । ବିକାଶ ତ ଆଉ ବ୍ୟବସାୟକୁ ବ୍ୟବସାୟୀକ ଦୃଷ୍ଟିଭଙ୍ଗୀରେ ଗ୍ରହଣ କରି ଅର୍ଥ ରୋଜଗାର କରୁଥିବାର କଳାକାର ନୁହେଁ । ବିକାଶ ଆଜି ପୂର୍ବର ସେଇ ପୁରୁଣା ବିକାଶ । ମଦ ଦୋକାନର ଜଣେ ଖଟିଖିଆ ଗୋଲାମ । ଜୀର୍ଣ୍ଣ ଉପଗଳିର ଜଣେ ମାମୁଲି ଚାକର । ତେଣୁ ସେ ଅର୍ଥ ପାଆନ୍ତା କୁଆଡ଼ୁ ?

 

ତଥାପି ସେ’ତ ଜଣେ ନିମନ୍ତ୍ରିତ ବ୍ୟକ୍ତି । ନିମନ୍ତ୍ରିତ ବ୍ୟକ୍ତି ଭାବରେ ନିମନ୍ତ୍ରଣ ରକ୍ଷାକରି କିଛି ଉପହାର ଦେବ ତ ସେ ! ତେଣୁ କ’ଣ କରି ଥାଆନ୍ତା ? କହିଲ ଭାଉଜ, ଅର୍ଥଶୂନ୍ୟ ଭାବରେ ଯେତେବେଳେ କିଛି କିଣିବାପାଇଁ ଯାଇଥିଲା, ସେତେବେଳେ ଆଉ କ’ଣ ବା ସେ କରି ଥାଆନ୍ତା ?

 

ସିତାରଟା ବିକ୍ରି କରିବା ଛଡ଼ା ସେ ଅନ୍ୟୋପାୟ କିଛି ଆଉ ପାଇଲା ନାହିଁ । ତା’ ଛଡ଼ା ଏ’ସିତାର ସହିତ ତ ବହୁ ଦିନରୁ ସମ୍ପର୍କ ତା’ର ତୁଟି ଯାଇଥିଲା । ଛିନ୍ନ ହୋଇ ଯାଇଥିଲା ସମସ୍ତ ସ୍ନେହ ମମତା । ରିକ୍ତ ହୋଇ ଯାଇଥିଲା ଏହା ସହିତ ପ୍ରାଣର ସକଳ ବନ୍ଧନ । ତା’ର ଛନ୍ଦ, ଛନ୍ଦହୀନ ହୋଇ ପଡ଼ିଥିଲା । ତା’ର ରାଗିଣୀ ବେସୁରା ହୋଇପଡ଼ିଥିଲା । ଆଉ ତେଣୁ କି’ ଆବଶ୍ୟକ ଆଉ ଏଥିରେ ଥିଲା ଭାଉଜ ? ଏଇଟା ପାଖରେ ରହିବା ଆଉ ଲାଭ କ’ଣ ହୋଇ ଥାଆନ୍ତା ?

 

ନା ବିକାଶ, ଭୁଲ୍ କହିଲ । ଶିଳ୍ପର ଅମର୍ଯ୍ୟାଦାରେ ତମ ଜୀବନ ଅଧିକ କଣ୍ଟକିତ, ଅଧିକ ଦୁର୍ବିସହ ହୋଇ ପଡ଼ନ୍ତା ସିନା ସାମାନ୍ୟ ପୁଷ୍ପିତ, ମଧୁମିତ ହୁଅନ୍ତା ନାହିଁ । ଶିଳ୍ପୀ କେବେ ତୂଳୀକୁ ଛାଡ଼ିପାରେ ? ଲେଖକ କେବେ ନିଜ ହାତରେ ଲେଖନୀ ଭାଙ୍ଗି ପାରେ ? କେଉଁଠି ପ୍ରତ୍ୟକ୍ଷରେ ଦେଖିଛ ତମେ ?

 

ଶିଳ୍ପୀ ଜୀବନରେ ଏମିତି ବହୁ ଝଡ଼ ଆସେ । ପୁଣି ଉଭେଇ ଯାଏଁ । ସେ ଝଡ଼କୁ ପ୍ରତିରୋଧ କରିବାର ଶକ୍ତି କାହାଠାରେ ଥାଏ ଜାଣିଛ ? ଶିଳ୍ପଠାରେ କଳାଠାରେ । ଶିଳ୍ପ ଏଇ ଦୁଃଖର ଝଡ଼, କଳା ଏଇ ଦୁର୍ବିସହର ତୋଫାନକୁ ତା’ର ଶକ୍ତି ସାହାଯ୍ୟରେ ନିୟନ୍ତ୍ରିତ କରେ । ପ୍ରତିରୋଧ କରେ । ଆୟତ୍ତ କରେ । ସେଇ ଶକ୍ତିର ଆଶୀର୍ବାଦ ତମେ ଲାଭ କରିବ । ତେଣୁ ତମେ ଏଇ ଦୁଃଖର ଝଡ଼କୁ ସହଜରେ ନିୟନ୍ତ୍ରିତ କରି ପାରିବ । ମାତ୍ର ତମେ ଅମର୍ଯ୍ୟାଦା କରୁଛ ବିକାଶ । ଯିଏ ତମକୁ ବଡ଼ ସାହାଯ୍ୟ କରିବ, ସହାନୁଭୂତି ଯୋଗେଇବ ତମେ ତା’ର ଅପବ୍ୟବହାର କରୁଛ । ଆଜି ତମେ ଦୁର୍ବଳ ମନର ଦୁଶ୍ଚିନ୍ତା ନେଇ କ୍ଷୀଣ ମନା ହୋଇ ଯାହା ଚିନ୍ତା କରୁଛ, ସେ ଚିନ୍ତା ହୁଏତ ଆଗାମୀ ସକାଳକୁ ନଥିବ । ପାଣିର ଫୋଟକା ଭଳି ଅନ୍ଧକାରର ନକ୍ଷତ୍ର ଭଳି ମହାଶୂନ୍ୟରେ ମିଳେଇ ଯାଇଥିବ । ବିରାଟ ପରିକଳ୍ପନାର ମହାସମୁଦ୍ର ମଧ୍ୟରେ ଧନ, ଜନ, ଯୌବନ ଗୋଟାଏ ଗୋଟାଏ କ୍ଷୁଦ୍ର ଅନୁଚିନ୍ତାର ବିନ୍ଦୁ ପରି ! ତେଣୁ ମୁଁ ବହୁ ଆଗରୁ କହିଥିଲି, ଦୀପାନ୍ୱିତା ଭଳି ଅନେକ ଝିଅ ତମ ଜୀବନ ବଗିଚାରେ ଫୁଲହୋଇ ଲୋଟିବେ । ତମ ପ୍ରାଣର ଆକାଶରେ ନକ୍ଷତ୍ର ହୋଇ ଫୁଟିବେ । ତମେ ଏକ ସାଧାରଣ ଝିଅପାଇଁ ତମର ଏତେ ବଡ଼ ପ୍ରତିଭାଦୀପ୍ତ ଜୀବନକୁ ଅକାଳରେ ନଷ୍ଟ କରିଦେବ ? ବିରାଟ ମହିମାମୟ ଶକ୍ତିକୁ ନିମ୍ନମୁଖୀ କରାଇ ଦେବ ?

 

ତମେ ଯାହା କହୁଚି ତା' ଅକ୍ଷରେ ଅକ୍ଷରେ ସତ ବୋଲି ମୁଁ ମାନୁଚି । ହେଲେ ସବୁ ଝିଅଙ୍କଠି ସମଗୁରୁତ୍ୱ ନଥାଏ ଭାଉଜ । ସବୁଫୁଲ, ସବୁ ତାରା ସମାନ ନୁହଁନ୍ତି । ଆକାର ଓ ଗୁଣରେ ସମସ୍ତେ ନିଜ ନିଜର ଏକକ । ସମସ୍ତେ ସମସ୍ତଙ୍କଠାରୁ ସ୍ୱତନ୍ତ୍ର । ଅନେକ କଥା ମୋପାଇଁ କରିଛ ଭାଉଜ । ଆଜି ଶେଷଥର ପାଇଁ ଏ ଶେଷ କଥା ଟିକକ କରିଦିଅ ।

 

କ’ଣ କୁହ !

 

ଦୀପାନ୍ୱିତା ନିକଟରେ ଏ’ ଶେଷ ସନ୍ତକଟିକ ପହଞ୍ଚାଇ ଦେଇ ପାରିବ ? ଏ’ ଚିଠି ଖଣ୍ଡିକ ଆଉ ୟା’ ସହିତ ଏ’ ନାଲିଚୁଡ଼ି ଆଉ ସିନ୍ଦୂର ମୁଠାକ ।

 

କ’ଣ ଲାଭ ବିକାଶ ? ସେ ପୂରାପୂରି ବଦଳି ଯାଇଛି । ତମକୁ ଆଉ କେତେଥର କହି ବୁଝେଇବି ? କେତେଥର ବୁଝେଇବି ଯେ ସେ ଆଉ କୌଣସି କଥାରେ ପଛକୁ ଫେରିବାକୁ ସମ୍ମତି ନୁହେଁ । ସେ ଅତୀରର ଦୀପାନ୍ୱିତା ବିସ୍ମୃତିର ବହୁ ପଛରେ ରହି ଯାଇଛି । ତମେ ତାକୁ ବାରମ୍ବାର ଝୁରି ଲାଭ କ’ଣ ?

 

ଲାଭକ୍ଷତିର ହିସାବନିକାଶ ମୋ ଜୀବନରେ କେବେ କରି ଦେଖିନି ଭାଉଜ ! ହିସାବନିକାଶ କଲେ କ୍ଷତି ସିନା ଅଧିକ ହେବ, ଲାଭ ତୁଳନାରେ କମ୍ ହେବ ନାହିଁ କେବେ । ତେଣୁ ସେ ହିସାବନିକାଶ ଅଯଥାରେ କରି ଅଧିକ ତିକ୍ତତା ବଢ଼ାଇବି କାହିଁକି ?

 

ତେବେ ଦିଅ । କହୁଚ ଯେତେବେଳେ କରି ଦେବି । ତମେ କାହିଁକି ପୁଣି ପଛରେ ଭାବିବ ଯେ ଭାଉଜ ଏତକ କଲେ ନାହିଁ । ତମେ ଭାରି ସ୍ଵାଭିମାନୀ ନା । ତେଣୁ କେତେବେଳେ ଭାବିପାର ନିଶ୍ଚୟ ।

 

ମୁହଁରୁ ସାମାନ୍ୟ ହସ ଝରାଇ ବିକାଶ କହିଲେ, ନା ଭାଉଜ ଅନେକ ଦିନ ହେଲା ଅଭିମାନଟାକୁ ପୂରାପୂରି ଛାଡ଼ି ଦେଇଛି । ମୂଲ୍ୟହୀନ କ୍ରୋଧ, ଅଭିମାନ, ମନର ଶୁଷ୍କତା, ପ୍ରାଣର ରିକ୍ତତାକୁ ବଢ଼ାଏ ସିନା, କମାଏ ନାହିଁ ।

 

ବିକାଶ ଉଠିବାକୁ ତତ୍ପର ହେଲେ । ବୁଝି ପାରିଲେ ଲତିକା ବିକାଶଙ୍କ ମନର ଭାବ । ପଚାରିଲେ, ପୁଣି କୁଆଡ଼େ ବାହାରିଲ ? ନଈକୂଳ ତ ସବୁଦିନ ପାଇଁ ଛାଡ଼ି ଦେଇଛ ଆଉ କେଉଁଠି ପୁଣି ଗୁରୁତ୍ୱ କାମ ଅଛି ।

 

ଗୁରୁତ୍ୱକାମ କିଛି ନାଇଁ ଭାଉଜ । ସେଇ ପୁରୁଣା ଜାଗାକୁ ଫେରିବି । ସେଇ ଗଳିକୁ । ପୁଣି ସେଇ ଅସଭ୍ୟତାର ଆଡ଼ାସ୍ଥଳୀକୁ ।

 

କାହିଁକି ବିକାଶ ? ତମ ଭାଉଜ କ’ଣ ତମ ଭଳି ଜଣେ ମଣିଷକୁ ପୋଷିବାକୁ ଅସମର୍ଥା-?

 

ନା ଭାଉଜ, ସେ କଥା ନୁହେଁ । କାହା ବେକରେ ବନ୍ଧାହୋଇ ସବୁ ଦିନ ପଡ଼ିବାପାଇଁ ଆଉ ଭଲ ଲାଗୁନାହିଁ ।

 

ତମେ ଯାହା ବିଚାରିବ । ତମକୁ ତ ଆଦୌ ବୁଝେଇ ହେବ ନାହିଁ । ବିକାଶ ଉଠିଲେ । ତାଙ୍କୁ ଛାଡ଼ିବାକୁ ଦ୍ୱାରବନ୍ଧ ପାଖକୁ ଆସୁ ଆସୁ ପଚାରିଲେ ଲତିକା । ତମେ ଆଜି ତେବେ ବାହାଘରକୁ ଯିବନାହିଁ ?

 

ବାହାଘର ? ବାହାଘରକୁ ଯିବିନାହିଁ ? ନିଶ୍ଚୟ ଯିବି । ଦୀପାନ୍ୱିତା ନିମନ୍ତ୍ରଣ କରିଚି । ପ୍ରେମିକ ତା’ର ପ୍ରେମିକାର ବାହାଘରରେ ଯୋଗ ଦେବ ନାହିଁ ଆଉ ଦେବ କିଏ ?

 

ହସି ହସି କାନ୍ଦି ପକାଇଲେ ବିକାଶ ।

 

ଆସୁଚି ଭାଉଜ । ପୁଣି ଆସିବି ।

 

ଉତ୍ତରର ପ୍ରତ୍ୟାଶା ନରଖି ଚାଲିଗଲେ ବିକାଶ ! ଲତିକା ଠିଆ ହୋଇଛନ୍ତି । ଠିଆ ହୋଇଛନ୍ତି ଗମ୍ଭୀର ଚିନ୍ତା ଆଉ ଅନୁଚିନ୍ତାର କେନ୍ଦ୍ରବିନ୍ଦୁ ଉପରେ ।

 

ରାମୁକାକା ପାନ ଦାନିରେ ପାନ ଛେଚୁ ଛେଚୁ ମୁରୁକି ହସି ବିକାଶକୁ କହିଲା, ମୁଁ ଜାଣିଥିଲି, ତୁ ନିଶ୍ଚୟ ଆସିବୁ । କାରଣ ଏଇଟା ତୋର ଘର । ତୋ’ ଘରକୁ ତୁ’ ଲେଉଟିବୁ ନାଇଁ ତ ଆଉ ଲେଉଟିବ କିଏ ? ତେଣୁ ସେ ବିଶ୍ଵାସ ମୋର ପୂର୍ଣ୍ଣ ପରିମାଣରେ ଥିଲା । ଯୋଉ ବାଟରେ ଧାଇଁ ଧାଇଁ ଚାଲି ଯାଇଛୁ, ସେଇ ବାଟରେ ପୁଣି ଥିରି ଥିରି ପାଦ ପକାଇ ଫେରି ଆସିବୁ ।

 

ବିକାଶ କିଛି କହୁ ନଥିଲା । କାରଣ ତା’ର ପ୍ରାୟ କହିବାର କିଛି ନଥିଲା । ସବୁ କଥା ଯେମିତି ବହୁପୂର୍ବରୁ ଅନ୍ୟମାନଙ୍କ ଆଗରେ ଶେଷକରି ଦେଇଛି ସେ । ରାମୁକାକାକୁ କହିବାକୁ ତା’ର ଆଉକିଛି ବାକି ନାହିଁ ।

 

ରାମୁକାକା କହିଲା ବିକାଶ, ମୁଁ ତତେ ବହୁ ଆଗରୁ ଏହା ସୂଚେଇ ଥିଲି କାରଣ ଜୀବନ ସମ୍ପର୍କରେ ମୋର ଗଭୀର ଅନୁଭୂତି ଥିଲା । ମୁଁ ଅନୁଭବ କରିଥିଲି ଯେ ସଂସାର କ’ଣ ! ଏ’ ପାର୍ଥିବ ଜଗତର ସାଧାରଣ ଆଭିମୁଖ୍ୟ ସମ୍ପର୍କରେ କାହାର କି’ ଭଳି ଧାରଣା, ମୁଁ ବେଶ୍ ଅନୁମାନ କରି ନେଇଛି ।

 

ଦେ’ ଛାଡ଼ । ଏଗୁଡ଼ା ସବୁ ସ୍ଵପ୍ନ ପରି । ପାହାନ୍ତି ଆକାଶର ଶିଶିର ବିନ୍ଦୁ ଭଳି । ମୁକ୍ତା ସମାନ ଏମାନେ ଆଖିକୁ ଦେଖାଯାଆନ୍ତି । କିନ୍ତୁ ଅନୁଭବ କଲା ବେଳକୁ କେବଳ ପାଣି । ସେ ପାଣିଟା ବହି ଯାଇଛି । ପତରରୁ ଖସି ମାଟିରେ ଭିଜି ଯାଇଛି । ତା’ ଉପରେ ମିଛରେ ଚିନ୍ତା କରି ଲାଭ କିଛିବି ନାହିଁ । ବରଂ ଅକାରଣରେ ଦୁଶ୍ଚିନ୍ତା ବଢ଼ିବ । ଏଣିକି ବ୍ୟବସାୟ ଧନ୍ଦା ଦେଖ । ଦରମା କିଛି ତୋର ଅଧିକ ବଢ଼ାଇ ଦେଉଛି । ବ୍ୟବସାୟରେ କେମିତି ଆଶାଜନକ ଉନ୍ନତି ହେବ, ସେକଥା ଚିନ୍ତା କର ।

 

ବିକାଶ ନୀରବ ଥିଲା । ନିରବତା ପୂରାପୂରି ଭାବରେ ତାକୁ ଗ୍ରାସ କରିଥିଲା । ସେ ଏକବାରକେ ନିସ୍ପନ୍ଦ, ଜଡ଼ ପାଲଟି ଗଲା ଭଳି ଅନୁଭବ କରୁଥିଲା । ମୂକ, ଅଥର୍ବ ପରି ରାମୁକାକାକୁ ଅନାଇ କେବଳ ତା’ ମୁହଁର ଭାଷାକୁ ପିଇ ଯାଉଥିଲା ଏକନିଃଶ୍ଵାସରେ ।

 

: କ’ଣ କିଛି କହୁ ନାହିଁ ଯେ ବିକାଶ ?

 

: କ’ଣ କହିବି ?

 

କାମଧନ୍ଦାରେ ଏଣିକି ମନ ଲାଗିବ ତ ?

 

ବିକାଶ ମୁଣ୍ଡ ହଲେଇ ସମ୍ମତି ଦେଲା । ସେ ସମ୍ମତିରେ ଯେମିତି ଗୁଡ଼ାଏ ବାଧ୍ୟବାଧକତାର ସ୍ଵର, ଗୁଡ଼ାଏ ବଞ୍ଚିବାର ଆଦିମ ଇଚ୍ଛା ସ୍ୱର ତୋଳି ଉଠୁଥିଲେ ।

 

କୁଟୀର ବାହାରକୁ ଆସି ଠିଆ ହେଲା ବିକାଶ । ପଶ୍ଚିମ ଆକାଶର ସୂର୍ଯ୍ୟ ବିଦାୟ ମାଗୁଛନ୍ତି ପୃଥିବୀକୁ । ଠିକ୍ ବିବାହୋତ୍ସବରେ ସମାପନ ପରେ ଦୀପାନ୍ୱିତାବି ବିଦାୟ ନେବାକୁ ପ୍ରସ୍ତୁତ ହେବଣି ଏମିତି ।

 

ଆକୁଳ, ବ୍ୟାକୁଳ ହୋଇ ଉଠିଲା ବିକାଶର ଶିଳ୍ପୀ ପ୍ରାଣ । ବିଷାକ୍ତ କଣ୍ଟକିତ ଲାଗିଲା ଦେହର ସମସ୍ତ ଶିରାପ୍ରଶିରା । ଦୀପାନ୍ୱିତା ଆଜି ଅବଗୁଣ୍ଠନ ବତି ସାଜି କେଉଁ ଅନ୍ଧାରି କୋଣର ଦୀପଶିଖାରେ ଅନ୍ୟ ପୁରୁଷର ମୁହଁ ଦେଖୁଥିବ । ଦୀପାନ୍ୱିତା ଆଜି ଅନ୍ୟ ଦେହର ଖେଳନା ସାଜିବାପାଇଁ, ଅପରିଚିତ ନାୟକର ନିଃଶ୍ୱାସ, ପ୍ରଶ୍ଵାସକୁ ଆପଣାର କରିବାପାଇଁ ନିଜକୁ ପ୍ରସ୍ତୁତ କରୁଥିବ । ଆଉ ବିକାଶ !

 

ହା-ହୁତାଶଭରା ଯନ୍ତ୍ରଣାକୁ ଆପଣାର କରି, ଜୀର୍ଣ୍ଣ ଗଳିର କୁତ୍ସିତ ବ୍ୟବସାୟକୁ କର୍ତ୍ତବ୍ୟ ସମାନ ଗ୍ରହଣ କରି ମରଣର ଇଚ୍ଛା ନେଇ ବଞ୍ଚିବାର ଗଳିରେ ଗଳିରେ ଘୂରି ବୁଲୁଥିବ । ହେଲେ ମରଣ କି ଏତେ ସହଜରେ ଆସେ ? ମୃତ୍ୟୁ କି ଏତେ ସ୍ଵାଭାବିକଭାବେ ମଣିଷର କରାୟତ ହୁଏ ? ଇଚ୍ଛାଧୀନ ହୁଏ ?

 

ନା ସେ ଜାଣେ ମୃତ୍ୟୁ ଏତେ ସ୍ଵାଭାବିକଭାବେ ଆସିବ ନାହିଁ । ତେବେ ଅପମୃତ୍ୟୁକୁ ସ୍ଵାଗତ କରିବା ଉଚିତ । ପୁଣି ଭାବିଲା, ଅପମୃତ୍ୟୁ ଜୀବନରେ ଶାନ୍ତି ଦିଏ ନାହିଁ । ପରବର୍ତ୍ତୀ ଜନ୍ମ ଦିଏ ନାହିଁ । ଦିଏ ନାହିଁ ମଧୁମୟ ସ୍ଵର୍ଗର ସୁଚିନ୍ତା । ଦିଏ ଖାଲି ନିରାଶ୍ରୟ, ନିଠାବ ମଣିଷ ପରି ଜ୍ୱାଳାମୟ, ଦୁଃଖମୟ ନର୍କର ବେଦନା ।

 

ଅପମୃତ୍ୟୁକୁ ସ୍ୱାଗତ କରି ବିକାଶ କ’ଣ ଅଧିକ ଶାନ୍ତି, ସୁଖ ମାଧୁର୍ଯ୍ୟ ପାଇବେ ? ବରଂ ଏମିତି ଦୁଃଖ ଯନ୍ତ୍ରଣା ଉପରେ ଦୀପାନ୍ୱିତାର ପଛିଲା ସ୍ମୃତି ଯେତିକି ଶାନ୍ତି ଦେଉଛି, ସେତିକି ତ ସେ ପାଇବେ ନାହିଁ । ମରଣକୁ ସ୍ଵାଗତ କରି ସେତକବି ସେ ହରାଇ ବସିବେ । ତେବେ ଅପମୃତ୍ୟୁକୁ ଜାଣି ଜାଣି ସେ କାହିଁକି ଗ୍ରହଣ କରିବେ ? ଦୀପାନ୍ୱିତାର ପ୍ରତ୍ୟାଖ୍ୟାନ ପରେ ସେ ଯେତେବେଳେ ଅତ୍ୟଧିକ ବେଦନା ବିଭୋର ହୋଇ ମରଣକୁ ଉତ୍କଣ୍ଠିତ ସହକାରେ ଖୋଜିଥିଲେ । ସେତେବେଳେ ସେ ତ ମରଣକୁ ପାଇ ନଥିଲେ ଆଉ ଆଜି ପାଇବେ କିପରି ?

 

ବିକାଶ କୁଚିନ୍ତା ଭିତରୁ ଦିଗ ବଦଳାଇଲେ । ସେ ମରିବେ କାହିଁକି । ସେ ବଞ୍ଚିବେ । ଅନେକ କାଳ ବଞ୍ଚିବେ । ଲତିକା ଭାଉଜଙ୍କୁ ସେ କଥା ଦେଇଛନ୍ତି । ସେ ବଞ୍ଚିବେ ତା’ର ଲାଗି । ତାଙ୍କ କାବ୍ୟ ନାୟିକା ଦୀପାନ୍ୱିତା ଲାଗି । ଆଜି ନୁହେଁ, କାଲି ନୁହେଁ ଅନେକ ବର୍ଷପରେ, ଅନେକ ଯୁଗ ପରେ ଯୌବନ ହଜିଯିବା ପରେବି ସେ ବଞ୍ଚିଥିବେ । ସେ ଦୀପାନ୍ୱିତା ଆଗରେ ପ୍ରମାଣ କରିଯିବେ ଯେ ବହୁ ଯୁଗଯୁଗାନ୍ତର ପରେବି ଦୀପାନ୍ୱିତାକୁ ଜୀବନ କାବ୍ୟର ନାୟିକା କରି ବିକାଶ ବଞ୍ଚିଛନ୍ତି ଆଉ କାବ୍ୟରଚନା କରି ଚାଲିଛନ୍ତି ଶୃଙ୍ଖଳାଗତ ଭାବରେ ।

 

ତତ୍ପର ହୋଇ ଉଠିଲେ ବିକାଶ । ଦୀପାନ୍ୱିତାକୁ ଶେଷଥର ପାଇଁ ଦେଖି ଆସିବେ । ଦୀପାନ୍ୱିତାକୁ ଦୁଇଖଣ୍ଡ ଚିଠିଲେଖି ଡକାଇଲା ପରେବି ସେ ଥରକପାଇଁ ଆସିଲା ନାହିଁ ସିନା । ବିକାଶଙ୍କୁ ତ ଆଉ ଚିଠି ଦେଇ ଦୀପାନ୍ୱିତା ଡକାଇବ ନାହିଁ । ସେ ବଳେ ଯିବେ । ସେ ସ୍ୱେଚ୍ଛାକୃତ ଭାବରେ ଯିବେ ।

 

ବିକାଶ ଜାଣିଥିଲେ, ଦୀପାନ୍ୱିତା କେବେହେଲେ ଆସିବେ ନାଇଁ ଆଉ । ତେଣୁ ସେ ମୋଟେ ଦୁଃଖିତ ନଥିଲେ । କାରଣ ଦୀପାନ୍ୱିତା ସ୍ୱେଚ୍ଛାଧୀନା ନୁହେଁ ଆଜି । ସ୍ୱେଚ୍ଛାକୃତ ଭାବରେ କାର୍ଯ୍ୟ କରିବାର ଯୋଗ୍ୟତା ତା’ ଠାରୁ ବାଧ୍ୟ କରି ଛଡ଼େଇ ନିଆଯାଇଛି । ସେଥିଲାଗି ସେ ଆଜି ବଦଳି ଯାଇଛି । ତା’ର ଦେହ, ପ୍ରାଣ, ମନ ଆଜି ଅନ୍ୟ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇଛି ହେଲେ ବିକାଶ !

 

ଯେମିତି ସେମିତି ଅଛନ୍ତି । କିଛି ବଦଳି ନାହାଁନ୍ତି । ତାଙ୍କ ମନ, ପ୍ରାଣ, ଦେହ ସେମିତ ପୂର୍ବଭଳି ସତେଜ, ସରସ, କୋମଳ ରହିଛି । ମଉଳି ଯାଇନାହିଁ ତାଙ୍କ ବିଗତ ଚିନ୍ତାଧାରର ସୂକ୍ଷ୍ମ ଏକ ପାଖୁଡ଼ାବି । ତାଙ୍କ ଜୀବନ ସରଳରେଖା ସେମିତି ସିଧା ସିଧା ହୋଇ ପଡ଼ିଛି । ସେ ସରଳରେଖା ଉପରେ କେହି ଛକିଚିହ୍ନ କାଟି ବିପଦର ସୀମା ନିର୍ଦ୍ଧାରଣ କରି ନାହିଁ । ସେ ସରଳରେଖାରୁ କୌଣସି ବକ୍ରରେଖାର ଜନ୍ମ ହୋଇ ନାହିଁ । ସେ ସେମିତି ସମାନ୍ତର ଭାବରେ ପଡ଼ିଛି ଆଉ ପଡ଼ିଛି ।

 

ବିକାଶ ଚାଲିଲେ । ରାସ୍ତାର ଗଳି ପରେ ଗଳି ପାର ହୋଇ ପହଞ୍ଚିଲେ ଦୀପାନ୍ୱିତାର ପ୍ରାସାଦ ପାଖରେ । ବହୁ ଆଡ଼ମ୍ବର ଓ ଜାକଜମକରେ ସଜ୍ଜିତ ହୋଇଚି ପ୍ରାସାଦ । ବହୁ କାର୍, ମୋଟର ସାଇକଲ୍‍ରେ ପୂର୍ଣ୍ଣ ହୋଇଯାଇଛି ପ୍ରାସାଦ ସାମ୍ନାର ଉଦ୍ୟାନ । ବହୁ ମଣିଷଙ୍କ ଭିଡ଼ର ଅରଣ୍ୟଭିତରେ ଯିବା, ଆସିବା, ଦିଆନିଆ ଲାଗିଛିହିଁ ଲାଗିଛି ।

 

ସାମାନ୍ୟ କୋଳାହଳ ଭିତରକୁ ପଶି ଆସିଲେ ବିକାଶ । ଶୁଣିଲେ କେହି ଜଣେ କହୁଚି, ଝିଅ କ’ଣ କମ୍ ଜିନିଷ ନେଉଛି କି’ରେ ଭାଇ ? ପ୍ରାୟ ଦି’ଲକ୍ଷ ଟଙ୍କାର ସମ୍ପତ୍ତି ନେଉଛି ।

 

ଅନ୍ୟ ଜଣକ କହୁଚି, ବାପର କ’ଣ ସମ୍ପତ୍ତି ନାହିଁ କି ? ଦି’ ଲକ୍ଷ ଟଙ୍କା କ’ଣ ବେଶି ନେଇଗଲା ? କେମିତି ଜ୍ୱାଇଁ ଯେ, ଆଖି ଝଲସି ଯାଉଛି । ଯେମିତି ରୂପ, ଗୁଣ, ସେମିତି ବିଦ୍ୟା, ବୁଦ୍ଧି । ତାଙ୍କରବି କ’ଣ କମ୍ କି ୟାଙ୍କ ଠାରୁ ? ତାଙ୍କରବି ଅମାର ଫାଟି ପଡ଼ୁଛି । ଆରେ ସମ୍ପତ୍ତିବାଡ଼ି ଯେତିକି, ତା’ଠାରୁ ଟଙ୍କା ପାଉଚି ଅଧିକ ସେତିକି । ମାସକୁ ଦି’ ହଜାର ଶଙ୍କା ପାଉଚି । ଇଞ୍ଜିନିୟର୍ ହୋଇଚି, ଇଞ୍ଜିନିୟର୍ । ବୁଝିଲୁ ?

 

ହଁ, ତୁ ଯାହା କହ ସବୁ ହେଲା ଯେ, ମୁଁ ଶୁଣିଥିଲି ଝିଅର ଚରିତ୍ର କୁଆଡ଼େ ଭଲ ନୁହେଁ ବୋଲି ।

 

ଅନ୍ୟ ଜଣକ ପ୍ରତିବାଦ କଲା । କହିଲା ସଂସାରରେ କାହା ଚରିତ୍ର ଭଲ କହିଲ ? ସମସ୍ତେ ଲୋକଦେଖାଣିଆକୁ ଭଲ ଭଲ । ଭିତରେ ଦେଖିଲା ବେଳକୁ ସମସ୍ତଙ୍କର କିଛି କିଛି ଦୁର୍ଗୁଣ ଥାଏ ।

 

ସମସ୍ତେ ବ୍ୟଗ୍ର ହୋଇ ଉଠିଲେ । ଝିଅ ଗାଡ଼ି ଭିତରକୁ ଉଠିଲାଣି । ସେ ଆଡ଼କୁ ସମସ୍ତଙ୍କ ନଜର । ଅଧିକାଂଶବି ମୁହାଇଲେ ସେ ଆଡ଼କୁ । ଝିଅକୁ ଶେଷ ଥରପାଇଁ ଟିକେ ଦେଖି ନେବେ । ଆଗରୁ ଯେତେ ହଜାର, ଯେତେ ଲକ୍ଷ ଥର ଝିଅକୁ ଦେଖି ଥାଆନ୍ତୁ ପଛକେ, ପର ଆଉ ଆପଣାର ସବୁ ଲୋକଙ୍କ ପ୍ରବୃତ୍ତି ଇଏ ଯେ ଶେଷ ଥରପାଇଁ ଟିକିଏ ଦେଖି ନେବେ ।

 

ଗାଡ଼ି ଷ୍ଟାର୍ଟ୍ ଧରିଲାଣି । ଆସ୍ତେ ଆସ୍ତେ ଗଡ଼ି ଚାଲିଛି । ତା’ ସହିତ ପାଦ ମିଳେଇ ବହୁ ଲୋକ ଚାଲିଛନ୍ତି । ସେ ପାଦ ସହିତ ତାଳ ମିଳେଇବାକୁ ବିକାଶ ବାହାରି ପଡ଼ିଲେ । କିନ୍ତୁ ତାଙ୍କ ପାଦ ଯେମିତି ଆଜି ନିସ୍ପନ୍ଦ ହୋଇ ଯାଇଛି । ଆଉ ତାଙ୍କ ପାଦରେ ବଳ ନାହିଁ । ଆଉ ତାଙ୍କ ଦେହରେ ଶକ୍ତି ନାହିଁ । ସେ ଶକ୍ତି, ସେ ବଳ ସବୁ ଦିନ ଲାଗି କ୍ଷୟ ହୋଇ ଯାଇଛି । ନିଷ୍ପ୍ରଭ ହୋଇ ଯାଇଛି ।

 

Unknown

ଛାତିରୁ ଖାଲି ଅଜସ୍ର କୋହ ଝରୁଛି । ଆଖିରୁ ଲୁହ ଝରାଇବାକୁ ଇଚ୍ଛା ହେଉଛି । ସେ ପାରୁ ନାହାନ୍ତି । ମନ ଭରି କାନ୍ଦିବାକୁ ଚିନ୍ତା କରୁଛନ୍ତି ଅଥଚ ସେ କାନ୍ଦଟାକୁ ଯେମିତି ଆଖିର ବନ୍ଧ ଜୋର କରି ଅଟକାଇ ଦେଉଛି ।

 

ଆଉ ଟିକିଏ ହୋଇଥିଲେ ବିକାଶ ପିଟି ହୋଇ ଯାଇଥାଆନ୍ତେ ଗୋଟାଏ ବିଜୁଳି ଖୁଣ୍ଟରେ । ଭଲ ପାଇ ହାରିଗଲେ ମଣିଷ କ’ଣ ପାଗଳ ହୋଇଯାଏ ? ପ୍ରେମ କଲେ ମଣିଷ କ’ଣ ସବୁ ସ୍ଥିରତା ହରାଇ ବସେ ?

 

ଗାଡ଼ି ଅତିକ୍ରମ କରି ଗଲାଣି । ଗହଳି କୋଳାହଳବି କମି ଆସିଲା ଦେଖଣାହାରିଙ୍କର । ବିକାଶ ସେମିତି ଠିଆ ହୋଇଛନ୍ତି ବିଜୁଳି ଖୁଣ୍ଟକୁ ଆଉଜି । ନିଜର ବ୍ୟତିବ୍ୟସ୍ତ ମନକୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି । ନିଜକୁ ସାନ୍ତ୍ୱନା ଦେଇ ଗତ ସ୍ମୃତିକୁ ସମୟର ନଥିପତ୍ର ଭିତରେ ବାନ୍ଧି ରଖିବାକୁ ଇଚ୍ଛା କରୁଛନ୍ତି । ହେଲେ ସେ ପାରୁ ନାହାଁନ୍ତି ।

 

ଜୀବନର ବ୍ୟବସାୟ ଖାତାରୁ ଲାଭକ୍ଷତି ଆପେଆପେ ବାରି ହୋଇ ପଡ଼ୁଛି । ସେ ଲାଭ, କ୍ଷତିକୁ ବାରମ୍ବାର ନିରୀକ୍ଷଣ କରି ହିସାବନିକାଶ କରିବାରେ ଲାଗିଛନ୍ତି ବିକାଶ । ସେ ହିସାବନିକାଶରେ ସେ ବୁଝି ପାରିଛନ୍ତି ଯେ, ବ୍ୟବସାୟ କରି ତାଙ୍କର କ୍ଷତି ବ୍ୟତୀତ କାଣିଚାଏବି ଲାଭ ହୋଇନାହିଁ । ସେ କ୍ଷତିକୁ କେମିତି ପାଥେୟ କରି ଚାଲିବେ ସେଇଆ ଭାବୁଛନ୍ତି । ସେ ଏତେ ବଡ଼ ନୁକ୍‌ସାନ ବୋଝକୁ କେମିତି ବୋହି ଚାଲିବେ, ଚିନ୍ତା କରୁଛନ୍ତି ।

 

ରାତ୍ରି ମାଡ଼ି ଆସୁଛି । ରାସ୍ତାରେ ସବୁ ବିଜୁଳିବତିଗୁଡ଼ିକ ଜଳିବାକୁ ଆରମ୍ଭ କଲେଣି । ଫେରିବାକୁ ଆଗଭର ହେଲେ ବିକାଶ । କର୍ତ୍ତବ୍ୟର ଆହ୍ଵାନ । ଜୀବନର ସବୁ ଭିତରେ କର୍ମ ଏକ ବିରାଟ ଚକଡ଼ା ମାଡ଼ି ବସିଛି । ସବୁ ଭିତରେବି ମଣିଷ ପ୍ରାଣରେ ସେ ସଞ୍ଚାର କରୁଛି ପ୍ରେରଣା, ଉଜ୍ଜୀବିତ କରୁଛି ବଞ୍ଚିବାପାଇଁ ଆଗ୍ରହ, ଉତ୍ସାହ ।

 

ବିକାଶଙ୍କୁ ବଞ୍ଚିବାକୁ ପଡ଼ିବ । କର୍ତ୍ତବ୍ୟ ଦୃଷ୍ଟିରୁ ସେ କର୍ମ କରୁ ନାହାଁନ୍ତି । ପ୍ରେରଣା, ଆଗ୍ରହ, ଉତ୍ସାହ, ତାଙ୍କ ଭିତରୁ ବହୁ ଦିନରୁ ମରି ଯାଇଛି । କେବଳ ବଞ୍ଚିବାପାଇଁ ସେ କର୍ମ କରୁଛନ୍ତି । ଲୁହ ଝାରିବାପାଇଁ ସେ କର୍ତ୍ତବ୍ୟ କରୁଛନ୍ତି ।

 

ବିକାଶଙ୍କ ଶେଷହୀନ ଚିନ୍ତାର ଉତ୍ତପ୍ତ ନିଃଶ୍ଵାସ ଭିତରେ କେବଳ ଝଡ଼ହିଁ ଝଡ଼ ଗୁମୁରି ଉଠୁଥିଲେ । ସେ ଖାଲି ଲୁହ ବିରୁଦ୍ଧରେ ସଂଗ୍ରାମ କରି କରି ବାଟ ଚାଲୁଥିଲେ ।

 

ବିଗତ ଜୀବନର ଇତିହାସଗୁଡ଼ା କାଳର ପୋଥିପତ୍ର ଭିତରେ, ସମୟର ନଥିପତ୍ର ମଧ୍ୟରେ କ୍ରମଶଃ ଗୁଡ଼ାଇ ହୋଇ ଯାଉଥିଲା ।

 

ଆଜି ଚତୁର୍ଥୀ !

 

ଦୀପାନ୍ୱିତା ଶୁଭଲଗ୍ନର ଚତୁର୍ଥ ଦିବସ ଆଜି । ବହୁ ଆକାଂକ୍ଷା ପ୍ରତୀକ୍ଷାପରେ ଏ ଦିନଟା ମଣିଷ ଜୀବନରେ ଥରକପାଇଁ ଆସେ । ସେଇ ଥରକପାଇଁ ଆସି ଜୀବନ ଇତିହାସର ଫର୍ଦ୍ଦ ଉପରେ ଆଙ୍କିଯାଏ ବହୁ ଅଲିଭା ସ୍ମୃତି । ବହୁ ଅବିସ୍ମରଣୀୟ ଘଟଣା । ହେଲେ ଦୀପାନ୍ୱିତା ଜୀବନରେ ସେ କ’ଣ ଥରକପାଇଁ ଆସିଲା ? ସେ ଆସିଲା ବହୁଥର ପାଇଁ । ଚତୁର୍ଥୀର ଶୁଭଲଗ୍ନ ସମାରୋହରେ ଦୀପାନ୍ୱିତା ତା’ର ସ୍ମୃତିକୁ ଜାବୁଡ଼ି ବାନ୍ଧି ରଖିବାର କିଛି ଅର୍ଥ ପାଇପାରିଲା ନାହିଁ ।

 

ଦୀପାନ୍ୱିତା କାହିଁକି କେଜାଣି ଅର୍ଥହୀନ ହସଟାଏ ହସିଲା । ସେ ହସରେ ଯେମିତି ବହୁ ଯୁଗର ଆଲୁଅ, ଅନ୍ଧକାର ଚିନ୍ତା କାରୁଣ୍ୟ ମିଶ୍ରିତ ଭାବରେ ବିଛେଇ ହୋଇ ପଡ଼ୁଥିଲା !

 

ଚିଠିଟାକୁ ନିବିଡ଼ ଭାବରେ ଜାବୁଡ଼ି ଧରିଲା ଦୀପାନ୍ୱିତା । ନିହାତି ଉତ୍ତେଜିତା ହୋଇ ନିଜ ଛାତି ଉପରେ ଜାବୁଡ଼ି ଧରିଲା । ସେ ମନେ କରୁଥିଲା ତା’ ଜୀବନରେ ବିକାଶକୁ ତା’ ପ୍ରଣୟ ସମୟରେବି ଏମିତି ଭାବରେ ଜାବୁଡ଼ି ଧରି ନଥିଲା କେବେ । ବିକାଶକୁ ହୁଏତ ଏ’ ଦିନ କେତୁଟା ଭିତରେ ଯେମିତି ଭାବରେ ସେ ଅତି ଘୃଣା କରି ବସିଥିଲା, ଆଜି ତା’ର ପତ୍ରକୁ ଶହେ ଗୁଣ ସୂକ୍ଷ୍ମ ସହାନୁଭୂତି ଦେଇ ଟିକ୍‍ଟିକ୍ ଚିରି ଛାତି ଭିତରେ ସାଇତି ରଖୁଛି । କାହିଁକି ? କାହିଁକି ସେ ପତି ଗୃହରେ ଦେଖୁଛି ପ୍ରେମିକର ସ୍ଵପ୍ନ ? ଯେଉଁ ସ୍ମୃତିକୁ ମନର ଏତେ ପ୍ରତ୍ୟୟତା, ଦୃଢ଼ତା ଦେଇ ଭୁଲି ଯାଇଥିଲା, ପୁଣି ସେ ସ୍ମୃତିକୁ ବାନ୍ଧିରଖି ଅକ୍ତିଆରକୁ ଆଣିବାପାଇଁ ମନ ତା’ର ଚାହିଁଲା କେମିତି ? କାହିଁକି ବା ସେ ଇଚ୍ଛା କଲା, ଅତୀତର ପାପପ୍ରଣୟକୁ ବର୍ତ୍ତମାନର ପୂତ ପବିତ୍ରତା ଭିତରେ ସାଇତି ରଖିବାପାଇଁ ? ସବୁ କାହିଁକିର ଉତ୍ତର ସେ ପାଇବ ନାହିଁ । ଯେତେବେଳେ ହୃଦୟର ସମସ୍ତ ଅନୁରକ୍ତି ଅଜାଡ଼ି, ବିକାଶ ଆଗରେ କରିଥିଲା ସେ ପ୍ରଥମ ପ୍ରେମର ନିବେଦନ, ଭକ୍ତିପୂତ ହୃଦୟରେ ଅନ୍ତରର ସମସ୍ତ ଅର୍ଘ୍ୟ ଢାଳି ବାଢ଼ିଥିଲା ପୂଜା ଉପଚାର ଆଉ ତା’ପରେ ସେ ଯେତେବେଳେ ପ୍ରତି ଲୋମକଣା, ଶିରାପ୍ରଶିରାର ଘୃଣା ଦ୍ୱିରୁକ୍ତି ଢାଳି ଅଜାଡ଼ି ଦେଇଥିଲା ବିରକ୍ତି ଭାବ, ଭକ୍ତିପୂତ ବଦଳରେ ବିଛୁରିତ କରିଥିଲା ଦୁଃଖ, ନିନ୍ଦା, କଷାଘାତ, ସେତେବେଳେ ଉଚିତ କି ଅନୁଚିତ କରିଥିଲା ଭୁଲ୍ କି ଠିକ୍ କରିଥିଲା ଏବଂ କାହିଁକି କରିଥିଲା ସେ କାହିଁକିର ଉତ୍ତର ସେ’ତ ସେତେବେଳେ ପାଇ ନଥିଲା, ଆଉ ଆଜି ସେ କାହିଁକିର ଉତ୍ତର ପାଇବ କେମିତି ?

 

ଦୀପାନ୍ୱିତା ପଢ଼ି ବସିଲା ଚିଠିଟାକୁ । ଧଳା କାଗଜ ଭିତରୁ ନୀଳ କାଳିର ଅକ୍ଷରଗୁଡ଼ିକ ବେଶ୍ ସରସ, ସତେଜ ଭାବରେ ବାରିହେଇ ପଡ଼ୁଛନ୍ତି ଖାଲି ଚାହିଁବାକୁ ଆଉ ଚାହିଁବାକୁ ଇଚ୍ଛାହେଉଛି ଅକ୍ଷରଗୁଡ଼ିକୁ । ବାରମ୍ବାର ଆଖିମଳି ଚାହିଁଲା ସେ । ଖୁବ୍ ସୁନ୍ଦର ମନେ ହେଉଛନ୍ତି ଅକ୍ଷରଗୁଡ଼ା । ସେ ଅକ୍ଷରଗୁଡ଼ାକ ସହିତ ଦୀପାନ୍ୱିତା ଯଦିବା ବହୁଦିନରୁ ସଂଶ୍ଳିଷ୍ଟ ଆଉ ଜଡ଼ିତ ତଥାପି ଆଜି କାହିଁକି ବାରମ୍ବାର ନିରେଖି ଦେଖିବାକୁ ସେ ଇଚ୍ଛା କରୁଥିଲା । ଯେମିତିକି ସେଇ କେତେ ପଦ ଭାଷା ଭିତରେ ବିକାଶଙ୍କ ଜନ୍ମ ଜନ୍ମର ସଞ୍ଚିତ ମମତା, ପ୍ରେମ, ଆନ୍ତରିକତା, ନିବିଡ଼ିତା ଦୀପାନ୍ୱିତା ସହିତ ମୁହ ଫିଟାଇ କଥାଭାଷା କରୁଥିଲେ ! ଆତ୍ମ ନିବେଦନ କରୁଥିଲେ‌, ଦୀପାନ୍ୱିତା, ବହୁଦିନର ସେଇ ପୁରୁଣା ଅଭ୍ୟାସ ଏ’ଯାଏଁବି ଛାଡ଼ିପାରିନାହିଁ । ପୁଣି ଲେଖୁଛି ।

 

ତମ ବିବାହ ଉତ୍ସବରେ ଯୋଗଦେବାକୁ ମୋର ଆଉ ସାହସ ଧୈର୍ଯ୍ୟ ନଥିଲା । ତେଣୁ ଯୋଗ ଦେଲି ନାହିଁ । ଏଥିପାଇଁ ମତେ ତମ ହୃଦୟର ନିଭୃତ କୋଣରୁ ବିନ୍ଦୁଟିଏ କ୍ଷମାର ଜଳଦେଇ ଶାନ୍ତ କରାଇବ ! ବିଦାୟର ଶେଷ ମୁହୂର୍ତ୍ତରେ ତମକୁ ଶେଷ ଦେଖାକରିପାରିଲି ନାହିଁ । ଜୀବନରେ ତମେ ମତେ ପ୍ରତାରିତ ପ୍ରତ୍ୟାଖ୍ୟାନ କରି ଚାଲିଯାଇଛ, ଏ’କଥା ମୁଁ ଭାବି ନଥିଲି ଏବେବି ମନେକରୁଛି ଦୀପାନ୍ୱିତା, ତମର ନିଃଶ୍ଵାସ, ପ୍ରଶ୍ଵାସ ମୋ’ ଦେହର ପ୍ରତ୍ୟେକ ସ୍ତରରେ ତା’ର ସ୍ଥିରତା ରକ୍ଷା କରି ପ୍ରବାହିତ ହେଉଛି ! ମୋ’ ଦୃଷ୍ଟିର କୋଣ ବିସ୍ତାର କରି ମୁଁ ଏବେବି ଚିନ୍ତାକରୁଛି ତମେ ଯେମିତି କାୟା ସଙ୍ଗେ ଛାୟାପରି ମୋ’ ପାଖେପାଖେ ଅଛ ମତେ ଜଗିରହି ! ମୋ’ ଭିତରେ ବଞ୍ଚିଛ-

 

କେବଳ ଏତିକି ଦୁଃଖ କରୁଛି ଦୀପାନ୍ୱିତା ମୁଁ ତମ ଜୀବନ ପଥରେ ଆଲୋକ ହୋଇ ପ୍ରଥମେ ଜଳି ନଥିଲି, ତମେ ମୋ’ ଜୀବନ ପଥରେ ଜ୍ୟୋତ୍ସ୍ନା ହୋଇ ପ୍ରଥମେ ଜଳିଥିଲ । ବିଚାରିଥିଲି ସେ ଜ୍ୟୋତ୍ସ୍ନା ପକ୍ଷ ଅନୁସାରେ ଡୁବି ଯାଇଛି । ପୁଣି ପକ୍ଷ ଅନୁସାରେ ଶତଗୁଣେ ନିର୍ମଳ ହୋଇ ଜଳି ଉଠିବ । ହେଲେ ସେ ଜ୍ୟୋତ୍ସ୍ନା ସବୁଦିନପାଇଁ ଡୁବିଯାଇଥିଲାହିଁ ଡୁବି ଯାଇଥିଲା । ଆଉ ଆଦୌ ଉଦୟ ହେବନାହିଁ । ହେଲେ ଦିପାନ୍ୱିତା, ମୁଁ ଏ’ଯାଏଁବି ବୁଝିପାରିଲି ନାହିଁ, ମୋର କେଉଁ କାରଣ ଯୋଗୁଁ ଏତେବଡ଼ ଜ୍ୟୋତ୍ସ୍ନା ଅସ୍ତମିତ ହୋଇଗଲା । ମୋର କେଉଁ ପ୍ରାୟଶ୍ଚିତ୍ତହୀନ ଅପରାଧ ଯୋଗୁଁ ସାରା ଜୀବନ ଅକ୍ଷମଣୀୟ, କଣ୍ଟକିତ ଜୀବନ ଲାଭ କରି ମଲାପରି ବଞ୍ଚିବାକୁ ପଡ଼ିଲା ।

 

ଦୀପାନ୍ୱିତା ! ତମେ ମତେ ପ୍ରତ୍ୟାଖ୍ୟାନ କରି ଯିବାପରେ ମୁଁ ଆଜି ଭାବୁଛି, ତମେ ଉଚିତ କରିଛ । ବୁଦ୍ଧିମତ୍ତାର କାର୍ଯ୍ୟ କରିଛ ମତେ ପ୍ରତାରିତ କରି । ଯେତେବେଳେ ହୁଏତ ମୋ’ ସ୍ଵାର୍ଥର ଜ୍ୱଳନରେ ମୁଁ ଜଳି ଉଠୁଛି, ଈର୍ଷ୍ୟାପର ହୋଇ ଉଠୁଛି, ସେତେବେଳେ ଭାବୁଛି, ତମେ ମୋ ଜୀବନକୁ ତିଳତିଳ ଦଗ୍ଧୀଭୂତ କରାଇ ଚାଲିଗଲ । ସେତେବେଳେ ମୁଁ ବିବେଚନା କରୁଛି, ମୋ’ ଜୀବନର ସମସ୍ତ ଓଜ, ସରସତା ନଷ୍ଟ କରି, ଧ୍ୱସ୍ତବିଧ୍ୱସ୍ତ କରି, ମୋ’ କୋମଳ ପୁଷ୍ପିତ ପ୍ରାଣକୁ ଏକ ରୁକ୍ଷ ମରୁଭୂମିରେ ପରିଣତ କରି ଚାଲି ଗଲ ! କିନ୍ତୁ ଯେତେବେଳେ ମୁଁ ପୂର୍ଣ୍ଣ ବାସ୍ତବତା ଭିତରକୁ ଫେରି ଆସୁଛି, ସେତେବେଳେ ମୁଁ ଆଉ ସିଜୁ, ନାଗଫେଣୀର କଣ୍ଟାବିଦ୍ଧ ମୋ’ ଜୀବନ କଥା ଭାବୁନାହିଁ, ଭାବୁଛି ଗୋଲାପ, ମଲ୍ଲୀ ପୁଷ୍ପିତ ତମ ଜୀବନର ସୁଖସ୍ଵପ୍ନ କଥା । ବାସ୍ତବିକ ତମେ ମତେ ପରିତ୍ୟାଗ କରି ଯେ ନିଶ୍ଚିତ ଆଶାହୀନ ସୁଖୀ ହୋଇ ପାରିଚ, ପାରିବ, ମୁଁ ନିଃସନ୍ଦେହ, ନିର୍ଦ୍ୱନ୍ଦ୍ୱରେ ଅନୁମାନ କରି ନେଇଚି । ନେଉଚି !

 

ମୋ ଦୀପାନ୍ୱିତା ! ତମେ ମୋର ହୋଇ ଚିରଦିନ ରହିଥିଲେ ହୁଏତ ଏ’ ସୁଖ, ସମ୍ଭୋଗରୁ ବଞ୍ଚିତ ହେଇଥାଆନ୍ତ । ମୁଁ ଜଣେ ଭାଗ୍ୟହୀନ ଦରିଦ୍ର, ନିଃସ୍ଵ ଶିଳ୍ପୀ । ମୋ’ ଜୀବନର ଟିକିନିଖି କାହାଣୀ ତମ ପ୍ରାଣର ପୋଥିଖାତା ଭିତରେ ଲେଖା ରହିଛି । ମୁଁ କ’ଣ ବା ଦେଇ ଥାଆନ୍ତି ତମକୁ ? କେବଳ ସାଧାରଣ ଟିକିଏ ସ୍ନେହ, ମମତା, ଆନ୍ତରିକତା ଓ ପ୍ରେମ । ଏ’ କ’ଣ ତମର ଜୀବନ ଏତେଟା ମଧୁମୟ କରି ତୋଳି ପାରି ଥାଆନ୍ତା ? ଏ’ କ’ଣ ତମ ପ୍ରାଣର ବିରାଟ ସମୁଦ୍ରକୁ ଗୋଟାଏ ବିନ୍ଦୁ ଜଳ ପୂର୍ଣ୍ଣ କରି ପାରିଥାଆନ୍ତା ? ବରଂ ତମେ ଅଧିକ ଦୁଃଖିତା, ଲାଞ୍ଛିତା, ଭର୍ତ୍ସିତା ହୋଇ ଅତି ନିର୍ଯାତିତା ଭାବରେ ବଞ୍ଚି ଥାଆନ୍ତ ମୋ’ପାଇଁ । ମୋ’ରି ସମ୍ମାନପାଇଁ । ମୋ’ରି ସୁଖ ଶାନ୍ତିପାଇଁ ।

 

କିନ୍ତୁ ସେ କଥା ତମେ କରିନ, ମୁଁ ବହୁତ ପରିମାଣରେ ଖୁସି । ମୁଁ ଏତେ ପରିମାଣରେ ଖୁସି ଯେ, ତମକୁ ଚିଠିରେ ଲେଖି କେମିତି ବୁଝେଇବି, ଭାବିପାରୁନି । ତେଣୁ ତମେ ମୋ ଖୁସିଟାକୁ ମୁଁ ଯେମିତି ଭାବରେ ଅନୁଭବ କରୁଛି, ତମେ ସେମିତି କରିବ ବୋଲି ଅନୁରୋଧ କରୁଛି ।

 

ଦୀପାନ୍ୱିତା ! ବିବାହ ଉତ୍ସବରେ ଯୋଗଦେଇ ନଥିଲେ ମଧ୍ୟ ଏମିତି ବାହାରେ ବାହାରେ ରହି ତମ ସ୍ଵାମୀଙ୍କର ରୂପ, ଗୁଣର ପ୍ରଶଂସା ଶୁଣିବାର ସୁଯୋଗ ପାଇଛି । ତମେ ଯେ ଏ’ ଦୃଷ୍ଟିରୁ ନିଶ୍ଚୟ ସୌଭାଗ୍ୟବତୀ, ଏଥିରେ କିଛି କହିବାର ନାହିଁ । ତମ ସ୍ୱାମୀ ଇଞ୍ଜିନିୟର୍ । ଶିକ୍ଷିତ । ରୂପବାନ୍ । ଗୁଣବାନ୍ । ସ୍ଥିତିବାନ୍‍ । ଆଉ ତମେ କେମିତି ସ୍ଵାମୀ ଆଶା କରୁଥିଲ, କହିଲ ? ମନମୁତାବକ ସ୍ଵାମୀ ପାଇବା ପରେବି ତମେ ଯଦି ଅସନ୍ତୁଷ୍ଟ ହୁଅ, ତେବେ ମୁଁ ଦୁଃଖିତ ହେବି ।

 

ମୁଁ ଜାଣୁଛି, ତମେ ମତେ ନିହାତି ନିହାତି ଭାବରେ ଘୃଣା କରିଛ ଆଗରୁ ଏବଂ ଘୃଣାକୁ ଏବେ ମଧ୍ୟ ଅନ୍ତର ଭିତରେ ସ୍ଥାନ ଦେଇ ରଖିଥିବ । ତେଣୁ ମୁଁ ଅନୁରୋଧ କରୁଛି ସେଇ ଘୃଣାକୁ ତମେ ଏଭଳି ଭାବରେ ଆହୁରି ବଢ଼େଇ ଦିଅ ଯେ ଯେମିତି କି ମୋ’ ଜୀବନର ଚିତ୍ର ତମ ମନର ଚିତ୍ରପଟରୁ ସବୁଦିନ ପାଇଁ ଲିଭିଯାଏ ! ମୁଁ ଅନୁଭବ କରିପାରୁଛି, ତମେ ଯେତେ ଘୃଣା କରୁଥିଲେବି ମୋ’ ଚିତ୍ରକୁ ତମ ମନ ଭିତରେ ସାଇତି ରଖି ନଥିଲେବି ତମ ଅତୀତ ପ୍ରଣୟର ସ୍ମୃତିକୁ କେବେ ଭୁଲିନାହଁ, କେବେବି ଭୁଲିପାରିବ ନାହିଁ; ଏ କଥା ମୁଁ ଜଣେ କଳାକାର ଭାବରେ ନୁହେଁ, ଜଣେ ପୋଖତ ପ୍ରେମିକ ଭାବରେ ଅନୁଭବ କରିବାର ଶକ୍ତି ହାସଲ କରି ଦୃଢ଼ ଭାବରେ କହୁଛି ।

 

ତମ ସ୍ଵାମୀଙ୍କର ବିପୁଳ ଐଶ୍ୱର୍ଯ୍ୟ ଅଛି । ବିରାଟ ପ୍ରାଚୁର୍ଯ୍ୟ, ଅର୍ଥଭରା ତ୍ରିତଳପ୍ରାସାଦ ଭିତରେ ସ୍ୱାମୀଙ୍କର ବଳିଷ୍ଠ ବପୁ ଓ ବାହୁତଳେ ନିରାପଦରେ ତମେ ବଞ୍ଚି ପାରିବ ଦୀପାନ୍ୱିତା, ଏତିକି ମୁଁ ଦ୍ଵିଧାହୀନ କଣ୍ଠରେ ପ୍ରକାଶ କରୁଛି ! ତେଣୁ ଅତୀତକୁ ସମ୍ପୂର୍ଣ୍ଣ ଭୁଲିଯାଇ ବିକାଶ ଭଳି ଜଣେ ଅନାମଧେୟ, ଅପାଂକ୍ତେୟ ଦରିଦ୍ର ଶିଳ୍ପୀକୁ ବିସ୍ମୃତିର କବରତଳେ ପୋତି ପକାଇବା ପାଇଁ କୌଣସି ଅହେତୁକ ଲଜ୍ଜା ପ୍ରକାଶ କରିବନି !

 

ଏ’ ସଂସ୍କାର କେବଳ ଅର୍ଥର ସଂସାର । ବିପୁଳ ପ୍ରାଚୁର୍ଯ୍ୟ ଐଶ୍ୱର୍ଯ୍ୟର ସଂସାର । ଏ’ ସଂସାରରେ ଯାହାର ଅର୍ଥ ନାହିଁ, ସେ ନାମହୀନ, ଗନ୍ଧହୀନ, ରୂପହୀନ, ଗୁଣହୀନ, ବିଭବହୀନ ହୋଇ ବଞ୍ଚେ । ସେ ବଞ୍ଚିବାର ଆଶୀର୍ବାଦ ଯିଏ ଲାଭ କରେ, ସେ ହୁଏ ପଥର ଭିକ୍ଷୁକ, ନିରାଶ୍ରିତ ନିଃସ୍ଵ ଓ ଦରିଦ୍ର । ସେ ବଞ୍ଚିବାର ଅଭିଶାପ ଯିଏ ଲାଭ କରେ, ସେ ହୁଏ ଧନବାନ୍‍, ଶିଳ୍ପପତି, କୋଟିପତି, ପୁଞ୍ଜିର ମାଲିକ ।

 

ଠିକ୍ ଯେମିତି ସେ ବଞ୍ଚିବାର ଆଶୀର୍ବାଦ ମୁଁ ପାଇଥିଲି, ମୁଁ ହେଲି ପଥର ଭିକ୍ଷୁକ । ନିରାଶ୍ରିତ, ଦରିଦ୍ର । ସେ ବଞ୍ଚିବାର ଅଭିଶାପ ତମେ ପାଇଥିଲ, ତମେ ହେଲ ଧନିକା, ବହୁ ଅର୍ଥର ଅଧିକାରିଣୀ !

 

ଦୀପାନ୍ୱିତା ! ତମ ସ୍ଵାମୀଙ୍କର ମୋଟର ଗାଡ଼ି, ସ୍କୁଟର୍ ଅଛି । ସେଥିରେ ସେ ତମକୁ ବସାଇ ପୃଥିବୀସାରା ବୁଲାଇ ଆଣିବେ । ଏହା ଠାରୁ ଗୌରବ ଆଉ ଗର୍ବ ଜଣେ ନାରୀ ପାଖରେ ଅଧିକ କ’ଣ ଥାଇପାରେ ?

 

ପ୍ରତ୍ୟେକ ନାରୀ ଚାହେଁ ସୁଖ ସମ୍ଭୋଗ, ବିଳାସ ବ୍ୟସନ । ଆତ୍ମସମ୍ମାନ ପଦମର୍ଯ୍ୟାଦା । ପ୍ରତ୍ୟେକ ନାରୀ ଚାହେଁ ତା’ର ସ୍ଵାମୀ ରୂପବାନ୍‍, ଗୁଣବାନ୍‍, ସ୍ଥିତିବାନ୍‍ ହେଉ । ଯେଉଁ ମଣିଷର ସୁଖ ସମ୍ଭୋଗ ବିଳାସ ବ୍ୟସନ, ପଦମର୍ଯ୍ୟାଦା ନଥାଏ ତା’ର ବିବାହିତ ଜୀବନ ବହୁ ଝଡ଼ର ଦୁର୍ବିସହରେ ଭାରାକ୍ରାନ୍ତ ହୋଇପଡ଼େ । ଯେଉଁ ମଣିଷ ରୂପବାନ୍‍, ଗୁଣବାନ୍‍, ସ୍ଥିତିବାନ୍‍ ନୁହେଁ, ସେ ମଣିଷ ପୁରୁଷ ହୋଇପାରେ, ସ୍ଵାମୀ ହେବାର ଯୋଗ୍ୟତା ତା’ ଠାରେ ଖୁବ୍ କମ୍ ଥାଏ । ଯାହା କି ମୋ’ ଠାରେ ଥିଲା ଦୀପାନ୍ୱିତା । ଯେଉଁଥିଲାଗି ମୁଁ ତୁମକୁ ହରାଇ ବସିଲି ଓ ତମେ ମତେ ।

 

ଅନେକ ଲେଖିଲିଣି । ବୋଧହୁଏ ପଢ଼ିବାକୁ ତମର ସମୟ ନଥିବା ସମୟ ଥିଲେବି ଇଚ୍ଛା ନଥିବ । ସୀମନ୍ତ ସିନ୍ଦୂର, ଟିପିଟିପି ଚନ୍ଦନ ଚିତା, ଦୂବ ପଟି, ଅଷାଢ଼ୁଆ ସୂତାରେ ବାନ୍ଧିହୋଇ ତମ ନୂତନ ଜୀବନସାଥୀର ଜୀବନକୁ ଆକୃଷ୍ଟ କଲାଭଳି ତମେ ନିଜକୁ ପ୍ରସ୍ତୁତ କରୁଥିବ !

 

ଛାଡ଼, ଅତୀତରୂପୀ ପ୍ରେତାତ୍ମାକୁ ତା’ର କବର ଭିତରୁ ଆଉ ଉଠାଅ ନାହିଁ । ସେ ନିଶ୍ଚିନ୍ତରେ ସବୁଦିନ ପାଇଁ ସେଠି ବିଶ୍ରାମ ନେଉ । ମହାନିଦ୍ରାରେ ସେ ଚିରଶାନ୍ତି ଲାଭ କରୁ ।

 

ହଁ ତୁମକୁ ଆଉ ଏକ ବଡ଼ ଅନୁରୋଧ ତମ ଦେହ, ରକ୍ତ, ମାଂସ ସୃଷ୍ଟିରେ ଯେଉଁ ନୂତନ ଜନ୍ମ ଦେଖିବାର ମୋର ଏକାନ୍ତ ଇଚ୍ଛା ଥିଲା, ତାହା ତ ଏ’ଜନ୍ମରେ ପୂର୍ଣ୍ଣ ହୋଇ ପାରିଲା ନାହିଁ । ତେଣୁ ତମେ ଯେଉଁ ନୂତନ ସୃଜନଶୀଳ ପ୍ରତିଭାକୁ ଜନ୍ମ ଦେବ ତାକୁ ଅନ୍ତତଃ ମୋ’ କୋଳରେ ଧରାଇବାର ସୁଯୋଗ ଦେବାପାଇଁ ଅନାଗ୍ରହ ପ୍ରକାଶ କରିବ ନାହିଁ ବା ଭୁଲି ଯିବନାହିଁ ।

 

ତମ ନିକଟକୁ ଲେଖିଥିବା ସବୁପତ୍ର ସମ୍ପର୍କରେବି ଲେଖୁଛି । ସେଗୁଡ଼ିକ ଚିରି ପୋଡ଼ି ନଷ୍ଟ କରି ଦେଲେ ଭଲ ହେବ । କାରଣ ତମ ଭବିଷ୍ୟତ ଜୀବନର ଏହା ତମକୁ ବିପଦଗାମିନୀ କରାଇବ ସିନା କୌଣସି ଆଦର୍ଶବାଦର ସ୍ୱର ଉତ୍ତୋଳନ କରି ଠିଆ କରାଇବ ନାହିଁ । ତେଣୁ ଅନୁରୋଧ କରୁଚି ଏ ସମ୍ପର୍କରେ ତମେ ବିଶେଷ ସଚେତନ ରହିବ । ଜାଗ୍ରତ ରହିବ ନିଶ୍ଚୟ ।

 

ଦୀପାନ୍ୱିତା, ଏ ଜନ୍ମଟା ମୋର ଅକାରଣରେ ନଷ୍ଟ ହୋଇଗଲା । ତଥାପି ମୁଁ ଦୁଃଖିତ ନୁହେଁ । ମୋ ଜନ୍ମପାଇଁ ମୁଁ ନିଜେ ଦାୟୀ ଏବଂ ଦାୟୀ ମୋର ଭାଗ୍ୟ । ଥରେ ଭାଗ୍ୟର ଶବ୍ଦ ଉଚ୍ଚାରଣ କରିଥିଲି ବୋଲି ତମେ ପ୍ରତିବାଦର ସ୍ୱର ତୋଳି ବହୁ ନିର୍ଦ୍ଦେଶ, ଉପଦେଶ ଦେଇଥିଲ । ଆଜି କିନ୍ତୁ ସେ ସତ୍‌ସାହସ ତମର ଆଉ ନଥିବ ବୋଲି ଭାବୁଛି ।

 

ତମେ ମୋ’ ଠାରୁ ବିଚ୍ଛିନ୍ନ ହୋଇ ସୁଖୀ ହୋଇ ପାରିଚ ଶୁଣିଲେ ମୁଁ ଅନ୍ତତଃ ବହୁତ ଖୁସି ହେବି । ଆଉ ସେ ଖୁସିଟା ଯେଉଁ ଦିନ ତୁମକୁ ମୁଁ ଭେଟିବି, ତମ ସ୍ୱାମୀଙ୍କ ଉପସ୍ଥିତିରେ ପ୍ରଥମ କରି ସେ ଦିନ ହୁଏତ ବିବାହ ପରେ ଦ୍ୱିତୀୟ ସାକ୍ଷାତରେ) ତମକୁ ଉପହାର ଦେବି ।

 

ୟା’ ପୂର୍ବରୁ ତ ମତେ ସମ୍ପୂର୍ଣ୍ଣ ଭୁଲି ଯାଇଛ ବୋଲି ଶୁଣିଲି । ମୋ ଜୀବନପାଇଁ ତମର ଆଦୌ ଚିନ୍ତା ନାହିଁ ବୋଲି ଜାଣି ନିଶ୍ଚିନ୍ତ ହେଲି । ଏବେ ଆହୁରି ସମ୍ପୂର୍ଣ୍ଣ ଭାବରେ ଭୁଲି ଯିବ ବୋଲି ମୁଁ ମୋ ତରଫରୁ କହି ରଖୁଛି ।

 

ତମରି ମଙ୍ଗଳ, ଶୁଭକାମନା ମୋ’ ଜୀବନର ଏକାନ୍ତ କାମ୍ୟ । ଏ’ ସିନ୍ଦୂର ଆଉ କାଚ ମୁଠାକ କାହିଁକି ପଠାଇଲି ଜାଣିଛ ? ତମକୁ ଆଉ ପାଇବାର ଲାଳସା ନେଇ ନୁହେଁ, ତମକୁ ଆଉ ଏକାନ୍ତ ଆପଣାର କରିବାର କାମନା ଧରି ନୁହେଁ । ଏ’ କାଚ ଆଉ ସିନ୍ଦୂର ମୁଠାକ ଏଇଥିପାଇଁ ପଠାଇଲି ଯେ ତମେ ବହୁ ଦିନ ଧରି ମୋ ହୃଦୟର ନିଭୃତ କୋଣରେ ତମ ପ୍ରେମ, ମମତାକୁ ସଂଚୟ କରି ରଖିଥିଲ । ତା’ ପ୍ରତିଦାନରେ ମୁଁ ତମକୁ ବହୁବାର ଏଇ କାଚ ସିନ୍ଦୂର କେତେ ମୁଠା ଦେଇଥିଲି ଏବଂ ସେ କାଚ ସିନ୍ଦୂର କେତେ ମୁଠା ଭିତରେ ଦେଇଥିଲି ତମକୁ ପାଇବାର ଅଦମ୍ୟ ଲାଳସା । ଅତୃପ୍ତ କାମନା । ଯେଉଁ ଲାଳସା ଯେଉଁ କାମନା କି ଆଜି ହଜିଲା ଦିନର କଳା ସିନ୍ଦୂର ପେଡ଼ିରେ । ସେ କଳା ସିନ୍ଦୂର ପେଡ଼ିକୁ ତମେ ତମ ସାଥିରେ ନେଇ ଯାଇଛ ବୋଲି ମୁଁ ଅନୁମାନ କରୁଛି । ମୁଁ ତ ଠିକ୍‍ରୂପେ ଜାଣେ ନାହିଁ ତମେ ତାକୁ ସାଥିରେ ନେଇଛ କି ନାହିଁ । ସନ୍ଦିହାନ ହୋଇ ତେଣୁ ଏ’ ସିନ୍ଦୂର ଆଉ କାଚ ମୁଠାକ ପଠାଇଲି ସେ ଦିନର କାଚ ଆଉ ଆଜିର କାଚ ଭିତରେ ବ୍ୟବଧାନର ମାନ ନିର୍ଦ୍ଧାରିତ କରି ।

 

ଏ’ ଜନ୍ମରେ ତ ତମକୁ ପାଇଲିନି । ତମେ ଅନ୍ୟର ହୋଇଯିବାର କିଛି ସମୟ ପୂର୍ବରୁ ତମକୁ ସ୍ମରଣ କରାଇ ଦେଉଛି ଯେ, ତମେ ଏ’ ଜନ୍ମରେ ତ ମୋର ହୋଇ ପାରିଲନି । ଆଗାମୀ କେତେ ଜନ୍ମ ଧରି ମୋ’ପାଇଁ ତମେ କେବଳ ଜନ୍ମ ହେବ । ଆଉ ସେ ଜନ୍ମରେ ଯେମିତି ଭୁଲି ନ ଯିବ ମତେ, ଯେ ମୁଁ ତମର ଏକଦା କେଉଁ ଜନ୍ମରେ ପ୍ରେମିକ ଥିଲି । ତେଣୁ ଏ’ ସିନ୍ଦୂର ଆଉ କାଚ ମୁଠାକ ତମର ସ୍ମୃତି ସଂକେତ ଆଉ ମୋର ସ୍ମାରକୀ ସନ୍ତକ । ଏତିକିରେ ରହିଲି । ଇତି ।

 

ତମର ଭାଗ୍ୟହୀନ-ଶିଳ୍ପୀ-ବିକାଶ ଦୀପାନ୍ୱିତା ପଲଙ୍କ ଉପରେ ବସି ବସି ପଥର ପାଲଟି ଯାଇଛି । ଜଡ଼, ନିର୍ବାକ୍‍, ନିସ୍ପନ୍ଦ ଭାବରେ ଅହଲ୍ୟା ସମାନ କାହାର ଅଭିଶାପକୁ ନିଜର ମସ୍ତକ ଉପରେ ଲେପି ଦେଇ ରାମଚନ୍ଦ୍ରଙ୍କ ପ୍ରତୀକ୍ଷାରେ ବସିଛିହିଁ ବସିଛି ।

 

କାନ୍ଥ ଘଣ୍ଟା ରାତି ଦି’ଟାର ସୂଚନା ଦେଲା । ଆଲାରାମ୍ ଆବାଜରେ ଚମକି ଉଠିଲା’ ଦୀପାନ୍ୱିତା । ବିରାଟ କୋଠରୀର ଶୂନ୍ୟତା ନିର୍ଜନତାକୁ ଆହୁରି ବେଶି ପରିମାଣରେ ବଢ଼ାଇ ଦେଉଛି ।

 

କୋଠରୀର ଚତୁର୍ଦ୍ଦିଗରେ ଦୃଷ୍ଟି ବୁଲାଇ ଆଣିଲା ଦୀପା । ବାହାଘରର କୋଳାହଳ ଯଦିଓ ପୂରାପୂରି କମି ନାହିଁ, ତେବେ ରାତି ଅଧିକ ହୋଇଯାଇଥିବାରୁ କିଛି ପରିମାଣରେ ନିର୍ଜନତା ଆସି ଯାଇଛି । କ୍ଳାନ୍ତ ହୋଇ କିଏ କୁଆଡ଼େ କେତେ ଶୋଇ ଗଲେଣି । ବାହାଘର ପରେ ଆଖପାଖର ଅନେକ ଆତ୍ମୀୟସ୍ୱଜନ, ଅତିଥିବି ଫେରି ଯାଇଛନ୍ତି ।

 

ରାତିର ନିର୍ଜନତା ସମସ୍ତଙ୍କ କ୍ଳାନ୍ତିକୁ କିଛି କିଛି ପରିମାଣରେ ବଢ଼େଇ ଦେଇଛି । ଦୀପାନ୍ୱିତାବି ବହୁ କ୍ଳାନ୍ତି ଅନୁଭବ କଲାଣି । କିନ୍ତୁ ସତ୍ୟବ୍ରତ ! ସେ କ’ଣ ଏ ପର୍ଯ୍ୟନ୍ତ କ୍ଳାନ୍ତି ଅନୁଭବ କରି ନାହାଁନ୍ତି ? ରାତ୍ରିର ନିର୍ଜନ ପ୍ରହରରେବି ସେ କ’ଣ କାର୍ଯ୍ୟ ତତ୍ପର କର୍ମମୁଖର ଅଛନ୍ତି ? କାଇଁ ନା ତ ! ତେବେ କୁଆଡ଼େ ଗଲେ ସେ ? କୁଆଡ଼େ ଗଲେ ତା’ର ଜନ୍ମ ଜନ୍ମର ସାଥୀ ? ସ୍ୱାମୀର ଭୂମିକାରେ ଠିଆ ହୋଇବି ସେ କ’ଣ ଏତେ ଟିକିଏ ଖିଆଲ କରି ପାରି ନାହାଁନ୍ତି ଯେ ତାଙ୍କ ଦୀପାନ୍ୱିତା ତାଙ୍କୁ ବହୁ ବେଳରୁ ପ୍ରତୀକ୍ଷମାଣ ହୋଇ ଚାହିଁ ବସିଥିବ ।

 

ଦୁଇ ଘଣ୍ଟା ତଳେ ଶାଶୁ ରମା ଦେବୀ ଆସି ଦୀପାନ୍ୱିତାକୁ ବୁଝାଇ କହିଲେ, ତୁ’ ବ୍ୟସ୍ତ ହେବୁନି ମା’ । ସେ ସିନା କର୍ମ ଜଞ୍ଜାଳ ଦୃଷ୍ଟିକୋଣରୁ ବାହା ହେଲା । କର୍ତ୍ତବ୍ୟର ଭାରାକ୍ରାନ୍ତରୁ ରକ୍ଷା ପାଇବାପାଇଁ ତାକୁ ବାହା ହେବାକୁ ପଡ଼ିଲା । ହେଲେ ତା’ ପିଲା ମନକୁ କ’ଣ ବୁଦ୍ଧି ଆସିଲାଣି ? ତା’ ମନକୁ ତୁ’ ବୁଦ୍ଧି ଆଣିବୁ । ଘରେ କେହି ନାହାଁନ୍ତି । ତୋ ଦିଅର ସୁବ୍ରତ । ମେଡ଼ିକାଲ୍ ପଢ଼ୁଛି ।

 

ମୁଁ ଏକା ବୁଢ଼ୀ ମଣିଷ । କେମିତି ସମ୍ଭାଳିବି ଏତେବଡ଼ ଘରକୁ ? ବାହା ହେବାପାଇଁ ତାକୁ ବାଧ୍ୟ କଲି । ସେ କିନ୍ତୁ ମୋଟେ ରାଜି ନଥିଲା । ତାକୁ ବହୁତ ଲଗେଲ ଲଗେଇ ବୁଝେଇ ଶୁଝେଇ ବାହା କରେଇଚି । ହେଲେ ତାକୁ କ’ଣ ମୁହୂର୍ତ୍ତେ ଫୁରୁସତ୍‌ ଅଛି ? ଏବେ କିଏ ଜଣେ କ’ଣ ଅଫିସ୍ କାମରେ ଜରୁରୀ ଭାବରେ ଡକେଇ ପଠାଇଲା ଯେ ଯାଇଛି । ଛୁଟି ନେଲେବି କ’ଣ ତାକୁ ରଖେଇ ଦେଉଛନ୍ତି ? ସାରା ଅଫିସ୍‍ଟାର କାମ ତ ୟା’ ଉପରେ ନିର୍ଭର କରୁଛି ନା ! ଅଫିସ୍‌ର ସବୁଠୁ ବଡ଼ ଅଫିସର ପରା ! ନଗଲେ କ’ଣ ଚଳିବ ? କେତେ ବେଳୁ ଗଲାଣିମ ମା’ ! ଫେରି ଆସୁଥିବ । ଗଲାବେଳେ କହି ଯାଇଥିଲା, ବୋଉ ଦୀପାକୁ କହିବୁ, ବ୍ୟସ୍ତ ହେବନାହିଁ । ମୁଁ ଅଧଘଣ୍ଟାଏ ଭିତରେ ଫେରି ଆସିବି ।

 

ତୁ’ ଶୋଇ ପଡ଼ ମା’ । କେତେ ସମୟ ତାକୁ ଚାହିଁ ବସିବୁ ? ସେ ବଳେ ଆସି ତୋତେ ଡାକିବନିକି ? ମୁଁ ଆଉ ଠିଆ ହୋଇ ପାରୁନିଲୋ ମା’ ! ଏକୁଟିଆ ମଣିଷକୁ ଆଜି ଦିନସାରା ଏପଟ ସେପଟ ହେଇ ହେଇ ମୋ’ ଅଣ୍ଟା, ପିଠି ବଥେଇ ଗଲାଣି । ମୁଁ ଯାଏଁ ଟିକିଏ ଶୋଇ ପଡ଼େ ।

 

କାନିରୁ ପାନ ଖିଲଟାଏ ଫିଟେଇ କଳରେ ଯାକି କହି କହି ଚାଲିଗଲେ ଶାଶୁ ।

 

କିଛି ସମୟ ତଳେ ସୁବ୍ରତ ଆସିଥିଲେ । ସାନ ଦିଅର ତା’ର । ବହୁ କଥା କହିଗଲେ ପରିହାସ ଛଳରେ । ନୂଆବୋଉ, ମୁଁ ମନଲାଖି ନୂଆବୋଉଟାଏ ମୋର ବାଛି ଆଣିଛି ଭାଇଙ୍କପାଇଁ-। ଆଉ ତମପାଇଁ କ’ଣ ଆଣିଛି ଜାଣିଛ ? ଏକଦମ୍ ସଂବାଳୁଆ ପୋକ । ଭାଇଙ୍କ ସେଇ ସଂବାଳୁଆ ନିଶ ପଟାକ ତମ ଦେହରେ ବାଜିଲେ ନା ଦେହର ଚାରିଆଡ଼େ କୁଣ୍ଡାଇ ହୋଇ ଉଠିବ । ବୁଝିଲ !

 

ଦୀପାନ୍ୱିତା ତା’ର ଓଠ କୋମଳତାରେ ପୂରି ଉଠୁଥିଲା । ରକ୍ତିମତାରେ ଭରି ଉଠୁଥିଲା । ଓଠ ପାଖୁଡ଼ା ଖାଲି ଥରଥର ହୋଇ ଥରୁଥିଲା । ହସୁଥିଲା ଦୀପାନ୍ୱିତା ଅଜଣା ସଂକୋଚ ଓ ଲଜ୍ଜାରେ ।

 

ଲାଜ କରୁଛ ନୂଆବୋଉ ?

 

ନିଜର ଦୁଇହାତଯାକ ଦୀପାନ୍ୱିତାର ଦୁଇକାନ୍ଧ ଉପରେ ଭାରାଦେଇ ପଚାରୁ ଥିଲା ସୁବ୍ରତ ।

 

ଅଜଣା ପୁଲକରେ ଚହଲି ଉଠୁଥିଲା ଦୀପାର ମନତଟିନୀ । ଆବେଗ ଓ ପୂର୍ଣ୍ଣତା ଧରି ଊର୍ମିଳ ବକ୍ଷ ତା’ର ଚଳଚଞ୍ଚଳ ହୋଇ ଉଠୁଥିଲା । ସୁବ୍ରତଙ୍କ ମଥା ଉପରେ ହାତରଖି ଅତି ନମ୍ର ସ୍ଵରରେ ସେ କହିଲା, ତମକୁ କାହିଁକି ଲାଜ କରିବି ? ତମେ ଯେ ମୋର ସାନ ଭାଇ ପରି !

 

ଲାଜ କଲେ କର ନୂଆବୋଉ । ହେଲେ ଆଜି ଦିନଟା । କାଲି ସକାଳୁ ତ ତମ ପଣତ କାନିରୁ ଚାବି ଫିଟେଇ ପୁଳାଏ ଟଙ୍କା ନେଇ ଚମ୍ପଟ ମାରି ଦେଇଥିବି ବୁର୍ଲା । ସେଠି ସେ ଟଙ୍କାକୁ ନେଇ ମୁଁ କ’ଣ କରିବି ଜାଣିଛ ? ସେ ଟଙ୍କାର ଅସ୍ଥି, ମାଂସକୁ ଟିକିଟିକି କରି କାଟି ସର୍ଜ୍ଜରୀ ବିଦ୍ୟାରେ ଲଗାଇ ଦେବି । ସମ୍ବଲପୁର କେବେ ଦେଖିଛ ନୂଆବୋଉ ? ବୁର୍ଲା କେବେ ଯାଇଚ ? ହୀରାକୁଦ ଦେଖିବାର ସୁଯୋଗ କେବେ ପାଇଚ ନା ନାହିଁ ?

 

ଏକାଥରେକେ ଗୁଡ଼ିଏ ପ୍ରଶ୍ନ ପଚାରି ପକାଇଲେ ସୁବ୍ରତ । ସବୁତକ ପ୍ରଶ୍ନର ଉତ୍ତର ଗୋଟିଏ ଛୋଟ ନାଁରେ ପରିସମାପ୍ତି ଟାଣି ପକାଇଲା ଦୀପାନ୍ୱିତା ।

 

ତେବେ ନୂଆବୋଉ, ଅପେକ୍ଷାକର । ଆଉ କିଛିଦିନ ଯାଉ । ମୁଁ ତମକୁ ନେଇ ସମ୍ବଲପୁର, ବୁର୍ଲା, ହୀରାକୁଦର କୋଣ, ଅନୁକୋଣ ଟିକିନିକି ବୁଲେଇ ଆଣିବି । ସେତେବେଳେ ମୋ’ ସାଙ୍ଗରେ ତମେ ଯିବ ତ ନୂଆବୋଉ ନା ଭାଇ ନଗଲେ ଯିବନି ବୋଲି କହିବ ?

 

ଦୀପାନ୍ୱିତା ଚାହିଁଲା ଏକମୁଗ୍ଧ ଚାହାଣିରେ ସୁବ୍ରତଙ୍କୁ । ସୁବ୍ରତ ପରିହାସ ବ୍ୟଞ୍ଜକ ପ୍ରଶ୍ନ ନିକ୍ଷେପ କରୁଛନ୍ତି ତାକୁ । କି’ ଉତ୍ତର ଦେବ ସେ ? ବହୁ ଭାବିଚିନ୍ତି କହିଲା, ସୁବ୍ରତ, ବର୍ତ୍ତମାନ ସିନା ନୂଆବୋଉକୁ ଏତେ କଥା କହୁଛ । ଟିକିଏ ପୁରୁଣା ହୋଇଗଲେ ମୁଁ ଯେତେବେଳେ କହିବି, ସୁବ୍ରତ କୁଆଡ଼େ ଗଲା ତମ ସମ୍ବଲପୁର, ବୁର୍ଲା, ହୀରାକୁଦ ? କ’ଣ ଆଉ କିଛି ବାଟକୁ ଘୁଞ୍ଚି ଗଲା କି ?

 

ସେତେବେଳେ ବିରକ୍ତିକର ଗଳାରେ ତମେ କହିବ, ଓଃ, ନୂଆବୋଉ କ’ଣ କରିବି ମତେ ପରା ଆଦୌ ସମୟ ହେଉନି । ମୋର କ’ଣ ଇଚ୍ଛା ନାହିଁ ତମକୁ ନେଇ ବୁଲେଇ ଆଣିବାକୁ ? କିନ୍ତୁ ସେମିତି ସୁଯୋଗ କ’ଣ ଜୁଟୁଛି ? ହଉ, ପରିହାସ କରନି ଆଉ । ଏ’ ଭିତରେ ଥରେ ଅଧେ ସମୟ କରି ତମକୁ ନେଇ ନିଶ୍ଚୟ ବୁଲେଇ ଆଣିବି ।

 

ସୁବ୍ରତ ହସିଲେ । କହିଲେ ନୂଆବୋଉ, ତମେ ତ ବେଶ୍ କଥା କହି ଜାଣ । ଭାଇକୁ ଠିକ୍‌ ଏମିତି କହି ମନକୁ ତାଙ୍କର ମୋହି ପାରିଲେ ହେଲା । ଭାଇ ଭାରି ରାଗି ମଣିଷ । ତମ ଅକ୍ତିଆରକୁ ଆସି ସେ ଯେମିତି ଥଣ୍ଡା ପଡ଼ିବେ ଦୃଷ୍ଟି ଦେବ । ସେଇଥିରେ ସତରେ ତମର ନୂଆବୋଉ, ବହୁତ ବାହାଦୁରି ଅଛି, ଖାତିର ଅଛି ।

 

ସୁବ୍ରତର କଥାରେ ଦୀପାନ୍ୱିତା ଆହୁରି ନିଠେଇ ଚାହିଁଲା ତାଙ୍କୁ । ସୁବ୍ରତ କହୁଛନ୍ତି, ଭାଇ ଖୁବ୍ ରାଗି ମଣିଷ । ଦୀପାନ୍ୱିତା କ’ଣ ସତରେ ତାଙ୍କର ରାଗକୁ ଶାନ୍ତ କରି ପାରିବ ? ଗୋଟାଏ ବିବ୍ରତ ହୃଦୟର ଅସଂଯତ ଅବସ୍ଥାକୁ ସଂଯତ କରିବାର ଶକ୍ତି କ’ଣ ଅଛି ଦୀପାନ୍ୱିତାର ? ସେ କ’ଣ ପାରିବ ? ସେ କ’ଣ ସତରେ ସମର୍ଥା ହେବ ? ନିଜ ମନ ଭିତରେ ବାରମ୍ବାର ପ୍ରଶ୍ନ ପଚାରିବାରେ ଲାଗିଥିଲା ଦୀପାନ୍ୱିତା ।

 

କ’ଣ ଭାଇଙ୍କ କଥା ଭାବୁଛ ନୂଆବୋଉ ନା ତମ ଘର କଥା ? ଘରକଥା ଭାବୁଥିଲେ କିଛି ଯାଏଁ ଆସେ ନାହିଁ । ସବୁଝିଅ ପ୍ରଥମେ ପ୍ରଥମେ ଏମିତି ତାଙ୍କ ଘରକଥା ଭାବନ୍ତି । କେହି ବଦଳାଇ ପାରିବେ ନାହିଁ ତାଙ୍କର ଏ ପ୍ରବୃତ୍ତିକୁ । କିନ୍ତୁ ଯଦି ଭାଇଙ୍କ କଥା ଭାବୁଥାଅ ଭାବିବା ଦରକାର ନାହିଁ । ଭାଇ ବର୍ତ୍ତମାନ ଆସିଯିବେ । ଏକାଥରକେ ମନ ପୂରାଇ ଦେଖୁଥିବ ଆଉ ଭାବୁଥିବ । ଭାଇ ଭାରି ସୁନ୍ଦରମ’ ! ଦେଖୁନ ତାଙ୍କର ଫଟୋ ! ତମ ପଛପଟେ ଟଙ୍ଗା ହୋଇଛି । ମୋଠାରୁ ସତରେ ଭାଇ ଆହୁରି ସୁନ୍ଦର ।

 

ଦୀପାନ୍ୱିତା ପୁଣିଥରେ ସୁବ୍ରତଙ୍କୁ ଚାହିଁଲା । ଗୋରା ତକତକ ପୂରନ୍ତା ମୁଖମଣ୍ଡଳରେ ସରୁ ସରୁ ନିଶ ଦୁଇ ପଟା ଗଜୁରି ଉଠିଛି । ମୁରୁକି ମୁରୁକି ହସୁଛନ୍ତି ସୁବ୍ରତ ବାଲ୍ୟ ଚପଳାମୀ ହସର ଲହର ଧରି । ଦୀପାନ୍ୱିତା ଚିନ୍ତାକଲା ସୁବ୍ରତଙ୍କ ଠାରୁ ତାଙ୍କ ସ୍ୱାମୀ ଆହୁରି ସୁନ୍ଦର । ସୁବ୍ରତ ସ୍ମରଣ କରାଇ ଦେଉଛନ୍ତି ତାକୁ । ପଛ ପାଖରେ ତାଙ୍କର ଫଟୋ ଟଙ୍ଗା ହୋଇଛି । ଦୀପାନ୍ୱିତା କିନ୍ତୁ ବୁଲି ଚାହିଁ ପାରୁନାହିଁ । ଖୁବ୍ ଲାଜ ଲାଗୁଛି ତାକୁ । ସୁବ୍ରତ କ’ଣ ବିଚାରିବେ ? କ’ଣ କହିବେ ତାକୁ ? ତା’ ନୂଆବୋଉ, ଏତେ ଉଚ୍ଛୃଙ୍ଖଳ ଏତେ ବ୍ୟସ୍ତ ବ୍ୟାକୁଳ ?

 

କିଛି କହିଲା ନାହିଁ ଦୀପାନ୍ୱିତା । ଖାଲି ମୁହଁ ତଳକୁ ପୋତି ବସି ରହିଲା ।

 

କ’ଣ ନୂଆବୋଉ, ଏତିକି କଥାରେ ହାଲିଆ ହୋଇଗଲ ? ଭାଇଙ୍କ ସହିତ କଥା ହେବ କେମିତି ? ଭାଇ ଆସିଲେ କ’ଣ ଏମିତି ତଳକୁ ମୁହଁ ପୋତି ବସି ରହିବ ? ହଉ ମୁଁ ଆସେ । ତମେ ବସିଥାଅ । ମତେ ଖୁବ୍ ହାଲିଆ ଲାଗିଲାଣି । ଅନୁପମା ଥିଲେ ସିନା କଥା ହୁଅନ୍ତା ତମ ସାଥିରେ । ସେ ତ ଯାଇ ତମ ଘରେ । ତମେ ଆସି ଆମ ଘରେ । ଅନୁ ସହିତ କଥା ହେବାକୁ ସେଠି କେହି ନଥିବେ କି ତମ ସହିତ କଥା ହେବାକୁ ଏଠି କେହି ନାହାଁନ୍ତି । ତେଣୁ ଏ’ ହେଲା ତମ ପ୍ରତି ଦଣ୍ଡ ।

 

ଚାଲି ଯାଉ ଯାଉ ସୁବ୍ରତ ପୁଣି କହିଲା ନୂଆବୋଉ, ଆଜି ଯାହା ସବୁ ହେବ, କାଲିକି ମତେ କହିବ । ହଁ, ଲାଜ କରିବନି । ମୁହଁ ଫିଟେଇ ଭାଇଙ୍କ ସାଥିରେ ଭଲ କଥାବାର୍ତ୍ତା କରିବ । ବୁଝିଲ ? ଆଉ ତମକୁ ଏଠିକି ଆଣିବାର ବକ୍ସିସ୍‌ଟା ମୋର ?

 

ଦୀପାନ୍ୱିତା କିଛି କହିବା ପୂର୍ବରୁ ଚାଲିଯାଇଥିଲେ ସୁବ୍ରତ । ବସି ବସି କୋଠରୀର ଶୂନ୍ୟ ଛାତକୁ ଚାହିଁଥିଲା ଦୀପାନ୍ୱିତା ।

 

ରାତି ଘଣ୍ଟାରେ ବାଜିଲା ସାଢ଼େ ତିନି । ସାରା ଦିନର କ୍ଳାନ୍ତିପରେ ଦୀପାନ୍ୱିତା ବସି ବସି ସେଇ ପଲଙ୍କ ଉପରେ ଘୁମେଇଁ ପଡ଼ିଲା । ହଠାତ୍‌ ଯେତେବେଳେ ତା’ର ନିଦ ଭାଙ୍ଗିଲା ସେ ଚମକି ପଡ଼ିଲା । ଦେଖିଲା ପାଖରେ ଠିଆ ହୋଇଛନ୍ତି ସ୍ଵାମୀ ସତ୍ୟବ୍ରତ । ହାତରେ ତାଙ୍କର କ’ଣ କାଗଜ ଖଣ୍ଡେ ।

 

ଆକସ୍ମିକ ଝଡ଼ତୋଫାନରେ ଦ୍ରୁମଗୁଡ଼ାକ ଥରି ଉଠିବା ପରି ଅନ୍ତର ଭିତରେ ତା’ର ବିରାଟ ଝଡ଼ଟାଏ ମଥାଟେକି ଠିଆ ହେଉଥିଲା । ସେ ଝଡ଼ତୋଫାନ କ୍ରମଶଃ ଖଣ୍ଡପ୍ରଳୟରେ ପରିଣତ ହେଉଥିଲା । ସେ ଚିଠିଟା ବିକାଶର ନୁହେଁ ତ ? ସେ ଚିଠିଟା ତା’ ବିଗତ ପ୍ରଣୟୀର ନୁହେଁ ତ ? ସେ ଚିଠିଟା କୁମାରୀ ବୟସ, ମନର ଅଜାଣତ ବିଭ୍ରମତାର ନୁହେଁ ତ ?

 

କି’ ଉତ୍ତର ସେ କାହାଠାରୁ କେମିତି ପାଇବ ? ବିକାଶ କଥା ଚିନ୍ତା କରି କରି ସେ ଚିଠି ଖଣ୍ଡିକୁ ହାତରେ ଧରି ଘୁମେଇଁ ପଡ଼ିଥିଲା ସେ । ଅନ୍ୟମନସ୍କତା ଭାବପ୍ରବଣତାରେ ଲୁଚାଇ ରଖି ପାରିଲାନି ଚିଠି ଖଣ୍ଡିକ । କ’ଣ କରିବ ସେ ଏବେ ? କ’ଣ ହେବ ତା’ର ଉପସ୍ଥିତ ପରିସ୍ଥିତି ?

 

ଦୀପାନ୍ୱିତା ଖାଲି ଅଜସ୍ର କମ୍ପନରେ ଥରୁଥିଲା ।

 

ସତ୍ୟବ୍ରତ ଆମୂଳଚୂଳ ଚିଠିଟିକୁ ପଢ଼ି ଚାଲିଥିଲେ । ଆଖିରେ ତାଙ୍କର ବିଦ୍ରୂପ ଓ ଘୃଣାର ବହୁ ଅସଂଖ୍ୟ ଭାବ ଫୁଟି ଉଠୁଥିଲା । କେତେବେଳେ ମୁହଁ ତାଙ୍କର ପୁଷ୍କରିଣୀର ସ୍ଥିର ଜଳ ପରି ଦିଶୁଥିଲା ତ ଆଉ କେତେବେଳେ ମୁକ୍ତିସ୍ରୋତାର ବିକ୍ଷୁବ୍ଧ ଜୁଆର ପରି !

 

ଫ୍ୟାନ୍‌ଟା ଫୁଲ୍ ସ୍ପିଡ଼୍‍ରେ ଘୂରୁଛି । ତଥାପି ଦୀପାନ୍ୱିତା ମୁହଁରୁ ଝର୍ଝର ସ୍ୱେଦବିନ୍ଦୁ ଝିରିପଡ଼ୁଛି ଅନେକ ଅନେକ ତା’ର ସିନ୍ଦୂର ଚନ୍ଦନକୁ ନିଭେଇ ଦେବାପରି !

 

ଦୀପାନ୍ୱିତା ଆକସ୍ମିକ ଆନୁମାନିକ ଆତଙ୍କରେ ଆତଙ୍କିତ ହୋଇ ପଡ଼ୁଥିଲା । କ’ଣ କହିବେ ସତ୍ୟବ୍ରତ ? ଚପଳା ବୟସର ଏମିତି ଅଜାଣତ ଭୁଲ୍‌କୁ ସେ କ’ଣ କ୍ଷମା ଦେବେ ନାହିଁ ? ସେ କ’ଣ ଧରି ନେବେ ନାହିଁ ଯେ ଅବିବାହିତ ବୟସରେ କେନ୍ଦ୍ରବିନ୍ଦୁରେ ଠିଆହୋଇ ମଣିଷ ଏମିତି ଅନେକ ଭୁଲ୍‌ କରିପକାଏ । ସେ ଭୁଲ୍‍କୁ ଲୁଚେଇବାକୁ ଯାଇ ସବୁବେଳେ ଆକସ୍ମିକ ଭାବରେ ଧରାପଡ଼ିଯାଏ । ସେ କ’ଣ ନିଜେ ପ୍ରକାଶ କରିବେ ନାହିଁ ଯେ ଅବିବାହିତ ବୟସରେ ତାଙ୍କରବି ଏମିତି ଅନେକ ଭୁଲ୍‌ ହୋଇଥିବ ! ଏ’ ଭୁଲ୍‌କୁ ଲୁଚେଇ ରଖି ହୁଏନାହିଁ ଅଥବା ଧରି ରଖି ହୁଏନାହିଁ-

 

ଚିଠିଟାକୁ ମୂଳରୁ ଶେଷଯାଏଁ ପଢ଼ି ନେଇ କେମିତି ଅନୁଦାର ଆଉ ଗମ୍ଭୀର ଜଣାଗଲେ ସତ୍ୟବ୍ରତ । ଦୀପାନ୍ୱିତା ଚାହିଁଛି । କ’ଣ କହିବେ ତା’ର ସ୍ଵାମୀ ? କି ମନ୍ତବ୍ୟ ପ୍ରକାଶ କରିବେ ତା’ର ପ୍ରିୟ ଦେବତା ? ଜନ୍ମ ଜନ୍ମର ଇହକାଳ, ପରକାଳର ସାଥୀ !

 

ସତ୍ୟବ୍ରତ କିଛି ନକହି ଉଠିଯାଇ କାନ୍ଥ ଆଲମିରା ଖୋଲିଲେ । ସେଥିରୁ ବାହାର କରି ଆଣିଲେ ଏକ ବିଦେଶୀ ମଦର ବୋତଲ ।

 

ଶିହରି ଉଠିଲା ଦୀପାନ୍ୱିତା । ସ୍ଵାମୀ ତା’ର ମଦପିଅନ୍ତି । ଯେଉଁ ମଦକୁ ସେ ତା’ର ଜୀବନସାରା ଭୟ କରି ଆସିଲା, ସେ ପୁଣି ଆଉଥରେ ତା’ରି ହାବୁଡ଼ରେ ପଡ଼ିଲା ? କାହିଁକି ? ଏ’ ସାରା ଦୁନିଆ କ’ଣ ମଦ୍ୟପ ? ଭଗବାନ ଏପରି ଦଣ୍ଡ ତାକୁ କାହିଁକି ଦେଉଛନ୍ତି ବାରମ୍ବାର ? ସତ୍ୟବ୍ରତ ଏକନିଃଶ୍ୱାସରେ ଢକଢ଼କ କରି ସାରା ବୋତଲଟାକୁ ନିଃଶେଷ କରିଦେଲେ । ଦୀପାନ୍ୱିତା ଚାହିଁଛିହିଁ ଚାହିଁଛି । ତା’ ଆଖିର ସୂକ୍ଷ୍ମ ପତଳା ଆବରଣ ଉପରେ କେହି ଯେମିତି ବିଞ୍ଚିଦେଇ ଯାଇଛି ଅମାବାସ୍ୟାର ନିରବଚ୍ଛିନ୍ନ ଅନ୍ଧକାର । ସେ ନିରବଚ୍ଛିନ୍ନ ଅନ୍ଧକାର ଭିତରେ ତା’ର ଜୀବନ ସୂର୍ଯ୍ୟ ସବୁଦିନ ଲାଗି ବେଦନାର ବଳୟ ଭିତରକୁ ବୁଡ଼ି ଯାଇଛନ୍ତି । ସେ ଅସ୍ତମିତ ପ୍ରଭାର ଉଦୟପାଇଁ ଦୀପାନ୍ୱିତା କେବଳ ଘୂରି ବୁଲୁଚି ସେଇ ଅନ୍ଧାର ଭିତରେ । ଘମାଘୋଟ ଅନ୍ଧାର ଭିତରେ ।

 

ତା’ ଜୀବନ ସୂର୍ଯ୍ୟ ସତରେ କ’ଣ ଆଉ ଉଦିତ ହେବେନି ? ସତରେ କ’ଣ ଅସ୍ତମିତ ପ୍ରଭା ସେମିତି ଅସ୍ତମିତ ହୋଇ ସବୁଦିନ ରହିଯିବ ?

 

ସତ୍ୟବ୍ରତଙ୍କ ତୀବ୍ର କଣ୍ଠସ୍ୱର ତା’ର ଚିନ୍ତାର ବିରାଟ ଦୁର୍ଗକୁ ଆକସ୍ମିକ ଭୁଶୁଡ଼ାଇ ପକାଇଲା । ସେ ଏକ ଉତ୍ତପ୍ତ ଅଗ୍ନି ପିଣ୍ଡୁଳା ସମାନ କ୍ରୋଧଜର୍ଜର ହୋଇ ଜଳି ଉଠୁଥିଲେ । ଏକ କ୍ରୁଦ୍ଧିତ ବ୍ୟାଘ୍ର ପରି ଲମ୍ଫ ପ୍ରଦାନ କରି ଉଠୁଥିଲେ ସେ ଦୀପାନ୍ୱିତା ଉପରକୁ । ଏକ ଦଂଶନକାରୀ ସର୍ପ ସଦୃଶ୍ୟ ଫେନାୟିତ ବିଷକୁ ଉଦ୍‌ଗାର କରିପକାଉଥିଲେ କ୍ଷୁବ୍ଧତାରେ ବ୍ୟତିବ୍ୟସ୍ତ ହୋଇ ।

 

ଦୀପାନ୍ୱିତା ଖାଲି ଲୁହର ଝରଣା ଢାଳୁଥିଲା । ପ୍ରଥମ ସାକ୍ଷାତ ପ୍ରଥମ ପରିଚୟରେ କ’ଣ କହି ସେ କ୍ଷମା ମାଗିବ, ସେ କିଛି ବୁଝିପାରୁ ନଥିଲା ।

 

ସତ୍ୟବ୍ରତ ଗର୍ଜି ଉଠିଲେ ।

 

ତମେ ଯଦି ଏମିତି କୀର୍ତ୍ତି ଅର୍ଜିଥିଲ, ଏ’ ଘରକୁ ବୋହୂହୋଇ ଆସିବାକୁ ସ୍ୱୀକୃତି ଦେଲ କେମିତି ? କେମିତି ତମେ ସାହସ କରି ପାରିଲ ଯେ ଜଣଙ୍କୁ ପ୍ରେମ କରି ଅନ୍ୟ ଜଣଙ୍କୁ ପ୍ରବଞ୍ଚନାରେ ବିଦଗ୍ଧ କରାଇବ ବୋଲି ! କ’ଣ ବିଗତ ଯୁଗର ସେ ପ୍ରାଚୀନ ଆଦର୍ଶକୁ ମୋ’ ଆଗରେ ପଢ଼ି କହିବ ବୋଲି ଯେ ଦ୍ରୌପଦୀ ପଞ୍ଚ ପୁରୁଷର ସ୍ତ୍ରୀ ହୋଇବି ସତୀ ନାରୀ ଥିଲେ ? କିନ୍ତୁ ଦୀପାନ୍ୱିତା, ତମ ଦ୍ରୌପଦୀଙ୍କ ଯୁଗ ବହୁ ଦିନରୁ ଗତ ହୋଇ ଯାଇଛି । ଶତାବ୍ଦୀର ପାହାଚ ବହୁ ଉପରକୁ ଉପରକୁ ଗଢ଼ା ସରିଲାଣି । ଦ୍ରୌପଦୀ ହେଉଚନ୍ତି ତମ ଚିନ୍ତାର ଆଦିମ ସୋପାନ । ସେ ସୋପାନ ଭିତରକୁ ଆମ ଭଲ ମଣିଷ ଆଉ ଅବତରଣ କରି ପାରିବନି । ତେଣୁ ତମର ସେ ଉଦ୍ଭଟ ଚିନ୍ତା, କଳ୍ପନା, ଅନର୍ଥ ପ୍ରମାଣ ମୋ’ ରୁକ୍ଷ, କର୍କଶ ପ୍ରାଣରେ ଦୟା କରୁଣାର ନଦୀ ସଞ୍ଚାର କରି ପାରିବନି ।

 

ହାତଧରି ତମେ ମତେ ବାହା ହୋଇଚ କେବଳ ଅଗ୍ନିକୁ ସାକ୍ଷୀ ରଖି । ଦଶଦିଗପାଳଙ୍କ ସାମନାରେ ଶପଥ କରି ବୈଦିକ ରୀତିରେ । ସାମାନ୍ୟ ମାତ୍ର ମନ୍ତ୍ରପାଠ ହୋଇ ହାତଗଣ୍ଠି ପଡ଼ିଛି ତମର ମୋ’ ସହିତ ମାତ୍ର ତିନି ଦିନ ତଳେ । ତା’ ପୂର୍ବରୁ ତମେ ମୋର ଅପରିଚିତ ପୂରାପୂରି ଅପରିଚିତ ଥିଲ । କିନ୍ତୁ ଆତ୍ମାକୁ ସାକ୍ଷୀରଖି ଶୂନ୍ୟ-ମହାଶୂନ୍ୟ ଆଗରେ ଶପଥ କରି ଯାହାକୁ ତମେ ପ୍ରେମ କରିଥିଲ, ଭଲ ପାଇଥିଲ, ଯାହା ସହିତ ତମ ସମ୍ପର୍କ ରଚନା କରିଥିଲ ତା’ର ସୁଖ, ଦୁଃଖ, ବେଦନା, କାରୁଣ୍ୟ ତମ ପ୍ରାଣକୁ ଅଭିଭୂତ, ଆଲୋଡ଼ିତ କଲା ନାହିଁ ? ତମେ ତାକୁ ପ୍ରବଞ୍ଚନାର ଦ୍ୱାହି ଦେଇ ଛାଡ଼ି ଆସି ପାରିଲ ? ଆଉ ମତେ ପ୍ରବଞ୍ଚନାରେ ଜାଳିବାକୁ ଚେଷ୍ଟା କରି ପାରିଲ ?

 

ଦୀପାନ୍ୱିତା ! ଏହା ତମର ଦୋଷ ନୁହେଁ । ମୋ’ ବୋଉ ଆଉ ତମର ବାପାଙ୍କ ଦୋଷ । ବୋଉ ମୋର ଇଚ୍ଛା ବିରୁଦ୍ଧରେ ମତେ ବାହା କରେଇଚି । ଆଉ ତମ ବାପା ତମ କଳଙ୍କିତ ଚରିତ୍ରକୁ ଲୁଚେଇବାକୁ ଯାଇ ପ୍ରଚୁର ଅର୍ଥର ପ୍ରଲୋଭନରେ ବୋଉକୁ ଭୁଲେଇ ଦେଇଚନ୍ତି । ସେମାନଙ୍କୁ ମୁଁ ଭଲଭାବରେ ପଚାରିବି ଯେ ଆମ ଜୀବନର ଯେଉଁ ଅପୂରଣୀୟ କ୍ଷତି ହେଲା, ସେଥିପାଇଁ ଦୋଷୀ କିଏ ? ଏବଂ ସେ କ୍ଷତି ସେମାନେ କରିବାକୁ ଗଲେ କାହିଁକି ? ସେମାନେ ଗୁରୁଜନ ହେଲେବି ଠିକ୍ କୈଫିୟତ୍‌ ନଦେଲେ ମୁଁ ଛାଡ଼ିବି ନାହିଁ ।

 

ଗଭୀର କ୍ରୋଧର ଉତ୍ତେଜନାରେ ଥରିଥରି ବାହାରକୁ ଚାଲି ଗଲେ ସତ୍ୟବ୍ରତ । ଦୀପାନ୍ୱିତା ତାଙ୍କ ପାଦ ଦୁଇଟିକୁ ଧରି ରଖିବାକୁ ଯାଇ ଲୋଟି ପଡ଼ିଲା ତଳେ ।

 

ଲୁହ ବୁଡ଼ା ଛଳଛଳ ଆଖିରେ ମୁହଁ ଉଠେଇ ଚାହିଁଲା ବେଳକୁ ଦେଖିଲା, ପାଖରେ ଠିଆ ହୋଇଛନ୍ତି ସୁବ୍ରତ । ପଚାରୁଛନ୍ତି, କ’ଣ ହେଲା ନୂଆବୋଉ ? ଭାଇ ଏପରି ବିବ୍ରତ ଅବସ୍ଥାରେ କୁଆଡ଼େ ଚାଲିଗଲେ କାହିଁକି ?

 

ଦୀପାନ୍ୱିତା କ’ଣ କହିବ ? କି ଉତ୍ତର ଦେବ ? କହିବ ଯେ, ଭାଇ ତା’ ଭଳି ନୂଆବୋଉ ପାଇ ଖୁସି ହୋଇ ପାରିଲେନି ! ତାଙ୍କ ଜନ୍ମଟା ଅସନ୍ତୋଷ ବହ୍ନିର ମହାନର୍କ ଭିତରେ ହଜିଗଲା । ସୁବ୍ରତ ! ତମେ ଯେଉଁ ଖୁସି ହେଉଥିଲ, ମତେ ତମେ ଏଠିକି ଆଣି ଗୋଟାଏ ବଡ଼ ଖୁବ୍‌ ବଡ଼ କାମ କରିପାରିଚ ବୋଲି, ଗର୍ବ ଆଉ ଗୌରବରେ ଉତ୍‌ଫୁଲ୍ଲିତ ହେଉଥିଲ ବକ୍ସିସ୍ ପାଇବ ବୋଲି ତାହା ଏ’ ଜନ୍ମପାଇଁ ବାକି ରହିଗଲା ।

 

ମାତ୍ର କହି ପାରିଲାନି ଦୀପାନ୍ୱିତା । କେବଳ ବିକଳରେ ଅତି ବିକଳରେ କଇଁକଇଁ ହୋଇ କାନ୍ଦି ଉଠିଲା ।

 

ତମେ କିଛି ବ୍ୟସ୍ତ ହୁଅନି ନୂଆବୋଉ । ଭାଇ ଏମିତି କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ କେତେକଅଣ କରି ପକାନ୍ତି । ପୁଣି ପର ମୁହୂର୍ତ୍ତରେ ସେ ଉତ୍ତେଜନା, ସେ ରାଗ ପାଣିଫୋଟକା ପରି ମିଳେଇ ଯାଏଁ । ଦେଖିବନି ଏଇକିଛିକ୍ଷଣ ପରେ ପୁଣି ସେ ଫେରିଆସି ତମ ପାଖରେ ଗେହ୍ଲେଇ ହେବେ । ପିଲାଦିନୁ ପରା ମୁଁ ଦେଖିଛି ସେ ଠିକ୍ ଏମିତିକା । ମତେ ଆଉ ଅନୁକୁ ଖୁବ୍ ଜୋରରେ ମାଡ଼ ମାରିବେ । ରାଗରେ ତମତମ ହୋଇ ପିଟି ପକାଇବେ । ପୁଣି କିଛି ସମୟ ଯାଇନଥିବ, ଆସି ତୋଷାମଦ କରିବେ । କହିବେ ତମକୁ ପିଟିବିନିତ ଆଉ କାହାକୁ ପିଟିବି-? ତମ ଉପରେ ମୋର ସେତିକି ଅଧିକାର ଅଛି ବୋଲି ସିନା ପିଟୁଛି, ନଇଲେ କ’ଣ ପିଟନ୍ତି-?

 

ସୁବ୍ରତଙ୍କୁ ଚାହିଁଲା ଦୀପାନ୍ୱିତା । ସୁବ୍ରତ ତାଙ୍କୁ ସାନ୍ତ୍ୱନାମୂଳକ କାହାଣୀ ଶୁଣେଇ ତା’ର ମର୍ମବେଦନା ଭୁଲେଇବାକୁ ଚେଷ୍ଟା କରୁଛନ୍ତି । ଦୀପାନ୍ୱିତା ଆହୁରି ଜୋରରେ କାନ୍ଦି ଉଠିଲା । ବ୍ୟସ୍ତ ହେଲେ ସୁବ୍ରତ ।

 

ଆହା ! କାନ୍ଦୁଛ କାହିଁକି ନୂଆବୋଉ ? କ’ଣ ତମର ହୋଇଛି ? କିଛି ହୋଇନି । ଏମିତି କ’ଣ ଘରହୋଇ, ପରିବାର ହୋଇ କଜିଆ ହୁଏନି ? ଏ କ’ଣ ନୂଆକଥା ? ତମ ଘରେ କ’ଣ କିଛି ଏମିତି ଅଙ୍ଗେ ନିଭେଇନ ? ତମ ଝିଅ ଜୀବନରେ ଏମିତି କ’ଣ ଅନୁଭବ କରିନ ? ଆଜି କ’ଣ ତମ ଅନୁଭୂତି ଏ’ ବିଷୟରେ ପ୍ରଥମ ? ହଉ, ମୁଁ ଦେଖେ, ଭାଇ କୁଆଡ଼େ ଗଲେ । ନହେଲେ ତମେ ଏମିତି ଲୁହ ବୁହାଇ ବୁହାଇ ଏକ ସମୁଦ୍ର ସୃଷ୍ଟି କରି ପକାଇବ ।

 

ଚାଲିଗଲେ ସୁବ୍ରତ । ଦୀପାନ୍ୱିତା କାନ୍ଦୁଥିଲା । ଛାତି ଉପରୁ ଦୀପାନ୍ୱିତାର ଦକ୍ଷିଣ ପାର୍ଶ୍ୱରେ ଝିଟିପିଟିଟାଏ କଚାଡ଼ି ହୋଇ ପଡ଼ିଲା ।

 

ଅନୁମିତ ଝଡ଼ର ଆଶଙ୍କାରେ ବିଳାପ କରି ଉଠିଲା ଦୀପା । ତା’ଦେହର ଜାହାଜଟା ସମୁଦ୍ର ବକ୍ଷରେ ପ୍ରଦକ୍ଷିଣ କରୁଥିବା ଏକ ଅକସ୍ମାତ୍ ଘୂର୍ଣ୍ଣବାୟୁର ସମ୍ମୁଖୀନ ହୋଇ ହୀନ ପ୍ରଜ୍ଞତାରେ ବୁଡ଼ିଯାଉଥିଲା ।

 

ଦୀପାନ୍ୱିତା କ୍ରମଶଃ ଆତ୍ମସତ୍ତା ହରାଇ ବସୁଥିଲା ।

 

କାର୍‌ର ସ୍ପିଡ଼୍‍ ପୂର୍ଣ୍ଣ ପରିମାଣରେ ବଢ଼ି ଉଠୁଥିଲା । ମଦ ନିଶାରେ ବିଭୋର ହୋଇ ବାହ୍ୟଜ୍ଞାନଶୂନ୍ୟ ଭାବରେ ସତ୍ୟବ୍ରତ ଗାଡ଼ି ଚଳାଉଥିଲେ । ଆକାଶର ମେଘଗୁଡ଼ା ହଠାତ୍‌ ବିଦ୍ରୂପ କରି ଉଠିଲେ ତାଙ୍କ ଯାତ୍ରାପଥର ପ୍ରତିକୂଳ ମନ୍ତବ୍ୟ ପ୍ରକାଶ କରି ।

 

ଖୁବ୍ ଜୋରରେ ଝଡ଼ବର୍ଷା ଆରମ୍ଭ ହେଲା । ସତ୍ୟବ୍ରତ ପୂର୍ବପରି ଗାଡ଼ି ଚଳାଇ ଚାଲିଛନ୍ତି-। ଗାଡ଼ିର ଗତି ପୂର୍ବାପେକ୍ଷା ବଢ଼ୁଛି ସିନା କମୁନି ଆଦୌ ।

 

ହାତଘଡ଼ିକୁ ନିରୀକ୍ଷଣ କଲେ ସତ୍ୟବ୍ରତ କାର୍‌ ଭିତରର କ୍ଷୀଣାଲୋକରେ । ସାଢ଼େ ଚାରି-। ରାତିଟା ସରିଆସୁଛି । ସାରା ରାତି ଏମିତି ବହୁତ ଦିନ, ବହୁତ ରାତି ନ ଶୋଇ ସେ କଟାଇଛନ୍ତି ସୁଜାତାର କୋଠରୀରେ । ମାତ୍ର ସେ କଟାଇବାରେ କି’ ମାଧୁର୍ଯ୍ୟ, ଆନନ୍ଦ ପୁଲକତା ଥିଲା ତାଙ୍କର-! ଆଉ ଆଜିର ରାତି କଟାଇବାରେ କି’ ଦୁଃଖ ଯନ୍ତ୍ରଣା, ବିମର୍ଷତା ଅଛି ! ଯେଉଁ ରାତିକୁ ସେ ତାଙ୍କ ଜନ୍ମସାରା ଧରି ରଖିବେ ବୋଲି ଚିନ୍ତା କରିଥିଲେ, ସେ ରାତି କେମିତି ଏତେ ଶୀଘ୍ର ଚାଲିଗଲା-! କେମିତି ତାଙ୍କ ମନରେ ଦୁର୍ବଳତାର ସାମାନ୍ୟ ସ୍ପର୍ଶ ଦେଇ ଚାଲିଗଲା ନିମିଷକ ଭିତରେ-! କଳ୍ପନା କରିପାରୁନାହାଁନ୍ତି ସତ୍ୟବ୍ରତ । ତାଙ୍କ ଚିନ୍ତାର ସୂତାଖିଅଗୁଡ଼ା ଏପଟ ସେପଟ ଆଉ ଅଡ଼ୁଆ ତଡ଼ୁଆ ହୋଇ ପଡ଼ିଛି !

 

ଆଖିରେ ଭାସି ଉଠୁଛି ସୁଜାତାର ମୁହଁ । ବେଳେବେଳେ ଦୀପାନ୍ୱିତା ବା ସୁଜାତା ଥିଲା ସତ୍ୟବ୍ରତଙ୍କ ଅଫିସ୍‍ର ଲେଡ଼ି ରିସିପ୍‌ସନିଷ୍ଟ । ସତ୍ୟବ୍ରତ ଆଉ ସୁଜାତାଙ୍କ ମଧ୍ୟରେ ଥିଲା ଗଭୀର ପ୍ରେମ ସମ୍ପର୍କ । ଦୁହେଁ ଦୁହିଁଙ୍କି ପ୍ରାଣଭରି ଭଲ ପାଇଥିଲେ । ଦେବ ମନ୍ଦିର ଠାରୁ ଆରମ୍ଭ କରି ପ୍ରାଣ ମନ୍ଦିର ପର୍ଯ୍ୟନ୍ତ ସବୁଠି ଉଭୟେ ଉଭୟଙ୍କୁ ପାଇବାପାଇଁ କରିଥିଲେ ପ୍ରାଣବନ୍ତ ଶପଥ । କିନ୍ତୁ ସେ ଶପଥ, ସେ ପ୍ରେମ ଅପୂର୍ଣ୍ଣ ରହିଗଲା ତା’ ମାଆଙ୍କ ବାଧ୍ୟବାଧକତାପୂର୍ଣ୍ଣ ଯୌତୁକ ପ୍ରାପ୍ତ ବିବାହରେ । ମାଆ ତା’ର ବୋହୂ କରି ଆଣିଲେ ଦୀପାନ୍ୱିତାକୁ । ଆଉ ଦୀପାନ୍ୱିତା ଯେ ଅନ୍ୟ ଜଣଙ୍କୁ ତା’ର ସମସ୍ତ ଦେହ ମନ ଉତ୍ସର୍ଗ କରିସାରିବା ପରେ ବୋହୂ ହୋଇ ଆସିବାପାଇଁ ବାଧ୍ୟ ହୋଇଛି, ଏ’ କଥା ଚିନ୍ତା କଲା ବେଳକୁ ସତ୍ୟବ୍ରତ କେମିତି ଏକ ଦୁର୍ବଳ ଭାବନାରେ ଗଭୀର ମ୍ରିୟମାଣ ହୋଇ ପଡ଼ୁଥିଲେ ।

 

ମଥା ତାଙ୍କର ଭାରି ଭାରି ଲାଗୁଥିଲା । ପାଦ ଶିଥିଳତାରେ ଅବଶ ହୋଇ ଆସୁଥିଲା । ଆଖିରେ ଭରି ଆସୁଥିଲା ଅନେକ ଯୁଗର କ୍ଳାନ୍ତି ଓ ତନ୍ଦ୍ରା । ସତେ ଯେମିତି କେତେ ଯୁଗଧରି ସେ ଏମିତି ଅନିଦ୍ରା ରହିଛନ୍ତି !

 

ଝଡ଼ ବର୍ଷା ବଢ଼ୁଚି ! ମନରେବି ଦୁର୍ବଳତାର ଝଡ଼ ତୁହାଇ ତୁହାଇ ନାଚୁଛି । ରାଜରାସ୍ତା ନିର୍ଜନତାର ସଙ୍ଗୀତରେ ମୁଖରିତ କରି ଦେଇଛି ପୃଥିବୀକୁ । ସେ ନିର୍ଜନତାର ସଙ୍ଗୀତ ପିଇପିଇ ସତ୍ୟବ୍ରତ ବିଭୋର ଆଉ ମାତାଲ ହୋଇ ପଡ଼ିଛନ୍ତି ।

 

କାର୍‌ର ସ୍ପିଡ଼୍‍ ଆହୁରି ଜୋରରେ ବଢ଼ାଇ ଦେଉଛନ୍ତି ଉନ୍ମାଦଙ୍କ ପରି । ସ୍ୱପ୍ନରେ ବିହ୍ୱଳ ହୋଇ ସେ ତାଙ୍କର ଅତୀତ, ବର୍ତ୍ତମାନ, ଭବିଷ୍ୟତକୁ ପାସୋରି ପକାଉଛନ୍ତି । ତାଙ୍କର ଗତିପଥ କେଉଁ ପର୍ଯ୍ୟନ୍ତ ସ୍ଥିର କରିପାରୁନାହାନ୍ତି ।

 

ନିରୂପଣ କରି ପାରୁନାହାଁନ୍ତି । ଆକ୍ରମଣକାରୀ ଝଡ଼ ବର୍ଷାକୁ ଠେଲି ସାମନା କାଚର ଭାଇପର୍ ଦୁଇଟି ନିଜର କର୍ତ୍ତବ୍ୟ କରି ଚାଲିଛି ଠିକ୍ ଘଣ୍ଟାର ମିନିଟ୍, ସେକେଣ୍ଡ କଣ୍ଟାପରି । ଟିକିଏ ଅଟକୁ ନାହିଁ ଠିକ୍ ସତ୍ୟବ୍ରତଙ୍କ ଇଚ୍ଛାପରି ।

 

ଉଦ୍ଧତ ବାଦଲ ଆହୁରି ଉନ୍ମତ୍ତ ହୋଇ ପଡ଼ୁଛି ବେଳକୁ ବେଳ । ସତ୍ୟବ୍ରତଙ୍କ ଇଚ୍ଛା-କାମନାକୁବି ସେ ଟପି ଯାଉଛି । ରାତ୍ରିର ଇଲାକା ମଧ୍ୟରେ ଶ୍ରାବଣୀ କନ୍ୟା ପଢ଼ୁଛି ତା’ନିଃସଙ୍ଗ ପ୍ରାଣର ଶୂନ୍ୟତା ଓ ନିର୍ଜନତାର କାବ୍ୟ । ସେ କାବ୍ୟରେ କେବଳ ଲୁହ ଆଉ ଲୁହ ! ଅଶ୍ରୁଚ୍ଛ୍ୱାସର ବିଦଗ୍ଧତା ଓ ବିକ୍ଷୁବ୍ଧତା ପୂର୍ଣ୍ଣମାତ୍ରାରେ ଭରି ରହିଛି ।

 

କାହିଁକି କେଜାଣି ବିବ୍ରତ ସହକାରେ କାନ୍ଦି ଉଠିଲେ ସତ୍ୟବ୍ରତ । ଏ’ ବର୍ଷା ଟୋପା ନା ତାଙ୍କ ଆଖିର ଲୁହ ?’

 

ନିର୍ଣ୍ଣୟ କରିବାପାଇଁ ଡାହାଣ ହାତଟି ଆଖି ଉପରକୁ ଉଠାଇ ନେଲେ ସେ ।

 

କିନ୍ତୁ ଏ’ କ’ଣ ?

 

ଆଗରେ ଯେ ନଦୀର ବିରାଟ ଅପ୍ରଶସ୍ତ ପୋଲ !

 

ଷ୍ଟିଅରିଂ ଉପରୁ ହାତ ଖସିଗଲା ତାଙ୍କର । ବ୍ରେକ୍ ଉପରୁ ପାଦ ଖସି ଯାଇ କ୍ଲଚ୍‍ରେ ଲାଗିଲା । ଅଶ୍ରୁ ନିର୍ଣ୍ଣୟ କରିବାକୁ ଯାଇ ଅଶ୍ରୁର ମହାସମୁଦ୍ର ଭିତରେ ସେ ସବୁଦିନ ପାଇଁ ଡୁବିଗଲେ-

 

ଦୀପାନ୍ୱିତାର ସୀମନ୍ତ ସିନ୍ଦୂର ଅକାଳରେ ଅପରିପକ୍ୱ ଭାବରେ ଝଡ଼ିପଡ଼ିଥିଲା । ଝଡ଼ି ପଡ଼ିଥିଲା ହାତର ସୁନେଲି କଙ୍କଣ ଓ ଅଫୁରନ୍ତ ପ୍ରାଣର ସମସ୍ତ ଶିରୀ ବୈଭବ । ନିଭିଯାଇଥିଲା କଜ୍ଜ୍ୱଳ ଚନ୍ଦନର ଚିତ୍ରିତ ପରିପାଟୀ, ବେଶ ବିନ୍ୟାସ, ଆଲୋକ ଦୀପ୍ତ ସାଜସଜ୍ଜା ।

 

ଆଲୁଳାୟିତ ମୁକୁଳା କେଶ ରାଶି ଅସଂଯତ ଆକାରରେ କେରିକେରି ହୋଇ ଫିଟି ପଡ଼ିଥିଲା ପଲଙ୍କ ଉପରେ । ସଫେଦ ଶାଢ଼ି ଖଣ୍ଡିଏରେ ନିଜକୁ ଘୋଡ଼େଇ ଦୀପାନ୍ୱିତା ପଲଙ୍କ ବାଡ଼କୁ ଆଉଜି ନିର୍ବିକାର ଭାବରେ ପଢ଼ି ଚାଲିଥିଲା ନିର୍ଜନ ମନର ଶୂନ୍ୟ ଉପନ୍ୟାସ ।

 

ଜୀବନର ପ୍ରଥମ ସ୍ତରରେ ସେ ମନେ କରିଥିଲା ଭାବପ୍ରବଣତା ତା’ପାଇଁ ସ୍ରଷ୍ଟାଙ୍କର ଏକ ଆଶୀର୍ବାଦ । ଆଶୀର୍ବାଦ ତା’ର ଏ’ ଅଭିଶପ୍ତ ଜୀବନ ପ୍ରତି । ଏ’ ଭାବପ୍ରବଣତାର ଜୁଆର ଭିତରେ ସେ ସବୁ ବେଦନା, ନିର୍ଯାତନାକୁ ଭସାଇ ଦେଇ ପାଉଥିଲା ତୃପ୍ତି, ଶାନ୍ତି । ଆତ୍ମ ଦହନରୁ ବଞ୍ଚିବାପାଇଁ ଗଭୀର ଆତ୍ମ ପ୍ରଶାନ୍ତି । ସେଇ ଭାବବିହ୍ୱଳତାର ନଦୀ ସ୍ରୋତ ମଧ୍ୟରେ ଭାସିଯାଇ ବିକାଶଭଳି ଜଣେ ଦରିଦ୍ର ଶିଳ୍ପୀକୁ ଭଲପାଇଥିଲା-ପ୍ରେମ କରିଥିଲା । ଜୀବନର ସର୍ବସ୍ଵ, ତା’ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲା । ମାତ୍ର ନିଜ ହାତରେ ଖୋଳିଥିବା ଖାଲଖମାରେ ପଡ଼ି ସେ ନିଜେ ମୃତ୍ୟୁ ବରଣ କରିବ, ଏ’ ଥିଲା ତା’ ଚିନ୍ତାର ଊର୍ଦ୍ଧ୍ୱରେ । କଳ୍ପନାର ଶୀର୍ଷରେ I ଚତୁର୍ଥୀର ଶୁଭଲଗ୍ନରେ ସେ ହେଲା ବିଧବା, ପତିହାର ! କେତେ ଜନ୍ମର ପାପ କରିଥିଲେ ଏପରି ଦୁର୍ଦ୍ଦଶା ଭୋଗିବାକୁ ହୁଏ-!

 

ତା’ ବିବାହର ଆଜି ଦଶମ ଦିବସ । ଦଶ ମଙ୍ଗଳା । ତା’ ସ୍ଵାମୀଙ୍କ ଅକାଳ ମୃତ୍ୟୁର ଆଜି ସପ୍ତମ ଦିବସ । ବିବାହ ଦିବସପାଇଁ ଯେଉଁ ଆଗନ୍ତୁକ ଅତିଥିମାନେ ଧାଇଁ ଆସିଥିଲେ, ମରଣ ଦିବସର ପାଳନପାଇଁ ହୁଏତ ସେମାନେ ନାହାଁନ୍ତି । ବିବାହ ଦିବସ ଯେଉଁ ଆନନ୍ଦ କୋଳାହଳ ମୁଖରିତ ହୋଇ ଉଠିଥିଲା ପୂର୍ଣ୍ଣତାରେ, ମରଣ ଦିବସରେ ସେ ଯେପରି ମୂକ, ନିର୍ଜୀବ ଆଉ ଆତ୍ମହରା ହୋଇ ଉଠିଛି ଶୂନ୍ୟତାରେ । ସମଗ୍ର ପରିବାର ଶୋକାଚ୍ଛନ୍ନ ପରିବେଶ ମଧ୍ୟରେ ଆତ୍ମସତ୍ତା ହରାଇ ଘୁମେଇଁ ପଡ଼ିଛି ! ତା’ର ଶ୍ଵଶୁରାଳୟର ତ୍ରିତଳପ୍ରାସାଦଟି ଗୋଟିଏ ଭୂତକୋଠରୀରେ ପରିଣତ ହୋଇଯାଇଛି ଏଇ କେତେ ଦିନ ହେଲା ଆଉ ଦୀପାନ୍ୱିତା ନିଜକୁ ପେତିନୀଟିଏ ଭଳି ଚଳପ୍ରଚଳ କରାଉଛି ସେଇଘରେ ।

 

କେହି ନାହାଁନ୍ତି । କେହି କାହାର ଖବର ଅନ୍ତର ବୁଝିବାକୁ ନାହାଁନ୍ତି । ମରଣର ପ୍ରଥମ ଦିନ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଥିଲା, ଚତୁର୍ଥୀ ରାତିରେ ମଧୁଶଯ୍ୟା ଉପରୁ ପୁଅ ଉଠି ବାହାରକୁ ଯାଇଥିଲା କୁଆଡ଼େ ଆଉ କାହିଁକି ?

 

ସେ ପ୍ରଶ୍ନରେ ଉପାୟହୀନା ହୋଇ ଦୀପାନ୍ୱିତାକୁ ମିଛ କହିବାକୁ ପଡ଼ିଥିଲା ଯେ ତା’ର ସ୍ଵାମୀ କୌଣସି କାର୍ଯ୍ୟର ବାହାନା ଦେଖାଇ ସ୍ୱେଚ୍ଛାରେ ତାକୁ ଛାଡ଼ି ଚାଲି ଯାଇଥିଲେ ।

 

ତା’ କଥାରେ କେହି ସନ୍ଦେହ କରି ନଥିଲେ ସେଦିନ । ଦୀପାନ୍ୱିତା ଜାଣିଥିଲା, କେହିବି ତାକୁ ସନ୍ଦେହ କରିବେନି । କିନ୍ତୁ ନିଜକୁ ନିଜେ ତ ସେ ବହୁତ ସନ୍ଦେହ କରିବ ! ନିଜର ପାପ ନିଜ ଭିତରେ କେତେଦିନ ସେ ଲୁଚେଇ ରଖିବ ? କେତେ ଦିନ ନିଜକୁ କହି ଭୁଲେଇବ, ସ୍ଵାମୀ ସତ୍ୟବ୍ରତଙ୍କ ମରଣପାଇଁ ସେ ଦାୟୀ ନୁହେଁ ! ଅପରାଧିନୀ ନୁହେଁ !

 

ସ୍ଵାମୀଙ୍କ ମୃତ୍ୟୁରେ ଶାଶୁ ରମାଦେବୀ ଅତି ମ୍ରିୟମାଣା ହୋଇ ଶେଯରେ ପଡ଼ିଛନ୍ତି । ପ୍ରଥମ କେତେ ଦିନ ସୁବ୍ରତଙ୍କ କଣ୍ଠରୁ ଭାଷା ବାହାରୁ ନଥିଲା । ଚାକରବାକର କିଏ କେଉଁ କୋଣରେ ଆଉଜି ପଡ଼ିଛନ୍ତି, କେହି କାହାର ଖବର ବୁଝିବାକୁ ନାହାଁନ୍ତି !

 

ଅବଶ୍ୟ ଦି’ ଦିନ ହେଲା ସୁବ୍ରତ ମଝିରେ ମଝିରେ ଦୀପାନ୍ୱିତା ପାଖକୁ ଆସୁଛନ୍ତି । ବହୁତ ବୁଝାଉଛନ୍ତି । ଯାହା ହେବାର ଥିଲା ହୋଇଗଲା । କେହି ତାକୁ ରୋକି ପାରି ନଥାନ୍ତେ ବୋଲି ସାନ୍ତ୍ୱନାମୂଳକ ଭାଷା ଶୁଣାଉଛନ୍ତି । ପାଖରେ ବସି ଜଳଖିଆଠୁ ଆରମ୍ଭ କରି ଭାତ ପର୍ଯ୍ୟନ୍ତ ସବୁ ଦେଉଛନ୍ତି ମୁହଁରେ ତା’ର ।

 

ହେଲେ ଦୀପାନ୍ୱିତାର ମନ କୋଉଥରେ କ’ଣ ବୁଝିବ ? କୋଉଥିରେ କ’ଣ ତା’ ପ୍ରାଣର ପ୍ରଶାନ୍ତି ଆଉ ସେ ଫେରି ପାଇବ ? ପାପ ସମୁଦ୍ରର ଅକଳନ ଜଳରାଶିକୁ ପୁଣ୍ୟର ବିରାଟ କାଚ ଜାର୍‌ରେ ଆବଦ୍ଧ କରି କ’ଣ ସବୁଦିନ ରଖିହୁଏ ? ସେ ଯେଉଁ ପାପ କରିଛି ସେ ପାପ ତା’ର ମନର କାଚ ଜାର୍‌କୁ ଫଟାଇ ନିଶ୍ଚୟ ବାହାରକୁ ଦିନେ ବାହାରି ଆସିବ, ଏହା ସ୍ୱତଃସିଦ୍ଧ ଭାବରେ ସେ ଜାଣେ ।

 

ତା’ ଯୌବନରେ ତା’ର ତାରୁଣ୍ୟରେ ସେ ଭଲ ପାଇ ବସିଥିଲା କାହାକୁ । ନିଜର ଦେହ, ମନ ଉତ୍ସର୍ଗ କରି ପ୍ରେମ କରି ବସି ଥିଲା କେଉଁ ଈପ୍ସିତ ବ୍ୟକ୍ତିକୁ । ଏଥିପାଇଁ ସେ କ’ଣ ଭୁଲ୍ କରିଥିଲା ? ପ୍ରେମ କରିବା କ’ଣ ପାପ ହୋଇପାରେ ? ପ୍ରଣୟ ଲିପ୍ତ ହେବା କ’ଣ କଳୁଷିତ ଚିନ୍ତା ହୋଇପାରେ ? କିନ୍ତୁ ସେ’ତ ଜାଣି ନଥିଲା ତା’ର ଏ’ ପ୍ରେମ, ପ୍ରଣୟ କାହା ଜୀବନକୁ ଛାରଖାର କରି ପୋଡ଼ି ପକାଇବ, ଜାଳି ପକାଇବ, ଧ୍ୱସ୍ତବିଧ୍ୱସ୍ତ, ନଷ୍ଟବିନଷ୍ଟ କରି ପକାଇବ ବୋଲି ! କାହା ଜୀବନକୁ ସାହାରା ମରୁଭୂମିରେ ପରିଣତ କରି ସୁଖ ଆନନ୍ଦକୁ ବାଲିର ସ୍ତୂପରେ ପରିବର୍ତ୍ତନ କରିଦେବ ବୋଲି !

 

ପୁଣି ଗୋଟାଏ ଜୀବନ ନୁହେଁ, ଦୁଇ ଦୁଇଟା ଜୀବନ ଧ୍ୱସ୍ତବିଧ୍ୱସ୍ତ ହୋଇଗଲା ତା’ର କୁପ୍ରଭାବରେ । ଦୀପାନ୍ୱିତା ବସିଛି, ଆଦିମଯୁଗର କେଉଁ ଏକ ପ୍ରସ୍ତରପରି । ପ୍ରାଣହୀନ, ଭାଷାହୀନ ଏକ ମୂକ ବାଲିସ୍ତୂପ ପରି । ଅବିନ୍ୟସ୍ତ କେଶ ରାଶି ବିଜୁଳି ପଙ୍ଖାର ପବନରେ କେରିକେରି ଫିଟିପଡ଼ି ଅସଂଯତ ଭାବରେ ଉଡ଼ୁଛି । ବେଳେବେଳେ ମୁହଁ ଉପରକୁ ଉଡ଼ି ଆସି ଘୋଡ଼ାଇ ପକାଉଛି ତା’ର ମୁହଁକୁ । ଅସ୍ତବ୍ୟସ୍ତ ହୋଇ ବାଳଗୁଡ଼ାକୁ ମୁହଁ ଉପରୁ ଆଡ଼େଇ ନେଇ ସଜାଡ଼ି ଧରୁଛି ସେ । ବେଳେବେଳେ ରୁଦ୍ଧ ମନର ଆବେଗରେ କୋହ ଉଠୁଛି ଛାତିରୁ । ଅଶ୍ରୁର ଅବିଶ୍ରାନ୍ତ ଧାରା ଆଖିର ବନ୍ଧ ଭାଙ୍ଗି ଉଛୁଳି ପଡ଼ୁଛି । ପୁଣି ମନର ଆବେଗକୁ ଚାପି ରଖି ପଣତ କାନିରେ ଲୁହ ପୋଛି ଦୀପାନ୍ୱିତା ଥୟ ଧରୁଛି ।

 

ନିବିଡ଼ ରାତ୍ରିର ଘନ ତମିସ୍ରାକୁ ଠେଲି ଘରର ଚତୁଷ୍କୋଣରେ ଚାରିଟା ବଡ଼ବଡ଼ ବାରଲାଇଟ୍ ଖଞ୍ଜା ଯାଇଛି । ପୃଥିବୀର ସବୁ କୋଣରୁ ମେଞ୍ଚାମେଞ୍ଚା ଅନ୍ଧକାର ଗୋଟେଇ ଆଣି ଏକତ୍ରିତ କରି ଯଦି ବିଛେଇ ଦିଆଯାଏ ସେ ସ୍ଥାନରେ, ତେବେ ତା’ର କୌଣସି ସତ୍ତାବି ରହିବ ନାହିଁ ସେ ଆଲୋକ ଆଗରେ । ତଥାପି ଦୀପାନ୍ୱିତାକୁ ଜଣାଯାଉଛି, ସେ ଘରଟାରେ ଗୋଟା ପରିମାଣରେ ଅନ୍ଧକାରହିଁ ଅନ୍ଧକାର ବିଛେଇ ପଡ଼ିଛି । ମନେ ହେଉଛି, ପୃଥିବୀର ଆଲୋକ ଯେପରି ବହୁଦିନରୁ ଲିଭିଯାଇଛି ! ଆଉ ବୋଧହୁଏ ଆଲୋକ କେବେହେଲେ ପୃଥିବୀ ଉପରେ ପଡ଼ିବ ନାହିଁ ! ଅନ୍ଧକାର ଯୁଗଯୁଗାନ୍ତ ପାଇଁ ଇସ୍ତାମାରୀ ପଟା ନେଇ ଆସିଛି । ସେ ଅନ୍ଧକାର ଭିତରେ ଦୀପାନ୍ୱିତା ପ୍ରାଣର ଜହ୍ନ ଅତି ନିଷ୍ଠୁର ଭାବରେ ଅସ୍ତମିତ ହେବ । ଅତି କ୍ରୂର ଆଉ ନିର୍ଦ୍ଦୟ ଭାବରେ ଶେଷ ଆଲୋକ ଦେଇ ନିର୍ବାପିତ ହେବ । ଦୀପାନ୍ୱିତା କରିଥିବା ପାପର ପ୍ରତିଶୋଧକୁ ସେ କଡ଼ା, ଗଣ୍ଡା, କ୍ରାନ୍ତି ଆକାରରେ ଅସୁଲ କରିନେବ । ଦୀପାନ୍ୱିତା ତା’ର ବିଲୋପ ଘଟାଇବ ।

 

ଉଜାଣି ଉଠୁଛି ମୃତ କଥାର ଢେଉ ! ତମେ ଯଦି ଏ’ ଭଳି ପଦକ୍ଷେପ ନେଇଥିଲ, ତେବେ ଏ’ ଘରକୁ ବୋହୂ ହୋଇ ଆସିବାପାଇଁ ସ୍ୱୀକୃତି ଦେଲ କେମିତି ? କେମିତି ତମେ ଏଥିପାଇଁ ସାହସ କରିପାରିଲ ? ଏ’ ତମର ଦୋଷ ନୁହେଁ । ଏ’ ଦୋଷ ମୋ’ ବୋଉ ଆଉ ତମ ବାପାଙ୍କର । ମୁଁ ତାଙ୍କୁ ଭଲ ଭାବରେ ଉତ୍ତର ପଚାରିବି ୟା’ର !

 

ଗୁମୁରି ଉଠିଲା ବିକାଶ ଅନୁରୋଧର ସଜଳ ସ୍ମୃତି କେତୋଟି । ଦୀପାନ୍ୱିତା, ବିହ୍ୱଳତାର ବିଭ୍ରମତାରେ ତମ ନିକଟକୁ ଲେଖିଥିବା ସବୁ ପ୍ରଣୟାତ୍ମକ ପତ୍ରଗୁଡ଼ିକ ନଷ୍ଟ କରିଦେବ ବୋଲି ମୋର ଅନୁରୋଧ । କାରଣ ସେ ତମ ଜୀବନରେ ବହୁଝଡ଼ ବହୁ ଘାତ ପ୍ରତିଘାତ ସୃଷ୍ଟି କରିପାରେ-

 

ହେଲେ ଦୀପାନ୍ୱିତା !

 

କ’ଣ ରଖି ପାରିଲା ବିକାଶର ସେଇ କ୍ଷୁଦ୍ର ଗଭୀର ଅନୁନୟ ପୂର୍ଣ୍ଣ ଅନୁରୋଧ ? ଶେଷରେ ନିଜର ଜୀବନକୁ ଜାଣି ଜାଣି ଜାଳି ପକାଇଲା । ବିକାଶର କୌଣସି କଥା ଜୀବନରେ ସେ ରଖିନି । କିନ୍ତୁ ବିକାଶ ତା’ର ସବୁ କଥା ଗୋଟି ଗୋଟି କରି ରଖିଛି । ତାକୁ ଛାଡ଼ି ଆସିବା ପରେବି ସେ କଥାର ସ୍ମୃତିକୁ ସାଇତି ରଖିଛି ଟିକିନିଖି କରି । ତାକୁ ଅତି ସୂକ୍ଷ୍ମ ଭାବରେ ଅନୁଭବ କରିଛି । ଅନୁଭବ କରିପାରିଛି ତା’ର ଶରୀରର ପ୍ରତି ଲୋମକଣାକୁବି । ଦୀପାନ୍ୱିତାର ଦେହ, ମନ ଓ ଶରୀରର ସମଗ୍ର ଅଂଶକୁ ବିକାଶ ତା’ର ଦେହ, ମନ ଓ ସମଗ୍ର ଅବୟବରେ ସଂଯୋଗ କରି ଯେମିତି ପରିମାଣରେ ସୂକ୍ଷ୍ମ ଅନୁଭବ କରିଥିଲା ଦୀପାନ୍ୱିତାକୁ ଠିକ୍ ସେମିତି ଭାବରେବି ଅନୁଭବ କରିଥିଲା ତା’ର ନିଃଶ୍ୱାସ, ପ୍ରଶ୍ଵାସ, ତା’ର ମନ, ଅନ୍ତର ଓ ହୃଦୟର ନିଭୃତ ଅଭିବ୍ୟକ୍ତିକୁ ।

 

ବିଦାୟର ଶେଷ ମୁହୂର୍ତ୍ତରେବି ସେ ତାକୁ ଚିଠି ଲେଖି ଜଣେଇଁ ଥିଲା ଯେ ସେ’ତ ଆଜି ନୁହେଁ, କେତେ ଜନ୍ମପରେବି ଭୁଲି ପାରିବନି ତାକୁ । ବହୁ ଯୁଗଯୁଗାନ୍ତ ପରେବି ଏମିତି ରହିଥିବ ସେ ପ୍ରତୀକ୍ଷା କରି ଚାତକ ପକ୍ଷୀଟିଏ ପରି । ସେ ପ୍ରତୀକ୍ଷାର ସେ କିଛି ମୂଲ୍ୟ ନପାଉ । ସେ ପ୍ରତୀକ୍ଷାରେ ସେ ନିଃଶେଷ ହୋଇଯାଉ । ତଥାପି ତା’ର ଦୁଃଖ ନାହିଁ । ଅନୁଶୋଚନା ନାହିଁ ଆଦୌ ଅମଙ୍ଗଳ, ଅନୁଚିନ୍ତା, ଅଭିଶାପ ନାହିଁ ଦୀପାନ୍ୱିତା ପ୍ରତି । ଦୀପାନ୍ୱିତା ସର୍ବାନ୍ତକରଣରେ, ସର୍ବତୋଭାବେ, ଏକାନ୍ତ ଅନୁରୂପ ଭାବରେ ସୁଖୀ ହେଉ, ମଧୁମିତା ହେଉ, ବିକାଶ ବେଦନାସିକ୍ତ ପ୍ରାଣରେବି ତା’ପାଇଁ କାମନା କରିଥିଲା । ଆଶୀର୍ବାଦ କରିଥିଲା ।

 

ହେଲେ ଦୀପାନ୍ୱିତା ତାକୁ ପାଦରେ ଦଳିଚକଟି, ରୋମନ୍ଥନ କରି ଅତୀତର ଦୂର ଚଲାବାଟରେ ଫୋପାଡ଼ି ଦେଇ ଆସିଥିଲା ।

 

ସତ୍ୟବ୍ରତ କି’ ମତ ପ୍ରକାଶ କଲେ ବିକାଶପାଇଁ !

 

ଦୀପାନ୍ୱିତାର ବୁକୁରେ ଶତ ରୋମାଞ୍ଚ ଖେଳି ଉଠିଥିଲା ସେଦିନ ସାମାନ୍ୟ କଥା ପଦକରେ ।

 

ଯାହାକୁ ତମେ ଆତ୍ମାକୁ ସାକ୍ଷୀରଖି ଭଲ ପାଇଥିଲ, ପ୍ରଣୟ କାବ୍ୟ ରଚନା କରିଥିଲ, ତାକୁ ଏମିତି ଏମିତି ଭାବରେ ପ୍ରବଞ୍ଚନାର ଦ୍ୱାହି ଦେଇ ଛାଡ଼ି ଆସି ପାରିଲ ? କେମିତି ? କାହିଁକି ?

 

ଦୀପାନ୍ୱିତା ବିସ୍ମିତ ହୋଇଥିଲା ସେଦିନ । ଏ’ କ’ଣ ତାଙ୍କ ସ୍ଵାମୀ ସତ୍ୟବ୍ରତଙ୍କ ମନର ଭାଷା ତାହାହେଲେ ? ମନର ଭାଷା ଯଦି ଏଇଆ ହୋଇଥିଲା ତେବେ ଦୀପାନ୍ୱିତାକୁ ନର୍କର କୀଟପରି ଘୃଣା କରି ପାଦରେ ଠେଲି ଦେଇ ସେ ଚାଲିଗଲେ କାହିଁକି ? ଜଣେ ସ୍ଵାମୀ ଯଦି ସ୍ତ୍ରୀର ବିଗତ ପ୍ରଣୟୀକୁ ଏତେ ସ୍ନେହ, ମମତା, ଦେଇପାରେ, ତେବେ ନିଜର ସ୍ତ୍ରୀକୁ ଏତେ ହତାଦର କରିବ କାହିଁକି ? କରିପାରିବ ବା କେମିତି ?

 

ବୁଝି ପାରି ନଥିଲା ସେ ଦିନ ଦୀପାନ୍ୱିତା । ଆଜିବି ବୁଝିପାରି ନାହିଁ ସତ୍ୟବ୍ରତଙ୍କ ଚରିତ୍ର-। ତା’ ଜୀବନ କାବ୍ୟର ଏକ ଅବୋଧ୍ୟ ବିଷୟବସ୍ତୁ ହୋଇ ରହି ଯାଇଛନ୍ତି ସେ ।

 

ସାମନାରେ ସତ୍ୟବ୍ରତଙ୍କର ଏତେ ବଡ଼ ଫଟୋଟା ଟଙ୍ଗା ହୋଇଛି । ତା’ ଉପରେ ଚାରିହାତ ଲମ୍ବର ଫୁଲ ମାଳଟାଏ । ବିଗତ କେଇଦିନ ତଳେ ଏଇ ଫଟୋକୁ ସେ ମୁହଁ ବୁଲାଇ ଦୃଷ୍ଟି ତୋଳିପାରୁ ନଥିଲା ଲଜ୍ଜାଶୀଳା ହୋଇ । ହେଲେ ଆଜି ବାରମ୍ବାର ଦୃଷ୍ଟି ତୋଳି ସେ ଫଟୋକୁ ଦେଖୁଛିହିଁ ଦେଖୁଛି ।

 

ବିଗତ ଦିନାକେତେ ତଳେ ଏଇ ପାର୍ଥକ୍ୟ ଥିଲା ଯେ ଫଟୋଟା କେବଳ ଫଟୋହିଁ ଥିଲା-। ସେଥିରେ ଫୁଲର ମାଳ ଝୁଲୁ ନଥିଲା କି ସୁଶୋଭିତ ହୋଇ ନଥିଲା ସିନ୍ଦୂର ଚନ୍ଦନ-। ସତ୍ୟବ୍ରତ ଦୀପାନ୍ୱିତାର ସେଦିନ ଥିଲେ କେବଳ ସ୍ଵାମୀ ଆଉ ଆଜି ହେଲେ ଇହକାଳ ପରକାଳର ଦେବତା-

 

ଦୃଷ୍ଟି ପରିଧିରେ କେବଳ ଚିନ୍ତାର ଅନ୍ଧକାର । ଆଖିର ଜ୍ୟୋତି ଭିତରେ ଅଶାନ୍ତର ଛାଇ । କ’ଣ କରିବ ଦୀପାନ୍ୱିତା ? କେମିତି ପଛକୁ ଫେରିବ ସେ ? ଆଗକୁ ଚାଲିବାର ତ ଆଉ ବାଟନାହିଁ । ଧୈର୍ଯ୍ୟ ନାହିଁ । ସାହସ ନାହିଁ । ଶକ୍ତି ନାହିଁ । କେମିତି ସେ ତା’ର ଜୀବନ ରାସ୍ତା ଅତିକ୍ରମ କରିବ ?

 

କିଛି ବିଚାରି ପାରୁନାହିଁ । କିଛି ଚିନ୍ତା କରିପାରୁନାହିଁ । ସମସ୍ତେ ପଛରେ ରହିଗଲେ । ତା’ର ବାପା, ଭାଇ, ସହପାଠିନୀ, ସହକର୍ମିଣୀ ଶେଷରେ ତା’ର ବିକାଶବି । କେହି ତାକୁ ସାଥୀ କଲେ ନାହିଁ । କେହି ତାକୁ ଟିକିଏ ସ୍ମରଣବି କଲେ ନାହିଁ । ସମସ୍ତେ ତାକୁ ନିର୍ଜନତା ପୂର୍ଣ୍ଣ ଶୂନ୍ୟ ଅନ୍ଧକାର କକ୍ଷରେ ସବୁଦିନ ପାଇଁ ଛାଡ଼ି ଦେଇ ପଳାଇ ଗଲେ । ଆଉ ସେ ସେଇ ଅପରାଧର ଦଣ୍ଡ ଆଜି ଭୋଗ କରୁଛି ।

 

ଏଇ କିଛି ସମୟ ତଳେ ଏଇ ଘରେ ଆଲୋକ ଜାଳୁଥିଲା । କୋଟି ବର୍ଣ୍ଣ ବିଭାରେ ଉଦ୍ଭାସିତ ହେଉଥିଲା ତା’ର କ୍ଷୁଦ୍ର ସଂସାରଟି । ସହସ୍ର ସୂର୍ଯ୍ୟ, ଚନ୍ଦ୍ରର ବର୍ଣ୍ଣ ବିକିରଣରେ ତା’ର ଉଜ୍ଜ୍ଵଳଟିକି ପୃଥିବୀଟି ହସି ଉଠୁଥିଲା । ସେ ହସ ସହିତ ତାଳ ମିଳେଇ ବିଗତର ସବୁ ବେଦନାରାଶିକୁ ବିଭ୍ରମତାର ବିସ୍ତୃତି ମଧ୍ୟରେ ପୋତି ପକାଇ ହସିବାକୁ ଚେଷ୍ଟା କରୁଥିଲା ଦୀପାନ୍ୱିତା-। କିନ୍ତୁ ସେ ଜାଣି ନଥିଲା, ସେ ହସର ଅନ୍ତରାଳରେ ଭାରିରହିଛି ନିୟୁତ ଲୁହ ଝରଣାର ସୁଅ-। ସେ ବୁଝି ନଥିଲା, ଏ’ କ୍ଷୁଦ୍ର ଆନନ୍ଦ ପଛରେ ଲୁଚି ରହିଛି ବେଦନାର ଏକ ବିଶାଳ ସ୍ରୋତ କେଉଁ ଏକ ପ୍ରଗଳ୍‌ଭା ତଟିନୀର । ଅସତର୍କତାର ଗତିପଥରେ ଗତି କରି ତା’ ଉତ୍‌ଫୁଲ୍ଲତାର ନଦୀ ଆଜି ମରୁପ୍ରାନ୍ତର ମଧ୍ୟରେ ସ୍ଥିତି ହରାଇଚି । ହରାଇଚି ତା’ର ସମସ୍ତ ରାଶି ରାଶି ସ୍ଥାୟୀତ୍ୱ । ସମ୍ଭବତଃ ସେ ଆଉ ତା’ର ସ୍ଥିତି ସ୍ଥାୟୀତ୍ୱ ଜନ୍ମ ଜନ୍ମ ଧରି ପାଇବ ନାହିଁ । ପାଇବାକୁ ପ୍ରଚେଷ୍ଟା କଲେବି ସେ ପାଇ ପାରିବନାହିଁ । ଅତୀତରେ କ’ଣ ଥିଲା, ସେ କଥା ତା’ର ଭାବିବାକୁ ବେଳନାହିଁ । ବେଳ ଥିଲେବି ଆଉ ଇଚ୍ଛା ନାହିଁ ।

 

ବର୍ତ୍ତମାନ ଆଉ ଭବିଷ୍ୟତ ଉଭୟ ଅନ୍ଧକାର । ସୁନେଲି ସୂର୍ଯ୍ୟର ଛଟା ତା’ପାଇଁ କେବଳ ସ୍ଵପ୍ନ ଆଉ ସ୍ଵପ୍ନ । ସେ ସ୍ୱପ୍ନର ମହାବୃତ୍ତ ଭିତରେ ସେ ଏପାଖ ସେପାଖ ହୋଇ ଖାଲି ଘୂରୁଛି । କେଉଁ ସ୍ଥାନରେ ସ୍ଥିର ରହି ପାରୁନାହିଁ । ଆଶ୍ରୟ ନେଇ ପାରୁ ନାହିଁ ।

 

କଳ୍ପନାର କେନ୍ଦ୍ରବିନ୍ଦୁ, ଉପରେ ଠିଆ ହୋଇ ବହୁ କଥା ଇଚ୍ଛା କରେ, କାମନା କରେ ମଣିଷ । ସବୁ କାମନା, ସବୁ ଇଚ୍ଛା କ’ଣ ତା’ର ପୂର୍ଣ୍ଣ ହୁଏ ? ସେମିତି ଦୀପାନ୍ୱିତାର ଇଚ୍ଛା ପୂର୍ଣ୍ଣ ହୋଇ ପାରିଲା ନାହିଁ ।

 

ଅତୀତରୁ ଫେରିଲା ଦୀପାନ୍ୱିତା । ଭବିଷ୍ୟତ ପାଇଁ ତାକୁ ଚାଲିବାକୁ ହେବ । ଆଗାମୀ ଦିନପାଇଁ ତାକୁ ବଞ୍ଚିବାକୁ ପଡ଼ିବ । ବୟସର ଗୋଟାଏ ପାହାଚବି ଚଢ଼ି ପାରିନି ସେ । ପାହାଚ ପାହାଚ ହୋଇ ଅନେକ ପାହାଚ ଚଢ଼ିବାକୁ ଅଛି । ସେ’ତ ବ୍ୟସ୍ତ ହୋଇପଡ଼ୁଛି । ବିବ୍ରତ ଆଉ ଭାରାକ୍ରାନ୍ତ ହୋଇ ପଡ଼ୁଛି । ମନର ବଳ ଭାଙ୍ଗି ପଡ଼ିଲେ ଆଉ କ’ଣ ଚାଲିପାରେ ମଣିଷ ?

 

ସେ ଭାଙ୍ଗି ପଡ଼ିବ କାହିଁକି ? କ’ଣ ତା’ର ହୋଇଛି ? କିଛି ହୋଇନି ତା’ର ଜୀବନରେ-। ଏଗୁଡ଼ା ସବୁ ଖାଲି କ୍ଷଣିକ ଦୁଶ୍ଚିନ୍ତା ଆଉ ସ୍ୱପ୍ନ । ଦୁଶ୍ଚିନ୍ତା, ସ୍ଵପ୍ନ କେବେହେଲେ ସ୍ଥାୟୀ ହୋଇ ରହିପାରେ ? ନା, ସେ ତେବେ ଭାବିବ କାହିଁକି ? ଏତେ ଚିନ୍ତା କରିବ କାହିଁକି ? ସେ ଆଉ ଚିନ୍ତା କରିବ ନାହିଁ । ସବୁ ଚିନ୍ତା, ଅସୁଚିନ୍ତାକୁ ପଛରେ ପକାଇ ବିଗତ ଯୋଜନର ଖୁଣ୍ଟତଳେ ସବୁ ସ୍ମୃତି ବିସ୍ମୃତିକୁ ଫିଙ୍ଗି ଦେଇ ସେ ଆଗକୁ ଚାଲିଯିବ । ବହୁତ ଆଗକୁ । ସେଇ ଅଧ୍ୟାପିକା ଜୀବନକୁ-। ସେଇ ତା’ର ପ୍ରଥମ ପଦକ୍ଷେପକୁ । ପୁଣିଥରେ ମହାବିଦ୍ୟାଳୟର ହତା ଭିତରେ ସେ ପ୍ରବେଶ କରିବ । ବହୁତ ନୂତନ ଆଉ ପୁରାତନ ଛାତ୍ରଛାତ୍ରୀ ମୁହଁରେ ସଫେଦ୍ ହସ ଦେଖିବ-। ସୁଦୀପ୍ତ ଆଲୋକ ଦେଖିବ । ଅଫୁରନ୍ତ ପ୍ରେରଣା ଅପୂର୍ବ ଉତ୍ସାହ, ଉନ୍ମାଦନାର ସ୍ରୋତବାହି ସେ ପୁଣି ତା’ର ସେଇ ହଜିଲା ଜୀବନକୁ ଫେରି ପାଇବ । ସେଠି ସେ ଖୋଜି ପାଇବ ତା’ର ଆଗାମୀ ପ୍ରାଣପାଇଁ ଶାନ୍ତି, ମୁକ୍ତି ଆଉ ସ୍ଥିତି ସ୍ଥାୟୀତ୍ୱ ।

 

ମାତ୍ର ସେ ଯେ କୁଳବଧୂ ! ସେ କେମିତି ଫେରିବ ? ତାକୁ କ’ଣ ତା’ର ଶାଶୁ, ଦିଅର ଅନୁମତି ଦେବେ ଏଥିପାଇଁ ? ଅନୁମତି ଦେବେ ଯେ କୁଳ ବଂଶର ମାନ, ମର୍ଯ୍ୟାଦାକୁ କ୍ଷୁଣ୍ଣ କରି ତାଙ୍କ କୁଳରମଣୀ ଫେରିଯାଉ ମହାବିଦ୍ୟାଳୟର ପ୍ରାଙ୍ଗଣକୁ ? ଫେରିଯାଉ ଅତୀତ ଦିନର ସେଇ ଅଧ୍ୟାପିକା ଜୀବନକୁ ! କ’ଣ ସେ କରିବ ତେବେ ? କେମିତି ସେ ବଞ୍ଚିବ ?

 

ନିର୍ଜନତା, ନିରବତାର ସଙ୍ଗୀତ ଗାଇ ଗାଇ କେତେ ଦିନ ସେ ଏମିତି ଏକାକିନୀ ଭାବରେ ଏ’ କକ୍ଷ ଭିତରେ ସମୟ ବିତେଇ ପାରିବ ? କେତେ ଦିନ ସେ ଏମିତି ନିଃସଙ୍ଗ ଭାବରେ କାଳାତିପାତ କରିବ ?

 

ସତ୍ୟବ୍ରତ ତା’ ଜୀବନରେ ଆସିଥିଲେ । କେତେବେଳେ ଆସିଥିଲେ କେମିତି ଆସିଥିଲେ, କେତେବେଳେ ଆଉ କେମିତି ଚାଲିଗଲେ, ମନେରଖି ପାରିଲା ନାହିଁ ଦୀପାନ୍ୱିତା । ସତ୍ୟବ୍ରତବି ତାକୁ ବୁଝିବାକୁ ଚେଷ୍ଟା କଲେ ନାହିଁ । ସନ୍ଦେହର ପାହାଡ଼ ଠିଆ କରାଇ ନିଜେ ନିଜର ପ୍ରତିବନ୍ଧକ ହେଲେ । ଦୀପାନ୍ୱିତା ସେ ଭୁଲ୍ ସୁଧାରିବାକୁ ଯାଇ ସୁଧାରି ପାରିଲାନି । ଅତି ଆପଣାର ହୋଇବି ସତ୍ୟବ୍ରତ ସେଇ ଭୁଲ୍‌କୁ ଅଧିକ ବଢ଼ାଇ ଦେଲେ । ବୁଝେଇବା ପାଇଁବି ସମୟ ଦେଲେନି-। ତେଣୁ କ’ଣ କରି ଥାଆନ୍ତା ଦୀପାନ୍ୱିତା ? ନିଜର ଲୋକ ହୋଇ ଯଦି ଏତିକି ନବୁଝିଲେ ତେବେ ଅଭିମାନ ଆସେ ନାହିଁ, ବରଂ କ୍ରୋଧଭାବ ଆସେ ।

 

ଏତେ ନିଜର ହୋଇ ଯଦି ସେମାନେ ତାଙ୍କୁ ବୁଝିବାକୁ ଚେଷ୍ଟା କଲେ ନାହିଁ, ସେ ସେମାନଙ୍କୁ ବୁଝିବ କାହିଁକି ? ସେମାନଙ୍କ ସହିତ ତା’ର ସମ୍ପର୍କ କ’ଣ ? ଯେଉଁ ଟିକିଏ ସମ୍ପର୍କ ଅଛି, ତା’ର ଦ୍ଵାହି ଦେଇ ସେମାନେ ତାକୁ ବରଂ ଦୋଷ ଦେଉଛନ୍ତି । ଦାୟୀ କରୁଛନ୍ତି । ଯନ୍ତ୍ରଣାର ଭାର ଲଦି ଦେଉଛନ୍ତି ।

 

ସତ୍ୟବ୍ରତଙ୍କ ଦୁର୍ଘଟଣା ଦିନ ବାହାରର ସାଇଭାଇ ସ୍ତ୍ରୀଲୋକମାନେ ଯେତେବେଳେ ଟୁପ୍‍ଟାପ୍, ଫୁସ୍‍ଫାସ୍ ହେଲେ ସେତେବେଳେ ସେମାନଙ୍କୁ ସମର୍ଥନ କରୁଥିଲେ ତାଙ୍କ ଶାଶୁ ରମାଦେବୀ ଯେ ମଧୁଶଯ୍ୟା ରାତିରେ କାହାକୁ କିଛି ନକହି ପୁଅ ପୁଣି କାହିଁକି କୁଆଡ଼େ ଉଠି ଚାଲିଗଲା ? ତଥାପି ପ୍ରତ୍ୟକ୍ଷରେ କିଛି ଦେଖି ନାହାଁନ୍ତି, ଶୁଣି ନାହାଁନ୍ତି ବୋଲି କାହା ଉପରେ କିଛି ଦୋଷ ଲଦି ପାରୁ ନଥିଲେ ସେମାନେ । ପୋଲିସ୍ ବିବରଣୀରୁ ପ୍ରକାଶ ଯେ, ଅତ୍ୟଧିକ ମଦ ପିଇ ଗାଡ଼ି ଚଳାଉଥିବାବେଳେ ଦୁର୍ଘଟଣା ଘଟି ପ୍ରାଣ ହରାଇଛନ୍ତି ସତ୍ୟବ୍ରତ ।

 

ଦୀପାନ୍ୱିତା ଅତ୍ୟଧିକ ବେଦନାଗ୍ରସ୍ତ ହେବ ବୋଲି ସୁବ୍ରତ କଥାଟିକୁ ଚାପିରଖି ଶାଶୁଙ୍କୁ ବାରଣ କରିଥିଲେ ବାହାର ଲୋକଙ୍କ କଥାକୁ କାନ ନଡ଼େରିବା ପାଇଁ ।

 

ସେ ଦିନରୁ ଏଇ ଟୁପ୍‍ଟାପ୍ ବନ୍ଦ ଅଛି । ସୁବ୍ରତଙ୍କ ଭୟରେ କେହି କିଛି ମୁହଁ ଖୋଲି କହି ପାରୁ ନାହାଁନ୍ତି । କିନ୍ତୁ ସମସ୍ତଙ୍କ ମୁହଁରେ ଘୋର ସନ୍ଦେହ ଘେରି ରହିଛି ଦୀପାନ୍ୱିତା ଉପରେ । କାରଣ ଦୁର୍ଘଟଣା ସମ୍ପର୍କରେ ସତ୍ୟବ୍ରତଙ୍କ କଥା ପଚାରିବାରୁ ସେ ଖାଲି ଲୁହରେ ତା’ର ପ୍ରତ୍ୟୁତ୍ତର ଦେଇଥିଲା କିନ୍ତୁ ମୁହଁ ଫିଟେଇ କିଛି କହି ନଥିଲା ।

 

ସୁବ୍ରତ ଗମ୍ଭୀର ଥିଲେ । ଦୀପାନ୍ୱିତାକୁ କିଛି କହି ନଥିଲେ ଅଥବା ପଚାରି ନଥିଲେ ! କିନ୍ତୁ ଏବେ ତାଙ୍କ ମନୋଭାବ ଟିକିଏ ବଦଳିବା ଭଳି ଲକ୍ଷ୍ୟ କରୁଛି ଦୀପାନ୍ୱିତା । ସୁବ୍ରତ ତା’ ପାଖକୁ ଆସୁଛନ୍ତି । ଖାଇବା, ପିଇବା, ହାନିଲାଭ ଭଲମନ୍ଦ ବୁଝାସୁଝା କରୁଛନ୍ତି । କିଛି କିନ୍ତୁ କହୁନାହାଁନ୍ତି । ମନଖୋଲି କଥାବାର୍ତ୍ତା କରୁନାହାଁନ୍ତି । ପୂର୍ବପରି ଗାମ୍ଭୀର୍ଯ୍ୟ ରକ୍ଷା କରି କେବଳ ଯିବା ଆସିବା କରୁଛନ୍ତି ।

 

ଦୀପାନ୍ୱିତା ସନ୍ଦିଗ୍ଧତାରେ ଜଳୁଛି । ବହୁବାର ବିଚାରିଲାଣି ତାଙ୍କ ଗାମ୍ଭୀର୍ଯ୍ୟର କାରଣ ସେ ପଚାରିବ । ଦୀପାନ୍ୱିତାକୁ ସେ ବି ନିଜେ ଦୋଷୀ ସାବ୍ୟସ୍ତ କରୁଛନ୍ତି କି କ’ଣ ବୁଝିବ । କିନ୍ତୁ ପାରୁ ନାହିଁ । ଯେତେଥର ବିଚାରିଲେବି ସାହସ କରିପାରୁନାହିଁ ସେ ପଚାରିବାକୁ ତାଙ୍କୁ । ଯେତେଥର ସାହସ କରି, ମନକୁ ଦୃଢ଼, ଦମ୍ଭକରି ରଖୁଛି, ସୁବ୍ରତ ସାକ୍ଷାତ ହେବାକ୍ଷଣି ସେ ସାହସିକତା, ଦୃଢ଼ତା କୁଆଡ଼େ ପାଣିର ଫେଣପରି ମହାତୋଫାନ ଭିତରେ ମିଳେଇ ଯାଉଛି !

 

ଏଇ ଆଠ ଦିନ ହେଲା ଦୀପାନ୍ୱିତା ଏ’ ଘରକୁ ଆସିଥିଲେବି ଯେମିତି ସୁବ୍ରତଙ୍କ ସହିତ ତା’ର ଆଠ ଜନ୍ମ ହେଲା ପରିଚିତ ଅଛି । ସେ ଅନୁଭବ କରୁଛି । ସୁବ୍ରତଙ୍କ ଚାଲିଚଳନ, ଢଙ୍ଗଢ଼ାଙ୍ଗ, ବ୍ୟବହାର, କଥାଭାଷା ସବୁ ମୁଗ୍ଧ କରି ରଖିଛି ତାକୁ । ବିହ୍ୱଳିତ କରିପାରିଛି ତାକୁ । ଜୀବନର ସବୁ ସୁଖ, ସବୁ ମମତା ଏ’ ଘରୁ କାଟିଦେଲେବି ତାଙ୍କଠାରୁ ଦୀପାନ୍ୱିତା ସ୍ନେହ, ମମତା କାଟିପାରୁନାହିଁ । ସେ ସ୍ନେହ, ବନ୍ଧନର ରଜ୍ଜୁ ସେ ଇଚ୍ଛା କରିବି ଛିନ୍ନ କରି ପାରୁନାହିଁ । ପାରିବବି ନାହିଁ । ସୁବ୍ରତଙ୍କ ଲାଗି ସେ ଯେମିତି ବଞ୍ଚିଛି ! ସୁବ୍ରତଙ୍କ ଲାଗି ସେ ଯେମିତି ଚାଲୁଛି, ଖାଉଛି, ପିଉଛି, ସବୁ କରୁଛି !

 

ସୁବ୍ରତ କ’ଣ ତେବେ ତାକୁ ଛାଡ଼ିବେନି ? ସୁବ୍ରତ କ’ଣ ଅନୁମତି ଦେବେ ନାହିଁ ଯେ ତାଙ୍କ ନୂଆବୋଉ ତାଙ୍କୁ ଛାଡ଼ି ଅନ୍ୟତ୍ର ବସାବାନ୍ଧୁ ତା’ର ସ୍ଵେଚ୍ଛାରେ ? ସେ ପ୍ରଶ୍ନ କରିବେ ନାଇଁ କି ଯେ ସେ ମହାବିଦ୍ୟାଳୟରେ କେଉଁ ଅଭାବରୁ ଚାକିରି ଜୀବନ ଅତିବାହିତ କରିବ ? ଅର୍ଥପାଇଁ ? ଐଶ୍ୱର୍ଯ୍ୟପାଇଁ ? ଅଥବା ବଞ୍ଚିବାପାଇଁ ?

 

ପୁଣି ମନେମନେ ସ୍ଥିରକଲା ଦୀପାନ୍ୱିତା । ସୁବ୍ରତଙ୍କୁ ସେ ଭଲଭାବରେ ବୁଝାଇ ଦେବ ଯେ ସେ ଅର୍ଥ ଐଶ୍ୱର୍ଯ୍ୟ, ବଞ୍ଚିବାପାଇଁ ଚାକିରି କରୁନାହିଁ । କରୁଛି ତା’ର ସୁଖର ସନ୍ଧାନପାଇଁ । ନୂତନ ପଥର ଯାତ୍ରୀ ହେବାପାଇଁ ।

 

ସୁବ୍ରତ ତା’ର ନିଜର । ଅତି ନିଜର । ସୁବ୍ରତ କ’ଣ ଏତିକି ଚାହିଁବେ ନାଇଁ ଯେ ନୂଆବୋଉ ତାଙ୍କର ସୁଖ ଶାନ୍ତିରେ ରହୁ । ମଧୁମୟ ଜୀବନଯାପନ କରୁ । ସୁବ୍ରତ କ’ଣ ତାଙ୍କ ନୂଆବୋଉର ଶୁଭ, ଶାନ୍ତି, ମଙ୍ଗଳ କାମନା କରନ୍ତି ନାହିଁ ? ଯେ କୌଣସି ପ୍ରକାରେ ସୁବ୍ରତଙ୍କୁ ସେ ବୁଝାଇ ନେବ । ସୁବ୍ରତ ଏଣିକି ଘରେ ବୋଧହୁଏ ରହିବେ । ମେଡ଼ିକାଲ୍ ପଢ଼ା, ବୁର୍ଲା ମାଟି ଯିବା ଏତିକିରେ ବନ୍ଦ ହୋଇପାରେ ! ଆଗରୁ ସତ୍ୟବ୍ରତ ଥିଲେ ବୋଲି ସିନା ତାଙ୍କୁ ଘରେ ରହିବାକୁ ପଡ଼ୁ ନଥିଲା । ଏଣିକି ସେ ଘରେ ନିଶ୍ଚୟ ରହିବେ ।

 

ଆଉ ଶାଶୁଙ୍କ କଥା । ରମାଦେବୀ ନିଶ୍ଚୟ ଏଥିରେ ହସ୍ତକ୍ଷେପ କରିବେ । ଯେତେ ହେଲେବି ବୋହୂ କରି ସେ ତାକୁ ଘରକୁ ଆଣିଥିଲେ । ସେ କେବେହେଲେ ସ୍ୱେଚ୍ଛାକୃତ ଭାବରେ ଏଥିପ୍ରତି ସ୍ୱୀକୃତି ଦେବେ ନାହିଁ । କ’ଣ କରିବ ଦୀପାନ୍ୱିତା ? ବାପାଙ୍କ ନିକଟକୁ ଚିଠି ଲେଖିବ ସେ ଯେ କୌଣସି ଭାବରେ ହେଉ ଶାଶୁଙ୍କୁ କହି ବୁଝେଇ ଶୁଝେଇ ତାକୁ ଏଠୁ ନେଇଯିବା ଉଚିତ । ସେ ଯେ ଏଠାରେ ମୁହୂର୍ତ୍ତେ ଆଉ ବଞ୍ଚିପାରିବ ନାହିଁ । ସାଇଭାଇଙ୍କ ଚୁଗୁଲି ଟାପରା ସହି ପାରିବନାହିଁ ।

 

ମନକୁ ଦୃଢ଼କଲା–ଅତି ଦୃଢ଼ କଲା ଦୀପାନ୍ୱିତା । ଯେଉଁଭଳି ଭାବରେ ହେଉ ପଛେ ଶାଶୁ, ଦିଅରଙ୍କୁ ବୁଝେଇବାକୁ ପଡ଼ିବ । ସେ ତା’ ଜୀବନସାରା ଅନେକ ଐଶ୍ୱର୍ଯ୍ୟ ପାଇଛି, ପାଇଥିଲା-। ବିପୁଳ ଅର୍ଥର ରାଜଉଆସ ଭିତରେ ଚିନ୍ତାଶୂନ୍ୟ ଭାବରେ ମୁହୂର୍ତ୍ତ କାଟିଛି, କାଟିଥିଲା-। କିନ୍ତୁ ସୁଖ ସେ ପାଇଥିଲା କି ? ପାଇ ନାହିଁ କି ପାଇବ ନାହିଁ ।

 

ଦୀପାନ୍ୱିତା ଶାଶୁଘରେ ରହିଲେ ଶାଶୁ, ଦିଅର, ସାରା ପରିବାର ସୁଖ ଶାନ୍ତି ସେବା ପାଇ ପାରିବେ । କୁଳବଧୂ ଭାବରେ ମର୍ଯ୍ୟାଦାବି ରହିବ । କିନ୍ତୁ ସେ ଯେଉଁ ସୁଖ, ଶାନ୍ତି ଚାହୁଁଛି, ପତିବିନା, ପ୍ରେମିକ ବିନା କେଉଁ ଶାଶୁ, ଦିଅର ଦେଇ ପାରିବେକି ? ତା’ର ଦୁଃଖ, ଅଶାନ୍ତିକୁ ଲାଘବ କରିପାରିବେ କି ?

 

ଘନ କୃଷ୍ଣ ଅନ୍ଧକାରର ପଟଳ ଭିତରେ ମିଞ୍ଜି ମିଞ୍ଜି ଲଣ୍ଠନ ଆଲୁଅଟିଏ ଜଳୁଥିଲା ସେଇ ଜୀର୍ଣ୍ଣ ଗଳିର ଉପାନ୍ତରେ ଥିବା ମଦ୍ୟ ଦୋକାନଟିରେ । ରାତି ବହୁ ଗଭୀର ହୋଇ ଉଠିଥିଲା । ତା’ ସହିତ ଗଭୀର ହୋଇ ଉଠିଥିଲା ବିକାଶଙ୍କ ମନ ଓ ଜୀବନ ।

 

ଏ’ ମଧ୍ୟରେ ତିନି ମାସ ଗତ ହୋଇ ଯାଇଛି । ଆଉ ଏଇ ତିନି ମାସର ବ୍ୟବଧାନ ଭିତରେ ବହୁତ ବଦଳି ଯାଇଛି ବିକାଶଙ୍କ ଚାଲିଚଳନ, ଢଙ୍ଗଢ଼ାଙ୍ଗ । ଚଳଣିର ପ୍ରତ୍ୟେକ ସ୍ଥର । ତିରିଶବର୍ଷର ବ୍ୟବଧାନ ପରି ବଦଳି ଯାଇଛନ୍ତି ବିକାଶ । ବ୍ୟବଧାନ ମନେ ହେଉଛି ତାଙ୍କର ପ୍ରତିଟି କାର୍ଯ୍ୟ । ଶୃଙ୍ଖଳାଗତ ପ୍ରାଣରେ ବିଶୃଙ୍ଖଳାର ଢେଉ ଭରି ଉଚ୍ଛୃଙ୍ଖଳ ହୋଇ ପଡ଼ିଛି । ଖାପଛଡ଼ା ଲାଗୁଛି ଜୀବନ ନାଟକର ପ୍ରତ୍ୟେକ ପର୍ଯ୍ୟାୟ ତାଙ୍କର ।

 

ଆଲୁଅଟି ନିଷ୍ପ୍ରଭ ହୋଇ ଜଳୁଛି । ଖୁବ୍ ନିଷ୍ପ୍ରଭ । ଟିକିଏ ପରେ ଯେମିତି ପୂରାପୂରି ଲିଭିଯିବ ! ଲଣ୍ଠନରୁ ସବୁ ତେଲ ପ୍ରାୟ ନିଃଶେଷ ହୋଇ ଗଲାଣି ।

 

ଅତ୍ୟଧିକ ମଦ ନିଶାରେ ମାତାଲ ହୋଇ ବିକାଶ ଢଳି ପଡ଼ିଛନ୍ତି ପାନୀୟ ପାତ୍ର ରଖାଯାଇଥିବା ଟେବୁଲଟି ଉପରେ । ଅଜ୍ଞାନ ଆଉ ନିର୍ଜୀବ ପରି ଅନେକ ସମୟ ହେଲା ପଡ଼ି ରହିଛନ୍ତି ସେ । କ୍ଷୁଦ୍ରଚାଳିଆଟିରେ ପ୍ରଥମ କୋଠରୀରେ କେତେଜଣ, ବାହାରେ କେତେଜଣ, ଆଉ ଭିତର କୋଠରୀରେ କେତେଜଣ ଏମିତି ମାତାଲ ଅବସ୍ଥାରେ ପଡ଼ିଛନ୍ତି । ମଦଗ୍ଲାସ୍, ବୋତଲ କେତେଟା ଭାଙ୍ଗିରୁଜି ଟେବୁଲ ଉପରେ ପଡ଼ିଛି । ଅନେକ ଜିନିଷପତ୍ରବି ଏଣେତେଣେ ପଡ଼ିଛି ଛିନ୍‍ଛତର ହୋଇ ।

 

ଭିତରର କୋଠରୀରୁ ଟଳିଟଳି ବାହାରି ଆସିଲା ଜଗୁରାମ । ଦେଖିଲା ବିକାଶ ମଦ ଖାଇ ଟେବୁଲ ଉପରେ ମୁହଁମାଡ଼ି ପଡ଼ିଛି । ପାଖକୁ ଆସି ଦୁଇତିନିଥର ମଦୁଆ ଆଖି ପତାକୁ ଟେକି ବିକାଶଙ୍କୁ ଝଙ୍କାଝଙ୍କି କରି ଉଠେଇବାକୁ ଚେଷ୍ଟା କଲା । କିନ୍ତୁ ମଦ ନିଶା କ’ଣ ଏତେ ସହଜରେ କାହାଠାରୁ ଛାଡ଼େ ?

 

ଉଠିଲେ ନାହିଁ ବିକାଶ ।

 

ଟେବୁଲ ଉପରେ ପଡ଼ିଥିବା ଭଙ୍ଗା କାଚ ଗ୍ଲାସ୍‌ର ଟୁକୁରାରୁ ଗୋଟାଏ ଉଠେଇ ଆଣି ନିର୍ଧୁମ୍ ଭାବରେ ପିଟି ଦେବାକୁ ଗଲା ବିକାଶର ମୁଣ୍ଡ ଉପରେ ।

 

ମାତ୍ର ଆଘାତଟି ତା’ ଉପରେ ନବାଜି ବାଜିଲା ବିକାଶଙ୍କ ମୁଣ୍ଡ ଉପରକୁ ଝୁଲି ପଡ଼ିଥିବା ସିତାର‌ଟି ଉପରେ । ସିତାରଟି ଖସିପଡ଼ି ଟେବୁଲ ଉପରେ ଦୁମ୍ କରି ପଡ଼ିଲା । ବିକାଶଙ୍କ ହାତରେ ମଧ୍ୟ ଆଘାତ ଲାଗିଲା ସିତାରଟି ଖସିପଡ଼ିବାଫଳରେ ।

 

ନୀଦ ମଳମଳ ଆଖିରେ ଆଖି ମେଲି ଅନେଇଲେ ବିକାଶ । ଆରେ ରାମୁକାକା, ମୁଁ ପରା ନିଜେ ବର୍ତ୍ତମାନ ଯାଇଥାଆନ୍ତି ହିସାବନିକାଶ କରିବାକୁ ତମ ପାଖକୁ । ତମେ କାହିଁକି କଷ୍ଟ କରି ଆସିଲ ଏଠିକି ! ଯାଅ, ଯାଅ ଆରାମ କର । ମୁଁ ତମ ପାଖକୁ ଯାଉଛି ।

 

ମାତାଲ କଣ୍ଠରେ କହିଲେ ବିକାଶ ।

 

ହିସାବନିକାଶ କରିବାକୁ ଯାଇ ଥାଆନ୍ତୁ ନାଇଁ ? ଏଇ ଟେବୁଲ ଉପରେ ମଦ ପିଇ ଏମିତି ହିସାବନିକାଶ କରୁଛୁ ତୁ’ ! ତିନି ମାସ ଭିତରେ କେତେଥର ତତେ ମନା କଲିଣି, ବ୍ୟବସାୟ ସମୟରେ ମଦ ପିଇବୁନି ବୋଲି ! କ’ଣ ମନେରଖି ପାରିନାହୁଁ ? ମୋର ଏ’ ଭିତରେ କେତେ ନୁକ୍‌ସାନ୍ ହେଲାଣି, ହିସାବ ରଖିଛୁ ?

 

ଆରେ କାକା, ବ୍ୟବସାୟ କରୁଛ ତମେ । ଲାଭ ବେଳକୁ ହିସାବ ରଖିବ ତମେ । ପଇସା ନେବ ତମେ । ଆଉ ନୁକ୍‌ସାନ୍ ବେଳକୁ ମୁଁ ରଖିବି ହିସାବ ? ଏ’ ହେଲା ବ୍ୟବସାୟ । ବ୍ୟବସାୟରେ ନୁକ୍‌ସାନ୍ ହେବନି ତ ହେବ କୋଉଥିରେ ? ଲାଭବେଳକୁ ତ ପରବାୟ କରୁନ ? କ୍ଷତି ବେଳକୁ ଏତେ ଅଙ୍କ କଷି ହିସାବ ରଖୁଛ କାହିଁକି ?

 

ବିକାଶ ! କର୍କଶ ଗଳାରେ ଡାକିଲା ଜଗୁରାମ ।

 

କ’ଣ ବହୁତ ବଡ଼ବଡ଼ କଥା ଶୁଣେଇଲୁଣି ଆଜିକାଲି ? ତୋର ଯଦି ଷୋଳପଣ ଇଚ୍ଛା ଅଛି, ତେବେ ଏଠିରହ । ନଇଲେ ବାହାରି ଯା’ । ଭାତ ଫୋପାଡ଼ିଲେ କାଉ ମହରଗ ନାହାଁନ୍ତି ! ବୁଝିଲୁ ? ତତେ ମଣିଷ କରି ଆଣିଥିବାରୁ ମୋ’ ଉପରକୁ ନାତ ମାରୁଛୁ ନା ? ହଉ, ଏକାଥରକେ ତୋ’ ନାତ ମାରିବା ଛାଡ଼ିଯିବ । ମନେରଖ, ତୁ’ ମତେ ନାତ ମାରୁନୁ, ମାରୁଚୁ ତୋ’ ଭାତକୁ ।

 

ହାରାମଜାଦା ! କ’ଣ କହିଲୁ ? ଭାତକୁ ନାତ ମାରୁଛି ମୁଁ ? ତୋ’ ଖୁନ୍ ପିଇଯିବି ଆଉ ଦିନେ କହିଲେ । ଏଇଥରକ ତତେ ଛାଡ଼ି ଦେଲି ।

 

ଉତ୍‌କ୍ଷିପ୍ତ ହୋଇ ଜଗୁରାମ କୁର୍ତ୍ତାଟାକୁ ଓଟାରି ଧରି ଜୋରରେ ପଛକୁ ଠେଲିଦେଲେ ବିକାଶ ।

 

ଜଗୁରାମ ପଡ଼ି ଯାଉ ଯାଉ ନିଜକୁ ସମ୍ଭାଳି ନେଇ ପଇସା ଥଳିଟା ଧରି ଚାଲିଗଲା ଆର କୋଠରୀକୁ ।

 

ବିକାଶ ଟଳମଳ ପାଦରେ ଟେବୁଲ ଆଡ଼କୁ ବଢ଼ିଯାଇ ସିତାରଟିକୁ ହାତରେ ତୋଳି ଧରିଲେ । ହାତଟା ଆପେଆପେ ଚହଲି ଯାଉଛି । ଚଳଚଞ୍ଚଳ ହୋଇ ଉଠୁଚି ସିତାର । ଧୀର ମନ୍ଦ୍ରସ୍ୱନରେ ଯେପରି କାନ୍ଦି ଉଠୁଛି ତା’ର ରାଗିଣୀ ! ତା’ ସହିତ କାନ୍ଦି ଉଠୁଛି ବିକାଶଙ୍କ ମାତାଲ ହୃଦୟ ଆଉ ଅଜ୍ଞାନ ପ୍ରାଣ । ଜ୍ଞାନଶୂନ୍ୟ ଭାବରେ ସେ ଖୋଜୁଛନ୍ତି ଦୀପାନ୍ୱିତାଙ୍କୁ । ଖୋଜୁଛନ୍ତି ତାଙ୍କ ବିଗତ ପ୍ରଣୟିନୀକୁ । ଜ୍ଞାନଶୂନ୍ୟ ହୋଇଗଲା ପରେ ଦୀପାନ୍ୱିତାଙ୍କୁ ସେ ଏମିତି ଖୋଜନ୍ତି । ଅନ୍ୱେଷଣ କରନ୍ତି ତାକୁ ମଦର ବୋତଲ ଭିତରେ । ଗଣିକାର ଘୁଙ୍ଗୁରମାଳତଳେ ଆଉ ସିତାର ରାଗିଣୀର ସୁର ମାଧ୍ୟମରେ ।

 

ଏମିତି ମାତାଲ ଅବସ୍ଥାରେ ଜ୍ଞାନଶୂନ୍ୟ ହୋଇ ଅନେକ ସମୟରେ ବାଉଳି ଚାଉଳି ହୁଅନ୍ତି ବିକାଶ । ଦୀପାନ୍ୱିତା ସାଥିରେ ମନେମନେ କଥାବାର୍ତ୍ତା କରନ୍ତି । ଦୀପାନ୍ୱିତା, ଜୀବନକାବ୍ୟର ନାୟିକା ମୋର ! ତମେ ସିନା ବିଭ୍ରମତାରେ କାବ୍ୟନାୟକକୁ ତମର ଏତେ ଶୀଘ୍ର ବିସ୍ମରି ଗଲ । ମୁଁ କିନ୍ତୁ ପାରିନି ଦୀପାନ୍ୱିତା । ମୁଁ ଆଦୌ ପାରିନି । ପାରିବିନି ବୋଧହୁଏ ଏ’ ଜନ୍ମସାରା । ଇଚ୍ଛାଥିବା ସତ୍ତ୍ୱେବି ତମକୁ ମୋ’ ମାନସପଟରୁ ଦୂରେଇ ପାରିବିନି । କାରଣ ମୁଁ ଶିଳ୍ପୀ-। ପୁନର୍ଜନ୍ମ ସମ୍ପର୍କରେ ଗଭୀର ବିଶ୍ୱାସ ଅଛି ମୋର । ବିଚାର କରି ଦେଖିବ ଦୀପାନ୍ୱିତା, ବିକାଶ ତମର ଠିକ୍ ନା ଭୁଲ୍ କହୁଛି । ଏ ଜନ୍ମର ଇତିହାସକୁ ଯଦି ଆତ୍ମାର ନଥିପତ୍ର ଭିତରେ କେତେ ଜନ୍ମପାଇଁ ସାଇତି ରଖିବ, ତେବେ ଦେଖିବ, ଆଗାମୀ କୋଉ ଜନ୍ମରେ ହେଲେବି ତମ ବିଗତ ଜନ୍ମର ପ୍ରଣୟୀ ବିକାଶ ତମକୁ ଫେରି ପାଇଛି । ପୁଣିଥରେ ଲେଉଟି ପାଇଛି ସୁଦୃଢ଼ ପ୍ରତ୍ୟୟତା ଆଉ ଗଭୀର ସାଧନା ଯୋଗୁଁ ।

 

ବିକାଶଙ୍କ ସିତାର ସ୍ଵର ଉତ୍ତୋଳନ କରି ଚାଲିଛି । ଉନ୍ମାଦ ରାଗିଣୀରେ ବିଳାପ କରି ଉଠୁଛି ପ୍ରତି ସୂକ୍ଷ୍ମ ତନ୍ତ୍ରୀ । ସେ ସୂକ୍ଷ୍ମ ତନ୍ତ୍ରୀରେ ଜାଗ୍ରତ ହେଉଛି ଅପୂର୍ବ ମୂର୍ଚ୍ଛନା ! ସେ ମୂର୍ଚ୍ଛନାର ସ୍ଵର ତୋଳି ତୋଳି ଅନେକ ସମୟରେ ଏମିତି କାନ୍ଦି ପକାନ୍ତି ବିକାଶ । ସିତାର ସ୍ୱରର ରାଗିଣୀ ସହିତ ତାଙ୍କ ପ୍ରାଣର ରାଗିଣୀ ତାଳ ମିଶେଇ କାନ୍ଦେ । ଅଶ୍ରୁ ଢାଳେ ।

 

ରାତିର ଅନ୍ଧକାର ତାଙ୍କ ଦୋକାନର ଛୋଟିଆ ବାରଣ୍ଡା ଉପରେ, ଚାଳି ଓ କାନ୍ଥ ଉପରେ ଧକ୍କା ମାରୁଛି । ସେ ଦେଖୁଛି, ସହରର ପ୍ରତି ଗଳିକନ୍ଦିର ଲୋକ ଆଶ୍ଵସ୍ତିରେ ଘୁମେଇ ପଡ଼ିଛନ୍ତି । ଏକା ଅନିଦ୍ରା ଅଛି ତାଙ୍କର ଏଇ ମଦ ଦୋକାନ ଆଉ କେତେ ଜଣ କର୍ମୀ । ତେଣୁ ନିର୍ଜନତା ଆଉ ଅନ୍ଧକାର ବେଶି ପରିମାଣରେ ଆସର ଜମେଇ ବସିଛି ଏଇ ଚାଳଘରଟି ଉପରେ ଠିକ୍ ବିକାଶଙ୍କ ହୃଦୟରେ ଦୀପାନ୍ୱିତାର ଅତୀତ ପ୍ରଣୟ ଯେପରି ସ୍ଥାନ ଆବୋରି ବସିଛି !

 

ସିତାରରେ ସ୍ଵର ତୋଳିବାବେଳେ ସାଧାରଣ ଅବସ୍ଥାରେ ହେଉ ଅଥବା ମାତାଲ ଅବସ୍ଥାରେ, ଯେଉଁ ଅବସ୍ଥାରେ ଥିଲେବି ବିକାଶଙ୍କର ଦୀପାନ୍ୱିତା କଥା ଖୁବ୍ ମନେ ପଡ଼େ । ବନ୍ୟାଜଳ ନଦୀର କୂଳ ଲଙ୍ଘନ କରି ଉଛୁଳି ଉଠିବା ପରି ତାଙ୍କ ପ୍ରାଣର ନଦୀ ଉଦ୍ଧତ, ଉଚ୍ଛୃଙ୍ଖଳ ହୋଇ ଉଠେ । ଦୀପାନ୍ୱିତା ବିନା ଜୀବନ ଅନାବଶ୍ୟକ ମନେ ହୁଏ । ଦୁର୍ବିସହ ଚିନ୍ତାରେ ମନ ବୃକ୍ଷ ବେଦନାରେ ଲୋଟି ପଡ଼ି ମାଟି ଛୁଏଁ ।

 

ବିକାଶ ସେଇ ସ୍ଵର ଉତ୍ତୋଳନ କରୁଥିଲେ, ଯେଉଁ ସ୍ୱର କି ଦୀପାନ୍ୱିତାର ଅତି ପ୍ରିୟ । ମେଘମହ୍ଲାର । ମେଘମହ୍ଲାର ରାଗିଣୀ ତୋଳିବାପାଇଁ ବହୁସମୟରେ ବିକାଶଙ୍କୁ ବାରମ୍ବାର ଅନୁନୟ କରେ ଦୀପାନ୍ୱିତା । ସେଇ ମେଘମହ୍ଲାର ବଜେଇବାରେ ବିକାଶଙ୍କ କି’ ଆକାଂକ୍ଷା, କି’ ଆଗ୍ରହ, କି ଇଚ୍ଛା ସତରେ ! ହାତର ପ୍ରତି ସ୍ନାୟୁ, ଶିରା, ଉପଶିରା କି’ ଉଦ୍‌ବେଳିତ ସହକାରେ ଉଜ୍ଜୀବିତ, ଉତ୍ତେଜିତ ହୋଇଉଠନ୍ତି ! ସାରା ଶରୀରରେ ରକ୍ତର ନଦୀ ବନ୍ୟାପ୍ଲୁତ ହୋଇ ପ୍ରତି ଅଣୁ ପରମାଣୁକୁବି ସିକ୍ତ କରି ପକାଏ ।

 

ଆଜି ଠିକ୍ ମେଘମହ୍ଲାର ରାଗିଣୀର କରୁଣ ଝଙ୍କାର ଉତ୍ତୋଳନ କରି ଚାଲିଛନ୍ତି ସେ । ଆକାଶ, ପୃଥିବୀ ଝଡ଼ ବର୍ଷାରେ ଥରି ଉଠୁଛି । ବିକାଶଙ୍କ ଅନୁଭୂତ ହେଉଛି, ପ୍ରତ୍ୟେକ ଭିତରେ ଯେମିତି ଝଡ଼-କେବଳହିଁ ଝଡ଼ ସୃଷ୍ଟି ହୋଇଛି । ସିତାର ରାଗିଣୀରେ ଝଡ଼, କୁଟୀର ବାହାରେ ଆକାଶ ଆଉ ମାଟିରେ ଝଡ଼ ଆଉ ତା’ର ସମଗ୍ର ଶରୀରର ପ୍ରବହମାନ ରକ୍ତସ୍ରୋତ ଭିତରେବି ଝଡ଼ ମୁଖରିତ ହେଉଛି ।

 

ଏ’ ଝଡ଼ ଭିତରେ ସେ ସୃଷ୍ଟି କରୁଛି ମେଘମହ୍ଲାର । କାହିଁକି ? କାହାପାଇଁ ? କାହାପାଇଁ ସୃଷ୍ଟି କରୁଛି ସେ ଆଉ ବେଦନାର କରୁଣ ରାଗିଣୀ ? ସେ ରାଗିଣୀ ଯେଉଁ ନିର୍ଦ୍ଦିଷ୍ଟ ବ୍ୟକ୍ତିପାଇଁ ଉଦ୍ଦିଷ୍ଟ ଥିଲା ଦିନେ, ସେ’ ତ ଆଜି ତା’ଠାରୁ ଦୂରରେ-ଅନେକ ଦୂରରେ । ସେ ଦୂରତ୍ୱ ମାପିଲେ ରାସ୍ତା ତୁଳନାରେ ହୁଏତ କମ୍ ହୋଇପାରେ କିନ୍ତୁ ତା’ ମନର ଦୂରତ୍ୱ ମାପିଲେ ଲକ୍ଷ ଲକ୍ଷ କୋଟି କୋଟି ଯୋଜନା ତଫାତ୍ ହେବ । ସହସ୍ର ସହସ୍ର ମାଇଲ ବ୍ୟବଧାନ ହେବ ।

 

ବାହାରେ ଝଡ଼ ବର୍ଷା ତୁହାଇ ତୁହାଇ ଗର୍ଜୁଛି । ଆର୍ତ୍ତନାଦ କରୁଛି ପ୍ରଳୟ ତୋଫାନ ଓ ଝଞ୍ଜା । ମନ ଭିତରେ ସେ ପ୍ରଳୟ ତୋଫାନ ଝଞ୍ଜା ଆହୁରି ଭୟଙ୍କର ଆକାରରେ ବିରୂପ ପ୍ରକାଶ କରି ଦେଖା ଦେଇଛି । କ’ଣ କରିବେ ବିକାଶ ? ଏତେବେଳେ ସେ ଯେ ନିଃସଙ୍ଗ । ଦୀପାନ୍ୱିତାକୁ ଏତେବେଳେ ସେ ଖୋଜନ୍ତି । ଏତିକିବେଳେ ଦୀପାନ୍ୱିତା ବିକାଶଙ୍କ ସାମ୍ନାରେ ଛାଇପରି ଠିଆ ହୁଏ-। ଆଲୁଅ ପରି ଦେଖାଦିଏ । ରାଗିଣୀ ପରି କାନ୍ଦେ । ନଦୀ ପରି ଅଶ୍ରୁ ଢାଳେ । ଏ’ କଥା କ’ଣ ଏ’ ସଂସାର ଲୋକେ ବୁଝି ପାରିବେ ? କେହି ହୃଦୟଙ୍ଗମ କରିପାରିବେ ତା’ ମନ ଯାତନାର ଅଭିବ୍ୟକ୍ତି-?

 

ନା, କେହି ବୁଝିବେନି । କେହି ହୃଦୟଙ୍ଗମ କରିବେନି ।

 

ସିତାର ବନ୍ଦ କରି ଉଠିଲେ ବିକାଶ । ଏ’ ନିର୍ଜନ ମୁହୂର୍ତ୍ତରେ ସେ କାହାକୁ ଯେମିତି ଖୋଜୁଥିଲେ । ଲୋଡ଼ୁଥିଲେ କାହାର ସାନ୍ନିଧ୍ୟ, କାହାର ଉତ୍ତାପ, କାହାର ସ୍ପନ୍ଦନ ! କାହାର ??

 

ମନେମନେ ପ୍ରଶ୍ନ କରି ଉତ୍ତର ନିଜେ ସମାଧାନ କଲେ ପୁଣି । ସେ ଖୋଜୁଛନ୍ତି ସେଇ ତାଙ୍କ ପ୍ରାଣର ଦୀପାନ୍ୱିତାକୁ । ସେ ଚାହୁଁଛନ୍ତି ଦୀପାନ୍ୱିତାର ସାନ୍ନିଧ୍ୟ । ସେ ଲୋଡ଼ୁଛନ୍ତି ଦୀପାନ୍ୱିତା ଛାତିର ଥରିଲା ସ୍ପନ୍ଦନ । ସେ ସ୍ଵପ୍ନରେ ଶୁଣୁଛନ୍ତି ଦୀପାନ୍ୱିତା ସଙ୍ଗୀତର ମଧୁର ଗୁଞ୍ଜନ । ଅସମ୍ଭବ, ଅବାସ୍ତବ, ଅବାନ୍ତର ତାଙ୍କର ଚିନ୍ତା । ଉଦ୍ଭଟ ତାଙ୍କର ପରିକଳ୍ପନା । ଏ’ ଭିତରେ ସେ ମଦ୍ୟପ ହେବାପରେ ବୋଧହୁଏ ଭୁଲିଯାଇଛନ୍ତି ଦୀପାନ୍ୱିତା ଅନ୍ୟର–ସମ୍ପୂର୍ଣ୍ଣ ଅନ୍ୟର ହୋଇ କୁଳବଧୂ ସାଜି ପରଗୋତ୍ରକୁ ଅନ୍ତର ହୋଇ ଯାଇଛି । ପରଗୋତ୍ରୀ ହେବାପରେ, କାହା କୁଳର ବଧୂ ସାଜି ସୀମନ୍ତରେ ସିନ୍ଦୂର ଭରି ସାରିବା ପରେ କେହି ପ୍ରଣୟୀ ଯଦି ତା’ର ପ୍ରଣୟିନୀକୁ ବାରମ୍ବାର ସ୍ମରଣ କରେ, ସେ ସ୍ମରଣ କେବଳ ତା’ର ଅତୀତ ସ୍ମାରକୀର ବିଷୟବସ୍ତୁ ହୋଇ ରହିବ ସିନା ସମ୍ଭବ, ବାସ୍ତବତାରେ ରୂପ ପାଇବା କେବେହେଲେ ସମ୍ଭବ ହେବନାହିଁ ।

 

ଦୀପାନ୍ୱିତା ଆଉ କ’ଣ କେବେ ଲେଉଟି ପାରେ ? ଫେରିଆସି ବିକାଶକୁ କହିପାରେ ଯେ ବିକାଶ, ମୁଁ ତମକୁ ଭୁଲ୍ ବୁଝି ତମଠାରୁ କିଛିଦିନ ପାଇଁ ଦୂରେଇ ଯାଇଥିଲି ହେଲେ ସେ ଧାରଣା ମୋର ଆଜି ସମ୍ପୂର୍ଣ୍ଣ ବଦଳି ଯାଇଛି । ମତେ ତମେ କ୍ଷମାକର । ମୋର ଭୁଲ୍‍ପାଇଁ ଯେଉଁ ଦଣ୍ଡ ଦେଉଚ ଦିଅ, ନୀରବରେ ହସି ହସି ମଥା ପାତି ସହିବି । ହେଲେ ତମେ ମୋ’ ଠାରୁ ଦୂରେଇ ଯାଅନି । ମତେ ଅଙ୍ଗୀକାର କରି ନେବାକୁ ଅସ୍ୱୀକାର କରନାହିଁ । ଅସମ୍ମତ ହୁଅ ନାହିଁ । ସମ୍ମତି ନ ଦେଲେ ସ୍ୱୀକାର ନକଲେ ମୋ’ ଜୀବନଟା ଜଳିପୋଡ଼ି ନାରଖାର ହୋଇଯିବ । ମୁଁ ସବୁଦିନ, ସବୁଦିନ ପାଇଁ ନିଭିଲା ଜୁଇର ଅଙ୍ଗାର ପରି ପଡ଼ି ରହି ମାଟିସାଥିରେ ମିଶିଯିବି ।

 

ମାତ୍ର ଦୀପାନ୍ୱିତା ଆଉ ଏପରି କହିବ ନାହିଁ । ତା’ ଜୀବନର ଅଧ୍ୟାୟ, ପର୍ଯ୍ୟାୟରେ କେହି ଯେମିତି ସମାପ୍ତିର ସ୍ଥୂଳରେଖା ଆଙ୍କି ଦେଇଛି । ଇଡ଼ିଗଲା ପାଣି, ଗଡ଼ିଗଲା ବୟସ, ହୁଡ଼ିଗଲା ନାରୀ କେବେହେଲେ ପଛକୁ ଆଉ ଫେରେ ନାହିଁ । ଦୀପାନ୍ୱିତା ଆଉ ପଛକୁ ଫେରିବନି-। ଇଡ଼ିଗଲା ପାଣି, ଗଡ଼ିଗଲା ବୟସ, ହୁଡ଼ି ଗଲା ନାରୀ ସମାନ ସେ ଆଗକୁ ବଢ଼ି ଯାଇଛି-। କିନ୍ତୁ ବିକାଶ ଠିକ୍ ତା’ର ବିପରୀତମୁଖୀ ହୋଇ ପଡ଼ିଛନ୍ତି । ସେ ଆଉ ଆଗକୁ ବଢ଼ି ପାରୁ ନାହାଁନ୍ତି-। ଅତୀତର ବିଭ୍ରମତାକୁ ଅତିକ୍ରମ କରି ପାରୁ ନାହାଁନ୍ତି । ମନର ଦୁର୍ବଳତାକୁ ସେ ପାସୋରି ପାରୁ ନାହାଁନ୍ତି । ସେ ମୂଳ, ଅଥର୍ବ ପ୍ରସ୍ତର ସମାନ ଯୋଉଠି, ସେଇଠି ପଡ଼ିରହିଛନ୍ତି ।

 

ପୁଣି ମନେମନେ ବିଚାର କଲେ ବିକାଶ । ଦୀପାନ୍ୱିତା ନାରୀ ହୋଇ ଯଦି ସେ ବିଭ୍ରମତାକୁ, ସେ ଦୁର୍ବଳତାକୁ ପାସୋରି ପାରିଲା, ସେ ପୁରୁଷ ହୋଇ ସତରେ କ’ଣ ନାରୀଠାରୁ ଏତେ ଦୁର୍ବଳ ? ଏତେ ଭୀରୁ ?

 

ନାରୀର ମନଶକ୍ତ । ବଜ୍ରପରି । ପୁଣି କୋମଳ । ପୁଷ୍ପପରି । ଥରେ ଭାଙ୍ଗି ପଡ଼ିଲେ ପୁଣି ଶକ୍ତ ହୁଏ । କାହାର ସାହଚର୍ଯ୍ୟରେ । କାହାର ସାନ୍ନିଧ୍ୟରେ । ଗୋଟାଏ ପୁରୁଷକୁ ଭୁଲି ଯାଇ ଅନ୍ୟ ପୁରୁଷକୁ ଆପଣାର କରି ନେଇପାରେ । ଜଣକୁ ପାସୋରି ଯାଇ ଅନ୍ୟଜଣଙ୍କୁ ସ୍ଵାଗତ କରିପାରେ ସହଜରେ । ବଦଳି ଯାଇପାରେ ଅତି ସୂକ୍ଷ୍ମ ଉପାୟରେ । ମାତ୍ର ପୁରୁଷର ପ୍ରାଣ ଭିନ୍ନ ଉପାଦାନରେ ଗଢ଼ା । ସେ ବଜ୍ର ପରି କେବଳ ଶକ୍ତ । ଥରେ ଭାଙ୍ଗି ପଡ଼ିଲେ ଦ୍ୱିତୀୟ ବାର ଆଉ ସହଜରେ ଶକ୍ତ ହୋଇ ପାରେନା । ବଜ୍ରର ଦମ୍ଭ ପାଣିଫୋଟକା ପରି ତା’ର ମିଳେଇ ଯାଏଁ ଶୂନ୍ୟରେ–ଅନନ୍ତ ଶୂନ୍ୟରେ । ପୁରୁଷ ତେଣୁ ସୂର୍ଯ୍ୟ ଆଉ ନାରୀ ଚନ୍ଦ୍ର । ସୂର୍ଯ୍ୟର ଆଲୋକରେ ଚନ୍ଦ୍ର ଆଲୋକିତ ହୁଏ । ପୁରୁଷର ଦମ୍ଭ, ବଳରେ ନାରୀ ହୁଏ ବଳୀୟସୀ, ଶକ୍ତିମୟୀ । ଯଦି ପୃଥିବୀର ସୂର୍ଯ୍ୟ ନଥାନ୍ତା, ତେବେ ଚନ୍ଦ୍ରର ନିଜସ୍ୱ ବୋଲି କିଛି ରହନ୍ତା ନାହିଁ । ପୃଥିବୀ ହୁଅନ୍ତା କେବଳ ଅନ୍ଧକାର ଆଉ ଅନ୍ଧକାର । ସେଇ ପରି ଦୀପାନ୍ୱିତା ବିକାଶଙ୍କୁ ପାସୋରି ଯାଇ ମଧ୍ୟ ଅନ୍ୟ ଜଣେ ପୁରୁଷର ସାହଚର୍ଯ୍ୟରେ ବଳୀୟସୀ, ଗରୀୟସୀ ହୋଇ ପାରିଛି । ଅତୀତ ପ୍ରଣୟର ସ୍ମୃତିକୁ ଭୁଲିଯାଇବି ପୁଷ୍ପର କୋମଳତା ମଧୁରତା ବହନକରି ଅନ୍ୟଜଣେ ପୁରୁଷକୁ ମୁଗ୍ଧ ଆଉ ପ୍ରଲୁବ୍‌ଧ କରି ପାରିଛି । କିନ୍ତୁ ବିକାଶ ! ଥରେ ଭାଙ୍ଗି ପଡ଼ି ତାଙ୍କର ସମସ୍ତ ସତ୍ତା ଓ ଇୟତ୍ତା ସବୁଦିନ ପାଇଁ ହରାଇ ବସିଛନ୍ତି-!

 

ବିକାଶ ଯେ ନାରୀଠାରୁ ଦୁର୍ବଳ ଲତିକା ଭାଉଜ ଦିନେ କଥା ଛଳରେ ବୁଝେଇବା ଭଙ୍ଗୀରେ ଶୁଣେଇ ଥିଲେ ବିକାଶଙ୍କୁ । ସତରେ କ’ଣ ବିକାଶ ଏତେ ଦୁର୍ବଳ ? ହଁ, ବିକାଶ ଦୁର୍ବଳ । ବିକାଶ ଦୁର୍ବଳ ହୋଇ ନଥିଲେ ସେ କାହିଁକି ପାସୋରି ପାରନ୍ତେ ନାହିଁ ଦୀପାନ୍ୱିତାକୁ ? ହୃଦୟ ମନରେ ଏତେ ଜପାମାଳି କରି ଜପୁ ଥାଆନ୍ତି ବସି ତାକୁ । କାହିଁକି ? ସେ ଜପିବେ, ଜପୁଥିବେ ବସି-। କାରଣ ସେ ଶିଳ୍ପୀ । ଶିଳ୍ପୀର ଶିଳ୍ପ ତା’ରି ଭିତରୁ ଜନ୍ମ । ତା’ରି ମାଧ୍ୟମରୁ ସୃଷ୍ଟି । ନାୟିକା ବିନା ଶିଳ୍ପ ସେ ସାର୍ଥକ ଲାଭ କରେନାହିଁ । ନାୟିକା ଯେ ସ୍ରଷ୍ଟାର ପ୍ରେରଣାମୟୀ, ପ୍ରୋତ୍ସାହଦାୟିନୀ ବିରାଟ ଶକ୍ତି ଗୋଟାଏ । ସେ ଶକ୍ତିର ବିନା ସାହାଯ୍ୟରେ ଶିଳ୍ପୀର ଶିଳ୍ପ, କଳାକାରର କଳା ଊର୍ଦ୍ଧ୍ୱକୁ ଉଠି ପାରେ ନାହିଁ । ପ୍ରତିଭା ପ୍ରତିଷ୍ଠା ଲାଭ କରିପାରେ ନାହିଁ । ପ୍ରତିଭା ଚିରକାଳ କଳଙ୍କିତ-। ସେ କଳଙ୍କକୁ ଦୂରକୁ ଠେଲି ବାଟଭାଙ୍ଗି ଅନ୍ୟ ବାଟରେ କେମିତି ଯାଇ ପାରିଥାଆନ୍ତା ବିକାଶଙ୍କ ଶିଳ୍ପକଳା ? ଦାରିଦ୍ର୍ୟ, କଳଙ୍କ ବହ୍ନିରେ ଶିଳ୍ପ ଆଉ କଳା କଳଙ୍କିତ, ନିଷ୍ପେଷିତ ନ ହେଲେ ତା’ର ମହାଶିଖା ଊର୍ଦ୍ଧ୍ୱକୁ ବାହୁ ତୋଳି ପ୍ରଜ୍ଜ୍ୱଳିତ ହୋଇ ପାରିବ ନାହିଁ ! ପ୍ରସାରିତ ହୋଇ ଉଠି ପାରିବ ନାହିଁ !

 

ଆସ୍ତେ ଆସ୍ତେ ଛାଡ଼ି ଆସୁଛି ବିକାଶଙ୍କ ମଦ ନିଶା । ରାତ୍ରିର ଉଷ୍ମତା, ଶୀତଳତାକୁ ପରିବର୍ତ୍ତିତ ହେଉଛି । କିନ୍ତୁ ବିକାଶଙ୍କ ମନର ଶୀତଳତା ଯେ ଉଷ୍ମତା ଆଡ଼କୁ ବାଟ ଦେଖାଇ ନେଉଛି ! ସେ ଉଷ୍ମତା ଭିତରେ ଆଦିମଯୁଗର କାମନା, ପିପାସା ଏକତ୍ରିତ ହୋଇ ବୁକୁଫଟା ଚିତ୍କାର କରୁଛନ୍ତି ! ସେ ପ୍ରପୀଡ଼ିତ ମନର ଆବେଗ ଭିତରେ କେବଳ ଦେଖା ଦେଉଛି କାମୁକତା ଆଉ ଲମ୍ପଟର ରାଶି ରାଶି ଅନୁଚିନ୍ତା । ବହୁ ପ୍ରଚେଷ୍ଟା କରିବି ମନରୁ ତାଙ୍କର ପୋଛି ପାରୁ ନାହାଁନ୍ତି ବିକାଶ । ଲିଭେଇ ପାରୁ ନାହାଁନ୍ତି ତାଙ୍କ ଶରୀରର ସିଲଟ ଉପରୁ । ଯେଉଁ ଶରୀରର ସିଲଟ ଉପରେ ପ୍ରେମର ପ୍ରଥମ ସ୍ଵରବର୍ଣ୍ଣ ଅ, ଆ, ଇ, ଈ ପ୍ରଭୃତି ଲେଖା ହେଇଥିଲା, ସେ କେତେବେଳେ ଲିଭିଯାଇ ବ୍ୟଞ୍ଜନ ବର୍ଣ୍ଣର କ, ଖ ପ୍ରଭୃତି କାମୁକତା, ଖଳଚିନ୍ତା କେତେ ଧାଡ଼ି ଲେଖା ହୋଇ ଯାଇଛି ସେ ସ୍ଥାନରେ । ଆଉ ଦେହର ସିଲଟ ସେକଥା ବିବେଚନା କରିପାରୁନାହିଁ । କାରଣ ଦେହର ସିଲଟ ପକ୍ଷରେ ଉଭୟ ସମାନ । ତା’ର ଘୃଣା ଆଉ ସ୍ନେହ ଭିତରେ ପାର୍ଥକ୍ୟ ନାହିଁ । ଗୋଟିଏ ମାଆ ପେଟରୁ, ଗୋଟିଏ ବାପର ଔରସରୁ ସେ ଭଳି ଉଭୟେ ଜନ୍ମ ନେଇଛନ୍ତି ! ସ୍ଵରବର୍ଣ୍ଣ ଅ, ଆ, ଇ, ଈ ପ୍ରେମର ପ୍ରଥମ ସ୍ୱର ଉତ୍ତୋଳନବେଳେ ଯେତିକି ଆଗ୍ରହ, ଯେତିକି ଉତ୍ସାହ ଜନ୍ମ ନେଇଥିଲା, ସେତିକି ଆଗ୍ରହ ଉତ୍ସାହ ଆଜି ବ୍ୟଞ୍ଜନ ବର୍ଣ୍ଣର ଅଶୁଭ ବ୍ୟଞ୍ଜକ କ, ଖ ସ୍ୱର ଉତ୍ତୋଳନବେଳେ ମରିଯାଇନାହିଁ । ପରିବର୍ତ୍ତନ ହୋଇନାହିଁ । ଠିକ୍ ସେଇପରି ରୂପ ଧାରଣ କରି ସ୍ଥିର ରହିଛି ।

 

ତେବେ ଦୀପାନ୍ୱିତା ନିକଟକୁ ଲେଖିଥିବା ଶେଷ ଚିଠି କ’ଣ ତାଙ୍କର ଛଳନାତ୍ମକ ? ଅଭିମାନ ସୂଚକ ? କିନ୍ତୁ କାହିଁକି ସେ ଲେଖିଲେ ଯେ ତାଙ୍କ ଭିତରେ ଆଦୌ ଛଳନା, ଆଦୌ ଅଭିମାନ ନାଇଁ ବୋଲି । କାହିଁକି ସେ ବିଶ୍ଳେଷଣ କଲେ ଯେ ତାଙ୍କ ଅନ୍ତରର ସ୍ୱତଃସ୍ଫୂର୍ତ୍ତ ଅଭିବ୍ୟକ୍ତି ଏଇ କଥା, ଯାହା ସେ ଚିଠି ଆକାରରେ ଲେଖି ଜଣାଉଛନ୍ତି । ଯଦି ଅନ୍ତରର ଅଭିବ୍ୟକ୍ତି ଇଏ, ତେବେ ଦୀପାନ୍ୱିତାକୁ କାହିଁକି ବିସ୍ମରି ପାରୁ ନାହାଁନ୍ତି ବିକାଶ ? କାହିଁକି ତିଳତିଳ ଭାବରେ ବିଦଗ୍ଧ ହୋଇ ନିଜକୁ ଜାଳି ପକାଉଛନ୍ତି ସେ ? ନିଜକୁ ନିଃଶେଷ କରି ସେ ପାଉଛନ୍ତି ପରିତୃପ୍ତି, ଆତ୍ମ ପ୍ରଶାନ୍ତି ? କେଉଁଥିପାଇଁ ବେଦନାର ଅଭିଶାପକୁ ଆଶୀର୍ବାଦ ମନେ କରି ତୋଳି ଧରିଛନ୍ତି ?

 

ମଦ ନିଶା ଛାଡ଼ି ଆସିଛି କ୍ରମେ କ୍ରମେ । ଦେହଟା ଭାରି ଅବଶ, ଶିଥିଳ ଆଉ କ୍ଳାନ୍ତ ଲାଗୁଛି । ତିନି ଦିନ ହେଲା ପେଟରେ ମୁଠାଏ ଅନ୍ନବି ପଡ଼ିନି । ଏ’ କ’ଣ ବିକାଶଙ୍କର ହେଲା ? ଦିନ ନାଇଁ, ରାତି ନାଇଁ, ସାରା ମୁହୂର୍ତ୍ତ ଖାଲି ମଦ ଆଉ ମଦ । ଯେଉଁ ମଦକୁ ସେ ଆଜୀବନ ଘୃଣା କରି ଆସିଥିଲେ ସେଇ ମଦକୁ ସେ ଆଜି କେମିତି ଚିର ପାଥେୟ କରି ଟେକି ଧରିଛନ୍ତି ? ଆଶ୍ଚର୍ଯ୍ୟ-! କ’ଣ ହୋଇଛି ତାଙ୍କର ?

 

ବିକାଶ କେବଳ ଭାବୁଛନ୍ତିହିଁ ଭାବୁଛନ୍ତି । ସେ ଭାବନାର ଯେପରି ବିରାମ ନାହିଁ । ସେ ଚିନ୍ତାର ଯେମିତି ଶେଷ ନାହିଁ । ଆଦିମଯୁଗରୁ ସେ ଯେମିତି ଏଇ କଥା କେବଳ ଭାବି ଚାଲିଛନ୍ତି । ଏଇ ଚିନ୍ତା ଉପରେ ସେ ଯେମିତି ଥେସିସ୍ ଲେଖି ଚାଲିଛନ୍ତି । ସେ ଥେସିସ୍, ସେ କାବ୍ୟହିଁ ତାଙ୍କ ନିଜ ଜୀବନର !

 

ସୁଦୂର ଅନ୍ଧକାର ଆକାଶରେ ଉଜ୍ଜ୍ୱଳ ତାରାଟିଏ ଚିକ୍‌ଚିକ୍ କରି ହସି ଉଠୁଛି । ଠିକ୍ ଗୋଟିଏ ଟିକି ପିଲା ତା’ର ଉଜ୍ଜ୍ୱଳ ଦାନ୍ତ ଭାରିକ ଦେଖାଇବା ଭଳି । ଅଥବା ସେଇ କ୍ଷୁଦ୍ର ଶିଶୁର ଅଙ୍ଗୁଳିର ସ୍ୱର୍ଣ୍ଣ ଅନାମିକା ଉପରେ ଏକ କ୍ଷୁଦ୍ର ଉଜ୍ଜ୍ୱଳ ପ୍ରସ୍ତର ଖଚିତ ହୋଇ ଝଲସି ଉଠୁଥିବା ପରି ସେ ସଫେଦ୍ ବର୍ଣ୍ଣର କିରଣ ବିକିରଣ କରୁଛି । କିନ୍ତୁ ତା’ର ଆଲୋକରେ ପୃଥିବୀର ବିନ୍ଦୁଏ ଅଂଶବି ଉଜ୍ଜ୍ୱଳ ହୋଇ ପାରୁନାହିଁ ଯେମିତି କି ବିକାଶଙ୍କ କଳାର ଦାନରେ କେହି ସମୃଦ୍ଧ ହୋଇ ନାହାଁନ୍ତି ବରଂ ବେଶି ପରିମାଣରେ ବିକ୍ଷୁବ୍ଧ ହୋଇଛନ୍ତି ।

 

ବିକାଶପାଇଁ ଏ’ ସହରରେ କାହାରବି ସାମାନ୍ୟ ସହାନୁଭୂତି କି ଅନୁକମ୍ପା ନାହିଁ । ପ୍ରତି ଲୋକଙ୍କର ଧାରଣା ଯେ ବିକାଶ ଏକ ଲମ୍ପଟ ଚରିତ୍ରହୀନ, ମଦ୍ୟପ ଯୁବକ । ଯିଏ କି କୌଣସି ଭଦ୍ର ସମାଜ ଭତିରେ ଚଳିବା ଭଳି ଯୋଗ୍ୟ ନୁହେଁ । କିନ୍ତୁ ସେ ଏ’ ଲୋକନିନ୍ଦାରୁ ରକ୍ଷା ପାଇଥିଲେ ଗୋଟାଏ ବାଟରେ । ଦୀପାନ୍ୱିତାର ସ୍ପର୍ଶାନୁଭୂତି ଓ ସାହାଯ୍ୟରେ । ଦୀପାନ୍ୱିତା ଭଳି ସହରର ଜଣେ ପ୍ରତିଷ୍ଠାବାନ ବ୍ୟକ୍ତିର କନ୍ୟା ଯେତେବେଳେ ବିକାଶଙ୍କୁ ଜଣେ ଆତ୍ମଚେତା, ମହାନ୍ ଶିଳ୍ପୀ ବୋଲି ଉଚ୍ଚ କଣ୍ଠରେ ଉଚ୍ଚ ପ୍ରଶଂସା କରୁଥିଲା, ସେତେବେଳେ ଏ’ ସମାଜ ପରୋକ୍ଷରେ ଯାହା କହିଲେବି ମୁହଁରେ ତାଙ୍କୁ ସମର୍ଥନ ନ ଜଣେଇ ରହି ପାରୁ ନଥିଲା । ମାତ୍ର ଦୀପାନ୍ୱିତା ଯେତେବେଳେ ତାକୁ ପ୍ରତ୍ୟାଖ୍ୟାନ କରି ଚାଲିଗଲା, ସେତେବେଳେ ଏ’ ସଂସାର ଆଉ କ’ଣ କହନ୍ତା ? ଏ ସହର ଆଉ କ’ଣ ମତବ୍ୟକ୍ତ କରନ୍ତା ?

 

ଏ’ ସହରରେ ବିକାଶ ନାଆଁରେ ଆଜି କଳଙ୍କର ଡିବିଡିବି ଡିଣ୍ଡିମ ବାଜୁଛି । କଳାର ନାଆଁରେ ବହୁ ଝିଅଙ୍କ ଚରିତ୍ର ନଷ୍ଟ କରି ଦେଇଛି ବୋଲି ଅନେକ ମୁଖବନ୍ଧ ଲେଖୁଛନ୍ତି । ସେ ମୁଖବନ୍ଧକୁ ଆପଣାର କରି, ସେ ଅଭିଶାପକୁ ଆଶୀର୍ବାଦ ମନେକରି ବଞ୍ଚିଛନ୍ତି ବିକାଶ । ବଞ୍ଚିଥିବେ ଏମିତି ହା-ହୁତାଶଭରା ହତାଶମୟ ଜୀବନର ବହୁ ଦୁଃଖ, ନିନ୍ଦା, ଗ୍ଳାନିକୁ ଆଶ୍ରକରି ।

 

ମଣିଷ ଜୀବନର ଭାରା ଯେତେବେଳେ ଅଧିକ ହୁଏ, ସେତେବେଳେ ସେ ଏକ ସାଥୀ ଚାହେଁ । କିଏ ଧନୀ କିଏ ଦରିଦ୍ର, କିଏ ଚରିତ୍ରବାନ୍, କିଏ ଚରିତ୍ରହୀନ ଏ’ ସଂସାର ସେତେବେଳେ ଟିପ୍ପଣୀ ଦିଏନି । ଇତିହାସ ପଢ଼େନି । ସମସ୍ତେ ଗୋଟିଏ ଗୋଟିଏ ସାଥୀ ବାଛି ନିଅନ୍ତି । ଆଉ ସାଥୀ ବାଛି ନେବା ପରେ ସେମାନେ ସେମାନଙ୍କ ମଧ୍ୟରେ ସମଭାବାପନ୍ନ ହୋଇ ବାଣ୍ଟି ଦିଅନ୍ତି ତାଙ୍କର ସୁଖ, ଦୁଃଖ, ହସ, ଲୁହ ଆଉ ଚିନ୍ତା, ଅନୁଚିନ୍ତା ।

 

ବିକାଶ କ’ଣ କରି ନଥାନ୍ତେ ସେତିକି ତାଙ୍କ ଜୀବନରେ ? ସେ ଯେ ପୁରୁଷ । ପୌରୁଷ ତାଙ୍କଠାରେ ପୂର୍ଣ୍ଣ ପରିମାଣରେ ଥିଲା । ସେ ଦରିଦ୍ର, ନିଃସ୍ଵ ବୋଲି କେଉଁ ନାରୀ କ’ଣ ତାଙ୍କ ପୌରୁଷକୁ ଉପେକ୍ଷା କରି ଥାଆନ୍ତା ? ତାଙ୍କ ପ୍ରତିଭାକୁ ଅସମ୍ମାନ କରିଥାଆନ୍ତା ? ଆଜି କିନ୍ତୁ କରିବ । ତାଙ୍କ ପୌରୁଷକୁ, ତାଙ୍କ ପ୍ରତିଭାକୁ ଧିକ୍‌କାର ପରିହାସ କରିବ । ସଂସାରର କେଉଁ ଅଭିଶପ୍ତା ନାରୀବି ତା’ର ଊର୍ଦ୍ଧ୍ୱ ବାହୁ ତୋଳି ବିକାଶଙ୍କୁ ଆଲିଙ୍ଗନ କରି ନେବାକୁ ଚାହିଁବନି । କାରଣ ତାଙ୍କ ପୌରୁଷକୁ, ତାଙ୍କ ପ୍ରତିଭାକୁ କୁଠାରାଘାତ ଆଉ କଳଙ୍କିତ କରି ଚାଲିଯାଇଛି ଦୀପାନ୍ୱିତା ! ସେ କୁଠାରାଘାତ କଳଙ୍କ ଭିତରେ ସେ ଯେମିତି ସାଇତି ଯାଇଛି ବିକାଶପାଇଁ ଲକ୍ଷେ ଯୁଗର ବ୍ୟଥା ଆଉ ଅଭିଶାପ ତେଣୁ ସେ ବ୍ୟଥା, ଅଭିଶାପକୁ ପଛରେ ପକାଇ ବିକାଶଙ୍କୁ କିଏ ଆଉ ତୋଳି ଧରିବ ?

 

ଦିନେ ତୋଳି ଧରି ଥାଆନ୍ତା ଜଣେ । ସେ ବହୁ ପଛର କାହାଣୀ । ଦୀପାନ୍ୱିତା ଆଗରେବି କେବେ ପ୍ରକାଶ କରି ନାହାଁନ୍ତି । ସେ ହେଉଛି ଅନାଥାଶ୍ରମର ପାଳିତ କନ୍ୟା ଶିଲା । ବିକାଶଙ୍କ ଜୀବନ କାବ୍ୟର ଉପନାୟିକା ଜଣେ । ଯାହାକୁ କି ବହୁ ବର୍ଷତଳେ ବିକାଶ ଉପେକ୍ଷା କରି ଏଡ଼ି ଦେଇ ଆସିଥିଲେ । ବିକାଶଙ୍କ ଉପେକ୍ଷା ପରେ ସେ ଶିଲାରୁ ଶିଲାବାଈରେ ପରିଣତ ହୋଇଗଲା । ଗଣିକା ବୃତ୍ତି ପାଥେୟ କରି ସେ ତା’ର ସଂସାରର ଦିନ କଟାଇବାକୁ ଲାଗିଲା ।

 

ଆଜି ଅଛି ଶିଲାବାଈ । ଆଜିବି ତା’ର ବିକାଶଙ୍କ ପ୍ରତି ଅତୃପ୍ତକାମନା । ଅଦମ୍ୟ ଲାଳସା-। ମଝିରେ ମଝିରେ କେତେଥର ଗଲେଣି ବିକାଶ । କେତେ ଥର ତା’ର ପାଦ ନୂପୁରର ନିକ୍ୱଣରେ ସିତାରର ରାଗିଣୀ ତୋଳିଲେଣି ।

 

ଶିଲାବାଈ ଆଜି ଆତ୍ମ ପ୍ରତିଷ୍ଠା ଲାଭ କରିଛି । ସମଗ୍ର ସହରର ଅଧିବାସୀ ଶିଲାବାଈ ନିକଟରେ ସୁପରିଚିତ ଆଉ ଶିଲାବାଈ ସମସ୍ତଙ୍କ ନିକଟରେବି । ବୁଭୁକ୍ଷିତ ମନ ଓ ଚିନ୍ତା ନେଇ ଯେଉଁ ଶିଲାବାଈ ଦିନେ ବହୁ ଦ୍ଵାରସ୍ତ ହେଉଥିଲା, ସେଇ ଶିଲାବାଈ ଆଜି ପ୍ରତିଷ୍ଠିତା । ସେ ଆଜି ସମାଜ ଆଗରେ ମଥା ଉନ୍ନତ କରି, ଯେଉଁମାନେ ତାକୁ ଉପହାସ, ପରିହାସ କରୁଥିଲେ, ସେ ତା’ର ପ୍ରତିଶୋଧ ନେଉଛି । ସେଇମାନେ ହେଉଛନ୍ତି ତା’ର ଦ୍ଵାରସ୍ତ ଭିକ୍ଷୁକ । ରୂପର ଅଦମ୍ୟ ଲାଳସା ନେଇ ଶିଲାବାଈ ନିକଟରେ କରିଛନ୍ତି ସେଇମାନେ ପ୍ରେମ ନିବେଦନ । ସେଇମାନଙ୍କୁ ପଥ ଭିକ୍ଷୁକ କରି, ନିଃସ୍ୱ କରି ଶିଲାବାଈ ଅନେକ ପରିତୃପ୍ତି ପାଇଛି । ଆଉ ସେମାନଙ୍କ ଭିତରୁ ବିକାଶ ଯେ ଜଣେ ବୋଲି କାହିଁକି ପରିଗଣିତ ନ ହେବେ, ସେ କଥା ସେ ବିବେଚନା କରୁଛନ୍ତି । ଶିଲାବାଈକୁ ସେ ଯେ ଦିନେ ଉପେକ୍ଷା କରି ଆସିଥିଲେ । ସେ କ’ଣ ପାସୋରି ଦେଲେଣି ? ଆଉ ସେ ଯେ ଏ ଭିତରେ ଶିଲାବାଈର ଦ୍ଵାରସ୍ତ ଅନେକ ଥର ହେଲେଣି, ସେ କ’ଣ ମନେରଖି ନାହାଁନ୍ତି ? ଶିଲାବାଈକୁ ସେଦିନ ସେ କୋଉ କାରଣରୁ ଉପେକ୍ଷା କରିଥିଲେ, ସେ କଥା ହୁଏତ ସେ ଭୁଲି ଯାଇଛନ୍ତି । ଆଜି କିନ୍ତୁ ସେ କେଉଁ କାରଣରୁ ଶିଲାବାଈର ଦ୍ଵାରସ୍ତ ହୋଇଛନ୍ତି, ଭଲ ଭାବରେ-ଖୁବ୍ ଭଲ ଭାବରେ ମନେପକାଇ ପାରୁଛନ୍ତି !

 

ରାତିର ନିର୍ଜନତା ବଢ଼ି ଚାଲିଛି । ତା’ ସହିତ ବଢ଼ି ଚାଲିଛି ବିକାଶଙ୍କ ମନର ନିର୍ଜନତା । ଚଞ୍ଚଳ ହୋଇ ଉଠୁଛି ମନ । ବ୍ୟାକୁଳ ହୋଇ ଉଠୁଛି ପ୍ରାଣ । ଶିରା, ଉପଶିରାରେ ରକ୍ତର ସୁଅ ଉଦ୍‌ବେଗ ଭାବରେ ଛୁଟି ଚାଲିଛି ।

 

Unknown

ଭାବିଲେ ବିକାଶ, ଏ’ ନିର୍ଜନ ମୁହୂର୍ତ୍ତରେ ଶିଲାବାଈକୁ ସେ ସାକ୍ଷାତ କରିବେ । ଅନ୍ତରର ଗୋପନୀୟ ଅଭିବ୍ୟକ୍ତି ପ୍ରକାଶ କରିବେ । ସମସ୍ତ ସଂଗୁପ୍ତ କାହାଣୀ ସିତାରର ରାଗିଣୀରେ ସ୍ଵର ତୋଳି ବୁଝାଇ ଦେବେ । ଚିର ଅପରିତୃପ୍ତ, ଅପିପାସିତ ଅଦ୍ୟମ ଲାଳସାକୁ ପରିତୃପ୍ତ, ପିପାସିତ ଆଉ ଦମିତ କରାଇବେ ଆଜି ଶିଲାବାଈଙ୍କୁ ତାଙ୍କର ଦେହ ଦାନ କରି । ଉପଶମିତ କରାଇବେ ଶିଲାବାଈର ବହୁଦିନର ବାକି ରଖିଥିବା ବିକ୍ଷୁବ୍ଧ କ୍ଷୁଧା, କାମନାକୁ । ନିଜରବି କାମନା, ବାସନାକୁ କିଛି ପରିମାଣରେ ମେଣ୍ଟାଇ ଶିଲାବାଈକୁ ଉପଭୋଗ କରିନେବେ !

 

ମାତ୍ର ଏ’ଦେହ ତ ଶିଲାବାଈ ପାଇଁ ନୁହେଁ ! ଶିଲାବାଈକୁ ସେ କେମିତି ଆଜି ଦେହ ଦାନ କରିବାପାଇଁ ଭାବୁଛନ୍ତି ! ଏ’ ଦେହ ଯେ ପୂରାପୂରି ଦୀପାନ୍ୱିତାର । ଦୀପାନ୍ୱିତା ପାଇଁ ଦିନେ ଶପଥ କରିଛନ୍ତି ସେ । ଏ’ ଦେହ ତା’ ବିନା ଅନ୍ୟ କାହା ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇ ନପାରେ-। ଏ’ ଜନ୍ମ କ’ଣ, କେତେ ଜନ୍ମ ପରେବି ଦୀପାନ୍ୱିତା ପାଇଁ ତାଙ୍କ ଶରୀର ଶୁଦ୍ଧ, ପୂତ, ପବିତ୍ରତାର ସ୍ୱାକ୍ଷର ବହନ କରି ସେମିତି ଦୀପ୍ତମନ୍ତ ରହିଥିବ ! ଏଇ କେତେଟା ଦିନର ବ୍ୟବଧାନ ଭିତରେ ସେ କ’ଣ ଏ କଥା ପାସୋରି ପକାଇଛନ୍ତି ?

 

ତଥାପି ସେ ଯିବେ । ଦୀପାନ୍ୱିତା ତାଙ୍କୁ ଯେତେବେଳେ ବିଶୁଦ୍ଧ ପ୍ରେମ ଦେଇଥିଲା, ସେ ତାକୁ ସେତେବେଳେ ଏଇ ଅନ୍ଧ ପ୍ରଣୟର ବାକ୍ୟ କେତୋଟି ଉପହାର ଦେଇଥିଲେ ପ୍ରତିଦାନ ରକ୍ଷା କରି । ଆଉ ଆଜି ଯେତେବେଳେ ଦୀପାନ୍ୱିତା ପ୍ରତ୍ୟାଖ୍ୟାନ କରି ଚାଲିଯାଇଛି, ଏ ବାକ୍ୟର ମର୍ଯ୍ୟାଦା ସେ ନରଖିଲେ କ୍ଷତି କ’ଣ ହେବ ? ଶିଲାବାଈ ସେ ବର୍ତ୍ତମାନ ତାଙ୍କ ପ୍ରାଣର ଅନ୍ଧକାର ଆକାଶରେ ଅରୁନ୍ଧତୀର ଆଲୋକ ଦାନ କରିବ !

 

ଶିଲାବାଈ ନିକଟକୁ ସେ ଯିବେ । ନିଶ୍ଚିତ ଯିବେ । ମନସ୍ଥ କରି ଉଠିଲେ ବିକାଶ ।

 

ତାଙ୍କ ମଦ ଦୋକାନର, ଜୀର୍ଣ୍ଣ ଗଳିରୁ ପ୍ରଧାନ ରାସ୍ତା ଆଡ଼କୁ ବାଟ ଭାଙ୍ଗି ଅଳ୍ପ ମୁହାଁଇଲେ ଅନ୍ୟ ଯେଉଁ ଗଳିଟି ସାପୁଆ ରୂପଧାରଣ କରି ଅନେକ ଦୂର ଲମ୍ବି ଯାଇଛି, ତା’ର ଉପାନ୍ତରେ ଶିଲାବାଈର ଦ୍ୱିତଳ ପ୍ରାସାଦ ଖଣ୍ଡିକ ଠିଆ ରହିଛି ମଥାଟେକି । ବେଶ୍ ଆକର୍ଷଣୀୟ ପ୍ରାସାଦ ଚତୁଃପାର୍ଶ୍ୱର ପରିବେଷ୍ଟନୀ । ସାମ୍ନାରେ ବିରାଟ ଉଦ୍ୟନ । ବିଦେଶୀ ଫୁଲ, ଫଳରେ ଭରା-। ସୁଦୃଢ଼ ତାର ବାଡ଼ରେ ଘେରା ଉଦ୍ୟାନର ଚତୁର୍କୋଣ । ପ୍ରତିକୋଣରେ ଗୋଟିଏ ଲେଖାଏଁ ସିମେଣ୍ଟର ବେଞ୍ଚ୍ ତିଆରି ହୋଇଛି । ଉଦ୍ୟାନର ମଧ୍ୟଦେଶରେ ଏକ ବଡ଼ ପାଣିକୁଣ୍ଡ । ଏଇ କୁଣ୍ଡରୁ ଉଦ୍ୟାନକୁ ପାଣି-ଯୋଗାଇ ଦିଆ ହୁଏ ପ୍ରତି ସନ୍ଧ୍ୟା, ସକାଳରେ । ଅନେକ ନରମ ସନ୍ଧ୍ୟାରେ ଶିଲାବାଈ ଏକୁଟିଆ ବସି ଗୁଣୁଗୁଣୁ ଗୀତ ଗାଇବାର, ମନେମନେ କ’ଣ କଥା ହେବାର ଅନେକ ଥର ଲକ୍ଷ୍ୟ କରିଛନ୍ତି ବିକାଶ ।

 

ଅନାୟାସରେ ଫାଟକ ଖୋଲି ଭିତରକୁ ଗଲେ ସେ । ଉଦ୍ୟାନର ଗଛ, ଲତାକୁ ପ୍ରଜ୍ଜ୍ୱଳିତ କରି ସାମନା ଦ୍ୱାରଦେଶରେ ବିଜୁଳିର ଏକ ବହୁଶକ୍ତି ବିଶିଷ୍ଟ ଆଲୁଅ ଚନ୍ଦ୍ର ଭଳି ଜଳୁଛି । ପ୍ରାସାଦ ମୁହଁରେ ବସି ଘୁମାଉଁଚି ଗୁର୍ଖା ବୁଢ଼ା ବାହାଦୁର । ସଚେତ ହେଲା ବାହାଦୁର ଫାଟକ ଖୋଲିବା ଶବ୍ଦରେ । ବିକାଶ ଥିଲେ ଅତି ପରିଚିତ ତା’ର । ତେଣୁ ଅସୁବିଧା କିଛି ହେଲାନି ।

 

ବିକାଶ ପଚାରିଲେ, ବାହାଦୁର, ଆଜି କ’ଣ ଆସର ସରିଲାଣି ?

 

ଧୀର କଣ୍ଠରେ ବାହାଦୁର ଉତ୍ତର ଦେଲା, ଆଜି ଆସର ହୋଇଥିଲା ଯେ ବାବୁ, ଅଳ୍ପ ସମୟ ଭିତରେ ଶେଷ ହୋଇଗଲା । ଲୋକ କେହି ନଥିଲେ ଆଜି । ମାଆ ତ ଶୋଇଗଲେଣି ଅନେକ ସମୟ ହେଲା । ଆପଣ ଏମିତି ଅସମୟରେ ଆସିଲେ ଯେ ?

 

ମୋର ସମୟ ଅସମୟ କ’ଣ । ମୋ’ ପାଖରେ ଚନ୍ଦ୍ର ସୂର୍ଯ୍ୟ, ସମାନ । ଯା, ମାଆଙ୍କୁ କହିବୁ ମୁଁ ଆସିଛି ବୋଲି ।

 

ବାହାଦୁର କିଛି କହିଲାନି । ଗୁରୁଙ୍କ ଆଜ୍ଞାଧୀନ ବିନୀତ ଛାତ୍ରଟିଏ ପରି ଶିଲାବାଈର କୋଠରୀ ଆଡ଼କୁ ପାଦ ପକାଇଲା ।

 

କିଛି ସମୟ ପରେ ଫେରି ଆସିଲା ବାହାଦୁର । କହିଲା ମାଆ ଆପଣଙ୍କୁ ଡକାଇଛନ୍ତି ତାଙ୍କ ପାଖକୁ । ହେଲେ ଗୋଟିଏ କଥାରେ ମୁଁ ଆଜି ଭାରି ଖୁସି ବାବୁ । ଭାରି ଖୁସି । ଆଜି ପ୍ରଥମ ଅନୁଭୂତି ମୋ’ ଜୀବନର ।

 

କ’ଣ ? ପ୍ରଶ୍ନିଳ ଦୃଷ୍ଟିରେ ଚାହିଁ ପଚାରିଲେ ବିକାଶ । ଆପଣ ମାଆଙ୍କୁ କହିବେନି ତ ବାବୁ ? ମାଆ ଖରାପ ବିଚାରିବେ ଶୁଣିଲେ ।

 

ନା ମାଆ ଜାଣିବେ ନାହିଁ । କହ ।

 

କଥାଟା ଜାଣିବାପାଇଁ ବିକାଶ ଉତ୍କଣ୍ଠାର ସହିତ ସାହସ ଜାଗ୍ରତ କରାଇଲେ ବାହାଦୁର ମନରେ ।

 

ବାହାଦୁର ଆଖିରୁ ଲୁହ ବୋହି ପଡ଼ିଲା । ବିଜୁଳି ଆଲୁଅର ଝଲକ ଭିତରେ ସେ ଲୁହ ବିନ୍ଦୁ କେତେଟା ମୁକ୍ତା ବିନ୍ଦୁ ପରି ଖସିପଡ଼ୁଥିଲା ତା’ ଆଖିରୁ । ପୁଣି ମୁହଁରେ ଶୁଖିଲା ହସ ଫୁଟାଇ କାନ୍ଦି କାନ୍ଦି ହସି ପକାଉଥିଲା ବାହାଦୁର ।

 

ବିକାଶ ପଚାରିଲେ, କ’ଣ ହୋଇଛି ଆଜି ବାହାଦୁର ? କି’ ବିରୂପ ଏ ତୋର ? ମୁଁ କିଛି ବୁଝି ପାରୁନି । ବାହାଦୁର କହିଲା, ଅନେକ ଦିନ ହେଲା ମୁଁ ଏଠି ରହିଲିଣି ବାବୁ । ସକାଳ, ସଞ୍ଜ, ଦିନ, ରାତି ଗଣି ଗଣି କେତେଟା ବର୍ଷ ଏଇଠି ଏମିତି ବିତିଗଲା । ମୁଁ ତ ବୁଝି ପାରିନି ଆପଣ କ’ଣ ବୁଝିବେ ?

 

ବିକାଶ କହିଲା କୋଉ କଥା ବାହାଦୁର ? କୋଉ କଥା ମୁଁ ବୁଝି ପାରୁନି । ସ୍ପଷ୍ଟ କରି କହ ।

 

ବାହାଦୁର ଚାରିଆଡ଼କୁ ଦୃଷ୍ଟି ଖେଳେଇ କହିଲା, (ଯଦିଓ ସେ ଜାଣିଥିଲା ସେ ଦୁଇ ଜଣଙ୍କ ବିନା ଆଉ ସେ ଘରେ କେହି ନାହାଁନ୍ତି) ଆଜି ମୋ’ ଜୀବନର ପ୍ରଥମ ଜାଣିବା ଇଏ ବାବୁ । ପ୍ରତ୍ୟେକ ରାତିରେ ମାଆଙ୍କ ପାଖକୁ ଅନେକ ଲୋକ ଆସନ୍ତି । ନାଚ, ଗୀତର ଆସର ପରେ ରାତି ବାରଟା ଡେଇଁଲେ ମାଆ ଆମର ଏ’ଘରେ କାହାକୁ ରହିବାକୁ ଦିଅନ୍ତି ନାହିଁ । କେହି ମଦ ପିଇ ଆସିଲେ ତା’ପାଇଁ ଏ’ ଘରର ଫାଟକ ବନ୍ଦ ହୁଏ । ରାତି ବାରଟା ପରେ ଯିଏ ଆସିଲେବି କାହା ସହିତ ସେ ସାକ୍ଷାତ କରନ୍ତି ନାହିଁ । ପ୍ରାସାଦ ଭିତରକୁ ଆସିବାକୁ ଅନୁମତି ଦିଅନ୍ତି ନାହିଁ । ଅନେକ ଲୋକଙ୍କ ସାକ୍ଷାତପାଇଁ ଯାଇ ମୁଁ ନିରାଶରେ ଫେରି ଆସିଛି ବାବୁ । ଅନେକ ଲୋକଙ୍କୁ ଉତ୍ତର ହେଇଛି ଏଇ ମୁହଁରେ । ମାଆ ମନା କଲେ–ଆଜି ଆଉ ସାକ୍ଷାତ ହୋଇ ପାରିବନି । କାଲି ସଞ୍ଜରେ ଆସିବେ ।

 

ଆପଣ ତ କୋଉଦିନ ଏମିତି ସମୟରେ ଆସନ୍ତି ନାହିଁ । ଆଜି ଯେତେବେଳେ ଆପଣଙ୍କ କଥା କହିଲି ନା ବାବୁ, ସେ କି’ ଆନନ୍ଦରେ ମତେ କହିଲେ, ଯା’ ତାଙ୍କୁ ଏଠିକି ପଠେଇଦେ’ ! ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ଖାଲି ସେତିକି ନୁହେଁ, ମୁଁ ଏଠି ରହିବାର ଅନୁଭୂତି ଭିତରେ ସ୍ମରଣ କରୁଛି, ମାଆଙ୍କ ଶୋଇଲା ଘରକୁ କେହି ଲୋକ ଏତେ ଦିନ ଯାଏଁ ପାଦ ପକାଇ ନଥିଲେ । ଆଜି ବୋଧହୁଏ ଆପଣ ପ୍ରଥମ !

 

ବିକାଶ ଆଶ୍ଚର୍ଯ୍ୟ ହୋଇଗଲେ ବାହାଦୁରର କଥାରେ । ଆଖି ଦୁଇଟି ତାଙ୍କର ଜୁଳୁଜୁଳିଆ ପୋକ ପରି ଦପ୍‌ଦପ୍ ହେଉଥିଲା । ଶିଲାବାଈର ଶୟନ କୋଠରୀକୁ କେହି ଆଜି ପର୍ଯ୍ୟନ୍ତ ପାଦ ପକାଇ ନଥିଲେ । କ’ଣ କହୁଛି ବାହାଦୁର ?

 

ଶିଲାବାଈ ତେବେ କ’ଣ ରୂପଜୀବୀ ନୁହେଁ ? ନୁହେଁ ଗଣିକା, ବାରାଙ୍ଗନା ? ସହସ୍ର ଶଯ୍ୟାର ନାୟିକା ଭାବରେ ଏତେ ଦିନ ଯାଏଁ ଶିଲାବାଈ କ’ଣ ଅଭିନୟ କରି ଆସିଥିଲା ବିକାଶ ଭଳି ଜଣେ ନୀରବ ଦର୍ଶକ ଆଗରେ ?

 

ଶିଲାବାଈ ସମ୍ପର୍କରେ ସେ ଯାହା ଶୁଣିଛନ୍ତି, ସବୁ କ’ଣ ତେବେ ଭ୍ରମ ଆଉ ଉଦ୍ଭଟ ? ଏତେ ବର୍ଷ ଯାଏଁ ଶିଲାବାଈର ଭୂମିକା ମରୀଚିକାର ମାୟାଜାଲ ବିଛାଇ ରଖିଥିଲା ତାଙ୍କ ସମ୍ମୁଖରେ-?

 

ଦୃଷ୍ଟି ତୋଳିଲେ ବିକାଶ ମହଲାର ଉପର ଭାଗକୁ । ଶିଲା ତାଙ୍କୁ ଅପେକ୍ଷା କରିଥିବ । ଚାହିଁ ବସିଥିବ ଉଦ୍‌ବିଗ୍ନତାରେ ବିକାଶ ଏପରି ଅସମୟରେ ତା’ ଠାରୁ କ’ଣ ନେବାପାଇଁ ଅଥବା ଦେବାପାଇଁ ଆସିଛନ୍ତି ।

 

କିନ୍ତୁ କ’ଣ ଦେଇ ପାରିବେ ବିକାଶ ? ଦେବାର ବୋଧହୁଏ ସମ୍ବଳ ଆଉ କିଛି ନାହିଁ ତାଙ୍କର । କିନ୍ତୁ ନେବାର !

 

ଶିଲା ହସିବ । ଥଟ୍ଟା କରିବ । ଆଉ କହିବ ଏ’ ସମଗ୍ର ସଂସାର ଶିଲାର ନାରୀତ୍ୱକୁ ଉପହାସ କରିଛି । ଆଉ ସେ ଏକୁଟିଆ ସେଥିରୁ ବାଦ୍ ଯାଇ ଥାଆନ୍ତେ କାହିଁକି ? ଉପେକ୍ଷିତା ଶିଲା କ’ଣ ବିଶ୍ଵାସ କରିବ ସେ ପରିତ୍ୟକ୍ତ ପଦାର୍ଥକୁ ପୁଣିଥରେ ବିକାଶ ଏତେ ଆଗ୍ରହରେ ଗୋଟାଇ ନେବାକୁ ଚାହାଁନ୍ତି ?

 

ଶିଲା ପାଖରେ ପହଞ୍ଚୁ ପହଞ୍ଚୁ ସତରେ ସେ ପରିହାସ କଲା । କହିଲା ସୂର୍ଯ୍ୟ ଆଜି କୋଉ ଦିଗରେ ଉଦୟ ହୋଇଥିଲେ ଦେଖିଛି ହେଲେ କୋଉ ଦିଗରେ ଅସ୍ତ ଯାଇଥିଲେ ଦେଖିନାହିଁ-

 

ପଲଙ୍କ ଉପରେ ବସୁ ବସୁ ବିକାଶ ହସି ହସି କହିଲେ ବୋଧହୁଏ ସେଇ ପୂର୍ବଦିଗରେ ।

 

ହଁ, ସତରେ ପୂର୍ବଦିଗରେ । ନଚେତ୍ ଆପଣଙ୍କ ଭଳି ମଣିଷର ପାଦ ଅସମୟରେ ଏକ କୁତ୍ସିତ ବେଶ୍ୟାର ଦୁଆରେ କେମିତି ପଡ଼ି ଥାଆନ୍ତା ? ସନ୍ଧ୍ୟା ଗଡ଼ି ଗଲାଣି ବିକାଶବାବୁ । ନାଚର ଆସର ସରିଗଲାଣି । ସମୟ କେତେ ହେଲାଣି ଜାଣିଛନ୍ତି ତ ?

 

ବିକାଶ ଶିଲାକୁ ଚାହିଁଲେ ତା’ର ପ୍ରଶ୍ନ ବୁଝି ନପାରି ।

 

କେହି ଆପଣଙ୍କୁ ମୋ’ ଦୁଆରେ ଏପରି ଅବେଳରେ ଦେଖିଲେ କିଛି ମନେକରିବ ନାହିଁ ତ ? ସନ୍ଧ୍ୟା ବେଳରେ ମୁଁ ସିନା କହିଦେଇ ପାରିବି, ପାରିଶ୍ରମିକ ନେଇ ସିତାର ବଜାଇବା ପାଇଁ ଆପଣ ଏଠିକି ଆସୁଛନ୍ତି କିନ୍ତୁ ଅସମୟ ପାଇଁ କୈଫିୟତ୍‌ ଦେବି କ’ଣ ? ମତେ ବତାଇ ଦିଅନ୍ତୁ ।

 

କିନ୍ତୁ ମୁଁ ଯଦି ଦୁନିଆ ଆଗରେ କହେ, ତୁମକୁ ଭଲ ପାଇବାପାଇଁ ମୁଁ ଏଠିକି ସ୍ୱେଚ୍ଛାରେ ଆସୁଛି ।

 

ଶିଲା ହସି ହସି ପଲଙ୍କ ଉପରେ ଲୋଟିଗଲା । କହିଲା, ସମାଜର କେହି ଭଦ୍ର ମଣିଷ କୌଣସି ବେଶ୍ୟାକୁ ଭଲ ପାଇ ନପାରେ । ପ୍ରଣୟ ବେଶ୍ୟାପାଇଁ ରକ୍ତଧାର ନୁହେଁ ଅଳତା ଦାଗ । ମମତା ତା’ପାଇଁ ସ୍ଵଚ୍ଛ ଜଳ ନୁହେଁ, କାଚର ଏକ ଅସ୍ଵଚ୍ଛ ପରଦା । ଯାହା ମଣିଷ ଆଖିରେ ଜଳର ମାୟା ସୃଷ୍ଟି କରେ । ବିକାଶବାବୁ, ଭଲ ପାଇବାର ଦୁର୍ବଳ ଅନୁଚିନ୍ତାକୁ ସେ ଅନେକ ଦିନରୁ ପରିତ୍ୟାଗ କରିଛି । ଯେତେ ଦିନ ପର୍ଯ୍ୟନ୍ତ ସେ କାହାକୁ ଭଲ ପାଇଥିଲା ସେ ଚରିତ୍ରବତୀ ଥିଲା । ଆଉ ଯେଉଁ ଠାରୁ ସେ ଦୁର୍ବଳତା ପରିତ୍ୟାଗ କଲା, ସେ ବେଶ୍ୟା ହେଲା । ବେଶ୍ୟା କାହାକୁ ଅନ୍ତର ଦେଇ ଭଲ ପାଇବାର ପ୍ରମାଣ ରଖିଛନ୍ତି ? ତେଣୁ ଆପଣ ଆଜି ମୋ’ ପରି ଗୋଟିଏ ବେଶ୍ୟାପାଇଁ ଏତେ ଅନୁରାଗ ବଢ଼ାଇ ଲୋକହସା ହେବେ ସିନା !

 

ଶିଲା ଆଖି ଲୁହରେ ପୂରିଗଲା । କି’ ଉଦାସ ଭଙ୍ଗୀ ତା’ର । କି କମନୀୟ ସେ ଚାହାଣି-। କି’ ନମନୀୟ ତା’ ଆଖିର ପ୍ରଶାନ୍ତି ନୀଳିମା ।

 

ଶିଲାକୁ ବାରମ୍ବାର ନିରୀକ୍ଷଣ କଲେ ବିକାଶ । ଊଣେଇଶ କୋଡ଼ିଏବର୍ଷର ଝିଅଟିଏ । ଗୋରା ତକତକ ଚେହେରା । ପୂର୍ଣ୍ଣମୀର ଚନ୍ଦ୍ର ଭଳି ଗୋଲ ମୁହଁ । କପୋଳର ଦୋଳିରେ କୁଙ୍କୁମର ଛୋଟ ବିନ୍ଦୁଟିଏ ଛୋଟ ଶିଶୁ ଭଳି ଦୋଳି ଖେଳୁଛି । ଏ’ ଭିତରେ ବେଶ୍ ସ୍ଵାସ୍ଥ୍ୟବତୀ ହୋଇ ଉଠିଛି ଶିଲା । ଆଗରୁ ହୁଏତ ଖୁବ୍ କଦର୍ଯ୍ୟ ଥିଲା ସେ । ଏବେ ଐଶ୍ୱର୍ଯ୍ୟରେ ରହିବା ପରେ ଦେହରେ ତା’ର ମାଂସ ଟିକିଏ ଲାଗିଛି । ଶରୀର ପୁଲକିତ ହୋଇଛି ଯୌବନର ଝଡ଼ରେ । ନୂତନ କାମନା ବାସ୍ନାରେ ଥରି ଉଠୁଛି ତା’ର ଅଙ୍ଗଲତା । ଦେହର ଯେ କୌଣସି ଅଂଶରେ ଟିପ ମାରି ଦେଲେ ରକ୍ତ ଚହଲି ଉଠିବ । କୌଣସି ମଣିଷ ଶିଲାକୁ ଦେଖି ଆଖି ଆଡ଼େଇ ଯାଇ ପାରିବ ନାହିଁ ସତେ ଯେମିତି ଏଇ କିଛିଦିନ ପୂର୍ବରୁ ଶିଲା ତା’ର ଯୌବନକୁ ପ୍ରଥମ କରି ଭେଟିଛି !

 

ବିକାଶ ସତେ ଯେମିତି ଶିଲାର ରୂପରେ ଆଜି ପାଗଳ ହୋଇ ଯାଇଛନ୍ତି ! କିନ୍ତୁ ଶିଲାକୁ ଦିନେ ଯେ ସେ ଉପେକ୍ଷା କରିଥିଲେ !

 

ବିକାଶଙ୍କ ଚିନ୍ତାଗ୍ରସ୍ତ ଆଖିକୁ ଚାହିଁ ଶିଲା କହିଲା କ’ଣ ଏତେ ଦେଖୁଛନ୍ତି ?

 

ତମକୁ ଆଜି ଦେଖୁଛୁ ଶିଲା, ମନଭରି ତମକୁ ଦେଖୁଛି ।

 

କିନ୍ତୁ ଆଗରୁ ତ ଅନେକ ବାର ଦେଖିଛନ୍ତି । ଶୀଲା ତ ଆପଣଙ୍କ ନିକଟରେ ନୂଆ ନୁହେଁ-

 

କିନ୍ତୁ ଆଜି ନୂଆ ।

 

କେମିତି ?

 

ସବୁ ସମୟରେ ସବୁକଥା ଅନୁଭବ କରି ହୁଏ ନାହିଁ ଶିଲା । ସମୟ ଅନେକ କଥା ଅନୁଭବ କରିବାକୁ ଦିଏ । ତମକୁ ଅନେକ ଥର ଆଗରୁ ଦେଖିଥିଲି । ହୁଏତ ତମ ରୂପଲାବଣ୍ୟରେ ସୂର୍ଯ୍ୟ, ଚନ୍ଦ୍ରର ଉଦୟ, ଅସ୍ତ ଦେଖି ନଥିଲି । ଅନେକ ବାର ତମ ଆଖିର ମେଘ ଉତ୍ସବ ଦେଖିଥିଲି ହେଲେ ତା’ର ବର୍ଣ୍ଣିଳ ଇନ୍ଦ୍ରଧନୁର ଶୋଭା ମୋ’ ଦୃଷ୍ଟି ଭିତରକୁ ଆସି ନଥିଲା । ଆଜି ତାହା ପ୍ରଥମ କରି ଦେଖୁଛି । ସେଥିରେ ବ୍ୟାଘାତ କରି ମୋର ଭାବପ୍ରବଣତାରୁ ତମେ ମତେ ଯଦି ତଳକୁ ଖସାଇ ଦିଅ !

 

ଶିଲା ଲାଜେଇ ଗଲା । ଆଜି ଏ’ କ’ଣ କହୁଛନ୍ତି ବିକାଶବାବୁ ? ଶିଲା ତା’ର ରୂପଯୌବନ ଯୋଉଦିନ ବିକାଶଙ୍କ ପାଦତଳେ ମହାର୍ଘ ରୂପରେ ଅଜାଡ଼ି ଦେବାପାଇଁ ପାଗଳିନୀ ହୋଇ ଧାଇଁ ଆସି ଥିଲା ଆଉ ନିଷ୍ଠୁର ଭାବରେ ବିକାଶ ତାକୁ ଉପେକ୍ଷା କରି ଦୂରକୁ ପଳାଇ ଯାଇଥିଲେ ତାହା ଆଜି ଅନେକ ଦିନର ବ୍ୟବଧାନ ପରେ ପାସୋରି ଯାଇଛନ୍ତି !

 

ତେବେ ପୁଣି କ’ଣ ଥରେ ଶିଲା ତାଙ୍କୁ ପ୍ରେମର ପବିତ୍ର ଅର୍ଘ୍ୟ ଅର୍ପଣ କରିବ ? କିନ୍ତୁ ବିକାଶ ମଦ ନିଶାରେ ଅଥବା ଭାବବିହ୍ୱଳତାରେ ଯଦି ଏ କଥା କହୁ ଥାଆନ୍ତି ତେବେ ତା’ କଥାକୁ ଆହୁରି ଥରେ ଅଗ୍ରାହ୍ୟ କରି ପାରନ୍ତି ସେ । ତେଣୁ ଫଟା ମନକୁ ଅଧିକ ଫଟାଇବା ଅପେକ୍ଷା ଏଇ ସାମାନ୍ୟ ସମ୍ପର୍କରେ ଯୋଡ଼ି ରଖିବା ଭଲ । ଜଣେ ବେଶ୍ୟା ନିଜର ପବିତ୍ର ଚରିତ୍ର ସମ୍ପର୍କରେ ଯେତେ ଡିଣ୍ଡିମ ପିଟିଲେ ସେ ପୁଣିଥରେ ସତୀ ହୋଇ ନପାରେ । ଶିଲା ଆଜି ଅସତୀ କଳଙ୍କିନୀ । ଚରିତ୍ରହୀନା । ଚରିତ୍ର ଶବ୍ଦର ଅର୍ଥ ଆଜି ତା’ପାଇଁ ମୂଲ୍ୟହୀନ ।

 

ଶିଲା ଆଖିର ମହାସମୁଦ୍ରରେ ଲୁହର ବଡ଼ବଡ଼ ଢେଉ ସୃଷ୍ଟି ହେଲା । ବିକାଶ ଅପ୍ରତିଭ ହେଲେ । କହିଲେ ତମେ କାନ୍ଦୁଛ ଶିଲା ? ମୁଁ ତମ ରୂପର ପ୍ରଶଂସା କଲି ବୋଲି ତମେ ଯେ କାନ୍ଦିବ, ଆଦୌ ଜାଣି ନଥିଲି । ମତେ କ୍ଷମାକର । ପୁରୁଷ ନାରୀ ନିକଟରେ କ୍ଷମା ମାଗିବା କେତେ ଦୁର୍ବଳତାର ପରିଚୟ ଜାଣୁଛ ତ ? ମୋର ଭୁଲ୍ ହୋଇଚି ଶିଲା । ବାସ୍ତବିକ ମୋର ଭୁଲ୍ ହୋଇଚି-

 

ଅଶ୍ରୁ ବିଜଡ଼ିତ କଣ୍ଠରେ ଶିଲା କହିଲା, ବିକାଶବାବୁ, ସଂସାରର ସବୁ କଥାକୁ ବୁଝିହୁଏ, କେବଳ ଗୋଟିଏ କଥାକୁ ବାଦ୍ ଦେଲେ । ସେ କଥାଟା କ’ଣ ଜାଣିଛନ୍ତି ?

 

କ’ଣ ?

 

ସେ ହେଉଛି ଅବୋଧ୍ୟ ମନ । ଏ’ ସଂସାର କାହା ମନକୁ ଭଲ ଭାବରେ ବୁଝି ପାରେ ନାହଁ । ବୁଝିବାକୁ ଚେଷ୍ଟା କଲେବି ପାରେ ନାହିଁ । ତା’ ଛଡ଼ା ପୁରୁଷର ମନ ଅପେକ୍ଷା ନାରୀର ମନ ଅଧିକ ଗଭୀର ଠିକ୍ ମହାସମୁଦ୍ରର ନିମ୍ନସ୍ତରପରି । ମହାସମୁଦ୍ରର ନିମ୍ନସ୍ତର ଯେପରି ନିର୍ଣ୍ଣୟ କରି ହୁଏନି, ନାରୀର ମନ ସେହିପରି କେତେ ଗଭୀର ନିର୍ଣ୍ଣୟ କରି ହୁଏନି । ସମୁଦ୍ରର ଯେଉଁ ଅଞ୍ଚଳରେ ସ୍ଵର୍ଣ୍ଣ, ରୌପ୍ୟ, ମଣି, ମାଣିକ୍ୟର ସନ୍ଧାନ ମିଳେ, ସେ ଅଞ୍ଚଳ ସମୁଦ୍ରର ଶେଷ ସ୍ତର ବୋଲି ପ୍ରମାଣିତ ହୁଏ । ଠିକ୍ ସେଇ ଭଳି ନାରୀର ଅଭେଦ୍ୟ ମନ ଭିତରକୁ ପୁରୁଷ ଯେଉଁ ପର୍ଯ୍ୟନ୍ତ ପଶିପାରେ, ନାରୀ ମନର ଗଭୀରତା ସେଇଠି ଶେଷ ବୋଲି ସେ ସିଦ୍ଧାନ୍ତ କରେ । ମାତ୍ର ସେ ବୁଝି ପାରେନି, ସମୁଦ୍ରର ଗଭୀରତା ଯେପରି ଅନନ୍ତ, ନାରୀ ମନର ଗଭୀରତା ସେଇପରି ଆଦି, ଅନ୍ତ ନାହିଁ, ମୁଁ ଆପଣଙ୍କୁ ମୋ ଲୁହ ମାଧ୍ୟମରେ ସୂଚନା ଦେଇଥିଲି । ଆଉ ସେ ଲୁହ, ଆପଣଙ୍କର ମୋ’ ରୂପଯୌବନ ଉପରେ ମନ୍ତବ୍ୟ ପ୍ରକାଶ ଶୁଣି ବହି ନଥିଲା, ବହିଥିଲା କୌଣସି ଏକ ନିର୍ଦ୍ଦିଷ୍ଟ ଚିନ୍ତାର ଉଦ୍‌ବେଗରେ ।

 

ସେ ଚିନ୍ତାର ଉଦ୍‌ବେଗ କ’ଣ ଏତେ ଜଟିଳ ଥିଲା, ଯେଉଁଥିପାଇଁ କି ତମକୁ କାନ୍ଦିବାକୁ ପଡ଼ିଲା ?

 

ହଁ ବିକାଶବାବୁ, ସେ ଚିନ୍ତାର ଉଦ୍‌ବେଗ ନିହାତି, ନିହାତି ଜଟିଳ । ମୁଁ କେମିତି ବୁଝେଇବି ଆପଣଙ୍କୁ ସେ କଥା ?

 

ଆଖିରୁ ଲୁହ ଯେତିକି ଯେତିକି ପୋଛୁଥିଲା ଶିଲା, ତା’ର ଦୁଇ ଗୁଣ ଲୁହ ଖସି ପଡ଼ୁଥିଲା ବେଦନା ବିଦଗ୍ଧ ହୋଇ ବର୍ଷଣ ଆଖିରୁ । ଅଶ୍ରୁ ଛଳଛଳ ହତାଶ କଣ୍ଠରେ ସେ କହିଲା, ନାରୀର ସୌନ୍ଦର୍ଯ୍ୟହିଁ ତା’ର ଶତ୍ରୁତା କରେ ବିକାଶବାବୁ ! ଆଉ ସେ ଶତ୍ରୁତା ସହିତ ସଂଗ୍ରାମ କରି ଖୁବ୍ କମ୍ ନାରୀ ଜୟଯୁକ୍ତା ହୋଇ ଫେରିବାର ମୁଁ ଅନୁଭବ କରିଛି । ମୁଁ ନିଜେ ଏହାର ଜ୍ଵଳନ୍ତ ଏକ ଦୃଷ୍ଟାନ୍ତ ଆଉ ନମୁନା । ଆପଣ ଯେଉଁ ରୂପ, ସୌନ୍ଦର୍ଯ୍ୟର ପ୍ରଶଂସା ଆଜି କରୁଥିଲେ ମୋର, ସେଇ ରୂପ, ସୌନ୍ଦର୍ଯ୍ୟ ଯୋଗୁଁ ଶିଲା ଆଜି ଶିଲାବାଈରେ ପରିଣୀତା ହୋଇଛି । ଅତୀତର ଶିଲା ଆଜି ମୃତ କବରଖାନାର କବର ଭିତରେ । ବର୍ତ୍ତମାନର ଶିଲାବାଈ କେବଳ ଆପଣମାନଙ୍କ ଆଗରେ ଠିଆ ହୋଇ ତା’ର ରୂପ, ସୌନ୍ଦର୍ଯ୍ୟର ପ୍ରଶଂସା ଶୁଣୁଛି । ତା’ର ଗୁଣଗାରିମା ଓ ଉଚ୍ଚ ପ୍ରଶଂସାର ଅଧିକାରିଣୀ ହୋଇ ସେ ଆତ୍ମ ପ୍ରତିଷ୍ଠା, ସମ୍ମାନରେ ବିଭୋର ହୋଇ ଉଠୁଛି । ସେ ଏକ ଅଶ୍ରୁ ବିଦଗ୍ଧ କାହାଣୀ ବିକାଶବାବୁ, ସେ କାହାଣୀ ଶୁଣିବାକୁ ଏମିତି କେହି ମଣିଷ ମୋ’ ଦୃଷ୍ଟିର ପରିଧି ଭିତରକୁ ଆସି ନାହାଁନ୍ତି । ଆସିବେ କି ନାହିଁ ଜାଣେନା । କାରଣ ସେ କାହାଣୀ ଭିତରେ ଅନେକ ଧୂଳିଝଡ଼ର ଜ୍ୱଳନ, ଅନେକ ଶ୍ରାବଣୀ କନ୍ୟାର ବିଦଗ୍ଧ ଅଶ୍ରୁ, ଅନେକ ବର୍ଷଣ ମୁଖର ରାତ୍ରିର କ୍ଳାନ୍ତି ଭରି ରହିଛି !

 

ମୋ’ ଭିତରେ ବହୁ ଅସହାୟତାର ବାଦଲ ଘୋଟି ରହିଥିଲେ ମଧ୍ୟ ମୁଁ ବାହାର ଲୋକଙ୍କ ଆଗରେ ମେଘମୁକ୍ତ ଆକାଶ ଭଳି ଅଭିନୟ କରି ଆସିଛି ସବୁବେଳେ । କହି ପାରିବେ ବିକାଶବାବୁ, ଅର୍ଥ ଦେଇ ଅଶ୍ରୁ ଢାଳିବାକୁ ଏ’ ସଂସାରର କୋଉ ମଣିଷ ଚାହେଁ ? କହି ପାରିବେନି ଆପଣ । କାରଣ ସଂସାରରେ ତା’ର ପରିମାଣ କୋଟିକରେ ଗୋଟିଏ । ଖୁବ୍ କ୍ୱଚିତ୍‌ ଏ’ ଶ୍ରେଣୀର ଅନ୍ତର୍ଭୁକ୍ତ ।

 

ମୁଁ ମୋ’ ସ୍ଵଳ୍ପବୟସର ଅଭିଜ୍ଞତା ଭିତରେ ଯାହା ହାସଲ କରିଛି ତାହା ଆପଣଙ୍କ ଆଗରେ ବର୍ଣ୍ଣନା କରୁଛି । ଆପଣ ହୁଏତ ଭାବୁଥିବେ, ମୁଁ ମୋର ଏତେ ବଡ଼ ସ୍ଵର୍ଗୀୟ ଜୀବନକୁ ନର୍କର ଅଶାନ୍ତ ସାଗର ମଧ୍ୟରେ କାହିଁକି ଡୁବାଇ ଦେଲି । କାହିଁକି ନିଜକୁ ତିଳତିଳ ଜାଳି ମହିମାମୟ ପ୍ରାଣକୁ ମୋର ଖିନ୍‌ଭିନ୍ କରି ପୋଡ଼ି ପକାଇଲି ! ସେ ଏକ ବିକ୍ଷୁ‌ବ୍ଧ କାହାଣୀ । ଯୋଉ କାହାଣୀରେ ଭରି ରହିଛି ଅନେକ ଦହନ, ଅନେକ ଦୁଃଖ, ଅନେକ ତିକ୍ତତା ପ୍ରଥମରୁ କହିଛି, ସେ କାହାଣୀ ସତରେ ମୋ ଜୀବନପୃଷ୍ଠାକୁ ଏପଟ ସେପଟ କରି ଓଲଟପାଲଟ କରି ପକାଇଚି ! ଆଜି ସେଇ ଦୁଃଖ, ସେଇ ଅଶାନ୍ତି ଭିତରେ ମୁଁ କେବଳ ଜଳୁଛିହିଁ ଜଳୁଛି କେଉଁ ଆଦିମଯୁଗର ଶାପଗ୍ରସ୍ତ । କିନ୍ନରୀଟିଏ ପରି । କେବେ ଏଥିରୁ ମୁକ୍ତ ହେବି, ତାହା ମୋର ଅଜ୍ଞତାର ବାହାରେ ।

 

ମୁଁ ମୋର ତୀକ୍ଷ୍ଣଦୃଷ୍ଟି ଖେଳାଇ ଅନୁଭବ କରିଛି, ଏ’ସଂସାର ସମସ୍ତଙ୍କ ସୁଖ, ଆନନ୍ଦରେ ଭାଗୀ ହେବାକୁ ଚାହେଁ । କାହାର ଦୁଃଖ ବେଦନାରେ ନୁହେଁ । ମୋ’ ଦିନକାଳ ଭିତରେ ମୁଁ ଯେତେ ମଣିଷଙ୍କୁ ଭେଟିଛି, ମୋ’ ସୁଖ ଆନନ୍ଦରେ ସମସ୍ତେ ଭାଗୀଦାର ହୋଇଛନ୍ତି । କେହି ଦୁଃଖ ବେଦନାରେ ହୋଇ ନାହାଁନ୍ତି । ତେଣୁ ଶିଲାର କାହାଣୀ ଏ’ ନିର୍ଜନ ମନର ଚାରିକାନ୍ଥ ଭିତରେ ଆବଦ୍ଧ ହୋଇ ରହିଯାଇଛି ସିନା ବାହାରକୁ ବାହାରି ପାରିନି । ଶିଲା ମନର ଚଉକାନ୍ଥ ଭିତରେ କେଉଁ ମଣିଷ ହୃଦୟର ପାହାଚ ଉପରକୁ ଉଠିପାରିନାହିଁ ।

 

ପଣତ କାନିରେ ଅଶ୍ରୁ ଧୋଇ ପୁଣି ଶିଲା କହିଲା–ଏ ଜଗତର ପ୍ରତି ମଣିଷ ସୌନ୍ଦର୍ଯ୍ୟ ପିପାସୁ । ଯେଉଁମାନେ ମୋ ନିକଟକୁ ପ୍ରଲୁବ୍‌ଧ ହୋଇ ଧାଇଁ ଆସିଛନ୍ତି, ସମସ୍ତଙ୍କର ଶାଣିତ ଦୃଷ୍ଟି ମୋ’ ରୂପ, ମୋ ଯୌବନ, ମୋ ଦେହ ଉପରେ ପ୍ରଥମେ କଟାକ୍ଷପାତ କରିଛି । ସମସ୍ତେ ଚାହିଁଛନ୍ତି ମୋର ଏଇ ମାଂସଳ ଶରୀରଟାକୁ ଉପଭୋଗ ପାଇଁ । ଏ ସଂସାରରେ ମୁଁ ହେଉଛି ଏକାକିନୀ । ନାରୀ ଏକାକିକୀ ହେଲେ ଗଭୀର ଅସହାୟତା ଅନୁଭବ କରେ । ଏକାକିନୀ ଭାବରେ ଗୋଟାଏ ନାରୀକୁ ଏ’ ସଂସାରର ଜଟିଳ ପଥରେ ଚାଲିବାକୁ କେତେ କଷ୍ଟହୁଏ ନିଜେ ଅନୁଭବ ନକଲେ ବୁଝି ହୁଏନି । ଜାଣି ହୁଏନି । ତେବେ କଳ୍ପନା କରନ୍ତୁ ଆପଣ, ଏ ମାଂସଲୋଭୀ ହିଂସ୍ର ସମାଜ ଆଗରେ ଏକାକିନୀ ନାରୀଟିଏ ଭାବରେ ମୁଁ କେତେ କଷ୍ଟର ସହିତ ଏତେ ବାଟ ଅତିକ୍ରମ କରି ଆସିଛି । ଏ’ କାହାଣୀ ଯେତିକି ଅଶ୍ରୁଳ, ସେତିକି ଅଲୋଡ଼ା ବିକାଶବାବୁ, ଆପଣଙ୍କର ଶୁଣି ହୁଏତ କିଛି ଲାଭ ହେବ ନାହିଁ । ଏ’ କାହାଣୀ ଏତିକିରେ ରହୁ ଏଇଠି ।

 

ଆପଣଙ୍କର କାମ କ’ଣ କହନ୍ତୁ ! ମୁଁ ସମ୍ପୂର୍ଣ୍ଣ କରିବି ।

 

ବାଧ୍ୟ କରି କଥାର ସମାପ୍ତି ଟାଣି କିଛି ସମୟପାଇଁ ନୀରବ ରହିଲା ଶିଲା ।

 

ବିକାଶ ନିସ୍ପନ୍ଦ ପାଲଟି ଯାଇଥିଲେ । ଆଖିର ଲୁହ, ଛାତିର କୋହ ଅନ୍ତର ଭିତରେ ତାଙ୍କର ଜମାଟ ବାନ୍ଧି ଝଡ଼ସୃଷ୍ଟି କରୁଥିଲେ । କଥାରେ ପୂର୍ଣ୍ଣଚ୍ଛେଦ ଟାଣିବା ଦେଖି ବିକାଶ ଭାବଉନ୍ମୁଖ କଣ୍ଠରେ ଚିତ୍କାର କରି କହିଲେ ଅଟକିଗଲ କାହିଁକି ଶିଲା ? କହ, ତୁମ ଦୃଷ୍ଟିର ପରିଧି ଭିତରକୁ ପ୍ରଥମ ମଣିଷ ମୁଁ ଆସିଛି, ଯିଏ କି ତମ ଅଶୁଣା କାହାଣୀ ଶୁଣିବାକୁ ଚାହେଁ । ତାକୁ ତମେ ଶୁଣାଇବ ନାହିଁ ? ତମ ରୂପ, ଯୌବନ, ତମ ଦେହକୁ ଯିଏ ଚିରଦିନ ଉପେକ୍ଷା କରି ଆସିଥିଲା, ଆସିଛି, ସେ ଏକ ମାଂସଲୋଭୀ ଶୃଗାଳ ନୁହେଁ ଶିଲା, ତାକୁ ତମେ ପୂର୍ଣ୍ଣ ପ୍ରାଣରେ ବିଶ୍ୱାସ କର ! ସେ ତମର ଗୃହପାଳିତ ଏକ ଶୁଆ ପକ୍ଷୀ ।

 

ଉଦ୍‌ଗତ ଅଶ୍ରୁକୁ ଚାପି ରଖି କୋହ ବିଜଡ଼ିତ କଣ୍ଠରେ ଶିଲା କହିଲା ବିକାଶବାବୁ, ଏ’ ଆପଣ କ’ଣ କହୁଛନ୍ତି ? ଆପଣ ଆପଣଙ୍କ ଉପରେ ମନ୍ତବ୍ୟ ବାଢ଼ୁଛନ୍ତି ଯେ ନିଜେ ! ଅବୋଧ୍ୟ ମନ ସମ୍ପର୍କରେ ତ ଆପଣଙ୍କୁ ବୁଝେଇଲି । ଆପଣ କେମିତି ବୁଝିବେ ଆପଣଙ୍କ ପାଇଁ ମୋର ଏ’ ନିଭୃତ ଅବୋଧ୍ୟ ମନରେ କି’ ସଂଗୋପନ କାହାଣୀ ଲୁଚି ରହିଛି ।

 

ବିକାଶ ବିଚାରିଲେ ଶିଲା ଠିକ୍ କହୁଛି । କାହା ନିଭୃତ ମନର ଅବୋଧ୍ୟ କାହାଣୀ ଯଦି ବୁଝି ହେଉଥାଆନ୍ତା ତେବେ ଦିପାନ୍ୱିତା ଆଜି ତାଙ୍କୁ ଅବୋଧତାର ମହାସମୁଦ୍ର ଭିତରେ ଭସାଇ ଦେଇ ଚାଲି ଯାଇ ନ ଥାନ୍ତା !

 

ଶିଲା ପୁଣି ଆରମ୍ଭ କଲା ବିକାଶବାବୁ, ଏ’ ଅଶ୍ରୁଳ କାହାଣୀର ସୃଷ୍ଟି ଏକ ଅଶ୍ରୁଳ ପରିବେଶ ମଧ୍ୟରୁ । ଆପଣଙ୍କ ଅଭିଶପ୍ତା ଶିଲାର ଜନ୍ମ ଥିଲା ଏକ ସମ୍ଭ୍ରାନ୍ତ ପରିବାରରେ । ବାଲ୍ୟକାଳରୁ ସେ ଥିଲା ମାତୃହୀନା । ମଦ୍ୟପ ପିତା ତା’ର ମଦ୍ୟପାନ କରିକରି ସମସ୍ତ ସମ୍ପତ୍ତିବାଡ଼ି, ଘରଦ୍ୱାର, ନିଲାମ କରି ପକାଇଲେ ତାଙ୍କର । ଶେଷରେ ସେମାନେ ହେଲେ ପଥର ଭିକ୍ଷୁକ । ସେତେବେଳକୁ ଶିଲାର ବୟସ ମାତ୍ର ତେରବର୍ଷ । ଆକସ୍ମିକ ଭାବରେ ପିତାଙ୍କର ଅକାଳ ବିୟୋଗ ଘଟିଲା । ମାଟ୍ରିକ୍ ପାସ୍ ପରେ ସେ ହେଲା ଏକ ଘରୋଇ ଅନୁଷ୍ଠାନରେ ଶିକ୍ଷୟିତ୍ରୀ, ।

 

ପିତାଙ୍କ ଅକାଳ ବିୟୋଗ ପରେ ଶିଲା ହୋଇଗଲା ପୂରାପୂରି ସହାୟହୀନା । ପିତୃ, ମାତୃ, ଗୃହଶୂନ୍ୟା । ତା’ ସହିତ ତା’ ଜୀବନରେ ଉଠିଲା ପ୍ରବଳ ଝଞ୍ଜା ତୋଫାନ । ସେ ଝଞ୍ଜା ତୋଫାନରେ ସେ ସମ୍ପୂର୍ଣ୍ଣ ଭାବରେ ହୋଇଗଲା ପଥହୀନା । ଉଦ୍ଭ୍ରାନ୍ତ ମରୀଚିକାକୁ ପାଥେୟ କରି ସେ ଘୂରି ବୁଲିଲା ତୃଷ୍ଣାର ସନ୍ଧାନରେ । ଅନୁଷ୍ଠାନରୁ ବିଦାୟ ନେଲା ସବୁଦିନ-ସବୁଦିନ ପାଇଁ । ଶିଲା ହେଲା ସ୍ଵାଧୀନା । ପୂରାପୂରି ସ୍ଵାଧୀନା । ପୂରାଧିନତାକୁ ଜଳାଞ୍ଜଳି ଦେଇ ଶପଥ କଲା ଜୀବନରେ ବଞ୍ଚିଥିବା ଭିତରେ ସେ କେବେ ଆଉ ଚାକିରି କରିବ ନାହିଁ । କାହିଁକି ଜାଣନ୍ତି ?

 

ଦୃଷ୍ଟି ତୋଳିଲେ ବିକାଶ । ପଚାରିଲେ, କାହିଁକି ?

 

ଅନୁଷ୍ଠାନର ଜଣେ ଉଚ୍ଚ କର୍ମକର୍ତ୍ତାଙ୍କ ଯୋଗୁଁ । ଯେଉଁ କର୍ମକର୍ତ୍ତା କି ଥିଲେ ତା’ ବାପାଙ୍କର ଜଣେ ଘନିଷ୍ଠ ବନ୍ଧୁ । ପିତୃ ସଦୃଶ ମଣିଷ ହୋଇ ତା’ ଠାରୁ ସେ କ’ଣ ଇଚ୍ଛା କଲେ ଜାଣନ୍ତି ? ଶୁଣିଲେ ଆଶ୍ଚର୍ଯ୍ୟ ହେବେ ।

 

ସେ ଚାହିଁଲେ ତନ୍ୱୀ, ରୂପସୀ ତରୁଣୀ ଶିଲାର ଦେହ । କାହିଁକି ନା ପିତୃହୀନା ହୋଇଗଲା ପରେ ତାଙ୍କୁ ପିତା ମାନି ଶିଲା ରହୁଥିଲା ତାଙ୍କରି ଘରେ । ସେ ହିଁ ଥିଲେ ଶିଲାର ଆଶ୍ରୟଦାତା । ଏମିତି ଏକ ଝଡ଼ ମୁଖର ରାତ୍ରିରେ ସେ ଶିଲାଠୁ ଏଇଆ ଚାହିଁଥିଲେ ବିକାଶବାବୁ, ଯେଉଁଥିପାଇଁ କି ଶିଲା ତା’ର ଇଜ୍ଜତ, ଆଭିଜାତ୍ୟକୁ ବଞ୍ଚେଇ ରଖିବା ପାଇଁ ସବୁଦିନ ପରାଧୀନତାରୁ ମୁକ୍ତି ପାଇଥିଲା ।

 

ମନରେ ଯିଏ ସ୍ୱାଧୀନ, ଧନରେ ସେ କେବେହେଲେ ସ୍ୱାଧୀନ ନୁହେଁ ବିକାଶବାବୁ । ଆପଣଙ୍କ ଶିଲା ଠିକ୍ ସେଇ ଭଳି ଥିଲା ମନରେ ସ୍ଵାଧୀନା । କିନ୍ତୁ ଧନରେ ଥିଲା । ଚାକିରି ଛାଡ଼ି ଦେବାପରେ ଜୀବନ ହୋଇ ଉଠିଲା ତା’ର ଦୁର୍ବିସହ । ବଞ୍ଚିବାପାଇଁ, ପେଟ ଭରିବାପାଇଁ ବହୁ ସଂଗ୍ରାମ କରିବାକୁ ପଡ଼ିଲା । ଅନ୍ନ ମୁଠାକପାଇଁ ବହୁ ଦ୍ୱାରସ୍ତ ହେବାକୁ ପଡ଼ିଲା ତାକୁ । ସେ ଯୋଉଠି ଯୋଉଠି ହାତ ପାତିଲା ବିକାଶବାବୁ, ସେଇମାନେ ତାକୁ ନିହାତି ଆତ୍ମୀୟ ବୋଲି ବିବେଚନା କରୁଥିଲେ । ସେମାନେ ଦିନରେ ଯାହା ଦେବାକୁ ଚାହିଁଥିଲେ ତାକୁ, ପ୍ରତିଦାନରେ କ’ଣ ତା’ ଠାରୁ ନେବାକୁ ଚାହିଁଥିଲେ ଜାଣନ୍ତି ? ସେଇ ଦେହ-ଖାଲି ଦେହ । ରକ୍ତ, ମାଂସର ଶରୀରଟା ଉପରେ ଚାହୁଁଥିଲେ ସେମାନେ ଅଧିକାର । ପ୍ରତ୍ୟେକ ସେମାନଙ୍କର ଦାବି ଜମେଇଁ ବସୁଥିଲେ କେବଳ ତା’ରି ଉପରେ । ଗୋଟି ଗୋଟି କରି ସେ ଯାହାକୁ ଭେଟିଛି, ଏଇ ଅଧିକାର, ଏଇ ଦାବି ଛଡ଼ା ଆଉ କେହି ଅନ୍ୟ କିଛି ଚାହିଁ ନାହାଁନ୍ତି ।

 

ବିକାଶବାବୁ ! ଯଦି ଏଇ ଦେହଟା ଶିଲା ତା’ର ସେଇଦିନ ଦେଇ ଦେଇ ଥାଆନ୍ତା, ତେବେ ପ୍ରଥମରୁ ସେ ନିଜକୁ ଭାଗ୍ୟବତୀ କରାଇ ନେଇ ଥାଆନ୍ତା । କିନ୍ତୁ ଯେତେବେଳେ ଅତୀତର ମହାଦାରିଦ୍ର୍ୟ ଭିତରେ ସେ ମରି ନଥିଲା-ବଞ୍ଚି ପାରିଥିଲା, ଆଜି ସେ କ’ଣ ଏଇ ସାମାନ୍ୟ ପେଟପାଇଁ ନିମ୍ନଗାମୀ ହୋଇଥାଆନ୍ତା ? ସେ ଶପଥ କଲା, ସେ ମରିଯିବ ପଛେ ଏମିତି ଅନାହାରରେ ବୁଭୁକ୍ଷିତା ହୋଇ ନିଜକୁ ସେ ନିମ୍ନମୁଖୀ କରାଇପାରିବନି ।

 

ତପ୍ତ ଅଶ୍ରୁର ଅନ୍ତର୍ଦାହନ ଭିତରେ ଶିଲା ଖାଲି ଜଳୁଥିଲା । ନିର୍ବାକ୍‍ ହୋଇ ଯାଇଥିଲେ ବିକାଶ । କିଛି ସମୟ ନୀରବତାରେ କଟିବା ପରେ ଶିଲା ପୁଣି ଆରମ୍ଭ କଲା-ଏମିତି ଅନେକ ଦିନ ବୁଲିବୁଲି ଶେଷରେ ଏକ ସଙ୍ଗୀତ ଅନୁଷ୍ଠାନରେ ପହଞ୍ଚିଲା ସେ । ସୌଭାଗ୍ୟର କଥା, ଅନୁଷ୍ଠାନର ଦାୟିତ୍ଵରେ ଥିଲେ ଜଣେ ସ୍ତ୍ରୀଲୋକ । ସେ ଥିଲେ ସେ ଅନୁଷ୍ଠାନର କର୍ତ୍ତ୍ରୀ । ପରିଚାଳିକ ଆଉ ଶିକ୍ଷୟିତ୍ରୀ । ଶିଲାର ସମସ୍ତ କାହାଣୀ ଶୁଣିବା ପରେ ସେ ଦୟାପରବଶ ହୋଇ ତାକୁ ସେଠାରେ ନୃତ୍ୟ ଶିଖିବାପାଇଁ ଅନୁମତି ଦେଲେ । ସାମାନ୍ୟ ଗୋଟାଏ ବର୍ଷର ଶିକ୍ଷାପରେ ଶିଲା ଖୁବ୍ କୃତକାର୍ଯ୍ୟ ହେଲା । ବହୁ ସଙ୍ଗୀତ ଆସର, ଅଭିନୀତ ରଙ୍ଗମଞ୍ଚରେ ନୃତ୍ୟକଳା ପ୍ରଦର୍ଶନ କରି ଭୂୟସୀ ପ୍ରଶଂସାର ପାତ୍ରୀ ହେଲା ଶତ ସହସ୍ର ଦର୍ଶକ ଦର୍ଶିକାଙ୍କ ମୁହଁରେ । କିନ୍ତୁ ଦୁଃଖର କଥା, କିଛିଦିନ ଯାଇନି, ସେ ଅନୁଷ୍ଠାନ ଭାଙ୍ଗି ପଡ଼ିଲା । ଶିକ୍ଷୟିତ୍ରୀ ତା’ର ଅନୁଷ୍ଠାନ ଛାଡ଼ି ଅନ୍ୟତ୍ର ଚାଲିଗଲେ । ସେତେବେଳକୁ ଶିଲା କେତେକାଂଶରେ ପ୍ରତିଷ୍ଠା ଲାଭ କରିଗଲାଣି । କ୍ରମଶଃ ସେ ନୃତ୍ୟକୁ ତା’ର ବ୍ୟବସାୟୀକ ଦୃଷ୍ଟିରେ ଗ୍ରହଣ କରିନେଲା । ଦିନକୁଦିନ ସୁଖ୍ୟାତି ବଢ଼ିଲା ତା’ର ! ଏଣିକି ଆଉ ବାହାରକୁ ପାଦ ଦେବାକୁ ପଡ଼ିଲା ନାହିଁ ତାକୁ । ସୂର୍ଯ୍ୟାସ୍ତର ଶେଷ ରଙ୍ଗ ଯେତେବେଳେ ତା’ ଘରର ଅଗଣା ଭିତରେ ଶେଷ ଛଟା ଆଙ୍କି ଦେଇଯାଏ, ସେଇ ରଙ୍ଗକୁ ତୋଳି ଧରି ରାତିର ଉଦାସ ପହରରେ ଶିଲା ନୃତ୍ୟରତା ହୁଏ । ସହରର ବହୁ ଜମିଦାରଙ୍କଠାରୁ ଆରମ୍ଭ କରି ବଡ଼ବଡ଼ ବ୍ୟବସାୟୀ ପର୍ଯ୍ୟନ୍ତ ରାତିହେଲେ ସେଠିକି ବାଟ ଭାଙ୍ଗନ୍ତି । ସେ ବାଟ ଭାଙ୍ଗିବା ଭିତରେ ସେମାନଙ୍କ ମନର ପ୍ରତି ବିନ୍ଦୁତଳେ ଭରି ରହିଥାଏ କଦର୍ଯ୍ୟ ଲାଳସା ଓ କାମନା । ଅନେକ ମଦ ନିଶାରେ ବିଭୋର ହୋଇ ଆସି ଗଡ଼ନ୍ତି । ସମସ୍ତଙ୍କର ଦୃଷ୍ଟି ଥାଏ ଶିଲାର ଦେହ ଉପରେ । ଉନ୍ନତ ରସାଳ ଭରା ଯୌବନ ଉପରେ ।

 

ଏମିତି ଅନେକ ଦିନ କଟିଗଲା । କିଛିଦିନ ପରେ ଶିଲା ଯେତେବେଳେ ଏ ସହରରେ ଟିକିଏ ପୁରୁଣା ଆଉ ପରିଚିତା ହେଇଗଲା, ତେଣିକି ତେଣିକି ସାହସବି ବଢ଼ିଗଲା ତା’ର । ନୃତ୍ୟକାଳ ମଧ୍ୟରେ କେହି ଯଦି ମଦ ପିଇ ଆସେ ତାକୁ ଧକ୍କା ଦେଇ ବିଦାୟ ଦେବାକୁବି ପଛେଇଲା ନାହିଁ । ଶିଲାର କୃତିତ୍ୱ ବଢ଼ିଯିବାପରେ ଯେଉଁମାନେ ଶିଲାକୁ ଡରାଉଥିଲେ, ସେମାନେ ଏ’ଭଳି ଭାବରେ ନିଜେନିଜେ ଡରିଗଲେ ଯେ ଶିଲାର ଆଉ ସାମ୍ନା ମାଡ଼ିଲେ ନାହିଁ । ଆଉ ଯେଉଁମାନେ ମାଡ଼ୁଥିଲେ ସେମାନେ ତା’ ଘରର ନିୟମ ମାନି ଚଳୁଥିଲେ । ଆଉ ସେଇ ନିୟମ ଶିଲା କାହିଁକି ଯେ କରିଥିଲା ତା’ ପଛରେ ଏକ ଚିତ୍ତାକର୍ଷକ କାହାଣୀ ଜଡ଼ିତ ଥିଲା ବିକାଶବାବୁ ! ତା’ର ପୃଷ୍ଠ ଭାଗରେ ଏବେବି ଲୁକ୍କାୟିତ ଅଛି ଶିଲାମନର ସବୁଠାରୁ ଗୋପନୀୟ ତଥ୍ୟ ।

 

ବିସ୍ମିତ ହେଲେ ବିକାଶ । ଏତେ କାହାଣୀ କହିସାରିବା ପରେବି ଶିଲା ଆହୁରି କିଛି ବାକି ରଖିଛି, ଗୋପନୀୟ ଅଭିବ୍ୟକ୍ତି ତା’ ପ୍ରାଣର ? ସେ ପୁଣି କେଉଁ ସମ୍ପର୍କରେ ?

 

ଶିଲା କହିଲା–ତା’ ଜୀବନର ଅଭିନେତ୍ରୀ ସାଜି ସେ ଏ’ ପର୍ଯ୍ୟନ୍ତ ନିଜେ ନିଜେ ଅଭିନୟ କରି ଆସିଥିଲା ବିକାଶବାବୁ । ଅଭିନେତା କେହି ତା’ ଭିତରକୁ ପାଦ ପକାଇ ନଥିଲେ । ବୟସର ପରିପକ୍ୱତା ଆସିବାପରେ ପ୍ରତ୍ୟେକ ନାରୀ ଓ ପୁରୁଷ ଆପଣାର ଜୀବନପାଇଁ ସାଥୀଟିଏ ଚାହାଁନ୍ତି । ଏଥିରେ ଅଶ୍ଳୀଳତା କିଛିନାହିଁ । ଶିଲା ସେମିତି ଗୋଟିଏ ସାଥୀ ବାଛିଥିଲା । ତା’ ଜୀବନପାଇଁ । ସେ ସାଥୀ ତା’ର ଥିଲେ ଜଣେ ନିଃସ୍ଵ, ଦାରିଦ୍ର ସଙ୍ଗୀତ ଶିଳ୍ପୀ । ତଥାପି ସେଭଳି ସାଥୀ କାହିଁକି ସେ ବାଛିଥିଲା, ଯଦିଓ କେବେ ଗଭୀର ଦୃଷ୍ଟି ଦେଇ ସେ ବିଚାର କରିନି, ତେବେ ଏତିକି ଚିନ୍ତା କରିଛି ଯେ ସେ ଶିଳ୍ପୀଙ୍କ ପ୍ରତି ଆକର୍ଷଣ ଥିଲା କେବଳ ଶିଳ୍ପୀଙ୍କର ଏକମାତ୍ର ସଙ୍ଗୀତ ଓ କଳା ।

 

ଯାହା ଜୀବନରେ ଶୋଚନା ପରାଜୟ ଏକ ବିରାଟ ଚକଡ଼ା ମାଡ଼ି ବସେ ତା’ ଜୀବନରେ ବିଜୟ ଆଉ ଉତ୍‌ଫୁଲ୍ଲତାର ପ୍ରଶ୍ନ ଉଠେନାହିଁ । ଶିଲା ସେତିକିରେ ଚରମ ପରାଜୟ ଲାଭ କଲା ବିକାଶବାବୁ, ଗଭୀର ଆଉ ଚରମ ପରାଜୟ । ତା’ ପୂର୍ବରୁ ବୋଧହୁଏ, ଏମିତି ପରାଜୟର ଭୂତ ତା’ ମନକୁ କେବେ ଆଚ୍ଛନ୍ନ କରି ନଥିଲା । ସେଦିନଠାରୁ ପୁରୁଷ ପ୍ରତି କେମିତି ଏକ ଅସମ୍ଭବ ବିତୃଷ୍ଣା ଶିଲା ମନରେ ଜନ୍ମ ନେଇଛି । ସେ ଅସମ୍ଭବ ବିତୃଷ୍ଣାରେ ଶିଲା ମନର କୋମଳ ପାରିଜାତ ଫୁଲଟି ବୃନ୍ତଚ୍ୟୁତ ହୋଇ, ପାଖୁଡ଼ାବିହୀନ ହୋଇ ଖିନ୍‌ଭିନ୍ ଭାବରେ ମାଟିରେ ମିଶି ଯାଇଛି !

 

ବିକାଶ ଚିନ୍ତିତ ସ୍ଵରରେ ପଚାରିଲେ-ତମ ଅଭିନେତା ତମକୁ କ’ଣ ଗ୍ରହଣ କରିବାକୁ କେଉଁ କାରଣରୁ ରାଜି ହେଲେ ନାହିଁ ଶିଲା ?

 

ଅଶ୍ରୁ ଜର୍ଜରିତା ହୋଇ ଶିଲା କହିଲା-ନା । ବିକାଶବାବୁ, ତା’ର ଅଭିନେତା ତାଙ୍କ ପ୍ରାଣରେ ରଙ୍ଗମଞ୍ଚ ପାଇଁ ଆଗରୁ ଅଭିନେତ୍ରୀ ବନ୍ଦୋବସ୍ତ କରି ସାରିଥିଲେ । ଶିଲା ତାଙ୍କ ନିକଟରେ ପହଞ୍ଚିବାରେ ସାମାନ୍ୟ ବିଳମ୍ବ ହୋଇଗଲା । ସେ ଶୋଚନୀୟ ପରାଜୟ ପାଇ ଶିଲା ତା’ର ସଂଗ୍ରାମର ରଣପ୍ରାଙ୍ଗଣରୁ ଫେରିବା ପରେ ଅବୁଝା ମନକୁ ବହୁବାର ବୁଝେଇଚି ହେଲେ ମନଟା କାହିଁକି ଆଉ ବୁଝି ନାହିଁ । ମୁଁ ଆଗରୁ କହିଛି, ସବୁ ଉପରେ ମଣିଷର ଅଧିକାର ଥାଏ ହେଲେ ମନଟା ଉପରେ କାହାର ଅଧିକାର ନ ଥାଏ । ଏପରିକି ସମୟ ସମୟରେ ନିଜ ମନ ଉପରେ ନିଜରବି । ସେଇପରି ଶିଲା ତା’ ମନ ଉପରେ ଜୋର୍ ଜବରଦସ୍ତି ଅଧିକାର ଜମେଇଁବି ପାରିନାହିଁ । ଅଭିନେତାଙ୍କ ଉପେକ୍ଷା ପରେବି ଅଭିନେତ୍ରୀ ଶିଲା ଯେ କାହିଁକି ଏତେ ପ୍ରାଣଦେଇ ଭଲ ପାଇଛି, ପାଉଛି ତାଙ୍କୁ, ସେ ନିଜକୁ ପ୍ରଶ୍ନ ପଚାରି ବୁଝି ପାରିନାହିଁ । ଅତୀତ ଅତୀତରେ ରହି ଯାଇଛି । ଶିଲା ଜୀବନର ସବୁ ବାସ୍ତବତା ସ୍ଵପ୍ନ ଦୁଶ୍ଚିନ୍ତାରେ ପରିଣତ ହୋଇଛି । ସେ ଆଜି କେମିତି ଉଦାସ ଆଉ ଅପେକ୍ଷମାଣ ହୋଇଛି ତାହା ଈଶ୍ଵରବି ଚାହିଁଲେ ବୁଝି ପାରିବେ ନାହିଁ । ବିଫଳ ପ୍ରେମର ଲୁହ କେତେ ଉତ୍ତପ୍ତ ତାହା ପ୍ରେମ ନ କଲେ ବୁଝିହୁଏ ନାହିଁ । ଏତେ ବିଫଳତା ପରେବି ଶିଲା ଚାହିଁଛି । ତା’ର ଅଭିନେତା ଯଦି ଥରକପାଇଁ ତାକୁ ବୁଝିବାର ସୁଯୋଗ ଦେଇ ଥାଆନ୍ତେ ତେବେ ସେ ଏତେ ଆଉ ଜଳି ନ ଥାନ୍ତା ! କିନ୍ତୁ ଯାହା ସମ୍ଭବ ନୁହେଁ, ତା’ର ପୁନରାବୃତ୍ତି କରି ଲାଭ କ’ଣ ? ଏକ ଅସମ୍ପୂର୍ଣ୍ଣ ଜୀବନର ସମ୍ପୂର୍ଣ୍ଣ ଇତିହାସ କେବଳ ବ୍ୟର୍ଥତା ଅନୁଯୋଗଭରା ।

 

ବିକାଶ ଆଉ ଶିଲା ! ଶିଲା ଆଉ ବିକାଶ । ଦୁହେଁ ଯେମିତି ଚିନ୍ତାର ମହାସମୁଦ୍ର ମଧ୍ୟରେ ହଜି ଯାଇଛନ୍ତି । ସେ ଚିନ୍ତାର ଆଦି ନାହିଁ । ଅନ୍ତ ନାହିଁ । ପରିସମାପ୍ତି ନାହିଁ ।

 

ଦୀପାନ୍ୱିତା ଜୀବନର ମର୍ମନ୍ତୁଦ ସମ୍ବାଦ ପାଇ ଖୁବ୍ ବିଚଳିତ ହୋଇ ପଡ଼ିଥିଲେ ଶାରଦା ପ୍ରସନ୍ନ । ହୃଦୟରେ ଅନୁଭବ କରୁଥିଲେ ଅହେତୁକୀ ଭୟ ସଂକୋଚ । ଲଜ୍ଜା, ବିସ୍ମୟ ଆଉ ସଂକୋଚରେ ସେ ମ୍ରିୟମାଣ ହୋଇ ପଡ଼ିଥିଲେ ଗଭୀର ଭାବରେ । କ’ଣ କରିବେ ନ କରିବେ କିଛି ଚିନ୍ତା କରି ପାରୁ ନଥିଲେ । ଦୀପାନ୍ୱିତା ଚିଠି ଲେଖିଛି, ତାକୁ ତା’ ଶାଶୁଘରୁ ଫେରାଇ ଆଣିବାପାଇଁ-। ନୂଆ ପରିସର ଭିତରେ ଖାପ ଖୁଆଇ ଚଳିବା ବଡ଼ କଷ୍ଟକର ହୋଇ ପଡ଼ିଛି ବୋଲି ସେ ଜଣାଇଛି-। ଶାଶୁଘରର ଲୋକମାନେ ତା’ ପରୋକ୍ଷରେ କଟୁଭାଷା କଥାବାର୍ତ୍ତା ହେଉଛନ୍ତି ବୋଲି ସେ ଲେଖିଛି । ସେ ସହି ପାରୁନି । ସମ୍ଭାଳି ପାରୁନି ସେ ସବୁ । କ’ଣ କରିବେ ଶାରଦା ପ୍ରସନ୍ନ-? ସେ ତ ନିଜେ ଯାଇ ପାରିବେନି । କାହାକୁ ପଠାଇବେ । ଦୀପାନ୍ୱିତା ଯିବା ଦିନଠାରୁ ସେ ଖୁବ୍ ଅସୁସ୍ଥ-। ରକ୍ତଚାପ ଟିକିଏ ଅଧିକ ମାତ୍ରାରେ ବଢ଼ି ଯାଇଛି । ପୂର୍ଣ୍ଣ ବିଶ୍ରାମ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଡାକ୍ତର । ଏ ପରିସ୍ଥିତିରେ ଦୀପାନ୍ୱିତାର ଦୁଃଖ ଶାରଦା ପ୍ରସନ୍ନଙ୍କ ଆଗରେ ବୋଝ ଉପରେ ନଳିତା ବିଡ଼ି ଲଦା ହେବା ଭଳି ଜଣା ପଡ଼ୁଛି ।

 

ମନ ତ ଏକ ଅମାନିଆ ସୁଅ ! ତାକୁ ଅଟକେଇଲେ ସେ କ’ଣ ବାଧା ମାନେ ? ବନ୍ଧନକୁ ସ୍ୱୀକାର କରେ ? ସେ ଚଳଚଞ୍ଚଳ ହୋଇ ତା’ ଗତିପଥରେ ବହି ଚାଲେ । ଆସୁ ବାଧା ବିସମ୍ବାଦ, ଆସୁ ପ୍ରତିବନ୍ଧକ, ସେ କିଛି ମାନିବାକୁ ପ୍ରସ୍ତୁତ ହୁଏନା । ଏପରିଗୁଡ଼ାଏ ଦୁଶ୍ଚିନ୍ତାକୁ ମଥାରେ ବୋହିଲେ ରକ୍ତଚାପ ଯେ ଅଧିକରୁ ଅଧିକତର ହେବ, ବାରମ୍ବାର ତାଗିଦ୍ କରି ଯାଉଛନ୍ତି ଶଶାଙ୍କ ଅନୁପମା । କିନ୍ତୁ ସେ କ’ଣ ସ୍ଥିର ରହି ପାରୁଛନ୍ତି ? ଦୀପାନ୍ୱିତା ପାଇଁ ମନ ଭୀଷଣ ବ୍ୟସ୍ତ ବ୍ୟାକୁଳ ହୋଇ ଉଠୁଛି ତାଙ୍କର ।

 

ଏଇ ହାତରେ ଦୀପାନ୍ୱିତାକୁ ଏଡ଼ୁରୁ ଏଡ଼ୁଟିଏ କରି ପାଳିଥିଲେ, ବଢ଼ାଇଥିଲେ ସେ । ଅଳ୍ପ ଦିନରୁ ମାତୃହୀନା ବୋଲି ସେ ତା’ର ସାଜି ଥିଲେ ଜନକ ଜନନୀ । ସେ ତାକୁ ମାଆର ସ୍ନେହ, ବାପାର ଆଦର ସହାନୁଭୂତି ଦେଇ ବଢ଼ାଇଥିଲେ । ଶେଷକୁ ତା’ର ଅନୁରୋଧକୁ ଏଡ଼ିଦେଇ ସୁପାତ୍ରରେ ଦାନ କରିଥିଲେ ସତ୍ୟବ୍ରତ ହାତରେ । କିନ୍ତୁ କ’ଣ ହେଲା ଇଏ ଦୀପାନ୍ୱିତା ଜୀବନରେ-? ସେ ଯାହା ଚିନ୍ତା କରିଥିଲେ ସବୁ ଓଲଟପାଲଟ ହୋଇଗଲା ? କଳ୍ପନା ସବୁ ଭଣ୍ଡୁର ହୋଇଗଲା-?

 

ଦୀପାନ୍ୱିତା ସୁଖରେ ରହିବ । ଶାନ୍ତିରେ ଜୀବନ କାଟିବ । ଐଶ୍ୱର୍ଯ୍ୟ ଭୋଗକରି ରାଜଉଆସରେ ରାଜରାଣୀ ସମାନ କାଳାତିପାତ କରିବ । କିନ୍ତୁ କ’ଣ ହେଲା ? କ’ଣ ହେଲା ସତରେ ? ନାରୀ ଜୀବନର ଶୁଭଲଗ୍ନ ଚତୁର୍ଥୀ ଦିନରେ ସେ ପୁଣି ହେଲା ବିଧବା ! ପତିହରା ! ସତରେ କେଡ଼େ ହୀନକପାଳୀ ଝିଅଟା ।

 

ଚିନ୍ତା କରିପାରୁ ନଥିଲେ ଶାରଦା ପ୍ରସନ୍ନ ।

 

ଆଜି ଯଦି ସେ ଶିଳ୍ପୀକୁ ବାହାହୋଇ ଥାଆନ୍ତା କେଡ଼େ-ଖୁସିରେ, ଆନନ୍ଦରେ ଆଉ ଗୌରବରେ ଦିନ କାଟି ନଥାନ୍ତା ! କି’ ଭୁଲ୍ ନକଲେ ସେ !

 

ପିତୃତ୍ୱର ଅବମାନନା କଲେ । ପିତା ହୋଇ କନ୍ୟାର ମନ ବୁଝି ପାରିଲେନି । ହୃଦୟ ଚିହ୍ନି ପାରିଲେନି I ୟା ଠାରୁ ବଳି ଆଉ ଅଧିକ ଦୁଃଖ, ଅଧିକ ଅପରାଧ କ’ଣ ଥାଇପାରେ ?

 

ଦୀପାନ୍ୱିତା ଆଜି ଯେଉଁ ହତାଶାର ଦୀର୍ଘ ଶ୍ଵାସ ଟାଣୁଥିବ, ସେ ଦୀର୍ଘଶ୍ଵାସ ଭିତରେ ଥିବ ଶାରଦା ପ୍ରସନ୍ନଙ୍କ ପ୍ରତି ଅଭିଶାପ ଆପତ୍ତି ଓ ଅଭିଯୋଗ । ସେ ଉଷ୍ମଶ୍ଵାସ ଶାରଦା ପ୍ରସନ୍ନଙ୍କୁ ନିଶ୍ଚିତ ଦୋଷ ଅଭିଯୁକ୍ତ କରାଉଥିବ ।

 

ଆଗାମୀ କାଲି ଯେତେବେଳେ ଅଲିଅଳୀ ଦୀପା ତାଙ୍କ ବୈଧବ୍ୟର ସ୍ୱାକ୍ଷର ପ୍ରତିଫଳିତ କରି ତାଙ୍କ ସାମ୍ନାରେ ଆସି ଠିଆ ହୋଇଯିବ, ସେତେବେଳେ ଶାରଦା ପ୍ରସନ୍ନ ତା’ର ସେ ଅବସ୍ଥା ଦେଖି ସହିପାରିବେ ତ ? । ସମ୍ଭାଳି ପାରିବେ ତ ଦିନ ଦିନ ବର୍ଷ ବର୍ଷ ଝିଅର ଏ’ ମର୍ମନ୍ତୁଦ କରୁଣ ଅବସ୍ଥା ?

 

ଏ ଯେଉଁ ବିରାଟ ଭୁଲ୍, ଜୀବନରେ କେମିତି ତା’ର ପ୍ରାୟଶ୍ଚିତ୍ତ କରିବେ ସେ ? କ’ଣ ତା’ର ପ୍ରତିକାର କରିବେ ଅବା ? ଦୀପା ଦରଖାସ୍ତ କରିଛି ଡାକଦ୍ୱାରା ଆଉଥରେ ପୁଣି କଲେଜକୁ । ଶାରଦା ପ୍ରସନ୍ନ ନିଜେ ଯାଇ ପ୍ରିନ୍‌ସିପାଲଙ୍କୁ କହି ପୁଣିଥରେ ତା’ ଚାକିରିର ବନ୍ଦୋବସ୍ତ କରାଇ ଦେବାକୁ ହେବ ବୋଲି ବାପାକୁ ସେ ଅନୁରୋଧ କରିଛି । ସେ ଅଧ୍ୟାପିକା ଭାବରେ ସାରା ସମୟ ତା’ର କାଟିବାକୁ ଚାହେଁ ।

 

ଦି’ ଧାର ଲୁହ ନିଗିଡ଼ିଗଲା ଶାରଦା ପ୍ରସନ୍ନଙ୍କ ଅଶ୍ରୁ ଝରଣାରୁ । କ୍ଷୀର ଗ୍ଲାସ୍ ନେଇ ଅନୁପମା ଆସୁଥିଲା ତାଙ୍କ ପାଖକୁ । ବୋହୂ ଆସିବାର ଦେଖି ଶାରଦା ପ୍ରସନ୍ନ ସଜାଗ ହେଲେ ଲୁହ ପୋଛି, ଅନୁପମା ଆଗରୁ କିନ୍ତୁ ଜାଣି ନେଇଥିଲା ଶାରଦା ପ୍ରସନ୍ନଙ୍କ ଲୁହ ପୋଛିବାର । କ୍ଷୀର ଗ୍ଲାସ୍‍ଟା ଟେବୁଲ ଉପରେ ରଖୁ ରଖୁ ବେଦନାକ୍ତ କଣ୍ଠରେ କହିଲା, ପୁଣି ଆହୁରି କାନ୍ଦୁଛନ୍ତି ବାପା ? ଏମିତି କାନ୍ଦିଲେ ସ୍ଵାସ୍ଥ୍ୟର କ୍ରମଶଃ ଅବନତି ଘଟିବ ସିନା, ଉନ୍ନତି କ’ଣ ହେବ ? ଏତେ ଅଧୈର୍ଯ୍ୟ ହେଲେ ଆପଣଙ୍କର ଏ ବୟସ ଆପଣଙ୍କୁ ଅଧିକ କଷ୍ଟ ଦେବ । ଡାକ୍ତର କହିବାନୁସାରେ ନ ଚଳିଲେ ଔଷଧ ଖାଇବା, ପଥିରେ ଚଳିବା ସବୁ ଅକାମୀ ହୋଇଯିବ । ଆପଣ କ’ଣ ବିଚାରୁଛନ୍ତି, ଆମକୁ ଏଥିପାଇଁ ଦୁଃଖ ହେଉ ନାହିଁ ? ଯେତେହେଲେ ମୋ’ ରକ୍ତର ଭାଇ ଯେ । ମୋ’ ମନରେ ଯେମିତି ଆଘାତ ଲାଗିଛି, ତା’ କେବଳ ମୁଁ ଜାଣେ, କିନ୍ତୁ କ’ଣ କରାଯିବ ? ସଂସାରରେ ଯାହା ଘଟିବାକୁ ଥିବ, ତା’ ଘଟିବ ନିଶ୍ଚୟ । କେହି ଇଚ୍ଛା କଲେ ରଖିପାରିବେ ନାହିଁ । ବାପ ମାଆ, ପୁଅ, ଝିଅଙ୍କୁ ଜନ୍ମ ଦେଇଥାନ୍ତି । କପାଳ ତ ଦେଇ ନ ଥାନ୍ତି ବାପା ? ଅପାଙ୍କୁ ଆପଣ ଜନ୍ମ ଦେଇଥିଲେ । କପାଳରେ ଯାହା ତାଙ୍କର ଭୋଗିବାର ଥିଲା, ତାକୁ ଆପଣ ଅନ୍ୟଥା କରିଥାନ୍ତେ କିପରି ? ଶୁଖିଲା କଣ୍ଠରେ ଶାରଦା ପ୍ରସନ୍ନ କହିଲେ, ମୁଁ ବୁଝୁଛି ବୋହୂ ।

 

ସବୁ ବୁଝୁଛି । ହେଲେ ମନ କ’ଣ ମାନୁଛି ? ଯେତେ ଚେଷ୍ଟା କଲେବି ଅବୁଝାମନକୁ ବୁଝେଇ ହଉନି । କ’ଣ କରିବି ?

 

ଏ’ କ୍ଷୀରତକ ପିଇଦିଅନ୍ତୁ । ସକାଳ ପହରୁ କିଛି ଖାଇନାହାନ୍ତି ଆପଣ । କହିଲା ଅନୁପମା ।

 

ମୋତେ ମୋଟେ ଭୋକ ଲାଗୁନି ମା’ । ମୋ’ ଭୋକ, ଶୋଷ ଯେମିତି ସବୁ ଦୀପା ପାଖରେ ମୋର ରହିଯାଇଛି । ମତେ କିଛି ଭଲ ଲାଗୁନି । ପୁଣି ଆପଣ ସେଇ କଥା ଉଠେଇଲେ-?

 

ହଁ ମା’, ନ ଉଠେଇ ମୁଁ ରହିପାରୁନି । ଯେତେ ଭୁଲିବାକୁ ଚେଷ୍ଟା କଲେବି ବାରମ୍ବାର ମନେ ପଡ଼ି ଯାଉଛି । ତମେ ଭାବୁଥିବ ମୁଁ ତମ କଥାକୁ ଅବମାନନା କରୁଛି ବୋଲି । କିନ୍ତୁ ତା’ ନୁହେଁ ମା’ । ମୁଁ ଚେଷ୍ଟା କରିବି ପାରୁନାହିଁ । ଶଶୀ କ’ଣ କରୁଛି କି ମା’ ? ତାକୁ ଟିକିଏ ଡାକି ଦେଇ ପାରିବ ?

 

ଆପଣ କ୍ଷୀର ପିଅନ୍ତୁ । ମୁଁ ଡାକୁଛି । ବାଧ୍ୟବାଧକତାରେ କ୍ଷୀର ଗ୍ଲାସ୍ ଉଠାଇଲେ ଶାରଦା ପ୍ରସନ୍ନ । ଅନୁପମା ଉଠିଲା କୋଠା ଉପରକୁ ।

 

ନିଜ ରୁମ୍‌ରେ ବସି କ’ଣ କାଗଜପତ୍ର କାମରେ ବ୍ୟସ୍ତ ଥିଲା ଶଶାଙ୍କ । ବାପାଙ୍କ ଡାକରା ପାଇ ସାଙ୍ଗେ ସାଙ୍ଗେ ତଳକୁ ଆସିଲା ।

 

ଶାରଦା ପ୍ରସନ୍ନ କହିଲେ ତୋ’ ସହିତ ପରାମର୍ଶ କରି ଦୀପାନ୍ୱିତା ପାଇଁ କିଛି କରିବା ବୋଲି ଡକାଇଲି । ତା’ପାଇଁ କ’ଣ କରିବା କହିଲୁ ?

 

ବିନୀତ କଣ୍ଠରେ ଶଶାଙ୍କ କହିଲା କ’ଣ କରିବା କହନ୍ତୁ । ଅପା ତୋରି ଲାଗି ବ୍ୟତିବ୍ୟସ୍ତ ହୋଇ ଚିଠି ଲେଖୁଛି ଯେ ସେଠି ସେ ମୁହୂର୍ତ୍ତେ ଆଉ ରହିପାରିବ ନାହିଁ । ସେଠାକାର ପରିସର, ପରିବେଶ ତା’ ମନକୁ ଭାରି ଦୂଷିତ, ବିଷାକ୍ତ କରି ପକାଇଲାଣି । ମୋ’ ଅବସ୍ଥା ତ ଦେଖୁଛୁ ? ମୁଁ ତ ନିଜେ ଯିବା ସମ୍ଭବ ନୁହେଁ । ତେଣୁ ତୁ ଯାଇ ପ୍ରଥମେ ତାକୁ ନେଇ ଆ । ସେ ଆସିବା ପରେ ଯାହା କିଛି ବନ୍ଦୋବସ୍ତ କରିବା ।

 

ଅନୁପମା ପ୍ରତିବାଦ କଲା । କହିଲା, ବାପା, ଭାଇ ମରିବାର ଆସି ଛଅ ମାସ ହେଲାଣି-। ଏହା ଭିତରେ ଯଦି ଅପା ନିଜକୁ ଖାପଖୁଆଇ ସେଠି ଚଳି ନ ପାରିଲେ, ତେବେ ଆଉ କୋଉଠି ସେ କେମିତି ଚଳିବେ ? ସେଠୁ ଆସି କ’ଣ ଆମ ବେକରେ ଏଠି ବନ୍ଧାହେବେ ସବୁ ଦିନ-? ଯେତେହେଲେ ସେ ଶାଶୁଘରର ଝିଅ । ବାପଘରେ ଆସି ସବୁ ଦିନ ରହିବା ପସନ୍ଦଯୋଗ୍ୟ ନୁହେଁ-। ସେଠି ଅବା କିଏ ଅଛି ? ବୋଉ ଆଉ ସାନ ଭାଇ । ସେମାନଙ୍କୁ ତ ମୁଁ ବେଶ୍ ଜାଣିଛି । ସେମାନେ ଅପାଙ୍କୁ କିଛି କହୁ ନ ଥିବେ । ବୋଉ ତ ମଲା ମାଛିକୁ ‘ମ’ କହେ ନାହିଁ । ଭାଇ ତ ତାଙ୍କ କାମରେ ସବୁବେଳେ ବ୍ୟସ୍ତ ଥିବେ । ଆଉ ଘରେ ଏମିତି କିଏ ଅଛି ଯେ ଅପା ଚଳିପାରୁ ନାହାନ୍ତି-? ହଁ, ସାଇପଡ଼ିଶାଙ୍କ କଥା । ଅବଶ୍ୟ ପଛରେ ଟୁପ୍‌ଟାପ୍‌ ହେଉଥିବେ କିଏ । ଏ’ କ’ଣ ନୂଆ କଥା-? ସମସ୍ତଙ୍କ ପଛରେ ସବୁ ଲୋକ ଏମିତି କିଛି କିଛି କହନ୍ତି । ତାକୁ ଡରି ଏମିତି ପଳାଇ ଆସିବା କ’ଣ ଠିକ୍ ? ଶାଶୁଘର ଝିଅ ହେଲେ ସବୁ କଥା ପରା ସହିବାକୁ ହୁଏ ! ସେକଥା ବୁଝାଇ ଆପଣ ଅପାଙ୍କ ପାଖକୁ ଚିଠି ଖଣ୍ଡିଏ ଲେଖି ଦିଅନ୍ତୁ । ଏଥିଲାଗି ଆପଣ ନିଜେ ଏତେବି ବ୍ୟସ୍ତ ହେବା ଉଚିତ ନୁହେଁ-। ଦେଖିବେନି; ବଳେ ବଳେ ସବୁ କିଛି ସମାଧାନ ହୋଇଯିବ ।

 

ଶାରଦା ପ୍ରସନ୍ନ ବଡ଼ ଅଡ଼ୁଆରେ ପଡ଼ିଲେ । ଝିଅ କରିଛି ଗୋଟାଏ ଅନୁରୋଧ । ବୋହୂ ଦେଉଛି ଗୋଟାଏ ପ୍ରସ୍ତାବ । କାହାକୁ ରଖିବେ, କାହାକୁ ନ ରଖିବେ !

 

ସାମାନ୍ୟ ଚିନ୍ତା କରି ସ୍ନେହାର୍ଦ୍ର ସ୍ୱରରେ ସେ କହିଲେ, ତମ କଥା ମୁଁ ମାନୁଛି ଯେ ବୋହୂ, ତେବେ ବର୍ତ୍ତମାନ ପରିସ୍ଥିତିରେ ଏ କଥା କହିବା ଉଚିତ ନୁହେଁ । ଏକଥା କରିଦେଲେ ହୁଏତ ତା’ର ମନ ଭାଙ୍ଗିଯିବ ।

 

ବାପଘର ଉପରୁ ସବୁ ଆସ୍ଥା ତୁଟିଯିବ । ତେଣୁ ମୁଁ କହୁଛି, ସେ ଯେତେବେଳେ ଆସିବାକୁ ଚାହିଁଛି, କିଛିଦିନ ଆସି ଏଠି ରହୁ । ପରେ ମୁଁ ତାକୁ ପୁଣି ବୁଝେଇଶୁଝେଇ ପଠାଇଦେବି-। ଶାଶୁଘର ଝିଅ ବାପଘରେ ରହିବାକୁ ସବୁଦିନେ କ’ଣ ମଙ୍ଗିବ ? କିଛିଦିନ ଏଠି ରହିଗଲା ପରେ ସେ ବଳେ କହିବନି ପୁଣି ତା’ ଘରକୁ ଫେରିଯିବାକୁ ? ତମେ ବ୍ୟସ୍ତ ହେଉଛ କାହିଁକି-? ମୋ’ କହିବା ସତ କି ମିଛ ପରଖି ଦେଖ ଥରେ !

 

ଶାରଦା ପ୍ରସନ୍ନଙ୍କ ଯୁକ୍ତିରେ ଅନୁପମା କିଛି ମନ୍ତବ୍ୟ ଦେଲା ନାହିଁ । ସେ ବୋଧହୁଏ ସେ କଥାରେ ଆଦୌ ସମ୍ମତ ନଥିଲା । କିନ୍ତୁ ଶ୍ୱଶୁର ଯେତେବେଳେ ଏମିତି କହୁଛନ୍ତି, ତାକୁ ଗ୍ରହଣ ନ କରିବାକୁ । ବା ତା’ର ଚାରା କାହିଁ ? ତେଣୁ ସେ ସିଧା ସିଧା ଶୂନ୍ୟ ଗ୍ଲାସ୍‍ଟିକୁ ଉଠାଇ ନେଇ ଚାଲି ଗଲା ଭିତରଘର ଆଡ଼େ ।

 

ଶାରଦା ପ୍ରସନ୍ନ ଶଶାଙ୍କ ଆଡ଼କୁ ମୁହାଁଇଲେ ଏଥର । ଅନୁପମା ଭିତର ଆଡ଼କୁ ଚାଲିଯିବାର ଦେଖି ସେ ଥିର ଗଳାରେ ଚୁପ୍‍ଚୁପ୍ କହିଲେ, ଶଶୀ, ଅପା ତୋର ଲେଖିଛି, ସେ ଆଉ ଶାଶୁଘରକୁ ତା’ର ଲେଉଟିଯିବ ନାହିଁ । ପୁଣି ଅଧ୍ୟାପିକା ଭାବରେ ଚାକିରି କରି ରହିବ ଏଇ କଲେଜରେ । ତୋର ମତ କ’ଣ ?

 

ଶଶାଙ୍କ କହିଲା ବାପା, ଯେତେହେଲେ ଶାଶୁଘରିଆ ଝିଅ । ବାହାହେଇ ଗଲା ପରେ ସେ ପରର ସମ୍ପତ୍ତି ହୋଇଗଲା । ତା’ ଶାଶୁ, ଦିଅର ଅନ୍ୟମାନେ ଅନୁମତି ଦେଲେ ତ ? ଆମର ଏଥିରେ ଆପତ୍ତି କରିବାର କ’ଣ ଅଛି ?

 

ଶଶାଙ୍କର ସାଧାରଣ ଉତ୍ତରରେ ଶାରଦା ପ୍ରସନ୍ନ ଅସାଧାରଣ ମୋହିତ ହେଲେ ବୋଧହୁଏ ! କହିଲେ ବାପା, ଶାଶୁଘର ଅନୁମତି ଦେବା ନ ଦେବା ତ ଭିନ୍ନ କଥା ! ଆଗ ତମମାନଙ୍କ ପାଖରେ ସେ ଚଳିପାରିବ କି ନାହିଁ ମୁଁ ପଚାରୁଥିଲି ।

 

କେଉଁ ଏକ ପ୍ରଚ୍ଛନ୍ନ ଆଶଙ୍କାରେ ସନ୍ଦିଗ୍‌ଧ ହୋଇ କହିଲେ ଶାରଦା ପ୍ରସନ୍ନ ।

 

ଶଶାଙ୍କ କିଛି ବୁଝି ପାରିଲାନି । କହିଲା ବାପା, ତା’ ଘର ଇଏ । ଆଗରୁ ବର୍ଷ ବର୍ଷ ଧରି ଏଠି ସେ ଚଳିଥିଲା । ଏଠି ଯଦି ଚଳି ନ ପାରିବ ତେବେ ତା’ ଇଚ୍ଛା ଯୋଉଠି ସେ ରହିବ, ଆମରବି କିଛି ଆପତ୍ତି ନାହିଁ । ଶାରଦା ପ୍ରସନ୍ନ ପୁଣି ବୁଝେଇବା ଭଙ୍ଗୀରେ ଶଶାଙ୍କ ଉଦ୍ଦେଶ୍ୟରେ କହିଲେ, ବାପାରେ; ସେ କଥା ମୁଁ କହୁନାହିଁ । ସେ କୋଉଠି ରହିବ ନ ରହିବ । କାରଣ ସେ ସମ୍ପର୍କରେ ସେ କିଛି ମତେ ଲେଖିନାହିଁ । ତମେମାନେ ଯଦି ତାକୁ ଟିକେ ଆପଣାର କରି ଆଦରରେ, ଅଧିକ ଟିକିଏ ଆଦରରେ ରଖିପାରିବ, ତେବେ ସେ ଶାନ୍ତିରେ ଟିକିଏ ସମୟ କାଟି ନେବ ବୋଲି କହୁଛି । ଆଉ ତାକୁ ଯଦି ଆଗ ଭଳି ହତାଦର କରିବ, ତେବେ ସେ ଏଠି ଚଳି ପାରିବନି । ସେ ବେଳ ଅନ୍ୟ ପ୍ରକାରର ଥିଲା କି’ନା ! ବର୍ତ୍ତମାନ ସମୟରେ କିଛି ଟିକିଏ କଷ୍ଟ କରି କହିଲେ, କଟା ଘା’ରେ ତା’ର ଚୂନ ଲଗାଇଲା ଭଳି ହେବ !

 

ଶଶାଙ୍କ ବୁଝି ପାରିଲା ଏଥର ବାପାଙ୍କ କଥା । ପିଲା ବୟସରେ ଅପାକୁ ସେ ଯେମିତି ଛିଛାକର, ହତାଦର କରୁଥିଲା ସେମିତି ନ କରିବାକୁ ଚେତେଇ ଦେଉଛନ୍ତି ବାପା ।

 

ତେଣୁ ବାପାଙ୍କ ମନରୁ ଧାରଣା ବଦଳେଇବାକୁ ଯାଇ ଶଶାଙ୍କ କହିଲା–ସେ ସିନା ପିଲା ବୟସ ଥିଲା ବୋଲି ଅପା ସାଥିରେ ଏମିତି କୌତୁକରେ ଲାଗୁଥିଲି ବାପା । ସବୁବେଳେ କ’ଣ ସେ କଥା ଅଛି ନା ଥିବ ? ଆଉ ଅନୁ ତ ତା’ଠାରୁ ବହୁ ଛୋଟ । ଅନୁର ବ୍ୟବହାର ତ ଆପଣ ଦେଖୁଛନ୍ତି !

 

ଯଦି ଅପାକୁ ସେଠି ରହିବାକୁ ଭଲ ନ ଲାଗୁଛି, ତେବେ ଏଠି ଆସି ରହୁ, ଆମମାନଙ୍କର ଦ୍ୱିଧା କରିବାର କ’ଣ ଅଛି ? ତେବେ ମୁଁ ଆଉ ଏକ ପ୍ରସ୍ତାବ ବାଢ଼ୁଛୁ । ଆପଣଙ୍କ ମନକୁ କେମିତି ପାଉଚି କହନ୍ତୁ ତ ?

 

କ’ଣ କହ ।

 

ମୁଁ କ’ଣ କହୁଥିଲି କି, ଅପାର ତ ଦେହକରୁ ଦିନେ ସରିନି । ସେ ଏମିତି ଏମିତି ସମୟ କାଟିଦେବା କ’ଣ ଭଲ ହେବ ? ତେଣୁ ଆଉଥରେ ଅପାକୁ ବାହା କରାଇଦେଲେ କେମିତି ହୁଅନ୍ତା-? ଆଜିକାଲି ତ ତିନି ତିନିଟା ଡାଇଭର୍ସ୍ କେସ୍ ସମାଜରେ ପୁଣି ଚଳୁଛି ! ଅପାର ଏମିତି କ’ଣ ହୋଇଯାଇଛି କି ଅସୁବିଧା ହେବ ?

 

ଶଶାଙ୍କର ଏ’ ଅପ୍ରତ୍ୟାଶିତ କଥାରେ ଚମକି ଉଠିଲେ ଶାରଦା ପ୍ରସନ୍ନ । କାରଣ ଏ’ଚିନ୍ତା ତାଙ୍କ ମୁଣ୍ଡକୁ ଆଦୌ ଢୁକି ନଥିଲା । ସେ ଥରଥର ଗଳାରେ କହିଲେ, ମୁଁ କ’ଣ ମନା କରୁଛି ଶଶୀ, ହେଲେ ସେ ରାଜିହେଲେ ତ ?

 

ରାଜି କରାଇବା ଦାୟିତ୍ୱ ଆମର ।

 

ତେବେ ଭଲ କଥା । ଆଗ ତାକୁ ଯାଇ ସେଠୁ ନେଇ ଆସ । ପରେ ବିଚାର କରିବା ଏ’କଥା । ହୁଁ, ଆଜି ଟିକିଏ କଲେଜ ଯାଇ ପ୍ରିନ୍‌ସିପାଲଙ୍କ ସହିତ ସାକ୍ଷାତ କର । ଆଉ ଅପାର ଦରଖାସ୍ତ ସମ୍ପର୍କରେ ତାଙ୍କୁ ଟିକିଏ କହ । ସେ’ତ ଦୀପାକୁ ଭାରି ଭଲ ପାଆନ୍ତି । ସେ କଥା ରଖିବେ ନିଶ୍ଚୟ ।

 

ଶଶାଙ୍କ ସମ୍ମତି ଜଣାଇ ଉଠିଲା ।

 

ଶାରଦା ପ୍ରସନ୍ନ ଆରାମ ଚେୟାର୍ ଉପରେ ନିଜ ଶୀର୍ଣ୍ଣକାୟ ଶରୀରଟାକୁ ଲୋଟେଇଦେଇ ନୀରବ ମନରେ ଚିନ୍ତା କରିବାକୁ ଲାଗିଲେ । ଶଶୀ ଆଜି ଯାହା ମତ ଦେଲା ସେଥିରେ ହୁଏତ ଦୀପାନ୍ୱିତା ରାଜି ହୋଇଗଲେ ତା’ ଜୀବନ ପୁଣିଥରେ ମଧୁମୟ ହୋଇ ଗଢ଼ିଉଠନ୍ତା ! ହେଲେ, ଦୀପାନ୍ୱିତା କ’ଣ ସମ୍ମତି ଦେବ ? ଚେଷ୍ଟା କରିବେ ଶାରଦା ପ୍ରସନ୍ନ । ଆପ୍ରାଣଚେଷ୍ଟା କରିବେ ।

 

ଜୀର୍ଣ୍ଣ ମନ୍ଦିରକୁ ପୁନଃମରାମତି କରିବାକୁ ଆଉଥରେ ଆଗ୍ରହ ପ୍ରକାଶ କରିବେ ସେ । ଦେବତା ତ ଯେମିତି ସେମିତି ଅଛନ୍ତି । ମନ୍ଦିରଟା ଜୀର୍ଣ୍ଣ ହୋଇଗଲେ କ’ଣ ଆଉଥରେ ତୋଳିହେବନି ?

 

ଶାରଦା ପ୍ରସନ୍ନ ଆଖିରେ ମନରେ ନାଚୁଛି ସେଇ ଗୋଟାଏ କଥା ବାରମ୍ବାର । ସଜଳ ଅତୀତର ସ୍ମୃତି । ବାପା, ମୁଁ ଶିଳ୍ପୀ ବିକାଶକୁ ଭଲ ପାଏ । ମୁଁ ତାଙ୍କୁ ବିବାହ କରିବାକୁ ସମ୍ମତି ଦେଇଛି-। ଆପଣ ସ୍ୱୀକୃତି ଦେବେନି ?

 

ସେଦିନ ସ୍ୱୀକୃତି ଦେଇ ନଥିଲେ ଶାରଦା ପ୍ରସନ୍ନ ।

ଆଜି ହୁଏତ ସେଇ ସ୍ୱୀକୃତିକୁ ଯାଚି ହୋଇ ଦେବେ । ଦୀପାନ୍ୱିତା କ’ଣ ଗ୍ରହଣ କରିବନି-? ଫେରାଇ ଦେବ ? ଲେଉଟାଇ ଦେବ ?

ଦୀର୍ଘ ଛଅ ମାସର ବ୍ୟବଧାନ ପରେ ଦୀପାନ୍ୱିତା ମନେଇ ପାରିଚି ତା’ର ଶାଶୁ ଓ ଦିଅରଙ୍କୁ ବାପଘରକୁ ଫେରିଆସିବା ଲାଗି । ବାପାଙ୍କ ପାଖକୁ ଚିଠି ଲେଖିଥିଲା ସେ ତାକୁ ଆସି ନେଇ ଯିବାପାଇଁ । କିନ୍ତୁ ବାପା ଅସୁସ୍ଥ ଥିବାରୁ ଶଶାଙ୍କ ଲେଖିଛି, ସେ ଆସି ତାକୁ ନେଇଯିବ । ଯଦି ଶଶାଙ୍କ ଦୁଇ ତିନି ଦିନ ମଧ୍ୟରେ ନ ଆସେ; ତେବେ ସୁବ୍ରତ ନେଇ ତାକୁ ଛାଡ଼ିଆସିବେ ବୋଲି ମନସ୍ଥ କରିଛନ୍ତି ।

ଏଇ କେତେ ଦିନ ହେଲା ଦୀପାନ୍ୱିତା ତା’ ଜୀବନ ଡାଇରିର ପୃଷ୍ଠା ମେଲି ବସିଛି । ହିସାବନିକାଶ କରୁଛି ତା’ର ଲାଭକ୍ଷତି ସମ୍ପର୍କରେ I ନିଜକୁ ପ୍ରଶ୍ନ ପଚାରୁଛି, ସେ କ’ଣ କଲା ? ଭୁଲ୍ ନା ଠିକ୍ ! ଠିକ୍ ନା ଭୁଲ୍ ?

ମଣିଷର ଚଲା ପାହାଚରେ ଭୁଲ୍‍ଭଟକାର ବହୁ ଜାଲ ବିଛେଇ ହୋଇ ପଡ଼ିଛି ଏମିତି । ସେଇ ଜାଲକୁ ଆପଣା ବାଟରୁ ଆଡ଼େଇବାକୁ ଯାଇ ବେଶି ବେଶି ଜାଲରେ ଛନ୍ଦି ହୋଇପଡ଼ୁଛି ମଣିଷ । ଠିକ୍ ଯେମିତି ଛନ୍ଦି ହୋଇପଡ଼ିଲା ଦାପାନ୍ୱିତା ।

ଦିନକୁଦିନ ବେଦନାଗ୍ରସ୍ତ ହୋଇପଡ଼ୁଛି ସେ ! ନିଜକୁ ଖୁବ୍ ଅସହାୟା ମନେ କରୁଛି । ସମୟ ସମୟରେ ବିକାଶର ଛାଇ ଚିନ୍ତା ଭିତରକୁ ଜବରଦସ୍ତି ପଶି ଆସୁଛି ତା’ର । ଦାବି କରୁଛି, ଦୀପାନ୍ୱିତା ତମକୁ ପ୍ରାଣଭରି ଭଲ ପାଇବାର ପରିଣତି କ’ଣ ଶେଷକୁ ଏଇଭଳି ମୋର ହେବାର ଥିଲା ? ଯଦି ଏଭଳି ଦେବାକୁ ଥିଲା, କାହିଁକି ମୋର ଅଚଞ୍ଚଳ ପ୍ରାଣକୁ କେତେ ମୁହୂର୍ତ୍ତପାଇଁ ସଚଞ୍ଚଳ କରିବାପାଇଁ ପ୍ରଚେଷ୍ଟା କରିଥିଲ ? ଆଜି ତମେ ମୋ’ ପ୍ରଶ୍ନର ଉତ୍ତର ଦେବାକୁ ସକ୍ଷମ ହେବନି, ମୁଁ ଜାଣେ । ଆଜି ମୁଁ କ୍ଷତବିକ୍ଷତ ଅବସ୍ଥାରେ ତମକୁ କେମିତି ପ୍ରତୀକ୍ଷା କରିଛି, ତମେ କ’ଣ ତାହା ବୁଝିବ ଦୀପା ? ମୋ କଥାର ଦୀପରୁ ତେଲ ସରିଗଲା ପରେବି ମୁଁ ତାକୁ ସ୍ମୃତିର ମହମବତୀରେ ଜାଳି ରଖିଛି । ତମେ ବୁଝି ପାରିବନି ଦୀପାନ୍ୱିତା, ମୁଁ କେମିତି ଭାବରେ ତିଳତିଳ ଦଗ୍ଧୀଭୂତ ହୋଇ ଅଶାନ୍ତର ଅନଳ ମଧ୍ୟରେ ଜଳୁଛି ! ଅନ୍ଧ ନ ହେଲେ ଅନ୍ଧର ବ୍ୟଥା, ବେଦନା କ’ଣ ସହଜରେ ବୁଝି ହୁଏ ?

ସତରେ ବୁଝି ହୁଏନି । ଦି’ଟୋପା ଲୁହରେ ସ୍ୱୀକୃତି ଜଣାଇଁଲା ଦୀପା ।

ବାହାରେ ଝଡ଼ବର୍ଷା, ତୁହାଇ ତୁହାଇ ଗର୍ଜୁଛି । ନିବିଡ଼ ଅନ୍ଧକାର ଡେଣା ମେଲାଇ ବସିଛି ଗୃଧ୍ରପକ୍ଷୀ ପରି । ଦୀପାନ୍ୱିତା ଏ’ଘରେ ଏକୁଟିଆ । ରାତି ବାରଟା ସେପଟକୁ ଡେଇଁଲାଣି । ନିଦ ଆସୁନି ତଥାପି । ବିଛଣାରେ ପଡ଼ି ଏପାଖ ସେପାଖ ହେଉଛି ସେ । ଅଧାମେଲା ଅଛି ଦୁଆରଟା !

ଦୁଆରକୁ ଆସ୍ତେ ଖୋଲି ଭିତରକୁ ପଶି ଆସିଲେ ସୁବ୍ରତ । କହିଲେ, ନୂଆବୋଉ, ଶୋଇନ ? ବିଚାରିଥିଲି, ଶୋଇଯିବଣି ବୋଲି; ମତେ ଡାକିବାକୁ ପଡ଼ିବ ବୋଧହୁଏ ।

ସୁବ୍ରତଙ୍କୁ ଦେଖି ଶେଯରୁ ଉଠି ବସିଲା ଦୀପାନ୍ୱିତା । ବେଦନା ଜର୍ଜରିତ ଶୁଖିଲା କଣ୍ଠରେ ସାମାନ୍ୟ ହାସ୍ୟକଲ୍ଲୋଳ ବାହି କହିଲା–ପ୍ରାଣ ତଳୁ ଯେତେବେଳେ ସୁଖର ଜଳ ଶୁଖିଯାଏ, ନିଦର ଜଳ ଆଉ କିଏ ପରସିବ ସୁବ୍ରତ ? ସବୁଦିନ ଲାଗିତ ସୁଖର ଜଳ ମୋର ନିଃଶେଷ ହୋଇଯାଇଛି । ନିଦର ଜଳ ଆଉ କେଉଁଠୁ ପାଆନ୍ତି କହିଲ ?

ବିଦ୍ରୂପଭରା କଣ୍ଠରେ ସୁବ୍ରତ କହି ଉଠିଲା–ଏକ ଅପ୍ରିୟ ସତ କଥା କହିବି ନୂଆବୋଉ । ରାଗିବନି ତ ? ଖରାପ ଭାବିବନି ତ ? ଅନ୍ୟଲାଗି ମଣିଷ ଯଦି କୌଣସି ସମୟରେ କାହାର ପ୍ରାଣ ହରାଇବାପାଇଁ ଖାଲଖମା ଖୋଳିଥାଏ, ତେବେ ସେ ଖାଲଖମାରେ ନିଜେ ପଡ଼ି ପ୍ରାଣ ହରାଇବାର ବହୁ ଦୃଷ୍ଟାନ୍ତ ମୁଁ ପାଇଛି । ତମେ ସେମିତି କାହାଲାଗି ଖାଲଖମା ଖୋଲିଥିଲ ବୋଧହୁଏ । ତେଣୁ ଆଜି ନିଜେ ପଡ଼ିଗଲ !

ସୁବ୍ରତଙ୍କ ବ୍ୟଙ୍ଗୋକ୍ତିରେ ଦୀପାନ୍ୱିତାର ଛାତିଟା ଦମକି ଉଠିଲା । ଯେମିତି ହାବୁକାଏ ଜୁଆରରେ ଭାସମାନ ଡଙ୍ଗାଟା ଦମକି ଉଠେ ! ଦୀପାନ୍ୱିତା କିଛିକ୍ଷଣ ନୀରବ ହୋଇଗଲା । ପାଟିରୁ ତା’ର କଥା ବାହାରୁ ନଥିଲା । ସେ ଅନୁଭବ କରୁଥିଲା, ପାଟିଟାକୁ ତା’ର ଯେମିତି କେହି ଜବରଦସ୍ତି ଚାପି ଧରିଛି ! କ’ଣ କହୁଛନ୍ତି ସୁବ୍ରତ ? କାହାଲାଗି ଖାଲଖମା ଖୋଳିଥିଲା ଦୀପାନ୍ୱିତା ? କାହାର ମରଣପାଇଁ ଦୀପାନ୍ୱିତା ଚିନ୍ତା କରିଥିଲା କେବେ ?

କାହିଁକି ଚୁପ୍ ରହିଲ ନୂଆବୋଉ ? କାହାପାଇଁ ଖାଲଖମା ଖୋଳି ନଥିଲ କେବେ ? ତେବେ କାହିଁକି ପଡ଼ିଲ ତମେ ? କହି ପାରିବନି ? ହଁ, ହଁ, ତମେ କହି ପାରିବନି ।

ସୁବ୍ରତର କଣ୍ଠରେ ତୀବ୍ର ହାସ୍ୟୋକ୍ତିର ଚିହ୍ନ ।

ଦୀପାନ୍ୱିତା ନିର୍ବେଦ ପାଲଟି ଯାଇଛି । ସମସ୍ତ ଶକ୍ତି କ୍ଷରଣ ହୋଇଯାଇଛି ତା’ର ଶରୀର ଭିତରୁ । କି ଉତ୍ତର ଦେବ ଦୀପାନ୍ୱିତା ? କ’ଣ କହିପାରିବ ସେ ? ଭାରି ଜଟିଳ ପ୍ରଶ୍ନ ପଚାରୁଛନ୍ତି ସୁବ୍ରତ । ଏତେ ଦିନଯାଏଁ ତ କିଛି ପଚାରୁ ନଥିଲେ ? ଆଜି କାହିଁକି ପଚାରୁଛନ୍ତି ? ଆଜି କାହିଁକି ସନ୍ଦେହର ବୁଢ଼ିଆଣୀ ଜାଲ ବିଛେଇ ବସିଛି ତାଙ୍କ ମନରେ ? କାହିଁକି ? କାହିଁକି ?

 

କିଛିକ୍ଷଣ ନିର୍ଜନତାରେ କଟିଗଲା । ଦୀପାନ୍ୱିତା ମନରେ ସାମାନ୍ୟ ବଳ ଦମ୍ଭ ସଞ୍ଚୟ କରି ସୁବ୍ରତଙ୍କ ଉଦ୍ଦେଶ୍ୟରେ କହିଲା, ସୁବ୍ରତ, ତମେ ବିଚାରୁଛ ଯଦି ତମ ନୂଆବୋଉ କାହାପାଇଁ କେବେ ଖାଲଖମା ଖୋଳିଥିଲା, ତେବେ ସତ ହୋଇପାରେ । ନାଇଁ ଯଦି ବିଚାରୁଛ ନୂଆବୋଉ ତମର କାହାଲାଗି ଖାଲଖମା ଖୋଳି ନଥିଲା । ସେ ତା’ କପାଳର ଲେଖା ଭୋଗ କଲା, ତେବେ ମିଛ ହୋଇପାରେ । ଯାହା ବିଚାରିବ ତମେ ?

 

ସୁବ୍ରତ ଆହୁରି ଗମ୍ଭୀର ଜଣାଗଲେ । ଦୀପାନ୍ୱିତାଙ୍କ କଥା ପ୍ରତି ମନଜ୍ଞାନ ନ ଦେଇ ସେ ଏକ ଆଲମିରା ଖୋଲିବାରେ ବ୍ୟସ୍ତ ଥିଲେ ।

 

ଦୀପାନ୍ୱିତା ପଚାରିଲା, କ’ଣ ସୁବ୍ରତ, କ’ଣ ବିଚାରୁଛ କିଛି କହିଲ ନାଇଁ ଯେ !

 

ସୁବ୍ରତ କଣ୍ଠରେ ତାଚ୍ଛଲ୍ୟ ଭାବ ଫୁଟାଇ କହିଲା, ନୂଆବୋଉ, କିଛିକ୍ଷଣ ଧୈର୍ଯ୍ୟର ସହିତ ଅପେକ୍ଷା କର । ତମ ସୁବ୍ରତ ତମ ପ୍ରଶ୍ନର ଉତ୍ତର ତମ ମନଲାଖି ହେଲାଭଳି ଦେବ ।

 

ଅଦିନିଆ ବର୍ଷା ଆଉ ଝଡ଼ଟା ବେଳକୁ ବେଳ ବଢ଼ୁଛି । ଗୁମୁରି ଗୁମୁରି ବିଳାପ କରୁଛୁ ଠିକ୍‌ ଦୀପାନ୍ୱିତା ପରି । ପତିହରା ପତ୍ନୀଭଳି । ଦୀପାନ୍ୱିତା କାହିଁକି କେଜାଣି ଅଜଣା ଭୟ ଆଉ ସଂକୋଚରେ ଥରି ଉଠିଲା ।

 

ଏ କ’ଣ, ସୁବ୍ରତ, ଏତେ ବଡ଼ ମଦ ବୋତଲଟାକୁ ଏକନିଃଶ୍ୱାସରେ ଶେଷ କରି ଯାଉଛନ୍ତି ଯେ !

 

ଏକ ଅହେତୁକୀ ବେଦନାର ସନ୍ତ୍ରାସ ଭିତରେ ଗତି କଲା ଭଳି ଦୀପାନ୍ୱିତା ଅତିଶୟ ପରିମାଣରେ ଭୟଭୀତ ହୋଇପଡ଼ିଲା ।

 

ସୁବ୍ରତଙ୍କ ଆଡ଼କୁ ଟିକିଏ ପାଖେଇ ଆସି କହିଲା, ସୁବ୍ରତ ଏ’ କ’ଣ କରୁଛ ? ତମେ ମଦ ପିଉଚ ସୁବ୍ରତ ? ତମ ନୂଆବୋଉ ସାମ୍ନାରେ ଏ’ ଭଲ ବ୍ୟବହାର କରିବାକୁ ଟିକିଏବି ସଙ୍କୋଚ ବୋଧ କରୁନାହଁ ?

 

ନୂଆବୋଉ, ଏ ମଦ ନୁହେଁ ନୂଆବୋଉ, ଏ ହେଉଚି ଅମୃତ । ଭାଇ ତ କହନ୍ତି, ମଦ ଖାଇବା ଆଧୁନିକ ସଭ୍ୟତାର ଚିହ୍ନ । ବିଦେଶୀ ସଭ୍ୟତାର ସୁସ୍ପଷ୍ଟ ପ୍ରତୀକ । ତମେ ୟା’କୁ ମଦ ବୋଲି ବିଚାରୁଛ କାହିଁକି ? ଟିକିଏ ଥରେ ଚାଖି ଦେଖନା ! କେମିତି ଅମୃତର ରାଶି ରାଶି ସ୍ଵାଦ ୟା’ ଭିତରେ ଭରି ରହିଛି ।

 

ମାତାଲ ଭାବରେ ଟଳି ଟଳି ସୁବ୍ରତ ଦୀପାନ୍ୱିତା ଆଡ଼କୁ ଆଗେଇ ଆସି ବୋତଲଟାକୁ ତା’ ମୁହଁ ଆଡ଼କୁ ଉଠେଇ ଧରିଲା ।

 

ଅତିଶୟ ଘୃଣାରେ ସୁବ୍ରତ ଠାରୁ ସାମାନ୍ୟ ଘୁଞ୍ଚିଯାଇ ଦୀପାନ୍ୱିତା କହିଲା, ସୁବ୍ରତ, ତମେ ଭୁଲି ଯାଉଛ ମୁଁ ତମର ନୂଆବୋଉ !

 

ନୂଆବୋଉ !

 

ଆହୁରି ନିବିଡ଼ ତାଚ୍ଛଲ୍ୟଭରା ହସ ହସି ବିଦ୍ରୂପ କରି ଉଠିଲା ସୁବ୍ରତ ।

 

ଦୀପାନ୍ୱିତା ବେଳକୁ ବେଳ ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଥିଲା । ହଠାତ୍ ଆହୁରି ଅଧିକ ବିସ୍ମିତ ହୋଇ ଉଠିଲା ସେ । ସୁବ୍ରତ ଦରଜା ବନ୍ଦ କରୁଛି ।

 

ଦରଜା କାହିଁକି ବନ୍ଦ କରୁଛ ସୁବ୍ରତ ?

 

ଖୁବ୍ ଅଧୀରତା ସହକାରେ କାତର ହୋଇ ପଚାରିଲା ସେ । ମୁଁ ତମକୁ ସୁଖର ଜଳ ପିଆଇବି ନୂଆବୋଉ । ଯାହାକି ଭାଇ ତମକୁ ପିଆଇ ଯାଇ ପାରିଲେନି । ସେ ମତେ ଆଦେଶ ଦେଇ ଯାଇଛନ୍ତି । ତମକୁ ମୁଁ ଶାନ୍ତିର ବାରିରାଶି ପିଆଇ ଭ୍ରାତୃ ଆଜ୍ଞା ପାଳନ କରିବି । ରାମଚନ୍ଦ୍ରଙ୍କ ଆଜ୍ଞା ଲକ୍ଷ୍ମଣ କେବେ ଅବଜ୍ଞା କରି ନଥିଲା, ପୁରାଣରୁ ପଢ଼ିନ ନୂଆବୋଉ ?

 

ଦୀପାନ୍ୱିତା କ’ଣ କରିବ, ନ କରିବ, ଚିନ୍ତା କରି ପାରୁନି । ତା’ର ସମସ୍ତ ଚିନ୍ତା, ଶକ୍ତି ସେପରି ଅଚଳ ଆଉ ଦୁର୍ବଳ ହୋଇପଡ଼ିଛି ।

 

ସୁବ୍ରତ କହୁଛନ୍ତି, ନୂଆବୋଉ, ଏ’ ରାତିକୁ ସୁରା, ସାକୀରେ ମୁଁ ରଙ୍ଗୀନ କରିଦେବି । ତମଭଳି ଅନିନ୍ଦ୍ୟସୁନ୍ଦରୀକୁ ସାମାନ୍ୟ ଆନନ୍ଦର ଜଳ ପିଆଇବାରେ ଦ୍ୱିଧା ମୋର କାହିଁକି ହେବ କହିଲ ? ଏ ରାତି ଆହୁରି ଆହୁରି ଝଡ଼ମୁଖର ହେଉ । ତମ ଦିନଗୁଡ଼ାକ ଏଇ ଝଡ଼ ରାତିରେ ମୋ’ ଛାତିର ନିବିଡ଼ ଉଷ୍ମତା ଭିତରେ କଟିଗଲେ ତମେ ଶାନ୍ତି ପାଇବନି ନୂଆବୋଉ ? ଆସ, ଅନୁଭବ କରି ଦେଖ, ତମପାଇଁ ମୁଁ କେମିତି କେତେ ଉଷ୍ମତା ସାଇତି ରଖିଛି !

 

ସୁବ୍ରତ ଦୀପାନ୍ୱିତାକୁ ଜାବୁଡ଼ି ଧରିଲା ।

 

ସୁବ୍ରତ !

 

ଏକ ଶକ୍ତ ଚାପୁଡ଼ା ଲଗାଇଲା ଦୀପାନ୍ୱିତା ।

 

ସେ ଚାପୁଡ଼ାରେ ଗାଲଟା ବେଙ୍ଗର ଶରୀର ଭଳି ଗୋଟା ପରିମାଣରେ ଫୁଲିଗଲା ସୁବ୍ରତର ।

 

କ୍ରୋଧଜର୍ଜର ହୋଇ ଦୀପାନ୍ୱିତା କହୁଥିଲା, ସୁବ୍ରତ ମୁଁ ତମକୁ ଭଉଣୀର ସ୍ନେହ, ମା’ର ମମତା, ଜନନୀର ଶ୍ରଦ୍ଧା ଦେଇଥିଲି ଏଇ କେତେ ଦିନ ଭିତରେ । ତମେ କ’ଣ ତା’ର ପ୍ରତିଦାନ ଶୁଝାଉଛ ଏହିପରି ? ତମେ ଭୁଲି ଯାଉଛ ସୁବ୍ରତ, ମୁଁ ତମର ନୂଆବୋଉ ! ମାଆ ସମାନ ।

 

ଶକ୍ତ ଚାପୁଡ଼ା ମାଡ଼ରେ ଆହୁରି ଅଧିକ କ୍ରୋଧାନ୍ୱିତ ହୋଇ ପଡ଼ିଥିଲେ ସୁବ୍ରତ । ମୁହଁଟା ତାଙ୍କର ବ୍ୟଙ୍ଗ, ବିଦ୍ରୂପର ରଙ୍ଗରେ ଅଧିକ ଲାଲ ହୋଇ ଉଠୁଥିଲା । ଆତ୍ମସତ୍ତା ହରାଇ ବସୁଥିଲେ ସେ କ୍ରମଶଃ ।

 

ଦୀପାନ୍ୱିତା ତାଗିଦ୍ କଲା, ତମେ ଫେରିବ ନା ମୁଁ ପାଟି କରି ସମସ୍ତଙ୍କୁ ଡାକି ଉଠାଇବି ସୁବ୍ରତ ?

 

ସୁବ୍ରତ ହସିଲେ । ସେ ହସଗୁଡ଼ା ସୁବ୍ରତଙ୍କଦ୍ୱାରା ନିକ୍ଷେପିତ ଶର ବର୍ଛା, ପରି ଦୀପାନ୍ୱିତା ଦେହରେ ଗଳି ଯାଉଥିଲା । ଦୀପାନ୍ୱିତା ବାରମ୍ବାର ସେଇ ପ୍ରଶ୍ନ ପଚାରୁଥିଲେ ।

 

ମୁହଁର ଭଙ୍ଗୀ ବିକୃତ କରି ସୁବ୍ରତ କହିଲା, ଦେଖୁଛ ଇଏ ଅଦିନିଆ ବର୍ଷା, ରାତି ଆସି ଗୋଟାଏ ସେପାଖ ଛୁଇଁଲାଣି । ଝଡ଼ର ଗତି ପ୍ରବଳ ହୋଇ ଉଠୁଛି । ତା’ ଭିତରେ ତମେ ଆଉ ମୁଁ ଦୁଇଟି ତରୁଣ ତରୁଣୀ । ଏ’ ରାତିକୁ ଉପଭୋଗ କରିବାକୁ ତମର ଇଚ୍ଛା ହେଉନାହିଁ ନୂଆବୋଉ ? ଆନନ୍ଦ ଆବେଗ ଭିତରେ କୋଉ ମଣିଷ ମୁହୂର୍ତ୍ତ ବିତେଇବାକୁ ଚାହେଁନି, ମୁଁ ତାହା ଆଜି ନୂଆ କରି ଅନୁଭବ କରୁଛି ତମରି ପାଖରେ । ସତରେ ତମେ ଏକ ଏ’ ସଂସାରର ବ୍ୟତିକ୍ରମ । ତମପାଇଁ ଆଉ ଏକ ନୂଆ ସଂସାର ଆବଶ୍ୟକ । ଯୋଉ ସଂସାର ଭିତରେ କି ତମ ଭଳି କେତେଜଣ ବ୍ୟତିକ୍ରମ ଜୀବ ବଞ୍ଚି ରହିବେ ।

 

ଦୀପାନ୍ୱିତା ଆହୁରି କ୍ଷୁବ୍ଧ ହେଲା । ସୁବ୍ରତ, କ’ଣ ତମେ କହିଯାଉଛ ବାଚାଳଙ୍କ ପରି ? ହିତାହିତ ଜ୍ଞାନ ଟିକିଏ ରଖ । ଅଯଥା ଦୁର୍ବଳ ହୋଇ ନିଜେ ନିଜେ ବିବେକଶୂନ୍ୟ ହୋଇପଡ଼ୁଛ ।

 

ତମ ଭଳି ଏକ ତରୁଣୀକୁ ଏ’ ନିର୍ଜନ ରାତିରେ ନିଃସଙ୍ଗ ମୁହୂର୍ତ୍ତରେ ପାଖରେ ଦେଖିଲେ ଯେ କେହି ବାଚାଳ ହୋଇଯିବ ନୂଆବୋଉ । ଦୁର୍ବଳତା ଆଉ ବିବେକଶୂନ୍ୟତା ତାକୁ ବଳେ ବଳେ ଗ୍ରାସ କରିଯିବ । ଆଉ ହିତାହିତ ଜ୍ଞାନ କଥା ଯାହା କହିଲ, ସେ ମୋର ଠିକ୍ ଅଛି ବରଂ ତମର ଟିକିଏ ଦୁର୍ବଳ ହୋଇପଡ଼ିଛି ।

 

ଟିକିଏ ରହି ପୁଣି ସୁବ୍ରତ କହିଲା ନୂଆବୋଉ, ଅଯଥାରେ କାହିଁକି କ୍ଷୁବ୍ଧ ହେଉଛ । କ୍ଷୁବ୍ଧ ହେଲେ ବା ମୋର ତମେ କ’ଣ କରିବ ? ଏ’ ବର୍ଷା ରାତିରେ ଯେ’ ଯୁଆଡ଼େ କ୍ଳାନ୍ତ ହୋଇ ଶୋଇଗଲେଣି । ବୋଉ ତଳେ ଶୋଇ ଯାଇଛି । ସେ ଛୋଟ ଚାକରାଣୀ ପିଲାଟିକୁ ନେଇ ଚାକର ଘନ ଦୁଆର ବାରଣ୍ଡାରେ ଶୋଇଛି । ସେମାନଙ୍କୁ ଯେତେ ଚିତ୍କାର କଲେବି ତମ ଚିତ୍କାର ତାଙ୍କ ପାଖରେ ପହଞ୍ଚି ପାରିବନି । ବରଂ ତମେ ତମର ନିଜତ୍ୱ ହରାଇ ବସିବ ନୂଆବୋଉ, ତମେ ତମର ଆତ୍ମମର୍ଯ୍ୟାଦା ଜାଣି ଜାଣି କ୍ଷୁଣ୍ଣ କରିବ । ଯଦି ସେ କଥା ତମେ ଚାହଁ ତେବେ ଡାକିପାର । ମୋର କିଛି ଆପତ୍ତି ନାହିଁ । ଡାକିବା ପୂର୍ବରୁ ମନେରଖ, ମୁଁ ସମସ୍ତଙ୍କ ଆଗରେ ଜଣେଇଁବି ଯେ ତମେ ତମର ସୁଖ ଲାଳସାପାଇଁ ମତେ ତମ କୋଠରୀକୁ ଡାକି ଆଣିଥିଲ ।

 

ନାରୀ ନିରାଶ୍ରୟା, ଉପାୟହୀନା, ଅସହାୟା ହେଲେ କାନ୍ଦେ । ଠିକ୍ ସେମିତି ବର୍ଷଣମୁଖର ବର୍ଷା ରାତିଟି ପରି ଅଶ୍ରୁ ସଜଳ ହୋଇ କାନ୍ଦି ଉଠିଲା ଦୀପାନ୍ୱିତା ।

 

ସେ କିଛି କହିପାରୁ ନଥିଲା ଅଥବା କିଛି କରିପାରୁ ନଥିଲା । ସେ କେବଳ ଅଶ୍ରୁ ଅବିଶ୍ରାନ୍ତ ଅଶ୍ରୁ ଢାଳି ନିଜକୁ ବିଜୟିନୀ କରିବାକୁ ଚେଷ୍ଟା କରୁଥିଲା ।

 

ଲୁହ ଢାଳିଲେ କି ଏତେ ଶୀଘ୍ର ମୁଁ ଛାଡ଼ିଦେବି ନୂଆବୋଉ ! ତମ ଅଶ୍ରୁର ବରଫ ଖଣ୍ଡରେ କ’ଣ ମୋର ଏତେ ବଡ଼ ଲାଳସାର ହିମାଳୟ ଭୁଶୁଡ଼ି ପଡ଼ିବ ? ମୁଁ ଆଜି ଅପରାଜେୟ ଶକ୍ତି, ଅଦମ୍ୟ ସାହସ ନେଇ ତମ ପାଖକୁ ଧାଇଁ ଆସିଛି । ତମେ ମୋତେ ମୋ’ କାର୍ଯ୍ୟପଥରେ ପ୍ରତିବନ୍ଧକ ହୁଅନା । ବ୍ୟାଘାତ ଘଟାଅନା ।

 

ସୁବ୍ରତର ଲୋଭିଲା ଚକ୍ଷୁ ଦୀପାନ୍ୱିତାର ସମଗ୍ର ଶରୀରରେ ରେଖାପାତ କରୁଥିଲା ଏକ କ୍ଷୁଧିତ ହିଂସ୍ର ବ୍ୟାଘ୍ରର ଚାହାଣିନେଇ ।

 

ଖୁବ୍ ଭୟାର୍ତ୍ତ ଗଳାରେ ଦୀପାନ୍ୱିତା କହିଲା, ସୁବ୍ରତ ତମେ କ’ଣ ଚାହଁ ?

 

ଏକ ପାଶବିକ ଚାହାଣି ଖେଳାଇ ସୁବ୍ରତ ମତୁଆଲା ସ୍ଵରରେ ଉତ୍ତର ଦେଲା, ତମକୁ ମୁଁ ଆଜି ଉପଭୋଗ କରିବାକୁ ଚାହେଁ ନୂଆବୋଉ ! ଦୀର୍ଘ ଛଅ ମାସର ପିପାସିତ କ୍ଷୁଧାକୁ ମେଣ୍ଟାଇବାକୁ ଇଚ୍ଛା କରେ ।

 

ନୂଆବୋଉ, କିଏ ତମର ନୂଆବୋଉ ? ସେ ଶବ୍ଦଟାକୁ ତମ ସମ୍ବୋଧନ ତାଲିକାରୁ କାଟିଦିଅ । ନୂଆବୋଉ କେହି ତମର ନଥିଲା କି ନାହିଁ । ତମେ ଯଦି ପ୍ରକୃତରେ ତାକୁ ନୂଆବୋଉ ରୂପରେ ଦେଖି ଥାଆନ୍ତ, ତେବେ ତା’ ସହିତ ଅଭିସାର ରଚିବାପାଇଁ ନାରକୀୟ ରୂପ ନେଇ ଆଜି ଆଗେଇ ଆସୁ ନ ଥାନ୍ତ ନା ସୁବ୍ରତ । ତମ ନୂଆବୋଉ, ତମ ଚିନ୍ତାଠାରୁ ବହୁତ ଦୂରରେ । ତମର ପାଶବିକ ଲିପ୍ସା ସେ ମେଣ୍ଟାଇ ପାରିବନି । ତମେ ତାକୁ କ୍ଷମା ଦିଅ !

 

ସୁବ୍ରତର ଗଳା ପୁଣି ବଦଳିଗଲା । କ୍ରୋଧବ୍ୟଞ୍ଜକ ସ୍ୱରରେ ସେ କହିଲା, ନୂଆବୋଉ, ପାରିବ, ତମେ ନିଶ୍ଚୟ ପାରିବ । ତମେ ପାରିବାପାଇଁ ମୁଁ ତମପାଇଁ ଉପଯୁକ୍ତ କାଟୁ ଔଷଧ ରଖିଛି । ସେ କାଟୁ ଔଷଧରେ ମନ୍ତ୍ରମୁଗ୍ଧ ହୋଇ ତମେ ସାଜିବ ନାଗୁଣୀ ଆଉ ମୁଁ ସାଜିବି ସାପୁଆ । ତମ ବିଷଦାନ୍ତକୁ ମୁଁ ନିଶ୍ଚୟ ଝାଡ଼ିଦେଇ ପାରିବି । ତମେ ମୋ’ଠୁଁ ବଳେଇ ଯାଇ ପାରିବନି ।

 

ସୁବ୍ରତ ! ଚଢ଼ା ଗଳାରେ ଡାକି ଆହତ ଫଣିନୀଙ୍କ ପରି ଗର୍ଜି ଉଠିଲା ଦୀପାନ୍ୱିତା ।

 

ନୂଆବୋଉ, ତମ ଗର୍ଜନତର୍ଜନ ଆଜି ବିକ୍ଷୁବ୍ଧ ଝଡ଼ର ଆର୍ତ୍ତନାଦରେ ପାଣିଫୋଟକା ସମାନ କୁଆଡ଼େ ମିଳେଇଯିବ । ଅଯଥାରେ କାହିଁକି ନିଜକୁ କଷ୍ଟ ଦେଉଛ ? ନିଜକୁ ବିଦଗ୍ଧ କରାଉଛ ? ମୋ’ କଥାକୁ ସହଜରେ ଗ୍ରହଣ କରିନେଲେ ସବୁଥିରୁ ତମକୁ ଉଦ୍ଧାର ମିଳିବ । ତ୍ରାହି ମିଳିବ । ନଚେତ୍ ଏକ ପତଙ୍ଗ ସଦୃଶ ମୋ’ କାମନାର ବହ୍ନିରେ ବିଦଗ୍ଧ ହୋଇ ଜଳିପୋଡ଼ିଯିବ ତିଳତିଳ ହୋଇ । ଯେଉଁ ରାସ୍ତା ତମେ ସୁଖ ମନେ କରୁଛ, ତାକୁ ଆପଣାର କରି ଆଗେଇ ଯାଅ । ତମକୁ ବୁଝେଇବାପାଇଁ ମୋର ଅଧିକ ଶକ୍ତି ଖର୍ଚ୍ଚ କରିବା ଅନାବଶ୍ୟକ ମନେ କରୁଛି ।

 

ଅଶ୍ରୁବାରିରେ ନିଜକୁ ଓତପ୍ରୋତ ଭିଜାଇ ଦୀପାନ୍ୱିତା କହିଲା, ସୁବ୍ରତ, ତମେ ମାନବିକତାକୁ ସ୍ମରଣ କରି ଚିନ୍ତାକର, ମୁଁ ତମର ନୂଆବୋଉ । ନ୍ୟାୟତଃ ମାଆ ସମାନ ।

 

ବାରମ୍ବାର କାହିଁକି ସେଇ ଗୋଟାଏ କଥା ଉଚ୍ଚାରଣ କରୁଛ ନୂଆବୋଉ ? ମୁଁ କ’ଣ ଅସ୍ୱୀକାର କରୁଛି ତମ ସହିତ ମୋର ସମ୍ପର୍କକୁ ?

 

ସମ୍ପର୍କକୁ ଅସ୍ୱୀକାର କରୁନାହଁ ସିନା, ସମ୍ପୂର୍ଣ୍ଣ ଲକ୍ଷ୍ୟଚ୍ୟୁତ ହୋଇଯାଇଛ ସୁବ୍ରତ । କାମନାର ଲାଳସାରେ ବିବେକକୁ ସମ୍ପୂର୍ଣ୍ଣ ନଷ୍ଟବିନଷ୍ଟ କରିଦେଇଛ ।

 

ମୁଁ ତୁମର ନୀତିପୂର୍ଣ୍ଣ ବାକ୍ୟ ଶୁଣିବାକୁ ଆଜି ଆସିନି ନୂଆବୋଉ । ଅଯଥା ବିଳମ୍ବ କରନାହିଁ । ଏକ ଦିଗରେ ଶାନ୍ତିପୂର୍ଣ୍ଣ ଜୀବନ ଅନ୍ୟ ଦିଗରେ ହା-ହୁତାଶମୟ ଗ୍ଳାନିଭରା ନିନ୍ଦା ଭର୍ତ୍ସନା । କାହାକୁ ପାଥେୟ କରୁଛ, ବିବେଚନା କରି ମତେ ଶୀଘ୍ର କହ ।

 

ମୁଁ ହା-ହୁତାଶମୟ ଗ୍ଳାନିଭରା ଜୀବନ ଚାହେଁ ସୁବ୍ରତ ! କିନ୍ତୁ ଏ’ ଜୀବନ ମୁଁ ଚାହେଁନା । ସେ ଜୀବନକୁ ମୁଁ ପସନ୍ଦ କରେ । ମତେ ସେ ଜୀବନ ଭିତରେ ବଞ୍ଚିବାକୁ ଅଥବା ମରିବାକୁ ଦିଅ ।

 

ବଞ୍ଚିପାରିବ ତ ନୂଆବୋଉ ? ସେତିକି ଧୈର୍ଯ୍ୟ ଆଉ ସାହସ ସଞ୍ଚୟ କରି ରଖିଛ ତମେ, ଏ’ ସମାଜ ଆଗରେ ମୁହଁ ଦେଖାଇ ଚଳିବା ଭଳି ?

 

ଯେତେବେଳେ ସମାଜର ସମସ୍ତେ ଜାଣିବେ, ଭାଇଙ୍କ ମରଣପାଇଁ ତମେ ଦାୟୀ, ସେତେବେଳେ ସମସ୍ତ ଦୁଃଖ, ଲାଞ୍ଛନା ବରଦାସ୍ତ କରି, ଅତିକ୍ରମ କରି ଦୁନିଆ ଆଗରେ ମୁଣ୍ଡଟେକି ଚାଲିପାରିବ ତ ?

 

ଅଧିକ ଉତ୍ତେଜିତ ହୋଇଉଠିଲା ଦୀପାନ୍ୱିତା ସୁବ୍ରତ କଥାରେ । ତମ ସ୍ୱାର୍ଥକୁ ପୂର୍ଣ୍ଣ କରିପାରିଲି ନାହିଁ ବୋଲି ତମେ ମୋ’ ନାଆଁରେ କଳଙ୍କ ଲଗେଇବ ସୁବ୍ରତ ? ଭାଇଙ୍କ ମରଣପାଇଁ ମୁଁ ଦୋଷୀ, ମୁଁ ଦାୟୀ ବୋଲି ଅପପ୍ରଚାର କରିବ ବାହାରେ ? ଆଚ୍ଛା କର । ଯାହା ପାରୁଚ, ମନଇଚ୍ଛା କରିଯାଅ । ହେଲେ ମୁଁ ମୋ’ ପଥରୁ ଆଦୌ ବିଚ୍ୟୁତ ହେବି ନାହିଁ ।

 

ନୂଆବୋଉ ! ଏ’ ଅପପ୍ରଚାର କି ସତ୍ୟ, ମୁଁ ତା’ର ଉପଯୁକ୍ତ ପ୍ରମାଣ ରଖିଛି । ଦୁନିଆ ଆଗରେ ଯେତେବେଳେ ବାସ୍ତବ ସତ୍ୟ ପ୍ରକଟିତ ହେବ ସେତେବେଳେ ଦୁନିଆ ଜାଣିପାରିବ, ଏ’ ସତ୍ୟ ନା ପ୍ରହେଳିକା ! ସେତେବେଳେ ମତେ ଦୋଷୀ କରିବନି ନୂଆବୋଉ, ସେତେବେଳେ ମୋ’ ଉପରେ ଅଭିଶାପ ବର୍ଷଣ କରିବନି ।

 

ଆଦୌ ଅଭିଶାପ ଦେବି ନାହିଁ ସୁବ୍ରତ, ବିଶ୍ଵାସ ରଖ, ମୁଁ ତମର କୌଣସି ଅମଙ୍ଗଳ ଚିନ୍ତା କେବେ କରିନାହିଁ କି କରିବି ନାହିଁ । କାରଣ ମୁଁ ଜାଣେ ଏବଂ ମୋ’ ଉପରେ ମୋର ପ୍ରଗାଢ଼ ବିଶ୍ଵାସ ଅଛି ମଧ୍ୟ । ମଣିଷ ମଣିଷର କୌଣସି କ୍ଷତି କରି ପାରେନା । ସବୁ ମୁଁ ସେଇ ଭଗବାନଙ୍କ ଉପରେ ଛାଡ଼ି ଦେଇଛି ।

 

ମଣିଷ ଦୁର୍ବଳ ହେଲେ ଭଗବତ୍ ଚିନ୍ତାର ଆଶ୍ରୟ ନିଏ । ତମେ ଦୁର୍ବଳ ହୋଇପଡ଼ିବା ପରେ ସେଥିର ଆଶ୍ରୟ ନେବାକୁ ଯାଉଛ । ତେଣୁ ତାହା କୌଣସି ବିସ୍ମୟଜନକ ନୁହେଁ । ତେବେ ଯାହାହେଉ ଏ’ ରାତିଟାକୁ ରଙ୍ଗୀନ ନ କରି ମୁଁ ଛାଡ଼ିବି ନାହିଁ ।

 

ସୁବ୍ରତ ! ଏତେ ବୁଝେଇବା ପରେବି ଆହୁରି ତମର ଉତ୍କଣ୍ଠା ! ଏ’ ମାନବିକ ପ୍ରକୃତି ନୁହେଁ ନୂଆବୋଉ, ଏ ହେଲା ପାଶବିକ ପ୍ରବୃତ୍ତି । ପ୍ରତି ପୁରୁଷ ନାରୀ ନିକଟରେ, ପ୍ରତି ନାରୀ ପୁରୁଷ ନିକଟରେ ଏଥିଲାଗି ଦୁର୍ବଳ । କ୍ଷୁଧାଟାକୁ କେବେ କେଉଁ ସମୟରେ ବାରଣ କରି ଅଟକେଇବାର ଦେଖିଛ ?

 

ଓଃ, ସୁବ୍ରତ ମୁଁ ତମ ପାଦ ଧରୁଛି, ଅନୁରୋଧ କରୁଛି, ସେକଥାଗୁଡ଼ାକ ଆଉ ବାରମ୍ବାର ମୁହଁରେ ଉଚ୍ଚାରଣ କର ନାହିଁ । ପ୍ଲିଜ୍ ସୁବ୍ରତ, ପ୍ଲିଜ୍ !

 

ନୂଆବୋଉ, ମତେ ବାରଣ କରି ମୋ’ ପାଟିକୁ ବନ୍ଦ କରି ଦେବ; ହେଲେ ସମାଜର ପାଟିକୁ ବନ୍ଦ କରି ରଖିପାରିବ ତ ? ଯେତେବେଳେ ସମାଜ ତମର ଅତୀତ ପ୍ରଣୟର ଗୋପନୀୟ ବିବୃତି ପାଠ କରି ଜାଣିବ ତମେ ଜଣେ ଅସତ୍‌ଚରିତ୍ରା, ବିପଥଗାମିନୀ ନାରୀ, ଯାହାଲାଗି ଦୁଇ ଦୁଇଟା ଜୀବନ ଅକାରଣରେ ନଷ୍ଟ ହୋଇ ଯାଇଛି, ଦୁଇ ଦୁଇଟା ଅମୂଲ୍ୟ ପ୍ରାଣ ଅକାଳରେ ଧ୍ଵଂସାଭିମୁଖୀ ହୋଇଛି, ସେ ସମୟପାଇଁ ଧୈର୍ଯ୍ୟ ସଞ୍ଚୟ କରି ସେ ମୁହୂର୍ତ୍ତ ଆକ୍ରମଣର ସମ୍ମୁଖୀନ ପାଇଁ ପ୍ରସ୍ତୁତ ରହିବ ତ ? ରହି ପାରିବ ତ ?

 

ବାହାର ଝରକା ବାଟେ ଦଲକାଏ ଥଣ୍ଡା ପବନ ପଶି ଆସି ଘରଟାକୁ ଶୀତଳ କରି ପକାଇଲା । ଆଉ ସେ ଥଣ୍ଡା ପବନର ପ୍ରକୋପରେ ଦୀପାନ୍ୱିତା ଜଡ଼ ପାଲଟିଯିବା ପରି ଅନୁଭବ କରୁଥିଲା । ସେ କ’ଣ ସତରେ ନିର୍ବାକ୍‍ ପାଲଟି ଯାଇଛି ? ତା’ ମୁହଁରେ କୌଣସି ଭାଷା ଆଉ ସ୍ଫୁରୁ ନାହିଁ ଯେ !

 

ହଠାତ୍ କାହିଁକି ବାଗ୍‌ଯୁଦ୍ଧ ତମର ବନ୍ଦ ହୋଇଗଲା ନୂଆବୋଉ ? କାହିଁକି ଚୁପ୍ ହୋଇଗଲ ? ଆଉ କିଛି କହ ।

 

ସୁବ୍ରତ ପୁଣି ଆରମ୍ଭ କଲା, ତମେ ଆଶ୍ଚର୍ଯ୍ୟ ହେଉଥିବ ନୂଆବୋଉ, ମୁଁ ତମ ସମ୍ପର୍କରେ କେମିତି ଏତେ କଥା ଜାଣିଲି । ଭାଇ ସେଦିନ କ୍ରୋଧଜର୍ଜର ହୋଇ ଚାଲି ଯାଉଥିବାବେଳେ ମଦ ନିଶାରେ ବିହ୍ୱଳ ହୋଇ ଚିଠିଟାକୁ ତମର ଏଇ ଦରଜା ନିକଟରେ ପକାଇ ଦେଇ ଯାଇଥିଲେ । ମୁଁ ତାକୁ ଅତି ଯତ୍ନର ସହିତ ମୋ ପାଖରେ ରଖିଛି । ସେ ଚିଠିଟା ତମ ଦୁର୍ବଳତାକୁ ପ୍ରକାଶ କରିବାପାଇଁ ମତେ ବଡ଼ ସାହାଯ୍ୟ କରିବ । ବୁଝିଲ ?

 

ଦୀପାନ୍ୱିତା ଆଉ କିଛି କହି ପାରୁନି । କାନ୍ଦିବାକୁ ଇଚ୍ଛା ଥିଲେବି କାନ୍ଦି ହଉନି । କାନ୍ଦି ପାରୁନି ସେ ।

 

ଝଡ଼ଟା ଗୁମୁରି ଉଠୁଛି ବେଳକୁ ବେଳ ପ୍ରବଳ ଭାବରେ । ଗୋଟାଏ ବିଜୁଳି ସହିତ ଚଡ଼ଚଡ଼ି ଝଡ଼କୁ ଆହୁରି ଭୟଙ୍କର କରି ତୋଳି ଧରିଲା ।

 

ବିଜୁଳି ଆଲୁଅ ନିଭିଯାଇଛି । ଦମକାଏ ଥଣ୍ଡା ପବନ ସହିତ ଆଉ ଗୋଟାଏ ବିଜୁଳି ପଶି ଆସୁଛି ଘର ଭିତରକୁ ଝଡ଼ ବେଗରେ ।

 

ଦୀପାନ୍ୱିତା ତା’ ଦେହର ସମସ୍ତ ଶକ୍ତି, ମନର ଅମାପ ବଳ ସେଇ ମହାନ୍ଧକାରର ଶୂନ୍ୟତା, ନିର୍ଜନତା ମଧ୍ୟରେ ହରାଇ ବସିଛି ସବୁ ଦିନପାଇଁ ।

 

ସମ୍ପୂର୍ଣ୍ଣ ଉଲଗ୍ନ ଭାବରେ ପଡ଼ିଛି ଦୀପାନ୍ୱିତା । ସୁବ୍ରତଙ୍କର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଯେପରି ଅଧିକ ସଜୀବ, ସଚଞ୍ଚଳ; କର୍ମଠ ହୋଇ ଉଠିଛନ୍ତି ଆଜି ଏଇ ମୁହୂର୍ତ୍ତରେ । ବିଶେଷ କରି ହାତ ଦୁଇଟା ଏକ ଗତିମୁଖର ସାପ ସଦୃଶ ଦେହର ମାଂସଳ ଜାଗାମାନଙ୍କରେ ଘୂରି ବୁଲୁଛି !

 

ଦୀପାନ୍ୱିତା ବସ୍ତୁବାଦୀ ପଦାର୍ଥ ଭଳି ନିର୍ଜୀବ ଆଉ ନିର୍ବିକାର । ଦଲକା ଦଲକା ପବନ ସାଥିକୁ ମଝିରେ ମଝିରେ ଝଲକାଏ ଝଲକାଏ ବିଜୁଳି ଭିଡ଼ ବାନ୍ଧି ଦେଉଛି । ଝଡ଼ ସାଥିରେ ସମତାଳ ରଖି ସୁବ୍ରତଙ୍କ ନିଃଶ୍ଵାସ, ପ୍ରଶ୍ଵାସର ବେଗ ଆହୁରି ଖର ମାତ୍ରାରେ ବଢ଼ି ଉଠୁଛି !

 

ଅଦିନିଆ ଝଡ଼ ବର୍ଷାଟା ଗର୍ଜି ଉଠୁଛି କାହା ପ୍ରତି ମାୟା, ମମତା ନ ରଖି–ଠିକ୍ ସୁବ୍ରତଙ୍କ ପାଶବିକ ପ୍ରବୃତ୍ତି ଓ ଲାଳସା ଭଳି ।

 

ଆଖିରେ ସମୁଦ୍ରେ ମାୟା, ଓଠରେ ଆକାଶେ ହସ, ମୁଖରେ ଅଜସ୍ର ପ୍ରୀତ ନେଇ ଯୋଉ ମଣିଷଟି ତାଙ୍କ ସାମ୍ନାରେ ଠିଆ ରହି ଦିନରାତି ବୁହାଉଥିଲା ଅଯାଚିତ ଭାବରେ ସ୍ନେହ, ମମତା, ଶ୍ରଦ୍ଧା, କରୁଣାର ଉତ୍ସ; ସେ କ’ଣ କାହାର ପ୍ରତିବନ୍ଧକରେ ଚିରକାଳ ଲାଗି ସିକତିଳ ଶଯ୍ୟାରେ ଆତ୍ମହତ୍ୟା କଲା ? ପ୍ରାଣ ବିସର୍ଜନ କଲା ତା’ର ଅନନ୍ତ ପ୍ରବାହର ସ୍ରୋତ ସୀମାହୀନ ଯୁଗଯୁଗ ପାଇଁ ?

 

ଦୀପାନ୍ୱିତା ଦୁର୍ଭାବନାର ପୁଷ୍କରିଣୀ ଭିତରେ ପହଁରି ପହଁରି ଚାଲିଥିଲା ।

 

ଏ’ ମଧ୍ୟରେ ଦୁଇ ଦିନ ବିତି ଯାଇଥିଲେବି ଭୁଲି ପାରି ନଥିଲା ସେ ତା’ ଜୀବନର ଏଇ ଆକସ୍ମିକ ଦୁର୍ଘଟଣାକୁ । ସୁବ୍ରତବି ତା’ ସାମନାମାଡ଼ି ନଥିଲେ ସେଇ କାଳରାତ୍ରିର ଶେଷଠାରୁ । ଦୀପାନ୍ୱିତା ଜୀବନର ଝଡ଼ କମିବା ସଙ୍ଗେ ସଙ୍ଗେ ପ୍ରକୃତିର ଝଡ଼ବି କମି ଆସିଛି । ପାଗଟା ପୂରାପୂରି ଶୁଖିଲା ହୋଇ ନଥିଲେହେଁ ଆର୍ଦ୍ରତା ଅନେକ ପରିମାଣରେ କଟିଯାଇଛି ।

 

ଦୀପାନ୍ୱିତା ଭାବୁଛି, ଝଡ଼ର ଆକ୍ରମଣରେ ପ୍ରକୃତି ଯେମିତି ଖିନ୍‌ଭିନ୍ ହୋଇଗଲା, ତା’ ଜୀବନ ଝଡ଼ର ଆକ୍ରମଣରେ ପ୍ରାଣଟା ସେମିତି ବିପର୍ଯ୍ୟସ୍ତ ହୋଇ ଯାଇଛି । ହୃଦୟ-ବୀଣାର ପ୍ରତି ସୂକ୍ଷ୍ମ ତାରଗୁଡ଼ିକ କେଉଁ ବିଷାକ୍ତ ହାତର ସ୍ପର୍ଶରେ ଛିନ୍ନ ବିଚ୍ଛିନ୍ନ ଆଉ ଇତଃସ୍ତତଃ ହୋଇ ଛିଣ୍ଡି ପଡ଼ିଛି-। ମନର ସବୁ ଆବେଗ, ପ୍ରାଣର ସବୁ ଆକୁଳତା ଆକସ୍ମିକ ଝଡ଼ର ଇସ୍ତାହାରଫଳରେ ଶିଥିଳତା ଲାଭ କରିଛି । ଆଉ ସେ ଆଶ୍ଳେଷ ନାହିଁ, ଆନନ୍ଦ ନାହିଁ । ସବୁ ମରି ହଜି ଯାଇଛି ବିତୃଷ୍ଣାର ସାହାରା ମରୁରେ । ସେ ଆବେଗ, ସେ ଆନନ୍ଦ ହୁଏତ ଆଉ ଜନ୍ମନେବ ନାହିଁ । ସାହାରାର ରୁକ୍ଷ, ଉଷର ମରୁ ବକ୍ଷ ପରି ସବୁଦିନ ସେ ରସହୀନ, ସ୍ଵାଦହୀନ, କୋମଳତାହୀନ ହୋଇପଡ଼ିବ-!

 

ଦୀପାନ୍ୱିତା ଦୃଷ୍ଟି ଲମ୍ବାଇଲା ସତ୍ୟବ୍ରତଙ୍କ ଫଟୋ ଆଡ଼କୁ । ଭାରି ଗମ୍ଭୀର ଆଉ ଉଦାସ ଦିଶୁଚନ୍ତି ସତ୍ୟବ୍ରତ । ଫୁଲ, ଚନ୍ଦନ, ସିନ୍ଦୂରରେ ଛାଇ ଯାଇଛି ସାରା କାଚଟା । ସେ ଫଟୋକୁ ଲାଗି ଆଉ ଗୋଟାଏ ଗ୍ରୁପ୍ ଫଟୋ–ସତ୍ୟବ୍ରତ ଆଉ ସୁବ୍ରତଙ୍କ ଝୁଲା ହୋଇଛି । ଦି’ ଭାଇଯାକ ଏକାଠି ମିଶି ଫଟୋ ନେଇଥିଲେ କେବେ ! ଫଟୋରେ କେଡ଼େ ଶାନ୍ତ ଆଉ ସୁନ୍ଦର ମନେ ହେଉଛନ୍ତି ଦିହେଁ-!

 

ଯେମିତି ସତରେ ସେଇ ପୁରାଣ ଯୁଗର ରାମ ଆଉ ଲକ୍ଷ୍ମଣ ପୁଣି କଳିଯୁଗରେ ହାତ ଧରାଧରି ହୋଇ ଫେରି ଆସିଛନ୍ତି !

 

ସୀମନ୍ତରେ ସିନ୍ଦୂର, ଆଖିରେ କଜଳ ନାଇ ଯେଉଁଦିନ ଦୀପାନ୍ୱିତା ଏଘରକୁ ପ୍ରଥମ କରି ଆସିଥିଲା, ଏ’ ଫଟୋ ଦେଖି ତା’ର ଆତ୍ମତୃପ୍ତି ଆସିଥିଲା ଯେ ବିକାଶକୁ ପ୍ରତ୍ୟାଖ୍ୟାନ ପରେ ଯେଉଁ ଦୁଃଖଦ ଯନ୍ତ୍ରଣା ଅନୁଭବ କରିଛି, ତାହା ଆସ୍ତେ ଆସ୍ତେ ଲାଘବ ହୋଇଯାଇଛି, ତା’ର ସ୍ୱାମୀ ସତ୍ୟବ୍ରତଙ୍କ ଆଶୀର୍ବାଦ ଆଉ ଦିଅର ସୁବ୍ରତଙ୍କ ଶ୍ରଦ୍ଧା, ସ୍ନେହ, ଅଯାଚିତ ଅନୁରାଗ ମାଧ୍ୟମରେ । କେତେ ମାୟା କେତେ ମମତା ଜମେଇଁ ସେ ସେଦିନ କାରୁଣ୍ୟ ଓ ଆନନ୍ଦରେ କେତେଟୋପା ଲୁହ ଆଉ ହସ ଢାଳି ନଥିଲା । ସେ ହସ, ଲୁହ, ତା’ ମନର ମାଟି ଉପରେ ଭିଜି ଓଦା ହୋଇ ଯାଇଥିଲା-। ମାଟି ଯେମିତି ପାଣି ପାଇଲେ ଅଶେଷ ଆନନ୍ଦ ପାଏ, ସେ ସେମିତି ଗଭୀର ଆନନ୍ଦ ପାଇଥିଲା ତା’ ହସ ଓ ଲୁହରେ ପାଣିରେ ।

 

ସୀମନ୍ତର ସିନ୍ଦୂର, ଆଖିର କଜଳ ଯେଉଁ ଦିନ ମଥାର ସ୍ୱେଦବିନ୍ଦୁ ଓ ଆଖିର ଶ୍ରାବଣୀ ବନ୍ୟା ସୁଅରେ ଭାସିଗଲା, ସେଦିନ ଦୀପାନ୍ୱିତା ମନେ କରିଥିଲା, ସତ୍ୟବ୍ରତ ତାକୁ ଛାଡ଼ି ଦେଇ ଗଲେ ମଧ୍ୟ ସତ୍ୟବ୍ରତଙ୍କୁ ତ ସେ ଛାଡ଼ିପାରିନି । ସତ୍ୟବ୍ରତ ସିନା ରଜକର ଅମୀମାଂସିତ କଳିଗୋଳରେ ଭୁଲିଗଲେ, ସେଇ ବୈଦିକ ମନ୍ତ୍ର ଦଶଦୋଷ କ୍ଷମା ଆଉ ଅନୁରାଗର କାହାଣୀ । ଦୀପାନ୍ୱିତାକୁ ଆପଣାର ହୃଦୟ ଭିତରେ ସ୍ଥାନ ଦେଲେ ନାହିଁ । କିନ୍ତୁ ଦୀପାନ୍ୱିତା ତ ମନେରଖିଛି ସେଇ ମନ୍ତ୍ରକୁ । ସେଇ ମନ୍ତ୍ରକୁ ଅନୁସରଣ କରି ଦୀପାନ୍ୱିତା ରାସ୍ତା ଅତିକ୍ରମ କରିବ । ସେ କାହିଁକି ଆଉ କେମିତି ଭୁଲିଯିବ ସତ୍ୟବ୍ରତଙ୍କୁ ? ସେ ମନେରଖିବହିଁ ରଖିବ । ସେ ଏଠୁ ଚାଲିଯିବା ପରେ ପରେ ସତ୍ୟବ୍ରତଙ୍କ ଏଇ ଫଟୋକୁ ତା’ ସଙ୍ଗରେ ନେଇଯିବ । ସତ୍ୟବ୍ରତଙ୍କ ପରିବାରର କୁଳବଧୂ ହୋଇ ଥାଆନ୍ତା ଦୀପାନ୍ୱିତା । ଗୃହକର୍ତ୍ତ୍ରୀ ଭାବରେ ତା’ର ସମସ୍ତ କର୍ତ୍ତୃତ୍ୱ ଜମେଇଁଥାନ୍ତା । କିନ୍ତୁ ପାରିଲାନି ତା’ ଭାଗ୍ୟର ବିପର୍ଯ୍ୟୟରେ, ସ୍ରଷ୍ଟାର ବିଡ଼ମ୍ବନାରେ । ଏ ଘରର କେଉଁ ପଦାର୍ଥ ଉପରେ ତା’ର ଅଧିକାର ନଥିଲେ ମଧ୍ୟ ସତ୍ୟବ୍ରତଙ୍କ ଉପରେ ଜୋର୍‍ ଜବରଦସ୍ତି ଅଧିକାର କମେଇ ଥାଆନ୍ତା ।

 

ସେଇ ଅନୁଯାୟୀ ସତ୍ୟବ୍ରତଙ୍କ ଦେହାନ୍ତ ପରେ କେଉଁ ପଦାର୍ଥ ଉପରେ ତା’ର ଅଧିକାର ନଥିଲେବି ସତ୍ୟବ୍ରତଙ୍କ ଫଟୋ ଉପରେ ତା’ର ପୂର୍ଣ୍ଣ ଅଧିକାର ଅଛି । ସେ ସେଇଟିକୁ ତା’ ସଙ୍ଗରେ ନେଇ ଚାଲିଯିବ । ସେଠି ତା’ ଅନ୍ତରର ପୁଷ୍ପମାଲ୍ୟ, ଚନ୍ଦନ, ସିନ୍ଦୂର ସୁଶୋଭିତ କରି ଭକ୍ତିର ନୈବେଦ୍ୟ ଅର୍ପଣ କରିବ ଏବଂ ଏକାନ୍ତ ଆନୁଗତ୍ୟର ସହିତ କହିବ, ହେ ମୋର ଜନ୍ମଜନ୍ମର ପ୍ରାଣର ସାଥୀ ! ମୋ’ ଦଶଦୋଷ କ୍ଷମା କରିବ ବୋଲି ବିବାହ ବେଦିରେ ମନ୍ତ୍ର ଉଚ୍ଚାରଣ କରି କେମିତି ମୋ’ ଉପରେ ଅଭିମାନ କରି ଚାଲିଗଲ ? କେମିତି ଗୋଟାଏ ଦୋଷକୁବି ସହ୍ୟ କରିପାରିଲ ନାହିଁ । କ୍ଷମା ଦେଇପାରିଲ ନାହିଁ ! ତଥାପି ମୁଁ ତମ ପ୍ରତୀକ୍ଷାରେ ଅଛି । ଜନ୍ମ ଜନ୍ମ ତମରି ପ୍ରତୀକ୍ଷାରେ ଥିବି ବୋଲି ଶପଥ କରୁଛି । ହେଲେ ସେ ଶପଥ ଶପଥରେ ରହିଗଲା ତା’ର । ସମସ୍ତ ଆନୁଗତ୍ୟ ଉତ୍କଣ୍ଠା କେଉଁ ସୀମାହୀନ ମହାସ୍ରୋତ ମଧ୍ୟରେ ବୁଡ଼ିଯାଇ ସତ୍ତା ହରାଇଲା !

 

କଲ୍ଲୋଳର ଉଚ୍ଛ୍ୱସିତ ହସ ପରି ସେଇ ହସଟିକୁ ସତ୍ୟବ୍ରତଙ୍କ ମୁହଁରୁ ଉଠାଇ ନେଇ ଭରିଥିଲେ ସୁବ୍ରତଙ୍କ ମୁହଁରେ । ସୁବ୍ରତଙ୍କ ବାଲ୍ୟଚପଳ ଭାଷାକୁ ସେ ରୂପ ଦେବାକୁ ଆରମ୍ଭ କରିଥିଲା ତା’ର ଜୀବନ କାବ୍ୟରେ । ହେଲେ କ’ଣ ହେଲା ? ସୁବ୍ରତଙ୍କ ଆଖିର ସାମୁଦ୍ରିକ ମାୟା, ଓଠର ଆକାଶୀ ହସ ଯେମିତି ତା’ର ରୂପ ପରିବର୍ତ୍ତନ କରି ଦେଖା ଦେଇଥିଲା ଉଦ୍ଦାମ କାଳ ବୈଶାଖୀ ଝଡ଼ରେ ସେଇ ସାଗରର ଉଚ୍ଛ୍ୱସିତ ଉଦ୍ଧତ ତରଙ୍ଗ ରୂପରେ ।

 

Unknown

ଆଶ୍ଚର୍ଯ୍ୟ ଆଉ ହତବାକ୍ ହେଲା ଦୀପାନ୍ୱିତା । ଏ’ ସଂସାରର ଆଭିମୁଖ୍ୟ କ’ଣ ଏକ ? ସମସ୍ତଙ୍କ ଚିନ୍ତାଧାରା କ’ଣ ସେଇ ଗୋଟିଏ ଗୋଟିଏ ହୋଇ ଅନନ୍ତ ସାଗରର ସ୍ରୋତ ଭିତରେ ବହି ଯାଉଛି ଯାହାର ନାଆଁ କି ଦେହଜ ଲାଳସା ?

 

ଦୀପାନ୍ୱିତା ବୁଝି ପାରୁନାହିଁ । ବହୁ ଚେଷ୍ଟା କରିବି ବୁଝି ପାରୁନି । ଏଇ ପ୍ରଶ୍ନ ସେ ଅନେକ ଦିନ ତଳେ ନିଜକୁ ଏମିତି ପଚାରିଥିଲା । ସେଦିନବି ଅସମାଧାନ ରହି ଯାଇଥିଲା ଏଇ ପ୍ରଶ୍ନର ଉତ୍ତର । ଆଜିବି ସେଇ ପ୍ରଶ୍ନ ଉତ୍‌ଥିତ ଆଉ ଜାଗ୍ରତ ହେଉଛି ତା’ ମନ ଭିତରେ, ପୁଣି ସ୍ଵର ତୋଳୁଛି ତୁହାଇ ତୁହାଇ ସମାଧାନ ପାଇଁ । ହେଲେ ଦୀପାନ୍ୱିତା ସମାଧାନ କରିପାରିନି !

 

କରିପାରିବ କି ନାହିଁ ବୁଝି ପାରୁନି ।

 

ଛାତ୍ରୀ ଆଉ ଅଧ୍ୟାପିକା ଜୀବନକଥା ସାମାନ୍ୟ ସ୍ମରଣ କଲା ଦୀପାନ୍ୱିତା । ସ୍ମୃତିବହୁଳ ଆଉ ଆନନ୍ଦ-ମୁଖର ଥିଲା ସେ ଜୀବନ, ଛାତ୍ରୀ ଜୀବନରେ ଦୀପାନ୍ୱିତା ଉତ୍ତମ ଅଧ୍ୟୟନ କରୁଥିଲା ।

 

ମେଧାବିନୀ କୃତୀ ଛାତ୍ରୀ ଭାବରେ ସେ ସ୍କୁଲ୍, କଲେଜରେ ଉଚ୍ଛ୍ୱସିତ ଭାବରେ ପ୍ରଶଂସିତ ହୋଇଥିଲା । ବୟସର ପରିପକ୍ୱତା ପରେ ଯଦିଓ ଚିନ୍ତାର ଗତିରେଖା ତା’ର ବଦଳିଗଲା ଓ ସେ ହୋଇଥିଲା ଦର୍ଶନ ଅଧ୍ୟୟନର ଛାତ୍ରୀ, ତେବେ ପ୍ରଥମ ଜୀବନରେ ତା’ର ସବୁଠାରୁ ମନଲାଖି ବିଷୟବସ୍ତୁ ଥିଲା ଗଣିତ ଶାସ୍ତ୍ର । ଆଉ ଏମିତି ସେମିତି ନୁହେଁ, ସେ ଗଣିତ ଶାସ୍ତ୍ରରେ ଗଭୀର ପାରଦର୍ଶିନୀ ଥିଲା । ଏମିତି କି ସମୟ ସମୟରେ ଶିକ୍ଷକ ଓ ଅଧ୍ୟାପକମାନେ ତା’ ସହିତ ଆଲୋଚନା କରି ଅନେକ ଜଟିଳ ଗଣିତର ସମାଧାନ କରୁଥିଲେ । ସେଇ ଗଣିତ-ଶାସ୍ତ୍ରପାରଦର୍ଶିନୀ ଦୀପାନ୍ୱିତା ତା’ ଅଧ୍ୟୟନ କାଳ ମଧ୍ୟରେ ବହୁ ଜଟିଳ ଗଣିତ ତୁଣ୍ଡେ ତୁଣ୍ଡେ ସମାଧାନ କରି ପକାଇଛି, ମାତ୍ର ସାମାନ୍ୟ ଏଇ କାମନା ଗଣିତର ସମାଧାନ ଏତେ ବର୍ଷ କଷି କଷିବି ସମାଧାନ କରିପାରିଲା ନାହିଁ ସେ । ଆଶ୍ଚର୍ଯ୍ୟ ଲାଗେ ତାକୁ ।

 

ଲମ୍ବାଇ ଥିବା ଦୃଷ୍ଟିରେଖାକୁ ଛୋଟେଇ ଆଣିଲା ଦୀପାନ୍ୱିତା । ସତ୍ୟବ୍ରତ, ସୁବ୍ରତ ଏମାନେ ତା’ର କେହି ନୁହନ୍ତି । କିଛି ନୁହନ୍ତି । ଏମାନଙ୍କ ଉପରୁ ସବୁ ମାୟା, ସବୁ ମମତା ଛଡ଼େଇ ଆଣିବା ଉଚିତ । କାହିଁକି ବୈରାଗ୍ୟର ଆବଡ଼ାଖାବଡ଼ା ଅସମତଳ ରାସ୍ତାକୁ ଅନୁରାଗର ମାଟି ପକାଇ ସେ ସମତଳ କରିବାକୁ ଚାହିଁଛି ? ସାଧନା ଥିଲେ ସିଦ୍ଧି ଥାଏ । କେଉଁ ମହାପୁରୁଷଙ୍କର ଏଇ କାମନାଶୂନ୍ୟ ମହତ୍ ବାଣୀକୁ ମନତଳେ ସ୍ଥାନ ଦେଇ ଚିନ୍ତା କରୁଛି ଯେ ତା’ ସାଧନାବି ସଫଳ ହେବ !

 

ସବୁ ଯାତ୍ରୀ ଦେହାନ୍ତ ପରେ ଯେମିତି ସ୍ୱର୍ଗକୁ ଯାଆନ୍ତି ନାହିଁ ସେମିତି ସବୁ କାମନା ଫଳପ୍ରାପ୍ତ ହୁଏନା । ସବୁ ସାଧନାର ସିଦ୍ଧି ମିଳେନା । ସବୁ ସାଧନାର ଯଦି ସିଦ୍ଧି ଥାଆନ୍ତା, ବିକାଶ ଭଳି ଜଣେ ସରଳମନା ମହତ୍‌ ବ୍ୟକ୍ତିକୁ ହରାଇ ବସିଥାନ୍ତା କାହିଁକି ? ବିକାଶକୁ ପାଇବାପାଇଁ ସେ କ’ଣ ସତରେ ସାଧନା କରି ନଥିଲା ? ଆହୁରି ଅଧିକ କିଛି କରିବାକୁ ପଡ଼ିଥାନ୍ତା ତାକୁ ?

 

ହଁ, ବିକାଶପାଇଁ ଆହୁରି ଅଧିକ କିଛି କରିବାକୁ ପଡ଼ିଥାନ୍ତା ତାକୁ ।

 

ବିକାଶପାଇଁ ତାକୁ ଆତ୍ମୋତ୍ସର୍ଗ କରିବାକୁ ପଡ଼ିଥାନ୍ତା ! ଯାହାକି ସେ ପାରିଲାନି । ସାଧନାକୁ ପୂର୍ଣ୍ଣ କରିପାରିଲାନି । ମଝି ବାଟରେ ଛାଡ଼ିଦେଇ ଚାଲି ଆସିଲା । ବିନା ଆତ୍ମଦାନରେ ସାଧନା କ’ଣ ସଫଳ ହୁଏ ? ପୂର୍ଣ୍ଣ ହୁଏ ?

 

ଏହା ସମ୍ପୂର୍ଣ୍ଣ ଦର୍ଶନତତ୍ତ୍ୱ ହୋଇଥିଲେବି ଦର୍ଶନ ଅଧ୍ୟାପିକା ଦୀପାନ୍ୱିତା ଏ କଥା କ’ଣ ବୁଝିପାରିଲାନି ? ଅନୁଭବ କରିପାରିଲାନି ?

 

ବୋଧହୁଏ ପାରିଲାନି । ନଚେତ୍ କାହିଁକି ବିଶ୍ଳେଷଣ କରିପାରନ୍ତା ନାହିଁ ? ଗୋଟାଏ ପ୍ରଶ୍ନକୁ ବାରମ୍ବାର ନିଜ ଭିତରେ ଓଲଟପାଲଟ କରୁଥାଆନ୍ତା ?

 

ସବୁ ପ୍ରଶ୍ନର ସମାଧାନ ସମସ୍ତେ କରିପାରନ୍ତି ନାହିଁ । ସବୁ କଥାର ସମାଧାନ ଯଦି ସମସ୍ତେ କରିପାରୁ ଥାଆନ୍ତେ, ତେବେ ଜୀବନ-ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ କାହାରିକୁ କଷ୍ଟ ପଡ଼ନ୍ତା ନାହିଁ । ସାଧନା, ଶ୍ରମ, ସିଦ୍ଧି ଆଉ ଫଳ ବୋଲି କିଛି ନ ଥାନ୍ତା ! ଯେଉଁଥିପାଇଁବି ଏ’ ପାର୍ଥିବ ମଣିଷକୁ ଆଜି ଏତେ ସହିବାକୁ ପଡ଼ୁଛି !

 

ଦୀପାନ୍ୱିତାର ଚିନ୍ତାରେ ଭଟ୍ଟା ପଡ଼ିଲା । ରମାଦେବୀ ପଶି ଆସୁଛନ୍ତି ଘର ଭିତରକୁ ।

 

ମୁଣ୍ଡକୁ ଓଢ଼ଣା ଟେକିଲା ଦୀପା । ଯେତେହେଲେ ଶାଶୁଘରର ବୋହୂ ସିଏ । ତାକୁ ମର୍ଯ୍ୟାଦା ରଖି ଚଳିବାକୁ ପଡ଼ିବ । ସେ ମର୍ଯ୍ୟାଦା କେବଳ ଏକା ତା’ର ନୁହେଁ, ତା’ କୁଳର । ତା’ ବଂଶର । ଭା’ ପିତୃ ଆଭିଜାତ୍ୟର । ସେ ଆଭିଜାତ୍ୟକୁ ଅକ୍ଷୁଣ୍ଣ ରଖିବା ତା’ର ଯେମିତି କର୍ତ୍ତବ୍ୟ ଆଉ ଧର୍ମ ! ସେ କର୍ତ୍ତବ୍ୟ, ଧର୍ମ ଭିତରେ ତା’ ପିତୃପୁରୁଷଙ୍କ ଗୁଣଗାରିମାର ଉଜ୍ଜ୍ୱଳବର୍ତ୍ତିକା ଶିଖା ତୋଳି ଜଳି ଉଠିବ ! ସେ ଜଳିବା ଭିତରେ କି ମାନମହତ ନାହିଁ ଦୀପାର !

 

ପଲଙ୍କ ଉପରୁ ଉଠି ଠିଆହେଲା ସେ । ରମାଦେବୀ ମାତୃସୁଲଭ ସ୍ୱରରେ କହି ଉଠିଲେ, ଆରେ ବୋହୂ । ଠିଆ ହେଲ କାହିଁକି ? ବସ । ମୁଁ ତମକୁ ଗୋଟାଏ ଖବର ଦେବାକୁ ଆସିଲି କେବଳ ।

 

ଦୀପାନ୍ୱିତା ପ୍ରଶ୍ନିଳ ଦୃଷ୍ଟିରେ ଚାହିଁଲା ରମାଦେବୀଙ୍କ ମୁହଁକୁ । ତମ ଭାଇ ଆସିଛନ୍ତି ତମକୁ ନେବାପାଇଁ । ତମେ ଯିବ ତ ?

 

ଦୀପାନ୍ୱିତା ମୁଣ୍ଡ ହଲାଇ ହଁ ଭରିଲା ।

 

ବେଶ୍ ଭଲ । ତମ ମନ ପରିବର୍ତ୍ତନ ପାଇଁ ଯାଇ ବାପାଙ୍କୁ ଟିକିଏ ଦେଖିଆସ । ଶୁଣିଲି, ସମୁଦିଙ୍କ ଦେହ କୁଆଡ଼େ ଭୀଷଣ ଖରାପ ଅଛି । ମୁଁ ବି ବିଚାରୁଛି, ଏଇ କେତେ ଦିନ ଭିତରେ ଯାଇ ତାଙ୍କୁ ଟିକିଏ ଦେଖି ଆସିବି ବୋଲି । ଦେଖୁଛ ତ ବୋହୂ । ସତ୍ୟବ୍ରତ ଯିବାଦିନୁ ମୋ’ ଦୁଶ୍ଚିନ୍ତାର ଭାର ତଥା କର୍ମଜଞ୍ଜାଳ ବୋଝ କେମିତି ଗୁରୁତର ଭାବରେ ବଢ଼ିଯାଇଛି । ମୁଁ ଏକା ପାରୁନାହିଁ ବୋଲି ସୁବ୍ରତର ପଢ଼ାପଢ଼ି ବନ୍ଦ କଲି । ସେ ଏ ଭିତରେ ବୁର୍ଲା ଯାଇ ତା’ ପାଠପଢ଼ାରେ ଡୋର ବାନ୍ଧି ଜିନିଷପତ୍ରତକ ଧରି ଚାଲିଆସିବ । ତା’ପର ମତେ ଯଦି ସୁବିଧା ହୁଏ, ମଝିରେ ଟିକିଏ ଯାଇ ଦେଖିଆସିବି ସମୁଦିଙ୍କି । ସବୁ କଥା ବୁଝାଇ କହିବ ବୋହୂ । ସେ ଯେମିତି ମନଦୁଃଖ କରିବେ ନାହିଁ-

 

ବଡ଼ ବ୍ୟଥିତ ଗଳାରେ ଆହତ ହେଲାପରି କହିଲେ ରମାଦେବୀ । ରମାଦେବୀଙ୍କ କଥା ଶୁଣି କିଛି କହିଲା ନାହିଁ ଦୀପାନ୍ୱିତା । ବାପାଙ୍କୁ ଜଣେଇ ଦେବାର ସମ୍ମତି ଦେଲା କେବଳ । କ’ଣ ବା କହନ୍ତା ସେ ରମାଦେବୀଙ୍କୁ ? କ’ଣ ବା କହିବାର ଅଛି ତା’ର ।

 

ପୁଣି ରମାଦେବୀ କହିଲେ, ବୋହୂ ତମେ ଥାଅ । ତମ ଭାଇଙ୍କୁ ମୁଁ ପଠାଇ ଦେଉଛି । ମୁଁ ତଳେ ଅଛି । ଦରକାର ପଡ଼ିଲେ ମତେ ଡକାଇବ ।

 

ଦୀପାନ୍ୱିତା ନୀରବ ସ୍ୱୀକୃତି ଜଣେଇଲା ।

 

ଫେରି ଯାଉ ଯାଉ ପୁଣି ଅଟକି ଗଲେ ରମାଦେବୀ । କହିଲେ ବୋହୂ, ତମକୁ ଗୋଟାଏ କଥା କହିବି ବୋଲି ଅନେକ ଦିନୁଁ ବିଚାରିଲିଣି, ହେଲେ କାଳେ ତମେ କ’ଣ ମନେକରିବ, ସେଇଥିପାଇଁ ଟିକିଏ ଦୋଦୋପାଞ୍ଚ ହେଉଛି ।

 

ଦୀପାନ୍ୱିତା ଅପ୍ରତିଭ ହେଲା । ଶାଶୁ ପୁଣି ଦୋଦୋପାଞ୍ଚ ହେଉଛନ୍ତି, ଅନୁମତି ଚାହୁଁଛନ୍ତି ବୋହୂକୁ କ’ଣ କହିବାପାଇଁ ! କ’ଣ କହିବେ ସେ ? ସୁବ୍ରତ କ’ଣ ସବୁ କହିଦେଇଛନ୍ତି ବୋଉଙ୍କ ଆଗରେ ? ସେଇ ପ୍ରଶ୍ନକୁ ପୁନରାବୃତ୍ତି କରିବାକୁ ଚାହୁଁଛନ୍ତି ରମାଦେବୀ । ହଉ ପଚାରନ୍ତୁ । ଉପଯୁକ୍ତ ପ୍ରଶ୍ନର ପ୍ରଯୁଜ୍ୟ ଉତ୍ତର ଦେବ ସେ । କିନ୍ତୁ ଆଶ୍ଚର୍ଯ୍ୟ ହେଲା ଦୀପାନ୍ୱିତା । ସେ ଯାହା ବିଚାରୁଛି, ବୋଧହୁଏ ତାହା ନୁହେଁ । ଶାଶୁ ଆହୁରି ବିନୟାବନତ ଭାବରେ ସେଇ ପ୍ରଶ୍ନର ପୁନରୁତ୍‌ଥାନ କରୁଛନ୍ତି, ବୋହୂ କ’ଣ ଭାବୁଛ ? ମୁଁ ଯାହା କହିଲି, ମୋ’ କଥାର କିଛି ଉତ୍ତର ଦେଲ ନାଇଁ ଯେ !

 

ଆଖିରେ ଅଜସ୍ର କୃତଜ୍ଞତାର କରୁଣ ଭାବ ତୋଳି ଦୀପା କହିଲା–କହନ୍ତୁ, କ’ଣ ଆପଣ ଭାବୁଛନ୍ତି ? ଏଥିପାଇଁ ମୋର ଗୋଟାଏ ଅନୁମତି କ’ଣ ଚାହୁଁଛନ୍ତି ଆପଣ ? ବରଂ ଏମିତି ଅନୁମତି ଚାହିଁଲେ ମୁଁ ବିଶେଷ ଲଜ୍ଜିତା ଆଉ ଅପରାଧିନୀ ହେବି ।

 

ରମାଦେବୀ ଦୀପାନ୍ୱିତା ନିକଟକୁ ଲାଗି ଆସିଲେ । ବେଦନାରେ ମନ ତାଙ୍କର ଆର୍ଦ୍ର ହୋଇ ଉଠିଲା । ଶୁଖିଲା ଚମପତା ଭେଦି ବହିଆସିଲା ଦି’ ଧାର ଲୁହ । ଓଠକୁ ଥରାଇ ଥରାଇ ସେ କହିଲେ, ବୋହୂ, ତମେ କହୁଥିଲ, ତମେ ଏଠୁ ଯିବାପରେ କୁଆଡ଼େ କଲେଜରେ ପାଠ ପଢ଼େଇବ ବୋଲି । ତମ ଭାଇବି ବର୍ତ୍ତମାନ ସେଇ କଥା କହୁଥିଲେ, ତମର ଚାକିରିପାଇଁ କଲେଜରେ ସବୁ ଠିକ୍‌ଠାକ୍ ହୋଇଯାଇଛି । ଏଣୁ ତମେ ଯାଇ ଖାଲି ଚାକିରିରେ ଯୋଗ ଦେବ । ହେଲେ ବୋହୂ, ମୋ’ ମନଟା ଏଥିରେ କାହିଁକି ମାନୁ ନାହିଁ । ଅବଶ୍ୟ ତମ ଖୁସିରେ ମୁଁ ନିଶ୍ଚୟ ଖୁସି, ଏଥିରେ ସନ୍ଦେହ କରିବାର କିଛି ନାହିଁ । ତେବେ ନାରୀର ଜନ୍ମ ପରଘରର ହାଣ୍ଡି–ଚୁଲିପାଇଁ । ସେଥିରେ ତା’ ଜୀବନ ସାର୍ଥକ ହୁଏ । ସମସ୍ତ ଯାତନା, ନିର୍ଯାତନାର ଜଞ୍ଜାଳ ଭିତରେ ନାରୀ ପାଏ ସ୍ୱର୍ଗ ଶାନ୍ତି । ସେଠି ତା’ ନାରୀତ୍ୱର ମୂଳଦୁଆ ପଡ଼େ । ସ୍ଵାମୀର ସେବାରେ ବ୍ରତୀ ହୋଇ ନାରୀ ଉତ୍ସର୍ଗ କରେ ନିଜକୁ । ସ୍ତ୍ରୀ ସ୍ଵାମୀକୁ ଉପହାର ଦିଏ ସନ୍ତାନସନ୍ତତି । ସ୍ଵାମୀ ସ୍ତ୍ରୀକୁ ଦିଏ ସ୍ନେହ, ଶ୍ରଦ୍ଧା, ଅନୁରାଗ । ଆମେ ସେଇ ଯୁଗର ମଣିଷ ବୋହୂ ! ଆମେ ସବୁ ଏଇ କଥା ଶିଖିଛୁ, ଏଇ କଥା ଅଙ୍ଗେ ଲିଭେଇଛୁ । ଅବଶ୍ୟ ସେ ଯୁଗ, ସେ ବେଳକାଳ ଭିନ୍ନ ଥିଲା । ସେ କାଳର ଚଳଣି ଆଉ ଆଜିର ଚଳଣି ଭିତରେ ଆକାଶପାତାଳ ତଫାତ୍ ହେଲାଣି । ଷୋଳବର୍ଷ ବୟସରେ ବୋହୂ, ହୋଇ ମୁଁ ପାଦ ଦେଇଥିଲି ଏ ଘରେ । ସତୁରି, ବାସ୍ତରିବର୍ଷ ବୟସରେ ପାଦ ଦେଲିଣି ଆସି ।

 

ୟା’ ବାପା ଏମାନେ ସବୁ ବହୁ ଛୋଟ ହୋଇଥିଲେ, ଛାଡ଼ି ଦେଇ ଚାଲିଗଲେ । ମୁଁ ଏମାନଙ୍କୁ ବହୁ ଛୋଟ ଅବସ୍ଥାରୁ ଏଡ଼ରୁଏଡ଼େ କରି ଆଣିଥିଲି । ଶେଷରେ ଏ’ ବୟସରେ ଦୁଃଖ ଦେଇ ସେ ବି ଚାଲିଗଲା ।

 

ସେତେବେଳେ ଥିଲି ଏକୁଟିଆ । ଆଜିବି ହେଲି ଏକୁଟିଆ । ତେବେ ସେତେବେଳର ଏକୁଟିଆ ଭିତରେ ଏତେ କଷ୍ଟ, ଏତେ ବାଧା ଏତେ ଚିନ୍ତା ନଥିଲା । ସେ ଏକୁଟିଆ ଦିହସୁହାରେ ପରିଣତ ହୋଇ ଯାଇଥିଲା ଏମାନଙ୍କ ମୁହଁକୁ ଅନାଇ । କିନ୍ତୁ ଏବେ ଆଉ କାହା ମୁହଁକୁ ଅନାଇ ଏ’ କଷ୍ଟ ଏ ବାଧାକୁ ଦିହସୁହାରେ ପରିଣତ କରିବି ?

 

ଆଖିକୁ ପତା ଦେହରେ ଚାପି ଦେଇ ଆହୁରି କେତେ ଟୋପା ଅଶ୍ରୁ ଗଡ଼ାଇଦେଲେ ରମାଦେବୀ ।

 

ଦୀପାନ୍ୱିତା ସହିପାରିଲା ନାହିଁ । ଆଖି ତା’ର ଛଳଛଳ ହୋଇ ଆସିଲା, ସେ କିଛି କହିବାକୁ ଯିବା ପୂର୍ବରୁ ରମାଦେବୀ ପୁଣି କହିଲେ, ବୋହୂ, ତମେ ଆଜିକାଲିର ପାଠପଢ଼ୁଆ ଝିଅ ମା’ । ତମେ କ’ଣ ସେ ଯୁଗକୁ ଗ୍ରହଣ କରିବ ? ଆମ କଥାକୁ ପସନ୍ଦ କରିବ ? ତେବେ ମୁଁ ଏତିକି କହୁଥିଲି, ତମକୁ ମୋର ବୋହୂ କରି କେଡ଼େ ଆଦରରେ କେଡ଼େ ଗୌରବରେ ମୁଁ ଏଠିକି ଆଣିଥିଲି ମା’ । ହେଲେ ବିଧାତା ସହି ପାରିଲାନି । କପାଳରୁ ତମର ସିନ୍ଦୂର ପୋଛିଦେଲା । କୋଳ ମୋର ଶୂନ୍ୟ କରି ନେଇଗଲା ।

 

ଯାହା ଘଟିବାର କଥା ଘଟିଗଲା । ଛାଡ଼ ସେ କଥା । ମଣିଷ ରକ୍ତ ବୋଲି ସହି ହେଉନି-। ମୋର ଏତିକି ଅନୁରୋଧ ବୋହୂ, ତମେ କଲେଜରେ ପାଠ ପଢ଼ାଅ ପଛେ, ଆଉଥରେ ଘରସଂସାର କର । ତମେ ପୁଣିଥରେ ବିବାହ କର । କେତେ ବଡ଼ବଡ଼ ଘରେ ଏମିତି ହେଉଛି ବୋହୂ । ଇଏ ତ ଆମମାନଙ୍କର ଯୁଗ ନୁହେଁ । ଯୋଉ ଯୁଗରେ କି ସ୍ୱାମୀର ମରଣରେ ମ୍ରିୟମାଣ ହୋଇ ସତୀତ୍ୱ ରକ୍ଷା କରି ସ୍ତ୍ରୀ ସ୍ଵାମୀର ଚିତାଗ୍ନିରେ ଝାସ ଦେଉଥିଲା !

 

ଇଏ ଆଜିକାଲିର ଯୁଗ । ତମ ପାଠପଢ଼ୁଆ ଝିଅମାନଙ୍କର ଯୁଗ ଇଏ । ତମେ ମୋ’ ଘରକୁ ବୋହୂ ହୋଇ ଆସିଥିଲ । ହେଲେ ମୋ’ ପୁଅର ଛାଇ ତମ ଦେହରେ ପଡ଼ିନି । ବିବାହ, ହାତଗଣ୍ଠି, କର୍ମକର୍ମାଣି, ଯୋଗଶାସ୍ତ୍ର, ବେଦମନ୍ତ୍ର ସବୁ ଆମ କାଳର କଥା ।

 

ସେ ସବୁ ବିଷୟରେ ଭାବି ବସିଲେ ଜୀବନ ଅଧାରେ ରହିଯିବ ମା’ । ତେଣୁ ସେ ଚିନ୍ତା ଆଉ ନ କରି ମୋ’ ଅନୁରୋଧ ରଖିବ । ତମ କୋଳ ପୂର୍ଣ୍ଣ ଦେଖିଲେ ମୋ’ ମନରେ ଯେଉଁ ଶୂନ୍ୟତାର ବ୍ୟାଧି, ସାମାନ୍ୟ ପୂର୍ଣ୍ଣତାରେ ସେ ଶାନ୍ତି ଲାଭ କରିବ । ଏ’ ଘରର ଦୁଆର ପ୍ରବେଶାଧିକାର ତମପାଇଁ କେବେହେଲେ ଅନୁମତି ସାପେକ୍ଷ ନୁହେଁ । ତମେ ଏ’ ଘରର ବୋହୂ । ତମର ୟା’ ଉପରେ ପୂର୍ଣ୍ଣ ଅଧିକାର ଅଛି । ତମେ ଯେତେବେଳେ ଯାହା ଚାହୁଁଥିବ, ସେତେବେଳେ ତମ ଇଚ୍ଛା ପୂର୍ଣ୍ଣ କରୁଥିବ ଏଠିକି ଆସି । ତମ କୋଳରେ ଯେଉଁ ସନ୍ତାନ ଜନ୍ମ ନେବ, ସେ ହେବ ମୋ’ କୁଳ ଆଉ ବଂଶର ଉଜ୍ଜ୍ୱଳ ପ୍ରଦୀପ । ସୁବ୍ରତର ଉତ୍ତରାଧିକାରୀ ଜନ୍ମ ହେଲେବି ସେ ରହିବ ଏ’ ଉଜ୍ଜ୍ୱଳ ପ୍ରଦୀପର ପଶ୍ଚାତ୍ ଭାଗରେ । ତମରି ସନ୍ତାନ ଅଧିକାର ପାଇବ ଏ’ ସମସ୍ତ ସମ୍ପତ୍ତିର ।

 

ଦୀପାନ୍ୱିତା ଆଉ ନିଜକୁ ସମ୍ଭାଳି ପାରୁନି । ଆନନ୍ଦ ଓ କାନ୍ଦଣାର ସୁଅ ଭିତରେ ଭାସି ଭାସି ଚାଲି ଯାଉଛି । ସେ ସୁଅ ମୁକ୍ତିସ୍ରୋତର ଜୁଆର ଠାରୁ ଅଧିକ ପ୍ରଖର । ଅଧିକ ଦ୍ରୁତଗାମିନୀ ।

 

ରମାଦେବୀ ଚାଲି ଯାଉଛନ୍ତି । ଦୀପାନ୍ୱିତା ଚାହୁଁଛି । କି ସ୍ନେହ, କରୁଣା ଓ ସହିଷ୍ଣୁତାର ମୂର୍ତ୍ତିମନ୍ତ ଅବତାର ସତେ ଏଇ ରମାଦେବୀ ! ଶାଶୁ ରୂପରେ ତାଙ୍କୁ ପାଇ କି ଗୌରବ ହାସଲ କରିନି ଦୀପାନ୍ୱିତା !

 

ହେଲେ ତାଙ୍କରି ଦେହରୁ ଜନ୍ମ ହୋଇ ସତ୍ୟବ୍ରତ, ସୁବ୍ରତ କେମିତି ଭିନ୍ନ ରୂପ ଧାରଣ କଲେ, ସେଇ କଥାହିଁ ଭାବୁଛି ସେ ।

 

ରମାଦେବୀଙ୍କ ପ୍ରତି ତା’ର ଯେଉଁ ବଦ୍ ଧାରଣା ଥିଲା ଯେ ସତ୍ୟବ୍ରତଙ୍କ ମରଣ ସମ୍ବାଦକୁ ଯୋଡ଼ି ଦୀପାନ୍ୱିତା ନାଆଁରେ ଅପପ୍ରଚାର କରୁଛନ୍ତି ରମାଦେବୀ, ତା’ ଆଜି ଦୂରେଇ ଯାଇଛିବି । ସେ ଆଜି ଅନୁଭବ କରି ପାରିଛି ଯେ, ମଣିଷ ଦୂରରୁ ଥାଇ ଯେଉଁ ଫୁଲକୁ କଳିକା ବୋଲି ଭାବେ, ସେ ବାସ୍ତବିକ ଫୁଲ ହୋଇ ଫୁଟି ସାରିଥାଏ ଆଉ ଯେଉଁ ଫୁଲକୁ ଫୁଲ ବୋଲି ଭାବେ, ସେ ବାସ୍ତବିକ କଳିକା ହୋଇଥାଏ । ଫୁଟି ନ ଥାଏ । ଏ’ ସଂସାରରେ ଭଲଟାହିଁ ଭେଲ, ଆଉ ଭେଲଟାହିଁ ଭଲ ବୋଲି ପ୍ରମାଣିତ ହୁଏ । ଯେମିତି ପ୍ରମାଣିତ ହେଲେ ସୁବ୍ରତ ଆଉ ରମାଦେବୀ !

 

ଘନ ନେଇ ଆସୁଥିଲା ଘର ଭିତରକୁ ଶଶାଙ୍କଙ୍କୁ । ଦୁଆରମୁହଁରୁ ଫେରି ଯାଉ ଯାଉ ଘନ କହିଲା–ହେଇ ମାଆ ତ ବସିଛନ୍ତି । ଯାଆନ୍ତୁ । ମୁଁ ବଡ଼ମା’ଙ୍କ ପାଖରୁ ଆସୁଛି ।

 

ଶଶାଙ୍କ ପାଦ ଛୁଇଁଲା ଦୀପାନ୍ୱିତାର । ଦୀପାନ୍ୱିତା ପଲଙ୍କ ପାଖରେ ଠିଆ ହୋଇଛି ନିର୍ବିକାର, ନିଶ୍ଚଳ ଭାବରେ । ଅନୁଭବ କରୁଛି ଶଶାଙ୍କର ପରିବର୍ତ୍ତନକୁ । ଚାଲିଚଳନ ଢଙ୍ଗଢ଼ାଙ୍ଗକୁ । ଆଜି ପ୍ରଥମ କରି ଶଶାଙ୍କ ଛୁଉଁଚି ଦୀପାନ୍ୱିତାର ପାଦ । ୟା’ ଆଗରୁ କେବେ ପାଦ ଛୁଇଁ ପ୍ରଣତି ଜଣେଇଁଥିଲା ଶଶାଙ୍କ, ମନେ ପଡ଼ୁନାହିଁ ଦୀପାନ୍ୱିତାର । ବିବାହ ପରେ ମଣିଷ ଜ୍ଞାନର କ’ଣ ପରିପକ୍ୱତା ଆସିଯାଏ ବଳେ ବଳେ ? ଅନୁଭୂତି ହୋଇଉଠେ ଗଭୀର ? ଜ୍ଞାନର ସୀମାରେଖା ମାଟିରୁ ଦିଗ୍‌ବଳୟ ପର୍ଯ୍ୟନ୍ତ ଲମ୍ବିଯାଏ ?

 

ଦୀପାନ୍ୱିତା ଲକ୍ଷ୍ୟ କରୁଛି ଶଶାଙ୍କର ସୁଢ଼ଳ ସ୍ଵାସ୍ଥ୍ୟକୁ । ଏ’ ଭିତରେ ସାମାନ୍ୟ ସ୍ୱାସ୍ଥ୍ୟବାନ ହୋଇ ଉଠିଛି ଶଶୀ । ଦେହର ରଙ୍ଗ ଟିକିଏ ଚହଲି ଉଠିଛି । ମହଳଣରୁ ସଫେଦ । ବେଶ୍ ସୁନ୍ଦର ଦିଶୁଚି । ଆନନ୍ଦରେ ଫୁଲି ଉଠିଲା ଦୀପାନ୍ୱିତା । ଶଶୀ ତା’ର ଖୁବ୍‌ ଭଲରେ ଅଛି !

 

ଦୀପାନ୍ୱିତା ନିରୀକ୍ଷଣ କରୁଛି ବାରମ୍ବାର ଶଶାଙ୍କର ମୁହଁଠୁ ପାଦ ତଳ ପର୍ଯ୍ୟନ୍ତ । ମାତ୍ର ଶଶାଙ୍କ ମୁହଁ ଟେକି ଚାହିଁ ପାରୁନି ଦୀପାକୁ । ଅପରାଧୀ ସମାନ ଠିଆ ହୋଇଛି ଦି’ ହାତକୁ ଯୋଡ଼ି, କ’ଣ କହିବ ନ କହିବ, କିଛି ଭାବି ପାରୁନି ।

 

ଦୀପା ଶଶୀର ମୁହଁକୁ ଗୋଟାଏ ଟିପରେ ତୋଳି ଧରି କହିଲା କିରେ ଏମିତି କାହିଁକି ଠିଆ ହେଲୁ ? ବସୁନୁ ? କ’ଣ କିଛି ଦୋଷ କରିଛୁ ? ବହୁତ ଦୋଷ କରିଛି ଅପା, ଯୋଉ ଦୋଷର କି ପ୍ରାୟଶ୍ଚିତ୍ତ କରିବାପାଇଁ ମତେ ବହୁ ଜନ୍ମ ଲାଗିବ । ସେ ଦୋଷ କେବଳ ମୋର ନୁହେଁ, ଆମ ସମସ୍ତଙ୍କର । ଆମେ ସମସ୍ତେ ମିଶି ତୋ’ ଜୀବନକୁ ମାଡ଼ିମକଚି ହତ୍ୟା କରିଛୁ । ତିଳତିଳ କରି ଜାଳି ଦେଇଛୁ ।

 

ଧାର ଧାର ଲୁହ ବେଗହୀନ ଭାବରେ ବହି ଆସୁଛି ଶଶାଙ୍କ ଆଖିରୁ ।

 

ପଣତକାନିରେ ଶଶୀର ଲୁହ ପୋଛୁ ପୋଛୁ ଦୀପା କହିଲା ଛି, ଏମିତି କାନ୍ଦନ୍ତି ନାହିଁ !

 

ତମେମାନେ ମତେ ଜନ୍ମ ଦେଇଥିଲ । କାଖେଇ କୋଳେଇ ମଣିଷ କରିଥିଲେ । ଭାଗ୍ୟ ସିନ୍ଦୂର ଯିଏ ପିନ୍ଧେଇଥିଲା, ସେ ପୋଛିନେଲା । ମୁଁ ତ ଦୁଃଖ କରୁନାହିଁ । ତମେମାନେ ଦୁଃଖ କରିବ କାହିଁକି ?

 

ଶଶାଙ୍କ କୋହବିଜଡ଼ିତ ସ୍ୱରରେ କହିଲା, ଅପା, ଆଖିରେ ଆଙ୍ଗୁଠି ମାଚି ଆଖି ଫୁଟେଇ ସାରିବା ପରେ ସମବେଦନା ଜଣେଇ ମଣିଷ ଭାଗ୍ୟ କଥା କହେ । ତେଣୁ ଆମେ ତତେ ମାରିସାରିବା ପରେ ଭାଗ୍ୟ କଥା ନିଶ୍ଚୟ କହିବୁ ନିଜ ଅପରାଧରୁ ମୁକ୍ତି ପାଇବାପାଇଁ ।

 

କଥାର ଦିଗ ବଦଳାଇ ଦୀପା କହିଲା, ସେ କଥା ଛାଡ଼ ଶଶୀ । ସେଥିପାଇଁ କିଛି ତୁ’ ବ୍ୟସ୍ତ ହ’ନା । ଆଉ ଘର ଖବର କ’ଣ କହ ।

 

ଘର ଖବର ଆଉ କ’ଣ । ବାପାଙ୍କ ସ୍ୱାସ୍ଥ୍ୟର କୌଣସି ଉନ୍ନତି ନାହିଁ । ଦିନକୁଦିନ ବରଂ ଅଧିକ ଅବନତି ଘଟୁଛି । ରକ୍ତଚାପର ମାତ୍ରାବି ଆଗ ଅପେକ୍ଷା ଅଧିକ ବଢ଼ିଛି । ଡାକ୍ତର ଶର୍ମାଙ୍କ ପରାମର୍ଶରେ କେବଳ ଦିନରାତି ଶେଯରେ ପଡ଼ିଛନ୍ତି ।

 

ଘନ ଗୋଟାଏ ପ୍ଲେଟ୍‍ରେ କିଛି ଜଳଖିଆ ଓ କଫି ଆଣି ଥୋଇଦେଇ ଗଲା । କହିଲା, ବଡ଼ମା’ଙ୍କ ହୁକୁମ, ବାବୁ ଏତକ ଖାଇ ଦିଅନ୍ତୁ ।

 

ଘନ ଚାଲିଗଲା । ଜଳଖିଆ ଶେଷ କରି କଫି କପ ଉଠାଉ ଉଠାଉ ଶଶାଙ୍କ କହିଲା, ତୋ’ ଚାକିରିର ସମସ୍ତ ବନ୍ଦୋବସ୍ତ ହୋଇଯାଇଛି । ପ୍ରିନ୍‌ସିପାଲ ରାଜି ହୋଇଛନ୍ତି । ଆଗାମୀ କାଲି ତତେ ଜଏନ୍ କରିବାକୁ ପଡ଼ିବ କଲେଜରେ ।

 

ଆଗାମୀ କାଲି ? ଦୀପାନ୍ୱିତା ପଚାରିଲା ।

 

ହୁଁ, ସେଥିପାଇଁ ପରା ସବୁ କାମ ବନ୍ଦ କରି ତତେ ନେବାକୁ ଆସିଲି । ଏ’ ଅବସ୍ଥାରେ ବାପାଙ୍କୁ ଛାଡ଼ି କୁଆଡ଼େ ଯିବାକୁ ମନା କରିଛନ୍ତି ଡାକ୍ତର । ତତେ ଶୀଘ୍ର ବାହାରିବାକୁ ପଡ଼ିବ ।

 

ବୋଉଙ୍କ ଅନୁମତି ନେଇ ତ ଯିବାକୁ ହେବ ପୁଣି ?

 

ମୁଁ ତାଙ୍କୁ ସବୁ କହିଦେଇଛି । ସେ କହିଲେ, ତୋ’ ଇଚ୍ଛା ଉପରେ ନିର୍ଭର କରେ । ତୁ ଯେତେବେଳେ ବାହାରିବୁ ସେମାନଙ୍କର କୌଣସି ଆପତ୍ତି ନାହିଁ ।

 

ପ୍ରସ୍ତୁତ ହେଲା ଦୀପା । ଏ’ କୋଠରୀ ପୁଣି ଛାଡ଼ିବାକୁ ପଡ଼ିବ ତାକୁ ସବୁଦିନ ପାଇଁ । ଏ’ କୋଠରୀ, ସେ କୋଠରୀ ହୋଇ କେତେ କୋଠରୀ ବୁଲିଲାଣି ସେ । କେଉଁ କୋଠରୀରେ ସେ ସ୍ଥିର ହୋଇ ରହିପାରୁ ନାହିଁ । କ’ଣ ତା’ର ଦୋଷ ? କ’ଣ ତା’ର ଅପରାଧ । ସବୁଦିନ କ’ଣ ଏମିତି ବୁଲୁଥିବ ସେ ? ସେ ଦୋଷ, ସେ ଅପରାଧର କ’ଣ ପ୍ରତିକାର ନାହିଁ ? ସମାଧାନ ନାହିଁ ?

 

ଶିଳ୍ପୀ ବିକାଶଙ୍କ ସିତାର ରାଗିଣୀରେ ଦୋଦୁଲ୍ୟମାନ ହେଉଥିଲା ନର୍ତ୍ତକୀ ଶିଲାଙ୍କ ବାସଭବନ । କୋଠରୀର ପ୍ରତ୍ୟେକ ପଦାର୍ଥ ଓ ଆସବାବପତ୍ର ଭିତରେ ଭରି ଉଠୁଥିଲା ସଙ୍ଗୀତ ନୃତ୍ୟର ମନମତାଣିଆ ଗନ୍ଧ ।

 

ନିକ୍ୱଣର ତାଳେ ତାଳେ ମାତାଲ ଅବସ୍ଥାରେ ଗଡ଼ି ଯାଇ ଗଡ଼ି ଆସି ସିତାର ଚାଳନା କରୁଥିଲେ ବିକାଶ । ଶିଲାକୁ ନିର୍ଦ୍ଦେଶ ଦେଉଥିଲେ, ଶିଲା, ନାଚ । ମନ ଭରି ନାଚ । ଏ ରଙ୍ଗରସର ତାଳେ ତାଳେ ପୃଥିବୀରେ ଭରିଦିଅ କେବଳ ସଙ୍ଗୀତର ଅପୂର୍ବ ମୂର୍ଚ୍ଛନା । ତାଣ୍ଡବ ନୃତ୍ୟର ବିଭୀଷିକାମୟୀ ଝଙ୍କାର । ସେ ମୂର୍ଚ୍ଛନା, ସେ ଝଙ୍କାରରେ ପୃଥିବୀର ସମସ୍ତେ ହୋଇଯାନ୍ତୁ ଉନ୍ମାଦ ଏବଂ ସେ ଉନ୍ମାଦନାରେ ଉନ୍ମତ୍ତ ହୋଇ ସମସ୍ତେ କରନ୍ତୁ ଆର୍ତ୍ତନାଦ । ସେଇଥିରେ ଆମର ଅପୂର୍ବ ଗୌରବ ଶିଲା, ସେଇଥିରେହିଁ ଆମର ଅଜସ୍ର ଗର୍ବ ।

 

ସେଇ ପୁରୁଣା ରାଗିଣୀ ମେଘମହ୍ଲାରରେ ସ୍ୱର ଧରାଇଛନ୍ତି ବିକାଶ । ବୋତଲ ପରେ ବୋତଲ, ଅସଂଖ୍ୟ ବିଦେଶୀ ସୁରାର ବୋତଲ ନିଃଶେଷ ହୋଇଯାଇଛି । ଆତ୍ମଚେତନା ହରାଇ ସୁରାସାକୀର ଜାଗରଣତଳେ ନିହାତି ଭାବରେ ମଜି ଯାଇଛନ୍ତି ସେ !

 

ଶିଲାର ନିକ୍ୱଣ ଧ୍ୱନି ଆସ୍ତେ ଆସ୍ତେ ଥମି ଆସିଲା । ନାଚ ସରି ଆସିଲା, ସିତାର ଚାଳନା ବନ୍ଦ କରି ଉନ୍ନିଦ୍ର ନୟନ ଉଠାଇ ବିକାଶ ଚାହିଁଲେ ଶିଲାକୁ । ନାଚ କାହିଁକି ବନ୍ଦ କଲ ଶିଲା ? ନାଚ ଆହୁରି ନାଚ । ମୁଁ ପରା ତମକୁ କହୁଛି, ନାଚି ନାଚି ନିଜକୁ ହଜେଇଦିଅ ସେ ସଙ୍ଗୀତ, ନୃତ୍ୟର ଅପୂର୍ବ ଉନ୍ମାଦନା ଭିତରେ । ମୋ’ ଅନୁରୋଧ ତମେ ରଖିବ ନାହିଁ ଶିଲା ? ଏ’ ରାତିର ଦେହ ଗନ୍ଧଠାରୁ ଆମ ସୁରା, ସାକୀର ଗନ୍ଧ ଆହୁରି ଉତ୍କଟ, ତୀବ୍ର ହେବ ନାହିଁ ?

 

ହେଲେ ବିକାଶବାବୁ, ମୋର ସେଥିରେ ଲାଭ କ’ଣ ? ମୁଁ ପାଇଛି କ’ଣ, ପାଇବି କ’ଣ-? ମୋ’ ଅନୁରୋଧ, ଏମିତି ଶୂନ୍ୟତା ନିର୍ଜନତାରେ ମିଳେଇଯିବ । କିଛି ତା’ର ମୂଲ୍ୟ ରହିବ ନାହିଁ-। ମୁଁ କାହିଁକି ସ୍ୱାର୍ଥହୀନ ଭାବରେ ଦୁନିଆକୁ ଶାନ୍ତିଦେଇ ଚାଲିଥିବି ? ନିଜକୁ ଜଳାଇ ଚାଲିଥିବି-

 

କିଏ କହିଲା ନିଜକୁ ଜଳାଇ ଚାଲିଥିବ ? କିଏ କହିଲା ତମ ଅନୁରୋଧର ମୂଲ୍ୟ ରହିବ ନାହିଁ ? ତମ ଅନୁରୋଧର ମୂଲ୍ୟ ଏମିତି ରହିବ ଶିଲା, ସେ ମୂଲ୍ୟ ସହିତ ଦୁନଆର କେଉଁ ମୂଲ୍ୟକୁ ତମେ ତୁଳନା କରିପାରିବ ନାହିଁ । ଯିବା ପୂର୍ବରୁ ମୁଁ ତୁମକୁ ଉପଯୁକ୍ତ ମୂଲ୍ୟ ଦେଇଯିବି, ହେଲେ ତମର ସେଥିରେ ସ୍ୱାର୍ଥ କ’ଣ ? କିଛି ନାହିଁ । ତମେ ଯେ ସେଥିପାଇଁ କାହିଁକି ବ୍ୟାକୁଳ, ତତ୍ପର ଏତେ, ମୁଁ ତା’ର କାରଣ ଖୋଜି ପାଉନାହିଁ ଶିଲା । କାହିଁକି ନା ତମ କାରଣର ଅର୍ଥ କୌଣସି ବହି, ପାଠ୍ୟପୁସ୍ତକର ପୃଷ୍ଠାରେ ଲିପିବଦ୍ଧ ହୋଇ ରହି ନାହିଁ । ସେ ଲିପିବଦ୍ଧ ଅଛି ତମ ମନର ପୃଷ୍ଠାରେ ।

 

ତମ ମନର ପୃଷ୍ଠା ତନ୍ନତନ୍ନ କରି ଲେଉଟାଇ ପଢ଼ୁଛି । କିଛି ବୁଝି ପାରୁନାହିଁ । ବୁଝି ପାରୁନାହିଁ ତମ ଅନୁରୋଧ ମାଧ୍ୟମରେ ମୋ’ ଜୀବନର ସମସ୍ତ ସୁଖ, ଶାନ୍ତି କାହିଁକି ଠୁଳ ହୋଇ ପଡ଼ିଛି । କାହିଁକି ନିଃସ୍ୱାର୍ଥପର ଭାବରେ ମୋ’ ପ୍ରାଣର ନିଭିଲା ଦୀପକୁ ତମେ ଆହୁରି ତେଜୀୟାନ କରି ଜାଳିବାକୁ ଚାହୁଁଛ ଏବଂ ମିଥ୍ୟାର ଦ୍ୱାହି ଦେଇ ମତେ ପ୍ରମାଣିତ କରିବାକୁ ଚାହୁଁଛ ଯେ, ମୋ’ ଜୀବନର ଶାନ୍ତି, ସରସତା ଭିତରେ ତମର ସବୁ ଅନୁରୋଧ ଭରିରହିଛି !

 

ତମ ଅନୁରୋଧ ଭିତରେ ଏ ହେଲା ଗୋଟିଏ ଅନୁରୋଧ । ମୋର ମଦ ଛାଡ଼ିବା କଥା-। ମୋ’ ମଦ ଛାଡ଼ିବାରେ ତମର ପରିତୃପ୍ତି କ’ଣ ? ମୁଁ ମଦ ଛାଡ଼ିବି କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ନୁହେଁ । କାରଣ ବର୍ତ୍ତମାନ ପରିସ୍ଥିତିରେ ମୁଁ ମଦ ଛାଡ଼ିଲେ ବଞ୍ଚିପାରିବି ନାହିଁ । ମୁଁ ବର୍ଷ ବର୍ଷର ପୋଖତ ମାତାଲ ମଣିଷ ନୁହେଁ । ମାତ୍ର ଛଅ ମାସ ହେଲା ମଦଟା ଏମିତି ଅଭ୍ୟାସଗତ ହୋଇଯାଇଛି । ସେ ଅଭ୍ୟାସ ଛଅବର୍ଷର କୌଣସି ମାତାଲ ମଣିଷ ପାଖରେବି ସମ୍ଭବ ନୁହେଁ-। ପୋଖତ ମାତାଲ ମଣିଷ ଜଣେବି ଏତେ ମଦ ପିଇବ ନାହିଁ, ମୁଁ ଯେତେ ପରିମାଣରେ ପିଇଛି-। ତେଣୁ ତମ ଅନୁରୋଧ ରଖିବି ଶିଲା, କିନ୍ତୁ ସାମାନ୍ୟ ଡେରିରେ । ଧୀରେ ଧୀରେ ।

 

ବିକାଶବାବୁ, ଏ’ ଦୁନିଆର ଶିଲା ଏକ ନିତାନ୍ତ ବ୍ୟତିକ୍ରମ ଯିଏ କି ଜୀବନର ଅନେକ ମୁହୂର୍ତ୍ତରେ ଅନେକ ମଣିଷଙ୍କର ଅନେକ ଅନୁରୋଧ ରଖି ଆସିଥିଲା ।

 

ହେଲେ ତା’ ଅନୁରୋଧ କେହି ରଖି ନଥିଲେ । ସେକଥାକୁ ନିବିଡ଼–ନିହାତି ନିବିଡ଼ ଭାବରେ ମନେରଖିଛି ଶିଲା । ଆପଣ କେମିତି ତା’ ଅନୁରୋଧ ରଖନ୍ତେ ? ସେ ସବୁ ପଛରେ ଥାଉ । ଆମେ ଆଗକୁ ଯିବା । ସେଦିନ ରାତିର କାହାଣୀ ଅଧାରେ ଥିଲା ନା, ଆଜି ତାକୁ ପୂର୍ଣ୍ଣ କରିବି । ସମୟ ଦେବେ ?

 

ବିକାଶଙ୍କ ଉତ୍ତରର ପ୍ରତ୍ୟାଶା ନ ରଖି ତାଙ୍କ ହାତ ଧରି ଉଠାଇ ନେଲା ଶିଲା ।

 

କୁଆଡ଼େ ଏମିତି ଟାଣି ନେଉଛ ?

 

ବିକାଶ ମଦ ନିଶାରେ ଚାଲି ନ ପାରି ପଚାରୁଥିଲେ । କୋଠରୀ ପରେ କୋଠରୀ ପାରହୋଇ ଶେଷରେ ପହଞ୍ଚିଲେ ଶିଲାର ଶୋଇବା କୋଠରୀରେ । ତା’ ଶୋଇବା କୋଠରୀ ସାମ୍ନାରେ ଆଉ ଏକ ଛୋଟ କୋଠରୀ । ଶିଲା କହିଲା ବିକାଶବାବୁ, ଏ’ କୋଠରୀଟିକୁ ଦେଖୁଛନ୍ତି-?

 

ବିକାଶ ସମ୍ମତି ଦେଲେ ।

 

ଏ’ କ୍ଷୁଦ୍ର କୋଠରୀର କ୍ଷୁଦ୍ର ପରିସର ଭିତରେ ମୋ’ ନିଭୃତ ମନର ସେଇ ସଂଗୋପନ କାହାଣୀ ଟିକକ ସାଇତା ରହିଛି । ଏ’ କୋଠରୀଟା ଯେତିକି ଛୋଟ, କାହାଣୀଟା ତା’ଠାରୁ ସେତିକି ବଡ଼ । କେତେ ବଡ଼ ଜାଣିଛନ୍ତି ? ଲକ୍ଷେ ଗୁଣ, କୋଟିଏ ଗୁଣ । ସେ ବିରାଟତାକୁ ଆପଣ କଳନା କରି ପାରିବେ ନାହିଁ ଆଉ ଏ’ କୋଠରୀ ଭିତରେ ଜଣେ ନିଘୋଡ଼ ନିଦରେ ଶୋଇଛି । ଯେତେ ଡାକିଲେବି ଉଠୁନାହିଁ । ତା’ ନିଦ କୁମ୍ଭକର୍ଣ୍ଣର ନିଦଠାରୁ ଆହୁରି ଗାଢ଼ । ଆହୁରି ଗଭୀର । କେଉଁ ଖୋଳ, କରତାଳ, ଢୋଲ, ଟମକର ଶବ୍ଦରେ ସେ ଉଠିବ ନାହିଁ । ସେ ଉଠିବ କେମିତି ଜାଣନ୍ତି । ସେ ଉଠିବ ନିଷ୍ଠା, ଏକାଗ୍ରତା ଆଉ ସାଧନାର ଡାକରାରେ । ସେ ସାଧନା ମୋର ନାହିଁ ବିକାଶବାବୁ, ନ ହେଲେ ସେ ଉଠନ୍ତା ନାହିଁ କାହିଁକି ?

 

ବିକାଶ ଉଚକିତ ହେଲେ । କିଛି ବୁଝିପାରିଲେ ନାହିଁ–ଶିଲାର ଦର୍ଶନତତ୍ତ୍ୱ କାହାଣୀ । ଭାରି ଅବୋଧ୍ୟ ଆଉ ଜଟିଳ ମନେ ହେଉଥିଲା ଶିଲାର କଥାଗୁଡ଼ାକ । ସେ ବୁଝିପାରୁ ନଥିଲେ । ଗୋଟିଏ ନିବୁଜ କୋଠରୀ ଭିତରେ କିଏ ଏମିତି ନିଘୋଡ଼ ନିଦରେ ଶୋଇଛି । ସେ କ’ଣ ପୃଥିବୀର ମଣିଷ ନୁହେଁ ? ସେ କ’ଣ ଈଶ୍ୱରସୃଷ୍ଟ ପ୍ରାଣୀ ନୁହେଁ ? ଶିଲା କ’ଣ କାହାଣୀ ଶୁଣାଉଛି ତାକୁ ?

 

ବିକାଶ ଟୁଳୁ ଟୁଳୁ ଆଖିରେ ବକ୍ ବକ୍ କରି ଅନେଇଥିଲେ ଶିଲାକୁ । ତାଙ୍କ ମନକଥା ପଢ଼ିନେଲା ଭଳି ଶିଲା କହି ଉଠିଲା, ବୋଧହୁଏ ମୁଁ ଯାହା କହିଲି ବୁଝିପାରିଲେନି ବିକାଶବାବୁ !

 

ଶିଲାର କଥା ନ ସରୁଣୁ ଅଧାରୁ ଉଦ୍‌‌ଗ୍ରୀବ ହୋଇ ବିକାଶ କହି ଉଠିଲେ, ଆଦୌ କିଛି ବୁଝି ପାରିଲି ନାହିଁ ଶିଲା । କିଏସେ ଏମିତି ଭାବରେ ନିବୁଜ କୋଠରୀ ଭିତରେ କାହିଁକି ଶୋଇଛି ? ଏ’ ବିରାଟ ଭବନ ଭିତରେ ଆଉ କ’ଣ ଖୋଲା କୋଠରୀ ନାହିଁ ତା’ପାଇଁ ଶୋଇବାକୁ ?

 

ଶିଲା ବିକାଶଙ୍କ କୌତୂହଳତା ବଢ଼ାଇବାକୁ ଯାଇ କଥାଟାକୁ ଜଟିଳରୁ ଆହୁରି ଜଟିଳତର କରିଦେଲା । ବିକାଶବାବୁ, ସେ ନିବୁଜ କୋଠରୀ ବିନା ଖୋଲା କୋଠରୀରେ ଶୋଇବାକୁ କେବେ ଇଚ୍ଛା କରନ୍ତି ନାହିଁ । ସେ ଆଲୋକ ଆଦୌ ଚାହାଁନ୍ତିନି । ସେ ଚାହାଁନ୍ତି ଅନ୍ଧକାର । ମହାନ୍ଧକାରର ସ୍ପର୍ଶ । ସେ କୋଳାହଳ ଚାହାଁନ୍ତିନି । ସେ ଚାହାଁନ୍ତି ନିର୍ଜନତା । ଶୂନ୍ୟତାର ଶ୍ଳେଷ ।

 

ତାହାହେଲେ ଏମିତି ସେ କିଏ ମୁଁ ବୁଝି ପାରୁନି ଶିଲା !

 

ଓଠର ବନ୍ଧ ଉପରକୁ ଫିକା ହସର ଛୋଟିଆ ଢେଉଟିଏ ଫିଙ୍ଗି ଦେଇ ଶିଲା କହିଲା, ବିକାଶବାବୁ, ସେଦିନ ରାତିରେ କହିଥିଲିନା, ଶିଲା ତା’ ନିଜପାଇଁ ଜୀବନସାଥୀଟିଏ ବାଛିଥିଲା । ସେଇ ଜୀବନସାଥୀ ତା’ର ସେ ଘରେ ଶୋଇ ରହିଛି ।

 

ମଦ ନିଶାରେ ବିଭୋର ହୋଇବି ବିକାଶ ଶିଲା କଥାରେ ହସି ଉଠିଲେ । କହିଲେ, କ’ଣ ପାଗଳୀଙ୍କ ପରି ଏଣୁତେଣୁ ଗପି ଯାଉଛ ଶିଲା ?

 

ପାଗଳୀ ନୁହେଁ ବିକାଶବାବୁ, ଆଜି ମୁଁ ମୋଟେ ପାଗଳୀ ନୁହେଁ । ଦିନେ ହୁଏତ ପାଗଳୀ ହୋଇ ଯାଇଥିଲି ଏଇଥିଲାଗି । ହେଲେ ତାକୁ ପାଇବା ପରେ ଆଉ କାହିଁକି ପାଗଳୀ ହେବି ? ଆଜି ମୁଁ ନିରାଟ ସତ କହୁଛି । ବିଶ୍ଵାସ କରନ୍ତୁ ବିକାଶବାବୁ, ସତରେ ମୁଁ ମୋ ଜୀବନସାଥୀକୁ ତାଲା ବନ୍ଦ କରି ଏଇ ଘରେ ରଖିଛି । ସେ ମୋ’ଠାରୁ କାଳେ ଖସି ଚାଲିଯିବ, ଏଇ ଭୟରେ ।

 

ଆଚ୍ଛା ଶିଲା, ତମକୁ ମୁଁ ବିଶ୍ଵାସ କରୁଛି । ତମେ ଯାହା କହୁଛ ସତ ।

 

ତେବେ ମୁଁ ତମ ଜୀବନସାଥୀକୁ ଟିକିଏ ଦେଖିବାପାଇଁ ଚାହେଁ । ଅନୁମତି ଦେବ ତ ?

 

ପାଟି ଉପରେ ଆଙ୍ଗୁଠି ରଖି ଛୋଟ ଶିଶୁକୁ ଡରାଇଲା ଭଙ୍ଗୀରେ ଶିଲା କହିଲା, ନା ବିକାଶବାବୁ, ସେ ଏମିତି ନିଦରେ ଶୁଅନ୍ତି ଯେ କେତେବେଳେ ନିର୍ଦ୍ଦିଷ୍ଟ ସମୟରେ ଉଠି କାହା ସହିତ କଥା ହେବାର ମୁଁ କେବେ ଦେଖିନାହିଁ । ତାଙ୍କ ବିନା ଅନୁମତିରେ ଆପଣଙ୍କୁ ସାକ୍ଷାତ କରାଇବା ପାଇଁ କେମିତି କହିବି ? ମତେ ତ ନିଜକୁ ଭାରି ଭୟ ଲାଗେ ତାଙ୍କ ସହିତ କଥା ହେବା ଲାଗି । ଆଉ ମୁଁ ଆପଣଙ୍କୁ ସାକ୍ଷାତ କରାଇବି କ’ଣ ? ତଥାପି ଧୈର୍ଯ୍ୟ ରଖନ୍ତୁ, ତାଙ୍କ ସହିତ ଆପଣଙ୍କର ଥରେ ହେଲେବି ସାକ୍ଷାତ ହେବାର ବନ୍ଦୋବସ୍ତ କରାଇବି ।

 

ଶିଲା ଆଉ ବିକାଶ ପୁଣି ଫେରି ଆସିଲେ ତାଙ୍କର ସେଇ ପୂର୍ବ ସ୍ଥାନକୁ । ସିତାରଟିକୁ ଉଠାଇ ନେଉ ନେଉ ବିକାଶ ପଚାରିଲେ, ସେଇ କୋଠରୀ କ’ଣ ସବୁବେଳେ ବନ୍ଦ ଥାଏ ? କୌଣସି ସମୟରେ ଖୋଲା ହୁଏ ନାହିଁ ?

 

ଖୋଲାହୁଏ ବିକାଶବାବୁ, ଖୁବ୍ ନିର୍ଜନ, ନିଭୃତ ସମୟରେ ଖୋଲାହୁଏ । ସେ ମୁହୂର୍ତ୍ତରେ ଏ’ ପ୍ରାସାଦର ଦରଜା ଫାଟକ ଚତୁର୍ଦ୍ଦିଗ ବନ୍ଦ ଥାଏ । ଏମିତି କି ଗୋଟିଏ କାଉ, କୋଇଲିରବି ଡାକରା ନ ଥାଏ । ସେମିତି ମୁହୂର୍ତ୍ତରେ ଆପଣ ଦିନେ ଆସନ୍ତୁ । ସବୁ ବୁଝିଯିବେ ।

 

ଦେଖା କରିବା ଲାଗି ଏମିତି ସମୟ ଦରକାର ତେବେ ? ମତେ ଦିନ ନିର୍ଦ୍ଦିଷ୍ଟ କରି ଜଣାଇଲେ ମୁଁ ଥରେ ଆସି ନିଶ୍ଚୟ ଦେଖିଯିବି । ହେଲେ ଶିଲା, ତମେ ତ ସେଦିନ ମତେ କହୁଥିଲ, ତମ ଅଭିନେତା ତମଠାରୁ ଅନେକ ଦୂରରେ ଅଛନ୍ତି ବୋଲି । ଥରକ ସାନ୍ନିଧ୍ୟପାଇଁ ତମେ ତାଙ୍କ ଠିକଣା ଦେବାକୁ କହିଥିଲ ମତେ । ଆଜି ତାଙ୍କୁ କୋଉଠୁ କେମିତି ପାଇ କୋଠରୀ ଭିତରେ ବନ୍ଦ କରି ରଖିଛ, ମୁଁ ବୁଝି ପାରୁନି ।

 

ସେଦିନ ଆପଣ କହୁଥିଲେ ନା ବିକାଶବାବୁ, ମୋର ସାମାନ୍ୟ ପାଗଳାମୀ ଅଛି ବୋଲି-। ସେ କହିବା ମୋର ପାଗଳାମୀ ଛଡ଼ା ଅନ୍ୟ କିଛି ନଥିଲା ।

 

ଆଜି ସେ ପାଗଳାମୀ ମୋର ଭାଜି ଯାଇଛି । ଆପଣ ବୁଝି ପାରିବେନି ବିକାଶବାବୁ, ସେ ସବୁ ଗୋପନ ଇତିହାସ । ସେ ଇତିହାସ ଗବେଷଣା ଲାଗି ପ୍ରତୀକ୍ଷାର ସମୁଦ୍ରକୂଳରେ ଆପଣଙ୍କୁ ବହୁଦିନ ଧରି ବସି ରହିବାକୁ ପଡ଼ିବ, ସହସ୍ର ସମୁଦ୍ର ପାର ହେବା ଆଶା ନେଇ । ଆଉ ସେ ଗବେଷଣା ପରେ ହୁଏତ ବହୁ ନୂତନ ତଥ୍ୟ ଆପଣ ଆବିଷ୍କାର କରି ପାରିବେ । ସେତେବେଳକୁ ହୁଏତ ଶିଲା ଆଉ ନ ଥିବ ଆପଣଙ୍କର । ସେ ସେଇ ସହସ୍ର ସମୁଦ୍ରର କେଉଁ ଏକ କ୍ଷୁଦ୍ର କୋଣରେ ବୁଦ୍‌ ବୁଦ୍‌ର ବିନ୍ଦୁଟିଏ ହୋଇ ସବୁଦିନ ପାଇଁ ନିଜକୁ ହଜାଇ ସାରିଥିବ !

 

ଶିଲା କାନ୍ଦୁଥିଲା । ଆଉ ସେ ଅଶ୍ରୁ ରୂପାୟିତ ହେଉଥିଲା ଶିଳ୍ପୀ ବିକାଶଙ୍କ ମନ ସିତାରରେ । ବିକାଶ ନିର୍ବିକାର ହୋଇ ଯାଇଥିଲେ ।

 

ଦୀପାନ୍ୱିତା ଅଧ୍ୟାପିକା ଜୀବନକୁ ପୁନଶ୍ଚ ଫେରିଲା । କ୍ଷୁଦ୍ର ଆନନ୍ଦପୁର କଲେଜର କେତେ ଶହ ଛାତ୍ରଛାତ୍ରୀଙ୍କ ଗହଣରେ ଜୀବନ ବିତେଇ ଦେବାର ସଂକଳ୍ପ କରି ସେଇ ଜୀବନକୁ ପୁଣି ଅତି ଆଗ୍ରହରେ ଗ୍ରହଣ କରିନେଲା ଦୀପାନ୍ୱିତା ।

 

କଲେଜରେ ଜଏନ୍ କରିବାର ପ୍ରାୟ ମାସେ ହୋଇଗଲାଣି । ପ୍ରତ୍ୟହ ଦିନ ଦଶଟାରୁ ପାଞ୍ଚଟା, ନିୟମବନ୍ଧା ରୁଟିନ୍ । ଯିବା ଆସିବା କରୁଛି ଦୀପା । ଆଗ ଅପେକ୍ଷା କଲେଜ ଜୀବନବି କାହିଁକି ତାକୁ ଅଧିକ ଭାବରେ ଭଲ ଲାଗୁଛି । କି ଆକର୍ଷଣ, କି ମମତା ଅଛି–କେଜାଣି, କଲେଜରୁ ଯିବାଠୁ ଆସିବା ପର୍ଯ୍ୟନ୍ତ ପ୍ରତି ମୁହୂର୍ତ୍ତରେ ତା’ରି ଛାଇ, ତା’ରି ଛବି ନାଚି ଉଠୁଛି ଆଖିରେ ଆଖିରେ-। ପ୍ରିନ୍‌ସିପାଲ ମୁଖାର୍ଜୀବାବୁଙ୍କ ଘନିଷ୍ଠ ମମତା, ସହକର୍ମୀମାନଙ୍କ ବେଶ୍ ସ୍ନେହ ସହାନୁଭୂତି ତାକୁ କାହିଁକି ବିଶେଷ ଆପ୍ୟାୟିତ କରୁଛି । କଲେଜ ଛାତ୍ରଛାତ୍ରୀଙ୍କର ମନ ଭିତରେ କାହିଁକି ତା’ ପ୍ରତି ବହୁ ଆର୍ଦ୍ରତା ଭରି ରହିଥିଲା ପରି ମନେ ହେଉଛି । ବିଗତ ଦିନଠାରୁ ସେମାନେ କାହିଁକି ଅଧିକ ସମ୍ମାନ ଦେଖାଉଛନ୍ତି ଦୀପାନ୍ୱିତାକୁ । ଅଧିକ ସହାନୁଭୂତି ଜଣାଉଛନ୍ତି !

 

ମାତ୍ର ସବୁ ଶାନ୍ତି ଭିତରେବି ଅଶାନ୍ତିର ଆଉ କେତେକ କାରଣ ତା’ ମନକୁ ଭୂତ ପରି ମାଡ଼ି ବସିଛି । ଅନ୍ଧକାର ପରି ଛାଇ ମେଲାଇ ବସିଛି । ପରିବାର ଭିତରେ ସେ କାହିଁକି ଆଦୌ ଶାନ୍ତି ପାଉନି । ଜଣାଯାଉଛି ତା’ ଉପସ୍ଥିତିରେ ଅନୁପମାର ଅଶାନ୍ତି ଦିନକୁଦିନ ବଢ଼ୁଚି । ପ୍ରତ୍ୟକ୍ଷରେ ନ ହେଲେବି ପରୋକ୍ଷରେ ତା’ ବିରୁଦ୍ଧରେ ଅନେକଙ୍କ ଆଗରେ ଦେଖେଇ ଶିଖେଇ କହିବାର କୁହାଇବାର ପ୍ରସ୍ତୁତି ଚଳେଇଛି ଅନୁପମା । ବାପା, ଭାଇ ସମ୍ପୂର୍ଣ୍ଣ ନୀରବ । ବାପା ବୟସ୍କ ଲୋକ । ତା’ପରେ ପୁଣି ବୃଦ୍ଧ । ଘରର ବୋହୂକୁ କ’ଣ ଅବା କହିବେ ସେ ? ଝିଅ ଉପରେ ଯେତିକି ଅଧିକାର, ବୋହୂ ଉପରେ କ’ଣ ସେତିକି ଅଧିକାର ଜମେଇ ହୁଏ ?

 

ଅନୁପମା ଘରର ସ୍ତ୍ରୀ । କୁଳଲକ୍ଷ୍ମୀ । ଶଶାଙ୍କ ଅବା କ’ଣ କହିବ ତାକୁ ? ତା’ କଥାରେ ଯଦି ପ୍ରତିବାଦ କରେ, ବରଂ ଅଶାନ୍ତିର ଅନଳ ଅଧିକ ଭାବରେ ହୁତୁହୁତୁ ହୋଇ ଜଳିବ ସିନା, କିଛି ଲାଭ ହେବନି ।

 

ତେଣୁ ମହାଅଡ଼ୁଆରେ ପଡ଼ିଛି ଦୀପାନ୍ୱିତା । ସେ ଏଥିଲାଗି ସ୍ଥିର କରିଛି ଯେ ଘରଭଡ଼ା ନେଇ ବାହାରେ ରହିବ । କିନ୍ତୁ ନିଜର ଏତେ ବଡ଼ଘର ଥାଉ ଥାଉ ସେ ପୁଣି ବାହାରେ ରହିବ ଅନ୍ୟର ଘରଭଡ଼ା ନେଇ ? ଭାବିଲାବେଳକୁ କେମିତି କେମିତି ମନ ଭିତରର ସୂତା ଖିଅଟା ଅଡ଼ୁଆତଡ଼ୁଆ ହୋଇ ଜାଲ ପରି ଗୁଡ଼ାଇ ହୋଇଯାଉଛି । ଲୋକେ କହିବେ କ’ଣ ? ଆନନ୍ଦପୁର ସହରରେ ଅବା କିଏ ନ ଜାଣେ ତାକୁ ? ବାପା ଭାଇଙ୍କର ବଦନାମ ହେବ । ବିଧବା ଝିଅଟା ବାପାଭାଇଙ୍କଠାରୁ ଦୂରରେ ରହୁଛି । ବାପାଭାଇ ବୋଧହୁଏ କିଛି କହିଲେ ତାକୁ । ଛିଛାକର କଲେ-। ଏଇପରି ଅନେକ ଅନେକ ଗୁଜବ ଉଠିବ । ସେସବୁ ସହି ପାରିବନି ଦୀପା । ବରଂ ଏ ଗାଳି ଅଶାନ୍ତିକୁ ମୁଣ୍ଡରେ ମୁଣ୍ଡେଇ, ମନରେ ଚାପି ଧରି ସେ ସହିଯାଇ ପାରିବ କିନ୍ତୁ ସେ ପ୍ରକାର ବଦନାମକୁ ବୋହି ପାରିବନି ସେ ।

 

ଅନୁପମା ଘରର ଏପାଖ ସେପାଖ ହେଉ ହେଉ ଦୀପାନ୍ୱିତାକୁ ଦି’ଥର ତାଗିଦ୍ କରି ଦେଇଗଲାଣି ଏ ଭିତରେ । ଅପା, କଲେଜ ବେଳ ହେଲାଣି । ଦଶଟା ସେ ପାଖକୁ ଛୁଇଁଲାଣି ସମୟ । ଯିବନି କି ଆଜି ?

 

ବିରସ ମୁହଁରେ କୃତ୍ରିମ ହସ ଫୁଟାଇ ଛୋଟ ଉତ୍ତରଟିଏ ଦେଲା ଦୀପା । ମୋ’ କାମ ସରିଲାଣି । ଏଥର ବାହାରି ପଡ଼ିବି ।

 

ଅନୁପମା ଏ’ ଘରୁ ଯେମିତି ତାକୁ ତଡ଼ିବାକୁ ସବୁବେଳେ ବ୍ୟସ୍ତ । ପ୍ରତି କଥାରେ ଦୁର୍‌ଦୁର୍ ମାର ମାର କରୁଛି ଦୀପାକୁ । ପରୋକ୍ଷରେ ତାକୁ ଜଣେଇ ଦେଉଛି, ତମେ ଏ’ ଘରକୁ ନ ଆସିଲେ ଆମର ମଙ୍ଗଳ ହେବ ଅପା । ସକାଳୁ ଉଠି ନିତି ବିଧବା ନାରୀର ମୁହଁ ଚାହିଁଲେ କି’ ଅମଙ୍ଗଳ, ସେକଥା ତମେ କେମିତି ବୁଝିବ ?

 

ଅଜାଣତରେ ଦି’ଟୋପା ଲୁହ ଝରିପଡ଼ିଲା ଆଖିରୁ । ଦୀପା କାନ୍ଦୁଛି; ସତେ ଯେପରି ଦୀପାର ଜନ୍ମ କେବଳ କାନ୍ଦିବାପାଇଁ ! କେବଳ ସୃଷ୍ଟି ତା’ର ଲୁହ ଝରିବାପାଇଁ ! ଏ ସାରା ସୃଷ୍ଟିର ଲୁହର ସମୁଦ୍ରକୁ ଦୀପା ଯେମିତି ତା’ ଆଖିରେ ତୋଳି ଧରିଛି !

 

ଲୁଗା କାନିରେ ଲୁହ ପୋଛି ଆଗକୁ ପାଦ ବଢ଼େଇଲା ଦୀପା । ଅନୁ ପଛରୁ ଡାକ ପକାଉଛି । ଆଜି କ’ଣ ଖାଇବାକୁ ମନେ ପଡ଼ୁନାହିଁ କି ?

 

କ’ଣ ଲୁଗା ପିନ୍ଧି ବାହାରି ପଡ଼ିଲଣି ଯେ । ଛୁଆଙ୍କ ପରି ସବୁଦିନ ତମ ପଛରେ କିଏ ଗୋଡ଼େଇବ ଖାଇବାକୁ ଡାକିବାପାଇଁ ? ତମେ କ’ଣ ଏ ଘରର କୁଣିଆ ହୋଇଛ, ପିଢ଼ା ସଜେଇ ଖାଇବାକୁ ବଢ଼ାଯିବ ?

 

ହସିଲା ଭଙ୍ଗୀ ଫୁଟେଇ ଧୀର ସ୍ଵରରେ ଉତ୍ତର ଦେଲା ଦୀପା । ସେକଥା ନୁହେଁଲୋ ଅନୁ, ଆଜି ମୋ’ ଦେହଟା କାହିଁକି, ଭଲ ଲାଗୁନି । ସେଇଥିପାଇଁ ଖାଇବାବୁ ଇଚ୍ଛା ନାହିଁ । କଲେଜ ବେଳ ତ ହୋଇଗଲାଣି । ପଳେଇଯାଉଛି । ଫେରିଲେ ଯଦି ଇଚ୍ଛା ହେବ ଖାଇବି । ତୁ’ ବ୍ୟସ୍ତ ହ’ନା-

 

ମୁହଁକୁ ସାମାନ୍ୟ ମୋଡ଼ି ବିଦ୍ରୂପ ଠାଣିରେ ଅନୁପମା କହିଲା, ସେତିକି କହିଦେଇ ଯିବାକୁବି ବେଳ ହୋଇ ଯାଇଥିଲା ନା କ’ଣ ? ପଚାରିଲେ ତ କହିବ, ନଇଲେ ନାଇଁ । ଏ’ଗୁଡ଼ା କୋଉ ଶିଷ୍ଟାଚାରମ’ ।

 

ଦୀପାନ୍ୱିତା ମନେମନେ ହସି ଆଗକୁ ପାଦ ବଢ଼େଇଲା । ଅନୁପମା ବଢ଼ାଇ ଦେଉଛି ତାକୁ ଶିଷ୍ଟାଚାର କଥା । ଜୀବନର ସେ ସାରା ମୁହୂର୍ତ୍ତ କଟାଇ ସେ ଅନେକ କଥା ଶିଖିଥିଲା ମାତ୍ର ଏଇ କଥାଟି ଶିଖିବାକୁ କେଉଁ କାରଣରୁ ଭୁଲି ଯାଇଥିଲା ସେ । ଅନୁପମା ତାକୁ ଆଜି ମନେପକାଇ ଦେଇଛି ! ସ୍ମରଣ କରାଇ ଦେଇଛି !

 

ପେଟରେ ଭୋକ ଥାଇ ଉପାସରେ ଏମିତି ଅନେକ ଦିନ ତା’ ଦେହ ଭଲ ନାହିଁ ବୋଲି କହି କଲେଜ ଯାଏଁ ଦୀପା । ସେ ଅସୁସ୍ଥତା ତା’ର କେଉଁ କାରଣରୁ ଶରୀରର କେଉଁ କୋଣରେ ଲୁଚିଛପି ଅଛି । ତାହା କେହି କହିପାରନ୍ତି ନାହିଁ । କେହି ବୁଝନ୍ତି ନାହିଁ । ଶାରୀରିକ ଅସୁସ୍ଥତା ଥିଲେ ସିନା ଡାକ୍ତର ଦେଖାଇ ନିଜକୁ ସୁସ୍ଥ କରିବାକୁ ଚେଷ୍ଟା କରନ୍ତା ସେ । ଅସୁସ୍ଥତା ତା’ର ଶରୀରରେ ନାହିଁ, ଅଛି ହୃଦୟରେ ମନରେ । ଉ‌ଜ୍ଜୀବିତ ଚିନ୍ତାରାଶିର ପ୍ରତି ସ୍ତରେ ସ୍ତରେ ।

 

ଆଜିର ବୈଜ୍ଞାନିକ ଯୁଗରେ ଶରୀର ସୁସ୍ଥ ରହିବାପାଇଁ ଏ ମଣିଷ ଉଦ୍ଭାବନ କରିଛି ବହୁ ଔଷଧ, ବହୁ ଯନ୍ତ୍ରପାତି ।

 

ବହୁ ବିଜ୍ଞାନ ସମ୍ବନ୍ଧୀୟ ସରଞ୍ଜାମ । ହେଲେ ବିଜ୍ଞାନ କ’ଣ ଉଦ୍ଭାବନ କରିପାରିବ ମନର ଅସୁସ୍ଥତା ପାଇଁ ଔଷଧ ଆଉ ବୈଜ୍ଞାନିକ ଉପକରଣ ସାମଗ୍ରୀ ? ସେ କ’ଣ ଅନୁଭବ କରିପାରିବ ମନ ଜ୍ଵଳନର ରୋଗ କେଡ଼େ ତୀବ୍ର, କେଡ଼େ ଉତ୍କଟ ? ସେ ପାରିବନି । କଦାପି ପାରିବନି ।

 

ଘରୁ ଯାଇ ଦୀପାନ୍ୱିତା କଲେଜରେ କେଉଁଦିନ ଦି’ ଚାରିଟା କେକ୍, ମଟନଚପ୍ ଅଥବା ଦେଶୀ ଖାଦ୍ୟ ବାଇଗଣ ଭାଜି ଖାଇ ଭୋକ ମାରିନିଏ । କଲେଜରେ କେହି ପଚାରିଲେ ମିଥ୍ୟାର ଆଶ୍ରୟ ନେଇ ତାକୁ ଛଳନା କରିବାକୁ ପଡ଼େ । ଏଣୁତେଣୁ ଗୁଡ଼ାଏ ଅବାନ୍ତର କଥା କିହି ଠକିବାକୁ ପଡ଼େ ବନ୍ଧୁବାନ୍ଧବୀମାନଙ୍କୁ । ମାତ୍ର ଠକିପାରେ ନାହିଁ ଜଣଙ୍କୁ । ସେ ହେଲେ ଲତିକା ଭାଉଜ । ଯେତେ ଯାହା କହି ଲୁଚେଇଲେବି ସେ କଥାଟାକୁ ଖୁବ୍ ସହଜରେ ଧରିନିଅନ୍ତି । ଜୋର୍ ଜବରଦସ୍ତି ଭିଡ଼ି ନେଇ ମାଡ଼ିମକଚି ଗୁଣ୍ଡା ଗିଳେଇ ଦିଅନ୍ତି ନିଜ ଘରେ । କଲେଜଠାରୁ ତାଙ୍କ ଘର ଅତି ପାଖ । ଲିଜର ପିରିୟଡ଼୍ ଅଥବା ରିକ୍ରେସନ୍‌ରେ ଦୀପାନ୍ୱିତାକୁ ଖୁଆଇବାର ପ୍ରତିଦିନ ବ୍ୟବସ୍ଥା କରିଥାଆନ୍ତି ସେ । ଦୀପାନ୍ୱିତା ମନାକରି ପାରେ ନାହିଁ । ଯୁକ୍ତି ବାଢ଼ିପାରେ ନାହିଁ । ଛୋଟପିଲାଟିଏ ପରି ଲତିକାଙ୍କ କଥାକୁ ମାନିନେଇ ସେ ଚଳେ । ଲତିକା ତା’ର ସହପାଠିନୀ ଓ ସହକର୍ମିଣୀ ହେଲେବି ଦୀପାନ୍ୱିତାର ସେ ଯେମିତି ମା’, ଜନନୀ, ଭଗ୍ନୀ–ଜନ୍ମଦାତ୍ରୀ ଓ ପାଳନକର୍ତ୍ତ୍ରୀ ! ଏକାଧାରରେ ଯିଏ ଜନ୍ମ କରିଛି, କାଖେଇ କୋଳେଇ ମଣିଷ କରିଛି, ସ୍ନେହ–ମମତାର ଉତ୍ସଧାରା ବୁହାଇ ପ୍ରାଣକୁ ତା’ର ପ୍ଳାବିତ କରିଛି !

 

କୌଣସି ଏକ ଲକ୍ଷ୍ୟରେ ଚିନ୍ତାରେ ଏକାଗ୍ରତା ରଖି ଚାଲିଲେ ମଣିଷ କିଛି ଶୁଣିପାରେନା-। ଦୀପାନ୍ୱିତାର ଇଏ ପୁଣି ଦୁଶ୍ଚିନ୍ତା ! ସହଜରେ ପ୍ରାଣକୁ ବିଷାକ୍ତ, ତୀବ୍ର କରି ପକାଇବ-! ସେ ବା ଶୁଣି ପାରନ୍ତା କେମିତି ? ଲତିକା ପଛରୁ ଡାକ ପକାଉଛନ୍ତି ଅଥଚ ଶୁଣି ପାରୁନି । ଲତିକାଙ୍କ ହାତର ସ୍ପର୍ଶରେ ଦୁର୍ଭାବନାରୁ ଫେରିଲା ଦୀପାନ୍ୱିତା । ଭାଉଜ, ତମେ ?

 

ସ୍ମିତ କୋମଳ ଗଳାରେ ଭଗ୍ନୀସୁଲଭ ସ୍ୱରରେ ଲତିକା କହିଲେ, ରାସ୍ତାରେ ଏମିତି ଅନ୍ୟମନସ୍କା ହୋଇ ଚାଲିଲେ କେମିତି ତମେ ଚଳିବ ଦୀପା ? ବହୁ ଦ୍ରୁତଗାମୀ ଯାନବାହନ ଯିବାଆସିବା କରୁଛି–ଦୁର୍ଘଟଣା ପ୍ରତି ପାଦପାଦକେ ଅଛି । ଦୁର୍ଘଟଣା ନ ଘଟିଲେବି ତମେ ଅପ୍ରତିଭ ହୋଇ ପଡ଼ିବ । ଅସଂଯତ ହୋଇ ପଡ଼ିବ ଟିକେ ଘଟଣାରେ ।

 

ମୁଁ ଅନ୍ୟମନସ୍କା ନଥିଲି ଭାଉଜ । ତମେ ଏମିତି କାହିଁକି ଭାବିଲ ?

 

ପୁଣି ମିଛ କହୁଛ ଦୀପା ? ଅନ୍ୟମନସ୍କା ଥିଲ । ନ ହେଲେ ମୁଁ ପଛରୁ ଏତେ ଡାକୁଚି, ଶୁଣିପାରନ୍ତ ନାହିଁ ?

 

ଏ’ ଯାନବାହନ ଯିବାଆସିବା ଶବ୍ଦରେ ବୋଧହୁଏ ଶୁଣିପାରି ନାହିଁ ଭାଉଜ, ମତେ କ୍ଷମାକର ।

 

କିନ୍ତୁ ଦୀପା, ସତରେ ତମେ ମିଛ କହିବାକୁ ଯାଇ ଧରା ପଡ଼ିଗଲ ।

 

କେମିତି ଭାଉଜ ?

 

ମୁଁ ତମକୁ ଡାକିବା ଭିତରେ ଲକ୍ଷ୍ୟ କରିଛି, ଆମକୁ ଅତିକ୍ରମ କରି ଗୋଟିଏ ହେଲେବି କୌଣସି ଯାନବାହନ ଯାଇନାହିଁ । ଅଥଚ ତମେ କହୁଛ–

 

ଓଃ ଭାଉଜ, ତମ ସହିତ ମୁଁ ଆଉ ଯୁକ୍ତିରେ ପାରିବି ନାହିଁ ।

 

କଥାକୁ ଗୋଳେଇ ଦେବାକୁ ଯାଇ ଈଷତ୍ ହସି କହିଲା ଦୀପାନ୍ୱିତା ।

 

ସେ କଥାର କଥା ବଢ଼େଇବାକୁ ଆଉ ଇଚ୍ଛା କଲେ ନାହିଁ ଲତିକା । କହିଲେ ଦୀପା, ଏକଥା ଏତିକିରେ ଥାଉ । ଆଜି ମୁହଁଟା ତମର କାହିଁକି ବହୁତ ପାଉଁଶିଆ ଦିଶୁଛି । କ’ଣ ବେଜାଏ ପାଉଡ଼ର ଏକାଥରକେ ବୋଳି ପକାଇଛ କି ମୁହଁରେ ?

 

ପରିହାସୋକ୍ତି ବାଢ଼ିଲେ ଲତିକା ।

 

ଦୀପାନ୍ୱିତା ହସିଲା । ସେଇ ପାଣିଚିଆ ହସ । ସେ ହସରେ କିଛି ନୂତନ ରଙ୍ଗ, ନୂତନ ବର୍ଣ୍ଣ ନାହିଁ ।

 

ତା’ର ଦୀପ୍ତି ଯେମିତି ଅଧିକ ମଳିଚିଆ ହୋଇ ପଡ଼ିଛି । ଆଗ ଅପେକ୍ଷା ଗଳାକୁ ସାମାନ୍ୟ ଭାରିକରି ସେ କହିଲା, ଭାଉଜ, ହାତର କାଚ ଆଉ ସୀମନ୍ତର ସିନ୍ଦୂର ଖସିପଡ଼ିବା ଦିନୁ ମୁହଁରେ ପାଉଡ଼ର କ’ଣ ଦେହପିନ୍ଧା ଲୁଗା ପରିଷ୍କାର କରିବାକୁବି ଭୁଲି ଯାଇଛି–ତମେ କ’ଣ ଜାଣିନ-? କେଉଁ ସୌଭାଗ୍ୟ ନେଇ ତମ ଦୀପା ଆଉ ମୁହଁରେ ପାଉଡ଼ର ବୋଳିବ କହିଲ ? ମୁହଁ ତ ତା’ର ସବୁଦିନ ପାଇଁ ପୋଡ଼ିଯାଇଛି । ପୋଡ଼ାମୁହଁରେ ପାଉଡ଼ର ବୋଳିଲେ ପାଉଡ଼ରର ରଙ୍ଗଟା ବରଂ କଳା ପଡ଼ି ଯିବ ସିନା, ଧଳାର ଚିହ୍ନ ରହିବନି ମୋଟେ ।

 

ଲତିକା ଆହତ ହେଲେ ଦୀପାର କଥାରେ । ବାଟ ଚାଲୁ ଚାଲୁ ହାତଟାକୁ ତା’ର ଜାବୁଡ଼ି ଧରି କହିଲେ, ଛି ସୁନାଟା ପରା, ଏମିତି କହନ୍ତି ? କ’ଣ ହୋଇଯାଇଛି ତମର ? ତମ ମୁହଁ କାହିଁକି ପୋଡ଼ିବ କହିଲ ? ଏମିତି ଦୁନିଆରେ ଲକ୍ଷ ଲକ୍ଷ ଘଟଣା ଘଟୁଛି । ତମ ଜୀବନରେ ତ ତା’ ତୁଳନାରେ ବିନ୍ଦୁବିସର୍ଗ ଘଟିନାହିଁ । ତମ ଆଖି ଆଗରେ ତ ହେମାଙ୍ଗିନୀ, ସ୍ଵର୍ଣ୍ଣଲତା, ପ୍ରତିଭା କ’ଣ କ’ଣ ସବୁ କରି ଦେଇଗଲେ ଦେଖିଲ । ସେମାନଙ୍କ ବ୍ୟଭିଚାରଠୁଁ ତମ ଦୋଷଟା କ’ଣ ଏମିତି ବିରାଟ ? ହେମାଙ୍ଗିନୀ ସ୍ଵାମୀକୁ ତା’ର ଡାଇଭୋର୍ସ୍ କରି ବିଲାତଫେରନ୍ତା ଇଞ୍ଜିନିୟର୍ ସାଙ୍ଗରେ ଚାଲିଗଲା । ସ୍ଵର୍ଣ୍ଣଲତା ପତିର ଅପାରଗତା ଓ କାର୍ଯ୍ୟ ଅକ୍ଷମତା ଯୋଗୁଁ ବହୁ ଦିନ ଧରି ବିଚ୍ଛେଦ ହୋଇ ରହିଛି ଆଉ ପ୍ରତିଭା ତା’ ସ୍ଵାମୀର କଳଙ୍କିତ ଚରିତ୍ରକୁ ଦୁନିଆ ଦାଣ୍ଡରେ ଦେଖାଇ ତାକୁ ବିଷ ପ୍ରୟୋଗ କରି ମାରିବାକୁ ପ୍ରଚେଷ୍ଟା କରିଥିଲା । ସେମାନଙ୍କ ତୁଳନାରେ ତମ ଆଦର୍ଶ କେଉଁ ଅନାଦର୍ଶରେ ପରିଣତ ହୋଇଛି, ମୁଁ ବିବେଚନା କରିବି ବୁଝି ପାରିନି । ଦୀପା, ଏଇମାନଙ୍କୁ ତମେ ଦିନେ ଆଦର୍ଶ ଗୃହିଣୀ, ପତିବ୍ରତା ନାରୀ, ସ୍ଵାର୍ମାସୁହାଗିନୀ ବୋଲି ଆଖ୍ୟା ଦେଇ ମୋ’ ସହିତ ଯୁକ୍ତି ବାଢ଼ିଥିଲନା ? ଦେଖିଲ ଆଜି, କ’ଣ ହେଲା ସେମାନଙ୍କର ଜୀବନ ? ଜାଣି ଜାଣି ସେମାନଙ୍କ ଜୀବନକୁ ସେମାନେ କାହିଁକି ନଷ୍ଟ କରିଦେଲେ କହି ପାରିବ ?

 

କି ଦୁରଭିସନ୍ଧି ୟା’ ମୂଳରେ ନିହିତ ଥିଲା, କେବେ ଚିନ୍ତା କରି ଜାଣିଛ ?

 

ଦୀପାନ୍ଵିତା ବଲବଲ ହୋଇ ମୁହଁକୁ ଚାହିଁଲା ଲତିକାଙ୍କର । ଅଭିସନ୍ଧି ମୂଳରେ ଥିଲା ସେମାନଙ୍କର ସ୍ଵାର୍ଥର ସୁଖସ୍ଵପ୍ନ । ବିଳାସବ୍ୟସନ, ସମ୍ଭୋଗ । ପ୍ରତ୍ୟେକ ନାରୀ ସେଇଆ ଚାହେଁ, ତେବେ ସେମାନଙ୍କର ଏତିକି ଭୁଲ୍ ରହିଗଲା, ଆଦର୍ଶକୁ ମୂଳମନ୍ତ୍ର କରି ଯଦି ସୁଖସ୍ଵପ୍ନ, ସମ୍ଭୋଗକୁ ଧରି ରଖି ପାରିଥାନ୍ତେ, ତେବେ ସେମାନଙ୍କ ଜୀବନ ହୋଇ ଉଠିଥାନ୍ତା ଅମୃତମୟ । ଦୀପାନ୍ଵିତା, ତମେ ତ ଆଦର୍ଶକୁ ଧରି ରଖିପାରିଛ ଆଉ ତମେ ଅଧିକ କ’ଣ କରିଥାନ୍ତ ? ତମେ ତ ତମ କର୍ତ୍ତବ୍ୟପଥରୁ, ଲକ୍ଷ୍ୟପଥରୁ ବିଚ୍ୟୁତ ହୋଇ ନାହଁ । ତମକୁ କିଏ ଦୋଷ ଦେବ ? ତମ ନାଆଁରେ କିଏ କଳଙ୍କର ଟିପଚିହ୍ନ ମଡ଼ାଇବ ? ତମେ ଯାହା ଭୋଗିଛ, ସେ ତମ କପାଳର ଦୋଷ । ଯଦି ନିଜେ ସ୍ରଷ୍ଟା ହୋଇଥାନ୍ତେ, ସେ ବି ଭୋଗିଥାନ୍ତେ ଏଇ ଦୁଃଖ, ଏଇ କଷ୍ଟ । ତାକୁ ରୋକିବାକୁ କାହାର ଚାରା ଅଛି କହିଲ ? ତମେ ତ ଜାଣିଛ, ସୃଷ୍ଟିରେ ଯେ କେହି ଜନ୍ମେ, ଏ’ ଯାତନା ତାକୁ ସହିବାକୁ ପଡ଼େ । ତମେ ତମର ଧର୍ମରକ୍ଷା କରିଛ ଦୀପାନ୍ୱିତା, ତମର ଏଥିରେ ଭୁଲ୍ କ’ଣ ? ଦୋଷ ରହିଲା କେଉଁଠି ?

 

ଏକନିଃଶ୍ଵାସରେ ଏତକ କହି ଦେଇ ସାମାନ ବିରତି ଟାଣିଲେ ଲତିକା । ପୁଣି କହିଲେ ଦୀପାନ୍ୱିତା, ଦଶନଖରୁ ନଖେବି ସରିନାହିଁ ତମର ସମୟ । ସମରୂପଶ୍ରୀ ତନୁବଲ୍ଲରିକୁ ମଳୟବି ତ ଏ’ ପର୍ଯ୍ୟନ୍ତ ସ୍ପର୍ଶ କରି ପାରିନାହିଁ । ତମ ଉପଭୋଗ୍ୟ ସମୟ କାଣିଚାଏବି ଅତିକ୍ରାନ୍ତ ହୋଇ ନାହିଁ । ତମେ ପୁଣି ତମର ସେଇ ସୁଦୀର୍ଘ ସ୍ଵପ୍ନାୟିତ ଅତୀତକୁ ଲେଉଟିଯାଅ । ଯେଉଁଠି ତମେ ତମ ମନର ରଙ୍ଗବୋଳି ଜୀବନକୁ ସହସ୍ର ରଙ୍ଗରେ ଲୋଭନୀୟ କରୁଥିଲ । ଯେଉଁଠି ତମେ ଦେଖୁଥିଲ–ଅୟୁତ ବର୍ଣ୍ଣିଳ ସ୍ଵପ୍ନ । ଉଦୟ; ଅସ୍ତ ସୂର୍ଯ୍ୟର ସମୁଦ୍ର ଢେଉର ବିକଶିତ ବର୍ତ୍ତୁଳାକାର ଜହ୍ନ ।

 

ସେଇ ନଦୀର ଢେଉ, ସେଇ ବାଲି, ବାଲିର ପାହାଡ଼ । ସେଇ ବଣ । ଝାଉଁବଣ ଆଉ ତମ କୁଡ଼ିଆ; ନଡ଼ା ଚାଳର ଛୋଟ କୁଡ଼ିଆ ଖଣ୍ଡି ପୂର୍ବର ସେ ଆଗ୍ରହ ନେଇ ତମକୁ ଚାହିଁଛନ୍ତିହିଁ ଚାହିଁଛନ୍ତି । ତମେ ସେମାନଙ୍କୁ ଠୁକୁରାଇ ଦିଅ ନାହିଁ । ନିଜ ଉପରେ ଅଭିମାନ କରି କରି ସ୍ନିଗ୍ଧ ପ୍ରାଣକୁ ଜାଳିପୋଡ଼ି ପକାଅ ନାହିଁ । ଅତୀତର କିଶୋରୀ ଭୂମିକାରେ ଅବତୀର୍ଣ୍ଣ ହୋଇ ତମେ ଦେଖ । ପୁଣି ତମ ତିକ୍ତ ଆଉ ବିଷାକ୍ତ ଜୀବନ କେମିତି ଅମୃତମୟ ସରସତାରେ ନାଚି ଉଠୁଛି I ହସି ଉଠୁଛି ! ଆଉ ତମ ପ୍ରାଣର ସାଥୀ ବିକାଶ ! ଦୀର୍ଘ ଏତେ ଦିନ ଭିତରେ କେବେ ପଚାରିଛ ତା’ କଥା ଦୀପାନ୍ଵିତା ? ସେ ମରିଛି କି ବଞ୍ଚିଛି । ସେ ହସୁଛି କି କାନ୍ଦୁଛି ! ସେ ଏଠି ଅଛି କି କୁଆଡ଼େ ଗଲାଣି, କେବେ ମନେ ପକେଇଛ ? ପକେଇ ନାହଁ । କାହିଁକିନା ତମ ଭଲ ପାଇବା, ତମ ସ୍ନେହ, ପ୍ରେମ ସବୁ ସମାଧିସ୍ଥ ହୋଇଛି । ତମର ପ୍ରତୀକ୍ଷା, ତମର ସ୍ମରଣ ତା’ ପ୍ରତି ଏ ଜନ୍ମରେ ଯେମିତି ଶେଷ ହୋଇଛି । ତା’ କଥା ବୁଝିବା ତମର ଯେମିତି ଆଦୌ ଆବଶ୍ୟକତା ନାହିଁ ଆଉ ।

 

ଦୀପାନ୍ୱିତାର ରକ୍ତ ଚହଲି ଉଠିଲା । ମନେ ହେଲା, ଆଗ ଦିନ ଭଳି ରକ୍ତରେ ତା’ର ଆଜି ଯେମିତି ତୋଫାନ ଉଠୁଛି ! ପ୍ରଚଣ୍ଡ ତୋଫାନ । ସେ ତୋଫାନର ଉଦ୍‌ବେଳନରେ ତା’ ମନର ସୂକ୍ଷ୍ମ ପରଦାଟା ଚିରି ଚିରି ଯାଉଛି । ସେ ଛିନ୍ନ ପରଦା ଉପରେ ପ୍ରତିଫଳିତ ହୋଇ ଉଠୁଛି ବିଗତର ସେଇ ସୁପ୍ତ ସ୍ମୃତି ! ଯେଉଁ ସ୍ମୃତି କି ଜୀର୍ଣ୍ଣଶୀର୍ଣ୍ଣ ବିଦୀର୍ଣ୍ଣ ମ୍ଳାନ ଅପରାହ୍ନର ଶେଷ ରଶ୍ମି ପରି ମହଳଣ ପଡ଼ିଛି । ତେଜ ତା’ର ନିଷ୍ପ୍ରଭ, ରଙ୍ଗହୀନ ହୋଇପଡ଼ିଛି ।

 

ଦୀପାନ୍ଵିତାର ହୃଦୟ ଭିତରେ ଆଜି ଅନେକ ଆବଦ୍ଧ ଅଭିବ୍ୟକ୍ତି ମୁକୁଳିତ ହୋଇ ଉଠିଛନ୍ତି । ସେ ମୁକୁଳା ଅଭିବ୍ୟକ୍ତିକୁ ତନ୍ନତନ୍ନ କରି ଦେଖୁଛି ଦୀପା । ତା’ ମଧ୍ୟରୁ ସେ ତା’ର ଫିଙ୍ଗି ଦେଇ ଆସିଥିବା ସ୍ଵର୍ଣ୍ଣାଭ ଅତୀତକୁ ଗୋଟାଇ ଆଣିବାକୁ ପଛକୁ ଫେରୁଛି ପୁଣି ।

 

ଲତିକା କହିଲେ, ବିକାଶ ସମ୍ପର୍କରେ ମୁଁ ଯାହା କହିଲି କ’ଣ କାନକୁ ଛୁଇଁଲାନି ଦୀପା ?

 

ନିରବ ରହିଲ ଯେ ! କିଛି ଉତ୍ତର ଦେବାକୁ ଇଚ୍ଛା କରୁନାହଁ ନା କ’ଣ ? ଦୀପାନ୍ୱିତା, ତମ ବୟସର ବାଟଟା ବହୁ ଆଗକୁ ଲମ୍ବିଛି । ତମେ ମୋ’ ତୁଳନାରେ ଅତି ପିଲା । ଆମେମାନେ ଯେତେବେଳେ ଜୀବନକୁ ସରସ, ଉପଭୋଗ୍ୟ କରି ବିତେଇବାକୁ ଚାହୁଁଛୁ, ତମେ ସେତେବେଳେ ଯଦି ସନ୍ନ୍ୟାସିନୀ ଭଳି ଜୀବନ କାଟିବାକୁ ଇଚ୍ଛା କରିବ, ଆମକୁ ବାଧିବ ନାହିଁ ? ତମେ ତମ ମନ ଭିତରେ ଗଭୀର ଭାବରେ ଚିନ୍ତା କର, ମୁଁ ତମକୁ ଯାହାସବୁ କହୁଛି, ଠିକ୍ ନା ଭୁଲ୍ ? ଯୌବନ ସମୟରେ ବୟସକୁ ଯଦି ଉଚିତ ଭାବରେ କଟାଇ ଦିଆ ନ ଯାଏଁ ତେବେ ପ୍ରାଣ ବ୍ୟର୍ଥ ମନେ ହେବ ଦୀପା ଯେତେବେଳେ ଯୌବନର ସୀମା ଅତିକ୍ରମ କରି ବୟସର ଶେଷ ସୀମାରେ ପହଞ୍ଚିବ ତମେ-! ଯେତେବେଳେ ବେଦନାର ଘୂର୍ଣ୍ଣବାୟୁ ଲଘୁଚାପ ସୃଷ୍ଟି କରି ଗୁରୁଚାପରେ ପରିଣତ ହେବ, ସେ ସମୟ ତମେ ସହି ପାରିବନି, ତମ ପକ୍ଷରେ ଖୁବ୍ ଅସହ୍ୟ ହୋଇପଡ଼ିବ ।

 

ଦୀପା, ତମ ଇଚ୍ଛା ବିରୁଦ୍ଧରେ ତମକୁ ବିବାହ ଦେଇ ତମ ବାପା, ଭାଇ ଆଜି ଗଭୀର ଅନୁତପ୍ତ । ତମ ଜୀବନର ପ୍ରତିକୂଳ ଅବସ୍ଥା ଓ ପରିସ୍ଥିତି ପାଇଁ ନିଜକୁ ସେମାନେ ଦୋଷୀ ସାବ୍ୟସ୍ତ କରୁଛନ୍ତି । ବର୍ତ୍ତମାନର ପରିସ୍ଥିତି ଅନୁସାରେ ତମେବି ଶାନ୍ତିରେ ରହିପାରୁ ନାହଁ । ତେଣୁ ମୁଁ ଅନୁରୋଧ କରୁଛି, ତମେ ଆଉଥରେ ବିବାହ କରି ତମ ଜୀବନକୁ ବିଦଗ୍ଧ ଅନଳ ଭିତରୁ ଉଦ୍ଧାର କର ।

 

ଦୀପାନ୍ୱିତାର ସ୍ମରଣ ହେଲା, ଏଇ ଅନୁରୋଧ, କେବଳ ଏଇ ଗୋଟିକ ଅନୁରୋଧ ସେ ସମସ୍ତଙ୍କଠାରୁ ଶୁଣି ଆସୁଛି । ଏଇ ଅନୁରୋଧ ସେ ପ୍ରଥମ କରି ବିକାଶଠାରୁ ଶୁଣିଥିଲା । ଏଇ ଅନୁରୋଧ ପୁଣି ତା’ର ସ୍ନେହମୟୀ ଶାଶୁ କରିଥିଲେ । ପୁଣି ଏଇ ଅନୁରୋଧ ଆଜି ତୃତୀୟ ବାର ଲତିକା ଭାଉଜ କରୁଛନ୍ତି । ଏଇ ଅନୁରୋଧ କ’ଣ ତା’ର ଏକାନ୍ତ ଭାବରେ ଗ୍ରହଣ କରିବା ଉଚିତ ? ଏଇ ଅନୁରୋଧ ବିନା କ’ଣ ନାରୀର ଜନ୍ମ ଅସମ୍ପୂର୍ଣ୍ଣ ରହିଯାଏ ? ଏଇ ଅନୁରୋଧ ନାରୀ ଜୀବନର କ’ଣ ସବୁଠାରୁ ବିରାଟ କାମ୍ୟ ?

 

କିଛି ବିଚାର କରିପାରୁନି ଦୀପାନ୍ୱିତା । ବିଚାରଶକ୍ତି ତା’ର ଅଚଳ ହୋଇପଡ଼ିଛି ଯେପରି-

 

ତା’ର ଚିନ୍ତାଶକ୍ତିରେ ଯେମିତି କେହି ଶକ୍ତ ତାଲାଟାଏ ବାଧ୍ୟ କରି ପକାଇ ଦେଇଛି ! ଆଉ ସେ ତାଲାର ଚାବି ମଧ୍ୟ କୋଉଠି ଆକସ୍ମିକ ଭାବରେ ହଜିଯାଇଛି । ସେ ତାଲାର ଚାବି କ’ଣ ଆଉ ସତରେ ମିଳିବ ? ଦୀପାନ୍ୱିତା ପୁଣି ଚାଲିଲା ବାଟରୁ ଆଉଥରେ ପଛକୁ ଫେରିବ ? ପୋତି ଆସିଥିବା ସ୍ମୃତିକୁ ପୁଣିଥରେ ବିସ୍ମୃତିର ଯୋଜନ ଖୁଣ୍ଟ ତଳୁ ମାଟିଖୋଳି ପଣତକାନିରେ ଯତ୍ନରେ ବାନ୍ଧି ବର୍ତ୍ତମାନକୁ ଫେରି ଆସିବ ?

 

ଲତିକା ପୁନଶ୍ଚ ଆରମ୍ଭ କଲେ । ଦୀପା, ଭାବିବାର ବେଳ ନାହିଁ ଆଦୌ । ତମେ ଆଜି ସ୍ଵାଧୀନ l ତମର କାର୍ଯ୍ୟ ଉପରେ ଆଜି ଆଉ କେହି ମୁରବି ସାଜିବେ ନାହିଁ । କେହି ହସ୍ତକ୍ଷେପ କରିବେ ନାହିଁ ଯେ ତମେ କାହିଁକି ପୁନଶ୍ଚ ଏଇ ଭୁଲ୍ କରିବାକୁ ଯାଉଛ । ତମେ କିଛି ଭୁଲ୍ କରିନାହଁ-। ତମେ ଜଣଙ୍କୁ ଭଲ ପାଇଛ । ହୃଦୟ, ମନ, ସ୍ଵଚ୍ଛ, ଶୁଦ୍ଧଭାବରେ ଉତ୍ସର୍ଗ କରିଛ । ଭଲ ପାଇବାକୁ ଭୁଲ୍ କୁହାଯାଇ ନ ପାରେ । ଏ’ ପ୍ରକାର ଧାରଣା ଯାହା ମନରେ ଥିବ, ସେ ଧାରଣାକୁ ମୂର୍ଖତା ଛଡ଼ା ଅନ୍ୟ କିଛି କୁହାଯିବ ନାହିଁ ।

 

ଦୀପାନ୍ଵିତା, ବିକାଶ ତମପାଇଁ ନିଜକୁ ଜାଳି ଜାଳି ନିଃଶେଷ କରି ପକାଇଛି ତା’ ଜୀବନକୁ । ଏକଥା ତମେ କ’ଣ ବିଶ୍ଵାସ କରିବ ? ଆଜି ସେ କିଭଳି ଭାବରେ, କେଉଁ ଅବସ୍ଥାରେ ବଞ୍ଚିଛି, ତମେ କ’ଣ ବୁଝିପାରିବ ? ବାସ୍ତବିକ ତମପାଇଁ ତା’ର ଯାହା ତ୍ୟାଗ, କେଉଁ ପ୍ରେମିକାପାଇଁ ପ୍ରେମିକର ତ୍ୟାଗ ମୁଁ ଏଯାଏଁ ବାସ୍ତବ କ୍ଷେତ୍ରରେ ଅନୁଭବ କରି ନାହିଁ ଅଥବା କୋଉ ଉପନ୍ୟାସର କପୋଳକଳ୍ପିତ ବିଷୟବସ୍ତୁରୁ ସଂଗ୍ରହ କରି ନାହିଁ । ତା’ର ସେ ବିଦୀର୍ଣ୍ଣ ମନ, ଜରାଜୀର୍ଣ୍ଣ ଅବସ୍ଥା ଦେଖି ମୁଁ ବି ତା’ ପାଖକୁ ଯିବା ବନ୍ଦ କରିଦେଇଛି । ସାହସ କରିପାରୁ ନାହିଁ । ଅନେକ ଦିନ ତଳେ ତା’ ପାଖକୁ ଯାଇଥିଲି । ସେ ସେତେବେଳେ ଖୁବ୍ ଅସୁସ୍ଥ ଥିଲା । ଉଠି ଚାଲିପାରୁ ନଥିଲା, କ’ଣ ହୋଇଥିଲା ତାକୁ ଜାଣିଛ ? ପ୍ରଚୁର ମଦ ପିଇବାଫଳରେ ତାକୁ ହୋଇଥିଲା ସିରୋସିସ୍ ଲିଭର । ଜୀର୍ଣ୍ଣ ଗଳିର ଛୋଟିଆ ମଦ ଦୋକାନର ଖଟିଆ ଖଣ୍ଡି ଉପରେ ପଡ଼ି ସେ କେବଳ ତମକୁ ମନେ ପକାଉଥିଲା ଦୀପା ।

 

ସେ କେବଳ ତମରି ସୁଖ, ଶାନ୍ତିପାଇଁ ଭଗବାନଙ୍କୁ ନିତି ପ୍ରାର୍ଥନା କରୁଥିଲା । ସେ ପ୍ରାର୍ଥନା ହୁଏତ ଭଗବାନଙ୍କ ପାଖରେ ପହଞ୍ଚି ପାରିଲା ନାହିଁ । ତେଣୁ ତମେ ନିଃସହାୟା ହୋଇଗଲ-! ସେ ବି ଭାରି ହୀନକପାଳ ମଣିଷଟାଏ । ତା’ର କୌଣସି ପ୍ରାର୍ଥନା ଭଗବାନଙ୍କ ପାଖରେ ପହଞ୍ଚି ପାରି ନାହିଁ । ସେ ସେଇଥିପାଇଁ ଏତେ ଦୁଃଖ ଭୋଗ କରୁଛି ।

 

ଦୀପାନ୍ୱିତା, ବିଗତର ସେ ବିଭ୍ରମତାକୁ ବିସ୍ମରି ଯାଅ ! ସେ ବିବାହ ଥିଲା ତମପାଇଁ ଏକ ଜ୍ୟାମିତିକ ପରୀକ୍ଷାମୂଳକ ପ୍ରମାଣ । ସେ ପ୍ରମାଣ ତମର ସରିଯାଇଛି । ସେ ପରୀକ୍ଷା ତମର ଶେଷ ହୋଇଯାଇଛି । ସତ୍ୟବ୍ରତ ଥିଲେ ତମପାଇଁ ଏକ ଦୁଃସ୍ଵପ୍ନ ମାତ୍ର । ସ୍ଵପ୍ନକୁ କେବେ ଧରି ରଖି ହୁଏ ନାହିଁ । ସ୍ଵପ୍ନ କେବେ ସ୍ଥିର, ଅଚଞ୍ଚଳ ନୁହେଁ । ସେ ସବୁବେଳେ ଅସ୍ଥିରତା, ଅବିଚଳତା, ଅଚଞ୍ଚଳତା ମାଧ୍ୟମରେ ଗତି କରେ । ସେଇ ଗତିକୁ ତମେ ବାନ୍ଧି ରଖିବାକୁ ଇଚ୍ଛା କରିଥିଲ । ସେ କେମିତି ବାନ୍ଧି ହୋଇ ରହିଥାଆନ୍ତା ?

 

ଦୀପାନ୍ୱିତା କିଛି କହୁ ନଥିଲା । କେଉଁ ସ୍କୁଲ୍ କଲେଜର ବାଧ୍ୟ ଛାତ୍ରୀଟିଏ ପରି କେବଳ ଲତିକାଙ୍କ କଥା ନୀରବରେ ଶୁଣି ଚାଲିଥିଲା । ଚାଲୁ ଚାଲୁ ଟିକିଏ ଅଟକିଗଲେ ଲତିକା । ତାଙ୍କ ସହିତ ଦୀପାନ୍ୱିତାବି ।

 

ଦୀପାନ୍ୱିତା କିଛି ନ ପଚାରୁଣୁ ଲତିକା ବଳେ ବଳେ କହିଉଠିଲେ, ମୁଁ କାହିଁକି ଅଟକିଲି, କହି ପାରିବ ଦୀପା ?

 

ଦୀପାନ୍ୱିତା ଆଦୌ ବୁଝିପାରିଲା ନାହିଁ କାହିଁକି ଅଟକିଲେ ଲତିକା ଭାଉଜ ।

 

–କ’ଣ ଏ’ ଜାଗାରେ କିଛି କାମ ଅଛି ?

 

–ବୁଝିପାରିଲ ନାହିଁଟି ?

 

–ନା ।

 

–ତମେ କୁଆଡ଼ିକି ବାହାରିଚ ?

 

–ତମେ ଯୁଆଡ଼ିକି ।

 

–ମୁଁ କୁଆଡ଼ିକି ବାହାରିଚି, ତମେ କେମିତି ନ ଜାଣି ମୋ’ ରାସ୍ତା ଧରିବାକୁ ଆଗେଇ ଆସିଥିଲ ?

 

–ଜାଣିବ କ’ଣ, ରାସ୍ତା ତ ଏକ ।

 

–ଆଚ୍ଛା, ମୁଁ କୋଉ ରାସ୍ତାରେ ଯିବି ବୋଲି ବିଚାରିଛ, କହିଲ ?

 

ଅଙ୍ଗୁଳି ନିର୍ଦ୍ଦେଶ କରି ଦୀପାନ୍ୱିତା କଲେଜ ରାସ୍ତାର ସଙ୍କେତ ଜଣାଇଲା ।

 

ନା, ଭୁଲ୍ କହିଲ । ମୁଁ ଆଜି ଏ ରାସ୍ତାରେ ଯିବି ନାହିଁ । ଯିବି ସେ ରାସ୍ତାରେ ।

 

ଅନ୍ୟ ଏକ ରାସ୍ତାର ସଙ୍କେତ ଜଣାଇଁ କହିଲେ ଲତିକା । ସହର ରାସ୍ତାରେ ଯିବ ଭାଉଜ ? କାହିଁକି କ’ଣ କାମ ଅଛି ? ଆଜି ଛୁଟି ନେଇଛ ?

 

ନିଃଶବ୍ଦରେ ହସିଲେ ଲତିକା ।

 

ତାହା ଲକ୍ଷ୍ୟ କରି ଦୀପା ପଚାରିଲା–ହସୁଛ ଯେ ଭାଉଜ ! ହସିବା ମୋର ଭୁଲ୍ ନୁହେଁ ଦୀପା ! ହସିବାର ପରିବେଶ ଯେ ସୃଷ୍ଟି କରୁଛ ତମେ !

 

ମୁଁ ସୃଷ୍ଟି କରୁଛି ?

 

ହଁ, ଆଜି କ’ଣ ତମର ମନେ ନାହିଁ କଲେଜ ଛୁଟି ବୋଲି ! ଗୋଟାଏ ପବ୍ଲିକ୍ ହଲିଡ଼େ !

 

ଦୀପାନ୍ୱିତା ଲଜ୍ଜିତା ହେଲା । କହିଲା ଭାଉଜ, ଯେତେ ଲୁଚେଇବାକୁ ଚେଷ୍ଟା କଲେବି ମୋ ଦୋଷ, ଦୁର୍ବଳତା ତମ ଆଗରେ ଧରାପଡ଼ିଯାଉଛି । ମତେ କ୍ଷମାକର ।

 

କ୍ଷମାର ପ୍ରଶ୍ନ ନାହିଁ ଦୀପା । ଏ ମୋର ସବୁଠାରୁ ବେଶି ଗୌରବ ଆଉ ଆନନ୍ଦ ଯେ ତମେ ତମ ଭାଉଜ ଆଗରେ ଲୁଚେଇବାକୁ ଯାଇ ଧରା ପଡ଼ୁଛ, କୋଉ ପରଲୋକ ଆଗରେ ନୁହେଁ-। ତମ ଭାଉଜ ନୁହେଁ, ସେ ତମର ଏକାଧାରରେ ସହପାଠିନୀ, ସହକର୍ମିଣୀ ଆଉ ଭଉଣୀ ମଧ୍ୟ-। ତେଣୁ ସବୁ ସୁଖ ଦୁଃଖକୁ ସେ ତା’ର ନିଜ ଭିତରେ ଘୋଡ଼େଇ ଚାଲିଯାଇ ପାରିବ । ଏଇଥିପାଇଁ ସେ ତମକୁ ନିର୍ଦ୍ଦେଶ ଦେଉଛି ବିବାହ କରିବାକୁ । ପୁଣିଥରେ ଅତୀତ ଜୀବନକୁ ଲେଉଟି ଯିବାକୁ-। ତମେ ଯେଉଁ ଅଶାନ୍ତି, ଅନ୍ୟମନସ୍କତାର ପ୍ରାନ୍ତ ବିନ୍ଦୁରେ ଘୂରି ଘୂରି ହଜିଯିବାକୁ ଯାଉଛ; ବିବାହ କରିସାରିବା ପରେ ଶାନ୍ତି ଆଉ ନୀରବତାର କେନ୍ଦ୍ରବିନ୍ଦୁ ଉପରେ ସ୍ଥିର ରହିପାରିବ ସବୁଦିନ ପାଇଁ-। ତମେ ମୋ ସାଙ୍ଗରେ ଯିବ ତ ? ଆସ ।

 

ନିରୁତ୍ତର ଭାବରେ ଦୀପାନ୍ୱିତା ଅନୁସରଣ କଲା ଲତିତାଙ୍କୁ । ଛକ ଅତିକ୍ରମ କରି ଦିହେଁ ଚାଲିଲେ ସହର ରାସ୍ତାରେ । ଚାଲୁ ଚାଲୁ ଲତିକା କହିଲେ, ଦୀପା, ମୁଁ ଆଜିର ପ୍ରଥମ ସାକ୍ଷାତରୁ ତମର ଅନ୍ୟମନସ୍କତା ପୂରାମାତ୍ରାରେ ଠଉରେଇ ନେଇଥିଲି । ଅନୁପମାର ଚାଲିଚଳନ, ଢଙ୍ଗଢ଼ାଙ୍ଗ, ବ୍ୟବହାରରୁ ମୋର ଯାହା ମନେହେଉଛି, ସେ ତମ ପ୍ରତି ନିଶ୍ଚୟ କର୍କଶ ବ୍ୟବହାର ଦେଖାଉଥିବ । ତେଣୁ ମୁଁ ତମକୁ ବାରମ୍ବାର କହିଲିଣି, ଯଦି ତମର କିଛି ଅସୁବିଧା ହେଉଛି, ତେବେ ମୋ ବସାକୁ ଚାଲିଆସ । ତମେ ମୋ କଥା ଆଦୌ ଶୁଣୁନାହଁ । ଏମିତି ଯନ୍ତ୍ରଣାରେ ନିଜକୁ ଜାଳି ଚାଲିବାଟା କ’ଣ ଭଲ ମନେ ହେଉଛି ?

 

ସବୁ ମୁଁ ବୁଝୁଛି ଭାଉଜ, ହେଲେ ମୁଁ ଯଦି ତମ ପାଖରେ ରହିବି, ତେବେ ଲୋକେ କ’ଣ ମନ୍ତବ୍ୟ ଦେବେ ଭାବି ପାରୁଛ ? ବାପା ଆଉ ଶଶାଙ୍କର ସ୍ଥାନ କେଉଁଠି ରହିବ, କେବେ ଚିନ୍ତା କରିଛ ?

 

ସେ ସବୁ ଚିନ୍ତା କରିବା ମୋର ଆବଶ୍ୟକ କ’ଣ ? ମୁଁ ଚାହେଁ ମୋ ଦୀପାର ସୁଖ, ଶାନ୍ତି, ମଙ୍ଗଳ । ମୁଁ ଅନ୍ୟ କାହା ବିଷୟରେ ଚିନ୍ତା କରିବା କ’ଣ ଆବଶ୍ୟକ ?

 

ସେମାନେ ଯେ ମୋର ଭାଇ ଆଉ ବାପା, ଭାଉଜ !

 

ଆଉ ବିକାଶ ! ସେ ତମର କିଛି ନୁହେଁ ?

 

ଭାଉଜ ! ବିସ୍ମିତ ଗଳାରେ ଡାକିଲା ଦୀପାନ୍ୱିତା ।

 

ହଁ, ଦୀପା, ଯିଏ ତମକୁ ଭଲପାଇ ତା’ ଜୀବନକୁ ଜାଳିପୋଡ଼ି ପାଉଁଶ କରି ପକାଇଲା, ସେ ତମର କିଛି ନୁହେଁ ଅଥଚ ଯିଏ ତମକୁ ଜନ୍ମ କରି ନାରଖାର କଲେ, ତାଙ୍କପାଇଁ ତମର ଯେ ଏତେ ଦରଦ କାହିଁକି ଭରି ରହିଛି, ମୁଁ ବିସ୍ମିତ ହେଉଛି । ତମେ ଦିନ ଦିନ ଧରି ଉପାସ ରହିବ, ତମେ ଶାନ୍ତିରେ ବଞ୍ଚି ପାରିବନି । ସେମାନେ ବୁଝିବେ ନାହିଁ ତମ ବେଦନା, ନିର୍ଯାତନା ।

 

ସେମାନେ ତମର ଭାଇ ଆଉ ବାପା ଆଉ ଯିଏ ତମର ଯାତନା, ନିର୍ଯାତନା ବୁଝି ଦିନରାତି ଲୁହରକ୍ତ ଢାଳି ଶୁଭ ମନାସିଲା, ସିଏ ତମର ଶତ୍ରୁ, ନା ?

 

ଏ କ’ଣ କହୁଛ ଭାଉଜ ?

 

ମୁଁ ଠିକ୍ କହୁଛି ଦୀପା; ବେଳ ଆସିଲେ ବୁଝି ପାରିବ । ମଣିଷର ନିର୍ଦ୍ଦିଷ୍ଟ ସମୟ ଉପସ୍ଥିତ ନ ହେଲେ ମଣିଷ ସବୁକଥା ବୁଝିବାକୁ ସକ୍ଷମ ହୁଏ ନାହିଁ । ତମେ ବାପା, ଭାଇ ଡାକି ଡାକି ଯାହାଙ୍କର ଏତେ ସେବା କରି ଆସିଲ, ସେ ତମ ଜୀବନପାଇଁ କ’ଣ କଲେ, ମତେ ଏକ ଛୋଟ ଉଦାହରଣ ଦେଇ ବୁଝାଇଦେଲ । ବାପା ଜୀବନସାରା ମଦ ପିଇଲେ । ଭାଇ ଲଫଙ୍ଗା, ବଜାରୀ ହୋଇ ବୁଲିଲା । ଶେଷରେ ମାତାଲ । ମନରେ, ଉଦ୍ଧତପଣିଆରେ ବାପା, ଭାଇ ହସ୍ତାନ୍ତର କଲେ ତମକୁ ଅନ୍ୟ ସଂସାରକୁ । ସେଠି ତମ ସଂସାର ଭାଙ୍ଗିଗଲା । ସୁନାଘର ଚୂନା ହୋଇଗଲା । ତମେ କଳ୍ପନାର ସମ୍ପୂର୍ଣ୍ଣ ନୀଡ଼ ରଚନା କରିପାରିଲ ନାହିଁ । ତା’ପରେ ପଥହରା ଚକୋରୀ ପରି ଅବାଟରୁ ବାଟକୁ ଫେରି ଘୂରି ବୁଲୁଛ ୟା’ ତା’ ନୀଡ଼କୁ । ଅନ୍ୟମାନଙ୍କ ଆନନ୍ଦ, ଅଭିଳାଷ ଦେଖି ତମେ କାନ୍ଦୁଛ । ତମେ ଦୁଃଖ କରୁଛ । ତମପାଇଁ ସେମାନେ ଏତିକି ତ୍ୟାଗ କଲେ, ଏଇଆ ନା ? ଯୋଉମାନେ ଯାତନା, ନିର୍ଯାତନାର ସହାୟକ ହୁଅନ୍ତି ନାହିଁ ଦୀପାନ୍ୱିତା, ସେମାନେ ପ୍ରକୃତ ବନ୍ଧୁ ନୁହନ୍ତି ମୋ ମତରେ । ଏମାନେ ତମର ନିଜର, ବହୁ ନିଜର ହେଲେ ତମପାଇଁ ଏମାନେ କ’ଣ ତ୍ୟାଗ କଲେ ? କ’ଣ ଜଳାଞ୍ଜଳି ଦେଲେ ତମର ସୁଖ, ଶାନ୍ତି ମଙ୍ଗଳପାଇଁ ?

 

ଆଉ ବିକାଶ !

 

ଯିଏ ତମର କିଛି ନୁହେଁ, ପର, ନିହାତି ସାତପର, ସେ ତମପାଇଁ କାହିଁକି ନିଜକୁ ଏମିତି ଜାଳି ପକାଇଲା, କହିପାରିବ ? ତମେ ଏମାନଙ୍କ ତ୍ୟାଗର ମୂଲ୍ୟ ଦେଇପାରୁଛ । ଆଉ ତା’ ତ୍ୟାଗର ମୂଲ୍ୟ ଦେଇ ପାରୁନାହଁ ? କାହିଁକି ? ସେ ଯଦି ଏମିତି ଏମିତି ମରିଯାଏ, ତେବେ କ’ଣ ଶାନ୍ତି ପାଇବ ତମେ ?

 

ଭାଉଜ ! ଶଙ୍କିତ ଗଳାରେ ଡାକିଲା ଦୀପାନ୍ୱିତା ।

 

ହଁ, ଦୀପା, ତମକୁ ଯାହା କହୁଛି, ଖରାପ ଭାବ ନାହିଁ ।

 

ମୁଁ ମିଥ୍ୟା କହୁନାହିଁ । ତମେ ବୋଧହୁଏ ତା’ ମରଣ ଚାହୁଁଥିଲ । କିନ୍ତୁ ମୁଁ ଯୁକ୍ତି କରୁଛି ଦୀପା, ଯା’ର ଜନ୍ମଦେବାକୁ ଆଦୌ ଅଧିକାର ନାହିଁ, ସେ ତାକୁ ମାରିଦେବାକୁ କେଉଁଠୁ ଅଧିକାର ପାଇଛି କହିଲ ?

 

ଏ’ ସବୁ ତମେ କ’ଣ କହୁଛ ଭାଉଜ ? ମୁଁ ତାଙ୍କୁ ମାରିଦେବାକୁ କୋଉ ଦିନ ଚିନ୍ତା କରିଥିଲି ?

 

ଚିନ୍ତା ନ କରିଥିଲେ କ’ଣ ଅଧାବାଟରେ ଛାଡ଼ିଦେଇ ଏକାଏକା ଚାଲି ଆସିଥାଆନ୍ତ ?

 

ମୁଁ ସେଦିନ ଉପାୟହୀନା ଥିଲି ଭାଉଜ । ତମକୁ ତ ସେଦିନ ଏ’ ସମ୍ପର୍କରେ ସବୁ ବୁଝେଇଥିଲି । ଆଜି ପୁଣି ସେଇକଥାର ପୁନରୁତ୍‌ଥାନ କାହିଁକି ?

 

ପୁନରୁତ୍‌ଥାନ କାହିଁକି ବୁଝିପାରୁନ ? ସେଦିନ ସିନା ଉପାୟହୀନା ଥିଲ ଦୀପା, ମାତ୍ର ଆଜି ? ଆଜି ତ ତମେ ଉପାୟହୀନା ନୁହ । ଆଜି ତମେ ବେଶ୍ ପାରିବ । ମୁଁ ସେଇକଥା ତମକୁ ପ୍ରମାଣ କରିଦେବାକୁ ଏତେ ସବୁ କହୁଛି ।

 

ଭାଉଜ, ହିନ୍ଦୁ ନାରୀ ସୀମନ୍ତରେ ଥରେ ସିନ୍ଦୂର ପିନ୍ଧେ । ମୁଁ ଯେ ଥରେ ପିନ୍ଧି ସାରିଛି । ଆଉ ଦ୍ଵିତୀୟ ବାର ପିନ୍ଧିବାକୁ କେମିତି ସାହସ କରିବି ? ଏ’ ଦୁନିଆ କ’ଣ କହିବ ମତେ ?

 

ଦୁନିଆ ତ ବହୁତ କଥା କହିବ । ଦୁନିଆର ମନ୍ତବ୍ୟ ଉପରେ ଗୁରୁତ୍ଵ ବାଢ଼ିଲେ ତମେ ଆଦୌ କିଛି କରିପାରିବ ନାହିଁ । ଭାଉଜକୁ ପୁଣି ଠକିବାକୁ ଆରମ୍ଭ କରୁଛ ?

 

ହସି ହସି ପଚାରିଲେ ଲତିକା । ଏଥିରେ ଠକିବାର କ’ଣ ରହିଲା ଭାଉଜ ? ମୁଁ ଯାହା କହୁଛି ନିରାଟ ସତ । ହିନ୍ଦୁନାରୀ କ’ଣ ସତରେ ଥରେ ସିନ୍ଦୂର ପିନ୍ଧେ ନାହିଁ ଜୀବନରେ ତା’ର ?

 

କିନ୍ତୁ ତମେ କେତେଥର ପିନ୍ଧିଛ, ଭଲଭାବରେ ମନେପକାଇ ମୋ’ ପ୍ରଶ୍ନର ଯଥାଯଥ ଉତ୍ତର ଦେଲେ ମୁଁ ଖୁସି ହୁଅନ୍ତି ଦୀପା !

 

ଦୀପାନ୍ଵିତା ଥମିଗଲା । ପାଦଟା ଯେମିତି ବଳେ ବଳେ ତା’ର ଅଟକିଯାଉଛି । କ’ଣ କହୁଛନ୍ତି ଭାଉଜ ? ଅତୀତର କ୍ଷତଚିହ୍ନକୁ ପୁଣିଥରେ ଉଖାରୁଛନ୍ତି ?

 

–ଅଟକିଲ କାହିଁକି ?

 

ପଚାରିଲେ ଲତିକା ।

 

–ପାଦଟା ଝିମିଝିମି ହୋଇଯାଉଛି ଭାଉଜ !

 

–ସେ ବଳେ ବଳେ କମିଯିବ, ଆସ ।

 

ଲତିକା ହାତ ଧରି ଟାଣିନେଲେ ଦୀପାର ।

 

ଦୀପାନ୍ଵିତା ବିନା ଦ୍ଵିଧାରେ ଆଗକୁ ମାଡ଼ି ଚାଲିଲା । ପାଦ ତା’ର ଝିମିଝିମି ହେଉ ନଥିଲା, ହେଉଥିଲା ତା’ର ଜଳନ୍ତା ମନଟା । ପାଦଟା ଅନେକଙ୍କର ଅନେକ ସମୟରେ ଏମିତି ଝିମିଝିମି ହୁଏ । ପୁଣି ବଳେ କମି ଆସେ ତା’ର ଯନ୍ତ୍ରଣା । ସେ ହେଲା ସ୍ନାୟୁର ଦୋଷ । କିନ୍ତୁ ମନଟା ଯେତେବେଳେ ଝିମିଝିମି ହୋଇଯାଏ, ସେତେବେଳେ, ସେ କାହାକୁ ଦୋଷ ଦେବ ? କାହାକୁ ଦୋଷୀ ସାବ୍ୟସ୍ତ କରିବ ?

 

ଲୌକିକ ମତରେ ମୁଁ ଥରେ ସିନ୍ଦୂର ପିନ୍ଧିଛି ଭାଉଜ । ବିବାହ ବେଦିରେ ପ୍ରାଣର ଶୁଭଶଙ୍ଖ ଥରକମାତ୍ର ପାଇଁ ବାଜିଛି । ତାରୁଣ୍ୟର ଚହଲା ପାଣିରେ ଅଜାଣତ ଭୁଲ୍‌ର ଅନେକ ଢେଉ ଏମିତି ଉଠେ । ସେଇ ଢେଉରେ ଭାସିଯାଇ ମୁଁ ଯେଉଁ ସିନ୍ଦୂର ପିନ୍ଧିଥିଲି ସେ ସିନ୍ଦୂର ଜୀବନସାରା ପାଇଁ ଆଲୋକ, ସାହସ, ଧୈର୍ଯ୍ୟ ଦେଇ ପାରିଲାନି । କାରଣ ସାମାଜିକ ସ୍ଵୀକୃତି, ଲୌକିକ ମତ ତା’ପାଇଁ ଆଦୌ ନଥିଲା । ସେ ଭୁଲ୍‍ର ସିନ୍ଦୂର ବୟସର ଅସମୟରେ ଏମିତି ଅନେକ ପିନ୍ଧିଥାନ୍ତି । ସେ ଚିରସ୍ଥାୟୀ ହୋଇପାରେନି । କାଳକ୍ରମେ ନିଭିଯାଏ । ସେ ସିନ୍ଦୂର ଅତୀତରେ ଦିନେ ମୁଁ ଏମିତି ଅନେକ ଥର ପିନ୍ଧିଥିଲି । ତା’ ଉପରେ ତମେ ଯଦି ଏତେ ଗୁରୁତ୍ଵ ବାଢ଼ିବ, ମୁଁ ନାଚାର ଭାଉଜ ।

 

ମୁଁ ତମକୁ ବାଧ୍ୟ କରି ପ୍ରସ୍ତାବ ଦେଉନାହିଁ ଦୀପା, ତମ ପ୍ରସ୍ତାବ ତମେ ନିଜେ ବିଶ୍ଳେଷଣ କର । ସେଇ ସିନ୍ଦୂର ଅତୀତରେ ମୁଁ ବି ଦିନେ ପିନ୍ଧିଥିଲି । ଦେଶର ସାମାଜିକ, ଅର୍ଥନୈତିକ ଦୃଷ୍ଟିକୋଣ ବୌଦ୍ଧିକ ସ୍ମୃତି ଏତେ ଉନ୍ନତ ହୋଇନାହିଁ, ଏତେ ଅଗ୍ରଗତି କରି ନାହିଁ, ଯେଉଁ ସମାଜ କି ତମର ଏ’ ପ୍ରେମ ବିବାହକୁ ସ୍ଵୀକୃତି ଦେବ । ସମ୍ମତି ଦେବ, ତେଣୁ ସମାଜ ଉପରେ ତମେ ଏଇ ଗୁରୁତ୍ଵ ଦିଅ ନାହିଁ ।

 

ତମ ଭାଉଜ ତ ସମାଜ ଉପରେ ଗୁରୁତ୍ଵ ନ ଦେଇ ଦିନେ ଚାଲି ପାରିଥିଲା ! ତମେ ତ ସେଇ ପଥର ମଣିଷଟିଏ । ତା’ ଉପରେ ଗୁରୁତ୍ଵ ନ ଦେଲେ କ’ଣ ଚଳିବ ନାହିଁ ? ଦୀପାନ୍ଵିତା, ମୋ’ କଥାକୁ ତମେ ଟିକିଏ ହୃଦୟ ଦେଇ ଚିନ୍ତା କରିବ । ମୁଁ ବିକାଶଙ୍କ ପାଖକୁ ଆଜି ଯିବି । ସବୁ ବୁଝେଇ ଦେବି ତାଙ୍କୁ । ବଳେ ବଳେ ସମାଧାନ ହୋଇଯିବ ।

 

ଦୀପାନ୍ଵିତା ସମ୍ମତି ପ୍ରକାଶ କରିପାରୁ ନାହିଁ ଅଥବା ଅସମ୍ମତି ଦେଇପାରୁ ନାହିଁ । ଗଛ ଡାଳର ଝରାପତ୍ରଟିଏ ତା’ରି ପାଣି ସୁଅରେ ପଡ଼ି ଭାସୁଛିହିଁ ଭାସୁଛି ! ଢେଉର ସ୍ପର୍ଶରେ କାତର ହେଉଛି ସିନା ବୁଡ଼ି ଯାଉ ନାହିଁ । ହଜି ଯାଉନାହିଁ !!

 

ସିରୋସିସ୍ ଲିଭର ଇଜ୍ ଅନ ଦି ଲାଷ୍ଟ୍ ଷ୍ଟେଜ୍ ।

 

ବେଦନାରେ ମ୍ରିୟମାଣ ହୋଇ କହିଲେ ଡାକ୍ତର ଶର୍ମା ଲତିକାଙ୍କୁ, କ’ଣ କରିବା ତେବେ କହନ୍ତୁ । କି ପ୍ରକାର ଚେଷ୍ଟାରେ କିଛି ସୁଫଳ ମିଳିବ ଚିନ୍ତା କରନ୍ତୁ ଆପଣ ।

 

ଲତିକାଦେବୀ, ମୁଁ ଡାକ୍ତର । ଦୀର୍ଘ ତିରିଶବର୍ଷ ଚିକିତ୍ସାର ଗଭୀର ଅନୁଭୂତି ପାଇଲା ପରେ ଯଦି ଆପଣଙ୍କୁ ଉତ୍ତର ଦେବାକୁ ମୁଁ ପଛେଇ ଯାଉଛି, ତେବେ ଆପଣ ଅନୁମାନ କରନ୍ତୁ ଅବସ୍ଥାଟା କେଡ଼େ ସିରିଅସ୍ ।

 

ମୁଁ ବୁଝୁଛି ଶର୍ମାବାବୁ, ତଥାପି ଆପଣଙ୍କୁ ଅନୁରୋଧ କରୁଛି, ଏ’ ଏକ ସୃଜନଶୀଳ ପ୍ରତିଭାର ଜୀବନ । ଏ’ ଜୀବନ ଉପରେ ଦେଶ, ଜାତିର ବିରାଟ ମାନଦଣ୍ଡ ନିର୍ଭର କରୁଛି । ନିର୍ଭର କରୁଛି ଏ’ ସମାଜର କଳା, ଐତିହ୍ୟ, ସଂସ୍କୃତି । ଆପଣ ମତେ ନିରାଶ କରନ୍ତୁ ନାହିଁ । ପୁଣି ଚେଷ୍ଟା କରି ଦେଖନ୍ତୁ ଆଉଥରେ ।

 

ଲତିକାଦେବୀ, ଆପଣ ଅଧ୍ୟାପିକା । ଛାତ୍ରଛାତ୍ରୀଙ୍କ ମନକୁ ତନ୍ନତନ୍ନ କରି, ଦୋଷ ଦୁର୍ବଳତାକୁ ଉଖାରି ସଂଶୋଧନ କରି ପ୍ରକୃତ ମଣିଷ ଭାବରେ ଗଢ଼ିବାପାଇଁ ଯେମିତି ଇଚ୍ଛା କରନ୍ତି, ଜଣେ ଡାକ୍ତର ସେମିତି ରୋଗୀ ଶରୀରର ପ୍ରତ୍ୟେକ ଅଂଶକୁ ଟିକିନିଖି କରି ପଢ଼ି ପୁନର୍ଜୀବନ ସଞ୍ଚାର କରିବାକୁ କେବେ ଭୁଲିଯାଏ ନାହିଁ । କ’ଣ ଆପଣଙ୍କୁ ବୁଝେଇବି ? କେମିତି ଆପଣଙ୍କ ମନରେ ସାନ୍ତ୍ୱନା ଦେବି ଲତିକାଦେବୀ, ସିରୋସିସ୍ ଲିଭର ଇଜ ନଟ୍ କ୍ୟାରେବଲ୍ ଆଟ୍‌ଅଲ୍ । ତା’ ପୁଣି ଶେଷ ଅବସ୍ଥାରେ । ରାୟସାହେବ ଶାରଦା ପ୍ରସନ୍ନଙ୍କୁ–ଆପଣ ଜାଣିଥିବେ । ଏ ସହରର ଜଣେ ଖ୍ୟାତନାମା ବ୍ୟକ୍ତି । ବ୍ଲଡ଼୍‌ପ୍ରେସର୍ ଓ ସିଲୋସିସ୍‌ଲିଭର୍ କ୍ରମାଗତ ଭାବରେ ଏକାଧାରରେ ଆକ୍ରମଣ କରିଛି ତାଙ୍କୁ । ବିଭିନ୍ନ ପ୍ରକାର ଚିକିତ୍ସା ଓ ପଥ୍ୟ ନେଇ ରୋଗକୁ ଚାପି ରଖିଛନ୍ତି ସେ । ଯଦି ସେଇପରି ଅବସ୍ଥାରେ ଏ’ ରୋଗ ଥାଆନ୍ତା, ତେବେ କିଛି କରି ହୁଅନ୍ତା; ସେ ଅବସ୍ଥା ଅତିକ୍ରମ କରି ଗଲାଣି ବୋଧହୁଏ । ବର୍ତ୍ତମାନ ପାଇଁ ମୁଁ କିଛି ବିଚାର କରି ପାରୁନାହିଁ ।

 

ଡାକ୍ତର ଶର୍ମା ଭାରି ହତାଶ ବୋଧ କଲେ ଏଇ କେତେ ପଦ ଉଚ୍ଚାରଣ କରୁ କରୁ । କିଛି ସମୟ ରହି ସେ ପୁଣି କହିଲେ ଯିଏ ଟୋପାଏ ମଦରେ ନିଜର ବର୍ତ୍ତମାନକୁ ଭୁଲିଯିବାକୁ ଚେଷ୍ଟା କରିଛି, ତା’ର ଭବିଷ୍ୟତ ଏକ ହାହାକାରମୟ ଶୂନ୍ୟତା ବୋଲି ଧରି ନେବାକୁ ହେବ । ତା’ର କାରଣ ମଣିଷ ମଦଖାଏ ନାହିଁ ଲତିକାଦେବୀ, ମଦହିଁ ମଣିଷକୁ ଖାଏ । ଦୀର୍ଘଦିନ ମଦ ପିଇବାଫଳରେ ଲିଭର୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ । ଆଉ ଲିଭର୍ ନଷ୍ଟ ହେବାପରେ ଧରିନେବାକୁ ହେବ ମରଣହିଁ ସେ ମଣିଷର ବନ୍ଧୁ, ଜୀବନ ନୁହେଁ । ବିକାଶବାବୁଙ୍କରହିଁ ଠିକ୍ ସେଇ ଅବସ୍ଥା ଆସି ଯାଇଛି ।

 

ଆହତ ଅଭିମାନରେ ଲତିକାଙ୍କ କଣ୍ଠ ଭାରାକ୍ରାନ୍ତ ହୋଇ ଉଠିଲା ।

 

ବିଗତ ଇତିହାସର ଆଉ ପୁନରାବୃତ୍ତି କରନ୍ତୁ ନାହିଁ ଡାକ୍ତର । ସେ ପୁନରାବୃତ୍ତି ଓ ରୋମନ୍ଥନରେ ଅଶ୍ରୁର ଗରଳ ଅତି ପରିମାଣରେ ବରଂ ଉଦ୍‌ଗତ ହେବ । ଗୁଡ଼ାଏ ଦୀର୍ଘଶ୍ଵାସ, ହା-ହୁତାଶଭରା ଗ୍ଳାନିର ସ୍ଵେଦବିନ୍ଦୁ ଲୋମସିକ୍ତ କରାଇବ । ଯାହା ଚାଲିଯାଇଛି, ସେ ବିଷାକ୍ତ ଅତୀତ ଆଡ଼କୁ ମୁଁ ଆଉ ମୁହଁ ଫେରାଇବାକୁ ଚାହେଁ ନାହିଁ ।

 

ଆପଣ ଅଭିମାନ କରନ୍ତୁ ନାହିଁ ଲତିକାଦେବୀ; ମୁଁ ଇଞ୍ଜେକ୍‍ସନ୍ ଦେଇଛି । ଭବିଷ୍ୟତ କଥା ଠିକ୍ କହି ହେଉନାହିଁ । ଉପରବାଲା ଉପରେ ଭରସା ରଖନ୍ତୁ । ପରିବର୍ତ୍ତନ ହୋଇପାରେ କିଛି ତାଙ୍କର ନର୍ଦ୍ଦେଶରେ । କିନ୍ତୁ ମଣିଷ ହାତରେ ଆଉ କିଛି ନାହିଁ । ଆବଶ୍ୟକ ପଡ଼ିଲେ ମତେ ଡକାଇବେ, ମୁଁ ଆସୁଛି ।

 

ଡାକ୍ତର ଶର୍ମାଙ୍କୁ ଦରଜା ପାଖରେ ଛାଡ଼ି ଲତିକା ଫେରି ଆସିଲେ, ବିକାଶ ପାଖକୁ । ନୀରବ, ନିଶ୍ଚଳ ଭାବରେ ଶୋଇଛନ୍ତି ବିକାଶ । କଡ଼ବି ଲେଉଟାଇ ନାହାଁନ୍ତି ଚାରିଘଣ୍ଟା ହେଲା ।

 

ଗତ ରାତିରେ ସେ ଯେମିତି ବିକାଶଙ୍କୁ ଭେଟିଲେ ସେମିତି କୌଣସି ବଣର ପଶୁକୁବି କେହି ଭେଟିବ ନାହିଁ । ଜଗୁରାମ ଏତେ ସ୍ଵାର୍ଥାନ୍ଧ ! ଏଡ଼େ ହୃଦୟହୀନ, ନିଷ୍ଠୁର !

 

ପଶୁର ହୃଦୟ ଅଛି । ହେଲେ ମଣିଷର ନାହିଁ । ସ୍ଵାର୍ଥ ହାସଲ କରିବାପାଇଁ ମଣିଷ ପୁଣି ଏତେ ନିମ୍ନଗାମୀ ହୋଇପାରେ !

 

ଚିନ୍ତା କରି ପାରିଲେନି ଲତିକା ।

 

ବିକାଶ ପରି ଏକ ଭାଗ୍ୟହୀନ ଜୀବନର କାହାକୁ ଏପାଖ ସେପାଖ କରି ଦେଖୁଥିଲେ । ଜଣେ ତରୁଣୀ ବାଳିକାର ପ୍ରେମରେ ପଥଭ୍ରମ ହୋଇ ଗୋଟିଏ ପ୍ରତିଭାବାନ ଜୀବନର ବିଲୟ ନିଜ ଆଖିରେ ଦେଖିବା ଏଇ ତାଙ୍କର ପ୍ରଥମ ।

 

ଜୀବନ ଡଙ୍ଗାରେ ବୟସର ନଦୀ ପାର ହେଉ ହେଉ ଅନେକ ମଣିଷ ସଂସ୍ପର୍ଶରେ ଆସିଛନ୍ତି ସେ । ହେଲେ ବିକାଶ ପରି ଭାବପ୍ରବଣ ଚରିତ୍ର ନିଜ ଆଖିରେ ଖୁବ୍ କମ୍ ଦେଖିଛନ୍ତି ।

 

ସେଦିନ ବିକାଶଙ୍କୁ ସେ ଦୋଷଯୁକ୍ତ କରାଇ ନିଜେ ଅନୁତପ୍ତ ହୋଇଛନ୍ତି । ଆଜି ଅନେକ ଅନୁଭୂତି ପାଇବା ପରେ ସେ ମନେ କରୁଛନ୍ତି ସେ ଭାବପ୍ରବଣତାର ଛୋଟ ହୁଲି ଡଙ୍ଗାଟା ସମୟ ସ୍ରୋତରେ ଭାସିଗଲାବେଳେ କେହି ତାକୁ ଆଟକାଇ ପାରିବ ନାହିଁ । ସେ ତା’ର ମନଇଚ୍ଛାହିଁ ଲକ୍ଷ୍ୟହୀନ ପଥରେ ଭାସିଯିବ !

 

ଭାବପ୍ରବଣତା କାହାରିକୁ ଖାତିର କରେ ନାହିଁ । କଠୋର ବିହ୍ଵଳତା ମଣିଷ ଜୀବନକୁ ଉନ୍ନତି ପଥରେ ବ୍ରତୀ କରାଏ ଅଥବା ତିଳତିଳ ଜାଳି ନଷ୍ଟ କରି ପକାଏ ନିର୍ମମ ଭାବରେ ।

 

ସେଇ ବିହ୍ଵଳତାରେ ଦୀପାନ୍ଵିତା ପ୍ରତି ମୋହଗ୍ରସ୍ତ ହୋଇ ଅର୍ଦ୍ଧଦଗ୍ଧ ହୋଇଗଲେ ବିକାଶ-। ଅତ୍ୟଧିକ ମୋହଗ୍ରସ୍ତତାରେ ଜଗୁରାମ ପରି ଜଣେ ପର ମଣିଷକୁ ନିଜର କରି ଉତ୍ସର୍ଗୀକୃତ କରି ପକାଇଲେ ନିଜକୁ ।

 

କିନ୍ତୁ ଦୀପାନ୍ୱିତା ! ଆତ୍ମ ଚେତନାକୁ ଶ୍ରେଷ୍ଠ ଧର୍ମ କରି ବାଟ କାଟି ପଳାଇଲା, ଆଉ ଜଗୁରାମ ! ! ଆତ୍ମ ସ୍ଵାର୍ଥକୁ ବଡ଼କରି ମମତାକୁ ତୁଚ୍ଛକରି କି ନୀଚ ହୋଇଗଲା । ଟଙ୍କା କେତେଟା ତା’ର ନୁକ୍‌ଶାନ ହୋଇଗଲା ବୋଲି ଧକ୍କା ଦେଇ ବିକାଶଙ୍କୁ ମଦ ଦୋକାନର ରାସ୍ତା ଧାରର ନର୍ଦ୍ଦମା କଡ଼ରେ ଫିଙ୍ଗି ଦେଇ ଯାଇଥିଲା ! କି’ ଯନ୍ତ୍ରଣାରେ ଛଟପଟ ହେଉ ନଥିଲେ ବିକାଶ ! କାଲି ଯଦି ଲତିକା ତାଙ୍କୁ ଦେଖି ନଥାନ୍ତେ, ତେବେ ପ୍ରାଣପକ୍ଷୀ ଉଡ଼ିଯିବାକୁ କେତେ ସମୟ ଲାଗିଥାଆନ୍ତା ଅବା-! କାଲି ସେ କ’ଣ ଏକା ସମ୍ଭାଳି ପାରିଥାଆନ୍ତେ ତାଙ୍କୁ ! ଚାକର ମହେଶ ସାଙ୍ଗରେ ଥିଲା ବୋଲି ସିନା ଟେକି ନେଇ ଆସିଲା ! କି’ ମର୍ମନ୍ତୁଦ ନର୍କର ଯନ୍ତ୍ରଣା ଅନୁଭବ କରୁ ନଥିଲେ ସେ !

 

ଡାକ୍ତର ଶର୍ମାଙ୍କ ଇଂରାଜୀ ଶବ୍ଦଗୁଡ଼ା ଲତିକାଙ୍କ ଅନ୍ତର ତଳେ ଖାଲି ବାଡ଼େଇପିଟି ହେଉଥିଲା । ଲତିକାଦେବୀ, ସିରୋସିସ୍ ଲିଭର୍‌ ଇଜ୍ ନଟ୍‌ କ୍ୟୋରେବଲ୍‌ ଆଟ୍‌ଅଲ୍‌ । ସତରେ କ’ଣ ବିକାଶ ଆଉ ରୋଗମୁକ୍ତ ହେବେ ନାହିଁ ? ଅସମୟରେ, ଅବେଳରେ ହଠାତ୍ ଏମିତି ଜୀବନ କଲମରୁ କାଳି ସରିଯିବ ? ଦୀପାନ୍ୱିତାକୁ ସେ ଯୋଉ ଏତେ ଆଶା, ଭରସା ଦେଇଥିଲେ, ଜୀବନ ସମ୍ପର୍କରେ ତତ୍ତ୍ଵ ବୁଝେଇଥିଲେ, ସବୁ ଧୂଳିସାତ୍ ହୋଇଯିବ ?

 

ଅନେକ ପ୍ରଶ୍ନ । ଅନେକ ଦ୍ଵନ୍ଦ୍ୱ । ଲତିକାଙ୍କ ମନରେ ଉଠୁଛି ଠିକ୍ ମୁକ୍ତି ସ୍ରୋତାର ଜୁଆର ପରି ।

 

କିଛି ଭାବି ପାରୁନାହାଁନ୍ତି ଲତିକା । ସବୁ ଚିନ୍ତାଶକ୍ତି ଗୋଳମାଳ ହୋଇଯାଉଛି ।

 

ହଠାତ୍ ସବୁ ଭାବିବା ତାଙ୍କର ଏପାଖ ସେପାଖ ହୋଇଗଲା । କଡ଼ ଲେଉଟାଇ ଉଠି କରୁଣ ଚିତ୍କାର କରି ବିକାଶ ବାନ୍ତି କରି ପକାଇଲେ ଶେଯ ଉପରେ ।

 

ଲତିକା ଚମକି ଉଠିଲେ, ଇସ୍ କି ଖଣ୍ଡ ରକ୍ତ ! ଟେଳା ଟେଳା ନିଗିଡ଼ି ପଡ଼ୁଛି । ପାଖକୁ ଆସି ଛାତି ଆଉଁଶି ଆଉଁଶି ବିକାଶଙ୍କୁ ନିଜ କୋଳରେ ତୋଳି ଧରିଲେ ଲତିକା ।

 

କ’ଣ ଲାଗୁଛି ବିକାଶ ?

 

ମୁଁ କୋଉଠି ଭାଉଜ ?

 

ତମେ ମୋ’ ପାଖରେ ଅଛ ବିକାଶ । ଠିକଣା ଜାଗାରେ ପହଞ୍ଚିଛ ! ମୁଁ ତମକୁ ହିଂସ୍ର ଶୃଗାଳ ମୁହଁରୁ ଛଡ଼ାଇ ନେଇ ଆସିଛି । କ’ଣ କଷ୍ଟ ହେଉଛି ?

 

ଭାରି କଷ୍ଟ ଭାଉଜ । ଛାତିଟା ଖାଲି ଜଳୁଛି । ସମ୍ଭାଳି ପାରୁନି ଆଉ । କଷ୍ଟ । ଭାରି କଷ୍ଟ-। ପାଣି ଗ୍ଲାସେ ଦେବ ? ମରିଗଲେ ଉଦ୍ଧାର ହୋଇ ଯାଆନ୍ତି ।

 

ପାଖ ରେଫ୍ରିଜେରେଟର ଭିତରୁ ପାଣି ବୋତଲଟା ଟାଣି ଆଣି ଗ୍ଲାସ୍‌ରେ ଢାଳୁଢ଼ାଳୁ ବିକାଶଙ୍କ ମୁହଁରେ ହାତଦେଇ ମନା କଲେ ଲତିକା ।

 

ଏମିତି ଅଶୁଭ କଥାଗୁଡ଼ାକ ମୁହଁରେ ଧରନ୍ତି ନାହିଁ ବିକାଶ ! ତମେ ଭଲ ହୋଇଯିବ । ନିଶ୍ଚୟ ଭଲ ହୋଇଯିବ ।

 

ପାଣି ଢୋକେ ପିଇ ସାମାନ୍ୟ ଆଶ୍ଵସ୍ତ ହେବାପରେ ବିକାଶ କହିଲେ, ଭାଉଜ ! ଜୀବନ ପ୍ରତି ତ ମୋର ଆଉ ଲୋଭ ନାହିଁ । ଦିନେ ଥିଲା । ସେ ଲୋଭ ଆଜି ପୂରାମାତ୍ରାରେ ତୁଟି ଯାଇଛି-। ଥୁଣ୍ଟା ଗଛରେ ପତ୍ର କଅଁଳିବାର ସ୍ଵପ୍ନ ଦେଖିବା ଯାହା, ମୋ ଜୀବନକୁ ପୁଣିଥରେ ବଞ୍ଚାଇ ରଖିବାର ପ୍ରଚେଷ୍ଟା କରିବା ସେଇଆ । ମରିବାକୁ ଯାଉଥିବା ମଣିଷପାଇଁ ସବୁ ଶୁଭ । ଅଶୁଭ କିଛି ନାହିଁ ।

 

ବିଜ୍ଞାନର ଯୁଗରେ ପାକସ୍ଥଳୀ ଖଞ୍ଜି ମଣିଷକୁ ପୁନର୍ଜୀବନ ଦେବା ସମ୍ଭବ ହୋଇଛି । ତମ ରୋଗ ତା’ ତୁଳନାରେ ଏମିତି କିଛି ବଡ଼ ନୁହେଁ, ଯାହା କି ଭଲ ହୋଇ ପାରିବ ନାହିଁ । ତମ ନିଜ ସମ୍ପର୍କରେ ଏତେ ଖରାପ ଚିନ୍ତା କରିବା ଅର୍ଥ ନିଜ ମନକୁ କେବଳ ଦୁର୍ବଳ କରିବା ଛଡ଼ା ଆଉ କିଛି ନୁହେଁ ।

 

ତମ କଥା ଶୁଣି ହସିବାକୁ ଇଚ୍ଛା ହେଉଛି ଭାଉଜ ! ଝରାପତ୍ର ଗଛରୁ ଝରିଗଲା ପରେ ଆଉଥରେ ତାକୁ ନେଇ ଶାଖାରେ ଯୋଡ଼ିଲେ ସେ କ’ଣ ଆଉ ଯୋଡ଼ି ହେବ ? ମୋ ଜୀବନ ପତ୍ର ଅକାଳରେ ଖସି ପଡ଼ିଛି, ତାକୁ ପୁଣିଥରେ ଯୋଡ଼ିବାକୁ କାହିଁକି ଅଯଥା ଚେଷ୍ଟା କରୁଛ ?

 

ତମର କିଛି କଥା ଶୁଣାଯିବ ନାହିଁ । ତମେ ନୀରବରେ ଚୁପ୍‌ଚାପ୍ ଶୋଇଲ କିଛି ସମୟ-। ମୁରବି ଢଙ୍ଗରେ କହିଲେ ଲତିକା । ବିକାଶବି ମାନିନେଲେ ତାକୁ ।

 

ବିକାଶ ନୀରବରେ ଶୋଇବା ଦେଖି ଲତିକା ଉଠି ଯାଉଥିଲେ ତାଙ୍କ ପାଖରୁ । ବିକାଶ ପୁଣି ଆଖି ଖୋଲିବା ଦେଖି ଲତିକା ପୁଣି ଶାସନ କରିବା ଠାଣିରେ କହିଲେ ପୁଣି ଆଖି ଖୋଲିଲ-? ତମେ ପିଲାଙ୍କ ପରି ଆଜିକାଲି ଭାରି ଅବାଧ୍ୟ ହେଲଣି ।

 

ଗୋଟିଏ କଥା କହିବି ।

 

କୃତ୍ରିମ କ୍ରୋଧରେ ଲତିକା କହିଲେ କି କଥା ? ଶୀଘ୍ର କୁହ ।

 

ମୁଁ ଗୋଟିଏ ଜାଗାକୁ ଯିବି ଭାଉଜ ।

 

ଏ ଅବସ୍ଥାରେ ?

 

କଥା ଦେଇଥିଲି ।

 

କାହାକୁ ?

 

ଜଣେ ସ୍ତ୍ରୀଲୋକକୁ ।

 

ପୁଣି କୋଉ ରହସ୍ୟମୟୀ ସ୍ତ୍ରୀଲୋକ ତମ ଜୀବନରେ କୋଉଦିନ ଏମିତି ଅନଧିକାର ପ୍ରବେଶ କଲା ? ମତେ ତ କହି ନାହଁ ଏ’ ସମ୍ପର୍କରେ ? କ’ଣ ତା’ ସହିତ କିଛି.... ?

 

ଚାଟୁକ୍ତି ପ୍ରକାଶ କଲେ ଲତିକା ।

 

ବିକାଶଙ୍କ ରୋଗସିକ୍ତ ମୁହଁରେ ହସର କ୍ଷୀଣ ଧାରାଟିଏ ଚହଲି ଉଠିଲା । ସେ ହସକୁ କିଛି ସମୟପାଇଁ ଓଠରେ ଚାପିଧରି କହିଲେ, ଜୀବନରେ ଗୋପନ ସମ୍ପର୍କ ଥରକପାଇଁ ଆସେ ଭାଉଜ । ବାରବାର ପାଇଁ ନୁହେଁ । ବୟସ ନଈରେ ପ୍ରଥମ କରି ଆବେଗର ଯୋଉ ଛୋଟିଆ ଢେଉଟିଏ ଉଠେ, ସେଥିରେ ମନ ହୃଦୟର ନିଭୃତ କୋଣରେ ଯାହା କିଛି ସଞ୍ଚିତ ହୋଇଥାଏ, ସବୁ ଭାସିଯାଏ । ପ୍ରଥମ ପ୍ରଣୟର ସ୍ମୃତି, ପ୍ରଥମ ପ୍ରଣୟୀ । ପ୍ରଣୟିନୀ ପ୍ରାଣତଳେ ଯେଉଁ ଅପୂର୍ବ ରୋମାଞ୍ଚ ଭରି ଦେଇ ଯାଆନ୍ତି, ତା’ର ପରବର୍ତ୍ତୀ ପର୍ଯ୍ୟାୟରେ ଯେତେ ଅଧିକ ରୋମାଞ୍ଚ ସୃଷ୍ଟି ହେଲେବି ତା’ର ମାଦକତା, ମୃଦୁମଧୁର ହୁଏ ନାହିଁ । ସେ ମାଦକତା ମତେ ଜଣେ ଦେଇଥିଲା । ସେ ଥିଲା ଦୀପାନ୍ୱିତା । ଯାହା ଲାଗି ମୋର ଜୀବନ ନଷ୍ଟ ହୋଇଗଲା । ଦୀପାନ୍ୱିତାର ସ୍ମୃତିକୁ ମୁଁ ଯଦି ସାଇତି ରଖି ନ ଥାନ୍ତି, ତେବେ ମୁଁ ଆଜି ନିଜକୁ ଏମିତି ଧ୍ଵଂସାଭିମୁଖୀ କରାଇ ନଥାନ୍ତି । ନିଜକୁ ଧ୍ଵଂସ କଲାବେଳେ କାହା ସହିତ ଆଉ କ’ଣ ଗୋପନ ସମ୍ପର୍କ ରଖିହୁଏ ?

 

ମୁଁ ତମକୁ କ’ଣ ଅବିଶ୍ଵାସ କରୁଛି ବୋଲି ଭାବୁଛ ? ଏମିତି କୌତୁକରେ ପଚାରୁଥିଲିନା-! ସତରେ କ’ଣ ବିକାଶ, ଦୀପାନ୍ଵିତା ଆଜି ମଧ୍ୟ ତମ ମନତଳେ ସେଦିନର ସେଇ ଉଦ୍‌ବେଗ, ଉଚ୍ଛ୍ୱାସ ନେଇ ବଞ୍ଚି ରହିଛି ? ତମେ ତାକୁ ଆଜି ପର୍ଯ୍ୟନ୍ତ ଭୁଲି ପାରିନାହଁ ।

 

ତମର ମନେ ଅଛି ଭାଉଜ, ଅନେକ ଦିନ ତଳେ ମୁଁ ଥରେ ନଦୀ ପଠାର ବାଲି ଉପରେ ତମକୁ କ’ଣ କହିଥିଲି ?

 

ଲତିକା ଅଳ୍ପ ସମୟ ଚିନ୍ତା କରି କହିଲେ, ଏଇଆ କହି ଥିଲନା, ଅନେକ ବର୍ଷ ପରେ ସେ ନଦୀପଠାରୁ ମାଟି ଖୋଳି ଯଦି ମୁଁ କାନ ଡେରିବି, ତେବେ ତମରି ସ୍ପନ୍ଦିତ ନିଃଶ୍ଵାସ, ପ୍ରଶ୍ଵାସର ଶବ୍ଦ ସେତେବେଳେବି ଶୁଣି ପାରିବି ! କିନ୍ତୁ ସେ ଥିଲା ସେ ଭାବପ୍ରବଣ ମୁହୂର୍ତ୍ତର ଆବେୟମୟୀ କଥା କେଇପଦ । ତାହା କ’ଣ ସତ ହୋଇ ତମ ଜୀବନରେ ଆଜି ସୁଦ୍ଧା ରହିଛି ? ତିଳତିଳ ଯନ୍ତ୍ରଣା ଭିତରେବି ସେ ମରି ପାରିନାହିଁ ? ଲିଭି ପାରିନାହିଁ ?

 

କେମିତି ଲିଭିବ ? ଏ’ ଜନ୍ମରେ ଅଯୋଗ୍ୟ ହୋଇ ଜନ୍ମ ହୋଇଥିଲି । ଦୀପାନ୍ୱିତାକୁ ପାଇଲି ନାହିଁ । ଆର ଜନ୍ମରେ ସେ ଦୋଷକୁ ସୁଧାରି ନ ନେବା ଯାଏଁ ସେ ଆବେଗ ଅକ୍ଷତ, ଅନାହତ ରହିଥିବ ।

 

ଏ’ ଜନ୍ମରେ ଦୀପାନ୍ୱିତାକୁ ଦେଖିବାକୁ ତମର ଆଉ ଇଚ୍ଛା ହେଉନାହିଁ ?

 

ଦେଖି ବା ଲାଭ କ’ଣ ? ସେ ଯେ ଅନ୍ୟର ହୋଇ ଯାଇଛି ।

 

ସେ ଯଦି ତମର ହୋଇ ପୁଣିଥରେ ତମ ଆଗରେ ଦେଖାଦିଏ, ତମେ କ’ଣ ତାକୁ ଗ୍ରହଣ କରିବ ନାହିଁ ?

 

ଏ’ ପ୍ରଶ୍ନ ଅବାନ୍ତର । ଅସଂଗତ ।

 

ଅବାନ୍ତର, ଅସଂଗତ କଥା ବେଳେବେଳେ ଫଳବତୀ ହୁଏ ।

 

ବିକାଶ ଯେମିତି ବ୍ୟତିବ୍ୟସ୍ତ ହୋଇ ଉଠିଲେ ଏପରି ଆଲୋଚନାରେ । ସେ କଡ଼ ଲେଉଟାଇ ଆଖି ବୁଜି କହିଲେ, ସେ ସବୁ ଛାଡ଼ ଭାଉଜ, ମୋ’ ଯିବାପାଇଁ କ’ଣ ବନ୍ଦୋବସ୍ତ କରୁଛ କହିଲ ?

 

ଲତିକା ଉଠୁ ଉଠୁ କହିଲେ, ଡାକ୍ତର ଶର୍ମାଙ୍କ ସହିତ ଟେଲିଫୋନ୍‍ରେ ପରାମର୍ଶ କରି ତମ ଯିବା କଥା କହିବି । କ’ଣ କିଛି ଅସୁବିଧା ହେଲେ ସେ ମୋ ଉପରେ ଦୋଷ ଲଦି ଦେଇ ପାରନ୍ତି । ତେଣୁ ତାଙ୍କୁ ନ ପଚାରିବା ପୂର୍ବରୁ ମୁଁ କିଛି ଠିକ୍ କରି ପାରୁନାହିଁ ।

 

ଗୋଧୂଳି ଆଲୁଅଟା ନିଭିନିଭି ଆସୁଛି ସହର ଉପାନ୍ତରେ । ସନ୍ଧ୍ୟା ଆସୁଛି ଅବଗୁଣ୍ଠନ ବତୀ ବଧୂଟିଏ ପରି ଦୋହଲି ଦୋହଲି । ଦୀପାନ୍ୱିତା ଠିକ୍ ଏମିତି ଏକ ସନ୍ଧ୍ୟାରେ ସାଜିଥିଲା ଅବଗୁଣ୍ଠନ ବତୀ । ସେ ସ୍ଵର୍ଣ୍ଣାଭ ଅତୀତ ମନେ ପଡ଼ିଗଲେ ହୃଦୟ ତା’ର ବିଦୀର୍ଣ୍ଣ ହୋଇପଡ଼େ । ରକ୍ତ ଜମାଟ ବାନ୍ଧି ଉଠେ । କେଡ଼େ ସୁନ୍ଦର ତା’ର ସୁନାର ଦିନଗୁଡ଼ିକ ପାଣିର ଢେଉ ପରି ଚହଲି ଗଲା ! ଭାବି ବସିଲେ ବଡ଼ ବିସ୍ମୟ ଲାଗେ ।

 

କଲେଜରୁ ଫେରି ଦୀପାନ୍ୱିତା ସିଧା ସିଧା ରୁମ୍ ଭିତରକୁ ପଶି ଗଲା ତା’ର । ଚପଲ ଦୁଇଟି ପଲଙ୍କ ତଳକୁ ଖସାଇ ଦେଇ ସେଇ ଶାଢ଼ି ପିନ୍ଧି ଲୋଟି ପଡ଼ିଲା ପଲଙ୍କ ଉପରେ । ଭାରି କ୍ଳାନ୍ତ ଲାଗୁଛି । ସବୁଦିନଠାରୁ ଯଦି ବା ଆଜି ସେ କମ୍ ପରିଶ୍ରମ କରିଛି ପଢ଼ାଇବାରେ, (କାରଣ ଗୁଡ଼ାଏ ପିରିୟଡ଼୍ ଲିଜର୍‌ ଥିଲା ।) ତଥାପି କାହିଁକି କେଜାଣି ବହୁ କ୍ଳାନ୍ତି ଅନୁଭବ କରୁଛି ଆଜି ସବୁଦିନ ଅପେକ୍ଷା ।

 

ତା’ର ରୁମ୍‌ଟି ଶଶାଙ୍କର ରୁମ୍ ସହିତ ସଂଲଗ୍ନ । ଶଶାଙ୍କ ନିଜ ରୁମ୍‌ରେ କିଛି ବ୍ୟସ୍ତ ଅଛି ବୋଧହୁଏ ! ଅନୁପମା ବାରମ୍ବାର ତାକୁ ବ୍ୟସ୍ତ କରୁଥିବାର ଅସଞ୍ଜତ କଣ୍ଠରୁ ଜଣା ଯାଉଛି ।

 

ମୋ କଥା ଟିକିଏ ଶୁଣ । କି’ ବାଜେ କାମରେ ମନ ଲଗାଇଛମ !

 

କ’ଣ କହୁନାହଁ ? ନ କହି ଏମିତି ବିରକ୍ତ କରୁଛ କାହିଁକି ?

 

କ’ଣ ଆଉ କହିବି, ତମ ଗୁଣର ଭଉଣୀଙ୍କ କଥା କହୁଥିଲି ।

 

ଶଶାଙ୍କ କଥାରେ ପ୍ରମାଦ ମନେକରି ଅନୁପମାକୁ ସୂଚାଇ ଦେଲା ।

 

ଧୀରେ କହ । ଅପାର ଫେରିବା ବେଳ ହୋଇଗଲାଣି । ଯଦି ଶୁଣିବ, କ’ଣ ଭାବିବ ସେ ? ସେଠୁ ବାପାଙ୍କ କାନ ପର୍ଯ୍ୟନ୍ତ କଥା ଯିବ । ଅବସ୍ଥା କ’ଣ ହେବ ?

 

ଅନୁପମା ଗର୍ଜି ଉଠିଲା ଶଶାଙ୍କ ଉପରେ ।

 

କ’ଣ ତମେ ପୁରୁଷ ନା ସ୍ତ୍ରୀ ? ଏତେ ଡର କାହିଁକି ? ଶାଶୁଘର ଝିଅ । ବାପ ଘରେ ସବୁଦିନେ ରହିବେ ବୋଲି କ’ଣ ଲେଖା ? ବିଧବା ହେଲେ ବୋଲି କ’ଣ ଆମରି ଦୋଷ ? ତମରି ଅର୍ଜନ ଖାଇ ତମରି ଘରେ ଦିନ କଟାଇବେ ନା ଆଉ କୋଉ ବାପଘର ଅଛି ଚାଲିଯିବେ ? ତମକୁ କହିବାକୁ ଏତେ ଡର କାହିଁକି ? ସେଇ ଏକୁଟିଆ କଲେଜରେ ନୂଆ କରି ପଢ଼ିଛନ୍ତି ଆଉ ପଢ଼ାଉଛନ୍ତି ନା ଏହା ଆଗରୁ ଆଉ କେହି କଲେଜରେ ପଢ଼ିଥିଲେ, ପଢ଼ାଉଥିଲେ ? ଆମବେଳେ ଆମେ ଆଉ ଝିଅ ହେଇ ନଥିଲୁ । ଏଇ ଗେଲବସରୀ ନୂଆ ଝିଅ ହେଇଛନ୍ତି । ଯଦି ଗେଲବସରପଣିଆ ଦେଖେଇବା କଥା ତାଙ୍କ ବାପାଙ୍କ ପାଖକୁ ଯାଇ ଦେଖାଉ ଥାଆନ୍ତୁ । ଆମ ଆଗରେ ଦେଖେଇଲେ ଆମେ ସହିବା ଲୋକ ନୋହୁଁ । ସେଥିରେ ପୁଣି କଥା କଥାକେ ଅଭିମାନ ! ଟିକିଏ ଡେରି ହୋଇଗଲେ ନ ଖାଇ କଲେଜ ବାହାରିଲେ । କ’ଣ ନା କଲେଜ ସମୟ ହୋଇଗଲାଣି । ଦେହ ଭଲ ଲାଗୁନି । କେତେ ବାହାନା । ସେ ବାହାନା ଦେଖେଇଲେ ଏ’ ଘରେ ତାଙ୍କର ରହିବା ଉଚିତ ନୁହେଁ । ସେଇକଥା କହିଦିଅ ତାଙ୍କୁ ସ୍ପଷ୍ଟ ଭାବରେ । ନ ହେଲେ ଆମ ଘରକୁ ମତେ ଛାଡ଼ିଦିଅ । ତମେ ତମ ଭଉଣୀକୁ ଧରି ଥେଇଥେଇ ନାଚୁଥାଅ ।

 

ଅନୁ ! କ୍ଷୁବ୍ଧ ଗଳାରେ ଡାକିଲା ଶଶାଙ୍କ ।

 

ସତକଥା କହିଲେ ତମ ଦେହରେ ବାଜିଯାଏନା ! ତେବେ ତମ ଭଉଣୀଙ୍କି ସେଇକଥା କହି ଦେଉନା ! ନିଜେ ତ ଅର୍ଜନ କରୁଛନ୍ତି, ଚାରିଶ ପାଞ୍ଚଶ’ ଟଙ୍କା ମାସରେ ଏକାକୀ ପାଇବେ । ବାହାରେ ରହି କ’ଣ ଚଳି ପାରିବେ ନାହିଁ ? କେଉଁଠି ଘରଭଡ଼ା ନେଇ ବେଶ୍ ଆରାମରେ ଚଳି ପାରିବେ ସେ । ସେ କଥା କୋଉଠି କରିବେ ? ହାତରୁ ପଇସା ସରିଯିବନି ? ଏମିତି ଆରାମରେ ବସି ଗୁଣ୍ଡା ଗିଳିବାକୁ ଦେବ କିଏ ସେ ?

 

କି’ ଅସଂଗତ କଥାଗୁଡ଼ାଏ କହୁଚ ଅନୁ ?

 

ମୋର ତ ସବୁକଥା ଅସଂଗତ । ମତେ କାହିଁକି ଜାବୁଡ଼ି ଧରିଛ ତମେ ? କ’ଣ ରାତି କାମ ଚଳେଇବାକୁ ନା, କେବଳ ସେ କାମ ଚଳେଇବାକୁ କ’ଣ ଆଉ କେହି ନାହାଁନ୍ତି ? ତମ ଭଉଣୀ ତ ଅଛନ୍ତି ! ସେ’ କ’ଣ ପାରିବେ ନାହିଁ ?

 

ଅନୁପମା !

 

ରାଗରେ ବିକ୍ଷୁବ୍ଧ ହୋଇ ଜୋର ଚାପୁଡ଼ାଏ ପିଟିଲା ଶଶାଙ୍କ ।

 

ମତେ ମାରିଛ ? ହଉ, ବୋଉଙ୍କୁ, ଭାଇଙ୍କୁ ମୋର ଟ୍ରଙ୍କକଲ କରି କହୁଛି ଏବେ । ତମ ଭଳି ସ୍ଵାମୀକୁ ପ୍ରଥମେ ଡାଇଭର୍ସ୍ କରିବା ଉଚିତ । ତା’ପରେ ଯୋଉ କଥା ।

 

ତମ ଇଚ୍ଛା, ଯାହା କରୁଛ କରିଯାଅ ।

 

ହଁ କରିବି । ଭଉଣୀଙ୍କି ଧରି ତମେ କେତେଦିନ କେମିତି ଭାବରେ ଚଳିବ, ମୁଁ ଦେଖିବି । ସେଇ ଭଉଣୀ ତମ ମୁହଁରେ ଯଦି କାଳି ବୋଳି ଛାଡ଼ି ନ ଦେବ, ତେବେ ମୋ’ ନାଁ ଅନୁପମା ନୁହେଁ-। ଭାଇ ସୁଆଗ ତମର ସେହି ଛଡ଼େଇ ଦେବ ଦିନେ ! ଥୟ ଧର I

 

ଶଶାଙ୍କ କ୍ରୋଧଜର୍ଜର ହୋଇ କହିଲା, ତମେ ମତେ ଡାଇଭର୍ସ୍ କରିବ ପରା ଆଗେ କରିସାର । ତା’ପରେ ଭାଇ ଭଉଣୀ ସୁଆଗ କଥା ଆମେ ବୁଝାବୁଝି ହେବୁ ।

 

ଇସ୍, ଭାରି ଚତୁର ଶୃଗାଳ ତମେ । ତମକୁ ସେମିତି ଡାଇଭର୍ସ୍ କରି ଚାଲିଯିବି ? ଭଲକରି ପାଣି ମୁନ୍ଦିଏ ନ ପିଆଇବା ପର୍ଯ୍ୟନ୍ତ ମୁଁ ଗଲିଣି କୁଆଡ଼େ ? ହଇହୋ, ତମ ଭଉଣୀଙ୍କ ଗୁଣ କହିଲେ ନ ସରେ, ଦିନ ନଅଟାରୁ ଯିବେ ଯେ ବାର ଛତରା ଲୋକ ସାଙ୍ଗରେ ବୁଲି ବୁଲି ରାତି ନଅଟାକୁ ଫେରିବେ । ଇଏ ବିଧବା ଝିଅ ପରା ? ଏମିତି କୋଉ ବିଧବା ଝିଅ ଚଳୁଚି କୋଉଠି ? ଏ’ ଘର ପରା ଆଭିଜାତ୍ୟପୂର୍ଣ୍ଣ ଖାନ୍‍ଦାନୀ ବୋଲି କଥା କଥାକେ ଫଟାଅ । ତମ ଆଖି କ’ଣ ଫୁଟିଯାଇଛି କି, ଦିଶୁନି ? ନା ଭଉଣୀର ଗୁଣ ବୋଲି ଆଭିଜାତ୍ୟ, ଖାନ୍‍ଦାନୀ ଧରାନାହିଁ, କହି ପାରୁନ ?

 

ରାଗରେ ତମତମ ହୋଇ ଶଶାଙ୍କ ପୁଣି କହିଲା, ମୁଁ କ’ଣ ଏ’ ଘରର ମୁରବି, ମୁଁ ତାକୁ ଶାସନ କରିବି ? ସେ ମୋ’ଠୁ ବୟସରେ ଯଥେଷ୍ଟ ବଡ଼ । ବାପା ଥାଉଁଥାଉଁ ଏ’ଘର ଉପରେ ମୋର କ’ଣ ଅଧିକାର ଅଛି ? ତମର ଯଦି କହିବା କଥା, ଯାଉନ ବାପାଙ୍କ ଆଗରେ କହିବ ? ପାଟି କରିବ ?

 

କାହିଁକି ତମ ପାଟି କୁଆଡ଼େ ଯାଇଛି କି ମୁଁ କହିବି । ମୁଁ ଘରର ବୋହୂ । ମୁଁ ବାପାଙ୍କ ଆଗରେ ଯାଇ କହିବାଟା ଭାରି ସୁନ୍ଦର ହେବ ? ତମର ଯୋଉ ବୁଦ୍ଧି, ଆହା !

 

ମୋର ତ ବୁଦ୍ଧି ନାହିଁ ।

 

ତମର ବୁଦ୍ଧି ଅଛି ବୋଲି ଘରେ ପାଦ ଦେଉ ଦେଉ ଅଠରକଳି ଆରମ୍ଭ କରିଦେଲଣି । ତମ ବୁଦ୍ଧିଟା ବେଶି ସରସ ମନେ ହେଉଛି ।

ମୋ’ ବୁଦ୍ଧି ତ ସରସ ନୁହେଁ । ତମ ଭଉଣୀର ବୁଦ୍ଧି ମୋ’ଠୁ ଆହୁରି ସରସ । ସେଇଥିପାଇଁ ଘରେ ପାଦ ଦେଇବି ଦି’ଦିନ ରହି ପାରିଲାନି ।

ବେଶି ବାକ୍‌ଚାତୁରୀ ଆଉ ଦେଖାଅ ନାହିଁ । ସେତିକିରେ ବନ୍ଦକର ତମ ବକ୍ତୃତା ।

ବନ୍ଦ କରିଛି ହେଲେ ଗୋଟାଏ ଫଇସଲା ନ କରି ମୁଁ ଆଜି ଛାଡ଼ିବି ନାହିଁ । ତମ ଭଉଣୀ ଏ’ ଘରେ ରହିବେ ତ ମତେ ମୋ’ ଘରକୁ ସବୁଦିନ ପାଇଁ ଯିବାର ବନ୍ଦୋବସ୍ତ କରିଦିଅ । ଯଦି ମୁଁ ରହିବାକୁ ଚାହୁଁଛ, ତେବେ ତମ ଭଉଣୀଙ୍କୁ କହିଦିଅ, ସେ ତାଙ୍କର ନିଜ ବ୍ୟବସ୍ଥା ଦେଖନ୍ତୁ ।

ତମେ ତମ ଘରକୁ ଯିବାକୁ ଶୀଘ୍ର ପ୍ରସ୍ତୁତ ହୁଅ । ମୁଁ ତମକୁ ଛାଡ଼ିବା ବନ୍ଦୋବସ୍ତ କରି ଦେଉଛି ।

କ’ଣ କହିଲ ? ଭାରି ତ ସାହସ ! ଏ’ ଘରକୁ ବୋହୂ କରି ଆଣିଥିଲ କ’ଣ ଏମିତି ଧକ୍କା ମାରି ତଡ଼ିବା ଲାଗି ?

ଅନୁପମାର ରାଗ ଅତି ପରିମାଣରେ ବଢ଼ିଯିବା ଭଳି ଜଣାପଡ଼ିଲା । ଦୀପାନ୍ଵିତା ଚମକି ଉଠିଲା । ରକ୍ତ ତା’ର ପାଣିଫାଟି ଶିଥିଳ ହୋଇ ଆସୁଛି । ଦିନର ଆଲୁଅଟା ଯେପରି ଫାଟିଯାଇ ପରିଣତ ହୋଇଛି ରାତିର ଅନ୍ଧକାରରେ । ଅନୁପମା କହୁଛି, ପର ଝିଅ ପ୍ରତି ତ ତମର ଏତେ ଦରଦ ଏତେ ମମତା । ନିଜ ଭଉଣୀ ହୋଇଥିଲେ ମତେ ତ ଖାଇ ସାରନ୍ତଣି ତମେ !

 

ଶଶାଙ୍କ ପ୍ରତିବାଦ କରୁଛି, ନିଜ ଝିଅ ନ ହେଲେ କ’ଣ ହେଲା, ଅପା ଆମ କୁଳର, ବଂଶର ମାନମହତ ରକ୍ଷା କରିଛି । ମାଈଁ ଯୋଉଦିନ ମରିଗଲେ, ଖୁବ୍ ଛୋଟ ଅବସ୍ଥାରେ ମାମୁ ଟେକି ଦେଇଥିଲେ ଅପାକୁ ବାପାଙ୍କ ହାତରେ । ବାପାବି ବହୁ ଆଗ୍ରହରେ ଗ୍ରହଣ କରିଥିଲେ ତାକୁ । କାରଣ ଏମିତି କେତେ ପୁରୁଷ ହେଲା ଆମ ବଂଶରେ ଆଦୌ ଝିଅ ଜନ୍ମ ହୋଇ ନଥିଲେ । ତେଣୁ ଅପା ହେଲା ଆମ ବଂଶର ପ୍ରଥମ ଲକ୍ଷ୍ମୀ । ବଂଶର ଇଜ୍ଜତ ରକ୍ଷା କରି ସେ ହେଲା ଆମ ଘରର ପ୍ରଥମ ଝିଅ ।

 

କାହାରି ଆଗରେ ଏ’କଥା ପ୍ରକାଶ ନ କରିବାକୁ ବାପା ମତେ ଭୁବନେଶ୍ଵର ଲିଙ୍ଗରାଜଙ୍କ ମନ୍ଦିରରେ ଶପଥ କରାଇଥିଲେ । ଆଉ ସେଇ ଶପଥକୁ ସ୍ମରଣ କରି କରି ଆଜି ପର୍ଯ୍ୟନ୍ତ ଏ’କଥାଟାକୁ ଲୁଚେଇ ରଖିଥିଲି । ଲିଙ୍ଗରାଜଙ୍କ ଦ୍ଵାହି କାଟି ତମକୁ ଏତିକି କହି ଦେଇଥିବାରୁ ତମେ ଆଜି କ୍ରୋଧରେ ପଞ୍ଚମ ହୋଇ ମୋ’ ଉପରେ ଅଗ୍ନିବର୍ଷା କରୁଛ ? କିନ୍ତୁ ସାବଧାନ, ଅପା ଯେମିତି ଏ’କଥା ଆଦୌ ନ ଜାଣେ ।

 

ଆଉ ଶୁଣି ପାରିଲାନି ଦୀପାନ୍ଵିତ । କ୍ରୋଧଜର୍ଜର ହୋଇ ମନେମନେ ଗାଳି ବର୍ଷଣ କରି ଚାଲି ଯାଉଥିଲା ଅନୁପମା ଶଶାଙ୍କର ରୁମ୍ ଭିତରୁ ।

 

ଗୋଧୂଳ ଶେଷରେ ରାତି ଆସି ଯାଇଛି । ଆଜି ରାତିଟା କାହିଁକି ବହୁତ ରହସ୍ୟମୟୀ ଜଣାପଡ଼ୁଛି ଦୀପାନ୍ଵିତ ପକ୍ଷରେ । ଏମିତି ରାତି କ’ଣ ଆଉ କେବେ ଜୀବନରେ ଆସି ନଥିଲା ତା’ର-? ଏମିତି ଅନୁଭୂତି ଆଗରୁ କ’ଣ ସେ କେବେ ପାଇ ନଥିଲା ?

 

ତା’ ଇତିହାସ କେଡ଼େ ରହସ୍ୟପୂର୍ଣ୍ଣ ସତରେ ! ଯାହା କୋଳରେ ହସି ଖେଳି, ଯାହା ମମତା ସ୍ନେହରେ ଭିଜି ଭିଜି ଏତେ ବର୍ଷ ବିତେଇ ଆସିଥିଲା, ଏମାନେ ତା’ର କେହି ଆପଣାର ନୁହଁନ୍ତି ? କେହି ନିଜର ନୁହଁନ୍ତି । ଯାହାକୁ ହୃଦୟ, ମନ ସମର୍ପଣ କରି ଭଲ ପାଇଥିଲା, ସେ ବି ନିଜର ହୋଇ ପାରିଲାନି । ଶେଷରେ ଯା’ର ହାତ ଧରି ଅଗ୍ନିକୁ ସାକ୍ଷୀ ରଖି ଜୀବନସାଥୀ ରୂପରେ ବରଣ କରିଥିଲା, ସେ ବି ହୋଇ ପାରିଲାନି ନିଜର । ତେବେ କିଏ ତା’ର ନିଜର ? କିଏ ତା’ର ସତରେ ଆପଣାର ?

 

ଦୀପାନ୍ୱିତା ନିଜକୁ ନିଜେ ପ୍ରଶ୍ନ ପଚାରୁଛି । ଜୀବନର ଲାଭକ୍ଷତି ହିସାବନିକାଶ କରୁଛି । ଏତେ ମଣିଷକୁ ପାଇ ମଧ୍ୟ ସେ ଜଣକୁ ଆପଣାର କରିପାରିଲା ନାହିଁ । ନିଜର କରିପାରିଲା ନାହିଁ, ତା’ ଯୋଗୁଁ କେହି ଶାନ୍ତି ପାଇଲେନି କେଉଁଠି । ସବୁଠି ସେ ସମସ୍ତଙ୍କର ହେଲା କଣ୍ଟା । ଦୀପାନ୍ୱିତାର ପେଟ ଭିତରେ ପାପଗର୍ଭ ଚିତ୍କାର କରିବ ଆଉ ମାସ କେତେଟା ପରେ । ଅନୁପମା ଠିକ୍ କହିଛି । ସେ ବୋଳିବ ସମସ୍ତଙ୍କ ମୁହଁରେ କଳା । ଦୁନିଆ ଦାଣ୍ଡରେ ଲୋକହସା କରାଇବ ଦୀପାନ୍ୱିତା ।

 

ସୁବ୍ରତଙ୍କ ନିକଟକୁ ସେ ଆଉଥରେ ଫେରିଯାଆନ୍ତା । କହନ୍ତା, ସୁବ୍ରତ, ମୋ’ ଜୀବନକୁ ତ ଯେମିତି ନଷ୍ଟକଲ, ଛାଡ଼ । ଔରସର ସନ୍ତାନକୁ ଗ୍ରହଣ କରି ତମ କୋଳକୁ ଫେରାଇ ନିଅ । କେବଳ ତମେ ତା’ର ପିତା ବୋଲି ସ୍ଵୀକାର କରି ମତେ ଲୋକଲଜ୍ଜାରୁ ଅପନିନ୍ଦାରୁ ରକ୍ଷାକର । ସୁବ୍ରତ କ’ଣ ତାହା ସ୍ଵୀକାର କରିବ ? ସ୍ଵୀକାର କରିବ ଯେ କେଉଁ ଏକ ଦୁର୍ଦ୍ଦିନ ମୁହୂର୍ତ୍ତରେ ପାଶବିକ ଲାଳସାରେ ଲାଳାୟିତ ହୋଇ ନୂଆବୋଉ ପ୍ରତି ତାଙ୍କର କରିଥିଲେ ଏମିତି ଅଶୋଭନୀୟ ବ୍ୟବହାର ? ସେ କେବେହେଲେ କରିବେ ନାହିଁ । ପୁଣି ମନରେ ବିଚାରିଲା ଦୀପାନ୍ଵିତା–ଏମିତି ଅନେକ ନାରୀ ସନ୍ତାନ ନଷ୍ଟ କରି ଦେଉଛନ୍ତି । ସେ ବି ଏମିତି ନଷ୍ଟ କରିଦେବ । କ୍ଷତି କ’ଣ ?

 

ପୁଣି ମନରେ ଦ୍ଵନ୍ଦ୍ୱର ଝଡ଼ । ସେ ଭ୍ରୂଣହତ୍ୟା କରିବ ?

 

ବେଶ୍ୟା ତ ନିଜର ସନ୍ତାନକୁ ଆଦରରେ ଗ୍ରହଣ କରୁଛି ! ସେ କ’ଣ ବେଶ୍ୟାଠାରୁ ଆହୁରି ହୀନ ? ଆହୁରି ନୀଚ ? ମାତୃତ୍ଵର ଅଧିକାର ଦେବା କ’ଣ ତା’ ଶକ୍ତି ଭିତରେ ନାହିଁ ?

 

ରାତ୍ରିର ଅନ୍ଧକାର ଗଭୀର ହୋଇ ଉଠୁଛି । ଝରକା ବାଟେ ବହି ଆସୁଛି ଥଣ୍ଡା ପବନ । ବୋଧହୁଏ ଆକାଶରେ ଘୁମେଇଁ ଉଠୁଛି ମେଘ । ବର୍ଷା ହେବ । ଝରକାକୁ ଆଉଜେଇ ଆଣିଲା ଦୀପା । ରାତି ବଢ଼ିବା ସଙ୍ଗେ ସଙ୍ଗେ ଦୁଶ୍ଚିନ୍ତା ତା’ର ଏମିତି ବଢ଼ି ବଢ଼ି ଯାଉଛି ଯେ ଘରେ ଆଲୁଅ ଜଳେଇବାକୁବି ମନେ କରିପାରି ନାହିଁ । ଯେତେବେଳେ ମନେ ପଡ଼ିଲା ଘର ଅନ୍ଧକାର, ସେତେବେଳେ ବିଚାରିଲା, ଆଲୁଅ କାହିଁକି ଜଳେଇବ ଆଉ ! ଏମିତି ଅନ୍ଧକାର ଥାଉ । ତା’ ଜୀବନ ତ ପୂରାମାତ୍ରାରେ ଅନ୍ଧାର । ଏ’ ବିଜୁଳି ଆଲୁଅ ଟିକକରେ କ’ଣ ତା’ ଜୀବନଟା ଆଲୋକିତ ହୋଇ ଉଠିବ ?

 

ଭାବିବା ତା’ର ଶେଷ ନ ହେଉଣୁ ବତୀଟା କିଏ ଜାଳିଦେଲା ଆସି । ଉଠି ବସିଲା ଶେଯରୁ ଦୀପା । କିଏ ରଘୁ !

 

ହଁ ଦେଈ ମା’ ! ଏମିତି ଅନ୍ଧାରରେ ଶୋଇଥିଲେ ଯେ ! ବଡ଼ବାବୁ ଆପଣଙ୍କୁ ଡାକୁଛନ୍ତି ।

 

ବାପା ଡାକୁଛନ୍ତି ? ହଉ କହିଦେ’ ମୁଁ ଯାଉଛି ।

 

ରଘୁ ଚାଲିଗଲା । ଦୁଆର ବନ୍ଦ କରି ଶାଢ଼ି ବଦଳାଇ ବସିଲା ଦୀପା । ବାପା ତାକୁ ଡକେଇ ପଠେଇଛନ୍ତି । ବାପାଙ୍କ ଡାକିବା ଯଦିଓ କେତେଥର ଭଲ ଭାବରେ ମନେରଖି ପାରିନାହିଁ, ତେବେ ଏକବାରକେ କ୍ଵଚିତ୍, ସ୍ମରଣ ହେଉଛି ତା’ର । ଏତେଦିନ ଭିତରେ ତାକୁ ଖୁବ୍ କମ୍ ଥର ଡାକିଛନ୍ତି ବାପା ।

 

ଉପରମହଲାରୁ ତଳ ମହଲାକୁ ପାଦ ଦେଲା । ବାପା ରହନ୍ତି ତଳ ମହଲାର ଶେଷ କୋଠରୀରେ । ବାପାଙ୍କ ପାଖରେ ଯାଇ ପହଞ୍ଚିଲା ଦୀପା । ଶେଯରେ ଶୋଇଥିଲେ ଶାରଦା ପ୍ରସନ୍ନ । ଦୀପାନ୍ୱିତାକୁ ଦେଖି ଉଠିବାକୁ ଇଚ୍ଛା କଲେ ।

 

ଦୀପା କହିଲା, ଉଠୁଛନ୍ତି କାହିଁକି ବାପା ? ମତେ କ’ଣ କହିବାର ଅଛି, ଶୋଇ ରହି କହୁନାହାନ୍ତି ?

 

ନାଇଁ ମା’, ଟିକିଏ ଉଠି ବସିବି । କେତେ ଶୋଇବି ଯେ ! ଦିନସାରା ଶେଯରେ ପଡ଼ି ପଡ଼ି ବଡ଼ କଷ୍ଟ ଲାଗୁଛି । ତୁ’ତ କଲେଜ ଚାଲିଯାଉଛୁ । ଆଉ କିଏ ପାଖରେ ଅଛି ଯେ କାହା ସାଥିରେ କଥାବାର୍ତ୍ତା ହେବି ? ସେମିତି ଦିନ ତମାମ୍ କାଠଟା ସମାନ ପଡ଼ିରହୁଛି । ମୋ’ ନିଜ ଗୁଣରୁ ମୁଁ ଆଜି କଷ୍ଟ ଭୋଗୁଛିଲୋ ମା’ ! କାହାକୁ ଆଉ ଦୋଷ ଦେବି ? ଜୀବନସାରା ଯେମିତି କରିଥିଲି ଆଜି ତା’ର ଫଳ ଭୋଗୁଛି । ପ୍ରାଣଟା ଚାଲିଯାଉନି ଯାହା, ଖାଲି ବଡ଼ ଘାଣ୍ଟି ହେଉଚି ରହି; ତମମାନଙ୍କ ଆଗରେ ଚାଲିଗଲେ ତ୍ରାହି ପାଇଯାଆନ୍ତି । ମୁକ୍ତି ପାଇଯାଆନ୍ତି !

 

ଦୀପାନ୍ୱିତାର କୋମଳ ପ୍ରାଣରେ ଆଘାତ ଲାଗିଲା । କହିଲା ବାପା, ସେମିତି କାହିଁକି କହୁଛନ୍ତି ? ଜନ୍ମ, ମରଣ ତ କାହା ହାତର କଥା ନୁହେଁ । ବହୁତ ବଡ଼ବଡ଼ ରୋଗ ତ ପୁଣି ଭଲ ହେଉଛି । ଆଉ ଇଏ ଏମିତି କି ରୋଗ ଯେ ଭଲ ହେବନି ? ଆପଣ ଖାଲି ତୁଚ୍ଛାକୁ ବ୍ୟସ୍ତ ହେଉଛନ୍ତି !

 

ଆଉ ଭଲ ହେବି ! ସମୟ ତ ସରିଲାଣି । ଆଉ ଭଲ ହୋଇ ବା କ’ଣ କରିବି ?

 

ବଡ଼ ନିରାଶ କଣ୍ଠରେ ହତାସୋକ୍ତି ବାଢ଼ିଲେ ଶାରଦା ପ୍ରସନ୍ନ । ପୁଣି କିଛି ସମୟ ରହି ପଚାରିଲେ, ମା’, ପ୍ରିନ୍‌ସିପାଲ, ଅନ୍ୟାନ୍ୟ ଲେକ୍‍ଚରରମାନେ ତତେ ସୁଖ ପାଉଛନ୍ତି ତ ? ନା କିଏ କିଛି.....

 

ଅଧାରୁ କଥା ଭାଙ୍ଗି ଦୀପା କହିଲେ ନା ବାପା, ସମସ୍ତେ ଭଲରେ ଦେଖୁଛନ୍ତି । କାହା ସହିତ ମୋର କିଛି ଖରାପ ସମ୍ପର୍କ ନାହିଁ ।

 

ଦୀପାର କଥା ଶୁଣି ସାରି ଶାରଦାପ୍ରସନ୍ନ କହିଲେ, ଆଜି ତତେ ଗୋଟିଏ ଜରୁରୀ କଥା କହିବାକୁ ଡକେଇଥିଲି ମା’ ।

 

ତଥାପି କହିବାକୁ ଭାରି ସଂକୋଚ ଲାଗୁଛି । ଥରେ ମୁଁ ତୋ’ ପ୍ରତି ଘୋର ଅବିଚାର କରି ଦେଇଛି କି’ନା ! ସେଇଥିଲାଗି । ସେ ଅବିଚାରଟା ମସ୍ତବଡ଼ ଭୁଲ୍‍ରେ ପରିଣତ ହୋଇ ଯିବା ପରେ ଯେ କୌଣସି କଥା କହିବାପାଇଁବି ମତେ ଖୁବ୍ ଦ୍ଵିଧା ଲାଗୁଛି, ପୁଣି ଯଦି କିଛି ଭୁଲ୍ ହୋଇଯାଏ !

 

ନମ୍ର ସ୍ଵରରେ ଦୀପା କହିଲା, ବାପା, ଆପଣ ମତେ ଜନ୍ମ ଦେଇଛନ୍ତି । ଆପଣ ମୋ’ ପ୍ରତି ଅବିଚାର କି ବିଚାର କରିଛନ୍ତି, ତାହା ମୁଁ ଜାଣେ; ଆପଣ ଆପଣଙ୍କର କର୍ତ୍ତବ୍ୟ କରିଥିଲେ । ସେ କର୍ତ୍ତବ୍ୟରେ–ଆପଣଙ୍କର କିଛି ତ୍ରୁଟି ନଥିଲା । ମୋ’ କପାଳରେ ଯାହା ଭୋଗିବାର ଥିଲା, ମୁଁ ଭୋଗିଗଲି । ସେଥିରେ ଆପଣଙ୍କର ଦୋଷ କ’ଣ ? ଆପଣ ଏଥିପାଇଁ ସଂକୋଚ ବୋଧକଲେ ମୁଁ ପାପରେ ଭାଗି ହେବି ।

 

କିଏ କହିଲା ତ୍ରୁଟି ନଥିଲା ମା’ ? ମୋର ପୂରାପୂର ତ୍ରୁଟିଥିଲା । ମୁଁ ତୋର ରୁଚି ବିରୁଦ୍ଧରେ ତୋ’ ବିବାହ କରିଥିଲି । ସେଥିପାଇଁ ତୁ ସୁଖରେ ରହି ପାରିଲୁନି । ତୋ’ ପ୍ରତି ଏ କେବଳ ଦୁଃଖ ନୁହେଁ ମା’, ମୋ’ ପ୍ରତି ମହାଶିକ୍ଷା ଆଉ ଦଣ୍ଡ ଭଗବାନଙ୍କର । ହଉ, ପଛ କଥା ଭୁଲିଯା’ । ପଛ କଥା ପଛରେ ରହିଲାଣି । ସେସବୁ ବିଚାର କରି କୌଣସି ମୂଲ୍ୟ ନାହିଁ ଆଜି । ତେବେ ମୁଁ ପଚାରୁଛି ମା’ ତୁ’ କ’ଣ ତୋ’ ଜୀବନକୁ ଏମିତି ଏମିତି ମୂଲ୍ୟହୀନ କରି ବିତେଇ ଦେବାକୁ ଇଚ୍ଛା କରୁଛୁ ? ତୋ’ ଶାଶୁଘରକୁ ମୁଁ ଜଣେଇଁ ବୁଝେଇ ଦେବି । ଶାଶୁ ତୋର ଭଲଲୋକ-। ସେ କିଛି ମନେ କରିବେନି । ତୁ’ ଆଉଥରେ ବିବାହ କର ମା’ !

 

ହିନ୍ଦୁ ନାରୀ ଜୀବନରେ ଥରେ ବିବାହ କରେ ବାପା । ବାରବାର ନୁହେଁ । ମୁଁ କେମିତି ଆଉଥରେ ପୁଣି ବିବାହ କରିବି, ଆପଣଙ୍କ ଭଳି ଜଣେ ରକ୍ଷଣଶୀଳ ମଣିଷ ମତ ଦେଉଛି ।

 

ଏ’ ମୋ’ ସ୍ଵାର୍ଥ ଉପର କଥା ମା’ । ଏମିତି ବିବାହ ଅନେକ ଅନେକ ହେଉଛି ସମାଜରେ । ମନ ପବିତ୍ର ଥିଲେ ସବୁ ପବିତ୍ର । କଥାରେ ଅଛି ପରା, ମନ ଶୁଦ୍ଧ ଥିଲେ ଗାଡ଼ିଆ ଗଙ୍ଗା ।

 

ଦ୍ରୌପଦୀ, ତାରା ସମାନ ସତୀ ନାରୀମାନେ ପୁରାଣରେ ଆମର ଜ୍ଵଳନ୍ତ ଉଦାହରଣ ପରା ! ତୁ’ ରାଜି ହୋଇଯା’ ଏ ଶେଷ ସମୟରେ ବୁଢ଼ାବାପଟାର ମୁହଁରେ ଟିକିଏ ଶୁଖିଲା ହସ ଫୁଟାଇବୁନି ?

 

କିଏ ସେ ମତେ ବାହା ହେବ ବାପା ? କିଏ କାହିଁକି ଏତେ ତ୍ୟାଗ କରିବ ମୋ’ପାଇଁ ଆଉ ?

 

କରିବେ ମା’ କରିବେ । ତୋର ସେଇ ସାଥୀ ବିକାଶ । ସେ’ତ ତତେ ଗ୍ରହଣ କରିବ ନିଶ୍ଚୟ ।

 

ବାପା ! ବିସ୍ମୟକର କଣ୍ଠରେ ସମ୍ବୋଧନ କଲା ଦୀପା । ହଁ ମା’, ଏ ମୋର ପ୍ରକୃତ ମନର କଥା । ଥରେ ତୋ’ ମନରେ ଦୁଃଖ ଦେଇ ମୁଁ ଯେଉଁ ଦୁଃଖ ପାଇଛି, ଇଏ ତା’ର ପ୍ରାୟଶ୍ଚିତ୍ତ କରିବାକୁ ଯାଉଛି । ମତେ ତା’ର ପ୍ରତିକାର କରିବାକୁ ଥରେ ସୁଯୋଗ ଦେବୁନି ? ତୋ’ ବାପାକୁ ଏଇ ମହାପାପର ପଙ୍କିଳ ନର୍କ ଭିତରୁ ଉଦ୍ଧାର କରିବୁନି ?

 

ବାପା ! ଉଚ୍ଚ ସ୍ତରରେ କାନ୍ଦି ଉଠିଲା ଦୀପା !

 

ଶାଶୁ କହିଥିଲେ ତାକୁ ବିବାହପାଇଁ । ଦ୍ଵିତୀୟରେ କହିଥିଲେ ଲତିକା ଭାଉଜ । ଶେଷରେ ବାପାବି ତା’ର ସେଇ ପ୍ରସ୍ତାବ ବାଢ଼ୁଛନ୍ତି ଆଜି I ଗ୍ରହଣ କରିବନି ଦୀପାନ୍ୱିତା ? ହେଲେ ଶଶାଙ୍କ ଆଉ ଅନୁପମା ! ଏମାନେ ତ ଅନୁମତି ଦେଇ ନାହାଁନ୍ତି ! ଏମାନେ ତା’ଠାରୁ ସାନ ହେଲେବି ତାଙ୍କ ଅନୁମତି ନେବାକୁ ପଡ଼ିବ ଦୀପାନ୍ୱିତାର । ସେମାନେବି ତା’ର ଶୁଭଚିନ୍ତକ ! କାହା ମନରେ ସେ ଟିକିଏ ହେଲେ ଅଶାନ୍ତି ସୃଷ୍ଟି କରିବାକୁ ଇଚ୍ଛା କରେନି, କଷ୍ଟଦେବାକୁ ଚାହେଁନି । ସେ ବରଂ ନିଜେ ଅଶାନ୍ତି କଷ୍ଟର ଅନଳ ଭିତରେ ଜଳିପୋଡ଼ି ନିଃଶେଷ ହୋଇଯାଉ !

 

ବାପାଙ୍କ କଥାରେ ସମ୍ମତି ପ୍ରକାଶ କରି ଫେରିଲା ଦୀପା । ମାତ୍ର ମନ ଭିତରେ ତା’ର ସେ ସମ୍ମତି ରୂପ ପ୍ରକାଶ କରିପାରିନାହିଁ । ଚିନ୍ତାର ସମୁଦ୍ରରେ କୁଚିନ୍ତାର ଅନେକ ଜୁଆର ଉଠୁଛି । ଏମାନେ ତା’ର କିଏ ? ଏମାନଙ୍କର କଥା ଶୁଣି ନିଜ ଜୀବନ କାବ୍ୟର ଗୋଟାଏ ପର୍ଯ୍ୟାୟ କଳଙ୍କିତ କରି ପକାଇଲା । ପୁଣି ଜାଣିଶୁଣି ଦ୍ଵିତୀୟ ପର୍ଯ୍ୟାୟ ନଷ୍ଟ କରିବ କାହିଁକି ? ଯାହା ଟିକିଏ ଅସ୍ତିତ୍ଵ ଅଛି, ତାକୁ ପୁଣି ହରାଇ ବସିବ କାହିଁକି ? ନିଭିଲା ରକ୍ତିମ ଅପରାହ୍ନର କ୍ଳାନ୍ତ ଉଦାସ ମୁହୂର୍ତ୍ତରେ ଲତିକା ଡାକ୍ତର ଶର୍ମାଙ୍କ ପରାମର୍ଶ କ୍ରମେ ବିକାଶଙ୍କୁ ଆଣି ଛାଡ଼ି ଦେଇଗଲେ ତାଙ୍କ ଈପ୍ସିତ ସ୍ଥାନରେ-। ରାସ୍ତାରେ ଆସିଲାବେଳେ ଦୀପାନ୍ଵିତାର ଘଟି ଯାଇଥିବା ସବୁ ଅପ୍ରତ୍ୟାଶିତ ଦୁର୍ଘଟଣା ସମ୍ପର୍କରେ ଶୁଣାଇଥିଲେ । ଚମକି ଉଠିଥିଲେ ବିକାଶ । କାନ୍ଦି କାନ୍ଦି କହିଥିଲେ ଦୀପାନ୍ୱିତା ତାଙ୍କ ସହିତ ଯେତେ ଶତ୍ରୁତା କଲେବି ସେ ଏମିତି ଦୁର୍ଦ୍ଦଶାଗ୍ରସ୍ତ ହେଉ, ସ୍ଵପ୍ନରେ ସୁଦ୍ଧା କାମନା କରି ନଥିଲେ-। କିନ୍ତୁ ସତରେ ଏ କ’ଣ ହେଲା ? ଦୀପାନ୍ୱିତାର ପ୍ରକୃତ ଭୂମିକାଟା କେମିତି ଏପାଖ ସେପାଖ ହୋଇଗଲା ? ଭଗବାନଙ୍କ ନିର୍ଦ୍ଦେଶ କି କୁତ୍ସିତ, କଦାକାର !

 

ଆହୁରି କଦାକାର ଲାଗିଲା ଏଇ କାହାଣୀଟା । କାହାଣୀ ଭଳି ମନେ ହେଉନି ଅଥବା ସତ ବୋଲି ବିଶ୍ଵାସ ହେଉନି । ଆଉ କାହାଣୀ ଅବା ସତ ଯାହା ହେଉ, ଅବିଶ୍ଵାସ କରିବି ହଉନି ।

 

ବିକାଶ ଶିଲାନିବାସର ଫାଟକ ପାଖରେ ପହଞ୍ଚିଲା ବେଳକୁ ସନ୍ଧ୍ୟା ତା’ର କ୍ଳାନ୍ତ ଡେଣାର ଚାନ୍ଦୁଆଟିକୁ ମେଲି ଦେଇଥିଲା ପୃଥିବୀ ଉପରେ । ବଗିଚାର ସବୁଜ ଗଛଲତାର ମୁହଁ କଳା ପଡ଼ି ଯାଇଥିଲା । ଆଉ ଦୁଆର ଆଗରେ ଜଳୁଥିବା ମର୍କୁରୀ ଆଲୁଅଟା ! ନୀରବରେ ଜଳୁଥିଲା ।

 

ବିକାଶ ଆଶ୍ଚର୍ଯ୍ୟ ହେଲେ । ଶିଲା ନିବାସର ଏଇ ପୂର୍ଣ୍ଣତାର ସନ୍ଧ୍ୟାରେ ଏତେ ନିର୍ଜନତା, ଶୂନ୍ୟତା, କାହିଁକି ? ଚାରିଆଡ଼ ଶୂନଶାନ୍ । ସନ୍ଧ୍ୟାର ରୂପ ଅଭେଦ୍ୟ ରାତିପରି ଲାଗୁଛି । କୋଳାହଳ ନାଇଁ । ଗୀତ ସଙ୍ଗୀତ ଆସରର ବାଦ୍ୟଧ୍ୱନି ନାହିଁ । ଶିଲା କ’ଣ ମୌନବ୍ରତ ପାଳିଛି ?

 

ଦୂରରୁ ଦେଖା ଯାଉଛି ବାହାଦୁରର ସେଇ ଶେତାଳିଆ ଚେପ୍ଟା ମୁହଁ ଆଉ କ୍ଷୁଦ୍ରକାୟ ପୀତବର୍ଣ୍ଣ ଦେହଟା । ଠିକ୍ ନିଜ ଜାଗାରେ ବସି ପହରା ଦେଉଛି ବାହାଦୁର । ବିକାଶଙ୍କୁ ଦେଖି ନିଜ ଜାଗାରୁ ଉଠି ଆସିଲା ବୋଧହୁଏ ।

 

ଏତେବେଳଯାଏଁ କୁଆଡ଼େ ଆପଣ ଗଲେ ବାବୁ ? କାଲିଠାରୁ ଜଗି ଜଗି ମାଆ ଭାରି ବ୍ୟସ୍ତ ହୋଇ କୁଆଡ଼େ ପଳେଇଗଲେ ଆଜି । କେବେ ଫେରିବେ କିଛି କହିଲେ ନାହିଁ । କେବଳ ଦେଇ ଯାଇଛନ୍ତି ଏଇ ଚାବି ମାଳଟା, କହିଲେ ଆପଣ କୁଆଡ଼େ ସବୁ ବୁଝିଦେବେ ।

 

ସେଇ କୋଠରୀର ଚାବି ଇଏ, ମାଆଙ୍କ ଜୀବନ କାଳ ଭିତରେ ଆପଣଙ୍କୁ ପ୍ରଥମ କରି ମିଳିଲା ।

 

ମୋ’ କାର୍ଯ୍ୟକାଳ ଭିତରେ ମୁଁ ଆଜି ପ୍ରଥମ ଦେଖୁଛି ଯୋଉ କୋଠରୀ ଭିତରକୁ ଆଜି ପର୍ଯ୍ୟନ୍ତ କେହି ଯାଇ ନଥିଲେ ମାଆଙ୍କ ଛଡ଼ା, ସେ କୋଠରୀ ଭିତରକୁ ଆପଣଙ୍କୁ ଯିବାକୁ ଆଜି ପ୍ରଥମ ଅନୁମତି ମିଳିଛି । ଯାହା କହନ୍ତୁ ବାବୁ, ମାଆ–ଆପଣଙ୍କୁ ସେତିକି ଭଲ ପାଉ ନଥିଲେ ଏହା କ’ଣ ସମ୍ଭବ ହୋଇ ଥାଆନ୍ତା ?

 

ବାହାଦୁରଠୁ ଚାବି ନେଇ ନିର୍ଦ୍ଦିଷ୍ଟ କୋଠରୀ ସାମ୍ନାରେ ପହଞ୍ଚିଥିଲେ ବିକାଶ । ସେ ମନେ କରୁଥିଲେ, କୌଣସି ରହସ୍ୟ ଘଟଣାର ଅନୁସନ୍ଧାନରେ ସେ ଯେମିତି ନିଜକୁ ଆଜି ସଜାଇଛନ୍ତି ଜଣେ ଅନୁସନ୍ଧାନକାରୀ ଗୋଇନ୍ଦା ! କୋଠରୀ ଖୋଲି ଯେତେବେଳେ ଭିତରକୁ ପଶି ଗଲେ, ତାଙ୍କ ଆଶ୍ଚର୍ଯ୍ୟର ସୀମା ଆକାଶ ଓ ଦିଗ୍‍ବଳୟ ସ୍ପର୍ଶ କଲା । ଉଦ୍‍ବେଳିତ ନୟନରେ ସେ ଚାହିଁଥିଲେହିଁ ଚାହିଁଥିଲେ । ନିଜର ପ୍ରତିମୂର୍ତ୍ତି ନିଜ ସାମ୍ନାରେ ସୁସଜ୍ଜିତ ହୋଇ ରହିଛି । ଠିକ୍ ସେଇ ଅବିକଳ ରୂପ, ଅପରୂପ ଶୋଭା ! ବିକାଶଙ୍କ ଚିତ୍ରର ଉପଯୁକ୍ତ ନକଲ କରିଛି କେହି ଶିଳ୍ପୀ ! କିଏ ସେ ନିର୍ମାଣ କରିଛି ୟା’କୁ ? ଏମିତି ଶିଳ୍ପୀକୁ ପୁଣି ସଂସାର ଜନ୍ମ ଦେଇଛି ? ବିକାଶଙ୍କ ଚିତ୍ରକୁ କେମିତି ଆଉ କେଉଁଠି ଅବିକଳ ନକଲ କଲା ସେ ?

 

କିଛି ଭାବି ପାରୁ ନଥିଲେ ବିକାଶ ।

 

ଅଗୁରୁ ଚନ୍ଦନ କସ୍ତୁରୀରେ ମହମହ ବାସୁଚି ଚତୁର୍ଦ୍ଦିଗ । ଝୁଣା, ଧୂପ, ଦୀପର ସୁବାସ୍ନାରେ ଚତୁଃପାର୍ଶ୍ଵର ଇଲାକା ମହକି ଉଠୁଛି । କିଆ, କେତକୀ, ହେନା, ମଲ୍ଲୀ, ଜୁଇ ଜାଇ ପୁଷ୍ପର ସୁଗନ୍ଧ ଅନ୍ତରାପ୍ଳୁତ କରି ପକାଉଚି ! ସ୍ଥାନଟି କେଉଁ ଯୋଗୀ, ଋଷି, ମୁନିଙ୍କ ଆଶ୍ରମ ସମାନ ପ୍ରତୀୟମାନ ହେଉଛି ।

 

ନିବିଷ୍ଟ ଚିତ୍ତରେ ମୁଗ୍ଧ ଦୃଷ୍ଟିରେ କ୍ଷଣକାଳ ଚାହିଁଲେ ବିକାଶ । ଏହା କାହାର ଅବଦାନ ତାଙ୍କ ପ୍ରତି, ସେ ଅବଧାରିତ କରି ପାରୁ ନଥିଲେ ।

 

ମୂର୍ତ୍ତି ନିକଟକୁ ଯାଇ ସେ ପାଇଲେ ଖଣ୍ଡେ ଟୁକୁରା କାଗଜ । ପତ୍ର ଖଣ୍ଡିଏ । ତାଙ୍କର ନାଆଁ ଲେଖା ହୋଇଛି । ଆଶ୍ଚର୍ଯ୍ୟ ହେଲେ ସେ ତାଙ୍କ ନିକଟକୁ ପୁଣି ଏ’ ପତ୍ର କାହାର । ପଢ଼ିବାକୁ ଲାଗିଲେ ।

 

ବିକାଶବାବୁ,

 

ନିର୍ଦ୍ଧାରିତ ସମୟରେ ଆସିବାକୁ ସମ୍ମତି ପ୍ରଦାନ କରି ଆପଣ ଆସିଲେ ନାହିଁ । ଦୁଃଖିତ ହେଲି । ହୁଏତ ଯେତେବେଳକୁ ଆପଣ ଆସିବେ, ସେତେବେଳକୁ ଆପଣଙ୍କ ଶିଲା ଆପଣଙ୍କୁ ପରିତ୍ୟାଗ କରି ବହୁଦୂରକୁ ଚାଲି ଯାଇଥିବ । ସେ କେଉଁଠିକି ଯିବ, ସେ ଠିକଣା କାହାକୁ ଦେଇ ଯିବ ନାହିଁ କାରଣ ତା’ ଯାତ୍ରାର ପଥ କେବେ ସୀମିତ ନୁହେଁ । ସେ ହେଉଛି ଅନନ୍ତ, ଅସୀମ । ତେଣୁ କେଉଁଠି ତାକୁ କେହି ଖୋଜିଲେବି ପାଇବେ ନାହିଁ ।

 

ଅନେକ ଦିନ ଆପଣଙ୍କୁ ଏ’ ଗୋପନ ଇତିହାସ ଲୁଚେଇ ରଖିବା ପରେ ଆଜି ଶେଷ ସମୟରେ ଖୋଲିଦେବାକୁ ସ୍ଥିର କଲି । କାରଣ ଯୋଉ ଇତିହାସ କି ଶିଲା ମନର ଛିନ୍ନପତ୍ର ଉପରେ ହରିତ୍‍କଣା ଆକାରରେ ଲେଖା ରହି କିଛି ଆଉ ମୂଲ୍ୟ ନାହିଁ । ସେ ହରିତ୍‍କଣା ସବୁଦିନ ପାଇଁ ନଷ୍ଟ ହୋଇ ଯାଇଛି । ସେ ଆଉ ସୂର୍ଯ୍ୟର ଅନୁରୋଧରେ କାହାପାଇଁ ଖାଦ୍ୟ ପ୍ରସ୍ତୁତ କରିପାରିବ ନାହିଁ ।

 

ଶିଲାର ସବୁ ଇତିହାସ ସେ ଆପଣଙ୍କ ଆଗରେ ବହୁ ଦିନରୁ ଖୋଲି ଦେଇଥିଲା । କେବଳ ବାକି ଥିଲା ଏଇ କେତେ ପଦ କଥା ମାତ୍ର । ତାହାବି ଆଜି ଖୋଲି ଦେଉଛି ସେ ।

 

ଆପଣ ଅନେକ ଦିନ ଧରି ଇଚ୍ଛା ପ୍ରକାଶ କରିଥିଲେ ତା’ ଜୀବନର ଅଭିନେତା ସହିତ ସାକ୍ଷାତ କରିବାପାଇଁ । କିନ୍ତୁ ସେ ସେତିକି ସୁଯୋଗ ଦେଇ ନଥିଲା ଆପଣଙ୍କୁ । ତା’ର କାରଣ ଆପଣ ତାକୁ ଅନେକ ଦିନ ଧରି ରୂପଜୀବୀ ବୋଲି ଘୃଣା କରି ଆସିଥିଲେ । କିନ୍ତୁ ସତରେ ସେ ରୂପଜୀବୀ ନଥିଲା, ଆପଣ ପରେ ଜାଣିଲେ ।

 

ପୁଣି ଆପଣଙ୍କୁ ଯଦି ସେ ତା’ ଅଭିନେତାର ନାଆଁ ପ୍ରକାଶ କରିଥାଆନ୍ତା ମହାଅଡ଼ୁଆରେ ପଡ଼ିଥାଆନ୍ତା । କାରଣ ତା’ ମନର ଅଭିନେତା ଥିଲେ ଆପଣ ।

 

ତେଣୁ ସେ ଅଭିନେତାକୁ ତା’ର କେଉଁ ଭାବରେ ଆପଣଙ୍କ ସହିତ ସାକ୍ଷାତ କରାଇଥାନ୍ତା ସେ’ତ ବହୁ ପୂର୍ବରୁ ବହୁବାର ଆପଣଙ୍କୁ ପ୍ରେମ ନିବେଦନ କରି ବିଫଳ ହୋଇଥିଲା ।

 

ଦୀପାଦେବୀଙ୍କ ସହିତ ଆପଣଙ୍କର ସାକ୍ଷାତ ହେବାପରେ ତା’ ପ୍ରେମରେ ଯଦିଓ ଭଟ୍ଟା ପଡ଼ିଲା ନାହିଁ, ତେବେ ଆପଣଙ୍କୁ ପାଇବା ମନୋବୃତ୍ତିରୁ ନିବୃତ୍ତ ହେଲା । ଦୀପାଦେବୀଙ୍କ ସହିତ ଆପଣଙ୍କ ଶୁଭକାମନା କରି ଖାଲି ଏକାଗ୍ରତା, ନିଷ୍ଠାର ସହିତ ତା’ର ପ୍ରେମ ପୂଜା ନୀରବ, ନିଶ୍ଚୁପ୍ ମନରେ କରିବାକୁ ଲାଗିଲା ।

 

ସେ ସୁସମୟ ଚାଲିଗଲା ଆପଣଙ୍କର । ଦୀପାଦେବୀ ବିବାହ କରି ଅନ୍ୟତ୍ର ଚାଲିଗଲେ, ଏ ଖବରବି ସେ ରଖିଥିଲା । ସୁଦିନର ପୂର୍ଣ୍ଣିମା ପରେ ଆପଣଙ୍କ ଜୀବନରେ ଆସିଲା ଦୁର୍ଦ୍ଦିନର ଅମାବାସ୍ୟା । ଦୁର୍ଦ୍ଦିନ ଅମାବାସ୍ୟାର ଅନ୍ଧକାର ଭିତରେ ଆପଣ ହେଲେ ପଥହରା, ଲକ୍ଷ୍ୟହରା । କକ୍ଷଚ୍ୟୁତ ହୋଇ ଆପଣ ଧାଇଁ ଆସିଥିଲେ ତା’ ପାଖକୁ ପୁଣି କିନ୍ତୁ ସାନ୍ନିଧ୍ୟପାଇଁ ନୁହେଁ । କାରଣ କାହାର ସାନ୍ନିଧ୍ୟ ଲାଭ କରିବାପାଇଁ ମନରେ ଯେତିକି ବଳ ଦମ୍ଭ ଥିବା କଥା ଜଣେ ପୁରୁଷର, ସେତିକି ଆପଣଙ୍କର ନଥିଲା । ଦୀପାଦେବୀଙ୍କ ପ୍ରତ୍ୟାଖାନ ପରେ ଆପଣ ସେ ଦମ୍ଭ ବଳେ ବଳେ ହରାଇ ବସିଲେ ।

 

ଆପଣ ବାରବାର ତାକୁ ତା’ ଜୀବନସାଥୀଙ୍କ ପରିଚୟ ମାଗୁଥିଲେବି ସେ ଆପଣଙ୍କୁ ଛଳନା କରି କଥାଟି ଗୋପନ ରଖିଥିଲା ! କାରଣ ସେ ଜାଣିଥିଲା, ନାଆଁଟି ପ୍ରକାଶ କଲେ ସେ ଆପଣଙ୍କୁ ସବୁ ଦିନପାଇଁ ହରାଇ ବସିବ । ଏତେ ଉଦ୍ଦୀପନା, ଉନ୍ମାଦନା ପ୍ରାଣତଳେ ଧରି ଆପଣ ଯେଉଁ ଏଠିକି ଧାଇଁ ଆସୁଛନ୍ତି, ଏତିକି ଶୁଣିଦେଲେ ଆପଣ ଆଉ ଆଦୌ ଆସିବେ ନାହିଁ । ଆପଣଙ୍କ ଅଜଣା ଓ ଅଗୋଚରରେ ଶିଳ୍ପୀ ଡାକି ଗଢ଼ି ବସିଲା ସେ ମୂର୍ତ୍ତି । ଖୁବ୍ କମ୍ ସମୟ ଭିତରେ ମୂର୍ତ୍ତି ନିର୍ମାଣ ସମ୍ପୂର୍ଣ୍ଣ ହେଲା । ଶପଥ କଲା ଆପଣଙ୍କୁ ଏଥର ତା’ ମନ କଥା ଜଣେଇ ସବୁ କହି ଦେବ । ଆଉ ଏ ସହର ଛାଡ଼ି ସବୁଦିନ ପାଇଁ ପଳାଇ ଯିବ ଏଠୁ । ଯୋଉ ସୌଭାଗ୍ୟ କପାଳରେ ତା’ର ଲେଖା ନାହିଁ ତାକୁ ଆଶା କଲେ କେହି ଦେଇ ନ ପାରେ । ଦୀପାଦେବୀ ଅସହାୟ ଅବସ୍ଥାରେ ଫେରି ଆସିବାର ସେ ଖବର ପାଇଛି । ବିଚାରୁଛି, ଆପଣ ତାଙ୍କ ନିକଟରେ ଆଶ୍ରୟ ପାଇଲେ ହଜିଥିବା ଜୀବନକୁ ପୁଣିଥରେ ଫେରି ପାଇବେ ।

 

ନାୟିକା ବିନା ଜୀବନ ନାଟକ ସିନା ଅଚଳ ଥିଲା । ନାୟିକା ଫେରିବା ପରେ ଉପନାୟିକାର ଆବଶ୍ୟକତା ଆଉ କ’ଣ ? ଏ’ ଜନ୍ମରେ ଆଉ ଆପଣଙ୍କ ସହିତ ଦେଖା ହେବ କି’ ନା ଜାଣେନା । ଆର ଜନ୍ମରେ ଦେଖାହେଲେ ଆପଣଙ୍କୁ ପାଇବାର ଲାଳସାରେ ସେ ପୁଣିଥରେ ସାଧନା କରିବ । ତା’ର ପ୍ରାସାଦ ଓ ସମ୍ପତ୍ତି ଆପଣଙ୍କ ନାଆଁରେ ସେ କରିଯାଉଛି । ପୋଖତ ଓକିଲମାନଙ୍କ ପରାମର୍ଶରେ ଉଇଲ୍‍ରେ ସବୁକଥା ଲେଖିଅଛି । ଆପଣଙ୍କୁ ସେଥିପାଇଁ ହଇରାଣର କୁହୁଡ଼ିରେ ଆଦୌ ପହଁରିବାକୁ ପଡ଼ିବ ନାହିଁ । ଯାହା ଏ’ ଜନ୍ମରେ ଅବସୋସ ରହିଗଲା ଆର ଜନ୍ମର ସାଧନାରେ ସେ ସଫଳ କରିବ ।

 

ଆପଣଙ୍କର ଅଭିନେତ୍ରୀ

‘ଶିଲା’

 

ଚିଠି ପଢ଼ି ମୁଣ୍ଡ ଘୂରାଇ ଯାଉଛି ବିକାଶଙ୍କର । ସେ ଖାଲି ଭାବୁଛନ୍ତି । ଶିଲା ତାଙ୍କପାଇଁ ଅଶେଷ ତ୍ୟାଗ କରିଛି । ନିର୍ଯାତନାରେ ତିଳତିଳ ହୋଇ ଜଳିଛି । ଆଉ କୁହୁଡ଼ିର ଆଚ୍ଛନ୍ନତା ଧରି ସାରା ଜନ୍ମପାଇଁ ଅବୋଧ୍ୟ ରହସ୍ୟ ହୋଇ ରହିଯାଇଛି । ଏତେ ପାଖରେ ପାଇବି ବିକାଶ ତାକୁ ବୁଝିବାକୁ କେବେ ଚେଷ୍ଟା କରିନାହାଁନ୍ତି । ଅନ୍ଧକାର ପରି ଝାପ୍‍ସା ଦିଶୁଛି ସେଇ ଲୁଣ୍ଠିତ ଅତୀତ । ଶିଲା ବାରବାର ସେଦିନ ପଚାରିଥିଲା ବିକାଶବାବୁ, ମୋ’ ଅନୁରୋଧ କ’ଣ ଏମିତି ଶୂନ୍ୟତା, ନିର୍ଜନତାରେ ହଜିଯିବ ? କିଛି ତା’ର ମୂଲ୍ୟ ରହିବ ନାହିଁ ?

 

ବିକାଶ ସେଦିନ ଅର୍ଥହୀନ ଭାବରେ ଉତ୍ତର ଦେଇଥିଲେ, କିଏ କହିଲା ମୂଲ୍ୟ ତା’ର ରହିବ ନାହିଁ ? ତା’ର ଏମିତି ମୂଲ୍ୟ ରହିବ ସେ ମୂଲ୍ୟକୁ ତମେ କାହା ସାଥିରେ ତୁଳନା କରିପାରିବ ନାହିଁ । ମୁଁ ତା’ର ଉପଯୁକ୍ତ ମୂଲ୍ୟ ଦେଇଯିବି ।

 

କିନ୍ତୁ କି’ ଅନୁରୋଧ ସେଦିନ କରୁଥିଲା ଶିଲା, ବୁଝି ନଥିଲେ ବିକାଶ । ବୁଝିବାକୁ ଆଦୌ ଚେଷ୍ଟାବି କରି ନଥିଲେ । ସେ ଅନୁରୋଧର କି’ ମୂଲ୍ୟ ଦେଲେ ବିକାଶ ? କିଭଳି ଭାବରେ ମୂଲ୍ୟାୟନ କଲେ ତା’ର ?

 

ମନର ଅସୁସ୍ଥତା ସଙ୍ଗେ ସଙ୍ଗେ ଦେହର ଅସୁସ୍ଥତା ବଢ଼ି ବଢି ଯାଉଛି । ଦେହର ଅବସନ୍ନତା ମନକୁ ଆହୁରି କ୍ଳାନ୍ତ କରିପକାଉଛି । ବାନ୍ତି ବାନ୍ତି ଲାଗୁଛି । ବାନ୍ତି ହେଉନି । ଅନେକ ଖରାପ କଥାଗୁଡ଼ା ତୁହାଇ ତୁହାଇ ମନେ ପଡ଼ୁଛି । ଜାଣି ଜାଣି ଜୀବନଟାକୁ ସେ ନଷ୍ଟ କରିଦେଲେ ବୋଲି ନିଜ ଉପରେ ପ୍ରବଳ ରାଗ ଆସୁଛି । କିନ୍ତୁ ଆଉ ଉପାୟ କ’ଣ ଅଛି ? ଜାଣି ଜାଣି ଆଖିରେ ଅଙ୍ଗୁଳି ଫୁଟାଇ ଦୁଃଖ କଲେ କିଏ ଅବା କି ସାହାଯ୍ୟ କରିପାରେ ?

 

ସୁଇଚ୍‍ ବୋର୍ଡ଼ ପାଖକୁ କଷ୍ଟେମଷ୍ଟେ ଉଠିଗଲେ ବିକାଶ । ଜହ୍ନାଲୋକ ସମାନ ଉଦ୍ଭାସିତ ବାର୍‍ଲାଇଟ୍‍ଟିକୁ ଲିଭାଇ ଦେଇ ଜିରୋ ପାୱାରର ଛୋଟ ନୀଳ ବଲ୍‍ଟିକୁ ଜାଳିଦେଲେ ।

 

ରାତି ଅଧା ବୟସକୁ ଛୁଇଁଲାଣି । ନିଦ ଜମାରୁ ଲାଗୁନାହିଁ । ସୁସଜ୍ଜିତ ପଲଙ୍କଟି ଅପେକ୍ଷାରେ ଏକାଏକା ବସିଛି । ପ୍ରିୟ ସିତାରଟିକୁ ଉଠେଇ ଆଣିଲେ ତାଙ୍କର । ସବୁ ଉପରେ ରାଗ, ଅଭିମାନ କରାଯାଇପାରେ, କିନ୍ତୁ ଏହା ଉପରେ ନୁହେଁ । ସିତାର ଲାଗି ଆଜି ବଞ୍ଚିଛନ୍ତି ସେ । ଏଇ ସିତାର ଆଉ ତା’ର ସଙ୍ଗୀତହିଁ ତାଙ୍କ ଶେଷ ଜୀବନର ସାଥୀ । ସମସ୍ତେ ତାଙ୍କୁ ଛାଡ଼ି ଚାଲି ଯାଇଛନ୍ତି । କିନ୍ତୁ ସିତାର ଯାଇନି । ସିତାର ଲାଗି ବହୁ କଥା ସହିବାକୁ ପଡ଼ିଛି ତାଙ୍କୁ । ମୂକ, ଜଡ଼ ପଦାର୍ଥଟିଏ, ହୋଇବି ସିତାର ତାଙ୍କ ଲାଗି ବହୁତ ସହିଛି । ତାଙ୍କ ମନ କଥା ଟିକିନିଖି ପରିମାଣରେ ବୁଝିପାରିଛି ।

 

ଜମେଇବାକୁ ଆରମ୍ଭ କଲେ ବିକାଶ ସେଇ ପୁରୁଣା ରାଗିଣୀ । ମେଘମହ୍ଲାର । ରାଗିଣୀର ରାଶି ରାଶି ଝଙ୍କାର ଆକାଶ ସ୍ପର୍ଶ କରି ଫେରି ଆସିଲା ମାଟିକୁ ।

 

ସତରେ ଆରମ୍ଭ ହେଲା ଝଡ଼ତୋଫାନ । ଘୂର୍ଣ୍ଣବାୟୁ ମଥା ଟେକିଲା । ସୃଷ୍ଟି ହେଲା ଖଣ୍ଡପ୍ରଳୟ । ବିକାଶ ସେଇମିତି ଏକାଗ୍ରତାର ସହିତ ରାଗିଣୀ ତୋଳି ଚାଲିଛନ୍ତି । କେଉଁଆଡ଼କୁ ତାଙ୍କର ଲକ୍ଷ୍ୟ ନାହିଁ । କେଉଁଥିପାଇଁ ତାଙ୍କର ଚିନ୍ତା ନାହିଁ । ଆଜି ତାଙ୍କର ସଙ୍ଗୀତ ସାଧନା ଯେମିତି ଶେଷ ହେବାକୁ ଯାଉଛି । ଏ ମଧ୍ୟରେ ସିତାରର ତାର କେତେଟା ଛିଣ୍ଡିଯାଇ ସୁରଟା ବେସୁରା ଧରିଲାଣି । ତଥାପି ବଜାଇ ଚାଲିଛନ୍ତି ବିକାଶ । ଅଙ୍ଗୁଳି କେତେଟା କଟିଯାଇ ରକ୍ତସ୍ରାବ ହେଲାଣି । ତଥାପି ଜାଣିପାରୁ ନାହାଁନ୍ତି ସେ ।

 

ଝଡ଼ର ଛାତିକୁ ଠେଲି କେହି ଜଣେ ଯେମିତି ପଶିଆସୁଛି ସେ ଘର ଭିତରକୁ, ଅନୁଭବ କଲେ ବିକାଶ । ଦଲକାଏ ବିଜୁଳି ଆଉ ଜିରୋ ପାୱାର ବଲ୍ ତାଙ୍କୁ ଜଣେଇ ଦେଉଥିଲା କେହି ଜଣେ ନାରୀ ତାଙ୍କ ପ୍ରତୀକ୍ଷାରେ ଠିଆ ହୋଇଛି । କିଏ ସେ ? ନିଶ୍ଚିତ ଶିଲା । ତାଙ୍କୁ ମିଛରେ ଠକିଦେଇ ଯାଇଥିଲା । ପୁଣି ଫେରି ଆସିଛି ସେ ।

 

କିଏ ସେ ? ପ୍ରଶ୍ନ କଲେ ବିକାଶ ।

 

କିଛି ଉତ୍ତର ମିଳିଲାନି ।

 

ବିକାଶ ସ୍ଵପ୍ନ ଦେଖିବା ଭଳି ଅନୁଭବ କରି କହିଲେ ଶିଲା, ସେଠି କାହିଁକି ଠିଆ ହୋଇ ରହିଲ ? ଆସ, ଭିତରକୁ ଆସ ।

 

ଅଭିମାନ କରୁଛ ? କରିବା ସ୍ଵାଭାବିକ । ତମ ନାରୀ ଜାତି ଏମିତି ଛଳନାତ୍ମକ ଅଭିମାନ କରି କରି ପୁରୁଷ ଜାତିକୁ ବେଶ୍ ସୁନ୍ଦର ଠକିପାରେ । ସେ ଠକାମୀରେ ପଡ଼ି ପୁରୁଷର ଜୀବନ ଧ୍ଵସ୍ତବିଧ୍ଵସ୍ତ ହୋଇଯାଏ । ହଉ ଛାଡ଼, ଆଗେ କହ, ଏତେ ସମୟ ଧରି କୁଆଡ଼େ ଯାଇଥିଲ ତମେ-? ମୁଁ ତମକୁ କେତେ ଖୋଜିଲିଣି ! ଏତେ ଚିଠି ଲେଖି ପରୋକ୍ଷରେ କଷ୍ଟ କରି ଏ' ସବୁ ଜଣେଇଁବା କ'ଣ ଆବଶ୍ୟକ ଥିଲା ? ମତେ ତ ସିଧାସଳଖ ପ୍ରତ୍ୟକ୍ଷରେ ଜଣେଇଁ ପାରିଥାଆନ୍ତ !

 

ମୁଁ ବୁଝୁଛି ଆଉ ଜାଣୁଛି ଶିଲା, ତମର ମୋ’ପାଇଁ ତ୍ୟାଗର ମୂଲ୍ୟ ଅନେକ । କିନ୍ତୁ କ’ଣ କରିବି, ସେ ତ୍ୟାଗକୁ ମୁଁ ମୋର ହୃଦୟ ଭିତରେ ଗ୍ରହଣ କରି ପାରୁନି । କାରଣ ଦୀପାନ୍ୱିତାର ପ୍ରଣୟ ମୋ’ ହୃଦୟ ଭିତରେ ଏମିତି ସ୍ଥାନ ଆବୋରି ବସିଛି । ଏ ଜନ୍ମରେ ହୁଏତ କାହାର ତ୍ୟାଗ ଆଉ ପ୍ରଣୟକୁ ମୁଁ ସ୍ଵୀକାର କରି ପାରିବି ନାହିଁ । ଦୀପାନ୍ୱିତାର ସ୍ମୃତି ମତେ ଏତେ ବିଭୋର କରିପକାଇଲା ଯାହାଫଳରେ କି ମୁଁ ମ୍ରିୟମାଣ ହୋଇ ସମସ୍ତ ଚେତନା ଶକ୍ତି ହରାଇ ବସିଲି ଏବଂ ଯୋଉଥିପାଇଁ କି ମୋ’ ଜୀବନ ବର୍ତ୍ତମାନ ପ୍ରାୟ ନିଃଶେଷ ହେବା ଉପରେ । ଆଉ କେତେଟା ଘଣ୍ଟା ପରେ ଏ’ଜୀବନ ଦୀପଟା ସବୁଦିନ ପାଇଁ ନିଭିଯିବ । ତମେ ଯେମିତି ସାନ୍ନିଧ୍ୟଟିକକ ପାଇଁ ବ୍ୟାକୁଳ ହେଉଥିଲ ଶିଲା, ମୁଁ ସେମିତି ବ୍ୟାକୁଳ ହେଉଛି, ଗୋଟାଏ ଚିନ୍ତା ଲାଗି । ସେ ଚିନ୍ତା ହେଉଛି, ଦୀପାନ୍ୱିତା ଲାଗି ଏ’ ଜୀବନ ତିଳତିଳ ନଷ୍ଟ ହୋଇଯାଇଥିଲେବି ସେ ବୁଝି ପାରିଲା ନାହିଁ ବିକାଶ ତା’ପାଇଁ କ’ଣ ତ୍ୟାଗ କଲା ? ଏମିତି କଦର୍ଯ୍ୟ ଭାବରେ ଜାଣି ଜାଣି ତା’ ଜୀବନକୁ କାହିଁକି ନଷ୍ଟ କରି ପକାଇଲା ! ସେ ନଷ୍ଟ କରିବା ପରିବର୍ତ୍ତେ ପାଇଲା କ’ଣ ? ପାର୍ଥିବ ସଂସାରରେ ସବୁ ପଦାର୍ଥ ହଜିଗଲେ ମିଳେ ଶିଲା, କାହାର ଜୀବନ ହଜିଗଲେ ଆଉ ମିଳେନା । ସେତିକି ଦୀପାନ୍ୱିତା ବୁଝିପାରିଲା ନାହିଁ ଜଣେ ଶିଳ୍ପୀ ହୋଇବି !

 

ନାରୀର ଆଖିରୁ ଲୁହ ଧାର ଧାର ଗଡ଼ି ଚାଲିଥିଲା ବ୍ରାହ୍ମଣୀ ବନ୍ୟା ପରି । ବିକାଶ ମୁହଁରୁ କଥା ସରିବା ସଙ୍ଗେ ସଙ୍ଗେ ସେ ଚିତ୍କାର କରି ଉଠି କହିଲା, ତମେ ଭୁଲ୍‍ କହୁଛ ବିକାଶ ! ତମେ ପୂରାପୂରି ଭୁଲ୍‍ କହୁଛ । ଦୀପାନ୍ଵିତା ତମକୁ ଠିକ୍‌ ବୁଝିଛି । ସେ ତମକୁ କେବେ ଭୁଲ୍‍ ବୁଝିପାରେନା ।

 

ବିକାଶ ଚମକି ଉଠିଲେ । ଏ’ ଯେ ଦୀପାନ୍ୱିତାର କଣ୍ଠ !

 

ବଡ଼ କଷ୍ଟର ସହିତ ବ୍ୟଗ୍ରତାରେ ଉଠିଯାଇ ଆଲୁଅ ଜାଳି ଦେଲେ ।

 

ଦୀପାନ୍ୱିତା ତମେ !

 

ଅନେକ ଦିନର ବ୍ୟବଧାନ ପରେ ଦୀପାନ୍ୱିତା ପୁଣି ତାଙ୍କ ପାଖକୁ ଆସିଛି । ବିକାଶଙ୍କ ଉତ୍‍ଫୁଲ୍ଲତା ମହାଶୂନ୍ୟର ସୀମା ଟପି ଯାଉ ଯାଉ ଖସି ପଡ଼ିଲା ।

 

ଇସ୍, ଦୀପାନ୍ୱିତାର ରୂପ କେଡ଼େ କଦର୍ଯ୍ୟ ହୋଇ ଯାଇଛି । ସତେ ଯେମିତି ଦୀପାନ୍ୱିତାର ଯୌବନ ଅକାଳରେ ଝରି ପଡ଼ିଛି । କି ବିକୃତ ବେଶ ତା’ର ! ଚାହିଁ ହେଉନାହିଁ । ପିନ୍ଧାବସନ ବର୍ଷା ପାଣିରେ ଜୁଡ଼ୁବୁଡ଼ୁ । ଧଳା ଶାଢ଼ିଟାଏ ଗୁଡ଼ାଇ ହୋଇଛି । ସୀମନ୍ତରେ ସିନ୍ଦୂର ନାହିଁ । ସମ୍ପୂର୍ଣ୍ଣ ଶ୍ରୀହୀନା ବୈଧବ୍ୟ ବେଶ ତା’ର ।

 

ଦୀପାନ୍ୱିତା ! ଏ’ମେଘ ଅନ୍ଧାର ରାତି । ଏମିତି ଅସଜଡ଼ା ବେଶ । ତମେ ଆସିଛ ? ବିଶ୍ଵାସ ହେଉନାହିଁ ।

 

ଭାରି କାତର ହୋଇ କହିଲେ ବିକାଶ ।

 

ହଁ ବିକାଶ, ମୁଁ ସେଇ ଦୀପା । ତମ ପ୍ରାଣର ଦୀପାନ୍ଵିତା । ଅନେକ ଦିନ ପରେ ତମ ସିତାରର ମେଘମହ୍ଲାର ପୁଣି ମତେ ତମ ପାଖକୁ ଫେରାଇ ଆଣିଛି । ସେ ଦିନ ତମ ଚିଠିର ଅନୁରୋଧ ରକ୍ଷା କରି ଆସିପାରି ନଥିଲି ସିନା, ଆଜି ତମ ସଙ୍ଗୀତ ଆଉ ମୋର ଭାଗ୍ୟହୀନତା ଏକାଠି ମିଶି ବଳେ ବଳେ ଏଠିକି ଫେରାଇ ଆଣିଛନ୍ତି । ଦୁର୍ଭାଗ୍ୟକୁ ସାଙ୍ଗରେ ଆଣିଛି ବୋଲି କ’ଣ ଚିହ୍ନି ପାରୁନାହଁ ? ନା, ଏ’ ରାତିର ମେଘ ଅନ୍ଧାର ତମକୁ ଚିହ୍ନାଇ ଦେଉନାହିଁ ।

 

ବିକାଶଙ୍କ ଆଖିରେ ଲୁହର ଟଳମଳ ଢେଉ କେତୁଟା ଉଠିଛି । ସେ କାନ୍ଦି କାନ୍ଦି କହିଲେ ମୁଁ ତମର ଏ’ ରୂପକୁ ଦେଖିବା ପୂର୍ବରୁ ଯଦି ମରିଯାଇ ଥାଆନ୍ତି, ତେବେ ଅଧିକ ଶାନ୍ତି ପାଇ ଥାଆନ୍ତି ନିଶ୍ଚୟ, ଈଶ୍ଵର ମତେ ଶେଷକୁ ଏପରି ଦଣ୍ଡବି ଦେଲେ ? ତମର ରୂପକୁ ବିରୂପ କରି ତମକୁ ଯୌବନହୀନା କରି ନାହାନ୍ତି ଦୀପାନ୍ୱିତା, ମନେ ହେଉଛି ସେ ଏଥିପାଇଁ ମତେହିଁ ଶାସ୍ତି ଦେଇଛନ୍ତି । କିନ୍ତୁ ଏମିତି ହେଲେ ଦୀପାନ୍ୱିତା ! ଆଜି ମୁଁ ଭାବୁଛି ଏ’ ପୃଥିବୀ ଦରବାରରୁ ନ୍ୟାୟର ସତ୍ତା ଉଠି ଯାଇଛି । ଈଶ୍ଵର ଆଉ କେଉଁଠି ନାହାନ୍ତି ।

 

କାହାକୁ ଦୋଷ ଦେଇ ଲାଭ ନାହିଁ ବିକାଶ ! ତାହା ନିଜର କପାଳ ମୋର ଭାଗ୍ୟ । କେହି ଦୋଷୀ ନୁହଁନ୍ତି । ଦାୟୀ ନୁହଁନ୍ତି ।

 

ଆଉ ଏଇ ରାତି ଅନ୍ଧାର କଥା ! ଯାହା ଜୀବନ ମହାଲୋକର ସ୍ପର୍ଶରେ ପରିପୂର୍ଣ୍ଣତା ଆସିଲାନି, ତା’ ଜୀବନରେ ସେ ମହାନ୍ଧକାର ଖୋଜିବନି ତ ଖୋଜିବ କ’ଣ ? ସାରା ଜୀବନ ମୋର ଆଲୋକ ପାଇବି ପରିପୂର୍ଣ୍ଣତା ଆସିଲାନି ବିକାଶ । ତେଣୁ ମୁଁ ଅନ୍ଧାରକୁ ଖୋଜି ଖୋଜି ଚାଲି ଆସିଲି । ଏଇ ଅନ୍ଧକାରର ଅନ୍ୱେଷଣରେ ଯାଇ ତ ତମକୁ ଦିନେ ପାଇଥିଲି । ବରଂ ସେଇ ମହାଲୋକ ଈର୍ଷାନ୍ଵିତ ହୋଇ ତମକୁ ମୋ’ ଠାରୁ ଛିନ୍ନ କରିନେଲା । ଆଉ ସେଇ ଅନ୍ଧକାର କଥା ପଚାରୁଛ କାହିଁକି ? ପୁଣିଥରେ ସେଇ ଅନ୍ଧକାରର ଅନ୍ୱେଷଣରେ ଆସି ତମକୁ ଫେରି ପାଇଛି ।

 

ମତେ ଭୁଲ୍ ବୁଝ ନାହିଁ ଦୀପା । ମୁଁ ସବୁ କଥା ତମର ଲତିକା ଭାଉଜଙ୍କଠାରୁ ଶୁଣି ସାରିଛି ।

 

ମୋ’ ପାପର ଉପଯୁକ୍ତ ଫଳ ମୁଁ ଭୋଗ କରିଛି ବିକାଶ । ପ୍ରକୃତ ଶାନ୍ତି ମୁଁ ଲାଭ କରିଛି-। ତମକୁ ପ୍ରତ୍ୟାଖ୍ୟାନ କରି ଯିବାର ପରିଣତି ମୁଁ ଆଜି ଉଚିତ ଭାବରେ ପାଇଛି । ବହୁତ ଅନୁଭବ କରି ଯାଇଛି, ତମକୁ ଠକି ଯିବାର ଫଳାଫଳ କ’ଣ ହୋଇପାରେ । ତମ ଅଭିଶାପ ମୋ' ଉପରେ ଠିକ୍‍ ପଡ଼ିଛି, ତମ ଲୁହ ନିଃଶ୍ଵାସ ମୋ' ପ୍ରାଣକୁ ଛାରଖାର କରି ଜାଳିପୋଡ଼ି ପକାଇଛି ।

 

ଦୀପାନ୍ଵିତା !

 

କାନ୍ଦି ଉଠିଲା ବିକାଶ ।

 

ତମେ ଏ’ କଥା କହି ପାରୁଛ ଦୀପାନ୍ଵିତା ? ତମ ବିକାଶ ତମକୁ କେବେ ଅଭିଶାପ ଦେଇପାରେ ? ତମ ଯିବା ପରେ ତମ ମଙ୍ଗଳ, ଶୁଭକାମନା କରି ମନ୍ଦିରରେ ଦୀପ ଜାଳିବାଠାରୁ ଭୋଗ ବାଢ଼ିବା ପର୍ଯ୍ୟନ୍ତ ସବୁ ସେ କରିଛି । ତମ ପ୍ରତି ଅଭିଶାପ କେବେ ସେ ଢାଳିନି । ହିଂସା ଓ ଈର୍ଷାପରାୟଣତା ହୋଇ ତମ ଅଶୁଭ ଚିନ୍ତା କରିନି । ଯଦି ସେ ତମପ୍ରତି ଅଭିଶାପ ଢାଳିବାକୁ ଇଚ୍ଛା କରିଥାଆନ୍ତା, ସେ ପ୍ରତି ମୁହୂର୍ତ୍ତରେ ତମର କ୍ଷତି କରିବାକୁ ଚେଷ୍ଟା କରିଥାଆନ୍ତା ! କିନ୍ତୁ ଜାଣି ଜାଣି ନିଜ ପ୍ରାଣକୁ, ନିଜ ଜୀବନକୁ ସେ ଏମିତି ଖିନ୍‍ଭିନ୍ କରି ନଷ୍ଟ କରି ପକାଇ ଥାଆନ୍ତା କାହିଁକି ?

 

ବିକାଶ, ଯାହା ଯାଇଛି, ତାକୁ ଆଉ ବିଶ୍ଳେଷଣ କରି କିଛି ମୂଲ୍ୟ ନାହିଁ । ପଛ କଥାକୁ ପଛରେ ଛାଡ଼ି ଆମେ ଆଗକୁ ବଢ଼ିଯିବା ସମୟ ସାଥିରେ ତାଳ ମିଳେଇ । କ’ଣ ଦୋଷ ବା ଯେଉଁ କାରଣରୁ ହେଉ, ବିବାହର ଚତୁର୍ଥୀ ରାତିରେ ମୁଁ ହେଲି ବିଧବା । ମୋ’ ଦେହରେ ସତ୍ୟବ୍ରତଙ୍କ ଛାଇ ସୁଦ୍ଧା ବାଜି ନଥିଲା ବିକାଶ, ମୁଁ ହେଲି ପତିହରା । ମୋ’ ଜନ୍ମ ପରା ତମପାଇଁ । ସେ କେମିତି ସ୍ଵାମୀ ହୋଇ ଥାଆନ୍ତେ ମୋର ? ପୁଣି ତମ ପାଖକୁ ଲେଉଟିବାକୁ ହେଲା ମତେ । ତମେ ତ ମୋ’ପାଇଁ ଜନ୍ମ ଜନ୍ମ ଅପେକ୍ଷା କରିବାକୁ କହିଥିଲ ! ମୁଁ ସିନା ତମକୁ ଠୁକୁରାଇ ଚାଲି ଯାଇଥିଲି । ତମେ ତ ମୋ’ପାଇଁ ଯେମିତି ସେମିତି । ପ୍ରତୀକ୍ଷା କରି ରହିଥିଲ, ରହିଛ ! ତମେ ସେଦିନ ପ୍ରତୀକ୍ଷା କରିଥିଲ ମତେ । ମୁଁ ଆଜି ପ୍ରତୀକ୍ଷା କରିଛି ତମକୁ I ଗ୍ରହଣ କରିବନି ବିକାଶ ? ଆଜି ସମସ୍ତ ଭୁଲ୍‍କୁ ତା’ର, ତମ ଉଦାରତାର ଗୁଣରେ ମିଶାଇ ଦେଇ ତାକୁ କୋଳକୁ ପୁଣିଥରେ ଟାଣିନେବନି ? ଆଜି ତା’ର ପରିବାରର ସମସ୍ତେ ଅନୁତାପର ବହ୍ନିରେ ଦଗ୍ଧ ହୋଇ ନିଜ ନିଜର ଭୁଲ୍ ସ୍ଵୀକାର କରୁଛନ୍ତି । ପୁଣିଥରେ ତମ ଭଳି ଶିଳ୍ପୀଙ୍କୁ ତାଙ୍କ ଈପ୍ସିତ ମଣିଷ ରୂପରେ ପାଇବାପାଇଁ ପ୍ରତୀକ୍ଷା କରି ବସିଛନ୍ତି । ତମେ କ’ଣ ସେତିକି ସୁଯୋଗ ଦେବନି ?

 

ବିକାଶ ଜୋରରେ ହସି ହସି କାଶି ପକାଇଲା । ସେ ପାଣ୍ଡୁର ହସ ଭିତରେ ନିଗିଡ଼ି ପଡ଼ିଲା କେତେ ଟେଳା ଖଣ୍ଡ ରକ୍ତ । ଦୀପାନ୍ଵିତାର ବକ୍ଷତଳେ ଭୟର ଅଜସ୍ର କମ୍ପନ ସୃଷ୍ଟି ହେଲା । ଭୟଭୀତ ସ୍ଵରରେ ଡାକିଲା ବିକାଶ ! ଏ’ କ’ଣ ?

 

ଆଶ୍ଚର୍ଯ୍ୟ ହେଉଛ ଦୀପା ? ଏ’ ପରା ମୋ’ ପକ୍ଷରେ ଦିହସୁହା ହୋଇଗଲାଣି । ପଢ଼ । ଏ ଚିଠିଟିକୁ ପଢ଼ ।

 

ଶିଲାର ଚିଠିଟିକୁ ବଢ଼େଇ ଦେଲା ବିକାଶ ।

 

ଥରଥର ହାତରେ ବିକାଶଙ୍କ ହାତରୁ ଚିଠିଟି ନେଇ ପଢ଼ିଲା ଦୀପାନ୍ୱିତା ।

 

ପଢ଼ିସାରିବା ପରେ ବିକାଶ ପଚାରିଲେ, ବୁଝିପାରିଲ କିଛି ?

 

ଏ’ ହେଲା ମୋ’ ଜୀବନର ଆଉ ଏକ ଗୌଣ ଚରିତ୍ର । ତମେ ତ ମୋର ମୁଖ୍ୟ । ତମ ବିନା ଅନୁମତିରେ ନିଜକୁ କେମିତି ଅନ୍ୟ ହାତରେ ଉତ୍ସର୍ଗ କରିଥାଆନ୍ତି ? ତା’ ଛଡ଼ା ଦେଖୁଛ ତ ଅବସ୍ଥା ମୋର କେମିତି ! ସମୟର ଶେଷ ଇଲାକାରେ କେତେ ମୁହୂର୍ତ୍ତପାଇଁ କେବଳ ଘୂରି ବୁଲୁଛି ମୁଁ । ହୁଏତ କିଛି ମୁହୂର୍ତ୍ତ ପରେ ଏ’ ସଂସାର ଛାଡ଼ି ଚାଲିଯିବି ଚିରକାଳ ପାଇଁ ।

 

ଦୀପାନ୍ୱିତା ନିରେଖି ଚାହିଁଛି ବିକାଶଙ୍କୁ । ବିକାଶଙ୍କ ରୂପ ବିବର୍ଣ୍ଣ ହୋଇଯାଇଛି । ମୁଖମଣ୍ଡଳ ଶ୍ମଶ୍ରୁଳ । ହାତ, ଗୋଡ଼, ମୁହଁ ଫୁଲି ଯାଇଛି । ଶରୀର ଜୀର୍ଣ୍ଣଶୀର୍ଣ୍ଣ ଶିରାଳ । ବାନ୍ତି ହେଉଛି ଟେଳା ଟେଳା ରକ୍ତ, ରକ୍ତ ଖାଲି ଖଣ୍ଡ ରକ୍ତ । ସିତାରର ତାର ବାଜି ଡାହାଣ ହାତର ପ୍ରାୟ ସବୁ ଅଙ୍ଗୁଳିରୁ ରକ୍ତ ନିଗିଡ଼ି ପଡ଼ୁଛି ।

 

ନୀରବତା ଭାଙ୍ଗି ବିକାଶ ପୁଣି କହିଲେ, ଦୀପାନ୍ଵିତା ! ଦୁଃଖ କରୁଛ ତମେ ? ଆଘାତ ଆସୁଛି, ମୁଁ ଏକଥା କହୁଛି ବୋଲି ? ନା, ଦୀପାନ୍ୱିତା, ଏ’ ଜନ୍ମରେ ତମକୁ ମୋର ପାଇବାର ନଥିଲା । ମୁଁ ଏକ ମୂର୍ଖ, ଅପୋଗଣ୍ଡ, ଅଶିକ୍ଷିତ । କେବଳ ଭାବପ୍ରବଣତାରେ ତମ ପଛରେ ଧାଇଁ ଥିଲି । ମୁଁ ଜାଣୁଛି ଦୀପା, ତମ ବିନା ଏ’ ଜନ୍ମ ମୋର ଅପୂର୍ଣ୍ଣ ରହିଗଲା; ତଥାପି ତମ ଜୀବନପାଇଁ ମୁଁ ସତରେ ଆଦୌ ଯୋଗ୍ୟ ନଥିଲି । ତେଣୁ ତମକୁ ପାଇପାରିଲି ନାହିଁ ।

 

ଥରଥର କଣ୍ଠରେ ଦୀପାନ୍ଵିତା କାନ୍ଦି କାନ୍ଦି କହିଲା, ସେ କଥା କୁହ ନାହିଁ । ସେମିତି କହିଲେ ମୁଁ ଶାନ୍ତିରେ ବଞ୍ଚି ପାରିବିନି । ତମେ ମୋ’ ଜୀବନପାଇଁ ନିହାତି–ନିହାତି ପରିମାଣରେ ଯୋଗ୍ୟ ଥିଲ । ତମଠାରୁ ଯୋଗ୍ୟ ମୁଁ ଆଉ ଏ’ ସଂସାରରେ କାହାକୁ ବାଛିନି । ତମ ବିନା ଯେ ମୁଁ ମୋଟେ ବଞ୍ଚିପାରିବି ନାହିଁ, ତମେ କ’ଣ ଜାଣିନ ? ତମେ ଯେଉଁ ପଥର ଯାତ୍ରୀ ହେବ, ମତେବି ସେଇ ପଥର ଯାତ୍ରୀ କରି ନେଇଯାଅ । ଏତିକି ଶେଷ ଅନୁରୋଧ ମୋର ରଖ ବିକାଶ ! ଏଇ ମୋ’ ପ୍ରାଣର ଶେଷ ଅନୁରୋଧ ।

 

ତମର ବହୁ କର୍ତ୍ତବ୍ୟ ବାକି ଅଛି ଦୀପାନ୍ୱିତା । ତମ ବେଳ ଥାଉଁଥାଉଁ ତମେ ବା ମୋ’ ସାଥିରେ ଯିବ କେମିତି ? ଆଗାମୀ ଜନ୍ମରେ ପୁଣି ଦେଖାହେବ ଯେ ! ସେ ଜନ୍ମରେ ମୋଠାରୁ ତମକୁ, ତମଠାରୁ ମତେ କେହି ବିଚ୍ଛିନ୍ନ କରିପାରିବେ ନାହିଁ । କାଳ କାଳ ଧରି ଆମେ ଅବିଚ୍ଛିନ୍ନ ରହିବା !

 

ଗୋଟାଏ ସୃଜନଶୀଳ ପ୍ରତିଭାର ଜନ୍ମ ଗୋଟାଏ ଜନ୍ମରେ ଶେଷ ହୁଏ ନାହିଁ । ଗୋଟାଏ ଜନ୍ମରେ ତା’ର ଜୀବନର କାବ୍ୟ ସୃଷ୍ଟି ଆରମ୍ଭ ହୋଇପାରେ ମାତ୍ର ସେଇ ଜନ୍ମରେ ତାହା ଶେଷ ହୋଇପାରେ ନାହିଁ । କେତେ ଜନ୍ମ ଅତିକ୍ରମ କରି ସେ କାବ୍ୟ ଏମିତି ଲେଖା ହୋଇ ଚାଲେ । ଆମ ଜୀବନ-କାବ୍ୟର ଲେଖା ଏଇ ମାତ୍ର କୌଣସି ଏକ ନିକଟ ଜନ୍ମରେ ଆରମ୍ଭ ହୋଇଛି । ଏତେ ଶୀଘ୍ର ତା’ର ପରିସମାପ୍ତି ଘଟିବ କେମିତି ? ତଥାପି ଯେତେ ଶୀଘ୍ର ହେଉ ତାକୁ ଶେଷ କରିବାକୁ ଚେଷ୍ଟା କରିବା । ଆଗାମୀ ଜନ୍ମରେ ତା’ର ସମାପ୍ତି ଦେବାକୁ ପ୍ରବଳ ଉଦ୍ୟମ କରିବା, ଏ' ଜନ୍ମରେ ଆମ ଜୀବନ କାବ୍ୟର ଲେଖା ଏଇଠି ରହୁ । ତମେ ବିଚାରୁଥିବ, ଆଗାମୀ ଜନ୍ମରେ ସତରେ କ’ଣ ଆମର ସାକ୍ଷାତ ହେବ ? ସତରେ କ’ଣ ଜୀବନକାବ୍ୟ ଆଉଥରେ ଲେଖା ଚାଲିବ ? ଚାଲିବ ଦୀପା, ନିଶ୍ଚୟ ଚାଲିବ । ଯେହେତୁ ଆମେମାନେ ସ୍ରଷ୍ଟା, ପୁନର୍ଜନ୍ମରେ ଆମର ବିଶ୍ଵାସ ରହିବା ସ୍ଵାଭାବିକ ।

 

ମୁଁ ଶାନ୍ତିରେ ମରୁଛି ଦୀପାନ୍ଵିତା । କାହିଁକି ନା ତମକୁ ପାଖରେ ଦେଖି ମରୁଛି । ତମରି ହାତରେ, ତମରି କୋଳରେ ମଥା ରଖି ମୋ’ ସିତାରର ମେଘମହ୍ଲାର ଶେଷ ଥରପାଇଁ ବଜେଇବାର ସୁଯୋଗ ପାଇଛି ।

 

ଦୀପାନ୍ୱିତା କାନ୍ଦୁଛି । ଅବୁଝା ଶିଶୁଟିଏ ପରି କଇଁକଇଁ କାନ୍ଦୁଛି । ସେ କାନ୍ଦଣା ରୂପାୟିତ ହେଉଛି ବିକାଶଙ୍କ ସିତାରର ମେଘମହ୍ଲାର ରାଗିଣୀରେ । ସୁରଟା ବେସୁରା ଧରୁଛି । ଯେମିତି କି ବେସୁରା ହୋଇ ପଡ଼ିଛି ବିକାଶ ଆଉ ଦୀପାନ୍ୱିତାଙ୍କ ଜୀବନ-ସିତାର ।

 

ବିକାଶ ପୁଣି କୋହ ଉଚ୍ଛଳ ରୁଦ୍ଧ ଆବେଗରେ ଶିଥିଳ କଣ୍ଠରେ କହିଲେ, ବଞ୍ଚିବାର ସଂକୀର୍ଣ୍ଣ ଗଳି ଦେଇ ଜୀବନକୁ ଚାହିଁଲେ ଜୀବନଟା ଭାରି ଛୋଟ ମନେ ହୁଏ ଦୀପାନ୍ଵିତା ! ଆଖି ଉପରେ ନାଚିଉଠେ ନିଜର ଛୋଟ ସଂସାର, ପରିବାର, ଆତ୍ମୀୟସ୍ଵଜନ । ଐଶ୍ଵର୍ଯ୍ୟର ଆଧିକ୍ୟରେ ନିଜକୁ ବଞ୍ଚାଇ ରଖିବାର ମୋହ ଆଉ ବସ୍ତୁବାଦ ଭିତରେ ପ୍ରତିଷ୍ଠିତ କରାଇବାର ପ୍ରବଳ ଆଗ୍ରହ । କିନ୍ତୁ ଏ’ ସବୁ ଦିନେ ମୋର ନଥିଲା କି ଆଜି ମଧ୍ୟ ନାହିଁ । ଏପରି ବସ୍ତୁତ୍ଵର ସ୍ଵପ୍ନ ମୋ’ ଜୀବନରେ ଥରକପାଇଁ ମୁଁ ଦେଖି ନଥିଲି । ତା’ର କାରଣ, ମୁଁ ଥିଲି ସ୍ଵପ୍ନର ରାଜପଥ ଉପରେ କଳ୍ପନାର ରାଜକୁମାର । ବଞ୍ଚିବାର ସଂକୀର୍ଣ୍ଣ ଗଳିରେ ମୁଁ ପ୍ରାସାଦ ତିଆରି କରି ଯନ୍ତ୍ରଣାର ଉତ୍ପୀଡ଼ନରେ ମରଣକୁ ସ୍ଵାଗତ କରିବାକୁ ମୁଁ ଚାହୁଁ ନଥିଲି । ଏ’ ଜନ୍ମରେ ମୁଁ ଯାହା ଚାହୁଁଥିଲି ତାହା ମୋର ପୂରଣ ହୋଇଛି । ମଣିଷର ଜିଦ୍, ଯୁକ୍ତି ସମୟ ଆଗରେ ଚିରକାଳ ନିଷ୍ପ୍ରଭ ହୋଇଛି । ମୁଁ ତୁମକୁ ଭଲପାଇ ପାଇବାର ଜିଦ୍‍ କରିବା ମୋର କେବଳ ମୁହୂର୍ତ୍ତର ଜିଦ୍‍ ଥିଲା; ସାମୟିକ ଯୁକ୍ତି ଥିଲା । ତାହା କାଳର ପ୍ରଭାବତଳେ ଅପସରି ଯାଇଛି । ମୁଁ ଆଉ ଏ’ ଜନ୍ମରେ ସେଇ ଜିଦ୍‍ର ପୁନରାବୃତ୍ତି କରିବାକୁ ଚାହେଁ ନାହିଁ । ତେଣୁ ସେ ଦିଗରେ ମତେ ତମେ ଆଉ ବାଧ୍ୟ କର ନାହିଁ ।

 

ଅବିଶ୍ରାନ୍ତ ଲୁହ ପ୍ରବଳ ଗତିରେ ଛୁଟି ଚାଲିଛି ଦୀପାନ୍ଵିତା ଆଖିରୁ ।

 

ତମେ ଯେତେ ଯାହା ବୁଝେଇଲେବି ଜନ୍ମ, ପୁନର୍ଜନ୍ମ ଏହା ଉପରେ ମୋର ଆଦୌ ବିଶ୍ଵାସ ନାହିଁ । ଏ' ସବୁ କଳ୍ପନା ଆଉ କାହାଣୀର ଆଧାରିତ ବସ୍ତୁ । କିନ୍ତୁ ସତ୍ୟ ନୁହେଁ । ବାସ୍ତବ ନୁହେଁ ବିକାଶ !

 

ତମକୁ ବିଶ୍ଵାସ କରିବାକୁହିଁ ପଡ଼ିବ ଦୀପାନ୍ଵିତା ! ଏହା ଛଡ଼ା ଯେ ଅନ୍ୟ ଉପାୟ ଆଦୌ ନାହିଁ ।

 

ବଞ୍ଚିବାର ସଂକୀର୍ଣ୍ଣ ଗଳିରୁ ଟିକିଏ ଆଗକୁ ଆସି ଊର୍ଦ୍ଧ୍ଵ ଦୃଷ୍ଟିରେ ତମେ ଏ’ ପୃଥିବୀକୁ ଚାହଁ । ଦେଖିବ ଏ’ ପୃଥିବୀ କେଡ଼େ ବିରାଟ । ଭଲ ପାଇବାର ସଂଜ୍ଞା ଏଠି କେଡ଼େ ମହାନ୍ ! ପରିବ୍ୟାପ୍ତ ! ସଫଳତା ଅପେକ୍ଷା ବିଫଳତାର ପରିମାଣ ଏଠି କେତେ, ଆଉ ତାହା ଆମୋଦଦାୟକ କି ନୁହେଁ ! ଦୀପାନ୍ଵିତା, ମୁଁ ବିଫଳ ହୋଇଛି । ଖୁସି ହୋଇଛି । କିନ୍ତୁ ପ୍ରଥମେ ଅସଫଳତାର ସ୍ଵାକ୍ଷର ବହନ କରି ସାରି ମ୍ରିୟମାଣ ହୋଇ ପଡ଼ିଥିଲି । କିନ୍ତୁ ପରେ ଯେତେବେଳେ ଏ’ ବିରାଟ ପୃଥିବୀକୁ ଚାହିଁଲି ସେତେବେଳେ ମୋ’ ଚିନ୍ତାଧାରା ଅତି ପରିମାଣରେ ବଦଳିଗଲା । ଆଉ ଜାଣିଲି ଭଗବାନଙ୍କ ରାଜ୍ୟରେ କେହି ଅନ୍ୟାୟର ଦଣ୍ଡ ପାଆନ୍ତି ନାହିଁ । ସମସ୍ତେ ନ୍ୟାୟର କ୍ଷମା ପାଆନ୍ତି । ସେ ଦିନ ବୋଧହୁଏ ଜୀବନର ସଂଜ୍ଞାକୁ ପ୍ରକୃତରେ ପ୍ରଥମ କରି ବିପୁଳ ପରିମାଣରେ ବୁଝିପାରିଲି । ଏ’ ହେଉଛି ଧୂଳିର ପୃଥିବୀ । ଧୂଳିର ଜୀବନ । କେତେବେଳେ ଧୂଳି ପରି ଉଡ଼ି ଆସି ପୁଣି ଧୂଳିପରି ଫେରି ଯାଉଛି । ଅଧିକ ଭାବପ୍ରବଣତାରେ ଟିକିଏ ଚିନ୍ତା କରିବ ଦୀପାନ୍ଵିତା, ଏ’ ମୋହଗ୍ରସ୍ତତାର ପୃଥିବୀରେ ସମସ୍ତେ ନିଜର ଅଥଚ କେହି କାହାର ନୁହଁନ୍ତି । ଆଜି ଯାହା ସ୍ଥିର କାଲିକି ତାହା ଅସ୍ଥିର । ସମସ୍ତଙ୍କ ଆଶା, କଳ୍ପନା ଏଠି ବିପର୍ଯ୍ୟସ୍ତ । ଅବିନ୍ୟସ୍ତ, ତାହା ହେବାହିଁ ଉଚିତ । ପ୍ରତ୍ୟେକଙ୍କ ଜୀବନରେ କିଛି କିଛି ଅଭାବ ରହିବାହିଁ ଉଚିତ ! କାରଣ ତାହା ନ ହେଲେ ପରିପୂର୍ଣ୍ଣ ଜୀବନରେ ପୁନର୍ଜନ୍ମ ଆଉ ସମ୍ଭବ ନୁହେଁ । ଯଦି ପ୍ରତ୍ୟେକ ମଣିଷର ଆଶା ଆଉ କାମନାର ତାଲିକା ପ୍ରସ୍ତୁତ କରି ଦେଖାଯାଏ, ତେବେ କୌଣସି ଜୀବନ ସ୍ଵୟଂ ସମ୍ପୂର୍ଣ୍ଣ ନୁହେଁ । ଆଉ ଏମିତି କୌଣସି ଜୀବନ ନାହିଁ ଯାହାର କି କୌଣସି ଅଭାବ ନ ଥାଇ ସେ ପୃଥିବୀରେ ବଞ୍ଚିରହିଛି ଅଥବା ଫେରି ଯାଇଛି ।

 

ବିକାଶ ଆଉ ଅଧିକ କହି ପାରିଲେ ନାହିଁ । କଣ୍ଠ ତାଙ୍କର ଶିଥିଳ ହୋଇ ଆସିଲା ।

 

ପୁଣିଥରେ ନିଗିଡ଼ି ଆସିଲା କଫ ସହିତ ଆଉ ମେଞ୍ଚାଏ ଖଣ୍ଡ ରକ୍ତ ।

 

ଦୀପାନ୍ୱିତା ଚିତ୍କାର କରି ଧାଇଁ ଆସି ନିଜ କୋଳରେ ତୋଳି ଧରିଲା ବିକାଶଙ୍କୁ I ବିକାଶ ମନା କରି କରି ଘୁଷୁରି ଘୁଷୁରି ଦୀପାନ୍ଵିତା ଠାରୁ ଦୂରରୁ ଦୂରକୁ ଘୁଞ୍ଚି ଯାଉଥିଲେ ।

 

ରହସ୍ୟମୟୀ ରାତ୍ରି ଯେମିତି ତା’ର ଅନ୍ଧକାରର ହାତୁଡ଼ିରେ ଦୀପାନ୍ୱିତାର ଛାତିରେ ପାହାର ପିଟୁଛି ! ଆଉ ଦୀପାନ୍ଵିତା ମନେ କରୁଛି ବର୍ତ୍ତମାନଠାରୁ ତା’ର ଜୀବନ ତା’ପାଇଁ ଏକ ପରିମିତିକ ଚତୁର୍ଭୁଜ । ଆଉ ସେ ଚତୁର୍ଭୁଜର ପ୍ରତ୍ୟେକ ଦିଗରୁ ଏମିତି କେହି ଜଣେ ଜୀବନର ଉଦ୍ଭଟ ପ୍ରାମାଣିକ ସଂଜ୍ଞା ନିରୂପଣ କରି କରି ବକ୍ରରେଖାର କଣ୍ଟା ବିଛାଇ ବିଛାଇ ତା’ପାଇଁ ରାସ୍ତା ଅବରୁଦ୍ଧ କରି ଆସୁଛି !!

 

ମୁକ୍ତିସ୍ରୋତରେ ଜୁଆର ଆସିଛି । ପ୍ରଖର ଜୁଆର । କୂଳ ଲଙ୍ଘନ କରି ବନ୍ୟାଜଳ ଆନନ୍ଦପୁର ସହରର ଖାଲୁଆ ଜମିଗୁଡ଼ିକୁ ଜଳନିମଗ୍ନ କରି ପକାଇଛି । ଅତୀତରେ ଥିବା ସେଇ ବାଲିର ଢିପ ନଦୀଗର୍ଭର କେଉଁ ନିମ୍ନତମ ପ୍ରଦେଶରେ ହଜିଗଲାଣି । ତା’ ତଳେ ଥିବା ବିକାଶ ଆଉ ଦୀପାନ୍ୱିତାଙ୍କ କୁଟୀର ଖଣ୍ଡିକ ଆଉ କ’ଣ ରହିଥାଆନ୍ତା ?

 

ସେଇ ଝାଉଁବଣ ଯେମିତି ସେମିତି ଅଛି । ଅନେକ ବାଲିମୃଗ ମନ ଆନନ୍ଦରେ ନାଚିକୁଦି ଖେଳୁଛନ୍ତି । ଆଉ ସେଇ ଝାଉଁବଣର ମୁଗ୍ଧକର ପରିବେଷ୍ଟନୀ ଭିତରେ ନିର୍ମିତ ହୋଇଚି ସୁନ୍ଦର ଏକ ବିରାଟ ସମାଧିମାର୍ବଲ ପଥରରେ–ଶିଳ୍ପୀ ବିକାଶ ଚୌଧୁରୀଙ୍କର ।

 

ଆନନ୍ଦପୁର ସହର ଏ’ ଭିତରେ ବହୁତ ବଦଳି ଯାଇଛି । ଜଗୁରାମର ମଦ ଦୋକାନ କୁଡ଼ିଆରୁ କୋଠାରେ ପରିଣତ ହୋଇଛି । ହରିଶଙ୍କର ଦୋକାନ ଭାଙ୍ଗି କୁଆଡ଼େ ଅନ୍ୟତ୍ର ପଳାଇ ଗଲାଣି ।

 

ସହରରେ ନୂଆ କରି ଗୋଟାଏ ସଙ୍ଗୀତ ଅନୁଷ୍ଠାନ ଖୋଲା ହୋଇଛି ବିକାଶଙ୍କ ନାମକରଣରେ । ବିକାଶ କଳା ପ୍ରତିଷ୍ଠାନ । ସେ ପୁଣି ତିଆରି ହୋଇଛି ଶିଲାର ବାସଭବନରେ ।

 

ଏମିତି ଅନେକ ପରିବର୍ତ୍ତନ । ସବୁଠାରୁ ବେଶି ପରିବର୍ତ୍ତନ ଘଟିଛି ରାୟସାହେବ ଶାରଦାପ୍ରସନ୍ନଙ୍କ ପରିବାରରେ । ଶାରଦାପ୍ରସନ୍ନଙ୍କ ଦେହାନ୍ତ ହୋଇଛି । ଅନୁପମା ତା’ର ଭୁଲ୍‍ପାଇଁ ଅନୁତପ୍ତା ହୋଇଛି । ଶଶାଙ୍କ ଆଉ ଅନୁପମା ଉଭୟେ ଖୋଜି ବୁଲୁଛନ୍ତି ଜଣକୁ । ସେ ହେଲା ଦୀପାନ୍ୱିତା । କିନ୍ତୁ ଦୀପାନ୍ୱିତା କାହିଁ ?

 

ଆନନ୍ଦପୁର ସହରର ଅନେକ ଜାଗାରେ ଗୁଜବ ଉଠୁଛି ଦୀପାନ୍ଵିତା ଆତ୍ମହତ୍ୟା କରିଛି । ମୁକ୍ତିସ୍ରୋତର ଜୁଆର ଭିତରେ ଅନେକ ଦିନ ତଳେ ଗୋଟାଏ ନାରୀର ଶବ ଦେଖିବାକୁ ମିଳିଥିଲା ବୋଲି କେହି କେହି କହୁଥିଲେ ! ସେ ଦୀପାନ୍ୱିତାର ଶବ ହୋଇପାରେ !

 

କିନ୍ତୁ ଦୀପାନ୍ୱିତା ତା’ର କ୍ଳେଦାକ୍ତ ପ୍ରାଣ ଧରି କେଉଁ ଅନନ୍ତ, ଅସୀମ ପଥରେ ବାଟ କାଟି ଚାଲିଯାଇଛି, ନିର୍ଦ୍ଦିଷ୍ଟ ଭାବରେ ଏଯାଏଁବି କେହି ନିର୍ଣ୍ଣୟ କରି ପାରି ନାହାନ୍ତି !!!

 

ଶେଷ–ତା ୩୧ । ୮ । ୭୩

ବାଲୁଗାଁ (ଚିଲିକା)

Image